Unknown

 

 

 

 

 

 

 

 

 

 

 

ଅଧିକାର

ଶ୍ରୀ ଚିନ୍ତାମଣି ମହାପାତ୍ର

 

ପଦେ ଅଧେ

 

କେତେକ କହନ୍ତି ଭଗବାନ–ଆଉ କେତେକ କହନ୍ତି ଭାଗ୍ୟ–ଯାହାଦ୍ୱାରା ମନୁଷ୍ୟର କାର୍ଯ୍ୟ ଏବଂ ଚିନ୍ତା ନିୟନ୍ତ୍ରିତ ହୋଇଥାଏ । ଆଉ କେତେକଙ୍କ ମତରେ ସାମାଜିକ ଏବଂ ଅର୍ଥନୈତିକ ପରିସ୍ଥିତିହିଁ ମନୁଷ୍ୟର ବିଭିନ୍ନ କାର୍ଯ୍ୟ ଏବଂ ଚିନ୍ତା ସକାଶେ ଦାୟୀ । ଏହା ଭିତରୁ ଯେଉଁଟି ସତ ହେଉ ନା କାହିଁକି, ପାରିପାର୍ଶ୍ୱିକ ପରିସ୍ଥିତି ମନୁଷ୍ୟର ଚିନ୍ତାଧାରା ଓ କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ ।

 

ଶିଶୁ ଯେତେବେଳେ ଜନ୍ମ ନେଇଥାଏ–ଢଳଢଳ–ସରଳ–କୌଣସି ଛାପ, କୌଣସି ଦାଗ ଲାଗି ନ ଥାଏ ତା’ର ଜୀବନ ଉପରେ । କିନ୍ତୁ କ୍ରମେ ପାରିପାର୍ଶ୍ୱିକ ସମାଜ ଏବଂ ଅର୍ଥନୈତିକ ପରିସ୍ଥିତି ତା’ର ଶରୀର ଓ ମନ ଉପରେ ଗୋଟିଏ ଛାପ ଦେଇଯାଏ–ଯାହାକୁ ନେଇ ସେ ପରିଚିତ ହୁଏ ଦୁନିଆରେ । ଯେତେବେଳେ ପାରିପାର୍ଶ୍ୱିକ ଅବସ୍ଥାର ମୌଳିକ ପରିବର୍ତ୍ତନ ଘଟେ, ସେତେବେଳେ ଏହି ଛାପ ବଦଳି ଯାଇ ପାରେ । କେତେକ କ୍ଷେତ୍ରରେ କିମ୍ୱା କେତେକ ଅଂଶରେ ହୁଏ ତ ବଦଳିପାରେ ନାହିଁ ।

 

ବହିଟିର ଚରିତ୍ରଗୁଡ଼ିକ ଦୁନିଆର ସାଧାରଣ ନରନାରୀ–ଯେଉଁମାନେ ଅବସ୍ଥା ସହିତ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା କରିଛନ୍ତି । ସମୟର ପ୍ରବାହରେ ଏମାନଙ୍କ ଜୀବନରେ କେତେଗୁଡ଼ିଏ ଆବର୍ତ୍ତ ସୃଷ୍ଟି ହୋଇଛି–ସେହିଗୁଡ଼ିକ ହିଁ ଏହି ଉପନ୍ୟାସର ବିଷୟବସ୍ତୁ ।

 

କଳ୍ପନା ବାସ୍ତବତାକୁ ସମ୍ପୂର୍ଣ୍ଣ ଏଡ଼ି ଋଢ଼ା ଯାଇପାରେନା ସୁତରାଂ ଯେଉଁସବୁ ପରିଚିତ ଅପରିଚିତ ବ୍ୟକ୍ତି ମୋର ଜୀବନରେ ଆସି ମୋର ଅନୁଭୂତିକୁ ପୁଷ୍ଟକରି ପରୋକ୍ଷରେ ଏହି ଉପନ୍ୟାସର ଚରିତ୍ରଗୁଡ଼ିକ ଗଢ଼ିବାରେ ସାହାଯ୍ୟ କରିଛନ୍ତି, ସେମାନଙ୍କୁ ମୁଁ ଆନ୍ତରିକ ଧନ୍ୟବାଦ ଜଣାଉଛି ।

 

ବହିଟିର ଲେଖା ଆରମ୍ଭ ହୋଇଥିଲା ୧୯୫୩ରେ । ବହୁ ବାଧାବିଘ୍ନ–ବଶତଃ ପାଠକ ପାଠିକାମାନଙ୍କ ହାତରେ ପହୁଞ୍ଚାଇବା ପାଇଁ ପାଞ୍ଚଟିବର୍ଷ ଲାଗିଯାଇଛି । ଉପନ୍ୟାସର ଉନ୍ନତି ଓ ପ୍ରକାଶନ ସକାଶେ ଇଷ୍ଟର୍ଣ୍ଣ–ଟାଇମ୍ସର ତଦାନୀନ୍ତନ ସହକାରୀ ସମ୍ପାଦକ ଶ୍ରୀ ମିହିର କୁମାର ରାଓଙ୍କ ମୂଲ୍ୟବାନ ଉପଦେଶ ଓ ସାହାଯ୍ୟ ସକାଶେ ମୁଁ କୃତଜ୍ଞ । ଏ ଦିଗରେ ପ୍ରକାଶକଙ୍କ ଚେଷ୍ଟା ସକାଶେ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି । ଉପନ୍ୟାସଟିକୁ ସୁନ୍ଦରତର କରିବା ଦିଗରେ ସ୍ତ୍ରୀ ସ୍ନେହଲତାଙ୍କ ଅକୁଣ୍ଠିତ ସାହାଯ୍ୟ ଓ ସହଯୋଗ ପାଇ ମୁଁ ଲାଭବାନ୍‍ ହୋଇପାରିଛି । ସେଥିପାଇଁ ମୁଁ କୃତଜ୍ଞ ।

 

କଟକ

–ଲେଖକ–

ବିଷୁବ ସଂକ୍ରାନ୍ତି

 

୧୯୫୮

 

☆☆☆

 

ଅନେକ କହନ୍ତି–ମୁଁ ଫାଜିଲ୍‍, ଅଥଚ ବୁଦ୍ଧମାନ୍‍ ।

 

ସ୍ଥଳ ବିଶେଷରେ ଅନୁଭବୀ କହନ୍ତି–ମୁଁ ଭଦ୍ର, ସଂଯତ, ସହୃଦୟ ।

 

ଦୂରେଇଥିବା ଶୁଭାକାଙ୍‍କ୍ଷୀ ଦଳ ମତେ ଦିଅନ୍ତି–ତା ବିଷୟରେ ସେମିତି ଗୁଡ଼ାଏ ଶୁଣାଯାଏ ସିନା, ଭଲ ପଢ଼େ ।

 

ଆଉ ମୁଁ ?

 

–ସମସ୍ତ ମାନି ନିଏ ।

 

କାରଣ–ମୁଁ ଥିଲି ଦୁର୍ବଳ ।

 

...ପାପକୁ ମୋର ଭୟ ଥାଏ, କିନ୍ତୁ ତା ଭିତରୁ ଅନ୍ତତଃ ଏକ ଶ୍ରେଣୀର ଡାକ ଏଡ଼ିବା ସବୁବେଳେ ମୋ ପକ୍ଷରେ ସମ୍ଭବ ନ ଥିଲା । ମୁଁ ଅନୁତାପ କରେ–କିନ୍ତୁ କେତେଦିନ ପରେ ମଡ଼ାବାଟ ମାଡ଼ି ଚାଲିବାକୁ ସେତେଦୂର ଦ୍ୱିଧା ବୋଧ କରେ ନାହିଁ ।

 

–ତଥାପି ସ୍ଥଳ ବିଶେଷରେ ମୋର ଶାନ୍ତ ସଂଯତ ବ୍ୟବହାରରେ ଆନ୍ତରିକତା ଥାଏ ।

 

ଆଉ ମୋର ‘ଫାଜିଲାମି’ ? ଅନ୍ୟ ଆଖି ଆଗରେ ଏଥିରେ ସାହାସ ଥିବା ସମ୍ଭବ, କିନ୍ତୁ ମୁଁ ଜାଣେ ଏହା ଏକ ଆତ୍ମ–ପ୍ରବଞ୍ଚନା–ଏକ ଅବିବେକୀ ଭାବ ପ୍ରବଣତା ।

 

ସେ ଦିନର କଥା–

 

ସେତେବେଳେ–ଯୌବନର ପ୍ରଥମ ସୋପାନ–

 

ଯେତେବେଳେ ନାରୀର କଣ୍ଠରେ ଶୁଣାଯାଏ ଏକ ଅଭିନବ ଝଙ୍କାର–ନାଲି ଓଠର ଫାଙ୍କାରେ ଦନ୍ତପଂକ୍ତିର ସୌନ୍ଦର୍ଯ୍ୟରେ, ତା’ର ସାନ୍ନିଧ୍ୟ ଆଉ ଅଙ୍ଗଭଙ୍ଗୀରେ ଗୋଟାଏ ନୂତନତା ଆକର୍ଷଣ କରେ...

 

ମାଣ୍ଡାଲେରେ ନନାଙ୍କର କେତେଜଣ ବର୍ମୀ ନାରୀ କୁଲିଙ୍କର ଅପାଙ୍ଗ ଆଉ ସଂକେତ...-। ଜଣେ ବୃଦ୍ଧାର ପ୍ରରୋଚନା...

 

ଶାନ୍ତ ଶିଷ୍ଟ ସୁବୋଧ ବାଳକ ସରୋଜ ଯୌବନରେ ଏଭଳି କୁକ୍ରିୟାରେ ରତ ହେବା ଦେଖି ସ୍ନେହଶୀଳ ଅଥଚ ନିଷ୍ଟାବାନ୍‍ ପିତା ଭୀଷଣ କ୍ରୁଦ୍ଧ ହୋଇ ଉଠିଲେ । ଆଉ ତାଙ୍କର ସେଇ ବିଶେଷତ୍ୱ–ଅବିଳମ୍ବ ନିଷ୍ପତ୍ତି । –କୌଣସି ବିଚାରର ଅପେକ୍ଷା ନ ରଖି ସେଇଦିନହିଁ ମୋତେ ବର୍ମାରୁ ତାଙ୍କ ଆଖି ଆଗରୁ ବିଦାୟ ନେବା ପାଇଁ ଆଦେଶ ଦେଲେ ।

 

ଅସଚ୍ଚରିତ୍ରର ଛାପ ପାଇ ଚାଲି ଆସିଛି ଭାରତ, ଅନୁତାପ କରିଛି–ଅଭିବାନ ବଢ଼ିଛି । କିନ୍ତୁ ନନାଙ୍କର ରାୟ କୋହଳ ହେବାପାଇଁ ଆଉ ବିଚାର ହୋଇନାହିଁ ।

 

ବର୍ଷକ ପରେ ବୋଉ ମରିଗଲେ–ପୁରୀରେ । ନନା ଫେରି ଆସିଥିଲେ ବର୍ମାରୁ ଏବଂ ସେହି ଥରକ ତାଙ୍କ ସହିତ ମୋର ସାକ୍ଷାତ୍‍ ହୋଇଥିଲା । ‘‘ଆବଶ୍ୟକମତ ଅର୍ଥ ତୁ ମୋ ପାଖରୁ ନେଇପାରୁ’’, ନନା ଗମ୍ଭୀର ଭାବେ କହିଥିଲେ, ‘‘କିନ୍ତୁ ତୋର ଆଚରଣ ନ ବଦଳିବା ଯାଏ ମୁଁ ତୋତେ ଫେରାଇ ନେବାକୁ ଚାହେଁ ନା ।’’ –ବୁଝିବାକୁ, କ୍ଷମା ଦେବାକୁ ସେ ପ୍ରସ୍ତୁତ ନ ଥିଲେ ।

 

ଧୈର୍ଯ୍ୟ ଆଉ ନାହିଁ–ଅଭିମାନ ଜମାଟ ବାନ୍ଧି ଯାଇଛି । ଫେରିବା ପାଇଁ ଚେଷ୍ଟା କରି ନାହିଁ ।

 

ବୁଝେ–ମାନେ ନା ।

 

ଆହୁଲାହରା ପବନଭସା ନାଆ ପରି–କଳ୍ପିତ ନୀତିହୀନ ମୁଁ–ନିଜକୁ ଛାଡ଼ି ଦେଇଥିଲି ଅବସ୍ଥାର ପ୍ରଭାବରେ ।

 

ପ୍ରଭୁତ ଅର୍ଥ–ଯୌବନ–ସହଜମନା ବନ୍ଧୁ ମେଳ ।

 

ଫା’ଜିଲ୍‍ ! ......ହ ।

 

ମାତେ–ଖାପ ଛଡ଼ା ଲାଗେ ।

 

ତଥାପି–ମାତେ ।

 

ନିଜର ସମର୍ଥନ ପାଇଁ ମନକୁ ମନ ଯୁକ୍ତି କରେ Epioures–ସୁଖ, କୌତୁକ, ଆନନ୍ଦ–ତା’ ନ ହେଲେ ଯେ ଦୁନିଆ ଚଳେନା–

 

ପାଠ ପଢ଼ାରେ ଅବନତି ହୁଏ । ବୁଝେ–ଅଥଚ ଅବୁଝା ରହେ–ରହିବାରେ ସଫଳ ହୋଇ ଆସିଛି ।

 

‘‘ଅନେକେ’’ ସତ କହନ୍ତି...

 

ଆହ୍ଲାବାଦରେ ବି. ଏ. ପଢ଼ା ଶେଷ ହୋଇ ଯାଇଛି । ପଞ୍ଜାବ, କାଶ୍ମୀର ଆଉ ଦିଲ୍ଲୀ ପ୍ରଭୃତି ବୁଲିସାରି ମୁଁ ବିଶ୍ରାମ ନେଇଥାଏ । ଆଗ୍ରାର ‘‘ବିଳାସ ହୋଟେଲ୍‍’’ରେ । ....ଆଗ୍ରାରେ ଆଉ ଦିନୁଟିଏ ମାତ୍ର । ବନ୍ଧୁ ରାମସ୍ୱରୂପ ଚିଠି ଦେଇଛନ୍ତି–ନାମ ଲେଖାଇ ହୋଇ ଯାଇଛି । କ୍ଳାସ୍‍ ମଧ୍ୟ ଆରମ୍ଭ ହେଲାଣି । ମୋତେ ଫେରିଯିବାକୁ ହେବ ।

 

ଫେରିଯିବାକୁ ହିଁ ହେବ !

 

ଆଃ, ସୂର୍ଯ୍ୟଟା ବୁଡ଼ି ଯାଉନାହିଁ କାହିଁକି ?

 

କୋଠାତଳେ ଅସଂଖ୍ୟ ନାରନାରୀଙ୍କ ସମାଗମ । ଅଣଓସାରିଆ ରାସ୍ତା ଉପରେ ମୋଟର, ରିକ୍ସା, ସାଇକେଲ, ଏକ୍‍କା ଆଉ ପଦଯାତ୍ରୀ । ସମୟ ସମୟରେ ବେପରଓ୍ୱାୟ ଷଣ୍ଢଟାଏ-। ରେଡ଼ିଓର ଗୀତ ସଙ୍ଗେ ସଙ୍ଗେ ମୋଟର ଏବଂ ରିକ୍ସାର ହର୍ଣ୍ଣ ଓ ଘଣ୍ଟି; ଏକ୍‍କାବାଲାର ଟାକରା ଏବଂ ଚାବୁକ୍‍, ନରନାରୀଙ୍କର ପଦଶବ୍ଦ, କଥାବାର୍ତ୍ତାର ମୃଦୁଧ୍ୱନି–ମଝିରେ ମଝିରେ ଷଣ୍ଢର ହମ୍ୱାଧ୍ୱନି ସଙ୍ଗେ ସଙ୍ଗେ ପୋଷା କୁକୁରର ଭୋ ଭୋ–ବାୟୁମଣ୍ଡଳଟା ସରଗରମ ହୋଇ ଉଠିଥାଏ-। ଶାଢ଼ୀ ଆଉ ଶାଲବାର–ତରୁଣୀ ଏବଂ ସୁନ୍ଦରୀ... ।

 

ସାମନାର କୋଠା ଉପରେ ଜଣେ କେହି–ସମ୍ଭବତଃ ନୀଚ୍ଚ–ଜାତୀୟା–ରଙ୍ଗ ଶ୍ୟାମଳ ସୁନ୍ଦରୀ ହୁଏତ ନୁହେଁ । ତାହାର ନିବିଷ୍ଟ ଚକ୍ଷୁ–ମୁହଁ ଉପରକୁ ଢାଙ୍କି ରହିଥିବା ଅସଂଯତ କେରି କେରି ବାଳଗୁଡ଼ିକ । –ଅନେକ ସମୟ ତାହାର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲି–ସଫଳ ହୋଇ ପାରିନାହିଁ ।

 

ଛୋଟ ଛୋଟ ଭଉଣୀ–ହଁ ସମ୍ଭବତଃ ଭଉଣୀ–ଦିଓଟି ତାକୁ ବ୍ୟସ୍ତ କରି ଲାଗିଥାନ୍ତି । କ’ଣ ମାଗୁଥାନ୍ତି କେଜାଣି ।

 

ଭଉଣୀ ଦୁହେଁ ଗୋଳମାଳ କରି କରି ଫେରିଗଲେ । –ସେମିଜ୍‍ ସିଲାଇ ଶେଷ ହୋଇ ଯାଇଛି । ଆଉ କିଛି ସେ ଆଣି ସିଲେଇ କରି ବସିଲା । –ଜିନିସଟିକୁ ଆଖି ପାଖରେ ଧରି ରଖିଲା-। –ଆଲୁଅ ତେବେ କମି ଆସୁଛି !

 

ସୂର୍ଯ୍ୟ ଅସ୍ତ ହେଇଛି–ମୁଁ ଆନନ୍ଦିତ ହେଲି ।

 

ରାତ୍ରି ସମାଗତ–ମନ ଭିତରର ମହୁଆ ପାଗଲ ନିଶା ! ଦେହ ଭିତରେ ହାବୁକାଏ ବିଦ୍ୟୁତ୍‍ ! –ନନା ନାହାନ୍ତି–କିନ୍ତୁ ସେ ଯଦି ଆଜି ଦେଖନ୍ତେ... ।

 

–ଘର ଭିତରେ ଡିନର୍‍ ଟେବୁଲ୍‍ ଉପରେ ନେଳି ନେଳି ସାନ ସାନ ପୋକ ଫଟ୍‍ ଫାଟ୍‍ ଡେଇଁ ବୁଲୁଥାନ୍ତି । କାନ୍ଥରେ ଲଗା ବଲ୍‍ବ ଚାରି ପାଖରେ ମଧ୍ୟ ସେଇ ଅବସ୍ଥା । ଗୋଟାଏ ଧୂସରିଆ ଝିଣ୍ଟିକା କେତେଟା ଶିକାର କରିନେଇ ପୁଣି ଲୋଭିଲା ଆଖିରେ ଚାହିଁ ରହିଥାଏ ।

 

ଶିକାର !

 

ରାସ୍ତା ଉପରେ ସୁସ୍ୱାଗତ ଅନ୍ଧକାର । ମଝିରେ ମଝିରେ ଗୋଟାଏ ଗୋଟାଏ ବତୀଖୁଣ୍ଟ-। ଘୂରି ଲାଗିଥିବା ପୋକ ଦଳକ–ଆଲୁଅ ତଳେ ଛନ୍ଦାଛନ୍ଦି ଜାଲ ବୁଣା ।

 

‘‘କଚୁଆନ୍‍ !’’

 

ବୁଢ଼ାଟିଏ ତମାଖୁ ଧୂଆଁ ଶୋଷି ଲାଗିଥିଲା । ‘‘ଆଇୟେ–କିଧର୍‍ ଯାଏଗା ବାବୁଜୀ ?’’

 

‘‘କିନାରେ–କିନାରେ ।’’

 

ବୁଢ଼ାର କପାଳରେ ଦେଖାଗଲା କୁଞ୍ଚନ । ‘‘ଅଚ୍ଛୀ ବାତ୍‍ ।’’

 

ମନଚିଆଁ ପବନରେ କୋଚଘୋଡ଼ାର ଟାପୁତାଳ । ଅସହିଷ୍ଣୁତା । –ଟାପୁ ଶବ୍ଦ ବେତାଳିଆ ହୋଇ ଥମିଗଲା ।

 

ନିଭି ଜଳି ଉଠୁଥିବା ଗଣିକାର କୋଠା ଆଗର ନାଲି ଆଲୋକ ଭଳି ମନ ଭିତରର ଝିମାତେଜା ବାସନା..

 

‘‘ଆଯା ମେରେ ବାଲମା–ତେରେ ଇନ୍ତଜାର୍‍ ହୈ–ନଇ ବହାର୍‍ ହୈ...’’ ପବନରେ ପ୍ରଲୋଭନୀ ଆବାହନୀ ସଂଗୀତ । ରମଣୀର ରସ ରସିଆ କଣ୍ଠ ଯନ୍ତ୍ରସ୍ୱର ସଙ୍ଗେ ଉଠିଆସି ପବନରେ ଲହଡ଼ି ପିଟୁଥାଏ । କେହି ଜଣେ ସରାବୀ ନିଜର କୁଞ୍ଚୁ କୁଞ୍ଚିଆ ବାଳ ଗୁଡ଼ିକ ଇତସ୍ତତଃ କରି ଖଣ୍ଡିଏ ଲକ୍ଷ୍ନୌଇ ପଞ୍ଜାବୀ ଉପରେ ମଲ୍ଲୀମାଳଟିଏ ପକାଇ ଦେଇ ମନ ଖୁସିରେ ଗାଇ ଚାଲିଛି–‘‘ପତଲି କମରୀ ହୈ– ।’’ କୁକୁରଟାଏ ପାଟିକରି ଉଠିଛି–‘‘ଭୋ–ଭୋ’’–କିଙ୍କିଣୀ ଆଉ ତବଲାର ଧ୍ୱନି ବଢ଼ି ଚାଲିଛି ।

 

ଉପରେ ଚନ୍ଦ୍ରହୀନ ରାତି–ଚାରିଆଡ଼ର ନୀରବତା ଭିତରେ ଗଣିକାର ବଧୂନିତ ପଦ କିଙ୍କିଣୀ–ମସାଣିଆ କଣ୍ଠସ୍ୱର–ରାସ୍ତା ଉପର ପଥିକକୁ ଯେପରି ସଂକେତ କରି ଡାକି ଲାଗିଛି...ଜୀବନ ଅଳ୍ପକ୍ଷଣ ସ୍ଥାୟୀ ଯୌବନର ଆୟୁଷ ମାତ୍ର ଦୁଇଦିନ, ତୁମର ପ୍ରତୀକ୍ଷାରେ ତନୁ ଅଳସ ହୋଇ ଉଠିଛି...

 

ସେହି ଛୋଟ ଘରର ଦୁଆର ମୁହଁରେ ନେଳି ବଲ୍‍ବର ଆଲୁଅଟା !

 

–କିନ୍ତୁ ଏ କ’ଣ ? ମନଟା ଆକସ୍ମିକ ଭାବରେ କରୁଣ ହୋଇ ଉଠିଲା କାହିଁକି ? –କେଉଁଠି ଯେପରି ଧକ୍‍କା ଖାଇ ସମ୍ଭାଳି ଯିବାକୁ ଚାହେଁ–ଏଇ ଅବିବେକୀ ଅଭିମାନର ଶେଷ ପରିଣତି କେଉଁଠି ?

 

–ସେଇ ପୁରୁଣା ପ୍ରଶ୍ନ ! ଅନେକ ଥର ମୁଁ ତା’ର ଉତ୍ତର ନ ଦେଇ ଏଡ଼ି ଦେଇ ପାରିଛି ।

 

ତଥାପି–ପାଦ ଦୁଇଟା ମନକୁ ମନ ବାନ୍ଧି ହୋଇ ଯାଉଥାଏ । ମୁଁ ଯାହା କରି ଲାଗିଛି–ସେ କ’ଣ ସତରେ ମୋର ଆନନ୍ଦ– ?

 

‘‘ଆଇୟେ–ଆଇୟେ ।’’ କଳା ନିଶୁଆ ମୋଟା ଲୋକଟା ଠେଙ୍ଗା ପଟକ ଆଡ଼େଇ ନେଲା ।

 

ମାନସ୍ୱିକ ଦ୍ୱନ୍ଦ ଆଉ ନିଷ୍ପତ୍ତିହୀନ ଭାବନା ନେଇ ମୁଁ ଇତସ୍ତତଃ ହେଲି । –ନା ଏତେ ଦୂର ଆଗେଇବା ପରେ ପୁଣି ଫରିଯିବା ହୁଏତ ମୋର ଦୁର୍ବଳତା ।

 

...ମୋତେ ଆସିବା ଦେଖି ସେ ଟିକିଏ ଥମି ଯାଇ ପୁଣି ଆରମ୍ଭ କଲା । ‘‘ଆଖିୟାଁ ମିଲାକେ ଜୀଆ ଭର୍‍ମାକେ–ଚଲେ ନହିଁ ଯାନା–ଓଓଓ...’’

 

ଅତ୍ୟନ୍ତ ସୁନ୍ଦରୀ । ମୋର କରୁଣ ଦର୍ଶନ ଉଭେଇ ଯାଇଥିଲା ତା’ର ଭ୍ରୂଲତାର କଟାକ୍ଷରେ ।

 

ଘର ଭିତରେ ମୁଁ ଏକାକୀ–ଆଖି ଆଗରେ ଗଣିକାର ଘନ ଘନ ଗ୍ରୀବା ସଞ୍ଚାଳନ–ଥରା ଛାତିର ସ୍ପଷ୍ଟ ଇଙ୍ଗିତ । ଲାଳସା ଥରି ଥରି ଜଳି ଉଠୁଥିଲା ।

 

ନିସ୍ତବ୍‍ଧ !

 

–ଝିଟିପିଟିଟା ପେଟ ପୂରାଇ ଲାଙ୍ଗୁଡ଼ ଛାଟୁଥାଏ...

 

କ୍ଳାନ୍ତ ହୋଇ ମୋହନା ଆଖି ବୁଜି ନେଇଛି ।

 

–ଜୁଆର ଫେରି ଯାଇଛି ।

 

ନନା କ’ଣ ଏଇଆ ଚାହିଁଥିଲେ ?

 

ବାହାରେ କୃଷ୍ଣପକ୍ଷ ତ୍ରୟୋଦଶୀର ସରୁ ଜହ୍ନଟା । ଶୀତଳିଆ ଛନିଛିନିଆ ଅନ୍ଧାର । ହଲକା ହଲକାଏ ପବନ ପରଦା ଥରାଇ ଘର ଭିତରକୁ ପଶି ଆସୁଥାଏ । –ଦୂରରୁ ଚଳନ୍ତା ଗାଡ଼ିର ପବନଚିରା ତୀବ୍ର ହୁଇସିଲ୍‍ ।

 

ଭୂଗର୍ଭକୁ ବିଦୀର୍ଣ୍ଣ କରି ଉଷ୍ମ ପ୍ରପାତର ଅପ୍ରତ୍ୟାଶିତ ଲମ୍ଫ ଭଳି–କରୁଣତା’ର ତୀବ୍ର ଧାରା ମୋର କଣ୍ଠ ଆଉ ଆଖି ପାଖରେ ଅନୁଭବ କଲି ।

 

କିନ୍ତୁ–ଯେତେଦୂର ଶକ୍ତି–ଚାପି ନେଲି ।

 

–‘‘ମୋହନା ।’’ ବୁଜି ଆଖି ପତା ଉପରେ ଛଳଛଳ ଆଲୋକର ଉଜ୍ଜ୍ୱଳ ଟୋପା ଦୁଇଟି-

 

‘‘ମୋହନା ! –ମୋହନା !’’ –ନିଷ୍ପନ୍ଦ ।

 

ଘଡ଼ିରେ ଗୋଟାଏ ହେଲାଣି । –ମୋର ଆଙ୍ଗୁଠି ଟିପ ଯୋଡ଼ାକ ଓଦା ହେବାର ଅନୁଭବ କଲି । ମୋହନା କାନ୍ଦୁଛି... ! ହଁ–ସତରେ ସେ କାନ୍ଦି ଲାଗିଛି ।

 

କୋହ ସହିତ ଲୁହର ଝରଣା କ୍ରମେ କ୍ରମେ ବଢ଼ି ଲାଗିଲା । ଭିଜା ଗାଲ ଉପରେ ପାପୁଲିଟା ବୁଲାଇ ଆଣିଲି, ‘‘କାନ୍ଦୁଛି କାହିଁକି ?’’

 

ମୋର ପାପୁଲି ଦିଓଟି ତା’ର ଉଷୁମ ନରମ ପାପୁଲି ଭିତରେ ଚାପି ରଖି ସେ ମୋ ମୁହଁରେ ସତେ କ’ଣ ଖୋଜିଲା ପରି ଚାହିଁ ରହିଲା । ‘‘ଜୀନ୍ଦଗୀ’’–କୋହରେ ତା’ର କଣ୍ଠସ୍ୱର ଭାଙ୍ଗି ପଡ଼ୁଥିଲା–‘‘ଐସା ଜିନ୍ଦଗୀମେ କ୍ୟା ଫାଏଦା ବାବୁଜୀ ?’’

 

ଅବାକ୍‍ ହୋଇ ତା’ର ଆଖି ଦିଓଟିକୁ ଚାହିଁ ରହିଲି–ତା’ର ସେହି ସିନ୍ଦୂର ଲେସା କପାଳ ଉପରେ ଯନ୍ତ୍ରଣାର ତୀକ୍ଷ୍ଣ ରେଖା–ସେଥିରେ ଯେପରି ଜଡ଼ି ରହିଥିଲା ରହସ୍ୟ ।

 

‘‘କୁଛ୍‍ ଶୁନୋଗେ ବାବୁଜୀ ?’’ ସେତେବେଳେ ସେ ଅପେକ୍ଷାକୃତ ଶାନ୍ତ ହୋଇ ଆସିଥିଲା ମୋର ବାହୁ ଭିତରେ–ଆଖି ଦିଓଟି ତା’ର ଭାବନା ଦେଇ ସ୍ଥିର ହୋଇ ଆସିଥିଲା । ହ, କହିବା ତା’ର ଦରକାର–ନିତାନ୍ତ ଜରୁରୀ ।

 

ଦୀର୍ଘଶ୍ୱାସ–ଭାବାବେଶ–କେତେବେଳେ ବା କେଫିୟତ୍‍ର ସ୍ୱର ତା’ର ଭାଷା ମଝିରେ ସ୍ପଷ୍ଟ ହୋଇ ଉଠୁଥିଲା ।

 

ତା’ର ଆକ୍ଷେପ–‘‘ସମାଜ ଆମକୁ ପଦାରେ ରଖିଥାଏ–କିନ୍ତୁ ସମାଜପତିମାନେ ଆମ ପାଖରେ ହାର ମାନି ଫେରିଯାନ୍ତି । ତୁମେ ବଡ଼ ଘରର ପିଲା । ତଥାପି ଆଜି ମୋ ପାଖରେ ନିଜକୁ ପାଣି ଛଡ଼ାଇ ଦେଇଛି ।’’ –ମନେ ମନେ ଟିକିଏ ହଟିଗଲି ।

 

‘‘ମନ ହେଉଥିଲା–ତୁମଠାରୁ ଲୁଟି ନେବା ପରେ ସମସ୍ତଙ୍କୁ ଫେରାଇ ଦେବା ଭଳି ତୁମକୁ ମଧ୍ୟ ଦି ଚାରି ପଦ କଡ଼ା କଥା କହି ଫେରାଇ ଦେବି ବୋଲି–ଯେପରି ତୁମେ କେବବେହେଲେ ବେଶ୍ୟା ଦ୍ୱାର ମାଡ଼ି ନ ଥାନ୍ତ । ହଁ, ମୁଁ ପ୍ରାୟ ଦେଢ଼ ବର୍ଷ ହେଲା ଏପରି କରି ଆସୁଛି । କିନ୍ତୁ–ଲାଭ କ’ଣ ? ...ତୁମର ଏଇ ଛାତି ଉପରେ ମୁଣ୍ଡ ରଖି କାନ୍ଦିପାରି ମୁଁ ଯେତିକି ଶାନ୍ତି ପାଇ ପାରୁଛି–ଗାଳିଦେଇ ସେତକ କ’ଣ ପାଇ ପାରିଥାନ୍ତି ?’’

 

ତା’ର ମୁଁକୁଳା ଖୋସାର କେରି କେରି ବାଳ ଭିତରେ ମୋର ଆଙ୍ଗୁଠିଗୁଡ଼ିକ ଖେଳି ବୁଲୁଥାଏ । ‘‘ଦେହର ମାଂସ ବିନିମୟରେ ମୋତେ ଜୀବନ ଚଳାଇବାକୁ ପଡ଼େ–ନଚେତ୍‍ ଯଦି ଏମିତି ଜଣକର ଛାତିରେ ମୁଁ ଲୋଟିଯାଇ ଜୀବନର ସମସ୍ତ ଦୁଃଖ ଭୁଲିଯାନ୍ତି...’’–ତା’ର ମନ କଥା ।

 

‘‘ମୁଁ ଆଜି ହାରି ଯାଇଛି । ତୁମକୁ ଗାଳିଦେବା ପାଇଁ ମୋର ପାଟି ଫିଟି ନାହିଁ । ଜୀବନର ଅସାରତା ଭାବି ଭାବି ଲୁହ ଆସି ଯାଇଥିଲା–କିନ୍ତୁ ତୁମେ ଯେ ଆସି ମୋର ଲୁହ ପୋଛି ଦେବ...’’ କଣ୍ଠ ଭାଙ୍ଗି ଆସିଥିଲା ।

 

ମୋହନାକୁ ଧୀର ଭାବେ ଖସାଇ ଦେଇ ଉଠି ଆସିଲି ।

 

ଆକାଶର ଖଣ୍ଡ ଖଣ୍ଡ ପାତଳ ମେଘ–ଚିକି ଚିକି ସାନ ସାନ ତାରାଗୁଡ଼ିକ–କୋଠା ତଳେ ଆଲୁଅ କେତେକ ଘୁମନ୍ତ ।

 

‘‘କ୍ୟା ଶୋଚ୍‍ ରହେ ବାବୁଜୀ ?’’ ମୋହନା ଉଠି ଆସଛି ।

 

ମୁଁ ତା’ର ପ୍ରଥମ କଥା ହିଁ ଭାବୁଥିଲି । ‘‘ଐସା ଜିନ୍ଦଗୀମେ କ୍ୟା ଫାଏଦା ?’’ –ମୋର ମଧ୍ୟ... ?

 

‘‘ବଡ଼ ବ୍ୟସ୍ତ ଦେଖାଯାଉଛି ଯେ । –ମୁଁ କହିଲି ବୋଲି କିଛି ଭାବିଲ କି ?’’ –ନା–ଗଣିକାର ମନ ବହଲା ଛଳନା ନୁହେଁ–କଳ୍ପିତା ଗୃହିଣୀର ।

 

ଚୁମ୍ୱନ ବା ‘ନମସ୍ତେ’ ଦେଇ ସେ ବିଦାୟ ଦେଇ ନ ଥିଲା । ଆଖି ତା’ର ଛଳ ଛଳ ହୋଇ ଉଠିଥିଲା ।

 

...ଗଣିକାର ଜୀବନ ଚାହେଁ ନାରୀତ୍ୱର ଆଦର୍ଶ ! ଅଥଚ ‘ସଭ୍ୟ’ ଜଗତର ସୁଶିକ୍ଷିତ ଯୁବକ ମୁଁ–ଖୋଜେ ସେଇ ଗଣିକାର ଅଧର–ତା’ର କଟାକ୍ଷ !! ଛି !

 

ପୃଥିବୀ ଆଶ୍ଚର୍ଯ୍ୟ ଭିତରୁ ଅନ୍ୟତମ । ଶଙ୍ଖମଲମଲ ପଥରରେ ତିଆରି ପ୍ରେମର ଏକ ସୁନ୍ଦର ପ୍ରତୀକ । ବେଗମ୍‍ ମମତାଜ କୁଆଡ଼େ କହି ଯାଇଥିଲେ, ‘‘ଶପଥ କର, ମୋର ମୃତ୍ୟୁ ପରେ ଅନ୍ୟ କାହାକୁ ବାହା କରିବ ନାହିଁ ।’’ ଶାହାନ୍‍ଶାହା ଶାହାଜାହାନ୍‍ ‘ହଁ’ ଭରିଥିଲେ–ଯମୁନା କୂଳରେ ତୋଳି ଥିଲେ ମମତାଜଙ୍କର କବର ଉପରେ ତାଜମହଲ–ପ୍ରେମର ଉତ୍କୃଷ୍ଟ ନିଦର୍ଶନ–ବିଶ୍ୱର ଶତ ଶତ ପରିବ୍ରାଜକ ଆଉ ସୌନ୍ଦର୍ଯ୍ୟ ପିପାସୁଙ୍କର ଆକର୍ଷଣୀ ।

 

ଗାଇଡ଼୍ କହି ଚାଲିଥାଏ–ଉପରେ ଗୁମ୍ବଜର ଦୈର୍ଘ୍ୟ–ପ୍ରସ୍ଥ–ବେଧ । ଖୋଲ ଭିତରେ ଅନ୍ତିମ ନିଦ୍ରାରେ ଶୋଇ ରହିଛନ୍ତି ସମ୍ରାଟ୍‍ ଆଉ ବେଗମ୍‍ । ଜୀବନର ଲୀଳା ଶେଷ ହେଇଥିଲା ୨୦୦ ବର୍ଷ ତଳେ ।

 

ଆଦେଶ ମାତ୍ରେ ସତ୍ରସ୍ତ ପ୍ରହରୀ ମଶାଲ ନେଇ ଚାଲି ଆସିଲା । ନୀରବ, ଶାନ୍ତ, ସୁଷୁପ୍ତ–ଦିଓଟିଯାକ ପ୍ରେମ–ପକ୍ଷୀ ।

 

ଉପରରେ ତଳ କବରର ଅନୁକରଣ ମାତ୍ର । ଏଇ ସ୍ଥାନରେ ପଢ଼ା ହେଉଥିଲା କୋରାନ୍‍–ଘୂରି ବୁଲୁଥିଲା–ଆଲ୍ଲାଙ୍କ ପ୍ରତି ଦୀନ ହୃଦୟର କରୁଣ ଚିତ୍କାର ।

 

‘Beautiful mosaic’ ଗାଇଡ଼୍‍ ଗୋଟିଏ କାରୁକାର୍ଯ୍ୟକୁ ନିର୍ଦ୍ଦେଶ କରି କହିଲା ।

 

ପଛପାଖ ଦୁଆର ମୁହଁରେ କୋରାନ୍‍ ଲେଖା । ଆଉ ଏଇ ସେଇ କୃଷ୍ଣସଲୀଳା ଯମୁନାର ତରଙ୍ଗ । ମୋଗଲ ନାରୀ ଏଇପଥ ଦେଇ ତଳକୁ ଯାଇଥାନ୍ତି–ଯମୁନାର ଶୀତଳ ପବନରେ ଶ୍ରାନ୍ତି ଲିଭାଇବା ପାଇଁ । ପଥଟି ବର୍ତ୍ତମାନ ବନ୍ଦ । ଚଟାଣର ଏଇ ଗାତଗୁଡ଼ିକ, କାନ ପାରି ଶୁଣ । ତଳେ ଯମୁଁନାର ଶୀତଳ ପବନର ଘୂର୍ଣ୍ଣନ ଶବ୍ଦ–କି ସୁମଧୁର ସଙ୍ଗୀତ । ...ଇତିହାସର ଚିହ୍ନ ରହିଛି କେବଳ । କିନ୍ତୁ ସେ ଲୋକେ ଆଉ ନାହାନ୍ତି ।

 

ଦି ତିନୋଟି ଛୋଟ ଛୋଟ ଦର୍ଶକ–ବାଳକ–ବାଳିକା–ଖୁସି ମନରେ ଧାଇଁ ବୁଲୁଥାନ୍ତି । ଦଳେ ୟୁରୋପୀୟ ଦମ୍ପତି–ଗାଇଡ଼୍‍ର ବାଧାହୀନ ବତ୍କୃତାକୁ ମୁଣ୍ଡ ହଲାଇ ସମ୍ମତି ଜଣାଉଥାନ୍ତି । ହାତରେ କାମରା–ପୃଥିବୀର ଏଇ ଆଶ୍ଚର୍ଯ୍ୟର କିଛି ସ୍ମୃତି ସେମାନେ ସାଇତି ରଖିବେ ।

 

ତାଜ ମହଲକୁ ଶେଷଥର ପାଇଁ ଦେଖିନେଲି । ନିପୁଣ ଶିଳ୍ପୀ–ଆଉ ଅଗାଧ ପ୍ରେମ–କିନ୍ତୁ ଅଜସ୍ର ଅର୍ଥ ଖର୍ଚ୍ଚ । ଜଣକର ପ୍ରେମକୁ ଜୀବନ୍ତ କରିବା ପାଇଁ ହୁଏତ ଲକ୍ଷ ଲକ୍ଷ ପ୍ରେମିକ ପ୍ରେମିକା ଦୁର୍ଭିକ୍ଷରେ ଜୀବନ ଦେଇଛନ୍ତି । କିନ୍ତୁ ସେମାନେ ଆଜି ଇତିହାସ ଭିତରେ ଲୁପ୍ତ । ସମୟ ଭିତରେ ରହି ଯାଇଛି ତାଜ–କରୁଣ–ସୁନ୍ଦର–ଉଦ୍ଧତ–ଅତ୍ୟାଚାରୀ । –ଆଉ ତା’ର ସୌନ୍ଦର୍ଯ୍ୟ ହିଁ ସମସ୍ତ ଘୋଡ଼ାଇ ରଖି ପାରିଛି–ପ୍ରେମ ଆଉ ସୌନ୍ଦର୍ଯ୍ୟର ସ୍ୱର୍ଗସ୍ପର୍ଶୀ ମନହଜା ଧୂପ ଅକ୍ଷୟ ।

 

ମୋହନାର ସେଇ କଥା ପଦକ–ଜୀବନ ! ହଁ, ଜୀବନର ଗତି ବଦଳାଇବାକୁ ହେବ–ସାଧାରଣ ମଣିଷ ପରି ସାମାଜିକ ମଣିଷ ପରି ବଞ୍ଚି ରହିବାକୁ । କିନ୍ତୁ...

 

ଗାଡ଼ିଟା ଘଣ୍ଟାଏ ଖଣ୍ଡେ ଡେରି ଥାଏ । ଷ୍ଟେସନ ଉପରେ ଯାତ୍ରୀ ଭିଡ଼ । କେତେଜଣ ମିଲିଟାରୀ ପୋଷାକବାଲା ରାଇଫଲ୍‍ ପ୍ରଭୃତି ଥୋଇ ଦେଇ ଚିନାବାଦାମ ଆଉ ପାପଡ଼ ଖାଇ ଉଚ୍ଚସ୍ୱରରେ ହସି ଲାଗିଛନ୍ତି । କେତେଜଣ କୃଶକାୟା ସ୍ତ୍ରୀ–ମୁଣ୍ଡରେ ତାଙ୍କର ସିନ୍ଦୂର–ହୁଏତ ବଙ୍ଗାଳୀ–ବୁଜୁଳା ରଖି ଗପ କରୁଥାନ୍ତି । ମଚମାଚ୍‍ କରି କେତେଜଣ କଲେଜ ଟୋକା ଷ୍ଟେସନର ଆର ମୁଣ୍ଡକୁ ମାଡ଼ି ଚାଲିଲେ ।

 

ଜଣେ ୟୁରୋପୀୟ ବୃଦ୍ଧବ୍ୟକ୍ତି–ବାଁ ହାତରେ ଅଧାଜଳା ସିଗାରେଟ୍‍ ପାଇପ୍‍–ଡ଼ାହାଣ ହାତଟା ହାପ୍‍ ପେଣ୍ଟର ମୁଣା ଭିତରେ–ଢଳିଢଳି ବେପରଓ୍ୱାୟ ଚାଲିଗଲେ–ଶିଥିଳ ଚମ ଉପରେ ବେକ ତଳ ଶିରା ଦିଟା ଟାଣି ହୋଇଥାଏ । କଳ କଳ ଇଂରାଜୀ କହିଚାଲିଥାନ୍ତି–ଦୁଇଜଣ ଇଂରେଜ ତରୁଣୀ । ଗୋଟାଏ କୁଲି ଗୁଡ଼ାଏ ସୋଡ଼ାବୋତଲ ଠେଲା ଡବାରେ ପୂରାଇ ‘‘ଜରା ହଟ୍‍ ଯାଇୟେ’’ କହି ଠେଲି ଚାଲିଥାଏ । କେତେଦଳ ‘ଦେହାତି’–କାହା ମୁଣ୍ଡରେ ଠେକା–କାହାର ଅବା ଠେକା ନାହିଁ–ଗୋଟାଏ ଲେଖା ଦୀର୍ଘ ଚୁଟି–ଗାମୁଁଛାଟିମାନ ହାତରେ ଓହଳାଇ ଦେଇ ଗଳ୍ପ କରିବାରେ ବ୍ୟସ୍ତ । –କିଏ ଜଣେ ଲେଟାଟାଏ ଧରି ଧାଇଁଛି ।

 

ଆଉ ସେ ପାଖରେ ଜଣେ ବିକାଳୀ–ଗୁଡ଼ିଏ ଫାଉଣ୍ଟେନ୍‍ ପେନ୍‍ ପକେଟରେ ଖୋସି ହାତରେ ପାନିଆ ମାଳେ ଧରି ବିଜ୍ଞାପନ ବାଢ଼ୁଥାଏ ।

 

ମୁଣ୍ଡରେ ତା’ର ଗୋଟାଏ କଳା କେପ୍‍–ବାଙ୍ଗର ପାତଳିଆ ଦେହରେ ଗୋଟାଏ ମାଟିଆ ଜାକେଟ୍‍ । ଜଣେ ପହିଲିମାନ୍‍ ବୋଧହୁଏ–ବେକ ତଳକୁଁ ଡ଼େଉରିଆଟାଏ କଳାସୂତାରେ ଝୁଲି ରହିଥାଏ–ମୋଟା ମୋଟା ନିଶ ବୁଦା–ବେପରୁଆ ଗପି ଲାଗିଛି । ଜଂଘର ଅଧା ଅଂଶ ଏଣେ ଅନାବୃତ ।

 

ମନେ ହେଲା–ପ୍ଳାଟଫର୍ମ୍‍ଟା ଗୋଟାଏ ଛୋଟ ସଂସାର । ଧନୀ, ନିର୍ଦ୍ଧନ–ଡେଙ୍ଗା, ବାଙ୍ଗର–ଶିକ୍ଷିତ, ଅଶିକ୍ଷିତ–ବ୍ୟବସାୟୀ, କର୍ମଚାରୀ, ଛାତ୍ର–ସ୍ତ୍ରୀ, ପୁରୁଷ–ପୋଲିସ, ସୈନ୍ୟ, କୁଲି–ସବୁର ଗୋଟାଏ ଆବୁଡ଼ା ସାବୁଡ଼ା ସମାହାର । ହଁ, ଦୂରରୁ ଏହିଭଳି ଗୋଟାଏ ଗହଳିଆ ଦୁନିଆକୁ ଲକ୍ଷ୍ୟ କରିବାରେ ଆନନ୍ଦ ଅଛି ।

 

–ତା’ର ସୀମା ମଧ୍ୟ ଅଛି । ବସି ବସି ଚିଟା ଲାଗିଲା । ଷ୍ଟଲ୍‍ରୁ ଯଦି ଖଣ୍ଡିଏ ବହି କିମ୍ୱା ଖବରକାଗଜ– ?

 

ଖଣ୍ଡେ ଅମୃତ ବଜାର ପତ୍ରିକା ଧରି ଶୂନ୍ୟ ମନରେ ଫେରି ଆସୁଥିଲି । ହଠାତ୍‍ ଯାତ୍ରୀଗଣ ଆକାଙ୍‍କ୍ଷିତ ହୋଇ ଉଠିଲେ । ପେସେଞ୍ଜର୍‍ ତେବେ ଆସନ୍ନ । କୁଲିମାନେ ବିସ୍ତର ବାକ୍ସ ଧରି ପ୍ରସ୍ତୁତ ହୋଇ ରହିଲେ । ପ୍ଳାଟ୍‍ଫର୍ମକଡ଼ରେ ଠିଆ ହୋଇ ଦେଖି ଲାଗିଲି । ଦୂରରୁ କାନାଡ଼ା ଯନ୍ତ୍ରର ଆଗପାଖର କଳା ଗୋଲେଇଟା ମାଡ଼ ଆସୁଥାଏ । କ୍ଷଣକ ପରେ–କଳା ଧୂଆଁର କୁଣ୍ଡଳୀ ସଙ୍ଗେ ସିଟି ମାରି ପ୍ଳାଟ୍‍ଫର୍ମ ପାଖରେ ଗାଡ଼ିଟା ଠେଲି ହୋଇ ଛିଡ଼ା ହୋଇଗଲା । ସଙ୍ଗେ ସଙ୍ଗେ ଠେଲା ଠେଲି–ପାଟି–‘କୁଲି’ ‘କୁଲି’ ଡାକ ।

 

‘ପାନ୍‍–ସିଗାରେଟ୍‍’–‘ଚାୟ୍‍’–‘କେଲା’–‘ତାଜା ଗରମ୍‍ ପକୋଡ଼ି–ଇ–ଇ’ ।

 

‘ଏ ପକୋଡ଼ିବାଲା’–ଗୋଟାଏ ପରେ ଗୋଟାଏ ଶବ୍ଦ ଲହରୀ–

 

‘‘ଆରେ ଭାଇ–ଜରା ରାସ୍ତା ତ ଦୀଜିୟେ ।’’

 

ପାଖ ଡବାଟାର ଦୁଆର ମୁହଁରେ ଭାରି ଲୋକଭିଡ଼ । ଗୋଟାଏ ଗୋଳମାଳର ସୃଷ୍ଟି । ଦି ଚାରିଟା ନାଲି ପଗଡ଼ି ମଧ୍ୟ ହାଜର ହୋଇ ପଡ଼ିଲେ । ଗୋଟାଏ ଦାଢ଼ି ପଗଡ଼ିବାଲା ଶିଖ ହାତ ହଲାଇ କିଛି ଗୋଟାଏ ଯୁକ୍ତି କରୁଥାଏ । ଅଜାଣତରେ ଟାଣି ହୋଇ ପାଖେଇ ଯାଇଥିଲି–

 

ମୋର ହାତକୁ କେହି ଜଣେ ହଲାଇବାର ଅନୁଭବ କରୁଥିଲି । ମୋ ସାମନାରେ–‘‘ଆରେ–ଆରେ–ପିଲାଟା ମରିଯିବ ଯେ ।’’

 

ପିଲାଟାଏ ଚାପିହୋଇ ଭେଁ କରି ସୁର ଆରମ୍ଭ କରି ଦେଲାଣି । ମା’ ମୁହଁ ଭୟରେ.... ।

 

ଆଃ–କିଏ ଏପରି ମୋର ହାତଟାକୁ ହଲାଇ ଲାଗିଛି ? ବିରକ୍ତିରେ ମୁହଁ ଫରାଇଲି । କିନ୍ତୁ ମୋର ଆଶ୍ଚର୍ଯ୍ୟ–

 

‘‘ମୈ ହୁଁ–ବାବୁଜୀ’’–ତା’ର ଆଖି ଆଉ ଭାଷାରେ ବିନୟ ।

 

ଜଣେ ଅନ୍ଦାଜ ଚାଳିଶ ବର୍ଷର ସ୍ତ୍ରୀ–ରଙ୍ଗ ଶ୍ୟାମଳ–ପିନ୍ଧା ଖଣ୍ଡିଏ ଧଳା ଶାଢ଼ୀ–ମୁହଁରେ ଅଭାବ ଆଉ ବୟସର ଦାଗ । ମୋତେ ବିରକ୍ତ କରିବାର କୈଫିୟତ୍‍ ସେ ଦେଉଥିଲା । –କିନ୍ତୁ ଭାବନାର ଆକସ୍ମିକ ବାଧା ଆଉ ଚଞ୍ଚଳ ମସ୍ତିଷ୍କ ହେତୁ ମୁଁ ଗୋଟିଏ ସୁଦ୍ଧା ବର୍ଣ୍ଣ ବୁଝି ପାରିଲି ନାହିଁ । ସେ ମୁହଁ ଆଉ ପେଟକୁ ଠାରି ଲାଗିଲା । ବୋଧହୁଏ ଖାଇନାହିଁ–କିଛି ଖାଇବାକୁ ମାଗୁଛି । ହିନ୍ଦିରେ ପଚାରିଲି, ‘‘କିଛି ଖାଇବାକୁ ଚାହାନ୍ତି ?’’

 

ସମ୍ମାନ ଦେଇ କଥାବାର୍ତ୍ତା କରିବା ଦରକାର ନ ଥିଲା–ମୁଁ ମଧ୍ୟ ଭାବି ପାରି ନ ଥିଲି । କିନ୍ଦୁ କହିବା ପରେ ମନେ ମନେ ଯୁକ୍ତ କଲି–କାହିଁକି ସେ କ’ଣ ମୋ ମା’ ନୁହନ୍ତି ? –ଗରିବ ହେଲେ ମଧ୍ୟ... ... ... ?

 

‘‘ଆମର ଜନ୍ୟ ନୟ–ଆମାର୍‍ ଛେଲେ ଗୁଲୋର ଜନ୍ୟ ।’’

 

ବୁଝି ପାରିଲି ନାହିଁ ।

 

ବୁଢ଼ୀ ଏଥର ହିନ୍ଦୀରେ ଉତ୍ତର ଦେଲେ । ଦିନସାରା ତାଙ୍କର ପିଲାଗୁଡ଼ିକ କିଛି ଖାଇ ନାହାନ୍ତି ।

 

‘‘ଆସନ୍ତୁ ।’’ ଟିକିଏ ଦମ୍‍ ନେଇ କହିଲି ।

 

ଷ୍ଟେସନ୍‍ ଷ୍ଟଲ୍‍ର ବିସ୍କୁଟ୍‍ ଆଉ କେକ୍‍ । ବୁଢ଼ୀଙ୍କୁ ପଚାରିଲି–‘‘ପିଲାଏ କାହାନ୍ତି ?’’

 

‘‘ଏଇ ପାଖରେ ଅଛନ୍ତି ।’’

 

‘‘ଭିତରକୁ ଡାକି ଆଣନ୍ତୁ ।’’

 

‘‘ନା–ନା–ମୋତେ ଦେଇ ଦିଅନ୍ତୁ । ଆମେ ବାହାରେ ଖାଇନେବୁ ।’’

 

ପଇସା ପାଇ ହୋଟେଲ୍‍ ଚାକର ବିସ୍କୁଟ୍‍ କେକ୍‍ ଆଉ ଚାହା ନେଇ ଗଲା–ବୁଢ଼ୀ ସାଙ୍ଗରେ ଗଲେ । କାର୍ଯ୍ୟ ଶେଷରେ ଆସ୍ୱସ୍ତ ନେଇ ମୁଁ ଫେରି ଆସିଲି ।

 

ଆରେ–ସେ ପିଲା ଆଉ ମା’ର ଦଶା କ’ଣ ହେଲା ! ନା–ବୋଧହୁଏ କିଛି ହୋଇନାହିଁ ।

 

ଗାଡ଼ି ବର୍ତ୍ତମାନ ଛାଡ଼ିବା ଉପରେ । ଡବା ଗୁଡ଼ିକର ମୁହଁ ପାଖରେ ଦୁଇ ଚାରି ଜଣ ମିଳି ଗପ କରୁଥାନ୍ତି । ଫେରିବାଲାମାନେ ପବନ ଭିତରେ ଆଉ ନିଜ ଜିନିଷର ବିଜ୍ଞାପନ ବାଢ଼ୁ ନାହାନ୍ତି–ଯଦିଓ ଏବେ ସୁଦ୍ଧା ଚାହାବାଲା ପାଣି ବାଲଟି ତଳେ ଥୋଇ ଦେଇ କେଟ୍‍ଲିରୁ ଚାହା ଢାଳୁଥାଏ–କୌଣସି ଯାତ୍ରୀ ଉଦ୍ଦେଶ୍ୟରେ । କଦଳୀ ବିକାଳି ପଇସା ଗଣିବାରେ ବ୍ୟସ୍ତ । ଗୋଟାଏ ନିଶୁଆ ମିଲିଟାରୀ ଝରକା ଫନ୍ଦରେ କହୁଣି ରଖି ମୁଣ୍ଡ ଗଳାଇ ଏଣେ ତେଣେ ଚାହିଁ ଲାଗିଛି । ଜଣେ ନେଳି ଶାଢ଼ୀ ପିନ୍ଧା ସୁନ୍ଦରୀ–ଚଷମା’ ଲଗା ଜଣେ ତରୁଣୀ ସହିତ ଆଳାପରେ ବ୍ୟସ୍ତ । କଳା ଟୋପିଆ ଗାର୍ଡ଼ ସାହେବଙ୍କର ହୁଇସିଲ୍‍ଟା ଚିରିଚିରେଇ ଉଠିଲା ।

 

ସବୁଜ ପତାକାର ସଂକେତ–ଲୁହା ନଳାଟା ଗର୍ଜି ଉଠିଲା । ଗାଡ଼ି ଚାଲିଲା–ଧଅଡ଼କ୍‍–ଧଅଡକ୍‍–ଧଅଡ଼କ୍‍–ଧୀରେ–ଧୀରେ–ଧୀରେ । ତଳେ ଗପ କରୁଥିବା ଯାତ୍ରୀମାନେ ତରବର ହୋଇ ଉଠିଗଲେ । ଝରକାରୁ କେତେଟା ଶିକ୍ଷିତ ରୁମାଲ ହଲି ଲାଗିଲା । ‘‘ଗୁଉଡ଼୍‍ ବାଏ–ଚିଅର୍‍ ୟୁ–ନମସ୍ତେ ଭାଇ ସାହେବ ।’’ ମୁହଁ ଗୁଡ଼ିକ ଲୁଚିଗଲେ ଡ଼ବା ଭିତରେ । ...ଛୁଟିଲା ।

 

ନା–ମୋର ଭୁଲ ହୋଇଛି । ସେଇ ବୁଢ଼ୀ ଆଉ ତାଙ୍କର ପିଲାମାନେ ହୁଏତ ଆଉ କିଛି ଖାଇଥାନ୍ତେ । ଅଭାବ ଥିଲା...ସମ୍ମାନ ସହିତ କଥାବାର୍ତ୍ତା କରିବା ପରେ ଭିକାରୀ ଭଳି ବ୍ୟବହାର କରିବା କ’ଣ ଭଦ୍ରତା– ? ଫେରି ଚାଲିଲି ସେଇ ବୁଢ଼ୀଙ୍କ ପାଖକୁ । କିନ୍ତୁ ଯେଉଁ ଯାଗାରେ ଛାଡ଼ି ଯାଇଥିଲି ସେଇଠି ପାଇଲି ନାହିଁ । ଏଣେ ତେଣେ ମୁହଁ ବୁଲାଇଲି ।

 

‘‘ବାବୁଜୀ ।’’

 

ବୁଢ଼ୀ ମୋର ପଛ ପାଖରେ ଠିଆ ହୋଇଥିଲେ ।

 

‘‘କ’ଣ–ଆପଣଙ୍କର ଆଉ କିଛି ଦରକାର ?’’

 

‘‘ନା–ନା ବାପ, ଯଥେଷ୍ଟ ହୋଇଛି । ’

 

ବୁଢ଼ୀଙ୍କ ଆଖିରେ କୃତଜ୍ଞତା । ‘‘ଆପଣଙ୍କର ଶୁଭନାମ କ’ଣ ?’’

 

ସେ ପଚାରିଲେ ।

 

‘‘କାହିଁକି ?’’ ମୋର ମନ୍ଦ ହାସରେ ଦାତାର ଗର୍ବ ଟିକକ ମଧ୍ୟ ଥିଲା ।

 

‘‘ଆଚ୍ଛା–ନମସ୍ତେ ।’’ ବୁଢ଼ୀ ହାତ ଟେକୁଥିଲେ ।

 

‘‘ନା–ନା–ମୁଁ ନମସ୍କାର ଚାହେଁ ନା । ଆପଣ ଯେ ମୋର ମା’ ସମାନ ।’’ ମୁଁ ହଠାତ୍‍ କହିପକାଇଲି ଏବଂ କହିସାରି ବିସ୍ମିତ ହୋଇଥିଲି–ବଦନ୍ୟତା’ର ନମ୍ରତା ଅଭିନୟ ? ନା...... ?

 

ସେ ଟିକିଏ ହସ ଖେଳାଇ ଥିଲେ ।

 

‘‘ତୁମ ନା’ ତାହାହେଲେ କହିବ ନାହିଁ ?’’ ବୁଢ଼ୀ ଅନୁନୟ କଲେ ଏବଂ ମୁଁ କିଛି ଉତ୍ତର ଦେବା ପୂର୍ବରୁ–‘‘ଆସ–ଆମ ଯାଗାକୁ ଯିବା ଆସ ।’’

 

କିଛି ଦୂରରେ ତାଙ୍କର ଜିନିଷ ଥିଲା । ଦି ଚାରିଟା ବୁଜୁଳି–ତାରି ପାଖରେ ଠିଆ ହୋଇଥାନ୍ତି ଜଣେ ତରୁଣୀ । ପଲକ ଭିତରେ ଦେଖି ନେଲି–ଖଣ୍ଡିଏ ନେଳିଆ ଶାଢ଼ୀ ଗୁଡ଼ା ହୋଇଥିଲା ଦେହରେ । ଅଣ୍ଟା ଉପରେ ହାତ ରଖି ଆର ହାତଟିରେ ଶାଢ଼ୀ କାନିଟି ନିଜ ମୁହଁ ପାଖରେ ଧରି ରଖି ଥାଆନ୍ତି । ପାଖରେ ଗୋଟିଏ ଦେଢ଼ବର୍ଷର ଶିଶୁ । ତରୁଣୀ ମୋତେ ଲକ୍ଷ୍ୟ କରିପାରି ନାହାନ୍ତି–ଶିଶୁ ଉପରେ ତାଙ୍କର ଦୃଷ୍ଟି ଥାଏ ।

 

ବୁଢ଼ୀ କହିଲେ–‘‘ଇଏ ମୋର ଝିଅ । ଆଉ ଏଇଟି ମୋର ପୁଅ ।’’

 

ତରୁଣୀ ମୋ ଆଡ଼କୁ ଚାହିଁ ପୁଣି ଦୃଷ୍ଟି ଫେରାଇ ନେବାର ଅନୁଭବ କଲି । ଭଦ୍ରତା ଖାତିରରେ ନମସ୍କାର କରିବାକୁ ମୋର ହାତ ଯାଉଥିଲା–କିନ୍ତୁ ବୁଢ଼ୀ ପ୍ରଶ୍ନକଲେ, ‘‘ହଁ ବାପା, ତମ ଠିକଣାଟି କ’ଣ କହିବ ?’’

 

ମୁଁ ଅମଙ୍ଗ ହେଉଥିଲି । କିନ୍ତୁ ସେ ଉଦାସ ଭାବରେ ପ୍ରଶ୍ନ କଲେ–‘‘ତା’ ହେଲେ ଦେବ ନାହିଁ ?’’

 

ପକେଟରୁ ଖଣ୍ଡିଏ କାଗଜ କାଗଜ କାଢ଼ି ମୋର ଠିକଣାଟା ଲେଖି ତାଙ୍କ ହାତକୁ ବଢ଼ାଇ ଦେଲି ।

 

ଠିକଣାଟା ଦେବାଦ୍ୱାରା ଭଲ କଲି କି ନାହିଁ ଭାବୁଥାଏ–ଭବିଷ୍ୟତ ସକାଶେ ଜଟିଳତା ଡାକି ଆଣୁନାହିଁ ତ ?

 

‘‘ଆମର ଠିକଣାଟା ଟିପିନିଅ ।’’ ସେ କହିବାର ଶୁଣିଲା ।

 

ପ୍ରତିବାଦ କରିନାହିଁ । ମୋର ଗାଡ଼ି ସମୟ ମଧ୍ୟ ହୋଇ ଆସିଥିଲା ।

 

ବୁଝିଲ–ତାଙ୍କର ନାମ ଲାବଣ୍ୟମୟୀ ମୁଖାର୍ଜୀ–ରହନ୍ତି ଲକ୍ଷ୍ନୌରେ–ଅମିନାବାଦର କୌଣସି ଗଳି ଭିତରେ । କିନ୍ତୁ ଚିଠି ଯିବ ବିଶ୍ୱେଶ୍ୱର କପୁରଙ୍କ ମାରଫତ୍‍–ବୋଧହୁଏ ଘରର ମାଲିକ ।

 

‘‘ଆଚ୍ଛା–ନମସ୍ତେ ।’’ ବୁଢ଼ୀ ମୋର ହାତ ଧରି ‘‘ଆମକୁ ରକ୍ଷା’’ ଇତ୍ୟାଦି କହିବାକୁ ଆରମ୍ଭ କରୁଥିଲେ–ମୁଁ କିନ୍ତୁ ଶୁଣିବାକୁ ପ୍ରସ୍ତୃତ ନ ଥିଲି । ମୋର ବ୍ୟଗ୍ରତା ଦେଖି ସେ ମୋର ହାତ ପାପୁଲିଟି ନେଇ ଚୁମା’ ଦେଲେ ।

 

ଆଉ ଥରେ ‘ଆଚ୍ଛା–ନମସ୍ତେ’ କହି ଫେରି ପଡ଼ିଲି । ‘‘ଏଁ’’ କରି ପ୍ରତିବାଦର ଗୋଟାଏ କ୍ଷୀଣସ୍ୱର ଶୁଭିଲା । ମୋର ଯୋତା ମାଡ଼ି ଯାଇଥିଲା–ତାଙ୍କର ସେଇ କଅଁଳିଆ ଶିଶୁ ଉପରେ । ନିଜକୁ ଦୋଷୀ ମନେକଲି । କିନ୍ତୁ ବୁଢ଼ୀ କିମ୍ୱା ତରୁଣୀ କିଛି କହି ନାହାନ୍ତି ।

 

ମୋହନା ପାଖର ଅନୁଭୂତି ପରେ ଆଜିର ଏ ସଦ୍ୟ ଅନୁଭୂତି !

 

ବହୁଦିନ ପରେ ରାମସ୍ୱରୂପଙ୍କୁ ଦେଖିପାରି ଆନନ୍ଦିତ ହେଲି । ଆସିବି ବୋଲି ଜଣାଇଥିଲେ ମଧ୍ୟ ଷ୍ଟେସନରେ ଦେଖି ନ ଥିବା ହେତୁ ତାଙ୍କୁ ଦେଖି ପାରିବି ବୋଲି ମୋର ଆଶା ନ ଥିଲା । ରିକ୍ସାରେ ବୋଝେଇ ଦେଇ ଯେତେବେଳେ ବସିବାକୁ ଯାଏ, ସେତିକିବେଳେ ରାମସ୍ୱରୂପ ସାଇକଲରେ ଘେର ମାରୁଥାନ୍ତି ଷ୍ଟେସନ୍‍ ପାଖରେ !

 

ଆଖପାଖ ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିବାର ଅଭଦ୍ରତା ସ୍ୱୀକାର କରି ମୁଁ ଡାକିଲି–‘‘ରାମସ୍ୱରୂପ–ଓ ରାମସ୍ୱରୂପ ।’’ ବନ୍ଧୁ ରାମସ୍ୱରୂପ ଶୁଣି ପାରି ସାଇକଲ ଖଣ୍ଡିକ ମୋ ଆଡ଼କୁ ମୋଡ଼ିଲେ । ନିଶ ତଳେ ଓସାରିଆ ହସ ଖଣ୍ଡକ ଝଟକି ଉଠିଲା ।

 

‘‘ଆରେ ୟାର୍‍ ।’’ ରାମସ୍ୱରୂପ ପାଖେଇ ଆସି କହିପକାଇଲେ ‘‘ଆଓ ଜରା ଦିଲ୍‍ ଲଗାଲେଁ ।’’ କଥା ନ ସରୁଣୁ ତାଙ୍କର ବଳିଷ୍ଠ ଛାତି ଭିତରେ ମୁଁ ଜାକି ହୋଇଯାଇଥିଲି ।

 

ଚଳେଇ କହିଲି–‘‘ଟିକିଏ ଧୀରେ ଭାଇ, ଦୁର୍ବଳ ଲୋକଙ୍କ ଉପରେ ବଳ ଦେଖାଇଲେ ଚଳେ ?’’

 

‘‘କ୍ୟୁଁ ଭାଇ, ତୁମ୍‍ ଭି ତୋ ତଗ୍‍ଡେ ହୋ ।’’ ରାମସ୍ୱରୂପଙ୍କର ଘାଉଁ ଘାଉଁଆ ଗଳାର ଆବାଜ୍‍ ଶୁଣି ମନରେ ଆଶ୍ୱାସନା ହେଲା ।

 

ମୋର ଅନ୍ତରଙ୍ଗ ବନ୍ଧୁ ଏଇ ରାମସ୍ୱରୂପ–ଜଣେ ଜମିଦାରର ସନ୍ତାନ । ବିଶିଷ୍ଟ ଆକୃତି–ଉଚ୍ଚତା ସେପରି ବେଶୀ କିଛି ନୁହେଁ । କିନ୍ତୁ ବେଶ୍‍ ସ୍ଥୂଳକାୟ । ଦେହରେ ଅସୀମ ଶକ୍ତି, ଜଣେ ବିଶିଷ୍ଟ ଖେଳାଳୀ–କୁସ୍ତି, କସରତ, ମୁଷ୍ଟିଯୁଦ୍ଧ । ଅଥଚ ପାଠ ପଢ଼ରେ ପଛେଇବାର ଦେଖା ଯାଇନାହିଁ । ବାହାରର କଥାବାର୍ତ୍ତାରୁ–ତାଙ୍କର ସେହି ପିଲାଳିଆ ହସ, ଯୁକ୍ତିରେ ପରାଜୟ ନିଶ୍ଚିତ ଜାଣି ସୁଦ୍ଧା ଅଜଟ–ଅନେକ ସମୟରେ ଅନଭ୍ୟସ୍ତ ଲୋକ ମୋଟାବୁଦ୍ଧିଆ ବୋଲି ଅନୁମାନ କରିବା ସମ୍ଭବ । କିନ୍ତୁ ପ୍ରକୃତରେ ତାଙ୍କ ପାଖରେ ସୂକ୍ଷ୍ମବିଚାରର ଅଭାବ ନ ଥାଏ ଏବଂ ସେଥିପାଇଁ କେତେକ ଅଧ୍ୟାପକ ତାଙ୍କର ପ୍ରତିଯୁକ୍ତି ଆଗରେ ଅସୁବିଧା ଭୋଗ କରିଥାନ୍ତି ।

 

ମୁଁ ପ୍ରଶଂସା କରେ–ତାଙ୍କର ଚରିତ୍ରବତ୍ତା ବଳ ଏବଂ ଧୈର୍ଯ୍ୟକୁ ଆଉ ତାଙ୍କର ସାମୟିକ ମୋଟାବୁଦ୍ଧି, ପିଲାଳିଆ ହସ ମୋର ଆଦରଣୀୟ ।

 

ଆମର ପୁରୁଣା ବନ୍ଧୁମାନେ କିଏ କେଉଁଠି ଅଛନ୍ତି–କିଏ କ’ଣ ପଢ଼ୁଛନ୍ତି–ସେ ବିଷୟରେ ଗୋଟିଏ ବିଶଦ ବିବରଣୀ ଦେଇ ସେ ମୋର ରିକ୍ସା ପାଖେ ପାଖେ ସାଇକେଲ୍‍ ଚଳାଇଲେ । ଭ୍ରମଣର ସମସ୍ତ କ୍ଳାନ୍ତି ଏବଂ ଅବସାଦ ମୁଁ ଭୁଲି ଯାଇଥାଏ... । କହିଲି, ‘‘ଏଥର ପୁଣି ସେଇ ପୁରୁଣା ବୋଭାର–ସେଇ ପଢ଼ା–ସେଇ ପ୍ରଫେସର୍‍, କଲେଜ, ବହି–ନୁହେଁ ?’’

 

‘‘ଆରେ ଭାଇ, ବହ୍‍ ତୋ ହୈ ହେ ।’’

 

ହଷ୍ଟେଲ୍‍ ଭିତରକୁ ପଶି ଆସିବା ମାତ୍ର ପାଟି ଶୁଭିଲା, ‘ଆରେ ସରୋଜ ବାବୁ । ସରୋଜ ବାବୁ–ନମସ୍ତେ ।’’

 

‘‘କେବେ ଆସିଲେ ସରୋଜ ବାବୁ ?’’ ବ୍ରହ୍ମପ୍ରକାଶ ବହିରୁ ମୁହଁ ଉଠାଇ ପଚାରିଲେ ।

 

‘‘ଏବେ ତ ଆସିଲି ଭାଇ–ନମସ୍ତେ ।’’

 

‘‘ନମସ୍ତେ ।’’

 

‘‘ପରମ ସ୍ନେହ ଓ ଶୁଭ ଆଶୀର୍ବାଦ ପରେ, ଲେଖିବାର କାରଣ ଏମନ୍ତ ଯେ...’’ ଲେଖିକା ଆଧୁନିକା ନୁହନ୍ତି ନିଶ୍ଚୟ । ଏଇ ତ ପୁରୁଣା ଫେସନ୍‍ । ତା’ ପରେ ଆହୁରି ଦେଖ । ‘ମୋର ସ୍ନେହ ଓ ଭାଲୋବାସା ନେବ । ’ ଦିଓଟି ଯାକ ଏକାବେଳକେ ପର୍ଯ୍ୟବେସିତ । ଏଥିରୁ ମଧ୍ୟ ଜଣାପଡ଼େ–ଲେଖିକା ପୁରୁଣା କାଳିଆ ହିସାବରେ ମଧ୍ୟ ଅଧିକ ଶିକ୍ଷିତା ନୁହନ୍ତି । ଅଶିକ୍ଷିତା ଅବଶ୍ୟ ଅସମ୍ଭବ । ତାହା ଛଡ଼ା ମୋର ମନେହୁଏ, ସେମାନେ କୁଳୀନ ନୁହନ୍ତି । କାରଣ–ତାହାହେଲେ ମୋତେ ପ୍ରଥମରୁ ହାତ ଟେକି ନ ଥାନ୍ତେ । ବାସ୍ତବିକ୍‍, ମୁଁ କିଛି ବୁଝି ପାରୁନାହିଁ ।

 

‘‘ଆଚ୍ଛା, ସେ ତରୁଣୀଟି ?’’ ରାମସ୍ୱରୂପ କିଛି ଅର୍ଥ ଥିବା ଭଳି ପଚାରିଲେ ।

 

‘‘ହଁ, ତୁମ କଥା ମୁଁ ବୁଝି ପାରୁଛି । କିନ୍ତୁ ସେ ତରୁଣୀ ମୋ ଆଡ଼କୁ ଥରେ ମାତ୍ର ଚାହିଁଛନ୍ତି-। ଆଉ ମୁଁ ମଧ୍ୟ ଅନ୍ତତଃ ଭଦ୍ରତା ଖାତିର୍‍ ରେ ଯେତିକି ଦୂର ଆଗେଇବାର କଥା, ସେତିକି ଦୂର ଆଗେଇ ପାରିନାହିଁ ।’’

 

ସିଗାରେଟ୍‍ ଧୂଆଁର କୁଣ୍ଡଳୀ ସୃଷ୍ଟି କରୁ କରୁ ରାମସ୍ୱରୂପ କହିଲେ, ‘‘ବୁଝିଲ ।’’

 

‘‘ତୁମର ଏଥିରେ ମତ କ’ଣ ?’’

 

ମୋର ତ ବାପା ସିଧାସଳଖ କଥା । କାଦୁଅକୁ ଯିବ କାହିଁକି, ଗୋଡ଼ ଧୋଇବ କାହିଁକି-?’’

 

ରାମସ୍ୱରୂପ ଅନ୍ୟ ଆଡ଼କୁ ମୁହଁ ଫେରାଇ ନେଲେ । ବୁଝି ପାରିଲି ନାହିଁ, ରାମସ୍ୱରୂପ ରାଗିଲେ, ନା ଅନ୍ୟ ଦିନ ପରି ମୋର ବିରକ୍ତିପ୍ରଦ କଥାଗୁଡ଼ିକ କୌଣସିମତେ ସମ୍ଭାଳି ଗଲେ ।

 

କିଛି ଦିନ ପର୍ଯ୍ୟନ୍ତ ବଙ୍ଗଳା ଭାଷା ଅଭ୍ୟାସ କରି ଲାଗିଲି ।

 

ରାମସ୍ୱରୂପ ଚିଠି ପତ୍ର ନ ଲେଖି ସମ୍ପର୍କ ନ ରଖିବାକୁ ମୋତେ ଅନେକ ଥର ଉପଦେଶ ଦେଇଥିଲେ । କିନ୍ତୁ କାହିଁକି କେଜାଣି–ଚିଠି ନ ଲେଖି ରହି ପାରି ନ ଥିଲି ।

 

ଉତ୍ତର ପାଏ–ସବୁବେଳେ ପ୍ରାୟ ଏକା ପରି ।

 

ସେଇ ‘ପରମ ସ୍ନେହ ଓ ଶୁଭ’ ଓ ପରେ ‘ମୋର ସ୍ନେହ–ଭାଲୋବାସା...’–ମଝିରେ ‘‘ତୁମେ ରାଜା ହୁଅ–ବଡ଼ ଲୋକ ହୁଅ । ମୁଁ ଭଗବାନଙ୍କ ପାଖରେ କାମନା କରେ...’’ । ଦ୍ୱିତୀୟ ଚିଠିରୁ ଜାଣି ପାରିଲି–ତରୁଣୀଟିର ନାମ ଶେଫାଳିକା; ଆଉ ତା’ର ଛୋଟ ଭାଇଟିର ନାମ ପ୍ରଦୀପ୍ତ କୁମାର ।

 

ଚିଠିରେ ମୁଁ ଅନେକ ଥର ପଚାରିଛି–ସେମାନେ କିପରି ଚଳନ୍ତି, ସେମାନଙ୍କର ଆୟର ପନ୍ଥା କ’ଣ । ଉତ୍ତର ପାଏ–‘‘ବହୁଦିନ ଧରି ଚିଠି ଦେଇ ପାରିନାହୁଁ । ଆଶା କରେ, କ୍ଷମା ଦେବ । ବର୍ତ୍ତମାନ ଭଲ ଅଛୁ ।’’

 

‘‘ରାମସ୍ୱରୂପ ଆଉ ଏଣିକି ଶୁଣିବା ସକାଶେ ଇଚ୍ଛା କରନ୍ତି ନାହିଁ । ଚିଠି କଥା ଉଠାଇବା ମାତ୍ରେ କହନ୍ତି–‘‘ବେଶ୍‍, ବେଶ୍‍ ଥାଉ–ମୋର ଶୁଣିବା ଦରକାର ନାହିଁ ।’’ ରାମସ୍ୱରୂପଙ୍କର ମୋ ଉପରେ ସନ୍ଦେହ ବଢ଼ିବାର ଜାଣି ପାରିଲି । ବନ୍ଧୁତା’ର ବିଚିତ୍ର ପ୍ରତିକ୍ରିୟା ନେଇ ବିରକ୍ତି ମଧ୍ୟ ବଢ଼ି ଉଠୁଥିଲା ମୋର ଉପରେ ନୁହେଁ–ଲାବଣ୍ୟମୟୀଙ୍କ ଉପରେ । ସମୟେ ସମୟେ ବିରକ୍ତିର ସୀମା ଡେଇଁ ଯାଉଥିଲା–‘‘ସମସ୍ତଙ୍କୁ ବିଶ୍ୱାସ କରିବ ପଛକେ–ଏଇ ବଙ୍ଗାଳୀ ସ୍ତ୍ରୀମାନଙ୍କୁ କେବେହେଲେ ବିଶ୍ୱାସ କରିବ ନାହିଁ ।’’ ଲାବଣ୍ୟମୟୀ ଯଦି ଅନ୍ୟ କୌଣସି ଜାତିର ହୋଇଥାଆନ୍ତେ, ତେବେ ସେଇ ଜାତି ଯେ ବନ୍ଧୁଙ୍କର ଏହି ତିକ୍ତ ମନ୍ତବ୍ୟରୁ ରକ୍ଷା ପାଇ ପାରିଥାନ୍ତା, ସେ ବିଷୟରେ ସନ୍ଦେହ ଥିଲା ।

 

ମୋହନର ନିରାଶାବାଦୀ କଥା ମୁଁ ଭୁଲି ବସିଲି । ସାଥୀମେଳରେ ଆମୋଦ ପ୍ରମୋଦ । ଫେରି ଆସିଲା ବେପରୱାୟ ଖିଆଲୀ ମନ । ‘ଫାଜିଲାମି’ ଆଗ ଅପେକ୍ଷା ଅପ୍ରତ୍ୟାଶିତଭାବେ ତେଜି ଉଠୁଥିବାର ଅନୁଭବ କଲି ।

 

ରାମସ୍ୱରୂପଙ୍କ ମତରେ ଏହି ସବୁ ଫାଜିଲାମି–ଖିଆଲୀ ଢ଼ଙ୍ଗ ବରଂ ଶ୍ରେୟସ୍କର । ‘ଆକାଶର ମେଘ ଭଳି କେଉଁଠି ସ୍ଥିର ହୋଇ ରହ ନାହିଁ–ଖାଲି ଦେଖି ଦେଖି ଭାସି ଚାଲିଥାଅ । କିନ୍ତୁ ଜଣକ ସହିତ ସମ୍ପର୍କ ରଖି ତାହାରି ବିଷୟ ଭାବି ବସିବା ? ନା–କଥାଟା ଜଟିଳ ହୋଇ ପଡ଼ିବ ଯେ !’

 

ଜଟିଳତା !

 

ଚିଠି ଖଣ୍ଡିକ ପାଇ ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ।

 

‘‘ବାବା, ତୁମେ ମୋତେ ମା’ ବୋଲି ଡାକିଛ । କିନ୍ତୁ ମା’ ଭଳି ମୁଁ ତ ତୁମର କୌଣସି କାମ କରି ପାରିଲି ନାହିଁ । ତୁମେ ଯେଉଁ ଝିଅଟିକୁ ଷ୍ଟେସନ ପାଖରେ ଦେଖିଥିଲ–ଶେଫାଳିକା କଥା କହୁଛି–ତାକୁ ବିବାହ କଲେ କିପରି ହୁଅନ୍ତା ? ମୁଁ ଜାଣେ ଆମେ ବାମନ ହୋଇ ଚନ୍ଦ୍ର ଧରିବାର ଆଶା କରିଛୁ । ତୁମେ ଧନୀ, ଶିକ୍ଷିତ । ଆମେ ହେଲୁ ନିତାନ୍ତ ଗରିବ ଆଉ ଅଶିକ୍ଷିତ । ଯେଉଁଠାରେ ମନଥାଏ–ସେଠାରେ ଏସବୁ ବାଧା ବନ୍ଧକ ରହିପାରେ ନାହିଁ । ଆଶାକରେ, ମୋର ପ୍ରସ୍ତାବରେ ତୁମେ ସମ୍ମତ ହେବ । ତୁମର ଉତ୍ତର ଅପେକ୍ଷାରେ ରହିଲି । ମା’ର ଦାବି ବା ପ୍ରାର୍ଥନା ନିଶ୍ଚୟ ପୂରଣ କରିବ ।’’ –ବିଚିତ୍ର !

 

ମୋର ଅନୁମାନ ହିଁ ଠିକ୍‍ । ରାମସ୍ୱରୂପଙ୍କର ଅଳପ ନାଲିଆ ମୁହଁ ପୁରାପୁରି ଲାଲ ହେଇଗଲା । ‘‘ଭଲ କରି ଖଣ୍ଡେ ଲେଖିଦିଅ–‘ବାମନ ହୋଇ ଚନ୍ଦ୍ରକୁ ଧରିବା ଯାହା ଲେଖିଛ–ତାହା ନିତାନ୍ତ ସତ୍ୟ । ତୁମର ଏପରି ସାହାସ ଦେଖି...ନା–ଆଉ ବେଶୀ ଲେଖିବା ଦରକାର ନାହିଁ ।’’ ରାମସ୍ୱରୂପ କୋଟ୍‍ ଗଳାଇ ଚାଲିଗଲେ । ଅସ୍ପଷ୍ଟ ଭାବରେ ‘‘ସୁଅର୍‍କା–’’ମଧ୍ୟ ବାହାରି ଆସୁଥିଲା ।

 

–ଗୋଟାଏ ପୁରାପୁରି ନା’ କରି ଦେବାକୁ ମୋର ଇଚ୍ଛା ନଥିଲା । ଶେଫାଳିକାଙ୍କୁ ବାହା କରିବାର ତ ସମ୍ଭାବନା ନାହିଁ । କିନ୍ତୁ ଚିଠିପତ୍ର ଦିଆନିଆରେ କିପରି ଗୋଟିଏ ମାୟା ଆସି ଯାଇଥିଲା ତାକୁ ଛେଦ କରିବାର ପ୍ରସ୍ତୁତ ନଥିଲି । ରାମସ୍ୱରୂପଙ୍କୁ ଅନ୍ୟ ସମୟରେ ବୁଝାଇ ଦେଇ ପାରିବା ସମ୍ଭବ ।

 

କିନ୍ତୁ ବର୍ତ୍ତମାନ ପାଇଁ... ? ନା’ଟା ଯେପରି ବେଶୀ ନ ବାଧେ !

 

‘‘ମୋ ପାଖରେ ଧନୀ ଗରିବ, ଶିକ୍ଷିତ ଅଶିକ୍ଷିତର ପ୍ରଶ୍ନ ଉଠୁ ନାହିଁ । ମୁଁ ଆପଣଙ୍କୁ ମା’ ଭାବରେ ଦେଖି ଆସିଛି–ଆଉ ଶେଫାଳିକାଙ୍କୁ ଭଉଣୀ ଭାବରେ । କ୍ଷମା ଦେବେ । ଶେଫାଳିକାଙ୍କୁ ବାହା କରିବା ମୋ ପକ୍ଷରେ ଅନୁଚିତ; ମୁଁ ପାରିବି ନାହିଁ । ଆଶାକରେ ଶୀଘ୍ର ଚିଠି ଦେବେ । ଶେଫାଳିକାଙ୍କର ଯଦି କିଛି ଆପତ୍ତି ନ ଥାଏ, ତେବେ ତାଙ୍କ ପାଖରୁ ଖଣ୍ଡିଏ ଆଶା କରେ ।’’

 

–ଗୋଟାଏ ମୁହଁଲୁଚା ଯୁକ୍ତି ଜାଣି ପାରିଥିଲି । ଅନୁଚିତ ଆଉ ଅସମ୍ଭବ, ଦୁଇଟାଯାକ ସତ । ତଥାପି କାରଣ ଗୁଡ଼ିକ କେତେ ଦୁର୍ବଳ ! ଆଉ ଶେଫାଳିକାଙ୍କୁ ଚିଠି ଦେବା ପାଇଁ କହିବା–ବେଦନାର ଉପଶମ ପାଇଁ–ନା–ସେ ମଧ୍ୟ ଆଉ ଏକ ଦୁର୍ବଳତା ?

 

ଅନେକ ଦିନ ଧରି ଚିଠି ଆସିଲା ନାହିଁ ।

 

ରାମ ସ୍ୱରୂପଙ୍କୁ ମୋର ଉତ୍ତର ବିଷୟରେ କହିଥିଲି । ବନ୍ଧୁ ଖୁସି ମିଜାଜରେ ଥିଲେ । ମୋର ପିଠି ଥାପୁଡ଼େଇ କହିଲେ, ‘‘ତମେ ସେମିତି ଲେଖିବ ବୋଲି ମୁଁ ଜାଣେ ପରା ! ମୁଁ ଥିବାଯାକ ମୋ ଆଗରେ କିଛି କହିବ ନାହିଁ । ମୁଁ ଚାଲିଗଲେ...କମ୍‍ ଜୋରି ହେ କମ୍‍ ଜୋରି–ହାଃ–ହାଃ’’ ସେ ହସି ଉଠିଲେ ।

 

–ଆରଦିନ ଉତ୍ତର ଆସିଲା । ଏଥର ଦୁଇଖଣ୍ଡ ଚିଠି । ଖଣ୍ଡିଏ ଲାବଣ୍ୟମୟୀ ଏବଂ ଆରଟି ଶେଫାଳିକାଙ୍କ ପାଖରୁ । ଶେଫାଳିକା ଦେଇଥିବା ଚିଠି ଖଣ୍ଡିକ ଆଗ ପଢ଼ିଲି ।

 

‘‘ସ୍ନେହର ଦାଦା, ମୋର ଶତକୋଟି ପ୍ରଣାମ ନେବେ ।’’ ସେଇ ପୁରୁଣା ଢ଼ଙ୍ଗ–ମନେ ମନେ ଭାବିଲି ।

 

ଶେଷ ଆଡ଼କୁ ଲେଖିଅଛି ‘‘ଆପଣ ମନା କରିବା ପରେ ମନରେ ଯେ ମୋର କି କଷ୍ଟ ହୋଇଛି–ସେ କଥା ଭଗବାନ ଜାଣନ୍ତି । ଯାହା–ହେଉ, ଭଉଣୀ ଭାବରେ ମଧ୍ୟ ମୁଁ ତୁମର ଚରଣ ସେବା କରି ପାରିବି । –ସେତକ ମୋ ପକ୍ଷରେ ଯଥେଷ୍ଟ ।’’ –ଏଁ, ଏକାବେଳକେ ଭୂଲୁଣ୍ଠିତା ! ମନେ ମନେ ହସି ଉଠିଲି ।

 

ଲାବଣ୍ୟମୟୀ ଠାଏ ଲେଖିଥିଲେ ‘‘ତୁମର ଚିଠି ପାଇ ଶେଫାଳିକାର ମନଟି ଶୁଖିଯାଇଛି-। ତୁମେ ଏଣିକି ତାକୁ ବୁଝାଅ ।’’

 

ସାଙ୍ଗେ ସାଙ୍ଗେ ଚିଠି ଦୁଇଟିର ଉତ୍ତର ଲେଖି ପକାଇଲି । ବନ୍ଧୁଙ୍କୁ ଚିଠି ଦିଆନିଆ କଥା କହିଥିଲି–କିନ୍ତୁ ଚିଠିର ମର୍ମ ପ୍ରକାଶ କରିବାକୁ କୁଣ୍ଠିତ ଥିଲି । ବନ୍ଧୁ ତାଙ୍କର ଟଙ୍କା ନ ପାଇବା ହେତୁ ଚିନ୍ତିତ ଥିଲେ । ମୋର କଥା ଗୁଡ଼ିକ ତାଙ୍କର ମୁଣ୍ଡ ଭିତରେ ପଶି ପାରି ନ ଥିବା ସମ୍ଭବ ।

 

ଫେରନ୍ତା ଚିଠିରେ ପାଇଲି ଶେଫାଳିକାଙ୍କ ପାଖରୁ ସ୍ନେହ ସୋହାଗ ଆଉ ପୂଜାଛୁଟି ପାଇଁ ନିମନ୍ତ୍ରଣ । ପୂଜା ଛୁଟି ଆହୁରି ଦେଢ଼ମାସ ବାକି । ମନେ ହେଲା, ଥରେ ଯାଇ ଘୂରି ଆସେ । ରାମସ୍ୱରୂପଙ୍କୁ ମଧ୍ୟ ସାଥିରେ ଯିବା ପାଇଁ କୌଣସି ମତେ ମଙ୍ଗେଇବାକୁ ହେବ । ସେ ନିଜେ ଦେଖିବେ ସେମାନଙ୍କ ସହିତ ମୋର ବ୍ୟବହାର କିପରି, ଆଉ ମୁଁ ମଧ୍ୟ ସେମାନଙ୍କର ପ୍ରକୃତ ଅବସ୍ଥା ଜାଣି ପାରିବ ।

 

କିନ୍ତୁ ଏ କ’ଣ ? ଚିଠି ଦିଓଟି ଯେପରି ଗୋଟିଏ ହାତର ଲେଖା ! ଓଃ, ଶେଫାଳିକା ମା’ ପାଇଁ ଲେଖୁଥିବା ସମ୍ଭବ ।

 

ଏପରି ସାହାସ ଦେଖି...ନା ଆଉ ବେଶୀ ଲେଖିବା ଦରକାର ନାହିଁ ।’’ ରାମସ୍ୱରୂପ କୋଟ୍‍ ଗଳାଇ ଚାଲିଗଲେ । ଅସ୍ପଷ୍ଟ ଭାବରେ ‘‘ସୁଅର୍‍କା–’’ ମଧ୍ୟ ବାହାରି ଆସୁଥିଲା ।

 

–ଗୋଟାଏ ପୁରାପୁରି ନା’ କରି ଦେବାକୁ ମୋର ଇଚ୍ଛା ନଥିଲା । ଶେଫାଳିକାଙ୍କୁ ବାହା କରିବାର ତ ସମ୍ଭାବନା ନାହିଁ । କିନ୍ତୁ ଚିଠିପତ୍ର ଦିଆନିଆରେ କିପରି ଗୋଟାଏ ମାୟା ଆସି ଯାଇଥିଲା ତାକୁ ଛେଦ କରିବାକୁ ପ୍ରସ୍ତୁତ ନଥିଲି । ରାମସ୍ୱରୂପଙ୍କୁ ଅନ୍ୟ ସମୟରେ ବୁଝାଇ ଦେଇ ପାରିବା ସମ୍ଭବ ।

 

କିନ୍ତୁ ବର୍ତ୍ତମାନ ପାଇଁ... ? ନା’ ଟା ଯେପରି ବେଶୀ ନ ବାଧେ ।

 

‘‘ମୋ ପାଖରେ ଧନୀ ଗରିବ, ଶିକ୍ଷିତ ଅଶିକ୍ଷିତର ପ୍ରଶ୍ନ ଉଠୁ ନାହିଁ । ମୁଁ ଆପଣଙ୍କୁ ମା’ ଭାବରେ ଦେଖି ଆସିଛି–ଆଉ ଶେଫାଳିକାଙ୍କୁ ଭଉଣୀ ଭାବରେ । କ୍ଷମା ଦେବେ । ଶେଫାଳିକାଙ୍କୁ ବାହା କରିବା ମୋ ପକ୍ଷରେ ଅନୁଚିତ; ମୁଁ ପାରିବି ନାହିଁ । ଆଶାକରେ ଶୀଘ୍ର ଚିଠି ଦେବେ । ଶେଫାଳିକାଙ୍କର ଯଦି କିଛି ଆପତ୍ତି ନ ଥାଏ, ତେବେ ତାଙ୍କ ପାଖରୁ ଖଣ୍ଡିଏ ଚିଠି ଆଶା କରେ ।’’

 

–ଗୋଟିଏ ମୁହଁ ଲୁଚା ଯୁକ୍ତି; ଜାଣି ପାରିଥିଲି । ଅନୁଚିତ ଆଉ ଅସମ୍ଭବ, ଦୁଇଟାଯାକ ସତ । ତଥାପି କାରଣ ଗୁଡ଼ିକ କେତେ ଦୁର୍ବଳ ! ଆଉ ଶେଫାଳିକାଙ୍କୁ ଚିଠି ଦେବା ପାଇଁ କହିବା–ବେଦନାର ଉପଶମ ପାଇଁ–ନା–ସେ ମଧ୍ୟ ଆଉ ଏକ ଦୁର୍ବଳତା ?

 

ଅନେକ ଦିନ ଧରି ଚିଠି ଆସିଲା ନାହିଁ ।

 

ରାମ ସ୍ୱରୂପଙ୍କୁ ମୋର ଉତ୍ତର ବିଷୟରେ କହିଥିଲି । ବନ୍ଧୁ ଖୁସି ମିଜାଜ୍‍ ରେ ଥିଲେ । ମୋର ପିଠି ଥାପୁଡ଼େଇ କହିଲେ, ‘‘ତମେ ସେମିତି ଲେଖିବ ବୋଲି ମୁଁ ଜାଣେ ପରା ! ମୁଁ ଥିବାଯାକ ମୋ ଆଗରେ କିଛି କହିବ ନାହିଁ । ମୁଁ ଚାଲିଗଲେ...କମ୍‍ ଜୋରି ହେ କମ୍‍ ଜୋରି–ହାଃ–ହାଃ’’ ସେ ହସି ଉଠିଲେ ।

 

–ଆରଦିନ ଉତ୍ତର ଆସିଲା । ଏଥର ଦୁଇଖଣ୍ଡ ଚିଠି । ଖଣ୍ଡିଏ ଲାବଣ୍ୟମୟୀ ଏବଂ ଆରଟି ଶେଫାଳିକାଙ୍କୁ ପାଖରୁ । ଶେଫାଳିକା ଦେଇଥିବା ଚିଠି ଖଣ୍ଡିକ ଆଗ ପଢ଼ିଲି ।

 

‘‘ସ୍ନେହର ଦାଦା, ମୋର ଶତକୋଟି ପ୍ରମାଣ ନେବେ ।’’ ସେଇ ପୁରୁଣା ଢ଼ଙ୍ଗ–ମନେ ମନେ ଭାବିଲି ।

 

ଶେଷ ଆଡ଼କୁ ଲେଖାଅଛି ‘‘ଆପଣ ମନା କରିବା ପରେ ମନରେ ଯେ ମୋର କି କଷ୍ଟ ହୋଇଛି–ସେ କଥା ଭଗବାନ ଜାଣନ୍ତି । ଯାହା–ହେଉ, ଭଉଣୀ ଭାବରେ ମଧ୍ୟ ମୁଁ ତୁମର ଚରଣ ସେବା କରି ପାରିବି । –ସେତକ ମୋ ପକ୍ଷରେ ଯଥେଷ୍ଟ ।’’ –ଏଁ, ଏକାବେଳକେ ଭୂଲୁଣ୍ଠିତା ! ମନେ ମନେ ହସି ଉଠିଲି ।

 

ଲାବଣ୍ୟମୟୀ ଠାଏ ଲେଖିଥିଲେ ‘‘ତୁମର ଚିଠି ପାଇ ଶେଫାଳିକାର ମନଟି ଶୁଖିଯାଇଛି-। ତୁମେ ଏଣିକି ତାକୁ ବୁଝାଅ ।’’

 

ସାଙ୍ଗେ ସାଙ୍ଗେ ଚିଠି ଦୁଇଟିର ଉତ୍ତର ଲେଖି ପକାଇଲି । ବନ୍ଧୁଙ୍କୁ ଚିଠି ଦିଆ ନିଆ କଥା କହିଥିଲି–କିନ୍ତୁ ଚିଠିର ମର୍ମ ପ୍ରକାଶ କରିବାକୁ କୁଣ୍ଠିତ ଥିଲି । ବନ୍ଧୁ ତାଙ୍କର ଟଙ୍କା ନ ପାଇବା ହେତୁ ଚିନ୍ତିତ ଥିଲେ । ମୋର କଥା ଗୁଡ଼ିକ ମୁଣ୍ଡ ଭିତରେ ପଶି ପାରି ନ ଥିବା ସମ୍ଭବ ।

 

ଫେରନ୍ତା ଚିଠିରେ ପାଇଲି ଶେଫାଳିକାଙ୍କ ପାଖରୁ ସ୍ନେହ ସୋହାଗ ଆଉ ପୂଜା ଛୁଟି ପାଇଁ ନିମନ୍ତ୍ରଣ । ପୂଜା ଛୁଟି ଆହୁରି ଦେଢ଼ମାସ ବାକି । ମନେ ହେଲା, ଥରେ ଯାଇ ଘୂରି ଆସେ । ରାମସ୍ୱରୂପଙ୍କୁ ମଧ୍ୟ ସାଥିରେ ଯିବା ପାଇଁ କୌଣସି ମତେ ମଙ୍ଗେଇବାକୁ ହେବ । ସେ ନିଜେ ଦେଖିବେ ସେମାନଙ୍କ ସହିତ ମୋର ବ୍ୟବହାର କିପରି, ଆଉ ମୁଁ ମଧ୍ୟ ସେମାନଙ୍କର ପ୍ରକୃତ ଅବସ୍ଥା ଜାଣି ପାରିବି ।

 

କିନ୍ତୁ ଏ କ’ଣ ? ଚିଠି ଦିଓଟି ଯେପରି ଗୋଟିଏ ହାତର ଲେଖା ! ଓଃ, ଶେଫାଳିକା ମା’ ପାଇଁ ଲେଖୁଥିବା ସମ୍ଭବ ।

 

ଆମ କ୍ଳାସରେ ଯେଉଁ କେତେଜଣ ଝିଅ ପଢ଼ୁଥାନ୍ତି, ବନ୍ଧୁମାନଙ୍କ କୃପାରୁ ସେମାନଙ୍କର ନାଁ, ଗାଁ, ଠିକଣା–ସେମାନଙ୍କର ଚରିତ୍ର, ପୂର୍ବ ପ୍ରେମିକ–ଏସମସ୍ତର କେତେକ ହିସାବ ମୋ ପାଖରେ ଅଭାବ ନ ଥାଏ । ବେଳକାଳ ଜାଣି ବନ୍ଧୁମାନଙ୍କ ସଙ୍ଗରେ ସେମାନଙ୍କ ସହିତ ଟିକିଏ ପରିହାସ କରିବା–ପଢ଼ା ସମୟରେ, ହସ କଥା ପଡ଼ିବା ବେଳେ ସେମାନଙ୍କୁ ଅନାଇବା, ସମୟେ ସମୟେ ଚୋରେଇ ଲକ୍ଷ୍ୟ କରିବାରେ ଅନେକ କଲେଜ ପିଲା ଆନନ୍ଦ ପାଇଥାନ୍ତି । ଆଉ ମୁଁ କିଛି ଅଧିକା ବ୍ୟସ୍ତ ରହି ସେହି ଅନୁପାତରେ ଯେ ଆନନ୍ଦ ପାଉ ନ ଥିଲି, ତାହା ନୁହେଁ ।

 

ସେ ଦିନର ସେଇ ଆକସ୍ମିକ–ଅଭୁଲା କଥା ।

 

କ୍ଳାସ ଆରମ୍ଭ ପାଇଁ ଘଣ୍ଟା ବାଜି ସାରିଲାଣି–ଅଧ୍ୟାପକ ଆସି ନଥାନ୍ତି । ତରବର ହୋଇ ନିଜ ଯାଗାରେ ବସିପଡ଼ିଲି । ମୋର ବେଞ୍ଚଟ, ଝିଅମାନଙ୍କର ଠିକ ପଛରେ ।

 

...ମନେ ହେଲା, ସହପାଠିନୀମାନଙ୍କର ସଂଖ୍ୟା ଯେପରି ବୃଦ୍ଧି ପାଇଛି । ହଁ, କେହି ଜଣେ ଅପରିଚିତା ଠିକ୍‍ ମୋର ସାମନାରେ ।

 

ମୁହଁଟିକୁ ଦେଖିବା ପାଇଁ ମନ ହେଉଥାଏ ।

 

ଖାତାଖଣ୍ଡିକ ଖସି ପଡ଼ିଲା ବେଞ୍ଚ ତଳେ ଠିକ୍‍ ସେହି ଅପରିଚିତାଙ୍କର ପାଦ ତଳେ ପଡ଼ିବା ଶବ୍ଦରେ ଝିଅମାନେ ଫେରି ଚାହିଁଲେ । ପୁରୁଣା ମୁହଁ ଗୁଡ଼ିକ ପୁଣି ଘୂରି ଗଲେ । କିନ୍ତୁ ସେହି ଅପରିଚିତା ବିଳମ୍ବ ନ କରି ଖାତା ଖଣ୍ଡିକ ଉଠାଇ ଆଣି ପଚାରିଲେ, ‘‘ଇଏ ଆପ୍‍କୀ ହୈ ?’’ –ଭାଷାରେ ପୁଣି ଏତେ ଲାଳିତ୍ୟ ସମ୍ଭବ !

ସମ୍ଭବ ଦୁଷ୍ଟାମି ଘୋଡ଼ାଇବାର ବ୍ୟର୍ଥ ଚେଷ୍ଟା କରି ଭଦ୍ରତାର ସାମାନ୍ୟ ହସ ଫୁଟାଇ ଉତ୍ତର ଦେଲି–‘‘ଜୀ ହଁ ।’’

‘‘ତୋ ଫିର ଲିଜୀୟେ ନା ।’’ ସ୍ୱରରେ ଏତେ ନମ୍ରତା ଆଉ ଆପଣାର ଭାବ ଭରି ରହିଥିଲା... । ଆଉ ସେଇ ଉଜ୍ଜ୍ୱଳ ଗୋଲାପୀ ସୌନ୍ଦର୍ଯ୍ୟ... ! ‘ନିଅନ୍ତୁ...’ କହିବା ପରେ ସୁଦ୍ଧା ମୋର ହାତ ଯାଉ ନ ଥାଏ ଖାତା ଖଣ୍ଡିକ ଆଣିବା ପାଇଁ । ଆଖି ଡ଼ୋଳାରେ ଥରି ଉଠୁଥିଲା କେଉଁ ଏକ ଆମୋଦଭରା ରହସ୍ୟ !

–ଭାବିବାର ସୁବିଧା ନ ଥିଲା ସେ ମଧ୍ୟ ଏକ ଅସ୍ୱାଭାବିକ ଅବସ୍ଥାରେ ଅଟକି ଯାଇଥିଲେ । ଖାତା ଖଣ୍ଡିକ ଡେସ୍କ ଉପରେ ରଖି ଦେଇ ଅକ୍ଳେଶରେ ମୁହଁ ଫେରାଇ ନେଇଥାନ୍ତେ କିନ୍ତୁ ସେ ଖାତା ଖଣ୍ଡିକ ହାତରେ ଧରି ମୋ ଆଡ଼କୁ ଅନେଇ ରହିଥାନ୍ତି ।

ଦେଖିଥିବା ସାଥୀମାନେ କ’ଣ ଭାବିଥିବେ–

ପ୍ରଥମେ ସେ ପ୍ରକୃତିସ୍ଥ ହେଲେ । ନିଜର ଭୁଲ ବୁଝି ପାରି ଅଳପ ନ ହସି ରହି ପାରିଲେ ନାହିଁ । ମୁଁ ମଧ୍ୟ ପ୍ରକୃତିସ୍ଥ ହୋଇ ଖାତା ଖଣ୍ଡିକ ଉଠାଇ ନେଲି ।

ଅଜାଣତରେ ଅନେକଥର ଆଖି ଦୁଇଟା ଟାଣି ହେଉଥାଏ । ମଝିରେ ମଝିରେ ଚାରି ଆଖି ମିଶି ଯାଉଥାଏ ଅପ୍ରତ୍ୟାଶିତ ଭାବରେ ଯଦିଓ କିଛି ସମୟର ସଲ୍ଲଜ୍ଜ ମୁହୂର୍ତ୍ତ ପାଇଁ–ଯେପରି କେଉଁ ଏକ ଅଲକ୍ଷ୍ୟ ଆଦେଶରେ ପରିଚାଳିତ । ସେ ଦିନ କ’ଣ ପଢ଼ା ହେଲା ଖିଆଲ୍‍ ନାହିଁ । କ୍ଳାସ ପରେ କେତେ ବିଷୟ ଭାବି ଭାବି ବିମର୍ଷତା ଜାଗି ଉଠିଥିଲା ।

 

‘‘ତୋ ଫିର୍‍ ଲିଜୀୟେ ନା’’ ଶୋଇବା ପୂର୍ବରୁ ମନ ଭିତରେ ଏଇ ଶବ୍ଦଗୁଡ଼ିକ ଆଉ କେତେଥର ଝଂକୃତ ହୋଇଥାଏ–କି ତୃପ୍ତି । ସେହି ଭସାଣିଆ ଆତ୍ମହରା ଆଖି ଦୁଇଟି–ସେଇ ସଚେତନ ସଲ୍ଲଜ୍ଜ ମନ୍ଦହାସ ।

 

ମନଘେରା ସ୍ନିଗ୍ଧତା–

 

ଯୌବନର ଉଗ୍ରତା କେଉଁଠାରେ ହଜି ଯାଇଥିଲା...

 

ନାଁ’ଟି ଚାମେଲି !

 

ନା–ଆଉ ବେଶୀ ଜାଣିବାର ଦରକାର ନାହିଁ–

 

ଚୋର ମନ ଗଣ୍ଠିରେ ! ମନେ ମନେ ହସ ମାଡ଼େ । ଚାମେଲି କ୍ଳାସ ଭିତରକୁ ପଶି ଆସିବା ସାଙ୍ଗେ ସାଙ୍ଗେ ପ୍ରଥମେ ମୋର ବସିବା ଆଡ଼ଙ୍କୁ ଦୃଷ୍ଟିପାତ କରିବାରେ ଯେପରି ଚିର ଅଭ୍ୟସ୍ତ । ଆଉ ମୁଁ–ସହପାଠିନୀମାନଙ୍କ ଭିତରୁ ତାଙ୍କର ସେଇ ବାବୁରି ବାଳ ଅନ୍ତରାଳରେ ମୃଦୁଦୋଳିତ ଇଏର୍‍ ରିଙ୍ଗ୍ ଦୁଇଟି ଖୋଜି ନ ପାଇବାଯାଏଁ ଅଶାନ୍ତ !

 

ନା–ଏ ମୋର ପବିତ୍ର ଗୁପ୍ତ ସଂପତ୍ତି । ରାମସ୍ୱରୂପଙ୍କୁ ମଧ୍ୟ କହିବାର ନୁହଁ । ଛୋଟ ପିଲାଟି ଯେପରି ରଙ୍ଗୀନର ଚକଚକିଆ କାଚ ଗୁଲିଟିଏ ଭେଟି ପାଇଛି । କାହାକୁ କହିବାର ନୁହେଁ । କିନ୍ତୁ ଲୁଚି ଲୁଚି ଦେଖି ଅନୁଭବ କରିବାରେ ଆନନ୍ଦ ଅଛି– ।

 

ଫଲ୍‍ଗୁ ନଦୀର ଅଲକ୍ଷ୍ୟ ଅଥଚ ନିଶ୍ଚିତ ସ୍ରୋତ ଭଳି–ପ୍ରେମର ଏହି ନୂତନ ଉତ୍ସର ସ୍ରୋତ ମୁହଁରେ ଯୌବନର ଦାୟିତ୍ୱହୀନ ଦୁଷ୍ପ୍ରବୃତ୍ତ ଧୀରେ ଧୀରେ ସ୍ଥିତି ହରାଉଥିଲା । ଶେଷରେ–

 

ଦିନକର ଘଟଣା–

 

‘‘ଦେଖୋ ୟାର୍‍ !’’ ଫାଜିଲ୍‍ ସହକର୍ମୀ ରତନ୍‍ଲାଲ୍‍ ସିଗାରେଟ୍‍ର ଖାର ଝାଡ଼ୁ ଝାଡ଼ୁ ହଠାତ୍‍ କିଛି ପଛେଇ ଯାଇ ଟିପି ଦେଲା ।

 

ଦୂରରୁ ଜଣେ ଅର୍ଥନୀତି ଛାତ୍ରୀ ସୁବାସିନୀ ଭଟ୍ଟ ଅତି ତରତରରେ ଫେରୁଥାନ୍ତି–ଅସାଧାରଣ ସ୍ଥୂଳକାୟର ଅଧିକାରିଣୀ ହେତୁ ସମଗ୍ର କଲେଜର ଥଟ୍ଟା ଟାପରାର ଏକ ନିଶ୍ଚିତ ଲକ୍ଷ୍ୟ-। ମୋର ପୂର୍ବତନ ଉଦ୍ୟୋଗ ଓ ଅନୁମୋଦନ ନେଇ ଛାତ୍ର ମହଲରେ ତାଙ୍କର ଆଦରର ନାମ ରଖା ଯାଇଥାଏ–‘କଖାରୁ’ ।

 

ରତନଲାଲ୍‍ର ପ୍ରରୋଚନାରେ ମୋର ବ୍ୟଙ୍ଗପ୍ରିୟତା ଅଦ୍ଭୁତପୂର୍ବ ତେଜି ଉଠିଲା । ପ୍ରତ୍ୟୁତ୍ପନ୍ନମତି ନେଇ ସୁଶ୍ରୀ ସୁବାସିନୀ ଅତିକ୍ରମ କରି ଗଲାବେଳେ ରତନ୍‍ଲାଲ୍‍କୁ ନିଜ ଆଗରେ ଠିଆ ହେବାକୁ ଇଙ୍ଗିତ କରି ବସି ପଡ଼ିଲି । ଖାତା ଖଣ୍ଡିକ ହଠାତ୍‍ ଯେପରି ରତନଲାଲ୍‍ ହାତରୁ ଖସି ଯାଇ ସୁବାସିନୀଙ୍କ ପାଦ ପାଖରେ ହାମୁଡ଼ି ପଡ଼ିଲା । ସୁବାସିନୀ ଆଡ଼େଇ ଯିବାବେଳେ ଶାଢ଼ୀରେ ଛନ୍ଦି ହେବା ହେତୁ ନିଜର ଓଜନ ପ୍ରଭାବରେ ଟିକିଏ ଝୁଙ୍କି ପଡ଼ିଲେ । ମୁଁ ଠିଆ ହୋଇ ଆଶ୍ୱସ୍ତ ହେବାର ଛଳନାରେ ଛାତି ଆଉଁସି ମୁହଁ ଫେରାଇ କହି ଲାଗିଲି–‘‘ଓହୋ–ବ–ଚ୍‍–ଗ–ୟେ !’’

 

ଅଭିନୟ ଦେଖି ସାଙ୍ଗ ପିଲାମାନେ ହସି ଉଠିଲେ । ଆଉ ଅଭିନେତାର ବାହାଦୂରୀ ନେଇ ଆନନ୍ଦରେ ସମସ୍ତଙ୍କଠାରୁ ଅଧିକ ଅଂଶ ଦାବି ଥିଲା ମୋର ।

 

କିନ୍ତୁ......ଆନନ୍ଦ ମୋର କ୍ଷଣସ୍ଥାୟୀ ହେଲା ।

 

ଚାମେଲୀ କିଛି ଦୂରରୁ ମୋର ଅଭିନୟ ଲକ୍ଷ୍ୟ କରୁଥିଲେ । ମୁହଁରେ ତାଙ୍କର ଘୃଣା, ଲଜ୍ଜ୍ୟା ଏବଂ ବିରକ୍ତି ଏକା ସଙ୍ଗେ ପୁଟି ଉଠିଥିଲା । ଆଉ ସେ ସବୁର ଲକ୍ଷ୍ୟ ଯେ ମୁଁ–ଏ କଥା ବୁଝିବାକୁ ମୋର ବାକି ନ ଥିଲା ।

 

ଲଜ୍ଜ୍ୟା ଆଉ ଅନୁତା’ପରେ ଶିର ନୁଆଇଁ ଆଣିଲି–

 

ପ୍ରତିଦିନ କ୍ଳାସରେ ସାକ୍ଷାତ୍‍ ଛଡ଼ା ଯଦିଓ ଆମର ଅନ୍ୟ କୌଣସି ସାକ୍ଷାତ୍‍ କିମ୍ୱା କଥାବାର୍ତ୍ତା ହୋଇ ନ ଥିଲା–ଆମେ ଯେ ପରସ୍ପରକୁ ଭଲ ପାଉ–ସେ କଥା ଆମେ ଆଖିରେ ଓ ମନେ ମନେ ମାନି ଯାଇଥିଲୁ ବୋଲି ମୁଁ ଅନୁଭବ କରିଥିଲି । –କିନ୍ତୁ ଏଥର ଏଇ ସୁନ୍ଦରୀ ତରୁଣୀ ପ୍ରତି ନିର୍ଦ୍ଦୋଷ ଭାବେ ଲକ୍ଷ୍ୟ କରିବାର ନୈତିକ ସାହାସ ମୋର ରହିଲା ନାହିଁ ।

 

ପୁଣି ଦେଖିଲି–ମୁଁ ତାଙ୍କର ଗତିରୋଧ କରି ନିଶ୍ଚଳ ଭାବରେ ଠିଆ ହୋଇଛି । ଅନୁତାପର ସୀମା ରହିଲା ନାହିଁ । ଆଉ କ୍ଷଣେମାତ୍ର ରହିବା ଅସମ୍ଭବ ମନେ କରି ମୁଁ ଫେରିପଡ଼ି ଚାଲିଗଲି ।

 

କଲେଜ ଜୀବନରେ ନିତିଦିନିଆ ମଡ଼ାବାଟରେ ସେଇ ମୋର ଚରମ ଅଭିନୟ ଏବଂ ଶେଷ ଗୁରୁ ଆଘାତ । ଭଲ ପାଇବାର ଗୋଟାଏ ମୃଦୁ ଶାସ୍ତି–ଅନିର୍ବାର୍ଯ୍ୟ ତ୍ୟାଗ ନା ପ୍ରବେଶପୂର୍ବ ସଂସ୍କାର !! ମୋହନା ସହିତ ବିସ୍ମୃତିପ୍ରାୟ ଅନୁଭୂତି ପୁଣି ତା’ର ବିଶିଷ୍ଟତା ନେଇ ଦେଖାଦେଲା । ଏଇଥର ଯେପରି ଆଉ ଭୁଲିବାର ନୁହେଁ– । ପଛେ ପଛେ ଜଗି ରହିଛି ଦୁଇଟି ସୁନ୍ଦର ଭସାଣିଆ ଆଖି–ଯାହାର ସ୍ନିଗ୍ଧତା ମୋର ଆକାଂକ୍ଷିତ–ଯାହାର ବିରୋଧ ମୋର ଅସହ୍ୟ ।

 

–ପରଦିନ ଚାମେଲୀଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ମୋର ସାହାସ ନ ଥିଲା । ଭୀରୁ ଭାବରେ କ୍ଳାସରେ ବସି ବସି ଚାଲି ଆସିଲି । କିଛି ଭଲ ଲାଗୁ ନ ଥାଏ ।

 

ମଝିରେ ମଝିରେ ନିଜକୁ ନିଜେ ପ୍ରଶ୍ନ କରୁଥାଏ । ଏତେ ଆତ୍ମ–ସମର୍ପଣ କାହିଁକି ? ଚାମେଲୀଙ୍କର ସୌହାର୍ଦ୍ଦ୍ୟରେ ମୋର ଆବଶ୍ୟକତା ? ଆଗ ପରି ମୁକୁଳା ଆକାଶର ପକ୍ଷୀ ଭଳି ଯଦି ଉଡ଼ି ବୁଲେ– ?

 

ଦେଖିବାକୁ ପାଏ ମୋର ପୁରୁଷତ୍ୱ ବହୁ କ୍ଷଣ ଧରି ଏହିଭଳି ପ୍ରତିବାକୁ କରିବାକୁ ଅକ୍ଷମ-। ଆଉ ଏଇ ଅକ୍ଷମତା, ଏଇ ପରାଜୟରେ ମଧ୍ୟ ଆନନ୍ଦ ଥାଇପାରେ– !

 

ଦୁଇ ତିନି ଦିନ ପର୍ଯ୍ୟନ୍ତ ଚାମେଲୀ ମୋ ଆଡ଼କୁ ଅନେଇ ନାହାନ୍ତି । ଯଦି ବା ଅନେଇଥିବେ ମୋର ଅଜାଣତରେ । ତା’ପରେ ସମ୍ଭବତଃ ସେ ମୋତେ ମନେ ମନେ କ୍ଷମା ଦେଇଛନ୍ତି । ତିନିଦିନ ପରେ ମୁଁ ମୁହଁ ଫେରାଇ ଦେଖେ ତ ସେ ମୋତେ ଚାହିଁ ରହିଥିଲେ । ଓଠରେ ସେଇ ମନ ଭୁଲା ଚାପା ହସ ଟିକକ । ‘‘ଦୁଷ୍ଟ ପିଲାଟା, ବହୁତ ଦଣ୍ଡ ଦେଇ ସାରିଲିଣି– ।’’ ଖସି ଫୁଟି ଉଠିଥିଲା ମୋର ଆଖିରେ ।

 

ସମାଧାନ ହୋଇଯାଇଛି–ଆକାଶ ବର୍ତ୍ତମାନ ଖୋଲା । –ତଥାପି କଥାବାର୍ତ୍ତାର ସୁଯୋଗ ହାସଲ କରିବା ପ୍ରବୃତ୍ତିକୁ ମୁଁ ଦବାଇ ନେଇଥିଲି । ଦୂରରୁ ହିଁ ମୁଁ ଭଲ ପାଇବାର ଶିଖିଥିଲି–ଆଉ ସେତକ ନେଇ ମୁଁ ଥିଲି ସନ୍ତୁଷ୍ଟ ।

 

ହସ କଥାକୁ ଅପେକ୍ଷା ରହିଛି ଯେପରି । ପଦେ କଥା–ହସ ଖେଳି ବୁଲିବ ସେଇ ଓଠ ଉପରେ । –ଓଡ଼ିଆ ଝିଅମାନଙ୍କ ପରି ସୁନ୍ଥା–ଆଖିରେ ଶାନ୍ତ ସରଳତା । ପିନ୍ଧା ଖଣ୍ଡିଏ ସାଦା ଶାଢ଼ୀ-। ହାତରେ ରୁମାଲ୍‍ ଖଣ୍ଡିଏ–ଗରୀବର ନିଷ୍ଫଳ ଆଭିଜାତ୍ୟ ! ଶେଫାଳିକାଙ୍କର ଫଟୋ ଖଣ୍ଡିକ–ବିଜୁଳି ଆଲୁଅ ତଳେ ଝଲସି ଉଠୁଥାଏ ।

 

ଅନେକ ସମୟ ଧରି ଚାହିଁ ରହିଲି ସେଇ ଫଟୋଟିକୁ । ସ୍ନେହର ଉତ୍ସ ବୋହି ଆସିଲା–କଳ୍ପନାରେ ଘୂରି ବୁଲିଲା–ଫଟୋଟିର ଅର୍ଥମୟ ଜୀବନ୍ତ ବ୍ୟକ୍ତିତ୍ୱର ଚାରିପାଖରେ ।

 

–ରାମସ୍ୱରୂପଙ୍କୁ ଅନେକ ବୁଝାଇବା ପରେ ସେ ରାଜି ହୋଇଥିଲେ । ଲକ୍ଷ୍ନୌରେ ତାଙ୍କର ରହଣି ମାତ୍ର ଦୁଇ ଦିନ ।

 

ମୋର ଫୋଟେ ପାଇ ଶେଫାଳିକା କ’ଣ ଭାବୁଥିବେ ... ?

 

ମୁଣ୍ଡର ଅମାନିଆ ବାଳଗୁଡ଼ିକ ସଂଯତ କରୁକରୁ ରାମସ୍ୱରୂପ ପଚାରିଲେ,‘‘କ’ଣ ପ୍ରସ୍ତୁତ-?’’

 

ଆଜ୍ଞାଧୀନ ଛାତ୍ର ପରି ଉତ୍ତର ଦେଲି–‘‘Yes sir’’ ।

 

ମନଟା ବେଶ୍‍ ପ୍ରଫୁଲ୍ଲ ଥିଲା । ରାମସ୍ୱରୂପ ଏଇ ଅବସରରେ ଦୁଇ ଚାରିଟା ସନ୍ଦେହମୂଳକ ଥଟ୍ଟା କରିବାକୁ ଛାଡ଼ିଲେ ନାହିଁ କିନ୍ତୁ ମୁଁ ମନେ ମନେ କ୍ଷମା ଦେଲି । ନିଓ୍ୱଲକିଶୋର ହୋଟେଲ୍‍ଠାରୁ ଅମିନାବାଦ ଛକ ଯାଏଁ ବସ୍‍ ରେ ଯିବା ପରେ ସେ ମୋତେ ଗୋଟାଏ ଗଳି ଭିତରେ ପଶିବାକୁ କହିଲେ । ସେତେବେଳକୁ ସମୟ ପ୍ରାୟ ସାଢ଼େ ଚାରି ।

 

ସର୍ପିଳ ଗତିରେ ଅନେକ ଦୂର ଯିବାକୁ ହେଲା । ତା’ପରେ ବିଶ୍ୱେଶ୍ୱର କପୁରଙ୍କ ସେଇ ଘର ଖୋଜି ପାଇଥିଲୁ । ଘରଟା ଗୋଟାଏ ଅନ୍ଧାରିଆ ଗଳି ଭିତରେ, କବାଟଟା ବନ୍ଦ ଥାଏ । ଟିକିଏ ଦମ୍‍ ନେଇ ରାମସ୍ୱରୂପ ଡ଼ାକିଲେ ‘‘କପୁର୍‍ଜୀ, ଓ କପୁର୍‍ ସାହାବ୍‍ ...’’

 

ଛୋଟିଆ ପିଲାଟିଏ ଆସି କବାଟ ଖୋଲିଲା–‘‘କାହାକୁ ଚାହାନ୍ତି ?’’

 

‘‘କପୁର ସାହେବ ଅଛନ୍ତି ?’

 

‘‘ନା ।’’

 

‘‘ଲାବଣ୍ୟମୟୀ ବୋଲି କେହି ଏଠି ରହନ୍ତି ?’

 

‘‘ଟିକିଏ ରହନ୍ତୁ ।’’ ପିଲାଟି ଫେରିଗଲା ।

 

ବନ୍ଧୁ ଦୁଇଜଣ ପରସ୍ପରର ମୁହଁକୁ ଚାହିଁ ରହିଲୁ, କିଛି ସମୟ ପରେ ଖବର ଆସିଲା–‘‘ଉପରକୁ ଆସନ୍ତୁ ।’’

 

ଆମ ଦୁହିଁଙ୍କୁ ଅଭିବାଦନ କଲେ ଜଣେ ଅନ୍ଦାଜ ତିରିଶ ବର୍ଷର ସ୍ତ୍ରୀ । ଗୋଟାଏ ଅନ୍ଧାରିଆ ଘରେ ଆସନ ପାରି ଦେଇ ସେ ପଙ୍ଖା କରି ଲାଗିଲେ; ରାମସ୍ୱରୂପ ତାଙ୍କଠାରୁ ପଙ୍ଖାଟି ମାଗି ଆଣିଲେ ।

 

ରାମସ୍ୱରୂପ ପ୍ରଥମେ ଆଳାପ ଆରମ୍ଭ କଲେ–‘‘ଏ ହେଉଛନ୍ତି ମୋର ବନ୍ଧୁ, ଲାବଣ୍ୟମୟୀଙ୍କର...’’

 

ଅନ୍ଧାରରେ ବସିଥିବା ହେତୁ ତାଙ୍କର ମୁହଁ ଖଣ୍ଡିକ ସ୍ୱଷ୍ଟ ଦେଖା ଯାଉ ନ ଥାଏ । ‘‘ହଁ, ହଁ, ମୁଁ ଜାଣେ ।’’ ସ୍ତ୍ରୀ ଲୋକଟି ଆଗ୍ରହ ସହକାରେ କହିଲେ । ‘‘ଲାବଣ୍ୟମୟୀ ଏଠାରେ ନ ଥାନ୍ତି । ତାଙ୍କ ଘର ଅନ୍ୟ ଯାଗାରେ । କିନ୍ତୁ ଏଠାକୁ ଆସିବାକୁ ମୁଁ ତାଙ୍କୁ ଖବର ଦେଇଛି, ଆଉ ଦଶ ମିନିଟ ଭିତରେ ଆସିଯିବେ ଯେ ।’’

 

ମୁହଁ ଆଉ ଦୁପଟ୍ଟା ସଜାଡ଼ି ସଜାଡ଼ି ଲକ୍ଷ୍ନୌର ବିଭିନ୍ନ ଦର୍ଶନୀୟ ଯାଗା ବିଷୟରେ ଗଳ୍ପ କରି ଭୁଲାଇ ରଖିବାକୁ ସେ ଚେଷ୍ଟା କରୁଥାନ୍ତି । ମୁଁ ତୂନୀ ହୋଇ ବସିଥାଏ । ବନ୍ଧୁ କିନ୍ତୁ ଏଇ ଅବାଞ୍ଛିତ ଅଥଚ ଦରକାରୀ ଗଳ୍ପକୁ ଭଦ୍ରତା ଖାତିରରେ ହସ ହସ ମୁହଁରେ ବଞ୍ଚାଇ ରଖିଥାନ୍ତି ।

 

ଜଣେ ଆଗନ୍ତୁକାଙ୍କୁ ଲକ୍ଷ୍ୟକରି ସ୍ତ୍ରୀ ଲୋକ ଜଣକ ମୁହଁରେ ହସ ଖେଳାଇ କହିଲେ, ‘‘ଏଇ, ନିଅ । ଏଥର ତୁମ ପୁଅକୁ ପାଛୋଟି ନିଅ ।’’

 

ଆଗନ୍ତୁକାଙ୍କୁ ମୁଁ ଦୋ ଦୋ ଚିହ୍ନା ହେଲି । ମୋତେ ଦେଖି ତାଙ୍କର କୌଣସି ଭାବ ପରିବର୍ତ୍ତନ ଜଣାଗଲା ନାହିଁ । –ସେ ମୋର ବନ୍ଧୁଙ୍କ ଆଡ଼େ ଦେଖି ଲାଗିଲେ । ବନ୍ଧୁ ନମସ୍କାର କରିବା ଦେଖି ଅପମାନିତ ମନେ କରୁଥିଲେ ମଧ୍ୟ ମୁଁ ନମସ୍କାର କଲି । –ଆଗନ୍ତୁକା ହସି ଦେଇ କହିଲେ, ‘‘ଆରେ ତୁମେ ? ମୁଁ ତୁମ ବନ୍ଧୁଙ୍କୁ ତୁମେ ବୋଲି ଭ୍ରମରେ ପଡ଼ିଥିଲି ।’’ ଭଦ୍ରତା ରକ୍ଷା ସକାଶେ ହସ ହୋଇଥିଲା ।

 

‘‘ଆଚ୍ଛା–ଏଥର ମୋ ସାଙ୍ଗରେ ଆସ ।’’ ଆଗନ୍ତୁକା ଫେରିପଡ଼ିଲେ ଦିଓଟିଯାକ ବନ୍ଧୁ ପ୍ରଥମ ରମଣୀଙ୍କଠାରୁ ବିଦାୟ ନେଇ ଲାବଣ୍ୟମୟୀଙ୍କର ଅନୁସରଣ କଲୁ ।

 

ମୋର ଧାରଣା ତେବେ ଭୁଲ୍‍ ! ଲାବଣ୍ୟମୟୀ କପୁରଙ୍କ ଘରେ ରହୁ ନ ଥିଲେ–ବହୁତ ଦୂରରେ । –ଗୋଟାଏ ଘୋଡ଼ାଗାଡ଼ିରେ ଆମକୁ କେତେକ ଦୂର ଯିବାକୁ ପଡ଼ିଥିଲା ।

 

ଗୋଟାଏ ଗଳି ଭିତରେ ପଶିବାମାତ୍ରେ ବନ୍ଧୁ ଇଂରାଜୀରେ କହି ଉଠିଲେ, ‘‘ଏ କ’ଣ ?’’ ବନ୍ଧୁଙ୍କ ମୁହଁରେ ସନ୍ଦେହ ଏବଂ ବିରକ୍ତିର ଘନ ଛାୟା ।

 

–ମୁଁ ପ୍ରମାଦ ଗଣିଲି । ଲାବଣ୍ୟମୟୀଙ୍କର ଅଭିବାଦନ ଢ଼ଙ୍ଗ ଆଉ ତାଙ୍କର ଉପସ୍ଥିତ ଗମ୍ଭୀରତା ମୋତେ ଭଲ ଲାଗୁ ନ ଥାଏ । ବନ୍ଧୁ ଲାବଣ୍ୟମୟୀଙ୍କ ଆଡ଼େ ଟିକିଏ ଚୋରେଇ ଦେଖି ଇଂରାଜୀରେ କହିଲେ, ‘‘ସରୋଜ, ତୁମେ ଗୋଟାଏ...ମାଇକିନିଆଟାର ଉଦ୍ଦେଶ୍ୟ କିଛି ଭଲ ନୁହେଁ’’ ବନ୍ଧୁଙ୍କ ମୁହଁରେ ଘୃଣା ସ୍ପଷ୍ଟ ହୋଇଉଠିଲା ।

 

‘‘କାହିଁକି ?’’ ମୁଁ ଧୀରେ ପଚାରିଲି ।

 

ବନ୍ଧୁଙ୍କର ନୀରବତା–ମୋର ରକ୍ତ ସଞ୍ଚାଳନ କ୍ରିୟା ଟିକିଏ ରହିଯାଇ ପୁଣି ଦ୍ରୁତ ହୋଇ ଲାଗିଲା । ଅନେଇ ଦେଖିଲି–ଦୁଇ କଡ଼ରେ କେତେଜଣ ସୁବେଶା ରମଣୀ ଆମରି ଆଡ଼କୁ ଦେଖି ଲାଗିଛନ୍ତି ।

 

ଗାଡ଼ିରୁ ଓହ୍ଲାଇ ଲାବଣ୍ୟମୟୀ କହିଲେ, ‘‘ଉପରକୁ ଆସ ।’’

 

ଗୋଟାଏ ସାଦା ସିଡ଼ିରେ ଦୁଇବନ୍ଧୁ ଉପରକୁ ଉଠିଲୁ । କୋଠରୀଟାଏ ଖୋଲି ଦେଇ ଲାବଣ୍ୟମୟୀ କହିଲେ,‘‘ଏଇଠି ଟିକିଏ ବସିଥାଅ । ମୁଁ ଏହିକ୍ଷଣି ଆସୁଛି ।’’

 

ପରିସ୍ଥିତି କିଛି ଭଲ ଲାଗୁ ନ ଥାଏ । ବନ୍ଧୁ ଧୈର୍ଯ୍ୟ ଧରି ବସିଥାନ୍ତି । ମୁଁ କିଛି ଉତ୍ତେଜନା ଅନୁଭବ କରୁଥାଏ ।

 

କୋଠାଟା ଭଡ଼ାଘର ବୋଲି ମନେ ହେଲା । କୌଣସି ପୁରୁଷର ଦେଖା ନାହିଁ । ସାମନାରେ ଜଣେ ସୁନ୍ଦରୀ ଯୁବତୀ ଆସି ଆମ ଦୁହିଙ୍କୁ ନିରୀକ୍ଷଣ କରି ଲାଗିଲେ । ଆଖି ଯୋଡ଼ିକ କଷାୟିତ–ବାଳଗୁଡ଼ିକ ମୁଁକୁଳା ହୋଇ ଦୁଇ କାନ୍ଧ ଉପରେ ଓହଳି ପଡ଼ିଥାଏ । ଅସହଜ ଧ୍ୱନି–ଆମ ଦୁହିଁଙ୍କୁ ଦେଖି ଢଳି ଢ଼ଳି କାନ୍ଧ ଦୋହଲାଇ ଚାଲିଗଲେ । ଦେହରେ ଭାରସାମ୍ୟର ଅଭାବ । ଲୁଗାପଟା ସ୍ଥାନଚ୍ୟୁତ ।

ସନ୍ଦେହ ଏବଂ ବିରକ୍ତ ତେଜି ଉଠିଲା–

କୋଠରୀଟିର ଆସବାବପତ୍ର ଭିତରେ ଗୋଟାଏ ବଡ଼ ଗଦି । ପରିସ୍କାର ପରିଚ୍ଛନ୍ନ । ଗୋଟାଏ କ’ଣରେ ତବଲା ଆଉ ହାରମୋନିୟମ୍‍ । ‘‘ଇସ୍‍...କି କଦର୍ଯ୍ୟ’’ ମୁଁ ହଠାତ୍‍ କହି ଉଠିଲି ।

ବନ୍ଧୁ ମୋତେ ଶାନ୍ତ ହେବାକୁ କହିଲେ ।

କିଛି ସମୟ ପରେ ଲାମଣ୍ୟମୟୀ ଫେରି ଆସିଥିଲେ । ‘‘ଗଳିଟା ନିହାତି ଖରାପ–ନୁହେଁ-?’’ କ୍ଷମା ପ୍ରାର୍ଥନାର ହସ ଖେଳାଇ ସେ ପଚାରିଥିଲେ ।

ଦୁହେଁ ନିରୁତ୍ତର ରହିଲୁ–ମୁଁ ବିରକ୍ତିରେ ।

ଲାବଣ୍ୟମୟୀ ନିଜକୁ ଟିକିଏ ସଜାଡ଼ିନେଇ ବସିପଡ଼ି କହିଲେ, ‘‘ମୁଁ ଜାଣେ–ତୁମେ ମୋ ବିଷୟରେ ଅନେକ କିଛି ଭାବୁଥିବ । ସେଥିପାଇଁ ପ୍ରଥମେ ମୋ ନିଜ କଥା କହୁଛି ଶୁଣ ।’’

ଦୀର୍ଘଶ୍ୱାସ ଆଉ ମଝିରେ ମଝିରେ ଭାବାବିଷ୍ଟ ବିରତି ନେଇ ତାଙ୍କର ଜୀବନ କାହାଣୀ ସେ ଆମ ଆଗରେ ବାଢ଼ି ଥିଲେ । ଦୁଇ ବନ୍ଧୁ ନିଶ୍ଚଳ ଭାବରେ ଶୁଣିଥିଲୁ ।

ବଙ୍ଗଳାର କୌଣସି ସାଧାରଣବିତ୍ତ କାୟସ୍ଥ ପରିବାରରେ ତାଙ୍କର ଜନ୍ମ । ସାମାନ୍ୟ ଶିକ୍ଷା ପରେ ଅନ୍ୟ କୌଣସି ଉପାୟ ନ ଦେଖି ଜଣେ ମାମୁଁଙ୍କ ଯତ୍ନରେ ସେ ଚିତ୍ତରଞ୍ଜନ ଦାସ ନର୍ସିଙ୍ଗ୍ ହୋମ୍‍ ରେ ଧାଈରୂପେ କାର୍ଯ୍ୟ କରୁଥିଲେ । ସେଠାରେ ଜଣେ ଡାକ୍ତରଙ୍କ ସହିତ ତାଙ୍କର ଭାବ ବଢ଼େ ଏବଂ ବିବାହ କରିବା ପାଇଁ ଅନ୍ୟ ଉପାୟ ନ ଦେଖି ଦୁହେଁଯାକ କଲିକତା ଛାଡ଼ି ଚାଲିଆସନ୍ତି–ଲକ୍ଷ୍ନୌ । କିନ୍ତୁ ବିବାହ ନ କରି କେତେ ମାସ ରହିବା ପରେ ଡାକ୍ତରବାବୁ ଲଣ୍ଡନ ଚାଲିଗଲେ । ଗୋଟାଏ ଘର ଓ ଧାଈ ନେଇ ଆସନ୍ନ ସନ୍ତାନର କାମନା କରି ଲାବଣ୍ୟମୟୀଙ୍କୁ ଲକ୍ଷ୍ନୌରେ ରହିଯିବାକୁ ପଡ଼ିଲା । ଲଣ୍ଡନରୁ ଫେରି ଡାକ୍ତରବାବୁ ଅନ୍ୟ କାହାକୁ ବିବାହ କରି ଅନ୍ୟ ଯାଗାରେ ରହିଲେ, ଯଦିଓ ପ୍ରଥମ ସନ୍ତାନର ମୃତ୍ୟୁ ପରେ ପୁଣି ଥରେ ଆସିଥିଲେ । ତାଙ୍କର ଔରସରେ ଦ୍ୱିତୀୟ ସନ୍ତାନର ନାମ ହେଉଛି ଶେଫାଳିକା ।

 

–ଡାକ୍ତର ବାବୁ ମାସକୁ ମାସ କିଛି କିଛି ଟଙ୍କା ଦେଉଥିଲେ । ପରେ ସେତିକି ମଧ୍ୟ ବନ୍ଦ ହେଲା । ଲାବଣ୍ୟମୟୀ ପ୍ରଥମେ ବିଶ୍ୱେଶ୍ୱରଙ୍କ ଘରେ ରହୁଥିଲେ । ପରେ ଘରଭଡ଼ା ଦେଇ ନ ପାରି ଅଳ୍ପ ଭଡ଼ା ବୋଲି ଏଇ ବେଶ୍ୟାଗଳି ପାଖେ ରହିଛନ୍ତି । –ଦୁଇ ବର୍ଷ ତଳେ ପୁଣି ଡାକ୍ତର ବାବୁ ଆସିଥିଲେ । ଅଳ୍ପ କିଛି ଟଙ୍କା ଦେଇ ଚାଲି ଯାଇଛନ୍ତି । ତାଙ୍କର ତୃତୀୟ ସନ୍ତାନଟିକୁ ମୁଁ ଷ୍ଟେସନ ପାଖରେ ଦେଖିଥିଲି । ବର୍ତ୍ତମାନ ଜଣେ ଭଦ୍ରଲୋକ ଦୟାକରି ତାକୁ ନିଜର ସନ୍ତାନ ରୂପେ ପାଳିବାକୁ ନେଇ ଯାଇଛନ୍ତି ।

 

ଲାବଣ୍ୟମୟୀ ଖୋଲାଖୋଲି ଏତେ କଥା କହିଯିବେ ବୋଲି ମୁଁ ଆଶା କରି ନ ଥିଲି । କହିବାବେଳେ ତାଙ୍କ ଆଖିରେ ଲୁହ ଦେଖା ଦେଇଥିଲା । ‘‘ମୁଁ ଆଜି ସିଲେଇ କରି କିଛି ଆୟ କରେ-। –ତାହା ଯଥେଷ୍ଟ ନୁହେଁ । ଜଣେ ବଙ୍ଗାଳୀ ଭଦ୍ର ବ୍ୟକ୍ତି ଆମକୁ କିଛି କିଛି ସାମୟିକ ସାହାଯ୍ୟ କରିଥାନ୍ତି ।’’

 

‘‘ଶୁଣିଲ ତ ବାପା’’, ସେ କଥା ଶେଷ କଲେ, ‘‘ଏଥର ଯାହା ଭାବୁଛ ଭାବ । ଡାକ୍ତରବାବୁଙ୍କ ବିରୁଦ୍ଧରେ ସମସ୍ତ ମକଦ୍ଦମା ଚେଷ୍ଟା ଫସର ଫାଟି ଯାଇଛି । ବରଂ ତାହାଦ୍ୱାରା ମୋର ପୈତୃକ ଅଂଶ ଯାହା ଥିଲା–ସମସ୍ତ ଚାଲି ଯାଇଛି । –ଆଉ ଶେଫାଳିକାକୁ ଏପର୍ଯ୍ୟନ୍ତ ବାହା ଦେଇ ପାରିନାହିଁ ।’’ ସେ ଦୀର୍ଘଶ୍ୱାସ ମାରିଲେ । ‘‘ହଁ, ଟିକିଏ ରହ, ମୁଁ ଶେଫାଳିକାକୁ ଡାକିଦିଏ ।’’ –ଲାବଣ୍ୟମୟୀ ଚାଲିଗଲେ ।

 

ଶେଫାଳିକା ! –ଯେଉଁ ମୁହଁଟିକୁ ମୁଁ ଷ୍ଟେସନ୍‍ ପାଖରେ ଦେଖିଥିଲି–ଏଇ ତେବେ ସେଇ ମୁହଁଟି ? ସେତେବେଳେ ଯେ ମୋତେ କ୍ୱଚିତ୍‍ ଲକ୍ଷ୍ୟ କରିଥିଲେ–ସେ ବର୍ତ୍ତମାନ ଦୁଇ ବନ୍ଧୁଙ୍କର ପଦ ବନ୍ଦନା କରୁଛନ୍ତି ! ପଦ ବନ୍ଦନା ପରେ ସେ ଝରକା ପାଖରେ ବସି କୋଠା ତଳକୁ ଚାହିଁ ରହିଲେ । ଗାଲରେ ଲଜ୍ଜ୍ୟାର ରକ୍ତିମା ।

 

କିପରି କଥାବାର୍ତ୍ତା ଆରମ୍ଭ କରିବି ଭାବୁଥାଏ । ବନ୍ଧୁ ସାହାଯ୍ୟ କଲେ ।

 

‘‘ତୁମ ଦାଦାଙ୍କ ଚିଠି ପାଇଛ ?’’

 

ସେ ଅବଲୀଳାରେ ହସି ପଚାରିଲେ, ‘‘ଚିଠି ? କେଉଁ ଚିଠି ? ଏଠିକି ଆସିବା ବିଷୟରେ ଚିଠି ? –ପାଇଛି ।’’ –କଥାରେ କୋମଳତା ଆଉ ସରସ ଝଙ୍କାର । ପୂର୍ଣ୍ଣ ଭାବରେ ମୋ ମୁହଁକୁ ସେ ଚାହିଁପାରୁ ନଥିଲେ ।

 

ପଚାରିଲି, ‘ଷ୍ଟେସନରେ ମୋତେ ପ୍ରଥମ ଦେଖିବା କଥା ମନେ ଅଛି ।’’

 

ଟିକିଏ ହସି ଦେଇ ସେ ଫେରି ଚାହିଁଲେ ସେଇ ଝରକାଆଡ଼େ । ରାମସ୍ୱରୂପ ଇଂରାଜୀରେ ଏ ଘର, ଲାବଣ୍ୟମୟୀ ଓ ଶେଫାଳିକା ଉପରେ ମନ୍ତବ୍ୟ ପ୍ରକାଶ କଲେ । ବର୍ତ୍ତମାନର ମନ୍ତବ୍ୟଟି ଅବଶ୍ୟ ସହାନୁଭୂତି–ପୂର୍ଣ୍ଣ ଥିଲା ।

 

କିଛି ସମୟ ପରେ ସେ ପରିହାସର ରଙ୍ଗ ଦେଇ କହିଲେ–ଶେଫାଳିକାଙ୍କର ମୋ ସହିତ କଥାବାର୍ତ୍ତା କରିବାକୁ ବହୁତ ଇଚ୍ଛା । କିନ୍ତୁ ବନ୍ଧୁଙ୍କର ଉପସ୍ଥିତି ହେତୁ ସେ ଲାଜେଇ ଯାଉଛନ୍ତି-। –ମୁଁ ଅପ୍ରତିଭ ମନେ କଲି ।

 

ଲାବଣ୍ୟମୟୀ ଫେରିଆସି ଜଳଯୋଗର ବ୍ୟବସ୍ଥା କରି ଡାକିଲେ, ‘‘ଆସନ୍ତୁ ।’’

 

–ଲାବଣ୍ୟମୟୀଙ୍କ ସହିତ ଆଳାପ ସମୟରେ ‘ତୁମେ’ ଆଉ ‘ଆପଣ’ର ପାର୍ଥକ୍ୟ ରହୁ ନ ଥିଲା । –ଜଳଖିଆ ପରେ ଦୁହେଁ ଏକା ସାଙ୍ଗରେ କହି ଉଠିଲୁ–‘‘ଏଥର ତେବେ ଆସୁଛୁ ?’’

 

ଲାବଣ୍ୟମୟୀଙ୍କ ମୁହଁଟି ଶୁଖିଗଲା, ବନ୍ଧୁଙ୍କୁ ଚାହିଁ ସେ ଅନୁରୋଧ କଲେ, ‘‘ଆପଣ ଯଦି କିଛି ମନେ ନ କରନ୍ତି–ସରୋଜ ବାବୁ ଏଠାରେ ରହନ୍ତୁ ।’’

 

ରାମସ୍ୱରୂପ ମୋ ଆଡ଼କୁ ପ୍ରଶ୍ନବାଚକ ଦୃଷ୍ଟିରେ ଲକ୍ଷ୍ୟ କଲେ । ମୁଁ ନାମଙ୍ଗ ହେଉଥିଲି । କିନ୍ତୁ ସେ ସାମାନ୍ୟ ହସି ଇଂରାଜୀରେ ବାରଣ କଲେ–‘‘ନା–ନା, ତୁମକୁ ଅନ୍ତତଃ ରହିଯିବାକୁ ହେବ-।’’

 

ବନ୍ଧୁ ବିଦାୟ ନେଲେ ।

 

ଲାବଣ୍ୟମୟୀ ମଧ୍ୟ କୌଣସି କାର୍ଯ୍ୟ ବାହାନାରେ ବାହାରି ଗଲେ....

 

ଘର ଭିତରେ ଶେଫାଳିକା ଆଉ ମୁଁ–

 

କ’ଣ କହିବି ?

 

ଝରକା ପାଖରୁ ଉଠିଆସି ସେ ମୋ ପାଖରେ ବସି ପଡ଼ିଲେ । ଯୌବନର ମହକ–ସ୍ୱଳ୍ପ ପରିଚିତା ତରୁଣୀର ଉଦ୍‍ବିଗ୍ନ ସାନ୍ନିଧ୍ୟ । କିନ୍ତୁ–ଯାତ୍ରା, ଅନୁସନ୍ଧାନ, ବିଭିନ୍ନ ଭାବନାର ସଂଘର୍ଷପର କ୍ଳାନ୍ତି–ମୁଣ୍ଡଟା ଟଣ୍‍ଟଣେଇ ଉଠୁଥାଏ ।

 

ଚାରିଆଡ଼ର ନୀରବତା । ବାହାରୁ ଘେରି ଆସୁଥାଏ ଅନ୍ଧାର ।

 

ମୁଁ ଆଖି ବୁଝି ନେଇଥିଲି–ଭାସିବା ଭଳି । ମନ ଦେଇ ଭାବିବାକୁ ମୋର ଶକ୍ତି ନ ଥିଲା–

 

‘‘କିପରି ଲାଗୁଛି ? ଭାରି ଗରମ ହେଉଛି–ନା ?’’ କଣ୍ଠରେ ସଧୀର ଝଙ୍କାର ତୋଳି ସେ ପଙ୍ଖା କରି ଲାଗିଲେ ।

 

‘‘ପଙ୍ଖାଟା ମୋତେ ଦିଅ ।’’ ସ୍ୱାଭାବିକ ଭାବେ ବାହାରି ଆସିଲା । ସେ କିନ୍ତୁ ନ ଦେଇ ପଙ୍ଖା କରି ଲାଗିଲେ– । ମୁଁ ମୁଣ୍ଡ ଚିପିବାର ଚେଷ୍ଟା କଲି ।

 

ସେ ଦେଖି ପାରିଲେ–‘‘କ’ଣ, ମୁଣ୍ଡ ବଥଉଚି ?’’

 

‘‘ହଁ ।’’

 

‘‘ତେବେ ମୋ କୋଳରେ ମୁଣ୍ଡ ରଖନ୍ତୁ । ମୁଁ ଟିପି ଦେବି, ଶୋଇ ପଡ଼ିବେ ।’’ ସେ ମୋର ମୁଣ୍ଡ ପାଖକୁ ଲାଗି ବସିଲେ । ଏଥିପାଇଁ ମୁଁ କିନ୍ତୁ ପ୍ରସ୍ତୁତ ନ ଥିଲି ।

 

‘‘ମୁଣ୍ଡ ରଖିବେନି ? ମୋ ରାଣ ପରା !’’ ମୁଣ୍ଡଟାକୁ ତାଙ୍କର କୋଳକୁ ସେ ଜୋର୍‍କରି ଟାଣିନେଲେ । ମୁଁ କୌଣସି ବାଧା ଦେଇ ପାରିଲି ନାହିଁ । ଗୋଟାଏ କୋମଳ ମଧୁର ଉଷ୍ମତା ଥିଲା ତାଙ୍କର ସ୍ପର୍ଶରେ ।

 

ଯାତ୍ରାକ୍ଳାନ୍ତିରେ ସତକୁ ସତ ମୋତେ ନିଦ ଲାଗି ଆସୁଥାଏ । ଏଣେ ସେ ଗଳ୍ପ କରୁଥାନ୍ତି–ତାଙ୍କ ମା’ କଥା–ମୋର ପଢ଼ା କଥା ।

 

ଗଳ୍ପ ଶେଷ ହେବାର ସୂଚନା ନ ପାଇ ମୁଁ ନିଦ୍ରାର ଆଶା ତ୍ୟାଗ କଲି; ତାଙ୍କର ଆନ୍ତରିକତା ଅନୁଭବ କରି ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ହେଲା । ଟିକିଏ ପରେ ଆମ ଦୁହିଁଙ୍କର ସୌହାର୍ଦ୍ଦ୍ୟ ବଢ଼ିଗଲା । ହସି ହସି ଖୋଲା ଖୋଲି କଥା ହୋଇ ପାରିଲୁ । ସଂକୋଚ ଉଭେଇ ଗଲା-

 

–ଶେଫାଳିକା ନାକ ଚିପି ହସି ଉଠିଛନ୍ତି–ସିଡ଼ି ଉପରେ ବୁଟ୍‍ର ଆବାଜ୍‍ ଶୁଣି ପାରିଲି । ଜଣେ ପୋଲିସ୍‍ କନ୍‍ଷ୍ଟେବଲ୍‍ ଘର ଭିତରକୁ ଧସେଇ ପଶି ପୁଣି ଫେରିଗଲା । –ଶେଫାଳିକାଙ୍କର ହସ ହସ ମୁହଁ ଶେଥା ପଡ଼ିଗଲା–ମୁଣ୍ଡ ଚିପା ବନ୍ଦ ।

 

ସିଡ଼ି ଉପରେ ଘନ ଘନ କ୍ଷିପ୍ର ବୁଟ୍‍ର ଆବାଜ୍‍ ।

 

ଶେଫାଳିକା ଟିକିଏ ପରେ ଆସିବେ କହି ଚାଲିଗଲେ ।

 

ଏହି ଘରଟା ତେବେ କ’ଣ...... ??

 

ସନ୍ଦିଗ୍ଧ ଏବଂ ଉତ୍କଣ୍ଠିତ ଚିତ୍ତରେ ଶେଫାଳିକାଙ୍କୁ ଅପେକ୍ଷା କରି ରହିଲି ।

 

ଶେଫାଳିକା ଆସିଲେ–ଅଧ ଘଣ୍ଟାଏ ପରେ । ପଛେ ପଛେ ଲାବଣ୍ୟମୟୀ । ହାତରେ ମୋ ସକାଶେ କିଛି ଖାଇବା ଜିନିଷ । –‘‘କଥା କ’ଣ ?’’

 

ଶେଫାଳିକା ମୋ ପାଖରେ ବସିପଡ଼ିଲେ । ଲାବଣ୍ୟମୟୀ କହିଲେ, ‘‘ସବୁ କହିବି, ତୁମେ ଏତକ ଆଗେ ଖାଇନିଅ ।’’

 

ମୁଁ ଶେଫାଳିକା ସକାଶେ କିଛି ଅଲଗା ରଖିଦେଲି ।

 

ସେ ମିଠାଇଟିଏ ଉଠାଇ ଚାଲିଗଲେ ।

 

ଲାବଣ୍ୟମୟୀ ଆରମ୍ଭ କଲେ, ‘‘ଏ ଘରକୁ ପୋଲିସ୍‍ କେବେ ହେଲେ ଆସେନାହିଁ । କିନ୍ତୁ–ଆମର ଦୁର୍ଭାଗ୍ୟ ଯେ ଆଜି ତୁମେ ଆସିବା ଦିନ...’’ ସେ କପାଳରେ ହାତ ମାରିଲେ । ‘‘କଥା ହେଉଛି, ଏଇ ପାଖ ଘରେ ଜଣେ ମଦୁଆ ଚୋର ଥାଏ । ପୋଲିସ୍‍ ଆଜି ତାକୁ ଧରିବାକୁ ଗଲାବେଳେ ସେ ଆମ କୋଠା ଉପରକୁ ଚାଲିଆସିଲା । ପୋଲିସ୍‍ ତା ପଛେ ପଛେ ଆସି ତାକୁ ଏବଂ ଛାତ ଉପରେ ବୁଲୁଥିବା କିଶୋର ବୋଲି ଆଉ ଜଣକୁ ଗିରଫ କରି ନେଇଛି ।’’

 

–‘‘ଏଇ କଥା ତ ! ଏଥିପାଇଁ ଏତେ ଚିନ୍ତା କାହିଁକି ?’’

 

ଲାବଣ୍ୟମୟୀ ମୁହଁ ଶୁଖାଇ କହିଲେ–‘‘ନାଇଁ ବାପ, ତୁମେ ବୁଝିବ ନାହିଁ । କିଶୋର ପରା ମୋତେ ମା’ ବୋଲି ଡାକେ ।’’

 

‘‘ଯା–ତାକୁ ପୋଲିସ୍‍ ଧରି ନେଇଛି ମା’ ।’’ ଶେଫାଳିକା ଫେରି–ଆସି କହିଲେ । ଆହତ ସ୍ୱର– ।

 

ସେତେବେଳେ ରାତି ପ୍ରାୟ ଦଶଟା । ଲାବଣ୍ୟମୟୀ ଦ୍ୱାର ପାଖରୁ ସାବଧାନ କରାଇଲେ–‘‘ଭିତରୁ ଦ୍ୱାର କିଳି ଶୋଇପଡ଼ । ମୁଁ ପ୍ରାୟ ସାଢ଼େ ଗୋଟାଏରେ ଫେରିବି । ଝରକାରେ ଠକ୍‍ ଠକ୍‍ ନ କଲାଯାଏ ଫିଟାଇବ ନାହିଁ–ସାବଧାନ ।’’

 

‘‘ହଁ’ କରିବା ଛଡ଼ା ମୁଁ ଆଉ କିଛି କର୍ତ୍ତବ୍ୟ ମନେ କରି ନ ଥିଲି । ଏତେ ସନ୍ଦେହପୂର୍ଣ୍ଣ ବିଷାକ୍ତ ବାୟୁମଣ୍ଡଳ । ଏଥିରେ ମଣିଷ ଚଳିବ କିପରି ?

 

‘‘କ’ଣ ଭାବୁଛନ୍ତି ?’’ ଲାବଣ୍ୟମୟୀ ଚାଲିଯିବାର ପରେ ଶେଫାଳିକା ସାମାନ୍ୟ ହସି ପଚାରିଲେ ।’’

 

‘‘ନା–ସେମିତି କିଛି ନୁହେଁ ।’’

 

‘‘ଆସନ୍ତୁ, ଶୋଇବେ । ...ରହନ୍ତୁ ମୁଁ ଦ୍ୱାର ଦେଇଦିଏ ।’’

 

‘‘ଆଲୁଅ ଲିଭେଇ ଦେବି ?’’ ଖିଡ଼ିକି ଦେଇ ସାରିବା ପରେ ସେ ପଚାରିଲେ । କିନ୍ତୁ ଉତ୍ତରର ଅପେକ୍ଷା ନ କରି ସ୍ୱିଚ୍‍ ଟିପି ମୋ ପାଖରେ ପଙ୍ଖା ନେଇ ବସିଲେ ।

 

‘‘ମୁଣ୍ଡ ଟିପି ଦେବି ?’’

 

ଉତ୍ତର ଦେଲି–‘‘ନା–ମୋର ମୁଣ୍ଡବଥା ଭଲ ହୋଇଗଲାଣି । ତୁମେ ଯାଅ–ଶୋଇପଡ଼-।’’

 

ନ ଶୁଣିବା ପରି ସେ ମୁଣ୍ଡଟିପା ଆରମ୍ଭ କରିଥିଲେ । କିଛି ସମୟ ପରେ ବନ୍ଦ କରି କହିଲେ, ‘‘ନା–ମୋର ମନ ଖରାପ ଅଛି । ଆପଣ ଶୋଇ ପଡ଼ନ୍ତୁ । ମୁଁ ମଧ୍ୟ ଏଇଠି ଶୋଇ ପଡ଼ୁଛି-।’’

 

ପରଦିନ ସକାଳେ–ନିତ୍ୟକର୍ମ ସାରି ମୁଁ ଯେତେବେଳେ ଯିବାକୁ ପ୍ରସ୍ତୁତ ହୁଏ, ଶେଫାଳିକା ଗୋଟିଏ ହିମାନୀ ଡବା ନେଇ ମୋ ଆଗରେ ବସିଲେ । ତା’ପରେ, କିଛି ଜାଣିବା ପୂର୍ବରୁ ସେ ମୋ ମୁହଁରେ ଲଗାଇ ଦେଲେ ଚଟାଚଟ୍‍–ସେଇ ହିମାନୀ ସ୍ନୋ ।

 

ସଜାଡ଼ି ଦେଇ କହିଲେ–‘‘ବେଶ୍‍–ଏଇଥର ଉଡ଼ନ୍ତା ପକ୍ଷୀ–ଯହିଁ ଇଚ୍ଛା ତହିଁ ଯା ।’’

 

ସ୍ନେହରେ ତାଙ୍କର ଗାଲଟିକୁ ଟିପିଦେଲି । ଭାବିଲି, ଆପତ୍ତି କରିବେ ବା କିଛି ଭାବିବେ-। କିନ୍ତୁ ତା ବଦଳରେ ସେ ମୋର ପାପୁଲିଟିକ ତାଙ୍କ ଗାଲ ଉପରେ ଜାକି ଧରିଲେ ।

 

ଯିବା ପୂର୍ବରୁ ଲାବଣ୍ୟମୟୀ କଥା ନେଲେ ଯେ ସେଦିନ ସନ୍ଧ୍ୟାବେଳେ ମୋତେ ଆସିବାକୁ ହେବ । ଶେଫାଳିକାଙ୍କର ସ୍ନେହପୂର୍ଣ୍ଣ ବ୍ୟବହାର–ନାହିଁ କରିପାରିଲି ନାହିଁ ।

 

ହଜରତ୍‍ଗଞ୍ଜ ପ୍ରଭୃତି ଦେଖିସାରି ଯେତେବେଳେ ଆମେ ହୋଟେଲକୁ ଫେରିଆସୁ, ମୋ ଠାରୁ ସମସ୍ତ କଥା ଶୁଣି ରାମସ୍ୱରୂପ ଟିକିଏ ଗୁମ୍‍ ମାରି କହିଲେ, ‘‘ବୁଝିଲ ସରୋଜ, ସେମାନଙ୍କ ପ୍ରତି ମୋର ଯେତେ ସହାନୁଭୂତି ଥାଉନା କାହିଁକି, ତୁମର ସେଠିକି ଯିବାଟା ମୁଁ ପସନ୍ଦ କରି ପାରୁନାହି । କହିବାକୁ ଚାହି ନ ଥିଲି...କିନ୍ତୁ ଗୋଟାଏ ବେଶ୍ୟା–ନଚେତ୍‍ ଛଳନାମୟୀ ତରୁଣୀ କନ୍ୟାର ପ୍ରେମରେ ପଡ଼ି... ।’’ କଥା ଶେଷ ନ କରି ସେ ବିସ୍ତର ବାନ୍ଧି ଲାଗିଲେ ।

 

ମନଟା ମୋର ଶୁଖିଗଲା ।

 

ବନ୍ଧୁ ସେଇଦିନ ମୋଠାରୁ ବିଦାୟ ନେଇଥିଲେ । ସେ ଯେ ମୋ ପ୍ରତି ବିରକ୍ତ ହୋଇଥିଲେ ବୁଝି ପାରିଥିଲି । ଅଥଚ ତାଙ୍କୁ ଅଟକାଇ ପାରିଲି ନାହିଁ–ନିଜେ ମଧ୍ୟ ଲକ୍ଷ୍ନୌ ଛାଡ଼ି ନ ଥିଲି ।

 

‘‘କାହିଁକି ? ଆପଣଙ୍କର ଯଦି କାହା ସହିତ ପ୍ରେମ ହୁଏ–ଧର ଆପଣଙ୍କର ପଢ଼ା ସାଥୀ-। ଆପଣ ଆଳାପ କରିବାକୁ ସୁବିଧା ପାଆନ୍ତି ନାହିଁ–ଚିଠି ଦିଅନ୍ତି । ନିରୋଳାରେ ଦେଖା–ଆଳାପ–ହସ ଖୁସି କେତେ କ’ଣ । ତା’ପରେ ଯଦି କୌଣସି କାରଣରୁ ସେ ହଠାତ୍‍ ଚାଲିଯାଏ, ତେବେ ଆପଣଙ୍କ ମନରେ କଷ୍ଟ ହେବନି ?’’

କଥା ଶୁଣି ହସ ମାଡ଼ିଲା ।

‘‘ବେଶ୍‍ ବେଖାତିର ଭାବରେ ହସି ପାରୁଛନ୍ତି ତ ?

‘‘ମୁଁ ସବୁ ଜାଣେ ।’’

‘‘କ’ଣ ସର୍ବଜ୍ଞ ?’’

‘‘ସେମିତି କିଛି ।’’

‘‘ଓହୋ–ମା’ କହିଛି ନିଶ୍ଚୟ । ଦୁଷ୍ଟ !’’ ଶେଫାଳିକା ମୋତେ ନାକମୋଡ଼ା ଶାସ୍ତି ଦେଲେ-। ‘‘ତେବେ ଶୁଣନ୍ତୁ । କିଶୋର ଏଠାକୁ ସମୟ ସମୟରେ ଆସୁଥାଏ । ତଳର ସାମନା ଘରେ ତା’ର ଜଣେ ପିଉସୀ ଅଛନ୍ତି । ଦିନେ ମୁଁ ବେଶ ହୋଇ ବାହାରୁଥିଲି ସିନେମା ଦେଖିଯିବା ପାଇଁ-। କିଶୋର ମୋତେ ଲକ୍ଷ୍ୟ କରିଛି । ସେଇ ଦିନଠାରୁ ସେ ରୋଜ ଆସେ । ଦିନେ ମୁଁ ଚାଲି ଯାଉଥିବା ବେଳେ ଦ୍ୱାରବନ୍ଧଟା ମୁଣ୍ଡରେ ବାଡ଼େଇ ହେବା ଦେଖି କିଶୋର ପରିହାସ କରି ପ୍ରଶ୍ନ କଲା । ‘‘ଇସ୍‍-! ମଣିଷ ପୁଣି ଏତେ ଡେଙ୍ଗା ହୁଅନ୍ତି ?’’

‘‘ମୁଁ ମଧ୍ୟ ଉତ୍ତର ଦେଲି ‘‘ତୁମ ପରି ତ ନୁହେଁ !’’

‘‘ବେଶ୍‍ ଏହାପରେ କଥାବାର୍ତ୍ତା ସହଜ ହେଲା । ଗୀତରେ ସେ ତା’ର ପ୍ରେମ ଜଣାଇଲା-। ମୁଁ ମଧ୍ୟ ଗୀତରେ ତା’ର ପ୍ରତ୍ୟୁତ୍ତର ଦେଲି । ଏଇଟା ମୋର ଯୌବନର ପ୍ରଥମ ନିଶା-। ତା’ର ପିଉସୀଙ୍କ ଘରେ ଆମ ଦୁହିଁଙ୍କର ମିଳନ ହୁଏ । ଏସବୁ ମାସକ ତଳର ଘଟଣା-। କିନ୍ତୁ ବର୍ତ୍ତମାନ ଯାହା ହେଲା–ଜାଣିଲେ ତ ?’’ ସେ ପୁଣି ନାକଟା ଚିପିଦେଲେ ।

 

‘ମୋ ପାଖରୁ କି ରକମର ସାହାଯ୍ୟ ଚାହଁ ?’’ ମୁଁ ପଚାରିଲି ।

 

‘‘କିଛି–ଚାହେଁ ନାହିଁ ।’’ ମୋର ଆଙ୍ଗୁଠି ଗୁଡ଼ିକ ଧରି ସେ ଖେଳି ଲାଗିଲେ ।

 

କିଛି ସମୟ ପରେ ପଙ୍ଖା ଖଣ୍ଡିକ ଓଲଟ ପାଲଟ କରି ସେ ଅଳପ ଲାଜେଇ ଯାଇ କହିଲେ, ‘‘ଏଇ ପଙ୍ଖାଟିକୁ କିଶୋର ମୋତେ ଉପହାର ଦେଇଛି । ଏ ପାଖଟି ସେ–ଆଉ ଏ ପାଖ ମୁଁ ।’’

 

କଳ୍ପନାର ଢଙ୍ଗ ଦେଖି ହସିଲି ।

 

ହଠାତ୍‍ ସେ ଆନନ୍ଦରେ ମୁହଁ ଉଠାଇଲେ, ‘‘ଆଚ୍ଛା କହିବେ ଯଦି ଆପଣ ଏ ପାଖରେ ହୁଅନ୍ତି, ଆଉ ମୁଁ ଏ ପାଖରେ ?’’

 

‘‘ଧେତ୍‍ !’’

 

‘‘ନା–ନା–ନିଶ୍ଚୟ ହେବ ତା’ ସେ ଜିଦ୍‍ ଧରି ବସିଲେ ।

 

–‘‘ପାନ ସୁପାରି ଖାଇବେ ?’’ କଟା ସୁପାରି ଗୁଡ଼ିଏ ଆଣି ସେ ମୋ ମୁହଁରେ ଗୁଞ୍ଜି ଦେଲେ । କିନ୍ତୁ ମୁଁ ଯେତେବେଳେ ତାଙ୍କ ମୁହଁରେ ଗୁଞ୍ଜି ଦେବାକୁ ଯାଏ, ସେ ମୋ ଆଙ୍ଗୁଠିଗୁଡ଼ିକ ଦାନ୍ତରେ ଚିପିଦେଲେ । କଲବଲ ହୋଇ ହଟି ଆସିଲି ।

 

ଭାବିଲି–ମୋର ଅଭଦ୍ରତା ହେଲା । କିନ୍ତୁ ସେ ପାଖକୁ ଲାଗି ବସି ଲଳିତ କଣ୍ଠରେ କହିଲେ, ‘‘ମୋତେ ଟିକିଏ ସୁପାରି ଖୋଇ ଦିଅନ୍ତୁ । ଏଥର କାମୁଁଡ଼ିବି ନାହିଁ– । ସତ କହୁଛି ।’’

 

ମୁଁ ତାଙ୍କ ହାତରେ ଦେଲି ସିନା–ଖୁଆଇ ନାହିଁ ।

 

ଶେଫାଳିକା ହଠାତ୍‍ ମୋ ପକ୍ଷରେ ରହସ୍ୟମୟୀ ହୋଇ ଉଠିଲେ । କିଶୋରକୁ ସେ ନିଛକ ଭଲ ପାଆନ୍ତି–ସନ୍ଦେହ ନାହିଁ । ଅଥଚ ପଙ୍ଖା ଛଳନାରେ ମୋ ସହିତ ଏପରି ପରିହାସ କରିବା... ।

 

ଆଉ ମୁଁ ? ଗୋଟାଏ ନୂତନ ଜଟିଳ ମନୋବୃତ୍ତିର ଆବିଷ୍କାର କରି ପ୍ରମାଦ ଗଣିଲି ।

 

ହଁ–ସେ ସମସ୍ତ ସ୍ୱାଭାବିକ ଭାବେ ହେଇ ଯାଇଛି ।

 

ସେଦିନ ।

 

ଅଧରାତି–

 

ଚାଉଁକରି ନିଦଟା ଭାଙ୍ଗିଗଲା । କିଅଁଳିଆ ହାତଟିଏ ମୋର ପାପୁଲି ଉପରେ ପଡ଼ିଥିବାର ଅନୁଭବ କଲି । ନିଜ ହାତଟିଏ ମୋର ପାପୁଲି ଉପରେ ପଡ଼ିଥିବାର ଅନୁଭବ କଲି । ନିଜ ହାତଟି ଘୁଞ୍ଚାଇ ପାରିନାହିଁ । ତା’ପରେ–ମୋର ଛାତି ପାଖରେ ଜଡ଼ି ଆସିଥିଲା ଏକ ଉଷୁମ କୋମଳ ଛାତି । ନିଦ୍ରାର ଛଳନା ଭରା ବାସନା ଭରା ନିଶ୍ୱାସ ।

 

ମୁହଁଟି ମୋର ବେକତଳେ ଆଶ୍ରୟ ଖୋଜୁଥାଏ । –ମୋର ନିଃଶ୍ୱାସ ବନ୍ଦ ହୋଇ ଆସିଲା ।

 

ମୁଁ ନିଶ୍ଚଳ ରହିଲି– ।

 

ସେ ଫେରିଗଲେ ।

 

ହାୟରେ ବିଚାରୀ !

 

‘‘ବିଚରା ବସିଥିବ ହୁଏତ ଏମିତି ।’’ ଶେଫାଳିକା ଆଣ୍ଠୁ ଭିତରେ ମୁଣ୍ଡ ଲୁଚାଇ କହିଲେ । ‘‘ନହେଲେ–ନହେଲେ ହୁଏତ ଏମିତି’’ ଏଇଥର ଦୁଇ ପାପୁଲି ଭିତରେ ତାଙ୍କର ମୁହଁଟିକୁ ଘୋଡ଼ାଇ ରଖିଲେ । ‘‘ହାୟରେ,’’ ସେ ଦୀର୍ଘନିଶ୍ୱାସ ମାରିଲେ, ‘‘ମୋ କଥା ସେ କେତେ ଭାବୁଥିବ ! –ମା’–ମୋତେ ନେଇ ଚାଲ ମା’–ମୁଁ ଦି ଆଖିରେ ତାକୁ ଟିକିଏ ଦେଖି ଆସିବି–ଖାଲି ଦେଖି ଚାଲି ଅସିବି-।’’

 

କିଶୋର ଏବେ ହାଜତରେ । ଲାବଣ୍ୟମୟୀଙ୍କର ସମସ୍ତ ଚେଷ୍ଟା ସତ୍ତ୍ୱେ ଜାମିନରେ ଠିଆ ହେବାକୁ କେହି ପ୍ରସ୍ତୁତ ନୁହନ୍ତି ।

 

ଲାବଣ୍ୟମୟୀ ଶେଫାଳିକାର ଏହି ପାଗଳ ଭଳି କଥାଗୁଡ଼ାକ ଶୁଣି ଚିଡ଼ି ଉଠିଲେ–‘‘ଟୋକିଟାର ସାହାସ କେତେଦେଖ । ମୋତେ ତ ସେଠାକୁ ଯିବାକୁ ଲାଜ ମାଡ଼େ । ଆଉ ଯାକୁ ପୁଣି ସାଙ୍ଗରେ ନେବି ? କି କଥା !’’

 

ମୁଁ ନୀବର ରହିଲି ।

 

ଶେଫାଳିକା ମୋତେ ଟିକିଏ ଦେଖିନେଇ ମୁହଁ ଫେରାଇଲେ ସେହି ଝରକା ଆଡ଼େ । ଲାବଣ୍ୟମୟୀ ଯେତେ ଡ଼ାକିଲେ ମଧ୍ୟ ସେ ଶୁଣିଲେ ନାହିଁ । କୁଞ୍ଚୁକୁଞ୍ଚିଆ ମୁକୁଳା ବାଳଗୁଡ଼ିକ ମୁହଁ ଉପରକୁ ଝୁଲି ପଡ଼ିଥାଏ । ଲାବଣ୍ୟମୟୀ ପାଖେଇ ଯାଇ ଅଳପ ହସି ତାଙ୍କର ମୁହଁଟିକୁ ବୁଲାଇବାକୁ ଚେଷ୍ଟାକଲେ ।

 

‘‘ଦେଖ ମା’, ଭଲ ହେଉନି କହୁଛି ।’’

 

ଶେଫାଳିକା ଆଖିରୁ ଦୁଇଥର ଲୁହ ଛୁଟିଥାଏ । ନିଜ ଭିତରେ ସମ ଦରଦ ଅନୁଭବ କଲି । –ଲାବଣ୍ୟମୟୀ ଚାଲିଗଲେ ।

 

ଧୀର ଭାବରେ ଡ଼ାକିଲି, ‘‘ଶେଫାଳିକା !’’

 

ଶେଫାଳିକା ଉତ୍ତର ଦେଲେ ନାହିଁ ।

 

‘‘ମୋ ଆଡ଼କୁ ଦେଖ ।’’

 

ତଥାପି ନିରୁତ୍ତର ।

 

ଉପାୟ ନ ଦେଖି ପରିହାସର ଛଳନା କରି ମୁଚୁଳାଟି ତାଙ୍କ ଉପରକୁ ପିଙ୍ଗି ଦେଲି । ଆହତ ଫଣୀପରି ସାଙ୍ଗେ ସାଙ୍ଗେ ମୁହଁ ଟେକି ଉଠିଲେ–‘‘ଏ ସବୁ ଭଲ ହେଉନି କହୁଛି ।’’

 

ମନ ମୋର ଦବିଗଲା । ତାଙ୍କ ମନରେ ଆଘାତ ଦେବା ମୋର ଇଚ୍ଛା ନଥିଲା ।

 

ନୀରବତା କଷ୍ଟକର ବୋଧ ହେଉଥାଏ ।

 

ହଠାତ୍‍ ଶେଫାଳିକା ଉଠିଆସି ଅପ୍ରତିଭ ଭାବରେ ଅଳପ ହସି ପଚାରିଲେ, ‘‘ଆପଣଙ୍କର ଚିଠି ଓ ଫଟୋ ମୁଁ ସାଇତି ରଖିଛି ଦେଖିବେ ?’’

 

ଉତ୍ତର ନ ପାଉଣୁ ସେ ଚଟ୍‍କରି ଚାଲିଗଲେ । ଆଶ୍ଚର୍ଯ୍ୟ !

 

ଲାବଣ୍ୟମୟୀ କିଛି ଜଳଯୋଗ ନେଇ ଆସିଲେ । ଶେଫାଳିକା ଗୋଟିଏ ସାନ ସୁଟ୍‍କେଶ୍‍ ଖୋଲି ବାହାର କଲେ । ଗୋଟାଏ କାଗଜ ମୁଁଣା । ତାରି ଭିତରେ ମୋର ଚିଠିଗୁଡ଼ିକ ।

 

‘‘କ’ଣ ଧରିଛି କହି ପାରିବେ ?’’ ସେ ଆନନ୍ଦରେ ଡେଇଁ ଉଠିଲେ ।

 

ମୁଁ ତାଙ୍କର ସେହି ଉଜ୍ଜ୍ୱଳ ମୁହଁଟିରେ ସନ୍ତୁଷ୍ଟ ଥିଲି ।

 

‘‘ଏଇଟି କିଏ ?’’ ସେ ମୋର ଫେଟାଟିକୁ ଦେଖାଇ ପଚାରିଲେ ।

 

‘‘ଏଇଥିପାଇଁ ଏତେ କଥା ?’’ ମୁଁ ହସିବାର ଚେଷ୍ଟା କଲି ।

 

ଲାବଣ୍ୟମୟୀ ଆଗ୍ରହରେ ଶେଫାଳିକାଙ୍କୁ ଲକ୍ଷ୍ୟ କରୁଥାନ୍ତି । –ଶେଫାଳିକା ଫୋଟୋଟିକୁ ନିଜ ଛାତି ଉପରେ ଜାକି ଧରିଲେ–ଛୋଟ ପିଲାଟି ଭଳି । ଲାବଣ୍ୟମୟୀ ଅର୍ଥମୟୀ ଦୃଷ୍ଟିରେ ମୋ ଆଡ଼କୁ ଆଖି ଫେରାଇଲେ । ମୁଁ ମୁହଁକୁ ତଳକୁ କରି ନେଲି । –ଫୋଟଟିକୁ ଛାତିରେ ଜାକି ଧରିବା ମୁଁ ପସନ୍ଦ କରି ନଥିଲି ।

 

ହଠାତ୍‍ ଲାବଣ୍ୟମୟୀ ଚିଡ଼ି ଉଠିଲେ । ଶେଫାଳିକା ଫୋଟୋଟିକୁ ତଳେ ଫିଙ୍ଗି ଦେଇ ଚାଲି ଯାଇଛନ୍ତି ଝରକା ପାଖକୁ ।

 

–ସବୁଦିନ ପରି ସେଦିନ ସକାଳେ ବିଦାୟ ନେବାବେଳେ ଶେଫାଳିକା ଅଟକାଇଲେ, ‘‘ଆପଣଙ୍କ ପ୍ରତି ମୋର ଦୁର୍ବବ୍ୟହାରର କାରଣ କ’ଣ ଜାଣନ୍ତି ?’’ କିଶୋର ଫେରିଲେ ମୁଁ ଆଉ ଦୁଷ୍ଟ ହେବିନାହିଁ ଯେ–ସେ ଧୀର ଭାବରେ କହିଲେ ।

 

ଆନନ୍ଦରେ କଥା ଅଥଚ ଆଶ୍ଚର୍ଯ୍ୟର କଥା–ମୁଁ ଆନନ୍ଦିତ ହୋଇ ପାରିଲି ନାହିଁ ।

 

‘‘ହାତ୍ ମିଲାଓ । ମିଲାଓ ହାତ୍‍ ।’’

 

ଶୁଖିଲା ମୁହଁ ଉପରେ ହସ ଫୁଟାଇବାର ଚେଷ୍ଟା କଲି । ଅଥଚ ସେଇ ହସ ପ୍ରାକୃତିକ ଭାବରେ ଫୁଟି ଉଠିଲା ସେଇ ଉଜ୍ଜ୍ୱଳ ମୁହଁଟି ଦେଖି–ନିଜର ବ୍ୟବହାରରେ ମୁଁ ଆସ୍ୱସ୍ତ ହେଲି ।

 

ଶେଫାଳିକାଙ୍କର ବ୍ୟବହାରରେ ନୂତନତା ଦେଖା ଦେଇଥିଲା । ଆଗପରି ପାଖକୁ ନ ଲାଗି ଟିକିଏ ଦୂରରେ ବସି ସେ ପରିହାସର ସୁଅ ଛୁଟାଇ ଥାନ୍ତି । ପ୍ରସ୍ତାବ ହେଲା–କାଲି ସିନେମା ଯିବା ସେକେଣ୍ଡ ଶୋ ।

 

ଶେଷବେଳକୁ କହିଲେ, ‘‘ଦେଖିଲେ, ମୁଁ ଆଉ ଆପଣଙ୍କ ପାଖରେ ଦୁଷ୍ଟାମି କରୁନାହିଁ । ଆଜି ପରା ସେ ଆସିଗଲେଣି ।’’

 

କଥାଗୁଡ଼ିକ ହସରେ ଉଡ଼ାଇ ଦେଲି । କିନ୍ତୁ ଛାତିତଳେ ଗୋଟାଏ ଅଜଟ ଅଭିମାନୀ ସ୍ୱର ।

 

ହଁ, କିଶୋରକୁ ମୁଁ ସ୍ନେହକରେ–କିଶୋର ପ୍ରତି ଈର୍ଷା ହେବା–ଭଳି ମୁଁ ସ୍ନେହକରେ ।

 

ଲାବଣ୍ୟମୟୀ ମୋତେ ଚିନ୍ତିତ ଦେଖି ପଚାରିଲେ, ‘‘କ’ଣ ବାପା, ଦେହ କିଛି ଖରାପ ଅଛି ?’’

 

‘ନା’–ନିଜକୁ ସଂଯତ କରିନେଲି ।

 

ଆରଦିନ–ମୋତେ ଟିକିଏ ସଅଳ ଆସିବାପାଇଁ ଉଭୟଙ୍କର ବରାଦ ଥିଲା ।

 

ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିଲି । ଶେଫାଳିକାଙ୍କର ମୁହଁରେ ସଫଳ ପ୍ରତୀକ୍ଷାର ଆନନ୍ଦ ।

 

ବିଶ୍ରାମ ନେଇ ପଚାରିଲି–‘‘ମା’ କାହାନ୍ତି ?’’

 

‘‘ଆସିବାକୁ ବହୁତ ଡ଼େରି ଅଛି ।’’ ଅବହେଳା–ଆନନ୍ଦ ଆଉ ପ୍ରତ୍ୟାଶାଭରା କଣ୍ଠ । ଓଠର ହସରେ ଗୋଟାଏ ସୂଚନା ଥିଲା–ମୁଁ ପସନ୍ଦ କରି ନଥିଲି ।

 

ଗୋଟାଏ ଖୋଲା ହସ ହସି ସେ ପଚାରିଲେ, ‘‘ଆପଣ ଭୟ କରୁଛନ୍ତି ? ଏଇଠି କାହାର ଭୟ ନାହିଁ ।’’

 

ଗୋଟାଏ ହାତ ମୋର ଛାତି ଉପରେ ରଖି ସେ କୁତୁକୁତୁ କରି ଲାଗିଲେ । ଭ୍ରୂଲତାରେ ଦୁଷ୍ଟାମି–ଓଠରେ ମନ୍ଦ ହାସ ।

 

ମନରେ ସଂକୋଚ...ଘୃଣା ଜାତ ହେଲା । ଗୋଟାଏ ଦୁରଭିସନ୍ଧି ! –ଇଚ୍ଛା ହେଲା ଘର ଛାଡ଼ି ଚାଲିଯିବା ପାଇଁ ।

 

ନା–ଗୁରୁତ୍ୱ ଦେବା ଉଚିତ ହେବ ନାହିଁ । ତାଙ୍କର ହାତଟି ଧରି କୁତୁକୁତୁ କରି ଲାଗିଲି ।

 

ସାମନର ଜଣେ ସ୍ତ୍ରୀ ଲୋକର ଆଖି ଦୁଇଟି ଆମ ଉପରେ ! ମୁଁ ଶଙ୍କିଗଲି ।

 

କିନ୍ତୁ ତାଙ୍କର ଦୁଷ୍ଟାମି ତେଜି ଉଠିଲା । ସେ ମୋ ପାଖକୁ ଆହୁରି ଲାଗି ଆସିଥିଲେ । ହଠାତ୍‍ ମାତାଲ୍‍ର ଛଳନା କରି ସେ ମୋର ଛାତି ଉପରେ ଦୁଲ୍‍କରି ପଡ଼ିଯାଇ ମୋରି ଆଖିକୁ ସ୍ଥିର ଦୃଷ୍ଟିରେ ଚାହିଁ ରହିଲେ...

 

ମୋର ପୁରୁଷତ୍ୱ ତେଜି ଉଠିଲା । ଶିରା ପ୍ରଶିରାରେ ଘୃଣା ଛୁଟି ଲାଗିଲା...ଛାତି ଉପରୁ ତଳକୁ ଛାଟି ଦେଇଥିଲି ।

 

ହୁଏତ କାଟିଥିବ । କିନ୍ତୁ ସେ ଉଠିପଡ଼ି ହସି ହସି ଦୁଷ୍ଟାମିଭରା ଗଳାରେ ପଚାରିଲେ ମୋର ଓଜନ କ’ଣ ବେଶୀ ? –କାଟିଲା ?’’

 

ବିରକ୍ତିରେ ମୁଁ ଝାଡ଼ିଝୁଡ଼ି ଠିଆ ହେଲି । ‘‘ଆଚ୍ଛା ମୁଁ ତେବେ ଆସେ ।’’ ଯଥା ସମ୍ଭବ ସଂଯତ ଗଳାରେ କହିଲି । ‘‘ମା’ ଆସିବା ପରେ ଆସିବି ।’’

 

ତାଙ୍କର ମୁହଁଟି ଶୁଖି ଆସିଲା ।

 

ଶଙ୍କିତ କଣ୍ଠରେ ସେ ମୋର ହାତ ଦିଓଟି ଭିଡ଼ି ଧରି କହିଲେ, ‘‘ସତରେ ଯାଆନ୍ତୁ ନାହିଁ–ମା’ ମୋତେ ଗାଳି ଦେବେ ।’

 

–ଧୀରେ ଅଥଚ ଦୃଢ଼ ଭାବରେ ତାଙ୍କର ହାତ ଦିଓଟି ଖସାଇ ଦେଇ ମୁଁ ଫେରି ଆସିଲି ।

 

ମନର ଉତ୍ତେଜନା ନେଇ ଲକ୍ଷ୍ୟହୀନ ମୁଁ–ଅନେକଦୂର ଚାଲି ଆସିଥିଲି । ତରଳ ଉତ୍ତପ୍ତ ପ୍ରଶ୍ନସ୍ରୋତ ମୋର ବାହ୍ୟ–ଅନୁଭୂତି ଶକ୍ତିକୁ ଜଡ଼ ପ୍ରାୟ କରି ତୋଳିଥାଏ । ଶେଫାଳିକା ମୋତେ କ’ଣ ଖେଳନା କରି ପାଇଲେ ? –ସେ ସ୍ତ୍ରୀ ଲୋକ ମୋତେ କ’ଣ ଭାବିଥିବେ । ଭାଇ–ନା... ? ଛିଃ–ଛିଃ, କି ଲଜ୍ଜ୍ୟା– !

 

...ପ୍ରାୟ ଅଧଘଣ୍ଟାଏ ଚାଲି ଆସିବା ପରେ ମସ୍ତିଷ୍କ ଆଉ ଉତ୍ତେଜନାର ଉତ୍ତାପ ସହ୍ୟକରିବାକୁ ପ୍ରସ୍ତୁତ ନ ଥିଲା !! –ଭାବନାର ସ୍ରୋତ ବିପରୀତ ଦିଗକୁ ଗତି କଲା ।

 

ଅନୁତାପ କଲି ।

 

ନା–ଏପରି ଭାବରେ ଚାଲି ଆସିବା ଠିକ୍‍ ହୋଇ ନାହିଁ । ସେ ମୋତେ କ’ଣ ଭାବିଥିବେ-? ବିଚାରୀ ହୁଏତ ପ୍ରକୃତରେ ମୋତେ ପ୍ରେମ କରେ । ମୋତେ... । ପ୍ରେମ କରିବା କ’ଣ ପାପ-? ସେ ତା’ର ପ୍ରେମ ଜଣାଇଥିଲା–ହୁଏତ ପ୍ରତିକୂଳ ପ୍ରତିକ୍ରିୟା ତା’ର କଳ୍ପନାତୀତ ଥିଲା... ନା–ଭୁଲ୍‍ ହୋଇଛି । ଚାଲି ଆସିବାଟା ମୋର ଅନ୍ୟାୟ–ଅଭଦ୍ରତା ।

 

ଘଣ୍ଟାକ ପରେ– । କବାଟ ବନ୍ଦ ଥିଲା । ପଡ଼ିଶାର ଜଣେ ସ୍ତ୍ରୀ ଲୋକ ଦେଖାଦେଲେ । ପଚାରିଲି–‘‘ଶେଫାଳିକା କାହାନ୍ତି ?’’

 

ଶେଫାଳିକା ଛାତ ଉପରୁ ଓହ୍ଲାଇ ଆସିଥିଲେ । ମୁହଁରେ ତାଙ୍କର ଲଜ୍ଜ୍ୟା ଆଉ ଆନନ୍ଦଭରା ବିସ୍ମୟ । କବାଟ ଖୋଲୁ ଖୋଲୁ ଦୁଷ୍ଟାମି କରି ପଚାରିଲେ, ‘‘କି ? ଫେରିଲେ କାହିଁକି-? ଚାଲି ତ ଯାଇଥିଲେ ପୁଣି ଆସିଲେ ?’’

 

ଅପ୍ରତିଭ ହେଲା ସୁଦ୍ଧା ସମାଧାନର ସୂଚନା ଦେଇ ସ୍ମିତ ହସିଥିଲି ।

 

–ମୁହଁ ପାଖକୁ ମୁହଁ ଯୋଡ଼ି ଆଣି ମୋର ଗାଲ ଦିଓଟି ସେ ଥାପୁଡ଼େଇ ଲାଗିଲେ । ମନେ ମନେ ମାନିନେଲି–ସେ ଜିଣିଛନ୍ତି ।

 

ଏଥର କିନ୍ତୁ ପୂର୍ବଭଳି ସେ ବ୍ୟତିବ୍ୟସ୍ତ କରି ନାହାନ୍ତି । ଦେହ ପାଖରେ ଲାଗି ବସି ଗଳ୍ପ କରି ଲାଗିଲେ ।

 

କିଛି ସମୟ ପରେ ଲାବଣ୍ୟମୟୀ ଫେରି ଆସିଲେ । ଆଶଙ୍କା ଥିଲା, ଆମ ଦୁହିଁଙ୍କୁ ଏପରି ଅବସ୍ଥାରେ ଦେଖି ସେ କିଛି ମନେ କରିବେ । କିନ୍ତୁ ସେ ସ୍ମିତ ହସି ନିଜର ବିଳମ୍ୱ ହେବାର ସଫେଇ ଦେଲେ । ଶେଫାଳିକା ଆହୁରି ଜାକିଜୁକି ସାନ ପିଲାଟି ପରି ବସିଥାନ୍ତି । ଘୃଣା ହେଇନି–କିନ୍ତୁ ଦୁଃଖ ହେଲା ।

 

ଶେଫାଳିକା ନାକଟାକୁ ଟିକିଏ ଟାଣିଦେଇ ହସି ଉଠିଲେ । ମୁଣ୍ଡ ଉପରେ ପାନିଆ ଚଳାଇ ନେଇ ମୁହଁଟିକୁ ମୋ ବେକ ପାଖରେ ରଖି କହିଲେ, ‘‘କି ସୁନ୍ଦର ! ଯେପରି...’’ ବନ୍ଦ କରି ସେ ପୁଣି ହସି ଲାଗିଲେ ।

 

ଆରଘରୁ ଲାବଣ୍ୟମୟା ଡାକିଲେ, ‘‘କ’ଣ ପ୍ରସ୍ତୁତ ?’’ ଶେଫାଳିକା ମୋର ହାତରେ ହାତ ଛନ୍ଦି ମୁହଁକୁ ଚାହିଁ ଅଳପ ହସି ଉତ୍ତର ଦେଲେ–‘‘ହଁ, ହେଲା ମା, ଚାଲ ।’’

 

ଲାବଣ୍ୟମୟୀ ସିଡ଼ିରେ ଓହ୍ଲାଇ ଯାଉଥିଲେ । ହଠାତ୍‍ ଫେରିପଡ଼ି ଆମ ଦୁହିଁଙ୍କୁ ଅନାଇଲେ । ଶେଫାଳିକା ମୋ ହାତରେ ହାତ ଛନ୍ଦି ଠିଆ ହୋଇଥାନ୍ତି । ମୁଁ ସମସ୍ତ ପ୍ରଶ୍ରୟ ଦେଇଥିଲି ।

 

‘‘ଆମ ଭାଗ୍ୟ ଖରାପ । ନଚେତ୍‍ ତମ ଦୁଇଜଣଙ୍କୁ ଏତେ ଭଲ ମାନନ୍ତା ।’’ ଲାବଣ୍ୟମୟୀ ମୁଗ୍‍ଧ ଦୃଷ୍ଟିରେ ଅଥଚ ଏହିପରି କୋହଳ ଭାଷାରେ ମନ୍ତବ୍ୟ ଦେଲେ ।

 

‘‘କ’ଣ କହିଲ ମା, କ’ଣ କହିଲ ?’’ ଶେଫାଳିକାଙ୍କର ଉତ୍କଣ୍ଠାଭରା ପ୍ରଶ୍ନ ।

 

ଲାବଣ୍ୟବୟୀ ନିରୁତ୍ତର ହେଲେ । ଶେଫାଳିକା ପ୍ରଶ୍ନର ପୁନରାବୃତ୍ତି କରି ନାହାନ୍ତି ।

 

ଲାବଣ୍ୟମୟୀ ଅନ୍ୟମାନଙ୍କୁ ମୋ ସହିତ ଶେଫାଳିକାଙ୍କୁ ଦେଖାଇବା ପାଇଁ ଯେପରି ସ୍ଥିରକରି ସାରିଥିଲେ । ଆମମାନଙ୍କୁ ଚାଲି ଚାଲି କେତେଟା ଗଳି ଭିତର ଦେଇ ଯିବାକୁ ହୋଇଥିଲା-। ନିଜକୁ ଅସ୍ୱାଭାବିକ ମନେ କରୁଥାଏ । ଅଥଚ ମୁଁ କ’ଣ କରୁଛି ବିଚାର ସକାଶେ ମୋର ଶକ୍ତି ନ ଥିଲା ।

 

ଗୋଟାଏ ଗଳିର ମୋଡ଼ରେ ଲାବଣ୍ୟମୟୀ ଆମ ଦୁହିଙ୍କୁ ରହିବା ପାଇଁ ସଂକେତ କଲେ-। ପାଖ ଝରକାରୁ ଝଲକାଏ ଆଲୁଅ ଅନ୍ଧାର ଗଳିର କିଛି ଅଂଶ ଆଲୋକିତ କରୁଥାଏ । ଲାବଣ୍ୟମୟୀ ସେଠାରେ ଠିଆ ହୋଇ ଡାକିଲେ–‘‘ହାରା–ଓ–ହାରା ।’’

 

ଭିତରୁ ଉତ୍ତର ଶୁଭିଲା । ଝରକା ପାଖରେ ଜଣେ ସୁନ୍ଦରୀ ତରୁଣୀ ଦେଖାଦେଲେ । ଲାବଣ୍ୟମୟୀ ତାଙ୍କୁ କିଛି କହିବା ପରେ ତାଙ୍କର ପରିଚୟ ଦେଲେ, ‘‘ଏହାଙ୍କର ଶୁଭ ନାମ ହାରାବତୀ ।’’ ମୁଁ ନମସ୍କାର କଲି । ଆଉ ଗୋଟିଏ ଝରକା ଶବ୍ଦ କରି ଖୋଲିଗଲା । ଆଲୁଅର ଝଲକ ପଡ଼ିଲା ଆମ ଉପରେ । ଲାବଣ୍ୟମୟୀ ସେମାନଙ୍କୁ ମୋର ପରିଚୟ ଦେବାକୁ ଉଦ୍ୟତ ହେବାରୁ ମୁଁ ଆଗତୁରା ଭଦ୍ରତା ଖାତିର୍‍ରେ ନମସ୍କାର କଲି । ସେମାନେ ପ୍ରତିନମସ୍କାର ଜଣାଇ କହିଲେ, ‘‘ସୁନ୍ଦର ଚେହେରା ତ ! ଭିତରକୁ ଆସନ୍ତୁ ।’’

 

ମୁଁ ଅପ୍ରତିଭ ହେଲି । –ସିନେମାର ସମୟ ମଧ୍ୟ ହେଇ ଆସିଲାଣି । ଲାବଣ୍ୟମୟୀ ‘‘ପରେ ଆସିବେ’’ କହି ବାହାରିଲେ ।

 

କିଛି ଦୂର ଆଗେଇବା ପରେ–ସନ୍ଦେହ ହେଲା .. । ସେମାନେ ସମସ୍ତେ ବେଶ୍ୟା !

 

–ଆଃ, କି ଲଜ୍ଜ୍ୟାକର ପରିସ୍ଥିତି ! ଆଉ ମୁଁ ତାଙ୍କୁ ସମ୍ମାନ ଦେଇଥିଲି ... ! ଲଜ୍ଜ୍ୟାରେ ମୋର କାନମୂଳ ତାତି ଉଠିଲା ।

 

ଲାବଣ୍ୟମୟୀଙ୍କର ରୁଚି ଆଉ ସଭ୍ୟତା ଜ୍ଞାନ ! ଘୃଣା ଓ କ୍ଷୋଭ !

 

ଘୋଡ଼ାଗାଡ଼ିରେ ବସିବା ପରେ ଶେଫାଳିକାଙ୍କର ଏତେକ୍ଷଣ ଧରି ନୀବରତା ଭାଙ୍ଗି ଯାଇଥିଲା । ସିନେମା ଦେଖି ଫେରିବା ପର୍ଯ୍ୟନ୍ତ ତାଙ୍କର ସ୍ଫୂର୍ତ୍ତି ଏବଂ ପ୍ରଫୁଲ୍ଲତା କ୍ଷଣକ ପାଇଁ ସୁଦ୍ଧା କମି ନ ଥିଲା–

 

ସେ ଦିନର କି ଗୋଟାଏ ପୌରାଣିକ ଚିତ୍ର । ଶେଫାଳିକା ମୋ ପାଖକୁ ଲାଗି ବସିଥିଲେ–ଲାବଣ୍ୟମୟୀ ଶେଷ କଡ଼ରେ ।

 

ଶେଫାଳିକାଙ୍କର ଅନେକ ଅବାଞ୍ଛିତ ଅରୁଚିକର ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା ମୋତେ । ରୁପେଲି ପରଦା ଉପରେ ଉଚ୍ଛୃଙ୍ଖଳ ବାସନାର ଅଭିନୟବେଳେ କୌଣସି ଅର୍ଥ ନେଇ ମୋର ବାହୁ ଚିପିବା ଅନୁଭବ କରିଥିଲି । –ସମୟ ସମୟରେ ଅତରମଖା କେଶଭାର, ମୋର ଛାତି ଉପରେ ଲୋଟାଇ ଦେଇ ସେ ନିଶ୍ଚେଷ୍ଟ ହୋଇ ଆଉଜି ରହୁଥିଲେ କେଉଁ ଗୋଟାଏ କାଳ୍ପନିକ ଆତ୍ମତୃପ୍ତି ନେଇ । –କି ଗୋଟାଏ ଉତ୍ତାଳ ଛନ୍ଦ ତାଙ୍କର ଛାତି ଭିତରେ ଘୂରି ଲାଗିଥିଲା–ଯାହାର ପ୍ରକାଶ ରୋକିବାକୁ ତାଙ୍କର ସାଧ୍ୟ ନଥିଲା ।

 

କିନ୍ତୁ ପ୍ରତିବାଦ କରିବା କିମ୍ୱା ସାବଧାନ କରାଇ ଦେବା ମୋର ଅସାଧ୍ୟ ମନେ ହେଲା । ବିବେକର ପ୍ରତିବାଦ ସତ୍ତ୍ୱେ ତାଙ୍କର ଭାଷା ସ୍ପର୍ଶରେ ଗୋଟାଏ କୋମଳ ମାଦକତା ଅନୁଭବ କରିଥିଲି ।

 

ଆଜି ମୁଁ ଚାଲିଯିବି ।

 

କିଶୋର ଫେରି ଆସିଛନ୍ତି । ଶେଫାଳିକା ପ୍ରଫୁଲ୍ଲ । ମୋର ମନ ଭିତରେ ମଧ୍ୟ ଈର୍ଷାର ସ୍ଥାନ ପାଇଲି ନାହିଁ । ଶେଫାଳିକାଙ୍କୁ ମୁଁ କ୍ଷମା ଦେଇ ପାରିଛି । ଗ୍ଳାନି ନାହିଁ–କେବଳ ସ୍ନେହ ଆଉ ମଙ୍ଗଳ କାମନା ।

 

ସକାଳ ଅନ୍ଦାଜ ଦଶଟା ବେଳେ ମୁଁ ପହଞ୍ଚିଲି । ଲାବଣ୍ୟମୟୀ ଏକାକୀ ଥିଲେ । ‘‘ମୁଁ ଆଜି ଚାଲିଯିବି ମା’–ଶେଫାଳିକା କାହାନ୍ତି ?’’

 

ଶେଫାଳିକା ତଳ ଘରେ କିଶୋର ସହିତ ଆଳାପ କରୁଥିଲେ ।

 

ଲାବଣ୍ୟମୟୀଙ୍କର ମନଟା ଟିକିଏ ଦବି ଯାଇଥିଲା । ମୋର ଚାଲିଯିବା ଖବର ମୁଁ ତାଙ୍କୁ ଆଗରୁ ହିଁ ଜଣାଇ ଦେଇଥିଲି–ମଧ୍ୟ ଗତ ଦିନ ଆସି ନଥିଲି ।

 

ଶେଫାଳିକା ଦଉଡ଼ି ଆସି ପହଞ୍ଚିଲେ । ମୁହଁରେ ଉଛୁଳା ଆନନ୍ଦ–ମୁଁ ଖୁସି ହେଲି । ଲାବଣ୍ୟମୟୀଙ୍କ ମୁହଁରେ ମଧ୍ୟ ଖୁସିର ଆଭା ।

 

‘‘ଆପଣ ତାଙ୍କୁ ଦେଖିବେ ବୋଲି କହୁଥିଲେ ପରା ? ରହନ୍ତୁ, ମୁଁ ଡାକି ଦେଉଛି ।’’ ସେ ପୁଣି ଦଉଡ଼ି ଦଉଡ଼ି ଚାଲିଗଲେ ।

 

କିଛି ସମୟ ପରେ ଲାଜେଇ ଲାଜେଇ ପଶି ଆସିଲେଜଣେ ଯୁବକ–ଚିକ୍‍କଣ କଳା–ଗଠନ ସୁନ୍ଦର ଆଉ ବେଶ୍‍ ଉଚ୍ଚ । –ଲାବଣ୍ୟମୟୀ କପେ ଚାହା ତାଙ୍କୁ ବଢ଼ାଇ ଦେଲେ । କିନ୍ତୁ ଯେତେ ଇଚ୍ଛା ହେଉଥିଲେ ମଧ୍ୟ ମୁଁ ତାଙ୍କୁ ଅଭିବାଦନ କରି ପାରିଲି ନାହିଁ– । ଧନୀର ଆଭିଜାତ୍ୟ ? ସ୍ନେହର ଈର୍ଷା ? –ହୁଏତ ଶେଫାଳିକାଙ୍କର ଆପଣାର ବୋଲି ପରିଚୟ ଦେବାକୁ ମୋର ସାହାସ ବା ଇଚ୍ଛା ନଥିଲା–ବିଶେଷତଃ ଲାବଣ୍ୟମୟୀ ଯେତେବେଳେ ଏ ପର୍ଯ୍ୟନ୍ତ ଦୁଇଜଣଙ୍କୁ ପରିଚିତ କରାଇ ଦେଉ ନାହାନ୍ତି ।

 

କିଶୋର ନୀରବରେ ଚାହା କପ୍‍ ରେ ଚୁମୁକ ଦେଲେ ।

 

ମୁଁ ରୁମାଲଟା ପକାଇ ବସିବାକୁ ଚେଷ୍ଟା କରୁଥିବା ଦେଖିପାରି ସେ ଶେଫାଳିକାଙ୍କୁ ତାଗିଦ୍‍ କଲେ, ‘‘ଆସନଟା ନେଇ ଆସୁନା ।’’

 

ଆସନ ଖଣ୍ଡିକ ପାଇ କିଶୋରଙ୍କୁ ଧନ୍ୟବାଦ ଦେବାକୁ ମୋର ଇଚ୍ଛା ହେଉଥିଲା । ...ପାରିଲି ନାହିଁ ।

 

ଶେଫାଳିକା ଦି ଚାରିଟା ବିସ୍କୁଟ କିଶୋରଙ୍କୁ ମାଡ଼ି ଖୁନ୍ଦି ଖୁଆଇ ଲାଗିଲେ । କିଶୋର ବାରଣ କରିବାକୁ ଯାଇ ବିସ୍କୁଟ୍‍ ଚାପରେ ଶବ୍ଦ କରି ପାରିଲେ ନାହିଁ । ବରଂ ଆତ୍ମରକ୍ଷା ଦୃଷ୍ଟିରୁ ସେତକ ଗଳାଧଃକରଣ କରିବାକୁ ବାଧ୍ୟ ହେଲେ । ମୁଁ ହସି ଉଠିଲି । ଘରର ବାତାବରଣ ହାଲୁକା ଜଣାଗଲା ।

 

କିଶୋର ଖାଇସାରି ଉଠିଗଲେ । ଶେଫାଳିକା ପ୍ରତି ତାଙ୍କର ପ୍ରେମ ଆଖି ଆଉ ବ୍ୟବହାରରେ ଫୁଟି ଉଠିଥିଲା । ଯୁଗଳ ପକ୍ଷୀ–କିଶୋର ଆଉ ଶେଫାଳିକା । –କଳ୍ପନାର ରଙ୍ଗ ଦେଇ ଖୁସି ହେଲି ।

 

ଗୋଟାଏ ଆକସ୍ମିକ ସନ୍ଦେହ । –କିଶୋର ଯଦି ଶେଫାଳିକାଙ୍କୁ ଉପେକ୍ଷା କରି ଚାଲି ଯାଆନ୍ତି ? –ଲାବଣ୍ୟମୟୀଙ୍କଠାରୁ ତାଙ୍କର ଇତିହାସ କିଛି ଶୁଣିଥିଲି– । ତେବେ ବିବାହ ନିଶ୍ଚିତ ହୋଇଛି ଆସନ୍ତା ମାଘରେ ।

 

ତଳୁ ଡାକ ଶୁଭିଲା–‘‘ଶେଫାଳିକା !’’

 

‘‘ହଁ, ହଁ ।’’ ଶେଫାଳିକାଙ୍କର ଆଖିରେ ଆନନ୍ଦ ଆଉ ଉଦ୍‍ବେଗ । କିଶୋରଙ୍କ ଅନୁରୋଧରେ ତଳକୁ କିଛି ଗୋଟାଏ ଫିଙ୍ଗି ଦେଇ ସେ ଖିଲି ଖିଲି ହସି ଉଠିଲେ । କିଶୋର ଚାଲିଗଲେ–ଶେଫାଳିକା ଆଗ୍ରହରେ ଅନାଇ ରହିଲେ ସେଇଆଡ଼େ । –ହଠାତ୍‍ ମୋର ମନଟା କାହିଁକି କରୁଣ ହୋଇଗଲା ।

 

–ଏହି କରୁଣତା ଯେପରି ବଢ଼ି ଆସୁଥିଲା ଅଲକ୍ଷ୍ୟ ଅନ୍ଧାରରେ । ଲାବଣ୍ୟମୟୀ ମୋ ଆଡ଼କୁ ଚାହିଁ ସ୍ମିତ ହସିଲେ । ମୁଁ ମଧ୍ୟ ହସିବାର ଚେଷ୍ଟା କଲି ।

 

ଶେଫାଳିକା ପଚାରିଲେ–‘‘ମୁକ୍ତାମାଳ ଆଣିଛନ୍ତି ?’’

 

‘‘ଆରେ, ସତେ ତ !’’ ବରାଦ ମୁଁ ଭୁଲି ନ ଥିଲି । କିନ୍ତୁ ଘଟଣା–ଗୁଡ଼ିକ ଏତେ ଶୀଘ୍ର ଘଟି ଯାଇଥିଲା, ଯେ ମୋର କହିବାର ଅବକାଶ ନ ଥିଲା । ତା ଛଡ଼ା କିଶୋର ହୁଏତ କିଛି ଭାବିଥାନ୍ତେ ।

 

–ଶେଫାଳିକାଙ୍କର ଆଖି ଦିଓଟି ଚକ୍‍ ଚକ୍‍ କଲା ଆନନ୍ଦରେ । ଲାବଣ୍ୟମୟୀଙ୍କର କାନରେ ସେ ତୁନି ତୁନି କିଛି କହି ଲାଗିଲେ । ଲାବଣ୍ୟମୟୀ ମୋତେ ଜଣାଇଦେଲେ, ‘‘ଶେଫାଳିକାର ଇଚ୍ଛା–ତୁମେ ତାକୁ ପିନ୍ଧାଇ ଦେବ ।’’

 

ଭିନ୍ନ ଅର୍ଥରେ ନ ନେଲେ ମୋର ଆପତ୍ତି ନ ଥିଲା । କିଛି ସମୟ ନାମଙ୍ଗ ହେବା ପରେ ରାଜି ହେଲି । ଶେଫାଳିକା ଶାନ୍ତ ପିଲାଟି ପରି ଆଖି ବୁଜି ମୋ ଆଗରେ ଠିଆ ହେଲେ ।

 

କବାଟଟା ଖୋଲା ଥାଏ । କେତେଜଣ ପଡ଼ୋଶୀ ସ୍ତ୍ରୀ ଏ ଦୃଶ୍ୟ ଦେଖୁଥିବାର ଜାଣି ପାରିଲି: ଲଜ୍ଜ୍ୟା ହେଲା । –ତେବେ ଲାବଣ୍ୟମୟୀ ଅଛନ୍ତି, କେହି ମୋତେ ଅପରାଧୀ କରିବେ ନାହିଁ-

 

–ଶେଫାଳିକାଙ୍କର ଦୁଷ୍ଟାମି ବଢ଼ି ଲାଗିଲା । ସେ ଥରକୁଥର କୁଣ୍ଢାଇ ପକାଇ କହି ଲାଗିଲେ–‘‘ଦେଖ ତ । ଆମର ଉଚ୍ଚତା କ’ଣ ଠିକ୍‍ ହେଉ ନାହିଁ । ମୁଁ ଯଦି ତୁମକୁ ବାହା କରେ–କ’ଣ ଭଲ ମାନିବ ନାହିଁ ?’’

 

କି ଦୁଃସାହସ ! ଲଜ୍ଜ୍ୟା ଆଉ କୃତ୍ରିମ ରୋଷ ନେଇ ତାଙ୍କ ପିଠିରେ ଗୋଟାଏ ବିଧା ମାରିଲି । –ଦୁଷ୍ଟାମି ବନ୍ଦ ହେଲା । ସାମନାର ସ୍ତ୍ରୀ କେତେଜଣ ହସି ହସି ଚାଲିଗଲେ ।

 

‘‘ଆଚ୍ଛା, ତେବେ ଆସେ ।’’ ମୁଁ ଯିବାକୁ ଉଦ୍ୟତ ହେଲି ।

 

–ଦେଖିଲି ଶେଫାଳିକାଙ୍କ ମୁହଁ ସାଙ୍ଗେ ସାଙ୍ଗେ ଶୁଖିଗଲା । କାମ ବାହାନାରେ ସେ ଚାଲିଗଲେ ଆର କୋଠରୀକୁ ।

 

ଲାବଣ୍ୟମୟୀ ଗମ୍ଭୀର ଦେଖାଦେଲେ । ଧୀର ଭାବରେ କହିଲେ, ‘‘ଶୁଣ, ଶୁଣ, ଟିକିଏ ବସ ।’’ ଚିନ୍ତାର ରେଖା ତାଙ୍କର କପାଳରେ ସ୍ପଷ୍ଟ ହୋଇ ଉଠିଥିଲା । –ମୁଁ କୁଣ୍ଠିତ ହୋଇ ବସି ରହିଲି । ଶେଫାଳିକା ସେ ପାଖରୁ କ’ଣ ଗୋଟାଏ ସୁର୍‍ ଧରିଥାନ୍ତି । ମୁଁ ଆସିବା ଦିନଠାରୁ ଅନେକ ଅନୁରୋଧ ସତ୍ତ୍ୱେ ସେ ମୋତେ ଗୀତ ଶୁଣାଇ ନାହାନ୍ତି ।

 

ଲାବଣ୍ୟମୟୀ ବହୁକ୍ଷଣ ଧରି ନୀରବ ରହିଲେ । ଶେଫାଳିକାଙ୍କର ସ୍ୱର କ୍ରମଶଃ ସ୍ପଷ୍ଟ ହୋଇ ଉଠିଲା । –କୌଣସି ଗୋଟାଏ କରୁଣ ବଙ୍ଗଳା ସଙ୍ଗୀତ । –ଲାବଣ୍ୟମୟୀ ମୋ ଆଡ଼କୁ ନ ଦେଖି ଝରକାଆଡ଼କୁ ଚାହିଁ ରହିଲେ ।

 

ଶେଫାଳିକାକଙ୍କର ଦରଦଭରା କଣ୍ଠ ଥରି ଉଠିଲା । ଏତେ ସୁନ୍ଦର ସେ ଗାଇ ପାରନ୍ତି । କିନ୍ତୁ ଆଜି–ଏଇବେଳେ....

 

ଦୀର୍ଘନିଃଶ୍ୱାସ ଛାଡ଼ି ଗୋଟାଏ ଶୁଖିଲା ହସର ଚେଷ୍ଟା କରି ଲାବଣ୍ୟମୟୀ ଆରମ୍ଭ କଲେ, ‘‘ତୁମେ ଚାଲିଯାଉଛ ଶୁଣି ମୋର ମନ ଯେ କ’ଣ ହେଉଛି– । ମୋର ଜୀବନ କାହାଣୀ ତୁମକୁ ଆଗରୁ ହିଁ ଶୁଣାଇଛି । ବାପା–ମୋର ଭୁଲ୍‍ ଯୋଗୁ ଆଜି ଶେଫାଳିକାର ଏଇ ଦଶା । ମା’ର ମନ ମୋର । –ଶେଫାଳିକା ଅବଶ୍ୟ କିଶୋରକୁ ପ୍ରାଣ ଭରି ଭଲପାଏ । କିନ୍ତୁ କିଶୋର ଉପରେ ମୋର ଆସ୍ଥା ନାହିଁ । –କ’ଣ କରିବି, କହ ତ ।’’

 

ଏଇ ଅସଂଲଗ୍ନ ବାକ୍ୟ ଗୁଡ଼ିକରେ ତାଙ୍କର ଯେଉଁ ଆଶ୍ଳେଷ ଫୁଟି ଉଠିଥିଲା–ମୁଁ ତାକୁ ବୁଝି ପାରିଥିଲି ।

 

‘‘ଆପଣ ଆଉ କ’ଣ କରି ପାରିବେ ମା’ । ଯାହା ହେବାର ଥିବ–ହେବ ।’’

 

‘‘କପାଳ ।’’ ସେ ପୁଣି ଦୀର୍ଘଶ୍ୱାସ କପାଳ ଠୁକି ଭାବାବିଷ୍ଟ ହେଲେ । –ଶେଫାଳିକାଙ୍କର ସୁର୍‍ ଥରି ଉଠିଲା ଏଥର ଉଚ୍ଚରେ–ବକ୍ଷଫଟା ସୁର୍‍ । ମୁଁ ଅସ୍ଥିରତା ଅନୁଭବ କଲି... ।

 

‘‘ଆଚ୍ଛା ବାପ,’’ ଲାବଣ୍ୟମୟୀ ସ୍ମିତ ହସି ଆରମ୍ଭ କଲେ । ତାଙ୍କର କଥାରେ ଆଉ ଶ୍ଳେଷ ନ ଥିଲା । ‘‘ବଡ଼ଲୋକ ଘରେ ଅନ୍ତଃସତ୍ୱା ଥିଲେ ମଧ୍ୟ ଯୁବତୀ ଝିଅକୁ ଔଷଧ ପ୍ରୟୋଗ କରି ସନ୍ତାନ ନଷ୍ଟ କରାଇ ବାହା ଦେଉଛନ୍ତି–ନୁହେଁ ?’’

 

କଥାର ଗତି ନ ବୁଝି ‘ହଁ’ କଲି ।

 

‘‘କିଶୋର ସହିତ ଶେଫାଳିକାର ‘ଭାଲୋବାସା’ ଏଇ ମାତ୍ର ମାସେ ହେଲା’’ । ସେ ତୁନି ରହିଲେ । –ମୁଁ ବିସ୍ମିତ ହୋଇ ଅନେଇ ଥାଏ ।

 

ସ୍ୱରକୁ ସେ ଆହୁରି କୋହଳ କରିନେଲେ । ‘‘ତୁମେ ଯିବା ଜାଣି ବିଚାରୀର ମନଟି ଖରାପ ହୋଇଗଲା ।’’ ଶେଫାଳିକାଙ୍କୁ ଉଦ୍ଦେଶ୍ୟ କରି ସେ କହୁଥିଲେ । –ସେ ସଙ୍ଗୀତ ମୋତେ ବିଚଳିତ କରିବାର ଅନୁଭବ କରୁଥିଲି ।

 

ଶେଫାଳିକାକୁ ବିବାହ କରିବାରେ ତୁମର କିଛି ଆପତ୍ତି ଅଛି ବାବା ?’’ ମୁଁ ଚମକି ପଡ଼ିଲି ଯେପରି । ‘‘ଯଦି କିଶୋର ସହିତ ତା’ର ଭାଲୋବାସା ହେଇ ନଥାନ୍ତା–ତେବେ ତୁମେ ଗ୍ରହଣ କରିଥାନ୍ତ–ନା ?’’

 

ଏ ପ୍ରଶ୍ନ ମୋ ପକ୍ଷରେ ଅପ୍ରତ୍ୟାଶିତ । –ଶେଫାଳିକାଙ୍କୁ ବିବାହ କରି ମୁଁ ପ୍ରକୃତରେ ଖୁସି ହୋଇପାରି ନଥାନ୍ତି । ଆଉ ଶେଫାଳିକା ମଧ୍ୟ ମୋ ପାଖରେ ଖୁସି ହେବା ସମ୍ଭବ ନୁହେଁ । କିଶୋରଙ୍କୁ ଭୁଲିଯିବା ତାଙ୍କ ପକ୍ଷରେ ଅସମ୍ଭବ । ଜୀବନ ସାରା ସେ କେବଳ ଅନୁତାପ କରି ବସିବେ ସିନା ? –ଏଣେ ଚାମେଲୀ । କାହା ଆଗରେ ପ୍ରକାଶ ନ କରି ମଧ୍ୟ ମୁଁ ଯେ ତାଙ୍କୁ ଅନ୍ତରେ ଅନ୍ତରେ ପ୍ରେମ କରେ–ସେ କଥା ମୁଁ ଭୁଲିଯିବି କିପରି ?

 

‘‘ନା–ମା, ଅସମ୍ଭବ ।’’

 

ଏଇ ସମୟରେ ଶେଫାଳିକା ଆସି ମା’ ପାଖରେ ବସି ପଡ଼ିଲେ । ନେଇଥିବା ମୁକ୍ତା ମାଳଟିକୁ ମୋଚି ମୋଚି ଭିନ୍ନ ଭିନ୍ନ ଆକୃତି ଦେଇ କହୁଥାନ୍ତି–‘‘ହଁ, ଏଥର ଠିକ୍‍ ହେଲା ।’’

 

‘‘ତୁମର ତାହାହେଲେ ଆଉ କାହା ସହିତ ଭାବ ଅଛି–ନା ?’’ ଲାବଣ୍ୟମୟୀ ପ୍ରଶ୍ନ କଲେ, ଟିକିଏ ଗୁମ୍‍ ମାରି କହିଲି–‘‘କଥାଟା ମିଛ ନୁହେଁ ।’’

 

‘‘କିଏ ?’’ ଲାବଣ୍ୟମୟୀଙ୍କ କଣ୍ଠରେ ଉତ୍‍କଣ୍ଠା ।

 

ଏ ପ୍ରଶ୍ନର ଉତ୍ତର ଦେବାକୁ ମୋର ଇଚ୍ଛା ନଥିଲା ।

 

‘‘କ’ଣ କହିବାକୁ ଲାଜ ମାଡ଼ୁଛି ?’’

 

କଥାଟାକୁ ନିହାତି ସ୍ୱାଭାବିକ ଭଙ୍ଗୀରେ ନେବାର ଛଳନା କଲି । ‘‘ନା–ସେପରି କିଛି ନୁହେଁ । କିନ୍ତୁ ଆମ ଦୁହିଁଙ୍କର କେବେ ହେଲେ ଖୋଲାଖୋଲି ଆଳାପ ହୋଇନାହିଁ–ମନ କଥା ମନରେ ।’’

 

‘‘ନାମ କ’ଣ ?’’

 

‘‘ଚାମେଲୀ ।’’

 

ଶେଫାଳିକାଙ୍କର ମୁହଁଟି ଝାଉଁଳି ଯାଇଥାଏ ।

 

‘‘ସୁନ୍ଦରୀ ହୋଇଥିବ ନିଶ୍ଚୟ ?’’ ଲାବଣ୍ୟମୟୀ ପୁଣି ପ୍ରଶ୍ନ କଲେ । ଶେଫାଳିକା ଉତ୍ତର ଶୁଣି ବ୍ୟଥା ପାଇବେ ଜାଣିଥିଲି । ବେଖାତିର୍‍ର ଛଳନା କରି କହିଲି–‘‘ହଁ–ଅ,ସେ–ମି–ତି ।’’

 

‘‘ମୋଠାରୁ ମଧ୍ୟ ସୁନ୍ଦରୀ ?’’ ଶେଫାଳିକାଙ୍କ କଣ୍ଠରେ ଚଞ୍ଚଳତା । ଅଭିମାନିନୀ ! ମନକୁ ଉଶ୍ୱାସ କରାଇବା ପାଇଁ ତାଙ୍କର ଗାଲକୁ ଟିପିବା ପାଇଁ ହାତ ବଢ଼ାଇଲି । ସେ ମୋର ହାତ ଏଡ଼ାଇ ଦେଇ ମୁହଁ ଫେରାଇ ନେଲେ । ଲାବଣ୍ୟମୟୀ ଦୀର୍ଘ ନିଃଶ୍ୱାସ ଛାଡ଼ି କହିଲେ–‘‘କପାଳ ।’’

 

–ମୁଁ ଯିବାକୁ ବାହାରିଲି । ଶେଫାଳିକା ଗୋଟିଏ କ’ଣରେ ଛିଡ଼ାହୋଇ ରହିଲେ । ଆଖି ଦୁଇଟି ଛଳ ଛଳ ।

 

‘‘ମୁଁ ତେବେ ଆସେ ।’’

 

ଲାବଣ୍ୟମୟୀ ଉଠି ଠିଆ ହେଲେ ।

 

ଶେଫାଳିକା ମୋର ପାଦ ବନ୍ଦନା କଲେ । ମୁଣ୍ଡ ଉପରେ ହାତ ବୁଲାଇ ଆଣି ଆଶୀର୍ବାଦ କଲି । ଲୁହ–ଭିଜା ଗାଲ ମଝିରେ ସେଇ ଶୁଖିଲା ହସଟି... ।

 

ଲାବଣ୍ୟମୟୀ ମୋ ପଛେ ପଛେ ରାସ୍ତା ପର୍ଯ୍ୟନ୍ତ ଆସିଥିଲେ ।

 

‘‘ପୁଣି କେବେ ଆସିବ ବାବା, ଚିଠି ଦେବ ।’’

 

‘‘ହାଁ’’ ମୁଁ ମୁହଁ ଫେରାଇଲି ।

 

ଜୀବନର ଅନୁଭୂତି !

 

ଛୁଟି ଶେଷ ହେବାକୁ ଆହୁରି ବାକି ଅଛି ।

 

ହଷ୍ଟେଲଟା ପ୍ରାୟ ଫାଙ୍କା । ରାମସ୍ୱରୂପ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି–ଲକ୍ଷ୍ନୌର ଅନୁଭୂତି ମନ ଭିତରଟା ପୂର୍ଣ୍ଣ କରିଥାଏ । କିନ୍ତୁ କେହି ନାହାନ୍ତି, ଯାହା ଆଗେ ସବୁକଥା କହି ମନକୁ ଟିକିଏ ହାଲୁକା କରିପାରେ ।

 

ଶେଫାଳିକା... ! କିଶୋର ପ୍ରତି ପ୍ରେମ ଥିବା ସତ୍ୱେ ମୋ ପ୍ରତି ସେ ଆକୃଷ୍ଟ ହେବାର କାରଣ ? –ମୋର ଚେହେରା, ଧନ ଆଉ ଶିକ୍ଷା ? କିନ୍ତୁ କିଶୋରଙ୍କର ଗଠନ ତ ମନ୍ଦ ନୁହଁ–ଚେହେରାରେ ଗୋଟାଏ ଆକର୍ଷଣ–ବ୍ୟବହାରରେ ଭଦ୍ରତା !

 

ଯାହାହେଉନା କାହିଁକି, ଜଣକୁ ପ୍ରେମ କରିବା ସତ୍ୱେ ସେ ଯଦି ମୋଠାରୁ ପ୍ରେମ ଚାହାନ୍ତି–ତେବେ ମୁଁ କ’ଣ ତାକୁ ଚରିତ୍ରହୀନତା... ? ନା–ସେଇଟା ମୋର ଭୁଲ୍‍ ବୁଝାହୋଇପାରେ-

 

–ବିଚରୀ ହୁଏ ତ ଦୁର୍ବଳା । ଜଣେ ଧନୀ, ଶିକ୍ଷିତ, ସୁନ୍ଦର ସ୍ନେହଶୀଳ ଯୁବକକୁ ଯଦି ନିରୋଳାରେ ନିଜ ପାଖରେ କୌଣସି ବିତ୍ତହୀନ ପରିବାରର ନୂତନା ଯୁବତୀ ପାଏ–ତେବେ ତା’ର ଆକର୍ଷଣ ବା ପ୍ରେମ ବଢ଼ିବା କ’ଣ ସ୍ୱାଭାବିକ ନୁହେଁ– ? ପୁଣି ସେ ଯଦି ବଢ଼ି ଆସିଥାଏ–ତା’ର ଚାରିପାଖର ଏକ ଲାଳସାମୟ ବାତାବରଣ ଭିତରେ–ଯେଉଁଠି...

 

–ହାୟରେ ବିଚାରୀ । ...ଶେଫାଳିକାଙ୍କର ସୁନ୍ଦର ମୁହଁ ଖଣ୍ଡିକ ଭାସିଉଠେ ଆଖି ଆଗରେ । –ପାଗଳିନୀ–ଦୁଷ୍ଟାମିଭରା–ଲଜ୍ଜ୍ୟାଶୀଳା–କରୁଣ–ଅଭିମାନିନୀ...ଶେଫାଳିକା । –ବନ୍ଦ କରେ ।

 

ତଥାପି ପାରେ ନାହିଁ... !

 

କଥା ଶେଷରେ ଫିକା ଜହ୍ନଟା ଆଡ଼କୁ ଅନେଇ ରାମ ସ୍ୱରୂପ କହିଲେ, ‘‘ମୁଁ ତ ସେଥିପାଇଁ ତୁମକୁ ମନା କରିଥିଲି । ଅବଶ୍ୟ ମୁଁ ଜାଣେ–ତୁମେ ମୋର କଥା ମାନିବା ଅବସ୍ଥାରେ ନ ଥିଲ । ...ତୁମର ଗୋଡ଼ ଯେ କେତେ ତଳକୁ ଖସିଗଲାଣି । ...ଛାଡ଼, ରକ୍ଷା ହେଇଛି–ତୁମେ ତାକୁ ବିବାହ କରିବାକୁ ସମ୍ମତି ଦେଇନାହିଁ ।’’

 

ରାମସ୍ୱରୂପଙ୍କ କଥାରେ କିଛି ଟାଆଁସା ଥିଲେ ମଧ୍ୟ ମନଟା ମୋର ହାଲୁକା ହେଇ ଆସିଲା । ଆଶଙ୍କା ଥିଲା–ସେ ବିରକ୍ତ ହୋଇ ମୋ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ବସିବେ । କିନ୍ତୁ–ଜହ୍ନ ଆଲୁଅ ପଡ଼ିଥିବା ତାଙ୍କର କପାଳ ଉପରେ ମୁଁ ସମବେଦନାର ଚିହ୍ନ ଦେଖି ପାରିଥିଲି–ମୋର ମନେ ହେଲା–କେବଳ ମୋ ପ୍ରତି ନୁହଁ, ଶେଫାଳିକା ପ୍ରତି ମଧ୍ୟ ।

 

ପରକ୍ଷଣରେ ଶୁଣିଲି ‘‘କେତେ ଫିସାଦ୍‍ ଜାଣନ୍ତି ସେମାନେ ?’’ –ବିରକ୍ତି ସୁସ୍ପଷ୍ଟ ।

 

କିଛି ସମୟରେ ନୀରବରେ ବସି ରହିଲୁ । ସେ କ’ଣ ଭାବୁଥାନ୍ତି କେଜାଣି । ମୁଁ ନିଜକୁ ନିତାନ୍ତ ଅପରାଧୀ ମନେ କରୁଥାଏ ତାଙ୍କ ପାଖରେ–ଆଉ କିଛି ସମୟ ତଳେ ଯାହା କହିଥିଲି–ସେଗୁଡ଼ିକ ମନ ଭିତରେ ଖେଳି ବୁଲୁଥାଏ ।

 

ଶୋଇବା ପୂର୍ବରୁ ରାମ ସ୍ୱରୂପ ନିଜର ଜଳନ୍ତା ସିଗାରେଟ୍‍ ଖଣ୍ଡିକ ଦୁଇ ଆଙ୍ଗୁଠିରେ ବୁଲାଉ ବୁଲାଉ ତାରି ଉପରେ ଦୃଷ୍ଟି ରଖି ଗମ୍ଭୀର ଭାବରେ କହିଲେ–‘‘ସରୋଜ ।’’

 

ମୁଁ ମଶାରି ଭିତରେ ପଶିବାକୁ ଚେଷ୍ଟା କରୁଥିଲି ।

 

‘‘ମୋର ଗୋଟାଏ ଅନୁରୋଧ ରଖିବ ?’’

 

ଅଜାଣତ ଆଶଙ୍କା ନେଇ ଧୀର ସ୍ୱରରେ ପଚାରିଲି–‘‘କ’ଣ ?’’

 

ଶେଫାଳିକା ସହିତ ଚିଠିପତ୍ର ଦିଆନିଆ ଆଜିଠାରୁ ବନ୍ଦ କରି ଦେବାକୁ ହେବ ।’’

 

ନିରୁତ୍ତର ହେଲି ।

 

‘‘ମୁଁ ତୁମ ଭଲ ପାଇଁ କହୁଛି–ତୁମର ବନ୍ଧୁ ହିସାବରେ ।’’

 

ଉତ୍ତରର ଅପେକ୍ଷା ନ ରଖି ସିଗାରେଟ୍‍ଟାକୁ ପାଂଶପାତ୍ରରେ ଲିଭାଇ ଦେଇ ସେ ମଶାରି ଭିତରେ ପଶିଗଲେ ।

 

ମୁଁ ନିଶ୍ଚିନ୍ତ ହୋଇପାରି ନଥିଲି । ବିଚାରୀର ଏତେ ପ୍ରେମର ପ୍ରତିଦାନ ତେବେ କ’ଣ ଏଇଆ ? ସେ ହୁଏତ ଭୁଲ କରିଥାଇପାରେ–ତଥାପି ମୋର ସ୍ନେହ ପାଇବାପାଇଁ ତା’ର ଯେ ଦାବି ଅଛି–ସେଥିରେ ତ ଭୁଲ ନାହିଁ । ଫିସାଦ୍‍ ? ହେଲା ବା ସେଇଆ–ତଥାପି ମୁଁ କ’ଣ ମୋର ମନର ଆକର୍ଷଣ ବିରୁଦ୍ଧରେ ଯାଇପାରିବି ?

 

କ୍ଳାସ ଆରମ୍ଭ ହୋଇଗଲାଣି–ଡକ୍ଟର ଶାହା ତାଙ୍କର ଚିରାଚରିତ ରହସ୍ୟ ସୃଷ୍ଟି କରି ପ୍ରତ୍ୟାଶିତ ଉଚ୍ଛ୍ୱଳ ହସ ଆଦାୟ କରି ଲାଗିଛନ୍ତି । ଶ୍ରୀଯୁକ୍ତ ମେହେଟା ତାଙ୍କର ଅପ୍ରତିହତ ରେକର୍ଡ଼ ଚଳାଇ ଲାଗିଲେଣି ପିରିଅଡ଼ ଆରମ୍ଭରୁ ଶେଷଯାଏ । ଶ୍ରୀଯୁକ୍ତ ମିଶ୍ର ମଧ୍ୟ ନିଜର ଚାନ୍ଦିଆ ମୁଣ୍ଡ ଆଉ ଗୋରା ବାଙ୍ଗରା ଶରୀର ଉପସ୍ଥାପିତ କରିଛନ୍ତି ଟେବୁଲ ସେପାଖେ–ଗମ୍ଭୀର ଅଥଚ ଆତ୍ମପ୍ରତ୍ୟୟହୀନ ।

 

‘‘ଛୁଟିଟା କିପରି ଆନନ୍ଦରେ କଟାଇଲେ ?’’–ସମସ୍ତଙ୍କର ସେଇ ପ୍ରାଥମିକ ସମ୍ଭାଷଣ । ସମସ୍ତଙ୍କ ମୁହଁରେ ଆନନ୍ଦ–ପରିହାସ । ହାତମୂଳ ପ୍ରାସ ହେବାଯାଏ କରମର୍ଦ୍ଦନ ! କେତେଜଣ ଝିଅ ମଧ୍ୟ ଲାଜ ଲାଜ ହସ ହସ ହୋଇ ସମ୍ଭାଷଣ ଜଣାଇଥିଲେ । କିନ୍ତୁ–ମନଟା ମାନୁ ନ ଥାଏ । କିଛି ଗୋଟାଏ ଅଭାବ ରହିଯାଇଛି ଯେପରି... ଚାମେଲୀ କାହାନ୍ତି ? ଚାମେଲୀ... ?

 

ପାଞ୍ଚଟି ଦିନ କଟିଗଲାଣି । ଅଥଚ ଚାମେଲୀଙ୍କର ଦେଖା ନାହିଁ । – ଡକ୍ଟର ଶାହାଙ୍କର ରହସ୍ୟଗୁଡ଼ାକ ରସହୀନ । ମେହେଟାଙ୍କର ରେକର୍ଡ଼ ମଧ୍ୟ ଘୋଷରା । ମିଶ୍ରଙ୍କର ଦୁର୍ବଳତାର ସୁଯୋଗ ନେବା ପିଲାମାନଙ୍କର ନିତାନ୍ତ ଅଭଦ୍ରତା–

 

ସପ୍ତାହକ ପରେ– । ଶ୍ରୀଯୁକ୍ତ ଅଗ୍ରଓ୍ୱାଲା ହାଜିର୍‍ ନେଉଥାନ୍ତି–ପବନରେ ଆନନ୍ଦ ଖେଳାଇ ଚାମେଲୀ ପଶି ଆସିଲେ କ୍ଳାସ ଭିତରକୁ । ଦ୍ୱାର ମୁହଁରୁ ହିଁ ତାଙ୍କର ଆଖି ଦିଓଟିରୁ ସ୍ନେହ ଝରିଥିଲା ମୋ ଉପରେ । ଅଳପ ହସ ଆଉ ଲଜ୍ଜ୍ୟାରେ ଗାଲ ଦିଓଟି ପାଟଳ ହୋଇ ଉଠିଥିଲା । ସାଥୀମାନେ ଘୁଞ୍ଚିଗଲେ–ସେ ବସି ପଡ଼ିଲେ ମୋର ସାମନାରେ । ନା ସେ ମୋତେ ଭୁଲି ନାହାନ୍ତି–ଭୁଲିବାକୁ ଚାହାନ୍ତି ନାହିଁ ନିଶ୍ଚୟ ।

 

ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ । ତାହା ପୂର୍ବରୁ ଭିନ୍ନ ଭିନ୍ନ ବିଭାଗରେ ବତ୍କୃତା ପ୍ରତିଯୋଗିତା–ବାୟୁମଣ୍ଡଳ ସରଗରମ ହୋଇ ଉଠିଥାଏ ।

 

–ସତରେ ବା ମିଛରେ ହେଉ, ବକ୍ତା ବୋଲି ମୋର ସାଙ୍ଗ ମହଲରେ ଗୋଟାଏ ସୁଖ୍ୟାତି ଥିଲା । –ଏଇଥର କିନ୍ତୁ କୌଣସିଟିରେ ଯୋଗ ଦେବାକୁ ଇଚ୍ଛା ହେଉ ନଥାଏ । ତଥାପି...

 

...ଚାମେଲୀଙ୍କୁ ପ୍ରଶଂସା ନ କରି ରହି ପାରିଲି ନାହିଁ । ମୁଁ ତାଙ୍କୁ ଭଲ ପାଏ ବୋଲି ନୁହେଁ । କିନ୍ତୁ ତାଙ୍କର ଯୁକ୍ତି ଉପସ୍ଥାପନାର ପ୍ରଣାଳୀ ଦୃଷ୍ଟିରୁ । ହଲ୍‍ ସାରା କରତାଳି ବାଜି ଉଠିଲା । ସୁନ୍ଦରୀ ଆଉ ବୁଦ୍ଧିମତୀ ତରୁଣୀ–କଣ୍ଠରେ ସୁସ୍ୱାଦୁ ଝଙ୍କାର । ପ୍ରତିଦ୍ୱନ୍ଦୀମାନଙ୍କର ଯୁକ୍ତିର ଅସାରତା ବୁଝାଇବାରେ ପରୋକ୍ଷ ଅଥଚ ଶିଷ୍ଟ ବ୍ୟଞ୍ଜନା । –ଶ୍ରୋତୃବର୍ଗ ନିଶ୍ଚିତଭାବେ ଆକୃଷ୍ଟ ହୋଇଥିଲେ । ବିଚାରକ ନାୟାର୍‍ ଆଉ ଶ୍ରୀମତୀ ନିର୍ମଲାଙ୍କର ଆଖିରେ ମଧ୍ୟ ପ୍ରଶଂସା ।

 

ଚାମେଲୀ ପୁଣି ତାଙ୍କର ବିଶେଷତ୍ୱ ରଖି କହି ଚାଲିଲେ, ‘‘ବୀର ପୂଜା ନ କରି କୌଣସି ଜାତି କେବେ ବଡ଼ ହୋଇ ପାରିଛି ? ଯେଉଁ ବ୍ୟକ୍ତି ନିଜର ତ୍ୟାଗ ବଳରେ ଦେଶବାସୀଙ୍କ ହୃଦୟରେ ସ୍ଥାନ ଅଧିକାର କରି ତାଙ୍କର ବିଶ୍ୱାସଭାଜନ ହୋଇ ପାରିଛନ୍ତି–ତାଙ୍କ ହାତରେ ଏକଚ୍ଛତ୍ର କ୍ଷମତା ଦେବା ସକାଶେ ଲୋକଙ୍କର ଆପତ୍ତି କାହିଁକି ? ଅନ୍ୟ ପକ୍ଷରେ ଦାୟିତ୍ୱହୀନ ଗଣତନ୍ତ୍ରର ଅନିବାର୍ଯ୍ୟ ପରିମାଣ ଦେଖାଯାଇଛି ଫ୍ରାନ୍ସ ବିପ୍ଳବ ପରେ ପରେ–ଦାୟିତ୍ୱହୀନ ଗଣତନ୍ତ୍ର ଅପେକ୍ଷା ଦାୟିତ୍ୱପୂର୍ଣ୍ଣ ଏକଛତ୍ର ଶାସନ ନିଃସନ୍ଦେହରେ ଶ୍ରେୟସ୍କର ।’’

 

ସମୟ ଶେଷ ହୋଇ ଯାଇଥିଲା । ଚାମେଲୀ ପ୍ରତିଧ୍ୱନିତ କରତାଳି ଭିତରେ ବତ୍କୃତା ମଞ୍ଚ ଉପରୁ ଫେରି ଆସି ନିଜ ସ୍ଥାନ ଗ୍ରହଣ କଲେ ।

 

‘‘ସରୋଜ କୁମାର ରଥ’’–ସାଙ୍ଗେ ସାଙ୍ଗେ ମୋର ପାଳି ପଡ଼ିଯିବ ବୋଲି ମୁଁ ଆଶା କରି ନ ଥିଲି । ଚାମେଲୀ ମୋରିଆଡ଼େ ଲକ୍ଷ୍ୟକରି ଚାପା ହସିଲେ । ମନେ ହେଲା–ସେ ହସରେ ଯେପରି ସହାନୁଭୂତି ନାହିଁ–ବିଜୟିନୀର ଉଲ୍ଲାସ । ‘‘ଆପଣ କ’ଣ ମୋତେ ଜିଣି ପାରିବେ–ଦି କଡ଼ାର ହୋଇଯିବେ ।’’

 

ଦି କଡ଼ାର ହୁଏ ବା ନ ହୁଏ ସତକୁ ସତ ମୋର ଆତ୍ମପ୍ରତ୍ୟୟ କମିଯାଇଥିଲା । ଚାମେଲୀଙ୍କ ସହିତ ଏହିଭଳି ବତ୍କୃତା ଯୁଦ୍ଧ ମୋର କଳ୍ପନାତୀତ । ଅବଶ୍ୟ ଚାମେଲୀ ବ୍ୟତୀତ ଅନ୍ୟ କେହି ପ୍ରତିଦ୍ୱନ୍ଦୀ ଥିଲେ ମୋର ଖାତିର୍‍ ନ ଥିଲା ।

 

......ତାଳି ମାଡ଼ ହେଲା । ଶ୍ରୋତୃବର୍ଗ ବୋଧହୁଏ ମନେକଲେ ଶେଷ ପ୍ରତିଯୋଗୀ ଅନୁପସ୍ଥିତ । ୟୁନିଅନ୍‍ ସମ୍ପାଦକ ବୋଧହୁଏ ମୋର ଅନୁପସ୍ଥିତ ଘୋଷଣା କରିବାକୁ ଠିଆ ହେଉଥିଲେ । ମୋତେ ମଞ୍ଚ ଉପରକୁ ଉଠିବା ଦେଖି ବସି ପଡ଼ିଲେ । –ଉଠିବାବେଳେ ଝୁଣ୍ଟିପଡ଼ିବା ହେତୁ ମୁଁ ଟିକିଏ ଝୁଙ୍କି ପଡ଼ିଲି–ତାଳି ମାଡ଼ ପାଇଁ ଆଉ କିଛି ଖୋରାକି ମିଳିଲା– । ମନେ ହେଲା–ଚାମେଲୀ ଯେପରି କୌତୁହଳୀ ହୋଇ ଚାହିଁ ରହିଛନ୍ତି ।

 

......‘‘ମୋର ପୂର୍ବବର୍ତ୍ତୀ ବକ୍ତା କହିଗଲେ ଯେ ଦାୟିତ୍ୱହୀନ ଗଣତନ୍ତ୍ର ଅପେକ୍ଷା ଦାୟିତ୍ୱପୂର୍ଣ୍ଣ ଏକଛତ୍ର ଶାସନ ନିଃସନ୍ଦେହରେ ଶ୍ରେୟସ୍କର । କିନ୍ତୁ ଆଲୋଚ୍ୟ ବିଷୟବସ୍ତୁକୁ କେନ୍ଦ୍ରକରି ମୋର ନାରୀ ବନ୍ଧୁ ଜଣକ ଯଦି ଦାୟିତ୍ୱହୀନ ଭାବରେ ନ କହି ଦାୟିତ୍ୱପୂର୍ଣ୍ଣ ଭାବରେ ବିଚାର କରିଥାନ୍ତେ, ତେବେ ଦେଖିଥାନ୍ତେ ଯେ ଗଣତନ୍ତ୍ର ସବୁ ସମୟରେ ଦାୟିତ୍ୱହୀନ ନୁହେଁ, କିମ୍ବା ଏକଛତ୍ର ଶାସକ ସବୁବେଳେ ଦାୟିତ୍ୱ ମାନି ନ ଥାନ୍ତି । ବରଂ ଏକଛତ୍ର ଶାସକ ସମସ୍ତ କ୍ଷମତା ଲାଭ କରି ଦାୟିତ୍ୱହୀନ ହେବାର ବିଶେଷ ସମ୍ଭାବନା ।’’

 

ଚାମେଲୀ ହୁଏ ତ ଅପମାନିତ ହୋଇଥିବେ । ତାଙ୍କୁ ଦାୟିତ୍ୱହୀନ ବୋଲି ଆକ୍ଷେପ କରିବା ମଧ୍ୟ ମୋର ଉଦ୍ଦେଶ୍ୟ ନ ଥିଲା । କିନ୍ତୁ ଏ ସବୁ ବିଚାର କରିବାକୁ ବତ୍କୃତା ମଞ୍ଚରେ ଅବସର କାହିଁ ? ଚାମେଲୀଙ୍କର ଯୁକ୍ତିଗୁଡ଼ିକ ଗୋଟି ଗୋଟି କାଟିବାକୁ ଚେଷ୍ଟା କରିଥିଲି । କେତେଦୂର ସଫଳ ହେବି, ସେ କଥା ଭାବିବାକୁ ସମୟ ନ ଥିଲା । ବତ୍କୃତା ମଝିରେ ଆଉ କରତାଳି ଶୁଭିନାହିଁ । ପରେ ପରେ ଘନ ଘନ କରତାଳି ହେଲା ବୋଧହୁଏ ପ୍ରତିଯୋଗୀ ତାଲିକା ଶେଷ ହେଲା ବୋଲି ।

 

ବର୍ତ୍ତମାନ ରାୟ ଶୁଣାଯିବ । ବିଚାରକମାନେ ପରସ୍ପର ଆଲୋଚନା କରି ଲାଗିଲେ । ଛାତ୍ରମାନଙ୍କର ଆକର୍ଷଣ ଟାଣି ରଖିବାପାଇଁ ସଭାପତିଙ୍କ ଅନୁରୋଧରେ ଅଧ୍ୟାପକ ରେହ୍‍ମାନ୍‍ ଆଲୋଚ୍ୟ ବିଷୟ ଉପରେ ବତ୍କୃତା ଦେଉଥାନ୍ତି । ସେ ସବୁ ଶୁଣିବା ପାଇଁ ମୋର ଆଗ୍ରହ ନ ଥାଏ । ମୁଁ ଉଦ୍‍ଗ୍ରୀବ ହୋଇ ପଡ଼ିଥିଲି ରାୟଟା ଶୁଣିବାକୁ । ଚାମେଲୀ ଜିଣିନେବେ ବୋଲି ମୋର ପୂର୍ଣ୍ଣ ଆଶଙ୍କା । ଆଉ ସେଥିପାଇଁ ମୋର ପୌରୁଷ ଉପରେ ଆଘାତର ପ୍ରମାଦଗଣନା–

 

......ସମସ୍ତେ ନୀରବ ରହିଲେ । ନିଃଶ୍ୱାସ ଥମି ଆସିଲା ଯେପରି ‘‘ମୁଁ ଆନନ୍ଦର ସହିତ ଘୋଷଣା କରୁଅଛି ଯେ,’’ ସଭାପତି ଆରମ୍ଭ କଲେ, ‘‘ଆମ ୟୁନିଅନ୍‍ର ବତ୍କୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି......’’

 

ଶ୍ରୀମତୀ ନିର୍ମଲାଙ୍କର ଚାପା ହସରେ ମୋର ଆଶା ଓ ଆଶଙ୍କା ଉଭୟ ଜାଗ୍ରତ ହେଲା ।

 

‘‘ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ...ଶ୍ରୀ ସରୋଜ କୁମାର ରଥ ।

 

ଅବାକ୍‍ ହୋଇ ଚାହିଁ ରହିଲି ଚାମେଲୀ ଆଡ଼େ । ଅତି ଆପଣାର ମଧୁର ହସଟିଏ ତାଙ୍କ ଓଠରେ ଦେଖା ଦେଇଥିଲା । ଘନ ଘନ କରତାଳି ଭିତରେ ମୁଁ ନିଜର ବ୍ୟବହାରକୁ ସଂଯତ କରିବାକୁ ସୁବିଧା ପାଇ ନଥିଲି ।

Unknown

 

ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି... ‘‘କୁମାରୀ ଚାମେଲୀ ମୁଖାର୍ଜୀ ।’’

 

ଏଇଥର ଚାମେଲୀଙ୍କୁ ଚାହିଁବାରେ ସେ ଅଳପ ହସି ତଳକୁ ମୁହଁ ପୋତି ନେଲେ ।

 

ଘନ ଘନ ତାଳି ଭିତରେ ଆମେ ଦୁହେଁ ଯୋଡ଼ିଏ କପ୍‍ ଉଠାଇ ଆଣିଲୁ ।

 

–ଚାମେଲୀଙ୍କ ମୁହଁରେ ପରାଜୟର ଈର୍ଷା ନଥିଲା–ଥିଲା ଗୌରବ । କିନ୍ତୁ ମନେ ମନେ ଅପମାନିତ ହେଲି ମୁଁ ନିଜେ । ନାରୀର ବିଜୟ କଳ୍ପନାରେ ପୁରୁଷର କି ଗଭୀର ମାନସିକ ଯନ୍ତ୍ରଣା ! ଅଥଚ ଚାମେଲୀ–ସମସ୍ତ ପବିତ୍ରତା ଏକତ୍ରିତ ହୋଇଛି ଯେପରି । –ଭାବନାର ସୌରଭ ମନକୁ ଆମୋଦିତ କରି ଲାଗିଲା ।

 

ପ୍ରଥମ କରି କୁଣ୍ଢାଇ ପକାଇଲେ ରାମସ୍ୱରୂପ । ‘‘ଆରେ ୟାର୍‍ ।’’ ଘନ ଘନ କରମର୍ଦ୍ଦନ–‘ବାହାବା’ରେ ସେ ଦିନ ମନ ଆନନ୍ଦରେ ଭରି ଉଠିଲା । କେତେଜଣ ଅଧ୍ୟାପକ ଆସି ହାତ ମିଳାଇ ପ୍ରଶଂସା କଲେ । କିନ୍ତୁ ସତ କହିବାକୁ ଗଲେ, ଚାମେଲୀଙ୍କର ପ୍ରଶଂସାମୟୀ ମନ୍ଦହାସହିଁ ମୋତେ ଅନୁପ୍ରାଣ ଯୋଗାଇ ଥିଲା । –ତାହାଛଡ଼ା ଲୋକଙ୍କ ସମକ୍ଷରେ ତାଙ୍କୁ ଜୟ କରିବାର ଗୌରବ !

 

....ମୋର ‘ଦାୟିତ୍ୱହୀନ’ ଶବ୍ଦରେ ସେ ବିରକ୍ତ ହୋଇ ନାହାନ୍ତି ତ ? କିନ୍ତୁ ସେ କ’ଣ ଜାଣିନାହାନ୍ତି ମୁଁ ତାଙ୍କୁ କେତେ ଭଲ ପାଏ ? –ସେ ଶବ୍ଦଟା କେବଳ ପ୍ରତିଯୋଗିତା ଛଳରେ ବ୍ୟବହୃତ ହୋଇଥିଲା... ? ନା–ସେ ମୋତେ ପୂର୍ଣ୍ଣଭାବରେ ବୁଝି ପାରିଛନ୍ତି । ସେ ଜାଣିଛନ୍ତି–ମୁଁ ତାଙ୍କୁ ନିବୀଡ଼ ଭାବରେ ଭଲପାଏ । ‘‘ଓଃ, ତତେ ତ ଭାରି ଜାଣିଥିବେ । ମନକୁ ମନ କହି ହସି ଉଠିଲି ।’’

 

ମନେ ହେଲା–ସତେ ଯେପରି ମୁଁ ଗୋଟାଏ ଗୁରୁତର ଅପରାଧ କରି ବସିଛି... ।

 

ରାମସ୍ୱରୂପ ନିଦରେ ଘୁଙ୍ଗୁଡ଼ି ମାରୁଥାନ୍ତି । ଛାତ୍ରାବାସର ସମସ୍ତେ ନିଦ୍ରିତ । –ବାହାରେ ଶୀତଳ ଜହ୍ନର ଉଛୁଳା ଆଲୁଅ–ନେଳିଆ ଟେବୁଲ ବଲ୍‍ବର ଝଲକାଏ ଆଲୁଅ ପଡ଼ିଥାଏ ମୋର ଲେଖା କାଗଜ ଉପରେ । କଲମ ଚାଲିବାକୁ ରାଜି ହେଉ ନଥାଏ ଯେପରି ।

 

ଅପରାଧୀ ମୁଁ ? କାହା ବିରୁଦ୍ଧରେ ? –ରାମସ୍ୱରୂପ ? ଶେଫାଳିକା–ନା ମୋର ନିଜ ବିରୁଦ୍ଧରେ ?

 

ଆରମ୍ଭ କଲି–‘‘ମା–ନମସ୍କାର ।

 

ଏଠାକୁ ଆସିବାର ବହୁତ ଦିନ ହେଇଗଲାଣି । କିନ୍ତୁ ଚିଠି ଦେଇପାରି ନାହିଁ । କ୍ଷମା ଦେବେ ।’’

 

ତା’ପରେ... ? ମନ ତଳୁ ଅନେକ ବାକ୍ୟ ଉଠି ଆସି ପୁଣି ଡୁବି ଯାଉଥାଏ । –ଅନିଶ୍ଚିତତା– ।

 

‘‘କିଶୋରଙ୍କୁ ଦେଖି ଭାରି ଖୁସି ହେଲି । ବ୍ୟବହାର ବେଶ୍‍ ଭଦ୍ର । ମୋର ଆଶା ଓ ବିଶ୍ୱାସ–ଶେଫାଳିକାଙ୍କୁ ସେ ସୁଖରେ ରଖି ପାରିବେ । ...ବିବାହର ସମୟ ତ ପହଞ୍ଚିଲାଣି ।’’

 

–ମୁଁ ଯାହା ଲେଖୁଛି ତାହା କ’ଣ ସତ ? କାହିଁ–କିଶୋରଙ୍କୁ ଦେଖିବା ପରେ ମୋର ମନରେ ଯେଉଁ ଈର୍ଷାର ସନ୍ଧାନ ପାଇଥିଲି, ତାକୁ ତ ଫୁଟାଇ ପାରିଲି ନାହିଁ । ‘ମୋର ଆଶା ଓ ବିଶ୍ୱାସ’–ଏହା ପଛରେ କୌଣସି ଗୁପ୍ତ ଆଶଙ୍କା ନାହିଁ ତ ? –କିନ୍ତୁ ଯେ କୌଣସିମତେ ଚିଠି ଖଣ୍ଡିକ ଲେଖିପାରିଲେ ଉଶ୍ୱାସ ହେବି ।

 

‘‘ଆଉ ଶେଫାଳିକା । ସେ ବୁଦ୍ଧିମତୀ । ତାଙ୍କୁ ମୋର କହିବାର କିଛି ନାହିଁ । ଆଶାକରେ, ଦୁନିଆର ସମସ୍ତ ଝଡ଼ ଝଞ୍ଜା ସମ୍ଭାଳି ସେ ନିଜକୁ ଠିକ୍‍ ବାଟରେ ଚଳାଇ ପାରିବେ ।’’

 

–ଅଭିମାନ ମୁଣ୍ଡ ଟେକୁଥିଲା ।

 

‘‘ଦୁଃଖର ବିଷୟ, ଶେଫାଳିକାଙ୍କର ବିବାହ ସମୟରେ ମୁଁ ଉପସ୍ଥିତ ରହି ପାରୁନି ।’’

 

–କାହିଁକି ?

‘‘ଆଶାକରେ ମୋତେ ଭୁଲିଯିବେ ନାହିଁ...ଆପଣଙ୍କ ସଂସାରରୁ ମୋତେ କିଛିଦିନ ସକାଶେ ବିଦାୟ ଦିଅନ୍ତୁ ।’’

କିଛି ସକାଶେ ? –ଚିରଦିନ ସକାଶେ ନ ହେବ କାହିଁକି ?

କିନ୍ତୁ ଲାବଣ୍ୟମୟୀ ଏତେ ବଡ଼ ବାଧା ସହିବାକୁ ସକ୍ଷମ ହେବେ ତ ? –ଭୁଲ କଥା–ଶେଫାଳିକା ସହିତ ସମ୍ପର୍କ ଚ୍ଛେଦ କରିବାକୁ ମୁଁ ଅକ୍ଷମ ।

‘‘ଶେଫାଳିକାଙ୍କୁ ମୋର ସ୍ନେହ ଦେବେ ।

ଆପଣଙ୍କର

ସରୋଜ ।’’

ଲେଖିସାରି ଆଉ ଥରେ ପଢ଼ିବାକୁ ଧୈର୍ଯ୍ୟ ନ ଥିଲା । ପତ୍ର ସାରା ଖାଲି ପ୍ରତାରଣା । –ଈର୍ଷା ଆଉ ଅଭିମାନ ଉପରେ ଭଦ୍ରତାର ଗୋଟାଏ ପତଳା ଆବରଣ ।

ପ୍ରେମ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ–ଅଥଚ ପ୍ରତ୍ୟାଖ୍ୟାନ କରିବା ପାଇଁ ଶକ୍ତି ନାହିଁ । ମନ ଭିତରେ ଯେଉଁ ଈର୍ଷା ଆଉ ଆକର୍ଷଣ ଜାଗି ଉଠେ–ତାହାରି ମୂଳରେ କ’ଣ ସେଇ ପ୍ରେମ ନାହିଁ-? ସେଦିନ ଶେଫାଳିକାଙ୍କୁ ଛାତି ଉପରୁ ଫିଙ୍ଗି ଦେବା ସତ୍ତ୍ୱେ ମୁଁ କ’ଣ ସତରେ ତାଙ୍କୁ କିଛି ମୁହୂର୍ତ୍ତ ପାଇଁ ଅନୁଭବ କରି ନ ଥିଲି ? –ତାଙ୍କର ସ୍ପର୍ଶ ପାଇବା–ତାଙ୍କୁ ସ୍ପର୍ଶ କରିବାରେ ମନ ଭିତରେ ଗୋଟାଏ ପରିଚିତ ଶିହରଣ– ।

ଝରକା ଦେଇ ହାବୁକାଏ ଖିଲିଖିଲିଆ ପବନ ପେଡ଼୍‍ର କାଗଜ ଗୁଡ଼ିକୁ ଥରାଇ ଦେଲା...

–ନିଜେ କେବଳ ସ୍ନେହ ଦେବାକୁ ପ୍ରସ୍ତୁତ ଥିଲେ ସୁଦ୍ଧ–ଯଦି କୌଣସି ତରୁଣୀ ଭୁଲ ବୁଝି ବା ସ୍ନେହ ବିନିମୟରେ ପ୍ରେମ ଦେଇ ବସେ ତେବେ ମଣିଷ ହୁଏତ ସେଇ ପ୍ରେମରୁ କିଛି ଚାହିଁଥାଏ-। –ସେଥିପାଇଁ ପ୍ରତିଦ୍ୱନ୍ଦୀ ପ୍ରତି ତା’ର ଜନ୍ମେ ଈର୍ଷା–ଅଥଚ ନାୟିକାଠାରୁ ପୂର୍ଣ୍ଣଭାବେ ପ୍ରେମ ଗ୍ରହଣ କରିବାକୁ ସେ ସଂକୁଚିତ... । –ଅଥବା, ମଣିଷ ତା’ର ଅନ୍ତରେ ଅନ୍ତରେ ପ୍ରେମ ଚାହେଁ–ଆଉ ସେଥିପାଇଁ ତା’ର ଈର୍ଷା ଜଳେ । କିନ୍ତୁ ବିବେକର ଦାବି ନେଇ ଈର୍ଷାକୁ ଘୋଡ଼ାଇବାକୁ ସେ ଚେଷ୍ଟା କରେ; ପ୍ରେମକୁ ସ୍ନେହର ରୂପ ଦେବାକୁ ବାଧ୍ୟ ହୁଏ–ଛଳନା କରେ...

–କେଉଁଟା ଠିକ୍‍ ?

ବାହାରର ତୋଫା ଆଲୁଅ । ଦୂରରେ ରାସ୍ତାକଡ଼ର ବତୀଖୁଣ୍ଟଟା–କ’ଣ ଗୋଟାଏ ଭାବି ଲାଗିଛି ଯେପରି ।

‘‘ଏକ୍‍–ଦୋ–ତିନ୍‍ ଚାର୍‍–ତା’କ୍‍ ଧ୍ୱନ୍‍, ଧ୍ୱନ୍‍ ତା’କ୍‍–ତା’କ୍‍ ଧ୍ୱନ୍‍ ଧ୍ୱନ୍‍ ।’’

‘‘ଉହୁଁ, ହେଲା ନାହିଁ । ବାଆଁ ଆଡ଼େ ନ ବୁଲି ଡାହାଣ ଆଡ଼େ ବୁଲିଗଲ । ହୁଁ, ଆଉ ଥରେ ।’’

‘‘ଏକ୍‍–ଦୋ–ତିନ୍‍–ଚାର୍‍–ତା’କ୍‍ ଧ୍ୱନ୍‍, ଧ୍ୱନ୍‍ ତା’କ୍‍–ତା’କ୍‍ ଧ୍ୱନ୍‍ ଧ୍ୱନ... ।’’

ତାଳି ମାଡ଼ ସହିତ କି କିଣୀର ଝୁମୁଁ ଝୁମୁଁ ଆଓ୍ୟାଜ୍‍ । –କ୍ରମେ କ୍ରମେ ଚଞ୍ଚଳ ହୋଇ ଉଠିଲା । –ଏଥର ଆଉ ତାଳି ମାଡ଼ ନାହିଁ । ଡୁବି ତବଲା ଉପରେ ବାଦକର ତାଳ–ତା’କ୍‍ ଧ୍ୱନ୍‍, ଧ୍ୱନ୍‍ ତା’କ୍‍... । ସମୟ ସମୟରେ ତାଳ ବଦଳି ଯାଉଥାଏ–କିନ୍ତୁ ନୁପୁର ଧ୍ୱନିର ବିରାମ ନାହିଁ । –ମଝିରେ ମଝିରେ ସଙ୍ଗୀତର ଝଂକୃତ ଲହରୀ ।

 

‘‘କ’ଣ ପଢ଼ିସାରିଲ ସରୋଜ ?’’ ଡକ୍ଟର ଶାହା ପଚାରିଲେ । ସ୍ୱର ଆଉ ତାଳ ରାଜ୍ୟରୁ ହଠାତ୍‍ ଫେରି ଆସିବା ଫଳରେ ଟିକିଏ ଚମକି ଗଲି ।

 

‘‘ଆଜ୍ଞା ହଁ ।’’

 

‘‘କ’ଣ–ପାରିବ ?’’

 

‘‘ଚେଷ୍ଟା କରିବି ।’’

 

‘‘ଚେଷ୍ଟା କରିବ କ’ଣ ମ ? କରିବ ତ ।’’ ଶ୍ରୀମତୀ ନିର୍ମଲା ହସି ହସି କହିଲେ । ସମସ୍ତେ ଉଠିଯିବାକୁ ଉଦ୍ୟତ ହେଲୁ ।

 

ସାଙ୍ଗେ ସାଙ୍ଗେ କବାଟ ଫାଳ ଦିଟା ଖୋଲିଯାଇ ରଡ଼ି ଛାଡ଼ିଲେ । ନର୍ତ୍ତକୀ ଦଳ ଖିଲି ଖିଲି ହସି ଧଁ ସଁ ହୋଇ ପଶି ଆସିଲେ ଘର ଭିତରକୁ । ବିଜୁଳି ଆଲୁଅ ତଳେ ଏତେଗୁଡ଼ିଏ ଝଲମଲିଆ ମିଠା ହସ ! ମୁହଁ ଉପରେ ଚକଚକିଆ ଝାଳ ବିନ୍ଦୁ । ପରିଶ୍ରମର ରକ୍ତିମା ଫୁଟି ଉଠିଥାଏ ଗାଲ ଉପରେ ।

 

‘‘ଡକ୍ଟର ସା’ବ୍‍ ! ଡକ୍ଟର ସା’ବ୍‍ !’’ ଜଣେ ତରୁଣୀ ଧଇଁସଇଁ ଡ଼ାକି ଉଠିଲେ ।

 

ଏ କ’ଣ ? ଚାମେଲୀ !

 

–ମୋର ଆଖି ଦିଓଟି ସ୍ଥିର ହୋଇ ରହିଲା । ଯୌବନର ଛନ୍ଦମୟୀ ସ୍ଫୂର୍ତ୍ତି !

 

...ମୋର ଧାରଣା ନ ଥିଲା ଯେ ଡକ୍ଟର ଶାହା ଚାମେଲୀଙ୍କୁ ସାଗ୍ରହ ସପ୍ରଶ୍ନ ଦୃଷ୍ଟିରେ ଅନାଇ ରହିଛନ୍ତି । ଆଉ ଚାମେଲୀ–ମୋତେ ଦେଖି ଆତ୍ମବିସ୍ମୃତ ହୋଇ ଡକ୍ଟର ଶାହାଙ୍କୁ ଉତ୍ତର ଦେଇ ପାରି ନାହାନ୍ତି । –ପରସ୍ପରର ସ୍ୱପ୍ନ ଭିତରେ ଦୁହେଁ ଯାକ ହଜି ଯାଇଥିଲୁ ।

 

‘‘କ’ଣ–ନାଚ ହେଇଗଲା ?’’ –ଶ୍ରୀମତୀ ନିର୍ମଲା ବୋଧହୁଏ ଆମକୁ ଲକ୍ଷ୍ୟ କରି ପାରିଲେ । –ତାଙ୍କର ପ୍ରଶ୍ନ ଆମର ସ୍ୱପ୍ନ ଭାଙ୍ଗିଦେଲା ।

 

–ନିଜର ଅସଂଯତ ବ୍ୟବହାର ଉପଲବ୍‍ଧି କରି ମୁଁ ମୁହଁ ଫେରାଇ ଆଣିଲି ।

 

‘‘ଏଁ–ହଁ, ହଁ–ହେଇଗଲା ।’’ –ଚାମେଲୀଙ୍କର ଏ ବିଚିତ୍ର ଉତ୍ତରରେ ସମସ୍ତେ ହସି ଉଠିଲେ-। ...ଲାଜକୁଳୀ ଲତାଟି... ।

 

ଶ୍ରୀମତୀ ନିର୍ମଲା ମୋ ଆଡ଼କୁ ସ୍ନିଗ୍‍ଧ ଦୃଷ୍ଟିରେ ଲକ୍ଷ୍ୟ କଲେ । ଡକ୍ଟର ଶାହା କ’ଣ ଭାବିଥିବେ କେଜାଣି... । କିଏ ଜାଣିଥିଲା.... ?

 

ଆଖିଠାର ଆଉ ଫୁସ୍‍ଫାସ୍‍ । ଇଙ୍ଗିତ ଭରା ନିର୍ଦ୍ଦୋଷ ପରିହାସ । ଛାତ୍ରଛାତ୍ରୀ–ଅଧ୍ୟାପକ ସମାଜରେ କଥାଟା ଆଉ ଛପିବାର ନୁହେଁ... ।

 

ସୁଖ ଆଉ ଆନନ୍ଦର ଦିନ ଗୁଡ଼ିକ । କଲେଜରେ କ୍ଳାସରେ ଦେଖା–ଆଉ ସନ୍ଧ୍ୟା ପରେ ଅଭିନୟ–ପ୍ରାଚୀର ଅନ୍ତରାଳରେ ଚାମେଲୀଙ୍କର ନୃତ୍ୟ ଅଭ୍ୟାସର ଲହର ତୋଳା ଆନନ୍ଦ... । ଶ୍ରୀମତୀ ନିର୍ମଲାଙ୍କର ମୋ ପ୍ରତି ସ୍ନେହ ଆଉ ଆଗ୍ରହ ଯେପରି ବଢ଼ି ଉଠୁଥାଏ... ।

 

–ଶକ୍ତିଶାଳୀ ଆଲୁଅ ଦି’ଟା ମୋ ମୁହଁ ଉପରେ ଝଲକି ଉଠିଲେ । ସାମନାରେ ଦର୍ଶକବୃନ୍ଦ–ଗୋଟାଏ ଭାଗ ପୁରୁଷ, ସ୍ତ୍ରୀ ଲୋକମାନେ ଅନ୍ୟ ଭାଗରେ । –ମୋର ଅଭିନୟ କରିବାକୁ ଥାଏ ଦାର୍ଶନିକ ଡକ୍ଟର ମଲହୋତ୍ରାଙ୍କ ଅଂଶଟି ।

 

ଡକ୍ଟର ମଲହୋତ୍ରା ଜଣେ ହିନ୍ଦୁ ଦାର୍ଶନିକ । କିନ୍ତୁ କୌଣସି ଧର୍ମର ସଂକୀର୍ଣ୍ଣ ବେଷ୍ଟନୀରେ ରହିବା ତାଙ୍କର ମତ ନୁହେଁ । ଭାରି ବ୍ୟଙ୍ଗପ୍ରିୟ–ସଂକୀର୍ଣ୍ଣ ଧର୍ମଧ୍ୱଜୀମାନଙ୍କୁ ନିଜର ବ୍ୟଙ୍ଗଦ୍ୱାରା ନିରସ୍ତ୍ର କରି ପ୍ରଥମେ ବେଖାତିର ଭାବେ–ପରେ ସମସ୍ତ ଆବେଗ ସହିତ ନିଜର ମତଟିକୁ ଉପସ୍ଥାପିତ କରିବା ତାଙ୍କର ବିଶିଷ୍ଟତା ।

 

ରଙ୍ଗମଞ୍ଚରେ ଉଠିବା ଏହା ମୋର ପ୍ରଥମ ନୁହେଁ, ଯଦିଓ ଏପରି ଏକ ସାଂସ୍କୃତିକ ଦୃଶ୍ୟରେ ଡକ୍ଟର ମଲହୋତ୍ରାଙ୍କ ପ୍ରଧାନ ଅଂଶଟି ଅଭିନୟ କରିବା ପ୍ରଥମ । ବ୍ୟଙ୍ଗପୂର୍ଣ୍ଣ ଉଚ୍ଚତର ଅଭିନୟ କରିବାରେ ମୋର ସନ୍ଦେହ ଥିଲା ।

 

ଆଲୋକର ପ୍ରଭାବରେ ମୁହଁର ଗ୍ରିଜ୍‍ ଉପରେ ଝାଳ ବିନ୍ଦୁ ଅନୁଭବ କଲି । ଡ଼ା. ସାଇଫୁଦ୍ଦିନ୍‍, କ୍ଳୋଭିସ୍‍–ଡ଼ାଃ ଟାନ୍‍ ଥିନ୍‍, ଶ୍ରୀମତୀ ମୋଦୀ–ସ୍ୱାମୀ ସଦାନନ୍ଦ–ଆଉ ମୁଁ, ଡା. ମଲହୋତ୍ରା–ଏମାନେ ହେଲୁ ଅତିଥି–ଆଉ ଶ୍ରୀମତୀ କ୍ଳେମେନ୍‍ସୁ ଆମକୁ ନିମନ୍ତ୍ରଣ କରିଛନ୍ତି । କପେ କପେ ଚାହା ପରେ ଦୃଶ୍ୟଟିର ଆରମ୍ଭ ।

 

ଭାରତୀୟ ଜାତୀୟ ପୋଷାକ ପିନ୍ଧିବା ପରେ ମୁଁ କିପରି ଦେଖା ଯାଉଥିଲି–କେଜାଣି ! ସାମାନ୍ୟ ଗର୍ବସହିତ–ଅନଭ୍ୟସ୍ତ ହେତୁ କେତେକ ଅସୁବିଧା ମଧ୍ୟ ଅନୁଭବ କରୁଥିଲି । ଚାହା ଶେଷରେ ଦେଖଣାହାରୀଙ୍କୁ ପଛ କରି ଆଲମେରାରୁ ଖଣ୍ଡିଏ ବହି କାଢ଼ି ଦେଖେ ତ ରଙ୍ଗମଞ୍ଚର ପାର୍ଶ୍ୱ ପରଦା ପାଖରେ ଚାମେଲୀ ଖଣ୍ଡିଏ ଚୌକି ପକାଇ ବସି ରହିଛନ୍ତି । ଚିହ୍ନିବାକୁ ମୋତେ କଷ୍ଟ ହେଇଥିଲା । ‘ଦୋହାତି’ ପୁରୁଷ ବେଶ–ନାକ ତଳେ ମୋଟା ମୋଟା କଳା କଳା ନିଶ ଦି’ବିଡ଼ା । ସେ ମୋର ଭାବନା ଜାଣି ପାରିଲେ ବୋଧହୁଏ । ସେହି ଅଧା ଛାଇ ଆଉ ଅଧା ଆଲୁଅ ଭିତରେ ଗୋଟାଏ ପୂରା ହସରେ ସୂଚାଇ ଦେଲେ । ...

 

‘‘ଡକ୍ଟର୍‍ ମଲହୋତ୍ରା–ମଲହୋତ୍ରା–I believe Dr. Saiffuddin–ଅରେ, ମଲହୋତ୍ରା...’’ ମୁଁ ଚମକି ଗଲି । ସ୍ମାରକଙ୍କର ଧୈର୍ଯ୍ୟହୀନ ତୀକ୍ଷ୍ଣ ଫୁସ୍‍ଫାସ୍‍ । ଆଶଙ୍କା ହେଲା–ଦେଖଣାହାରୀ ଏଇ ମୁହୂର୍ତ୍ତରେ ହସି ଉଠିବେ... ।

 

ତା’ପରେ...ସାରା ଦୃଶ୍ୟରେ ମୁଁ ଚାମେଲୀଙ୍କୁ ଭୁଲି ଯାଇଥିଲି ।

 

ଯୁବତୀମାନେ ହୁଏତ କହି ପାରିବେ, ଯୁବକ ଯଦି ନାରୀ ବେଶରେ ଠିଆ ହୁଏ, ତେବେ ସେ କେତେ ସୁନ୍ଦର ଦେଖାଯାଏ । କିନ୍ତୁ ଯୁବତୀ ଯଦି ପୁରୁଷ ବେଶରେ ନୃତ୍ୟ କରେ, ତେବେ ସେ ଯୁବକର ମନକୁ ଆହୁରି ଆକର୍ଷଣ କରେ–ଏ ବିଷୟରେ ମୁଁ ନିଃସନ୍ଦେହ । ଅନ୍ୟପକ୍ଷରେ–କୁହାଯାଇପାରେ ଯେ ଚାମେଲୀ ପ୍ରତି ମୁଁ ଆଗରୁ ହିଁ ଆକୃଷ୍ଟ ଥିଲି ।

 

‘‘ନ ସରମାନା–ତୁମ୍‍ ଧୀରେ ଚଲେ ଆନା–ତୁମ୍‍ ଧୀରେ...

ଆଓ, ଆଓ, ବନୋଗି ମେରେ ଦୁଲ୍‍ହନ୍‍

ବନୋଗି ମେରେ ଦୁଲ୍‍ହନ୍‍...ବନୋଗି...’’

 

ତାଙ୍କର ଭ୍ରୂଲତା’ର କଟାକ୍ଷ–ଆଖିରେ ପ୍ରଣୟଭରା ମାଦକତା–ପ୍ରତି ପଦକ୍ଷେପ ସଙ୍ଗେ ସଙ୍ଗେ ମସ୍ତକର ଉଷ୍ଣୀଷ ତଳର କୁଞ୍ଚିତ କୃଷ୍ଣ କେଶଦାମର ଉତ୍‍ଥାନ ପତନ–ଓଠ ଉପରେ ମନ–ଚୋରା ହସ ଟିକକ–ଉନ୍ନତ ବକ୍ଷ ଉପରେ ପୁରୁଷ ବେଶର ଦାମ୍ଭିକ ଆବରଣ–ହାତ ଓ କଟୀ ଲହରର କଳା କୁଶଳତ–ମୋତେ ମୁଗ୍‍ଧ କରି ରଖିଲା ।

 

ପ୍ରିୟା ପାଖରୁ ଉତ୍ତା ଆସିଲା–

 

‘‘ଯାଉଙ୍ଗି ନହିଁ–କହିଁ ଭି କହିଁ–ତୁମ୍‍ ଦୂର୍‍ ହଟ୍ଟୋ

ମୈଁ ବନୁଙ୍ଗି ନହିଁ କଭି ତେରି ଦୁଲ୍‍ହନ୍‍, ଓ ତେରି......’’

 

ପ୍ରିୟ କିନ୍ତୁ ଏଇ ଶୁଦ୍ଧ ମିଛ କଥାଗୁଡ଼ିକ ଶୁଣି ସତ ମଣି ଚାଲିଯିବାକୁ ପ୍ରସ୍ତୁତ ନୁହେଁ । –ଚାମେଲୀ ପୁଣି ପ୍ରେମ ଅନୁନୟ କରି ଗାଇ ଲାଗିଲେ, ‘‘ମିଛ କହ ନାହିଁ, ଆକାଶର ଏଇ ଜହ୍ନ ତାରା ଆମ୍ଭମାନଙ୍କୁ ପରସ୍ପର ପ୍ରେମ କରିବା ଦେଖି ଆସିଛି । ଏଇ ଖିଲିଖଲିଆ ଶୀତଳିଆ ପବନ ଆମ ପାଖକୁ ପରସ୍ପରର ପ୍ରେମବାର୍ତ୍ତା ଆଣି ପହୁଞ୍ଚାଇ ଦେଇଛି । ପୁଣି ତୁମର ନିଜର ହୃଦୟକୁ ପଚାର-। –ମୋର ପରଶ ପାଇ କେତେଥର ତୁମର ଦୁକୁଦୁକି ଚଞ୍ଚଳ ହୋଇ ପଡ଼ିଛି–ପୁଣି କେତେଥର ସେ ମୋର ଚଞ୍ଚଳ ଦୁକୁଦୁକି ଅନୁଭବ କରିଛି... ।’’

 

ପ୍ରିୟାର ଓଠରେ ଫୁଟି ଉଠିଛି ଅନୁରାଗ ଆଉ ସ୍ୱୀକୃତିର ସ୍ମିତରେଖା । ନିଜର କଟାକ୍ଷରେ ସେ ପ୍ରେମିକକୁ ଟାଣି ଲାଗିଲା । ଚାମେଲୀ ଛୁଟି ଚାଲିଲେ ତା’ର ପଛେ ପଛେ । ପ୍ରିୟା କିନ୍ତୁ ଏତେ ଶୀଘ୍ର ଧରା ଦେବାକୁ ପ୍ରସ୍ତୁତ ନୁହେଁ ।

 

–କିନ୍ତୁ ସେ କେତେଥର ଏଇ ଗଛ ବୁଦା ଉହାଡ଼ରେ ପ୍ରେମିକର ବାହୁକବଳରୁ ନିଜକୁ ରକ୍ଷା କରି ପାରିବ ? ପୁଣି ସେ କ’ଣ ସତରେ ସେଥିରୁ ରକ୍ଷା ପାଇବାକୁ ଚାହେଁ ?

 

–ଶେଷରେ ସେ ଶାନ୍ତ ସୁବୋଧ ହରିଣୀଟି ପରି ଚାଲି ଆସିଛି, ଠିକ୍‍ ଯେଉଁ ସମୟରେ ହୁଏ ତ ପ୍ରିୟ ଭାବି ବସିଥିଲା–ଆଜିର ଏଇ ଉଛୁଳା ଜହ୍ନ ରାତିଟି କେବଳ ବ୍ୟଥ ହେଇଗଲା ସିନା...-

 

ପ୍ରିୟା ଧରା ପଡ଼ି ଯାଇଛି । ଚାମେଲୀଙ୍କର ମୁହଁରେ ବିଜୟୀ ପ୍ରେମିକର ଗର୍ବଭରା ଆନନ୍ଦ । ପ୍ରେମିକ ଏଥର ତାଗିଦ୍‍ କରି କହୁଛି–‘‘ନ ସରମାନା ତୁମ୍‍ ଧୀରେ ଚଲେ ଆନା–ତୁମ୍‍ ଧୀରେ...’’

 

ପ୍ରିୟର ସ୍ପର୍ଶରେ ଅଭିଭୂତା ପ୍ରିୟାର ଆଉ ଆପତ୍ତି ନାହିଁ ଯେପରି ।

 

ଯବନିକା ପତନ !

 

ଘନ ଘନ ତାଳି ଭିତରେ ମୁଁ ଚାମେଲୀଙ୍କୁ ଖୋଜି ଲାଗିଲି । କିନ୍ତୁ–କିନ୍ତୁ–କାହିଁକି ଖୋଜୁଥିଲି–ମୁଁ ଜାଣେ ନା । ‘ବାହାବା’ ଦେଇଥାନ୍ତି ? –ବୋଧହୁଏ ନୁହେ । କାରଣ ଆପଣାର ମନେ କରି ସୁଦ୍ଧା ଆପଣାର ବୋଲି ପରିଚୟ ଦେବାକୁ ମୋର ସାହାସ ନ ଥିଲା । ତଥାପି ଦେଖିବାର ପ୍ରବଳ ଇଚ୍ଛା–

 

ଚାମେଲୀଙ୍କର ଦେଖା ନାହିଁ । ଦେଖଣାହାରୀ ବାହାର ପାଖେ ଛୁଟି ଚାଲିଛନ୍ତି–ରଙ୍ଗମଞ୍ଚ ଉପରେ ଆସବାବପତ୍ର ଏଡ଼ାଇବା ପାଇଁ କେତେ ଜଣ ସ୍ୱେଚ୍ଛାସେବକଙ୍କର ଅକାରଣ ଗଣ୍ଡଗୋଳ । ଦଳେ ଅଭିନେତା ମୁହଁରୁ ରଙ୍ଗ ଛଡ଼ାଇବା ପାଇଁ ନଡ଼ିଆତେଲ ରେଣ୍ଠି ଲାଗିଛନ୍ତି । ଗ୍ରୀନ୍‍ ରୁମ୍‍ର ଦ୍ୱାର ମୁହଁରେ ଗନ୍ତାଗନ୍ତି । ଠେଲି ପଶିଲି । ଦୁଷ୍ଟ ଚଉକୀଟାଏ ଲୁଚି ରହି ମୋର ଆଣ୍ଠୁରେ ବାଡ଼େଇ ହେଇଗଲା । ଡେଇଁ ପଡ଼ିଲା ବେଳକୁ ଡାଃ ସାଇପୁଦ୍ଦିନ ନିଜର କୃତ୍ରିମ ଦାଢ଼ି ଭିଡ଼ୁ ଭିଡ଼ୁ ପାଦ ଘୁଞ୍ଚାଇ ନେଇ କହିଲେ,’’ଜରା ଦେଖ୍‍ କେ ଭାଇ ସାହେବ୍‍’’ । ଲଜ୍ଜିତ ହୋଇ କହିଲି–‘‘କ୍ଷମା କରିବେ ।’’

 

ଚାମେଲୀ ତ ଏଠାରେ ମଧ୍ୟ ଦେଖା ଯାଉ ନାହାନ୍ତି । ପୁଣି ସେଇ ଭିଡ଼ ଭିତରୁ ବାହାରି ଆସିଲି-। ଶ୍ରୀମତୀ ନିର୍ମଲା ଆଗରେ ଆସି ମୋର ଉତ୍କଣ୍ଠା ଦେଖି ପଚାରିଲେ, ‘‘କ’ଣ କିଛି ହଜିଛି କି ?’’

 

ମୁଁ ବୁଝି ନ ପାରି ତାଙ୍କ ମୁହଁ କୁ ଅନାଇ ରହିଲି ।

 

‘‘ତୁମର କିଛି ହଜି ନାହିଁ ତ ?’’

 

ମୁଁ ତଥାପି ବୋକାଙ୍କ ଭଳି ଅନାଇ ରହି ‘ନାଁ’ କଲି । ସେ ହସି କହିଲେ, ‘‘ରକ୍ଷା ହେଇଛି-। ତେଣେ ଚାମେଲୀ କ’ଣ ଗୋଟାଏ ହଜେଇ ଦେଇ ଖୋଜି ବୁଲୁଚି ।’’

 

‘‘କିନ୍ତୁ–’’ । ନା–ପଚାରି ନାହିଁ । ଶ୍ରୀମତୀ ନିର୍ମଲା ମଧ୍ୟ ସେହି ଭିଡ଼ ଭିତରକୁ ପଶି ଯାଇଥିଲେ ।

 

ଫେରି ଆସିଲି ମଞ୍ଚ ପାଖକୁ । ଏଇଥର ଅନ୍ଧାର ଭିତରୁ ଗୋଟାଏ ଅବିଶ୍ୱାସୀ ଟୁଲ୍‍–

 

ଆଣ୍ଠୁଟାକୁ ଆଉଁସି ଲାଗିଥାଏ । କାହାର କୋମଳ ଅଥଚ ଦୃଢ଼ସ୍ପର୍ଶ । ‘‘ଡକ୍ଟର୍‍ ମଲହୋତ୍ରା, ଡ଼କ୍ଟର୍‍ ମଲହୋତ୍ରା ! ଦେଖନ୍ତୁ ତ ଷ୍ଟେଜ୍‍ ଉପରେ ମୋର ମୁଦିଟା ପଡ଼ିଛି କି ନାହିଁ ?’’

 

ଚାମେଲୀ ! ଆଣ୍ଠୁ ପ୍ରାସ ଉଭେଇ ଗଲା ଯେପରି । ମଞ୍ଚ ଉପରୁ ଆଲୁଅ ଦିଟା ଲିଭି ଯାଇଥିଲା । ଜଣକ ହାତରୁ ଟର୍ଚ୍ଚ ଲାଲଟ୍‍ଟା ‘କ୍ଷମା କରିବେ’ କହି ଛଡ଼ାଇ ନେଲି ।

 

ମଞ୍ଚ ଉପରକୁ ସିଡ଼ି ନ ଥାଏ–ସେଥିଲାଗି ବୋଧହୁଏ ଚାମେଲୀ ମୋ ସାଥିରେ ଆସି ପାରି ନ ଥିଲେ । କିନ୍ତୁ ମୁଦିଟି କାହିଁ ? ସମସ୍ତ ଜିନିଷ ଆଡ଼େଇ ନିଆହୋଇଯାଇଛି–କେବଳ ଦରୀଟା ମାତ୍ର । ପ୍ରଥମ ତିନୋଟି ପରଦା ମଝିରେ ଚାମେଲୀଙ୍କର ନୃତ୍ୟ ଦୃଶ୍ୟ । କିନ୍ତୁ–ଏ ପାଖରେ ତ ନାହିଁ । ତେବେ ଛିଞ୍ଚାଡ଼ି ହେଇଥିବା ଅସମ୍ଭବ ନୁହେଁ ।

 

ସମସ୍ତ ଯାଗା ଆଲୁଅ ପକାଇ ଖୋଜି ବୁଲିଲି । ଚାମେଲୀ ଯେ କିପରି ଅଧୀରା ହୋଇ ପଡ଼ିଥିବେ–ସେଇକଥା ମନେକରି ମୁଁ ମଧ୍ୟ ଅଥୟ ହୋଇଥିଲି । ହଠାତ୍‍–ହଠାତ୍‍ ମୁଦିଟି ଚକ୍‍ କରି ଉଠିଲା । ଦରୀ ଉପରେ ନୁହେଁ–ଦରୀ କଡ଼ରେ । –ଧେତ୍‍ ! ଖଣ୍ଡାଏ ଜରି କାଗଜ ।

 

କିନ୍ତୁ ଇଏ କ’ଣ ? ପାଦକୁ କିଛି ଖର୍‍ର କଲା ପରି ମନେ ହେଲା । ଦରୀର ଗୋଟାଏ କଣା ଭିତରେ ପଶି ରହିଥିଲା ମୁଦିଟା ।

 

ଆନନ୍ଦରେ ମଞ୍ଚ ଉପରୁ ଡେଇଁ ପଡ଼ିବାବେଳେ ଜଣେ ତରୁଣୀଙ୍କ ଦେହରେ ବାଡ଼େଇ ହୋଇଥାନ୍ତି । ଚାମେଲୀ ବର୍ତ୍ତମାନ କେଉଁଠି ?

 

ଦମ୍‍ ମାରି ନେଇ ପୌରୁଷ ଦେଖାଇବା ଅଭିପ୍ରାୟରେ କିଛି ବେଖାତିର୍‍ ଭାବେ କହିଲି, ‘‘ନିଅନ୍ତୁ–ଆପଣଙ୍କର ମୁଦି ।’’

 

ଆଗ୍ରହରେ ସେ ମୁଦିଟି ମୋ ହାତରୁ ଝାମ୍ପି ନେଲେ । ‘‘ଆପଣଙ୍କୁ ଅଶେଷ ଧନ୍ୟବାଦ–ଅଶେଷ ଧନ୍ୟବାଦ ।’’ ତର ତର ହୋଇ ସେ ଫେରିଗଲେ–ମୁଁ ବୋକାଭଳି ଠିଆ ହୋଇ ରହିଲି ।

 

ଏଇଆ କ’ଣ ମୁଁ ଚାହିଁଥିଲି ? ଏତେ କଲବଲ, ଆଣ୍ଠୁ ପରାସ–କେତେ ଯାଗାରେ ଅସଙ୍ଗତ ବ୍ୟବହାର ଯୋଗୁ ଅପମାନ, ସବାଶେଷରେ ମୁଦିଭଳି ଗୋଟାଏ ଦାମିକା ଜିନିଷ–ପର ହାତରୁ ଟର୍ଚ୍ଚ ଛଡ଼ାଇନେବା–ଡେଇଁ ପଡ଼ିବାବେଳେ ଜଣେ ତରୁଣୀଙ୍କ ଦେହରେ ବାଡ଼େଇ ହେବାର ସମ୍ଭାବନା–ଧଁ ସଁ ହୋଇ ଦୌଡ଼ି ପୌରୁଷ ଦେଖାଇ ବେଖାତିର୍‍ ଭାବେ କହିବା ପରେ ମଧ୍ୟ ଗୋଟାଏ ଦୁଇଟା ଶୁଖିଲା ଧନ୍ୟବାଦ–ଯେତେ ‘ଅଶେଷ’ ଯୋଗ କରା ଯାଇଥାଉ ! ଆଉ ସେ ସବୁ ପୁଣି ମୋତେ ? –ଯେ ଚାମେଲୀଙ୍କୁ ଆପଣାର ବୋଲି ମନେ କରେ ଏବଂ... ।

 

ଅଭିନୟ ସକାଶେ ପ୍ରଶଂସା ଆଉ କରମର୍ଦ୍ଦନର ଅଭାବ ନ ଥିଲେ ମଧ୍ୟ ସେ ଦିନ ମୁଁ ସନ୍ତୁଷ୍ଟ ହେଇ ପାରି ନ ଥିଲି ।

 

‘‘ଓଃ–ଫେର୍‍ ସେଇ କଥା ।’’ ରାମସ୍ୱରୂପ ମୁହଁ ଫେରାଇ ନେଲେ ।

 

ହଁ–ସେଇ ପୁରୁଣା କଥା । କିନ୍ତୁ ପୁରୁଣା ବୋଲି ବେଖାତିର୍‍ କରାଯାଇ ପାରେନା ।

 

ମୁଁ ଆହତ ହେଲି । କିନ୍ତୁ ଧୈର୍ଯ୍ୟ ହରାଇ ନ ଥିଲି । ‘‘ହୁଏତ ମୋର ଭୁଲ୍‍ ହୋଇଛି ରାମସ୍ୱରୂପ’’ । ମୁଁ ଶାନ୍ତ ଭାବରେ କହିଲି । ‘‘ମଣିଷର କୋମଳ ଭାବନା ସମ୍ଭବ–ଯଦିଓ କେତେକଙ୍କର, ହୁଏତ ସମାଜର, ଭାଷାରେ ତାକୁ ଦୁର୍ବଳତା କୁହା ଯାଇଥାଏ ।’’

 

ମୋର ଭାଷାରେ ସ୍ୱରରେ ଗୋଟାଏ ନୂତନତା ବୁଝି ପାରିଥିଲି । ରାମସ୍ୱରୂପ ସ୍ଥିର ଭାବରେ ଦେଖି ଲାଗିଲେ । ତାଙ୍କର ଆଖିରେ କ୍ରୋଧ ନ ଥିଲା–ଦୃଢ଼ତା ମଧ୍ୟ ନୁହେଁ । –ଯେପରି ସେ ମୋର ଆଖି ଭିତରେ ମୋତେ ବୁଝିବାକୁ ଚେଷ୍ଟା କରୁଥାନ୍ତି– ।

 

ମୋ ଆଖିରେ ଭୀରୁତା ନ ଥିଲା–ନ ଥିଲା ସତ୍ୟ ଗୋପନର ଦୁର୍ବଳତା । ଶେଫାଳିକାଙ୍କୁ ମୁଁ ଭଲ ପାଏ । ସେଇ ତରୁଣୀର ଅନ୍ତରର ଦରଦ ସୁର୍‍ ମୋର ଛାତି ଭିତରେ ଗୁମୁରି ବୁଲେ–ତା’ର ନିଃସହାୟ ଜୀବନ ସକାଶେ ମୋର ମନ ଭିତର ସହାନୁଭୂତିରେ ଥରି ଉଠେ । –ଏ କଥା ମୁଁ ସ୍ପଷ୍ଟ ଭାବେ କହିପାରେ । କାରଣ ମୁଁ ଜାଣେ–ଏହା ସତ୍ୟ ।

 

ରାମସ୍ୱରୂପ କ’ଣ ବୁଝି ପାରିଲେ କେଜାଣି–ମୁହଁ ଫେରାଇ ବସି ରହିଲେ– । ତା’ପରେ–ତାଙ୍କର ସେଇ ବିଶିଷ୍ଟ ଢ଼ଙ୍ଗରେ ଜଳନ୍ତା ସିଗାରେଟ୍‍ଟାକୁ ଆଙ୍ଗୁଠିରେ ଗଡ଼େଇ ଗଡେଇ ଆରମ୍ଭ କଲେ, ‘‘ମୁଁ ତୁମର ସବୁକଥା ବୁଝି ପାରିଛି ସରୋଜ । ମଣିଷର ଦୁର୍ବଳତା କଥା ମଧ୍ୟ ଜାଣେ-। କିନ୍ତୁ–’’ ତାଙ୍କର ସ୍ୱର ସହଜ ହୋଇ ପାରୁ ନ ଥିଲା । ‘‘କିନ୍ତୁ ତୁମ ପ୍ରତି କିପରି ଗୋଟାଏ ଗାଢ଼ ସଂପର୍କ ରହି ଆସିଛି...ଫଳରେ ତୁମର ଅମଙ୍ଗଳ ଆଶଙ୍କାରେ ମୁଁ କେତେକ ସ୍ଥଳରେ ନିଜକୁ ସଂଯତ କରି ନ ପାରି ନିଷ୍ଠୁର ଭାବରେ କିଛି କହିବାକୁ ବାଧ୍ୟ ହୋଇଛି–ଅବଶ୍ୟ ବନ୍ଧୁ ହିସାବରେ-।’’ ଭୀରୁ ଭାବରେ ସେ ପୁଣି ଯୋଗ କଲେ, ‘‘ମୋର ଏଇ କଡ଼ା ପ୍ରକୃତିକୁ ତୁମେ କ୍ଷମା ଦେବ ବୋଲି ଆଶା-।’’

 

ସେ ପୁଣି ସେଇ ସିଗାରେଟ୍‍ ଆଡ଼େ ଅନାଇ ରହିଲେ । ଟେବୁଲ ପାଖରେ ପଡ଼ିଥାଏ ଶେଫାଳିକାଙ୍କର ଚିଠିଟା ।

 

ଆଲୋକରେ ତାଙ୍କର ସେହି ଭାବାଭିଭୂତି ବଳିଷ୍ଠ ଗଠନ । ମନେ ହେଲା–ଦେହରେ ରକ୍ତ ମାଂସର ବଳ ଯେପରି, ମନର ବଳ ତାହାଠାରୁ କୌଣସିମତେ କମ୍‍ ନୁହେଁ–ଆଉ ସହୃଦୟତା-

 

ଆଉ ମୁଁ ? ହଁ–ମୁଁ ଦୁର୍ବଳ । ବନ୍ଧୁଙ୍କ ପରି କଠୋର ନୀତିବାନ୍‍ ମୁଁ ହୋଇପାରିନି–ହେବାକୁ ଚାହେଁ ନା । ନୀତିହୀନ ଭାବ ପ୍ରବଣତା–ସେଇ ମୋର ବୈଶିଷ୍ଟ୍ୟ ହୋଇ ଆସିଛି–

 

ବନ୍ଧୁ ନିଜର କଳ୍ପିତ ଦୋଷର ସ୍ୱୀକାର ପରେ ଏ ପର୍ଯ୍ୟନ୍ତ ମୋତେ ମୁଣ୍ଡ ଟେକି ଚାହିଁ ନାହାନ୍ତି । ଗୋଟାଏ ଅସ୍ୱସ୍ତିକର ନୀରବତା–

 

–ହୁଏତ ମୁଁ କହିବି ବୋଲି ସେ ଆଶା କରୁଛନ୍ତି । କିନ୍ତୁ ତାଙ୍କର କ’ଣ ଯଥାଯଥ ଦୋଷ ହୋଇଥିଲା ? ତାହାହେଲେ ମୁଁ ? –‘‘ତୁମର କିଛି ଭୁଲ୍‍ ନାହିଁ ରାମସ୍ୱରୂପ । ଯେ କୌଣସି ନୀତିବାନ୍‍ ବନ୍ଧୁ ମୋ ଭଳି ବନ୍ଧୁ ପ୍ରତି ଅନ୍ୟ କି ପ୍ରକାର ବ୍ୟବହାର କରିବା ସମ୍ଭବ ? –ଚରିତ୍ର ତୁମର ଗୋଟିଏ ଉଜ୍ଜ୍ୱଳ ରତ୍ନ–କିନ୍ତୁ ମୁଁ–ସେ ବିଷୟରେ ହତଭାଗା ।’’ –ଶେଷ ବାକ୍ୟଟିର ହୁଏତ ପ୍ରୟୋଜନ ନ ଥିଲା ।

 

ରାମସ୍ୱରୂପ ମୁଣ୍ଡ ଉଠାଇଲେ । ହଁ–ନିଜକୁ ଚରିତ୍ରହୀନ, ଦୁର୍ବଳ ଆଉ ନିମ୍ନସ୍ତରର ବୋଲି ବନ୍ଧୁଙ୍କ ଆଗରେ ସ୍ପଷ୍ଟ ଭାବରେ ସ୍ୱୀକାର କରିବା ଏବଂ ମନେ ମନେ କଠିନ ଏବଂ ନିଶ୍ଚିତ ଭାବେ ଅନୁଭବ କରିବା ଏଇ ମୋର ପ୍ରଥମ ।

 

ଆଜିର ଏଇ ପରିବର୍ତ୍ତିତ ଅନୁଭୂତି । ଭାବନାର ତାଡନାରେ ଅସ୍ଥିର ହୋଇ ଝରକା ପାଖକୁ ଚାଲି ଆସିଥିଲି– ।

 

କାହିଁକି ? ଭାବନାର ତାଡ଼ନାରେ ମଣିଷ ଏପରି ଝରକା ପାଖକୁ ଚାଲି ଆସଥାଏ କାହିଁକି ? –ବାହାରରୁ ପଶି ଆସିୁଥିବା ପବନରେ ମସ୍ତିଷ୍କଟାକୁ ଥଣ୍ଡାକରି ବାହାରର ଦୃଶ୍ୟରେ ନିଜକୁ ଭୁଲାଇନେବା ପାଇଁ ନା ଭାବନାର ଅପ୍ରତିହତ ଗତିପାଇଁ ?

 

ଗୋଟାଏ କେହି ରିକ୍ସାବାଲା ଜୋରରେ ରିକ୍ସା ଛୁଟାଇଥାଏ– । ପଛେ ପଛେ ଗୋଟାଏ କଳା ମଟର । ରିକ୍ସାର ଗତି ଧୀର ହୋଇଗଲା । ରିକ୍ସା ଟିକିଏ ଆଡ଼େଇଗଲା । ମଟରଟା ଛୁଟି ଚାଲିଛି ।

 

‘‘ତେବେ ଆଜି ଥାଉ ସରୋଜ । ପରସ୍ପରର ଭୁଲ୍‍ ଆମେ ବୁଝି ପାରିଛୁ । ମନ ମଧ୍ୟ ଖରାପ–’’

 

ବନ୍ଧୁ ଶୋଇବାକୁ ଚାଲିଗଲେ–ହାତରୁ ସିଗାରେଟ୍‍ ଖଣ୍ଡକ ଝରକା ତଳେ ପଡ଼ି ଯାଇଥିଲା । ଚନ୍ଦ୍ର କିରଣରେ ସିଗାରେଟ୍‍ର କୁଞ୍ଚିତ ଧୂମ୍ର କୁଣ୍ଡଳୀ ଅସ୍ପଷ୍ଟ ପ୍ରାୟ– ।

 

‘‘ଭଗବାନ ଜନ୍ମ ଦେଇ ଏତେ ଦୁଃଖ ଦିଅନ୍ତି କାହିଁକି ? ଅଭାଗିନୀ ହୋଇ ଜନ୍ମ ହେଇଥିଲି, ମରି ନ ଗଲି ଯାହା...

 

କିଶୋରଙ୍କୁ ପୁଣି ଆଠଦିନ ହେଲା ପୋଲିସ୍‍ ଧରି ନେଇଛି– । ଏଥର ଚୋରି ଅପରାଧରେ ନୁହେଁ, ପୂର୍ବରୁ ସେ କୁଆଡ଼େ ଅନ୍ୟ ଏକ ଅପରାଧ କରି ଜାମିନରେ ଖଲାସ ହୋଇ ସମୟ ଶେଷରେ ପୋଲିସକୁ ଧରା ନ ଦେଇ ଚାଲି ଆସିଥିଲେ । ସେଇ ଅପରାଧରେ ବର୍ତ୍ତମାନ ଦୁଇମାସ ଜେଲ୍‍ ଭୋଗିବେ ବୋଲି ଶୁଣାଯାଏ ।

 

–ମୋ ଭଳି ଜଣେ ଅଭାଗିନୀକୁ ଏତେ ହଇରାଣ କରି ଭଗବାନ କି ଆନନ୍ଦ ପାଆନ୍ତି ଭାଇ ?

 

–ମୁଁ ବର୍ତ୍ତମାନ ପୂର୍ବପରି ଏକୁଟିଆ । ମନରେ ନିୟତ ଅଶାନ୍ତି । ଆଶା କରେ, ଆପଣ ଛୁଟିରେ ମୋ ପାଖକୁ ନିଶ୍ଚୟ ଆସିବେ । ଆପଣଙ୍କ ସ୍ମୃତି ସଙ୍ଖାଳି କରି ମୁଁ ଅନେକ ସମୟରେ ଭାବେ । ଏ ଅଭାଗିନୀଟିକୁ ଭୁଲିବେ ନାହିଁ ।

 

ଆପଣଙ୍କର ସ୍ନେହର

ଶେଫାଳିକା’’

ଆଉ ଲାବଣ୍ୟମୟୀ ଲେଖିଛନ୍ତି–‘‘କଲ୍ୟାଣୀୟ ଦୀର୍ଘଜୀବେଷୁ ।’’ ତା’ପରେ କିଶୋର ସମ୍ୱନ୍ଧରେ ସେଇ ଏକ କଥା । ଶେଷକୁ ଲେଖା ଅଛି–‘‘ଶେଫାଳିକା ତୁମ କଥା ଅନେକ ସମୟରେ ଭାବେ, ମୋତେ କହେ–ମା’, ଭାଇଙ୍କୁ ଆଉ ଥରେ ଆସିବାକୁ ଲେଖ ।’’

ରାମସ୍ୱରୂପ ଚିନ୍ତିତ ଦେଖା ଗଲେ । ଆଉ ତାଙ୍କର ଚିନ୍ତାର କାରଣ ମୁଁ ବୁଝି ପାରିଥିଲି । କିଶୋରର ବିଚ୍ଛେଦରେ ଶେଫାଳିକା ଆହତ–ଅଥଚ ସେ ଚାହେଁ ସରୋଜର ସନ୍ନିଧାନ ? –ପୂର୍ବପରି ଏକୁଟିଆ–ମାନେ ? ସ୍ମୃତିକୁ ସଙ୍ଖାଳି କରି ଅନେକ ସମୟରେ ଭାବେ– ? ଏ ସବୁର ଅର୍ଥ-?

‘‘ତେବେ–ତୁମେ କ’ଣ କରିବାକୁ ଯାଉଛ ?’’ ସେ ପ୍ରଶ୍ନ କଲେ ।

‘‘ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି କରି ନାହିଁ ।’’

ସେ ଟିକିଏ ସହଜଭାବେ ହସି ଉଠିଲେ । ‘‘କିନ୍ତୁ ଗୋଟାଏ କଥା–ଶେଫାଳିକା ସହିତ ତୁମର ବିବାହ–ଏ କଥାରେ ହଁ ଭରିବା ମୋ ପକ୍ଷରେ ଅସମ୍ଭବ ।’’

ବନ୍ଧୁଙ୍କର ଭୁଲ ଧାରଣା ଦେଖି ମୁଁ ସ୍ମିତ ହସିଲି । କଥାଟାର ଆନୁମାନିକ ଅପ୍ରିୟତା ଘୋଡ଼ାଇବା ପାଇଁ ବୋଧହୁଏ ସେ ସହଜ ହସର ଆବରଣ ଦେଇଥିଲେ ।

‘‘ଶେଫାଳିକା ସହିତ ବିବାହ ତ ମୁଁ କେବେହେଲେ ଚାହିଁ ନ ଥିଲି–ଏବେ ମଧ୍ୟ ଚାହେଁ ନା । –ଅସମ୍ଭବ କଥା’’, ମୁଁ କହିଲି ।’’

ସନ୍ଦେହର ଗୋଟାଏ ସ୍ପଷ୍ଟ ତୀକ୍ଷ୍ଣ ରେଖା ବନ୍ଧୁଙ୍କର କପାଳ ଉପରେ ଦେଖା ଦେଇ ଲିଭିଗଲା । ପରକ୍ଷଣରେ ସେ ହସି ହସି ତାଙ୍କର ଓସାରିଆ ପାପୁଲିଟି ବଢ଼ାଇ ଦେଲେ–‘‘ହାତ ମିଲାଓ ।’’

 

କୋମଳ ଶାନ୍ତ ଏହି ପ୍ରଭାତଟି । ଶୀତଳିଆ ସିରିସିରିଆ ପବନରେ ସତେଜତା’ର ମୃଦୁ କମ୍ପନ । ବାହାରର ଶିଶିରଭିଜା ବିଜୁଳି ବତୀଟି–ଧୀରେ ଧୀରେ ତା’ର ପ୍ରଭା ହାରି ଆସୁଥାଏ–ସାରା ରାତି ଉଜାଗର ହୋଇ ରହିଥିଲା କି ନା ?

 

ଆକାଶର କୁଆଁ ତରାଟି–କେତେ ଶାନ୍ତ ଜ୍ୟୋତି ! ଅନ୍ଧାରର ଘନଘଟା ଫେରି ଯାଇଛି । ଫେରି ଆସିବ କର୍ମମୟ ସକାଳ । କଅଁଳିଆ ଝିଲିମିଲି କିରଣ ଗୁଡ଼ିକ ନେଇ ଆସିବ ଦିନକର ସ୍ୱପ୍ନ-। ତା’ପରେ–ତା’ପରେ ଏଇ ତରାଟିକୁ ସମସ୍ତେ ପାଶୋରି ଯିବେ । କିନ୍ତୁ କେତେ ପବିତ୍ର ଏଇ ତାରାଟି । –ତଳେ ତା’ର ଛିନିଛିନିଆ ହାଲୁକା ଅନ୍ଧାର–ସାଥିରେ ତା’ର କେତେ ଗୋଟି ମଞ୍ଜି ମିଞ୍ଜି ତାରା । ନିଜେ ଶୁଭ୍ର–ଆନନ୍ଦ ଆଉ ଶାନ୍ତ ସ୍ୱପ୍ନର ଝରଣା ।

 

ଶାନ୍ତ ସ୍ୱପ୍ନ ! କିନ୍ତୁ ଆଖି ଆଗରେ ପରୀକ୍ଷା–ଏଥିରେ ସ୍ୱପ୍ନର ଅବକାଶ ବା କାହିଁ ?

 

ପରୀକ୍ଷାଟା ନ ଥାନ୍ତା କି ? ଏଇଠି ଏମିତି ଶୋଇ ଶୋଇ ଚାହିଁ ରହିଥାନ୍ତି–ଏଇ ତାରାଟିକୁ । ଧୀରେ ଧୀରେ ଟିକି ତାରାଟି ଲୁଚି ଯାଇଥାନ୍ତା । ଭାସି ଉଠନ୍ତା ସିନ୍ଦୂରିଆ ଝିଲିମିଲି ପାତଳ ମେଘ–ଆଉ ପବନରେ ଲହଡ଼ି ପିଟନ୍ତା ପକ୍ଷୀମାନଙ୍କର କଳରବ ସହିତ ରାସ୍ତା ଉପରେ ରିକ୍ସାର ଘଣ୍ଟି ଆଉ ବଗି ଘୋଡ଼ାର ଟାପୁ ଶବ୍ଦ ।

 

କିନ୍ତୁ–ପରୀକ୍ଷା ! ମନ ଭିତରେ ଚମକ ଲାଗେ, ଶିରା ପ୍ରଶିରାର ଝିମା’ ରକ୍ତ ଚଞ୍ଚଳ ହୋଇ ଉଠେ । ଟୀକା ଟିପ୍‍ପଣୀ, ପତ୍ର ପତ୍ରିକା–ବହିଗୁଡ଼ିକର ପରିକ୍ରମା ବଢ଼େ । ସଫଳତା–ବିଫଳତାର ଆଶା ଆଶଙ୍କା–ଘନ ଘନ ଅନିଶ୍ଚତତା ଭିତରେ ଅତୀତ ଆଉ ଦୂର ଭବିଷ୍ୟର ସୀମାହୀନ ସ୍ୱପ୍ନ–ସଂକୁଚିତ ହେଇ ଉଭେଇ ଯାଏ । ବର୍ତ୍ତମାନ–ଦ୍ରୁତ–ସ୍ଥିତିହୀନ ବର୍ତ୍ତମାନ ।

 

ପରୀକ୍ଷା–ମୁଁ ଭୟ କରେ । କିନ୍ତୁ ଭଲ ପାଏ ଆହୁରି ବେଶୀ ! ଅଶ୍ରାନ୍ତ ଛାତ୍ରାବାସର ଚିରବାଞ୍ଛିତ ନୀରବତା–ଆଳସ୍ୟର ଦୀର୍ଘବାଞ୍ଛିତ ବିରାମ–ନିଶ୍ଚିତ ପରିଶ୍ରମର ଉଦ୍‍ବେଗଭରା ଦିନଗୁଡ଼ିକ । ଘଣ୍ଟା ଘଣ୍ଟା ଧରି ସାନ ବଡ଼ ଛାପା ଲେଖା କାଳି ଉପରେ କର୍ତ୍ତବ୍ୟସ୍ଥିର ଆଖି ଯୋଡ଼ିକ ଆବଦ୍ଧ ରହେବ ନୀରବତା–ନୀରବ ସାଧନା–ଝରକା ପାଖେ ଟେବୁଲ ଉପରେ ପୃଷ୍ଠା ଓଲଟି ଚାଲେ–କାଗଜ ଉପରେ କଲମ ଛୁଟେ ଟିପ୍‍ପଣୀ ଲେଖି ।

 

ପଢ଼ା ସମୟରେ ଚାମେଲୀ ଆଉ ଶେଫାଳିକା ମନ ଭିତରୁ ଦୂରେଇ ଯାଇଥାନ୍ତି । କିନ୍ତୁ ସନ୍ଧ୍ୟାବେଳେ ଯେତେବେଳେ ମୁଣ୍ଡ ଭାରି ହୋଇ ଉଠେ–କଳ୍ପନାରେ କିଛି ସମୟ ବିଳାସ କରିବାକୁ ଇଚ୍ଛା ହୁଏ–କପେ ଚାହା ସହିତ ଫେରି ଆସନ୍ତି ଚାମେଲୀ–ସିଗାରେଟ୍‍ର ଧୂଆଁ ଚକି ଭିତରେ ଫୁଟି ଉଠେ ଶେଫାଳିକାର ମୁହଁ ଖଣ୍ଡିକ ।

 

କଲେଜ ଯିବା ବନ୍ଦ କରି ଦେଇଥିଲେ ମଧ୍ୟ ମଝିରେ ମଝିରେ ଚାମେଲୀଙ୍କୁ ଦେଖିବାକୁ ଇଚ୍ଛା ହେଉଥାଏ । କିନ୍ତୁ ପରୀକ୍ଷା ମାତ୍ର ମାସେ ବାକି ଏବଂ ବର୍ଷକ ଯାକ ସହିତ ସଂପର୍କ କେବେ ହେଲେ ମଧୁର ନ ଥିଲା ।

 

ଦର୍ଶନ ଇତିହାସର ଗୁଡ଼ାଏ ବିଦେଶୀନାମ ମୁଣ୍ଡ ଭିତରେ ଢ଼ୁକେ ନାହିଁ, ଆଉ ଢ଼ୁକିବା ପରେ ମଧ୍ୟ ଯୁକ୍ତି ପ୍ରତିଯୁକ୍ତି, କାଟ୍ୟ ଅକାଟ୍ୟ ଯୁକ୍ତି–ଦ୍ୱୈତବାଦ, ଅଦ୍ୱୈତବାଦ–ନାସ୍ତିକ ଆସ୍ତିକ ବାଦ–ମୁଣ୍ଡ ଘୂରି ଲାଗେ । ଭଗବାନ ! ସବୁ ତୁମର ଦର୍ଶନ !

 

ଜିନିଷଟା ହୁଏତ ସେତେଦୂର କଷ୍ଟ ନୁହେ ! –କେତେଦିନର ଅକ୍ଳାନ୍ତ ପରିଶ୍ରମ ପରେ ଯୁକ୍ତି ପ୍ରତିଯୁକ୍ତି ମନରୁ କାଢ଼ି ବହି ସାଙ୍ଗରେ ମିଳାଇ ପାରିଲି । ଉତ୍ସାହ ବଢ଼ିଲା–ତଥାପି ଦେଶୀ ନାମର ତାଲିକା ତ କିଛି କମ୍‍ ନୁହେଁ–କେଉଁ ପ୍ରାଚୀନତମ ଅଜ୍ଞାତ ଋଷିଙ୍କଠାରୁ ଶଙ୍କରାଚାର୍ଯ୍ୟ ପର୍ଯ୍ୟନ୍ତ । ଅବଶ୍ୟ ଓଡ଼ିଆ ପୁରାଣମାନଙ୍କର ପୃଷ୍ଠା ଭିତରୁ ଏମାନଙ୍କର କେତେକଙ୍କ ସହିତ ମୁଁ ପରିଚିତ । ଏହା ପରେ ଡା. ଶାହାଙ୍କର କଡ଼ା ଆଦେଶ–ଦାର୍ଶନିକ ପତ୍ରିକାମାନଙ୍କରୁ ମଧ୍ୟ କେତେକ ଲେଖା ସଂଗ୍ରହ କରିବାକୁ ହେବ ? ‘‘ଓଃ, କ’ଣ କରୁଥିଲି ମୁଁ ଏଇ ବର୍ଷଟାଯାକ !’’

 

ମୋର ରାମ୍ପୁଡ଼ି ହେବା ଦେଖି ରାମସ୍ୱରୂପ ହସ ଚାପିନେଲେ । ‘‘କିହୋ–ଏପରି ବିକଳିଆ ହୋଇ ଲାଭ କ’ଣ ? ଶାନ୍ତ ହୋଇ ନିୟମିତି ଭାବରେ ପଢ଼ ।’’

 

ମୋର ହିଂସା ହେଲା । ଦେଖୁଛି–ତାଙ୍କ ଟେବୁଲ୍‍ ଉପରେ ଗୋଟାଏ ପରେ ଗୋଟାଏ ବହି ରଖା ହୋଇ ପୁଣି ଚାଲି ଯାଉଥାଏ–ଆକବର–ଆଉରଙ୍ଗଜେବ–ଶିବାଜୀ–ଟ୍ୟୁଡ଼ର ରାଜତ୍ୱର ଇତିହାସ–ପ୍ରଥମ ମହାସମରପରେ ୟୁରୋପ୍‍ । ବର୍ଷସାରା ସେ ନିୟମିତ । ଟୀକା ଟିପ୍‍ପଣୀ ସମସ୍ତ ମହଜୁଦ୍‍ । ଖାଲି ଟିକିଏ ଆଖି ବୁଲାଇ ନେଲେ ଯଥେଷ୍ଟ । ଆଉ ମୁଁ– ? ଆଃ–ଆଉ ଏଇ ଦିନଗୁଡ଼ାକ–ଏ ଗୁଡ଼ାକ ଏତେ ଚଞ୍ଚଳ ଚାଲିଯାଆନ୍ତି କାହିଁକି ?

 

ମସ୍ତିଷ୍କର ଧୂସର ଅଂଶର ସମସ୍ତ ଛିଦ୍ର ଯେପରି ଦାର୍ଶନିକ ତତ୍ତ୍ୱରେ ଭରି ଉଠିଲା । ମୁଣ୍ଡଟା ଟଣ୍‍ ଟଣ୍‍ କରି ବିନ୍ଧି ଲାଗିଥାଏ । କିନ୍ତୁ ପରୀକ୍ଷାର ପ୍ରତମ ଦିନ ପରେ ଆଉ ଉତ୍ତେଜନା ନଥିଲା ।

 

ପରୀକ୍ଷା ଶେଷ ହୋଇ ଯାଇଛି ।

 

‘‘ଓହୋ–ପରୀକ୍ଷା ଫଳ ଯାହା ହେଉ–ମଣିଷ ଏତେବେଳକୁ ଶାନ୍ତିରେ ଟିକିଏ ନିଃଶ୍ୱାସ ମାରି ପାରିଲା ।’’ ମୁଣ୍ଡ ଉପରେ ହାତ ଚାପି ଧରି ଚୌକି ଉପରେ ଲଥ୍‍ କରି ବସି ପଡ଼ିଲି ।

 

ରାମସ୍ୱରୂପ ମୋର ଅଭିନୟ ଦେଖି ପରିହାସ ଛଳରେ ପ୍ରଶ୍ନ କଲେ,‘‘କ’ଣ ଏମିତି ଗୁଡ଼ାଏ କରି ପକାଇଲେ କି ?’’

 

ଏହିଭଳି ପ୍ରଶ୍ନର ସୁଯୋଗ ହିଁ ମୁଁ ଆଶା କରୁଥିଲି । ବିରକ୍ତିର ଛଳନା କରି କହି ଉଠିଲି, ‘‘ଆରେ ବାଃ, ୟୁରୋପର ସମସ୍ତ ଦାର୍ଶନିକ–ଭାରତର ସମସ୍ତ ଋଷି ମହର୍ଷି ଯୁଗ ଯୁଗ ବ୍ୟାପୀ ସାଧନା କରି ସେମାନଙ୍କର ଅସାଧାରଣ ମସ୍ତିଷ୍କ ଖେଳାଇ ପୃଥିବୀର ଆରମ୍ଭରୁ ଏପର୍ଯ୍ୟନ୍ତ ଯାହା କିଛି ତତ୍ତ୍ୱ ବାହାର କରିଥିଲେ, ସେ ସମସ୍ତ ମାତ୍ର କେତୋଟିଦିନରେ ନିଜ ମସ୍ତିଷ୍କ ଭିତରେ ପୂର୍ଣ୍ଣ କରି–ଅଳ୍ପ କେତୋଟି ଘଣ୍ଟା ଭିତରେ ଫାଉଣ୍ଟେନ୍‍ କଲମ ଭିତର ଦେଇ କାଳି ଦ୍ୱାରା ନିଷ୍କାସନ କରିଦେବା କିଛି କମ୍ କଥା ନା କ’ଣ ?’’ ଶବ୍ଦଗୁଡ଼ାକର ସ୍ପଷ୍ଟ ଉଚ୍ଚାରଣ ଛନ୍ଦ ରଖି ଏକ ସୁଦୀର୍ଘ ଜ୍ୱାଳାମୟୀ ବତ୍କୃତା ଦେବାକୁ ଯାଇ ମୋତେ ମଝିରେ ଥରେ ଦମ୍‍ ନେବାକୁ ପଡ଼ିଥିଲା ଏବଂ ମୁଁ ବାଧ୍ୟ ହୋଇ ଢୋକ ଗିଳିଥିଲି, ବତ୍କୃତାର ଶେଷ ଅଂଶଟି କରତାଳି ବଦଳରେ ରାମସ୍ୱରୂପଙ୍କର ହସରେହିଁ ଲୁଚି ଯିବାର ଚେଷ୍ଟା ଥିଲା । କିନ୍ତୁ ଏହା ଭିତରେ ରାମସ୍ୱରୂପ ପିଇବା ସକାଶେ ଚେଷ୍ଟା କରୁଥିବାରୁ ପାଣି ମୁନ୍ଦାକ ପେଟ ଭିତରକୁ ନ ଯାଇ ପାରି ନାକପୁଡ଼ା ବାଟେ ଫେରି ଆସିଥିଲା ଏବଂ ବନ୍ଧୁଙ୍କର ବିରାଟ ବପୁ କିଛି ସମୟ ସକାଶେ କମ୍ପି ଉଠିଥିଲା । –ମୁଁ ନିତାନ୍ତ ଦୁଃଖିତ ହେଲି ।

 

ଚେସ୍‍ ବୋର୍ଡ଼ ଉପରୁ ଆଖି ଉଠାଇ ରାମସ୍ୱରୂପ ପ୍ରଶ୍ନ କଲେ, ‘‘ଏଥର ? ଆଉ ଯିବ କୁଆଡ଼େ ?’’

 

ଯିବାକୁ ଆଉ ରାସ୍ତା ନ ଥିଲା । ଦୀର୍ଘ ଦୁଇଘଣ୍ଟା କାଳ ଠକି ଠକି ଚାଲିଥିଲି । ଏଇ ଥର କିନ୍ତୁ ରଜଟା ରୀତିମତ ବନ୍ଦୀ । ଏ ଗଣତନ୍ତ୍ର ଯୁଗରେ ରଜାଗୁଡ଼ାକ ରହି ବା ଲାଭ କ’ଣ ? ମନେ ମନେ ହସ ମାଡ଼ିଲା । କିନ୍ତୁ ଏହା ବୋଲି ଅପର ପକ୍ଷର ରାଜା ମନ୍ତ୍ରୀ ମୋର ସାମ୍ରାଜ୍ୟ ଘେରି ଯିବେ-? –ଏଣେ ମନ୍ତ୍ରୀ ଛକି ରହିଛି–ତେଣେ ଘୋଡ଼ାଟା । ନା–‘‘ଛତ୍ରଭଙ୍ଗ ଓ ପରାସ୍ତ ।’’

 

ରାମସ୍ୱରୂପ ବିଜୟୀ ହୋଇ ହସି ଉଠିଲେ ।

 

‘‘କିନ୍ତୁ ତୁମକୁ ମାନିବାକୁ ହେବ ଯେ ମୁଁ ଅନ୍ତତଃ ଦୁଇ ଘଣ୍ଟା କାଳ ତୁମକୁ ରଖେଇ ପାରିଛି । କ’ଣ କମ୍‍ କୃତୀତ୍ୱ ?’’ ମୁଁ ବାହାଦୂରୀ ଦାବି କଲି ।

 

ରାମସ୍ୱରୂପ ସ୍ୱୀକାର କଲେ–‘‘ନିଶ୍ଚୟ–ନିଶ୍ଚୟ । :ବାହାଦୂରୀରେ ଯାଏ ।’’

 

ଗୋଟିଗୁଡ଼ିକ ଡବାରେ ରଖୁ ରଖୁ ରାମସ୍ୱରୂପ କହିଲେ, ‘‘ହଁ, ସରୋଜ, ଗୋଟାଏ ଆନନ୍ଦର କଥା ।’’

 

‘‘କ’ଣ ?’’

 

‘‘ପରୀକ୍ଷା ତ ସରିଛି–ନୁହେଁ ?’’

 

ବେଖାତିର ଭାବେ କହିଲି–‘‘ହଁ, ହଁ, ଏ କଥା ତ ସମସ୍ତେ କହୁଛନ୍ତି...ଅନ୍ତତଃ ମୋର ଓଜନିଆ ମସ୍ତିଷ୍କ...’’

 

ରାମସ୍ୱରୂପ ମୋର ରହସ୍ୟପ୍ରିୟତାକୁ ସ୍ମିତହାସରେ ବାଆଁରେଇ ନେଇ ଗୁରୁତ୍ୱ ଦେଇ କହିଲେ, ‘‘ଆମ ଗାଁକୁ ଯିବ ? ଭାଉଜଙ୍କୁ ପାଖରୁ ନିମନ୍ତ୍ରଣ ଆସିଛି ।’’

 

ଆନନ୍ଦକର ବିସ୍ମୟ । ସେ ମୋର ଆଖିରୁ ସମସ୍ତ ବୁଝି ପାରିଥିଲେ । ‘‘ତାହାହେଲେ ଯିବା ?’’

 

‘‘କେବେ ?’’

 

ଦୂରର ଗୋଟାଏ ଥୁଣ୍ଟା ଗଛ ଆଢ଼ୁଆଳରେ ନାଲି ସୂର୍ଯ୍ୟଟିଏ ଦିଗରେଖା ତଳେ ଧୀରେ ଧୀରେ ଲୁଚି ଯାଉଥାଏ । ଗଛର ଶାଖା–ପ୍ରଶାଖାଗୁଡ଼ିକ ଝିଲିମିଲିଆ ନାଲି ଆକାଶର ଛାପା ଉପରେ କଳା ଅଥଚ ସୁନ୍ଦର । –ସୂର୍ଯ୍ୟଟି ଧୀରେ ଧୀରେ ବୁଡ଼ି ଯାଉଛି । ଫଗୁଆ ମେଘ ଧୀରେ ଧୀରେ ଫାକି ଆସିଛି । ଏ ପାଖରେ ଢଳି ଢଳି ହସି ହସି ଉଠି ଆସୁଛି ଅଷ୍ଟମୀର ଅର୍ଦ୍ଧଚନ୍ଦ୍ର ।

 

ଛୋଟ ଛୋଟ ଜୁକୁଜୁକୁଆ ତାରାଗୁଡ଼ିକ–ଯାଦୁକରର ଶାନ୍ତି–ନିଭା ଶୀତଳ ପ୍ରଲେପ । ଦିଗହଜା ଛିନିଛିନିଆ ଜହ୍ନ ଆଲୁଅ । ମଝିରେ ମଝିରେ ଗୋଟାଏ ଗୋଟାଏ କଳା–ସାଉଁଟା ଡେଙ୍ଗା ଗଛ–ନିତାନ୍ତ ଭାବ–ବ୍ୟସ୍ତ–ରାସ୍ତାର ଦୁଇ କଡ଼ରେ କିଆରୀ ।

 

‘‘ଇହାଁସେ ଔର ଗାଡ଼ି ନହିଁ ଯାଏଗୀ ବାବୁଜୀ ।’’ ଟାପୁ ଶବ୍ଦ ବେତାଳିଆ ହୋଇ ଥମିଗଲା । ନିଜ ନିଜର ଏଟେଚି ଆଉ ବେଗ୍‍ ଖଣ୍ଡିକ ଧରି ଦୁଇବନ୍ଧୁ ଓହ୍ଲାଇ:ପଡ଼ିଲୁ ।

 

ଶୁଦ୍ଧପୁର–ରାମସ୍ୱରୂପଙ୍କର ଗାଁ–ବଂଶର ଜମିଦାରୀ । କଅଁଳିଆ ଧୂଳିଆ ରାସ୍ତା–ମନ ହେଉଥାଏ ଯୋତା କାଢ଼ି ନେବାକୁ–ଶୀତଳିଆ ଧୂଳି ଉପରେ ପାଦ ପକାଇ ଅନୁଭବ କରିବାକୁ ପିଲା ଦିନର ସ୍ମୃତି ।

 

–‘‘କୋନ୍‍ ? ରାମସ୍ୱରୂପ ?’’

 

‘‘ଜୀ ହାଁ ।’’ ବନ୍ଧୁ ପଦ ବନ୍ଦନା କଲେ ।

 

‘‘ଆଉ ଏ...’’

 

‘‘ମୋର ବନ୍ଧୁ, ହୋଲି ସକାଶେ ଡାକି ଆଣିଛି ।’’

 

‘‘ଓହୋ–ଆପଣ... ।’’

 

ମୁଁ ନମସ୍କାର କଲି ।

 

‘‘ଭଲରେ ଆସିଲେ ?’’

 

ଉତ୍ତର ନ ସରୁଣୁ ଡକା ପଡ଼ିଲା ‘‘ଜଗମଲ୍‍–ଆରେ ଜଗମଲ୍‍ । ବାବୁଙ୍କ ପାଇଁ ଘର ଫିଟାଇ ଫଟ କାଢ଼ି ଦିଅ ।’’

 

ରାମସ୍ୱରୂପଙ୍କ ଭାଇ ଦେବସ୍ୱରୂପଙ୍କର ଆହୁରି ମୋଟା ଗଳା–ଠିକ୍‍ ଯେପରି ଗୋଟାଏ ‘‘ଲାଉଡ଼୍‍ ସ୍ପିକର’’ ଅନବରତ ମୁହଁ ପାଖରେ ଖଞ୍ଜା ହୋଇଥାଏ ।

 

–ଧୁଆଧୋଇ ହେବା ପରେ ପୋଷାକ ବଦଳାଇ ମୁଁ ଖଟ ଉପରେ ପଡ଼ି ରହିଲି ।

 

ରାମସ୍ୱରୂପ ଚାଲି ଯାଇଥାନ୍ତି ଘର ଭିତରକୁ, ମୁଁ ଚାହିଁ ରହିଲି ସେଇ ତୁଳା–ଭିଣା ବହୁରୂପୀ ବାଦଲ ଆଡ଼େ । ଅଧା ଚନ୍ଦ୍ରଟା ହସି ହସି ଖେଳି ବୁଲୁଥାଏ । ଛୋଟା ହାତୀଟା ବଦଳିଯାଏ ଅଷ୍ଟ୍ରେଲିଆର ମାନଚିତ୍ର । ଠେକୁଆଟାଏ ଅଭ୍ୟାସ କରେ ଲରେଲ୍‍ ହାର୍ଡିର ମୁଖଭଙ୍ଗୀ ।

 

ବୁଟ୍‍ରୁ ନିଷ୍କୃତି ପାଇବା ପରେ ପାଦ ଦି’ଟା ଖୋଲା ପବନ ଆଉ ନରମ ଶେଯର ଅନୁଭୂତିରେ ଆତ୍ମପ୍ରସାଦ ଲାଭ କରୁଥାନ୍ତି । ଦୂରରୁ ଡ଼ୁଗି–ତବଲା ଟିପା ଆଉ ହାରମୋନିୟମ୍‍ର ସୁର୍‍ ଭାସି ଆସୁଥାଏ । ମଝିରେ ମଝିରେ ଗୋଟାଏ ଗୋଟାଏ କୁକୁର ପାଟି କରି ଉଠୁଥାନ୍ତି–ତା’ପରେ ପୁଣି ସେଇ ଟିପା ଆଉ ସୁର୍‍, ଦେବସେନ ଆଉ ଇନ୍ଦ୍ର ସେନୀ–ଦେବସ୍ୱରୂପଙ୍କର ଛୋଟ ଛୋଟ ପୁଅଝିଅ ଦୁଇଟି ଖେଳି ବୁଲୁଥାନ୍ତି ମୋ ଖଟ ଚାରିଆଡ଼େ । ଆଉ ମୁଁ–ଅନୁଭବ କରୁଥାଏ ସେଇ ସୁନ୍ଦର ନରମ ପ୍ରକୃତି । ଆଃ–କି ଶାନ୍ତି !

 

ଜମିଦାର ଘର–କୋଠା–ପ୍ରଶସ୍ତ ଅଗଣା । ରାମସ୍ୱରୂପ ଗଳା ଖଙ୍କାରି ମାରି କହିଲେ, ‘‘ଦେଖ ଭାବୀ, ବନ୍ଧୁ ଆସିଛନ୍ତି; ଭଲକରି ଖାଇବାକୁ ଦିଅ–ଯେପରି ମନେ ଥିବ ।’’ ନିଆ ପାଖରେ ରୁଟି ସେକୁଥିବା ଯୁବତୀ ଜଣକ ମନେ ମନେ ହସି ଉଠିଥିବେ ।

 

ରାମସ୍ୱରୂପଙ୍କର ଉପଦେଶ ଅନୁଯାୟୀ ସେତେବେଳେ ପେଣ୍ଟ୍ ସାର୍ଟ୍‍ ମୋର ଶରୀରକୁ ଘୋଡ଼ାଇ ନ ଥିଲା–ଖଣ୍ଡିଏ ଧୋତି ଆଉ ଗଞ୍ଜି । କିନ୍ତୁ ପିଢ଼ାରେ ବସିବା ଆଗରୁ ରାମସ୍ୱରୂପ ମୋର ଦେହ ଉପରେ ଆଖି ବୁଲାଇ କହିଲେ, ‘‘ଏକକାନିଆଟା ହୋଇ ବସିବ କିପରି ? ଧୋତିର କାନିଟାକୁ କାନ୍ଧ ଉପରେ ବୁଲାଇ ଆଣ ।’’

 

ସେଥିରେ କ’ଣ ପ୍ରୟୋଜନ ଥିଲା ବୁଝି ପାରିଲି ନାହିଁ । କିନ୍ତୁ ତାଙ୍କର କହିବା ମତେ ତାଙ୍କର ଅନୁକରଣ କରି ବସି ପଡ଼ିଲି । ଭାବୀ ଖଣ୍ଡିଏ ଖଣ୍ଡିଏ ରୁଟି ସେକି ଆମ ଥାଳିକୁ ଫିଙ୍ଗି ଦେଉଥାନ୍ତି ।

 

ବନ୍ଧୁ ଗୋଟିଏ ଆଖି ଅଳପ ବୁଜି ଦେଇ ଇଂରାଜୀରେ ପଚାରିଲେ, ‘‘ଆମ ଭାବୀଙ୍କର ମୁହଁ ଦେଖିଛ ?’’

 

ମୁଁ ଅପ୍ରତିଭ ହୋଇ କହିଲି–‘‘ନା ।’’

 

‘‘ଭାବୀଜୀ, ସରୋଜଙ୍କୁ ତୁମ ମୁହଁଟି ଦେଖେଇ ଦିଅ ତ । ବିଚାରା ଚାହିଁ ବସିଛି ।’’

 

–ସୁନ୍ଦର କିମ୍ୱା ଅସୁନ୍ଦର ବାଛିବାକୁ ମୋର ସାହସ ବା ସମୟ ନ ଥିଲା ।

 

ଭାବୀ ଏଣିକି ଚଳେଇ ଚଳେଇ ଗପ ଯୋଡ଼ିଲେ । ରାମସ୍ୱରୂପ ଇଂରାଜୀରେ ତା’ର ଅନୁବାଦ କରୁଥାନ୍ତି । ପ୍ରଶ୍ନ, ‘‘କେତେ ଦିନ ରହିବ ?’’

 

‘‘ବଡ଼ ଜୋର ଦୁଇ ନିତି ଦିନ ।’’

 

‘‘ଆଚ୍ଛା–ଦେଖିବା, ତୁମକୁ ଯଦି ଦଶ ଦିନ ଅଧିକା ରଖି ନ ଦେଇଛି !’’ ସେଇ ଓଢ଼ଣା ଭିତରୁ ପରିହାସ ବାକ୍ୟବାଣର ଅନ୍ତ ନାହିଁ ଯେପରି–

 

‘‘କାଲି ସାବଧାନ ଥିବ, ରଙ୍ଗ ଅଜାଡ଼ି ତୁମର ପୋଷାକ ପତ୍ର ସବୁ ନଷ୍ଟ କରିଦେବି ।’’

 

‘‘ଆରେ, ବାପ୍‍ ରେ ।’’

 

–ପଥଶ୍ରମ ହେତୁ ବୋଧହୁଏ, ରାମସ୍ୱରୂପଙ୍କ ସହିତ ଗଳ୍ପ କରୁ କରୁ କେତେବେଳେ ଯେ ମୁଁ ଶୋଇ ପଡ଼ିଛି–ଜାଣେ ନାହିଁ ।

 

ଗ୍ରାମବଧୂଙ୍କର ଶୁଭ ସଙ୍ଗୀତରେ ମୋର ନିଦ ଭାଙ୍ଗିଲା । ଗୋଟାଏ ପରେ ଗୋଟାଏ ଗୀତର ଲହର ଉଛୁଳି ଉଠି ଧୀରେ ଧୀରେ ବିଳାଇ ଯାଉଥାଏ ପ୍ରଭାତର ଶୀତଳିଆ ଉଲୁସା ପବନରେ ତା’ର ମୂର୍ଚ୍ଛନା । ମନ ହେଉଥାଏ–ଆଖି ବୁଝି ଶୋଇ ରହି କୌଣସି ମାୟାପୁରୀର କଳ୍ପନା କରିବାକୁ ।

 

–ଏଠାକାର ଦେହାତି ସ୍ତ୍ରୀମାନଙ୍କର ବଳିଷ୍ଠ ଗଠନ, ସେମାନଙ୍କର ଲାଙ୍ଗା ପିନ୍ଧା ଆଉ ପର୍ବତ–ବିହୀନ ଶାନ୍ତ ପ୍ରାକୃତିକ ଦୃଶ୍ୟ ମନ ଭିତରେ ଆନନ୍ଦ ଆଣୁଥାଏ । ପାଚିଲା କ୍ଷେତ ଉପରେ ଉଇଁ ଆସୁଥାଏ ଦଗଦଗା ନାଲି ସୂର୍ଯ୍ୟଟି । ପୂର୍ବ ଆକାଶର ମେଘ ତଳେ ଉଡ଼ି ଯାଉଥିଲେ କଳା କଳା ପକ୍ଷୀଗୁଡ଼ିକ ।

 

ରାମସ୍ୱରୂପଙ୍କ ଚଚା ଆନନ୍ଦାନନ୍ଦଙ୍କର କୋଠା । ବନ୍ଧୁଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଁ ଖଣ୍ଡିଏ ଧୋତି ଏବଂ ସାର୍ଟ ପିନ୍ଧି ବାହାରିଥିଲି । ବଂଶଗତ ପରମ୍ପରା ବଜାୟ ରଖି କୋଠା ସାମନାରେ ସମସ୍ତ ବନ୍ଧୁବାନ୍ଧବ ଠୁଳ ହୋଇଥାନ୍ତି । –କେତେକ ଲମ୍ୱା ତିଳକ ଏବଂ ଶିଖାଧାରୀ । ଓଡ଼ିଶାବାସୀ ନୂତନ ଆଗନ୍ତୁକ ରୂପେ ମୁଁ ଅନେକଙ୍କୁ ଆକର୍ଷଣ କରିଥିଲି । ପ୍ରିୟ, ଅପ୍ରିୟ, ପ୍ରତ୍ୟାଶିତ, ଅବାଞ୍ଛିତ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା ମୋତେ ।

 

ଦଲାଣଟା ଖୁବ୍‍ ବଡ଼–ମରାମତି ଚାଲିଥାଏ । ମଝିରେ ଆନନ୍ଦାନନ୍ଦଙ୍କର ଗୋଟାଏ ବଡ଼ ଲାଇଫ୍‍ ସାଇଜ୍‍ ରଙ୍ଗିନ୍‍ ଛବି । ଅଶ୍ୱାରୋହୀ ଆନନ୍ଦାନନ୍ଦ–ଦୀର୍ଘବପୁ–ଜୁଆଁଳିଆ ନିଶ ହଳକ । କାନ୍ଥ ସାରା ଭାରତର ବିଶିଷ୍ଟ ନେତା ଆଉ ଧର୍ମଯୋଦ୍ଧାଙ୍କର ପ୍ରତିକୃତି । ମରାମତି ଯୋଗୁ ଚଟାଣଟାଯାକ ପାଣି ଅଜଡ଼ା ହୋଇଥାଏ ।

 

ସ୍ୱୟଂ ଚଚାସାହେବ ପହଞ୍ଚିଲେ । ପିନ୍ଧା ଖଣ୍ଡେ ଫିନ୍‍ ଫିନ୍‍ ଧୋତି ଛବି ପରି ତେଜୀୟାନ୍‍ ନ ଥାନ୍ତି । କିନ୍ତୁ ମୁହଁ ଉପରେ ବିନୟ ଜଡ଼ିତ ଖାନ୍‍ଦାନୀ ସ୍ପଷ୍ଟ । ଦୁଇ କଳାରେ ପାନ ଦି’ଟା ।

 

ମୁଁ ନମସ୍କାର କଲି । ତାଙ୍କର ପ୍ରଶ୍ନଭରା ଚାହାଣୀରେ ମୋର ସଂକୋଚ ଆସିଲା । ରାମସ୍ୱରୂପ ଉତ୍ତର ଦେଲେ, ‘‘ମୋର ଜଣେ ଓଡ଼ିଆ ବନ୍ଧୁ–ଆମେ ଦୁହେଁ ବଡ଼ ସାଥୀ ।’’

 

ଚଚାସାହେବଙ୍କର ନିଷ୍ପ୍ରଭ ଆଖି ଦୁଇଟି ସ୍ନେହରେ ସରସ ହୋଇ ଉଠିଲା । ‘‘ଆପଣଙ୍କୁ ଦେଖି ମୁଁ ବହୁତ ଖୁସି ହେଲି ।’’ ସେ ମୋର ପିଠି ଥାପୁଡ଼େଇ ହିନ୍ଦୀରେ କହିଲେ, ‘‘ଆପଣ ହିନ୍ଦି ବୁଝି ପାରନ୍ତି ?’’

 

ବନ୍ଧୁ କହିଲେ, ‘‘ସାମାନ୍ୟ, ତେବେ ଗାଉଁଲୀ ହିନ୍ଦୀ ବୁଝିବା ତାଙ୍କ ପକ୍ଷରେ କଷ୍ଟକର ।

 

‘‘ଆଚ୍ଛା, ଆସନ୍ତୁ ।’’ ଚାଚାସାହେବ ଆଗେଇ ଚାଲିଲେ ।

 

ଗାଁ ମୁଣ୍ଡରେ ହୋଲି ନିଆଁ । ସମସ୍ତଙ୍କ ହାତରେ ଅଧାଜଳା ଯବଧାନ କେଣ୍ଡା । ଅଗ୍ନି ପ୍ରଦକ୍ଷିଣ କରିବା ସଙ୍ଗେ ସଙ୍ଗେ ପିତୃପୁରୁଷ ଆଉ ଅଗ୍ନିଙ୍କ ଉଦ୍ଦେଶ୍ୟରେ ପୁଞ୍ଜିଏ ପୁଞ୍ଜିଏ ଯବଧାନ ଫିଙ୍ଗିବାକୁ ହୁଏ । ସମସ୍ତଙ୍କ ଆଖିରେ ଆଜି ଆନନ୍ଦ–ଓଠ କ’ଣରେ ଉଛୁଳା ହସ । ଭକ୍ତି, ପ୍ରୀତି–ସ୍ନେହ, ସୋହାଗ–ନିର୍ଦ୍ଦୋଷ ପରିହାସ । ମଣିଷ ଭୁଲିଯାଏ ତା’ର ଜାତିଗତ ବିଦ୍ୱେଷ–ବଂଶଗତ ବ୍ୟକ୍ତିଗତ ବାଦବିବାଦ ସବୁ ।

 

ବର୍ଷ ଶେଷର ହୋଲି ଦିନଗୁଡ଼ିକ–ପରସ୍ପରର ସ୍ନେହ ସମାଦରରେ ମନ ଭିତରଟା ଧୋଇ ପୋଛି ସଫା କରିନେବାକୁ ହେବ । ବଞ୍ଚିଥିଲେ ପୁଣି ବରଷେ ।

 

ଅଗ୍ନି ପ୍ରଦକ୍ଷିଣ କରି ସମସ୍ତେ ଫେରି ଆସିଲୁ ।

 

ଚଚାସାହେବଙ୍କର ଅଗଣା–ମଝି ଖଣ୍ଡିକ ଗୋବରରେ ଲିପା ହୋଇଥାଏ । ତାହା ଉପରେ ମୁଁରୁଜର ମଣ୍ଡଳ । ମଣ୍ଡଳ ପାଖରେ ପୀଢ଼ାଟାଏ, ସୂତା ମେଞ୍ଚେ । ଚନ୍ଦନ ଆଉ କିଛି ଫେଣୀ–ମିଠା ଖଟା–ଉଭୟ ।

 

ଧଳା କନାର ଟୋପି ଲଗାଇ ଜଣକ ପରେ ଜଣେ ଯାଇ ସେଇ ପୀଢ଼ା ଉପରେ ବସନ୍ତି-। ଠିଆ ହେବା ପରେ ଧଳା ସୂତାରେ ଉଚ୍ଚତା ମପାଯାଏ । ସୂତା ଖଣ୍ଡିକ ଛିଣ୍ଡାଇ ରଖଯାଏ-। ମୁଣ୍ଡରେ ଚନ୍ଦନ ଟୋପା–ଆଉ ହାତରେ କିଛି ଖାଇବା ଜିନିସ ନେଇ ହସତାଳି ଆଉ ପରିହାସ ଭିତରେ ସମସ୍ତେ ପୁଣି ଫେରିଆସନ୍ତି–ଜଣକ ପରେ ଜଣେ ।

 

ମୋର ପାଳି ପଡ଼ିଲା । ଭାରି ଖୁସି ଲାଗୁଥାଏ–ଯଦିଓ ଏ ସବୁର ତାତ୍ପର୍ଯ୍ୟ ମୁଁ ବୁଝି ନ ଥିଲି । କେତେ ଜଣ ରହସ୍ୟମୟ ପ୍ରୌଢ଼ ବରାବର ମୋର ସାଙ୍ଗ ଧରିଥାନ୍ତି । ମଝିରେ ମଝିରେ ଦେବସ୍ୱରୂପଙ୍କର ପରିହାସ–ଚଚାସାହେବଙ୍କର ସଦୟ ଚାହାଣୀ ।

 

ଏହାପରେ ଜ୍ଞାତି–କୁଟୁମ୍ୱ ସଙ୍ଖୋଳା । ଜମିଦାର ମିଶ୍ର ବଂଶର ଅନେକ ଶାଖା ପ୍ରଶାଖା ସେଇ ଗାଁଟିରେ, ମାଟି କାନ୍ଥ ଘର–ରାସ୍ତା ଉପରୁ ବହୁତ ଉଚ୍ଚରେ । ଅଧିକାଂଶ ଘରେ ସିମେଣ୍ଟ ପଲସ୍ତରା । କାନ୍ଥରେ ଚୂନ ଆଉ ଝରକା । ଘରଗୁଡ଼ିକ ବେଶ୍‍ ପରିଷ୍କାର । –ହୋଲିରେ ଏହା ଛଡ଼ା ଅନ୍ୟ କିଛି କ’ଣ ସମ୍ଭବ ? –ନମସ୍କାର ଆଉ ଆଶୀଷର ଆଦାନ । ଭାଇ–ବନ୍ଧୁରେ କୋଳାକୋଳି–ହୃଦୟର ସସ୍ନେହ ସ୍ପନ୍ଦନ । ତା’ପରେ ସ୍ନେହ ସୋହାଗରେ ସନ୍ତକ–ସେଇ ଫେଣୀ–ପାନ–ସୁପାରି ।

 

ଫେରି ଆସିଲୁ ନିଜ ଯାଗାକୁ । ଇନ୍ଦ୍ରସେନୀ ବେଶଭୂଷା ହୋଇ ଅଗଣାରେ ଠିଆ ହୋଇଥାଏ । ମୁହଁରେ ତା’ର ସଲ୍ଲଜ୍ଜ ହସ । ଅଣ୍ଟାରେ ବା ହାତ ଉପରେ ଡାହାଣ ହାତ ଭରା ଦେଇ ଓଠରେ ଆଙ୍ଗୁଠି ଚାପିଥାଏ । ପିନ୍ଧିଥାଏ ଖଣ୍ଡିଏ ଲାଙ୍ଗା–ବଡ଼ ଖୁସି ଲାଗିଲା–ତାକୁ ଦେଖିକରି । –ଚଚାସାହେବ ତା’ର ପାଦ ଦିଓଟି ଛୁଇଁ କହିଲେ, ‘‘ଚରଣ୍‍ ଛୁଏଁ ମା’ ।’’ –ସ୍ନେହରେ ପୁଣି ତା’ର ଓଠଟିକି ଟିକିଏ ଟେକି ଦେଲେ । ଲାଜଭରା ହସ ଟିକକ ଓସାର ହୋଇଗଲା ।

 

ରାମସ୍ୱରୂପ ବୁଝାଇଲେ–ଏଇଟା ସେମାନଙ୍କର ପ୍ରଥା । ବିଶ୍ୱାସ ଅଛି ଯେ ପୂର୍ବ ପୁରୁଷମାନେ ଘରର ମାୟା ଏଡ଼ି ନ ପାରି ପୁଣି ଆସି ଜନ୍ମ ହୋଇଥାନ୍ତି । ସତ ହେଉ ବା ମିଛ ହେଉ, ଯେତେବେଳେ ବୁଢ଼ାମାନେ ଛୋଟ ଛୋଟ ଝିଅମାନଙ୍କର ଚରଣ ବନ୍ଦନା କରନ୍ତି–ସେତେବେଳେ ମନ ଭିତରେ ଏକ କୋମଳ ଭାବ ପୂରି ଉଠେ–ସରଳତାର ଉପାସନା ।

 

ଚଚାସାହେବ ପଚାରିଲେ, ‘‘କିଛିଦିନ ଏଠାରେ ରହିବ ନିଶ୍ଚୟ ?’’ ଚଚାସାହେବଙ୍କର ଇଂରାଜୀ ବୁଝିବା କଷ୍ଟକର ହୋଇଥିଲା । ରାମସ୍ୱରୂପ ବୁଝାଇ ଦେଲେ । କହିଲି–‘‘ଅଳ୍ପଦିନ ପାଇଁ ।’’

 

‘‘ଭଲ କଥା । ଭଲ କଥା ।’’

 

ବୁଢ଼ା ଗଳା–ପାଉଁଶିଆ ନିଶତଳୁ କେତେବେଳେ କି ଶବ୍ଦ ବାହାରେ, ବୁଝିବାକୁ ମୋତେ ସମୟ ଲାଗେ ।

 

‘‘ଏହେ–ଅହୋ ସେମିତି ନାହିଁ ହୋ । ଧୋତିଟାକୁ ପିଠିପଟେ ବୁଲାଇ ଆଣ ! ହଁ, ବେଶ୍‍ ସେମିତି ! ବର୍ତ୍ତମାନ ବସ ।’’

 

ଭାବୀ ତେଣେ ମୁଁରୁକି ମୁଁରୁକି ହସି ଲାଗିଲେ । ମୁଁ ନିଜକୁ ବଞ୍ଚାଇବା ଉଦ୍ଦେଶ୍ୟରେ କହିଲି, ‘‘ମୁଁ ତ ଏ ସବୁଥିରେ ଅଭ୍ୟସ୍ତ ନୁହେଁ–ଭାଇ ।’’

 

ଏହାପରେ ପକ୍‍କା ବ୍ରାହ୍ମଣ ପାଲଟି ପୀଢ଼ା ଉପରେ ବସି ପାଣି ଛିଞ୍ଚି ଚଳୁ କଲି । କିନ୍ତୁ ଦେଖିଲି ଯେ ରାମସ୍ୱରୂପ ଆଉ ଦେବସ୍ୱରୂପ ଏକା ଥାଳିରେ ଖାଇ ଲାଗିଛନ୍ତି । କହିଲି, ‘‘ଆମ ଅଞ୍ଚଳରେ ଖାଇବାବେଳେ ଜଣେ ବ୍ରାହ୍ମଣ ଅନ୍ୟ ଜଣକୁ ସ୍ପର୍ଶ କରିବା ମାତ୍ର ଉଭୟେ ଉଠି ପଡ଼ନ୍ତି । କିନ୍ତୁ ଏଇଠି... ?’’

 

ଦେବସ୍ୱରୂପ ହସି ଉଠିଲେ । ବନ୍ଧୁ କହିଲେ, ‘‘ଆମର ପ୍ରଥାହିଁ ଭଲ । ଏଥିରେ ପରସ୍ପରର ସ୍ନେହ ଜଣାପଡ଼େ ।’’

 

ଯୁକ୍ତି କଲି–‘‘କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏପରି ହୁଏତ ଅନୁଚିତ ।’’

 

କିଛି ସମୟ ତର୍କ ଚାଲିଲା । ନିଷ୍ପତ୍ତି ହେଲା–ଦେଶକେ ଫାଙ୍କ୍, ନଇକେ ବାଙ୍କ୍ । ବର୍ତ୍ତମାନ କର୍ତ୍ତବ୍ୟ ହେଉଛି–କ୍ଷୁଧା ଅଗ୍ନିକୁ କୌଣସି ମତେ ଶାନ୍ତ କରିନେବା ।

 

ହାରମୋନିୟମ୍‍ ନେଇ ଗୋଟିଏ ଓଡ଼ିଆ ଗୀତର ସୁର୍‍ ସାଧି ଲାଗିଛି, ରାମସ୍ୱରୂପ ପଶି ଆସିଲେ । ମୁହଁରେ ତାଙ୍କର ତୃପ୍ତିର ଛିଟା ପ୍ରଶ୍ନ ଭରା ଦୃଷ୍ଟିରେ ଚାହିଁ ରହିଲି । କିନ୍ତୁ ସେ ନ ଜାଣିଲା ପରି ବସିପଡ଼ି କେବଳ ତବଲା ଟପି ଲାଗିଲେ ।

 

‘‘ଧ୍ୱନ୍–ଧ୍ୱନ୍‍ ତାକ୍‍–ତାକ୍‍ ଧ୍ୱନ୍‍ ଧ୍ୱନ୍‍–ଧ୍ୱନ୍‍ ତାକ୍‍–ଧ୍ୱନ୍‍ ତାକ୍‍ ।

 

–ଏକାବେଳକେ ବେପରବାୟ । କିଛି ସମୟ ପରେ ତେଣେ ଦ୍ୱାର ଆଡ଼କୁ ଚାହିଁ ମୋ ହାତକୁ ପାନଖିଲେ ବଢ଼ାଇଦେଲେ–ମୁହଁରେ ଦୁଷ୍ଟାମିର ଚିହ୍ନ ସୁସ୍ପଷ୍ଟ ।

 

‘‘କି ରାମସ୍ୱରୂପ, କଥା କ’ଣ ?’’

 

ଉତ୍ତରରେ ଧ୍ୱନ୍‍ ତାକ୍‍, ଧ୍ୱନ୍‍ ତାକ୍‍, ଧ୍ୱନ୍‍ ତାକ୍‍...

 

ବିଚିତ୍ର ! –ଶେଷକୁ ସଫେଇ ମିଳିଲା–ବନ୍ଧୁ ଯେପରି ମୋତେ ନେଇ ହୋଲି ପାଳିବାକୁ ଗାଁକୁ ଫେରିଛନ୍ତି–ତାଙ୍କର ଭଉଣୀ ଗୀତା ମଧ୍ୟ ଆଉ ଜଣେ ବନ୍ଧୁଙ୍କୁ ନେଇ ଏଇ:ମାତ୍ର ପହଞ୍ଚଛନ୍ତି ।

 

‘‘ଏଇଥିପାଇଁ ଏତେ ଗୁରୁ ଗମ୍ଭୀରତା ?’’

 

‘‘ଆରେ, ମୁଁ କ’ଣ ମିଛ କହୁଛି ?’’

 

‘‘ନାଁ–ନାଁ, ମିଛ କାହିଁକି କହିବ ? ମୁଁ କ’ଣ ସେକଥା...’’ କଥା ନ ସରୁଣୁ କାନ ମୂଳଟା ଓଦା ହେବା ସଙ୍ଗେ ସଙ୍ଗେ ସାର୍ଟଟା ଭିଜିଗଲା ନାଲି ପାଣିରେ । –ପିଚକାରୀ ମୁହଁଟା କବାଟ ପାଖରୁ ଉଙ୍କି ମାରିଥାଏ । –ଧଡ଼ପଡ଼ ହୋଇ ଚଉକୀରୁ ଉଠି ପଡ଼ିଲି । ପିଚକାରୀଟାକୁ କାଖରେ ଯାକି ଗୀତା କହିଲେ, ‘‘ନମସ୍କାର ।’’

 

ରାମସ୍ୱରୂପ ମୋତେ ରକ୍ଷା କରିବାର ଛଳନା କରି କୃତ୍ରିମ ରୋଷ ଦେଖାଇ କହିଲେ, ‘‘କେମିତିକା ଟୋକିଟାଏ ମ ? ଜମା ବ୍ୟବହାର ଆସେନି ?’’

 

ମୁଁ ଅପ୍ରତିଭ ହେଲି ।

 

ଅଧା–ନାଲିଆ ଭିଜା ଗାଲ ଆଉ ସାର୍ଟ ନେଇ ହାତରେ ପାଣି ପୋଛୁ ପୋଛୁ ଉତ୍ତର ଦେଲି ‘‘ନମସ୍ତେ ।’’ ଭାଇଭଉଣୀ ଦୁଇଜଣଯାକ ଉଚ୍ଛୃଙ୍ଖଳ ହସି ଉଠିଲେ ।

 

କିନ୍ତୁ ଏ କ’ଣ ? ଅନ୍ତରାଳ ଆଉ ଗୋଟାଏ ପିଚକାରୀ ମୁଁନ । ଦେଖୁ ଦେଖୁ ନାଲି ପାଣି ମନ୍ଦାଜ ଡେଇଁ ଆସି ସାର୍ଟ୍‍ର ଆର ଫାଳକ ଭିଜାଇ ନେଲା–ଗାଲ ଆଉ କାନମୁଁଣ୍ଡାରୁ ବୋହି ଆସିଲା–ଥପ୍‍ ଥପ୍‍ । –ରୀତିମତି ଷଡ଼ଯନ୍ତ୍ର ! ଆଖିରୁ ପାଣି ନିଗଡ଼ାଇ ଲାଗିଲି । ଏଇ ଥର କାହା ହାତରୁ ଏଇ ଅନାହୃତ ଦାନ–ଦେଖିବାକୁ ଅବସର ନ ଥିଲା ।

 

ପୁଣି ତରୁଣୀ କଣ୍ଠର ‘‘ନମସ୍ତେ’’ ।

 

ଦେଖିବାକୁ ଚେଷ୍ଟା କରି କହିଲି, ‘‘ନମସ୍ତେ ।’’ –ଚାପା ବିରକ୍ତର ନିଷ୍ଫଳ ଆଭାସ ।

 

କିନ୍ତୁ ଏ କିଏ ? ପାଣିର ଝଲମଲିଆ ପ୍ରତିବନ୍ଧକ ଦେଇ ପରିଚିତ ଏଇ ମୁହଁଟି । ରଙ୍ଗପାଣିର ବାଧା ନ ମାନି ଆଖି ଖୋଲି ଗଲା–ଚାମେଲୀ !

 

‘‘ଏ ସବୁ କେବଳ ତୁମର ଦୁଷ୍ଟାମି ।’’ ନିଜକୁ ଟିକିଏ ସଜାଡ଼ି ନେଇ କହିଲି ।

 

‘‘ଆରେ ଭାଇ, ମୁଁ କ’ଣ ଜାଣିଥିଲି । ଗୀତା’ର ସାଙ୍ଗ ନା ସାଙ୍ଗ । କିଏ ଜାଣିଛି...’’ ରାମସ୍ୱରୂପ ସଫେଇ ଦେଲେ । ‘‘ଏ ସବୁ ଭାବୀଙ୍କର ଷଡ଼ଯନ୍ତ୍ର–ବୁଝିଲ ?’’

 

ସଫେଇଟା ପ୍ରୀତିପଦ ନ ଥିଲା । କିନ୍ତୁ ମୁଣ୍ଡବାଳ ଆଉଁସି ରହିବା ଛଡ଼ା ମୁଁ ବା କ’ଣ କରିପାରେ ! ତଥାପି କିଛି କମ୍‍ ଖୁସି ହୋଇ ନ ଥିଲି ମନେ ମନେ । ଚାମେଲୀଙ୍କର ସେଇ ସୁନ୍ଦର ମୁହଁ ଉପରେ ବିସ୍ମୟର ରେଖା ଆଉ ଲଜ୍ଜ୍ୟାର କମନୀୟ ଫୁଲ ଦିଓଟି ।

 

ଆଗରୁ କେତେଜଣ ଜୁଟି ଯାଇଥାନ୍ତି, ପାଖରେ ସଜଡ଼ା ହୋଇ ଥୁଆ ହୋଇଥାଏ–ଗୋଟାଏ ପାନ ଡାଲା । ଦେବସ୍ୱରୂପ ଓ ରାମସ୍ୱରୂପଙ୍କ ସହିତ ମୁଁ ମଧ୍ୟ ଗୋଟାଏ ପାଖରେ ବସିଥାଏ । କ୍ରମେ କ୍ରମେ ଅନେକ ଲୋକ ଜମା ହୋଇଗଲେ । ସମସ୍ତେ ଆସି ଚରଣ ବନ୍ଦନା କରି ପାନ ନେଇ ଟିକିଏ ଖୁସି ଗପ କରି ଫେରି ଯାଆନ୍ତି । ମାନ୍ୟବ୍ୟକ୍ତିଙ୍କ ସ୍ଥଳରେ ଦେବସ୍ୱରୂପ ଓ ରାମସ୍ୱରୂପ ଚରଣ ବନ୍ଦନା କରନ୍ତି । ମୁଁ କିନ୍ତୁ ସମସ୍ତ ଦୂର ଆଗେଇ ନ ପାରି କେବଳ ଆଲିଙ୍ଗନ କରେ । ଚଚାସାହେବ ଆସି ଟିକିଏ ଗପ କରି ଚାଲିଗଲେ ।

 

ଗାଁର ଅନେକ ଲୋକଙ୍କୁ ଦେଖିବାକୁ ପାଇଲି । ଦୀର୍ଘବପୁ–ବଳିଷ୍ଠ–ଶିଖାବାନ୍‍–ଘଞ୍ଚ ନିଶ ତଳେ କଠିନ ଅଥଚ ଶୁଭ୍ର ଦନ୍ତପନ୍ତି । କେତେକ ପାଇଜାମା ପିନ୍ଧିଥାନ୍ତି–କାହାର ବା ଧୋତି ପିନ୍ଧା । କାହାର ମୁଣ୍ଡରେ ଟୋପି–ଅନେକଙ୍କ କପାଳରେ ଚନ୍ଦନ । ଅଳ୍ପ ସମୟ ଭିତରେ ଦାଣ୍ଡ ଅଗଣା ଲୋକମାନଙ୍କର ହାସ ପରିହାସ, କୋଳାହଳରେ ପୂରି ଉଠିଲା ।

 

ବାଦ୍ୟଧ୍ୱନି କ୍ରମଶଃ ନିକଟ ହୋଇ ଆସିଲା । ତାଳ, କଂସାଳ, ମୃଦଙ୍ଗର ଆନନ୍ଦ ଧ୍ୱନି । ଦଳେ ଲୋକ ନାଚି ନାଚି ପହଞ୍ଚିଲେ । ଚରଣ ବନ୍ଦନା ପରେ ପୁଣି ନାଚି ଲାଗିଲେ ସାମନାର ଅଗଣାରେ ।

 

‘‘ରେ ଭାଇ, ଯିସ୍‍ ରାମ୍‍ ନେ ରାବଣକୋ ମାର୍‍ଡାଲା ହୈ

ବହ୍‍ ହି ତୋ ହମାରା ଭଗବାନ ହୈ ତୋ

ହମାରା କ୍ୟା ଡର୍‍ ହୈ–ତୋ ହମାରା...’’

 

ଅନଭ୍ୟସ୍ତ ହେତୁ ଗୀତର ପଦ ଥିବା ଭଳି ମନେ ହେଲା ନାହିଁ । କିନ୍ତୁ ତାଳ ଥାଏ–ଆଉ ବାଦ୍ୟ ସହିତ ବୃତ୍ତାକାର ନୃତ୍ୟ । ଭଗବାନଙ୍କର ଭିନ୍ନ ଭିନ୍ନ ଅବତା’ର ଓ ଗୁଣକୀର୍ତ୍ତନହିଁ ନତ୍ୟଗୀତର ବିଷୟବସ୍ତୁ ।

 

କେତେ ଘର ଯେ ମୁଁ ବୁଲିଥିବି–କହ ପାରୁନାହିଁ । ପ୍ରତ୍ୟେକ ଘର ପରିଷ୍କୃତ ପରିଚ୍ଛନ୍ନ । ପ୍ରତ୍ୟେକ ସ୍ଥଳରେ ମନକିଣା ସୋହାଗ–ଖାଦ୍ୟଦ୍ରବ୍ୟ ଆଉ ତାମ୍ୱୁଳ ।

 

ଖାଇବାକୁ ଇଚ୍ଛା ନ ଥିଲେ ସୁଦ୍ଧା ଦେବସ୍ୱରୂପ ମୋତେ ଭିଡ଼ି ଆଣି ଗୃହସ୍ଥ କିମ୍ବା ଗୃହକର୍ତ୍ତୀଙ୍କ ସହିତ ପରିଚୟ କରାଇ ଦିଅନ୍ତି । ଫଳରେ ସମ୍ମାନିତ ଅତିଥିରୂପେ ସମସ୍ତଙ୍କ ଘରୁ ଅଧିକ ପରିମାଣରେ ଖାଇବାକୁ ପାଇ ବିପଦଗ୍ରସ୍ତ ହେବାକୁ ପଡ଼େ । ଅନୁନୟ କରି କହେ, ‘‘ଦେଖନ୍ତୁ, ମୁଁ କ’ଣ ଖାଇବାକୁ ମନା କରୁଛି ? କିନ୍ତୁ କ୍ଷମତା କାହିଁ ? ମୋର ତ ପାକସ୍ଥଳୀ ପୂର୍ଣ୍ଣ ହୋଇ ସାରିଛି । ଅଥଚ କୌଣସି ସଦୟ ବ୍ୟକ୍ତି ଧାରସ୍ୱରୂପ...’’ ହସରେ ତୁମୂଳ ରୋଳ ଭିତରେ ଅନୁନୟର ଅବଶିଷ୍ଟାଂଶ ଲୋପ ପାଇଯାଏ ।

 

ଫେରିବା ବେଳକୁ ରାତି ହୋଇ ଯାଇଥାଏ । ଖାଇବାର ତ ପ୍ରଶ୍ନ ନ ଥିଲା । ହାଲିଆ ମାରି ଶୋଇ ରହିଲି । ଦିନସାରା ଗୋଟାଏ ଅପ୍ରକାଶ୍ୟ ଭାବନା ଖେଳି ଲାଗିଥାଏ । କାହିଁ–ଚାମେଲୀଙ୍କର ତ ଦେଖା ମିଳିଲା ନାହିଁ ? –ଶାନ୍ତିମୟୀ ନିଦା ।

 

ଅନେକ ସମୟରେ–ଯେତେ ଅପ୍ରତ୍ୟାଶିତ ହେଉ ନା କାହିଁକି, ଯଦି ଥରେ ସୁଖର ଆସ୍ୱାଦ ମିଳିଥାଏ, ମଣିଷ ତା’ର ଅପେକ୍ଷା କରି ବସେ–ତା’ର ଆଶା କରିଥାଏ ।

 

ଚାମେଲୀଙ୍କୁ ଦେଖିବାର ବାସନା ନେଇ ପରଦିନ ସକାଳେ ମୁଁ ଏଇ ଦାର୍ଶନିକ ତତ୍ତ୍ୱ ତିଆରି କରୁଥିଲି ।

 

ଦେବସେନ ଓ ଇନ୍ଦ୍ରସେନୀ ବସି ଯୁକ୍ତି ଚଳେଇଥାନ୍ତି ପିଲାମାନଙ୍କର ବିଚିତ୍ର କଳ୍ପନା ! ଘୋଡ଼ାର ଲାଙ୍ଗୁଡ଼ ପାଞ୍ଚ ହାତ ବଢ଼େଇ ଦେଇଥିଲେ କ’ଣ ହେଇ ଯାଉଥିଲା ? –ଆଉ ଘୋଡ଼ାର ଯଦି ହରିଣ ପରି ଶିଙ୍ଗ ଥାଆନ୍ତା ?

 

–ଖୁରା ଡିଆଇଁ ବନ୍ଧା ଘୋଡ଼ାଟି ହିଁ ହିଁ କରି ଉଠିଲା । ପିଲା ଦିଓଟି ହସି ଉଠିଲେ । ଆଉ–ଘୋଡ଼ା ଯଦି ଆମ୍ଭମାନଙ୍କର କଥା ବୁଝି ପାରୁଥାନ୍ତା ? –ପ୍ରଶ୍ନ ଉଠିଲା ।

 

ହସ ମାଡ଼ିଲା । କିନ୍ତୁ ଚିତ୍ରକର ବାହାରର ସାମାନ୍ୟ ଆମୋଦ ପ୍ରମୋଦ ପରେ ତା’ର ଅଧାଅଙ୍କା ଛବି ପାଖକୁ ଫେରିଯିବା ଭଳି ମୁଁ ଚାହିଁଥିଲି ଫେରିଯିବାକୁ ମୋର କଳ୍ପନାରାଜ୍ୟକୁ ।

 

–ଚାମେଲୀ ହୁଏତ ଯେ କୌଣସି ମୁହୂର୍ତ୍ତରେ ଗୀତା ସହିତ ଚାଲି ଆସି ପାରନ୍ତି । ତାହାହେଲେ ? କି ପ୍ରକାର ବ୍ୟବହାର ସେ ମୋ ପାଖରୁ ଆଶା କରିବା ସମ୍ଭବ ? ନୀରବତା ? ସହାସ ଅଭିବାଦନ ? –ନମସ୍ତେ ?

 

ଗତ ଦିନର ପରିସ୍ଥିତି ମନେ ପଡ଼ି କିଛି ଅସ୍ୱସ୍ତି ଅନୁଭବ କଲି । କିନ୍ତୁ ତାଙ୍କର ସେଇ ସଲ୍ଳଜ୍ଜ ଛବିଟି । ଆଚ୍ଛା–ଚାମେଲୀ କାଲି ଫେରିଯାଇ କ’ଣ ଭାବିଥିବେ ? ଆଜି ହୁଏତ ସେ ଉଦ୍‌ଗ୍ରୀବ ହୋଇ ମୋ ସକାଶେ ଅପେକ୍ଷା କରିଛନ୍ତି !

 

ଧେତ୍‌ ! ଗୁଡ଼ାଏ ବାଜେ ମୂଲ୍ୟହୀନ କଳ୍ପନା–ସେ ଯଦି ଏତେଦିନ ଧରି ମୋ ସହିତ ଛଳନା କରି ଆସିଥାନ୍ତି ? –ତା ନ ହେଲେ ସେ ଦିନର ସେଇ ମୁଦି ପାଇବା ପରେ– । ଆଃ, ବାସ୍ତବିକ୍‌ ମୁଁ କି ପାଗଳ ବା ନ ହୋଇଥିଲି.... !

 

ସାମନାର ରାସ୍ତା ଉପରେ ବାହାରି ଥାଆନ୍ତି ମୂଲିଆ ଶ୍ରେଣୀର କେତେଜଣ ସାଧାରଣ ସ୍ତ୍ରୀ ଲୋକ । ପିନ୍ଧା ସେଇ ଲାଙ୍ଗା–କଟୀ ଉପରକୁ ଏକ ବକ୍ଷାବରଣ ଆଉ ଦୁପଟ୍ଟା । –ଦେହର ସାଧାରଣ ରଙ୍ଗ ସହିତ କଳା ଆଉ ହଳଦିଆ ପୋଷାକର ସମୁଚିତ ସମନ୍ୱୟ ।

 

କଅଁଳ ବାଛୁରୀଟାଏ ଡେଇଁ ବୁଲୁଥାଏ ଅଗଣାଯାକ । ତା’ ପଛରେ ଜଣେ ସୁନ୍ଦରୀ କୃଷକ ଷୋଡ଼ଶୀ–ତାକୁ ଧରିବାକୁ ଅନର୍ଥକ ଚେଷ୍ଟା କରୁଥାଏ । ଅବଶେଷରେ ଦଉଡ଼ି ନେଇ ସେ ଛପି ରହିଲା କାନ୍ଥ ସେ ପାଖରେ । ବାଛୁରୀଟି ବଲବଲ କରି ଏଣେତେଣେ ଚାହିଁ ଲାଗିଲା । ଚତୁରୀ ହଠାତ୍‌ ପଛ ପାଖରୁ ଝାମ୍ପିପଡ଼ି ତାକୁ ଟେକି ନେଇଛି–ଛାତି ଉପରକୁ । ‘‘ଏଥର ?’’ –ବାଛୁରୀ ଆଉ ପ୍ରତିବାଦ କରିନାହିଁ । ସ୍ନେହର ନିବିଡ଼ ଆଲିଙ୍ଗନ !

 

ସମସ୍ତ ସକାଳବେଳା ଚାଲିଗଲା–ଅଥଚ ଚାମେଲୀଙ୍କର ଦେଖା ଦର୍ଶନ ନାହିଁ !

 

ଖାଇବା ପରେ ଆଉ ଆଳାପ ନକରି ଶଯ୍ୟାରେ ଆଶ୍ରୟ ନେଲି । ବନ୍ଧୁଙ୍କର ଦୁଇ ଚାରିଟା କୌତୁକିଆ କଥା ସତ୍ତ୍ୱେ ମୁଁ ଯେତେବେଳେ ଏକାକ୍ଷରୀ ‘ହୁଁ’ ଛଡ଼ା ଅଧିକା ଭାଗ ନେଲିନାହିଁ, ବନ୍ଧୁ ମୋର ନିରୁତ୍ସାହ ଧରି ପାରିଥିଲେ । ସ୍ନିଗ୍ଧ ଦୃଷ୍ଟିରେ ନୀରବ ହସି କହିଲେ, ‘ଆଚ୍ଛା–ତୁମେ ଶୋଇପଡ଼ ।’’ –ସନ୍ଦେହ ହେଲା ବନ୍ଧୁ ମୋର ନିରୁତ୍ସାହର କାରଣ ମଧ୍ୟ କ’ଣ ଠଉରାଇଛନ୍ତି ?

 

ଜଳଯୋଗ ପରେ ଦେବସ୍ୱରୂପ ମୋତେ ତାଙ୍କର ଖେତ ଦେଖାଇବାକୁ ବାହାରିଲେ । ବନ୍ଧୁ ମଧ୍ୟ ସାଥିରେ ।

 

ଆସନ୍ନ ସନ୍ଧ୍ୟାର କ୍ରମ କୋମଳ କିରଣଗୁଡ଼ିକ । ପାଚଳ ଚଣା କ୍ଷେତ ଝଲସି ଉଠୁଥାଏ ।

 

ଦେବସ୍ୱରୂପଙ୍କର କଥା କଥାକେ ପରିହାସ । କିନ୍ତୁ ଗାଉଁଲୀ ପରିହାସର ସ୍ୱାଭାବିକ ରୁଢ଼ତା ଭିତରେ ତାଙ୍କର ସ୍ନେହାଦ୍ର ହୃଦୟର ସୂଚନା–ମୁଁ ବେଶ୍‌ ଅନୁଭବ କଲି ।

 

କ୍ରମେ ଆମେ ଗୋଟାଏ ବଡ଼ ଖେତରେ ଆସି ପହଞ୍ଚିଲୁ । ଚାଷ ଶେଷ ହୋଇ ଆସିଥିଲା । ତଥାପି ଲୋକମାନେ କାର୍ଯ୍ୟବ୍ୟସ୍ତ । ଦେବସ୍ୱରୂପ କାମ ଦେଖିବାକୁ ଆମଠାରୁ ବିଦାୟ ନେଲେ । ଦୁଇବନ୍ଧୁ ଆଗେଇ ଚାଲିଲୁ ।

 

....ସୁନ୍ଦର ! ହାତଟା ଆପେ ଆପେ କେମେରା ପାଖକୁ ଚାଲିଗଲା । କାନ୍ଦୁଲ ଫସଲ ଭିତରେ ଗୋଟାଏ ଖୋଲା ଯାଗାରେ ନୃତ୍ୟରତ ମୟୂର ଦଳ । ବିସ୍ତାରିତ ପୁଚ୍ଛ ଉପରେ ସନ୍ଧ୍ୟାରେ ରକ୍ତିମ ଆଲୋକ । ଚଞ୍ଚଳ ଗତିରେ ପୁଚ୍ଛଗୁଡ଼ିକ ଝକ୍‌ମକ୍‌ କରି ଉଠୁଥାଏ । ସୁବିଧାଜନକ ସ୍ଥାନ ଖୋଜି ନେଲି ।

 

ନିଜ ଆଖିକୁ ବିଶ୍ୱାସ କରି ପାରିଲି ନାହିଁ !

 

ଅପର ଦିଗକୁ ଗୀତା ଏବଂ ଚାମେଲୀ ଶସ୍ୟ ବିଞ୍ଚି ଚାଲି ଆସିଛନ୍ତି !

 

–ପ୍ରାୟ ସମ ବ୍ୟବଧାନରେ ସୁହାସିନୀ କୌତୁକପ୍ରିୟା ଯୁବତୀ ଦିଓଟି ଆଉ ଦୁଇ ପାଖରେ ନୃତ୍ୟରତ ମୟୂରଦଳର ମନୋରମ ପ୍ରାକୃତିକ ଦୃଶ୍ୟ । ଏହାପରେ ଅନୁମତିର ଅପେକ୍ଷା କରିବା ମୂର୍ଖତା–କର୍‌ର୍‌ ଠକ୍‌ ।

 

‘‘ମାଫ୍‌ କରିବେ ।’’ –ପ୍ରତିବାଦର ଆଶଙ୍କା ଥିଲା ।

 

ଯୁବତୀ ଦିଓଟି ଆଓ୍ୟାଜ ଶୁଣି ଫେରି ଚାହିଁଲେ । ଚାମେଲୀଙ୍କ ମୁହଁରେ ବିସ୍ମୟ ପରେ ଲଜ୍ଜ୍ୟା–ଗୀତାଙ୍କର ବିସ୍ମୟ । ବନ୍ଧୁ ମୋତେ ସ୍ନେହଶୀଳ ଦୃଷ୍ଟିରେ ଅନେଇ ଥାନ୍ତି ।

 

ଅପ୍ରତ୍ୟାଶିତ–ଅସ୍ୱସ୍ତିକର ମୁହୂର୍ତ୍ତ ଗୁଡ଼ିକ । ଚାମେଲୀ ତ ଲାଜ ମାରି ରହିଲେ । କିନ୍ତୁ ଅନ୍ୟାନ୍ୟ ତିନି ଜଣଙ୍କ ଭିତରୁ କିଏ ପ୍ରଥମ କହିବ–କ’ଣ ବା କହିବ–ସନ୍ଦେହ ହେଲା ।

 

‘‘ଆପଣ ଏଇଆଡ଼େ କିପରି ଚାଲି ଆସିଲେ ସରୋଜବାବୁ ।’’–ଗୀତା ଆରମ୍ଭ କଲେ ପ୍ରଥମେ ।

 

ଅସ୍ୱସ୍ତି ଉଭେଇ ଗଲା ।

 

କୌତୁକର ଭଙ୍ଗୀ ନେଇ କହିଲି, ‘‘କଥାଟା ମୋତେ ନ ପଚାରି ଆପଣଙ୍କ ଭାଇଙ୍କୁ ପଚାରିଥିଲେ ହୋଇଥାନ୍ତା ।’’ ଚାମେଲୀ ଏଇଥର ମୁହଁ ଟେକିଲେ । –କୌଣସି ଏକ ବିଶିଷ୍ଟ ଚିତ୍ରକରର ‘ମୁଗ୍‌ଧା’ ନାମିତ ଏକ ସୁନ୍ଦର ଚିତ୍ରପଟ !

 

–ବନ୍ଧୁଙ୍କର ନିର୍ଦ୍ଦେଶ ଅନୁଯାୟୀ ସମସ୍ତେ ଏକାଠି ଚାଲିଲୁ ।

 

ଗୀତାଦେବୀ କଜିଆର ସୁତ୍ର ଖୋଜୁ ଥିଲେ, ‘‘ଦେଖନ୍ତୁ, କେମେରାମେନ୍‌ ହେବାର ଗୋଟାଏ ବିପଦ ଅଛି ।’’

 

‘‘ଜାଣେ ।’’ –ମୁଁ କହିଲି–‘‘ତେବେ ମୋର ଆଶା–ପିଚକାରୀ ଚଳେଇବା ଅପେକ୍ଷା ଗୁରୁତର ନୁହେ । –ବିଚାରା କେମେରାମେନ୍‌ ପ୍ରତି ଅନ୍ୟମାନଙ୍କର ସହାନୁଭୂତି ଥାଇ ପାରେ ବୋଲି ମୋର ଧାରଣା ।’’

 

‘‘ମୋର ତ ଯଥେଷ୍ଟ ସହାନୁଭୂତି ଅଛି, କିନ୍ତୁ ଏଇ ଯେ ମୋର ନୀରବ ସଙ୍ଗିନୀ–ଆପଣଙ୍କର ବର୍ତ୍ତମାନ ବ୍ୟବହାରକୁ ସମର୍ଥନ କରେ ନା ପ୍ରତିବାଦ କରିବାକୁ ଚାହେଁ–ସେ କଥା ଆପଣ ଜାଣିଲେ କିପରି ?’’ ଗୀତା ହସି ଉଠିଲେ । ରାମସ୍ୱରୁପ ଉଚ୍ଚହାସ କରି ଚାମେଲୀଙ୍କୁ ସ୍ନିଗ୍ଧ ଦୃଷ୍ଟିରେ ଅନାଇଲେ । ମୁଁତୁନି ରହିଲା–ଚାମେଲୀ ମୁହଁ ପୋତି ନେଲେ ।

 

–ସାମନାର ଖୋଲା ପଡ଼ିଆ ଉପରେ ପୁରୁଣା କୋଠାର ଭଗ୍ନାବଶେଷ । ପାଦତଳେ ଲମ୍ବା ଚଉଡ଼ା ସନ୍ଧ୍ୟାଛାଇ । ବନ୍ଧୁ କୋଠାଟାର ଇତିହାସ କହି ଲାଗିଥାନ୍ତି । ପୁରୁଣା କାଳରେ କେହି ଜଣେ ମୋଗଲ ସେନାପତି ତାକୁ ତିଆର କରିଥିଲେ । ସେଇ ଯେଉଁ ଦୂରର ବଗିଚାଟା–ସେ ପର୍ଯ୍ୟନ୍ତ ଏହାର ସୀମା ଥିଲା । କିନ୍ତୁ ବ୍ରିଟିଶ ଜାତିର ଆଗମନ ପରେ ଯେତେବେଳେ ଅଯୋଧ୍ୟାର ନବାବ ବନ୍ଦୀ ହେଲେ, ସେତେବେଳେ ଏହି ମୋଗଲ ସେନାପତିଙ୍କ ଦୁର୍ଦ୍ଦଶା ଘଟିଲା ।

ଜଣେ ଇଂରାଜୀ ଆସି ମାଡ଼ି ବସିଲା ଏଇ କୋଠା । ଶୁଦ୍ଧପୁର ତା’ର ଜମିଦାରୀ । କିନ୍ତୁ ସେ ମଧ୍ୟ ବେଶୀ ଦିନ ତିଷ୍ଠି ପାରିଲା ନାହିଁ । ଇଂରାଜ ଯେପରି ଦୁର୍ଦ୍ଦାନ୍ତ, ଅତ୍ୟଚାରୀ ପ୍ରଜାଙ୍କ ଭିତରୁ କେତେକ ମଧ୍ୟ ସେପରି ଦୁର୍ଦ୍ଧର୍ଷ ଥିଲେ । ସିପାହୀ ବିଦ୍ରୋହରେ ଇଂରାଜୀ ଜମିଦାରର ପ୍ରାଣ ଗଲା । ନିଜର ସ୍ତ୍ରୀ କନ୍ୟାର ଇକୃତ ରହିଲା ନାହିଁ । –ବିଦ୍ରୋହ ଦମନ କରାଗଲା ସତ । କିନ୍ତୁ ଜମିଦାରୀ ଭାରତୀୟ ହାତକୁ ଗଲା–ରାମସ୍ୱରୂପଙ୍କର ପିତାମହ ହାତକୁ– । ଏଇ ହେଉଛି–ଶୁଦ୍ଧପୁରର ସଂକ୍ଷିପ୍ତ ସୀମାବଦ୍ଧ ଇତିହାସ ।

‘‘କ’ଣ କହିଲ ଭାଇ, ସିପାହୀ ବିଦ୍ରୋହର ଇଂରେଜର ପ୍ରାଣ ଗଲା ? –ଭୁଲ କଥା । ମୁଁ କହୁଛି....’’

‘‘ତୁନି ପଡ଼ । ତୁ ଗୋଟାଏ କ’ଣ ଜାଣୁ...’’ ବନ୍ଧୁ ବାଆଁ ରେଇ ଦେଲେ ।

‘‘ଓଃ, ତୁମେ ଭାରି ଜାଣିଛ । ।’’

‘‘ନାଇଁ ତ ।’’

ଦେଖୁ ଦେଖୁ ତର୍କ ବଢ଼ିଲା । ରାମସ୍ୱରୂପଙ୍କର ବିଦ୍ରୂପ ଭରା ଉଚ୍ଚ ହାସ ତୁଳନାରେ ଗୀତାଙ୍କର ନାରୀ କଣ୍ଠର ତୀବ୍ର ପ୍ରତିବାଦ–ଚାମେଲୀ ଆଉ ମୁଁ ଉପଭୋଗ କଲୁ । ପରିସ୍ଥିତିର ଉଚ୍ଛ୍ୱାସରେ ଅନେକ ବାର ଆମ ଦୁହିଁଙ୍କର ଦୃଷ୍ଟି ମିଳୁଥାଏ.... ।

କୋଠାଟିର ଅଧିକାଂଶ ଭାଙ୍ଗି ଯାଇଛି । ଅବଶିଷ୍ଟ ଦୁଇ ଚାରିଟି ବଖରା–ପତନୋନ୍ମୁଖୀ-। –ଗୋଟାଏ ବଡ଼ ବୁଢ଼ିଆଣୀ–ଜାଲ ଭିତରୁ ଆମକୁ ଦେଖି ଶଙ୍କିଯାଇ ଲୁଚିଗଲା । କୋଠାର ସୀମା ନିର୍ଦ୍ଦେଶକ ହିସାବରେ କେତେଟା ଶିଉଳି–ଲଗା ଭଙ୍ଗା ଇଟା କାନ୍ଥ । କାନ୍ଥ ଫାଙ୍କରେ ସବୁଜା ଚେକି ଘାସ–ସାନ ସାନ ଗଛଗୁଡ଼ିକ ମୁଣ୍ଡ ଟେକୁଥାନ୍ତି । –ଛୋଟିଆ ପୁରୁଣା ପୋଖରୀ । ଏବେ ମଧ୍ୟ ମୁନ୍ଦାଏ ନେଳିଆ ପାଣି ଜମା ରହିଛି । ଚାରିପାଖରେ ଭଙ୍ଗା ଚାନ୍ଦିନୀ । –ହାଲିଆ ମାରି ବସି ପଡ଼ିଲି-

ଦୂରରେ ଦୁଇ ଥୁଣ୍ଟା ଗଛର ଛନ୍ଦାଛନ୍ଦି ଶାଖା ମଝିରେ ନାଲି ସୂର୍ଯ୍ୟ ନଇଁ ଆସୁଥାଏ.... ।

ଗୀତା ଆଉ ଚାମେଲୀ ବସିବାକୁ ଚେଷ୍ଟା କରୁଥିଲେ । ରାମସ୍ୱରୂପ ଭଉଣୀକୁ ପଚାରିଲେ–‘‘ଆଚ୍ଛା ଗୀତା, ଟାଙ୍ଗାଟା କେଉଁଠି ଛାଡ଼ିଦେଇ ଆସିଛୁ ?’’

‘‘ସେ ପାଖରେ ରାସ୍ତାଉପରେ ।’’

‘‘ତାକୁ ସେଠାରେ ରଖେଇବାକୁ କହିଛି ?’’

‘‘ନା–କିନ୍ତୁ ତାକୁ ଫେରାଇ ଆଣିବାକୁ କହିଥିଲୁ ।’’

‘‘ବେଶ୍‌–ଆସିଥାଏ ତ ଭଲ କଥା–ନହେଲେ ସମସ୍ତଙ୍କୁ ଚାଲି ଚାଲି ଏତକ ଦୂର ଯିବାକୁ ପଡ଼ିବ । ....ଆଚ୍ଛା–ତୁମେ ସବୁ ଏଠାରେ ଥଆ । ମୁଁ ଦେଖି ଆସେ ।’’

 

ରାମସ୍ୱରୂପ କିଛି ଦୂର ଯିବା ପରେ–

 

ଗୀତାଙ୍କର ଆଖି ପିତୁଳୀରେ ଦୁଷ୍ଟାମି ନାଚି ଉଠିଲା । ଚାମେଲୀଙ୍କ କନ୍ଧରେ ଚାପା ଦେଇ ବସାଇ ଦେଲେ–‘‘ବୈଠୋ ।’’ ଚାମେଲୀ ଅଗତ୍ୟା ବସି ପଡ଼ିଲେ ।

 

‘‘ଠୈରୋ ଭୟା–ମୈଁ ଭି ଆତି ହୁଁ ।’’ ଗୀତା ଭାଇଙ୍କ ପାଖକୁ ଚାଲିଲେ ।

 

ଚାମେଲୀ ଉତ୍କଣ୍ଠିତ ହୋଇ ଫେରି ଦେଖିଲେ ।

 

କିଛି ଦୂରରୁ ତର୍ଜନୀ ଦେଖାଇ ମୁଁରୁକି ହସି ଗୀତା ଉତ୍ତର ଦେଲେ–‘‘ସର୍‌ମାନା ନାହିଁ–ବୈଠେ ରହନା ।’’ ବେଣୀ ଛାଡ଼ି ସେ ଅଦୃଶ୍ୟ ହେଲେ ।

 

ଚାମେଲୀଙ୍କର ଓଠ ଆଉ ଆଖିରେ ଲଜ୍ଜ୍ୟା ଏବଂ ତୃପ୍ତି ଫୁଟି ଉଠିଥିଲା । ମୋତେ ଦେଖି ସେ ମୁହଁ ପୋତି ନେଲେ ।

 

କାନ୍ଧ ଉପରକୁ ଝୁଙ୍କି ଆସିଥିବା କୁଞ୍ଚିତ କୁନ୍ତଳର ଲହର–ମୁଁ ମୁଗ୍ଧ ରହିଥିଲି.... । –କଳ୍ପପୁରୀର ସୁଷମିତା ନାୟିକା ମୋର ଏତେ ପାଖରେ– । ନିର୍ଜନ ଅପରିଚିତ ସ୍ଥାନର କମନୀୟ ସନ୍ଧ୍ୟା । କିନ୍ତୁ କାହିଁ ଆଳାପ ତ ମୁଁ ଆରମ୍ଭ କରି ପାରୁନି ?

 

‘‘ଆପଣ ଏଠାରେ କେତେଦିନ ରହିବେ ?’’ ସେ ସହଜ ଗଳାରେ ପ୍ରଶ୍ନ କଲେ । ଆଖିରେ ଏଥର ଲଜ୍ଜ୍ୟା କିମ୍ବା କୌତୁକ ନାହିଁ–ଖୁବ୍‌ ଏକ ଆପଣାର ଭାବ । ବାହାରର ଚାପରେ ସେ ଏ ଯାଏଁ ପ୍ରକାଶ ନ ଥିଲା ଯେପରି–

 

‘‘କହି ପାରୁନି, ତେବେ ମାତ୍ର ଆଉ ଦୁଇ ଚାରି ଦିନ’’...

 

‘‘ମୋର ମଧ୍ୟ ସେଇଆ ।’’–ଚାମେଲୀ ଅଳପ ହସି ଝୁଙ୍କି ପଡ଼ିଲେ । ..

 

କଥାବାର୍ତ୍ତା ବେଶ୍‌ ସହଜ ମନେ ହେଲା... ।

 

ଆକାଶର ରକ୍ତିମା ଆଭା । ହାତ ପାପୁଲି ଦିଓଟିରେ ମୁହଁଟିକୁ ଥୋଇ ସେ ନିବିଷ୍ଟ ଚିତ୍ତରେ ମୋର କଥାଗୁଡ଼ିକ ଶୁଣି ଲାଗିଥାନ୍ତି । ଫଗୁଆ ଶାଢ଼ୀ–ଈଷତ୍‌ ନେଳି ବ୍ଳାଉଜ୍‌ ଉପରେ ସେଇ ଗୋଲାପୀ ମୁହଁ ଖଣ୍ଡିକ–ସରଳତା–ସହାନୁଭୂତି ଆଉ ପ୍ରତ୍ୟୟ ।

 

ଆକାଂକ୍ଷିତ ସୁଖ–ସ୍ୱାଭାବିକ ସମାଗତ–ସ୍ୱାଗତ–ସତ୍ୟ, ତଥାପି ଯେପରି ବିଶ୍ୱାସ ହୁଏ ନା... । –କେତେ ମିଷ୍ଟ ସଂଯତ ତାଙ୍କର ବ୍ୟବହାର । ସ୍ନେହର ଅତଳ ଗଭୀରତା– । ଆଃ ! ଅଥଚ ବିଶ୍ୱାସ କରି ପାରୁ ନ ଥାଏ । –ସୁଖର ଗଭୀରତାର ଶ୍ରେଷ୍ଠ ପରିମାପ ?

 

ହାରମୋନିୟମ୍‌ର ରିଡ଼୍‌ ଗୁଡ଼ାକ ଭେଁ–ଭାଁ ରଡ଼ି ଛାଡ଼ିଲେ । ଆଙ୍ଗୁଠି ଗୁଡ଼ାକ ବୃଥାଟାରେ ଯେପରି ଅଟକି ଯାଉଥାନ୍ତି ।

 

ଏଣେ ବନ୍ଧୁ ରାମସ୍ୱରୂପ ‘ଉଡ଼ିୟା’ ଗାନା ଆଚ୍ଛା ହୈ’ କହି ସୁପାରିଶ ଦେଇ ଲାଗିଛନ୍ତି ।

 

‘‘ସୋରିଷ ଫୁଲର କ୍ଷେତ ଚହଲେ ଧୀରେ ଧୀରେ

 

କ୍ଳାନ୍ତ ସୂର୍ଯ୍ୟ ମେଲାଣି ମାଗେ–କମ୍ର ଆକାଶ ତଳେ

 

ବଂଶୀର ସୁରୁ ଥରେ ।

 

ପ୍ରଥମ ସୁର୍‌ ଦେବାପରେ ଆଉ କୌଣସି ବାଧା ନ ଥିଲା– । ଗୀତ ଶେଷରେ କରତାଳି–ରାମସ୍ୱରୂପଙ୍କର ‘ତାଲିୟାଁ ।’

 

ଚାମେଲୀ ଅନୁରୋଧ କଲେ–‘‘ଦୟାକରି ଆପଣଙ୍କର ଗୀତଟି ଇଂରାଜୀ କିମ୍ବା ହିନ୍ଦୀରେ ବୁଝାଇ ଦିଅନ୍ତୁ ।’’

‘‘ଆତଲବ ଇଏ ହୈ କି’’–ରାମସ୍ୱରୂପ ବୁଝାଇବାର ଅଭିନୟ କରି ହସ ସୃଷ୍ଟି କଲେ । ଅବଶ୍ୟ ମୋଠାରୁ ଏଇ ଗୀତଗୁଡ଼ିକ ତାଙ୍କର ପ୍ରିୟ ହୋଇ ପାରିଥିଲା–ଏବଂ ସେଗୁଡ଼ିକର ଅର୍ଥ ମଧ୍ୟ ସେ କେତେକ ଅଂଶରେ ଜାଣିଥିଲେ ।

 

ଗମ୍ଭୀର–ନିର୍ବିକାର ପାଣ୍ଡିତ୍ୟର ଚେଷ୍ଟା କରି ମୁଁ ଗୀତଟି ବୁଝାଇ ଥିଲି । ପରେ ପରେ ଆହୁରି ଦି ତିନୋଟି ଓଡ଼ିଆ ଗୀତର ଅନୁସ୍ତୁତି ।

 

ବନ୍ଧୁ ଏବଂ ଗୀତା ଚାଲିଯିବା ପରେ ଚାମେଲୀ ଟିକିଏ ଆଗେଇ ଆସି କହିଲେ–‘‘ଓଡ଼ିଆ ଗୀତଗୁଡ଼ିକ ତ ବେଶ୍‌ ସୁନ୍ଦର । ବଙ୍ଗଳା ଭାଷା ସହିତ ଅନେକ ସାମଞ୍ଜସ୍ୟ ଅଛି–ନା ?’’

 

ମୁଁ ରାୟ ଦେଲି ।

 

‘ଆପଣଙ୍କ ଭାଷା ମୋତେ ଟିକିଏ ଶିଖାଇ ଦିଅନ୍ତେ ନାହିଁ ?’’ –ତାଙ୍କର ଆଖିରେ କୌତୁକ ।

 

ମୁଁ ସ୍ମିତ ହସି ତୁନି ରହିଲି ।

 

‘‘ନା–ସତରେ, ମୁଁ ଖିଆଲରେ କହୁ ନାହିଁ । –ଆପଣଙ୍କ ଭାଷା ଶିଖିବା କ’ଣ କଷ୍ଟ ?’’

 

ତାଙ୍କ ମୁହଁର ସ୍ଥିରତା ଦେଖି ମୁଁ ଅବହେଳା କରି ପାରିଲି ନାହିଁ ।

 

‘‘ନା–କଷ୍ଟ ନ ହୋଇ ପାରେ । କିନ୍ତୁ ପରିଶ୍ରମ ତ ଦରକାର । ବୃଥାଟାରେ ପରିଶ୍ରମ କରିବେ କାହିଁକି ?’

 

କିଛି ସମୟ ବ୍ୟବଧାନ ରଖି ସେ କହିଲେ, ‘‘ନା–ଓଡ଼ିଆ ଭାଷା ଶିଖିବାପାଇଁ ମୋର ଇଚ୍ଛା ଅଛି ଆପଣ... ।’’

 

‘‘ମୈ ଉଡ଼ିୟା କହୁଛିଁ–ଆପନ୍‌ ବସନ୍ତୁ’’ କହି ବିଶାଳକାୟ ରାମସ୍ୱରୂପ ପରଦା ଆଡ଼େଇ ପଶି ଆସିଲେ । କିଛି ସମୟ ପାଇଁ ଘର ଭିତରେ ହସର ତରଙ୍ଗ ଉଛୁଳି ଉଠିଲା ।

 

ଚାମେଲୀଙ୍କ ପ୍ରତି ପ୍ରଥମ ଉତ୍କଣ୍ଠା ଆଉ ନାହିଁ । କିନ୍ତୁ ମନ ଭିତରେ ସୌହାର୍ଦ୍ଦ୍ୟର ଏକ ଶାନ୍ତ ଗଭୀରତା–ପ୍ରଚ୍ଛନ୍ନ ଭାବରେ ଏକ ସଂଯମ କ୍ରିୟା ଲାଗି ରହିଥାଏ । କଥାବାର୍ତ୍ତା ଆଉ ବ୍ୟବହାରରେ ଏକ ନିରପେକ୍ଷତା ଆଉ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ମୁଁ ଅନୁଭବ କରୁଥିଲି ।

 

ଅବଶିଷ୍ଟ ଦୁଇ ତିନୋଟି ଦିନ ବେଶ୍‌ ସୁଖରେ କଟିଗଲା । ଦେବସେନ ଇନ୍ଦ୍ରସେନୀଙ୍କ ଖେଳ କୌତୁକ–ଦେବସ୍ୱରୂପଙ୍କ ଘଡ଼–ଘଡ଼ିଆ ଗଳା–ଭାବୀଙ୍କର ପରିହାସ–ବନ୍ଧୁଙ୍କର ସାହାଚର୍ଯ୍ୟ–ହାସ୍ୟମୟୀ ଗୀତା–ଚାମେଲୀଙ୍କ ଆକର୍ଷଣ–ଗ୍ରାମବାସୀଙ୍କ ସମାଦର ଏବଂ ପଲ୍ଲୀର ସୁଷମା...ସବୁ କିଛି ସ୍ପୃହଣୀୟ–ସୁଖକର–ମୁଁ ଉପଭୋଗ କରିଥିଲି ।

ବିଦାୟ ମୁହୂର୍ତ୍ତ । –ଭାବୀଙ୍କର ସ୍ନେହପୂର୍ଣ୍ଣ ବାକ୍ୟବାଣରୁ କୌଣସିମତେ ରକ୍ଷା ପାଇ ଗୀତା ଏବଂ ଚାମେଲୀଙ୍କଠାରୁ ବିଦାୟ ନେବା ପାଇଁ ତାଙ୍କ କୋଠରୀକୁ ପଶି ଆସିଲି । ଗୀତା ଆସି ପଦ ବନ୍ଦନା କଲେ । ଚାମେଲୀ ନମସ୍କାର କରି କହିଲେ–‘‘ଦେଖନ୍ତୁ, ଆମ ଘର ଆଡ଼େ ଆସିବାକୁ ଭୁଲିବେ ନାହିଁ । ନିଶ୍ଚୟ ଆସିବେ ।’’

‘‘ନିଶ୍ଚୟ–ନିଶ୍ଚୟ ।’’

ଦେବସ୍ୱରୂପଙ୍କ ଆଶିଷ ନେଇ ମୁଁ ବନ୍ଧୁଙ୍କ ସହିତ ବାହାରି ପଡ଼ିଲି ।

ଫେରିବାବେଳେ ଏଇ ଗାଁଟିରେ ମାୟା ମୋତେ ଯେପରି ବାନ୍ଧି ରଖିବାକୁ ଚେଷ୍ଟା କରୁଥାଏ । ପାଞ୍ଚଟି ଦିନ ମାତ୍ର ମୁଁ ଏଇଠି କଟାଇଛି । କିନ୍ତୁ ତା’ ଭିତରେ କେତେ ସୁଖ, ହସ, ଆନନ୍ଦ ଆଉ କୌତୁକ ! –ଏଇ ପାଖରେ ସେଇ ସୁନ୍ଦରୀ କୃଷକ ଷୋଡ଼ଶୀ–ଅବାଧ୍ୟ ବାଛୁରୀଟିକୁ କୌଶଳ କରି ବଶ କରିଥିଲା । କାହିଁ–ନାହିଁ ତ । –ସେ ପାଖରେ ଦଳେ ରମଣୀ–ହାସ୍ୟକୌତୁକମୟୀ–ପାଣି ପାଇଁ ବାହାରଛନ୍ତି–ରମ୍ୟ ପଲ୍ଲୀ !

‘‘ଆରେ ରାମସ୍ୱରୂପ !’’

ଦୁହେଁଯାକ ଫେରି ଚାହିଁଲୁ । ବୃଦ୍ଧ ଚଚାସାହେବ ତାଙ୍କ ଦୁଆର ମୁହଁରେ ଠିଆ ହୋଇ ଗାଡ଼ି ରୋକିବାକୁ ଇଙ୍ଗିତ କରୁଥାନ୍ତି । –ଗାଡ଼ି ଠିଆ ହେଲା । ବୃଦ୍ଧ ରାସ୍ତା ଉପରକୁ ଓହ୍ଲାଇ ଆସିଲେ–‘‘ଆରେ, ତୁମ୍‌ ତ ଯା ରହେ–ଲୌଟ୍‌ ଭି ସକ୍ତେ । ଲେକିନ୍‌ ତୁମ୍‌ହାରେ ଦୋସ୍ତ କ୍ୟା ମାଲୁମ୍‌....ଯାନେସେ ପହଲେ ଜରା ମିଲ୍‌ନେ ତୋ ଦୋ ।’’

ବୃଦ୍ଧଙ୍କର ପାଉଁଶିଆ ନିଶ ତଳେ ହସ ଝଟକି ଉଠିଲା । ମୁଁ ନମ୍ର ଭାବରେ ତାଙ୍କ ପାଖକୁ ଆଗେଇ ଗଲି । ସେ ମୋତେ ଛାତି ଉପରକୁ ଟାଣି ନେଲେ–ସ୍ନେହ ତରଳ ହୃଦୟ । –ଆଲିଙ୍ଗନରୁ ମୁକ୍ତ ହୋଇ ମୁଁ ଯେତେବେଳେ ପ୍ରଣାମ କରେ–ବୃଦ୍ଧ ଗଳା ଥରାଇ ବିଦାୟ ଦେଲେ–‘‘ଜୀତେ ରହୋ ।’’

ବନ୍ଧୁ ଆଇନ୍‌ ପରୀକ୍ଷା ସକାଶେ ବ୍ୟସ୍ତ ଥାନ୍ତି । ଆଉ ମୁଁ–ଘୂରି ବୁଲୁଥାଏ ସିନେମା, ପାର୍କ ଆଉ ଗଙ୍ଗାକୂଳ । ଦୀର୍ଘ ଦୁଇ ତିନି ମାସର ଅବସର । ଅଥଚ ପ୍ରାୟ ନିଃସଙ୍ଗ ଜୀବନ–ଉଦାସିଆ ବେକାମିକା ଛୁଟି ଦିନଗୁଡ଼ିକ ।

ସାଇକେଲ୍‌ ଖଣ୍ଡିକ ଗଳି ଭିତରକୁ ଗଡ଼ାଇ ଆଣିଲି । ଅନୁମାନ କରିଥିଲେ ସୁଦ୍ଧା ଫାଟକ ପାଖକୁ ଯାଇ ପ୍ରଶ୍ନ କରିବାକୁ ମୋର ସାହାସ ନ ଥିଲା । ସାମନାର ଏକ ପାନ ଦୋକାନ ପାଖରେ ସାଇକେଲ୍‌ ଖଣ୍ଡିକ ଆଉଜାଇ ଦେଇ ଠିଆ ହେଲି ।

ମୋର ଅନୁମାନ ଠିକ୍‌ । ଡାହାଣ ପାଖରେ କୋଠାଟା ଥିଲା–ଡା. ମୁଖାର୍ଜୀଙ୍କର । କୋଠାର ଫାଟକ ଉପରେ ମୋର ଦୃଷ୍ଟି ପଡ଼ିଲା । ଜଣେ ନେପାଳୀ ବୁଢ଼ା ଫାଟକ ଖୋଲି ବାହାରି ଆସୁଥାଏ । –ତାହାର ଲକ୍ଷ୍ୟ ମୁଁ ନିଜେ ନୁହେ ତ !

ପାଖକୁ ଆସି ଗୋଟାଏ ସଲାମ ପକାଇ ଆଖି କୁଞ୍ଚି ନେଇ ସେ ପଚାରିଲା–‘‘ଆପ ସରୋଜ୍‌ ବାବୁ ହୈ–ନ ?’’

ମୁଁ ଅପ୍ରତିଭ ହୋଇ ରାୟ ଦେଲି ।

‘‘ଜରା ମେହେରବାନୀ କର୍‌କେ ମେରେ ସାଥ୍‌ ଆଇୟେ ଗା ? ବହ୍‌ ବୋଲା ରହୀଁ ହୈଁ-।’’ ତା’ର ଗାରଟଣା ମୁହଁ ଉପରେ ବନ୍ଧୁତା ।

ସାଇକେଲ୍‌ ଖଣ୍ଡିକ ଗଡ଼ାଇ ନେଇ ସେ ପାଖେଇ ଚାଲିଲା ।

ଘରର ସାମନାରେ ଗୋଟିଏ ଛୋଟିଆ ଫୁଲ ବଗିଚା । ଦେଶୀ ବିଦେଶୀ ନାନା ରକମର ଫୁଲ ଗଛ । –ବସନ୍ତର ସୌନ୍ଦର୍ଯ୍ୟ ଆଉ ମହକ । –ଚାରି ପାଖରେ ଓସାରିଆ ନାଲି ରାସ୍ତା-। ପାହାଚ ସାମନାରେ ଅର୍ଦ୍ଧବୃତ୍ତ । ଦୁଇ ପାଖରେ ବାରଣ୍ଡାର ଧାରରେ ଛୋଟ ଛୋଟ ଫୁଲ କୁଣ୍ଡ-

ଓସାରିଆ କୋଠରୀଟି–ଆଲୋକ ଆଉ ପବନର ଖୋଲା ମିଳାପ । ରୁଚିସମ୍ପନ୍ନ ସାଜସଜ୍ଜା–ଚାମେଲୀଙ୍କ ନିଜ କୋଠରୀ ।

ପାଖ କୋଠରୀରୁ ଚାମେଲୀ ଆସି ଦେଖାଦେଲେ ।

‘‘ଆପଣଙ୍କର କଥା ତ ବେଶ୍‌ ରକ୍ଷା କରି ପାରନ୍ତି ?’’ –ସହଜ ଗଳା । କହିବା ସାଙ୍ଗେ ସାଙ୍ଗେ ହାତ ଯୋଡ଼ିକ ଟେକି ଗୋଟିଏ ଛୋଟିଆ ନମସ୍କାର ।

ପ୍ରତି ନମସ୍କାର କରି କହିଲି–‘‘ମିଛ କହିବା ଦରକାର ମନେ କଲୁନାହିଁ । ପ୍ରକୃତରେ–ଆସିବାକୁ ଇଚ୍ଛା ଥିଲେ ସୁଦ୍ଧା ଭରସି ପାରୁ ନଥିଲି ।’’

ସ୍ୱଚ୍ଛଳ ହସ । ପାଖରେ ଗୋଟାଏ ଚୌକି ଅଧିକାର କରି ସେ ଅଭୟ ଦେଲେ–‘‘ନା–ବାସ୍ତବିକ ଆପଣ କିଛି ମନେ କରିବେ ନାହିଁ । ବାପା ଆମର ଭିନ୍ନ ରୁଚିର ଲୋକ । ଅବଶ୍ୟ ପୁରୁଷମାନଙ୍କ ସହିତ ଗୁଡ଼ାଏ ମିଳାମିଶା ସେ ପସନ୍ଦ କରନ୍ତି ନାହିଁ । କିନ୍ତୁ–ମୋ ଉପରେ ତାଙ୍କର ଯଥେଷ୍ଟ ବିଶ୍ୱାସ ଅଛି ଏବଂ ଆପଣଙ୍କର ଉପରେ ମଧ୍ୟ ମୋର ଯଥେଷ୍ଟ ବିଶ୍ୱାସ ଅଛି ।’’ –ସେ ହସ ଖେଳାଇଲେ ।

ଶେଷ କଥାଟା ମୁଁ ପସନ୍ଦ କରି ପାରିଲି ନାହିଁ ।

‘‘ଆପଣଙ୍କର ବାପା କାହାନ୍ତି ?’’ ମୁଁ ପଚାରିଲି ।

‘‘ଅଫିସ୍‌କୁ ଯାଇଛନ୍ତି, ଫେରିବେ ରାତି ଆଠଟାରେ ।’’

‘‘ଆଉ ମା’ ?’’

ମୁଣ୍ଡର ଲୋଭନୀୟ ବାଳଗୁଡ଼ିକ ଦୋହଲାଇ ଦେଇ ସେ ଉତ୍ତର ଦେଲେ–‘‘ନା–ମା’ ମୋର କେତେ ବର୍ଷ ତଳେ ମରିଯାଇଛନ୍ତି । କେବଳ ମୁଁ, ଏକୁଟିଆ ।’’ ହସରେ ସହନଶୀଳତା ।

ସହାନୁଭୂତି ପ୍ରକାଶ କରିବାକୁ ଯାଉଥିଲି ।

 

‘‘–ଆଗ ଆଗ ଖରାପ ଲାଗୁଥିଲା । କିନ୍ତୁ ଅଭ୍ୟସ୍ତ ହୋଇଗଲାଣି–’’ ସେ କହିଲେ ।

 

‘‘କିନ୍ତୁ....’’

 

‘‘ଟିକିଏ ରହନ୍ତୁ...ମୁଁ ଆପଣଙ୍କ ସକାଶେ ଚାହା ନେଇ ଆସୁଛି ।’’ ନମ୍ର ଭାବରେ କହି ଶାଢ଼ି କାନିଟି ଉଠାଇ ନେଇ ଚାଲିଗଲେ ।

 

ବେଶ ଭଲ ଲାଗିଲା । ଗହଳ ଚହଳ ନାହିଁ । –ବହି ଗୁଡ଼ିକ ଦେଖି ବସିଲି । Gerald Gould, Mill ପ୍ରଭୃତି ପାଶ୍ଚାତ୍ୟ ପଣ୍ଡିତଙ୍କଠାରୁ ଆରମ୍ଭ କରି ଆଧୁନିକ ଭାରତୀୟ ରାଧାକ୍ରିଷ୍ଣଙ୍କ ପର୍ଯ୍ୟନ୍ତ । ଗାନ୍ଧୀ ଦର୍ଶନ, ମାର୍କ୍ସବାଦ–ପେଙ୍ଗୁଇନ୍‌ ସିରିଜର ଖଣ୍ଡେ ଅଧେ ଉପନ୍ୟାସ ରୁକ୍ଷ ସାହିତ୍ୟ ।

 

ଚାମେଲୀ ଚାହା ନେଇ ପହଞ୍ଚିଲେ ।

 

‘‘ଦେଖନ୍ତୁ, ଆପଣଙ୍କର କେତେ ଚିନି ଦରକାର ।’’

 

‘‘–ନା–ନା–ବେଶ୍‌ ସେତିକି ।’’

 

ଚାହାରେ ଚୁମ୍ବନ ଦେଇ ସେ ଆରମ୍ଭ କଲେ, ‘ସରୋଜ ବାବୁ, ଆପଣ ବଡ଼ ଫାଜିଲ୍‌ ଥିଲେ–ନା ?’’

 

ମୋର ସହଜ ଭାବନାରେ ବାଧା ପଡ଼ିଲା । ଏ ଯେପରି ସେଇ ପରିଚିତ ଚାମେଲୀ ନୁହେଁ–କିଛି ସମୟ ହତବାକ୍‌ ହେଲି । ପ୍ରଶ୍ନର ଉଦ୍ଦେଶ୍ୟ ପଚାରିବାକୁ କିମ୍ବା ଉତ୍ତରରେ ନାହିଁ କରିବାକୁ ମୋର ପ୍ରବୃତ୍ତି ନ ଥିଲା ।

 

‘‘ଆଉ ଏବେ ?’’ –ତାଙ୍କର ସେଇ ଚାପା ହସ ।

 

ଚାହା ଶେଷ କରିବା ଦେଖି ଚାମେଲୀ କୃତ୍ରିମ ରୋଷ ଦେଖାଇ କହିଲେ,‘‘ଦେଖନ୍ତୁ, ଚାହା ପରେ ପରେ ଚାଳିଯିବାର ଆଶା ରଖନ୍ତୁ ନାହିଁ । ଆଜି ଆପଣଙ୍କୁ ଅନେକ ସମୟ ରଖିନେବା ମୋର ଇଚ୍ଛା ।’’

 

ନା–ଏଭଳି କଥାବାର୍ତ୍ତାର ଢଙ୍ଗ ମୁଁ କୌଣସିମତେ ଅନୁମୋଦନ କରିପାରେନା ।

 

ସେତକ ଯେପରି ଯଥେଷ୍ଟ ନ ଥିଲା । ସେ ପୁଣି କହିଲେ, ‘‘ଆପଣଙ୍କର ସମସ୍ତ ଦୁର୍ବଳତା ମୋ ଆଖିରେ ଧରାପଡ଼ିଛି । ସୁତରାଂ ଠକିବାର ଚେଷ୍ଟା କରିବେ ନାହିଁ ।’’

 

ମୁଁ ପ୍ରତିହତ ହେଲି । ଏହାର ଅର୍ଥ ?

 

କିନ୍ତୁ ସେ ଏଇଥର ହସ ଖେଳାଇଲେ–‘‘କିଛି ମନେ କରିବେ ନାହିଁ ।’’

 

ଚାହା ଟ୍ରେ’ଟି ଉଠାଇନେଇ ସେ ଚାଲିଗଲେ ?

‘‘କ’ଣ ଭାବୁଛନ୍ତି ?’’ ସେ ଫେରି ଆସିଲେ ।

ଭାବନା ଆଉ ଅନୁଭବ ମୋର ସମ୍ପୂର୍ଣ୍ଣ ଜଟିଳ ହୋଇ ପଡ଼ିଥିଲା । ମୋର ଦୁର୍ବଳତା ଆଉ ଠକିବାର ଚେଷ୍ଟା–ମାନେ ? ଚାମେଲୀଙ୍କର ଏଇ ନୂତନ କଥାବାର୍ତ୍ତା–ଢଙ୍ଗଢାଙ୍ଗ ! !

ଭାବିବାକୁ ସମୟ ନ ଦେଇ ସେ କହିଲେ, ‘‘ଆପଣ କ’ଣ ଭାବୁଛନ୍ତି–କହିବି ? –ଆପଣ ଭାବୁଛନ୍ତି–ମୁଁ ଏପରି କ’ଣ ଗୁଡ଼ାଏ କହି ଲାଗିଛି–ନୁହେଁ ?’’

ମୁଁ ମାନିନେଲି ।

‘‘ବେଶ, ଆପଣ ଯଦି ନିଜର ଦୋଷଗୁଣ ଗୁଡ଼ିକ ଲୁଚାଇବାକୁ ଚେଷ୍ଟା କରିବେ ନାହିଁ–ତାହା ହେଲେ ଖୁବ୍‌ ଅଳ୍ପ ସମୟ ଭିତରେ ବୁଝି ପାରିବେ । –ଆପଣଙ୍କୁ ଅବଶ୍ୟ ଅସଙ୍ଗତ ଲାଗିପାରେ–କିନ୍ତୁ ଆପଣ ମୋତେ କଥା ଦିଅନ୍ତୁ ଯେ ମୋର ଭୁଲ୍‌ ଥିଲେ ଆପଣ କିଛି ମନେ କରିବେ ନାହିଁ– ।’’ ଏଥର କଥାଗୁଡ଼ିକ ଧୀର କିନ୍ତୁ ଶେଷ ଆଡ଼କୁ କୌତୁକ ମିଶା ।

ମୁଁ ରାଜି ହେଲି ।

‘‘ଆପଣ ପ୍ରଥମେ ଫାଜିଲ୍‌ ଥିଲେ–ନୁହେଁ ? କିନ୍ତୁ ଆପଣ ବର୍ତ୍ତମାନ ଅନୁଭବ କରନ୍ତି ଯେ ଆପଣଙ୍କର ବ୍ୟବହାରରେ ପରିବର୍ତ୍ତନ ଆସିଛି– ?’’ –ଅସଲ କଥାଟା ଉଠାଇବା ପୂର୍ବରୁ ଏ ଯେପରି ବାଆଁରେଇବାର ଚେଷ୍ଟା ।

 

‘‘କିନ୍ତୁ ଆପଣ ମୋତେ ଭଲ ପାଆନ୍ତି ?’’–ବୀଣାର ସମସ୍ତ ତା’ର ଯେପରି ଏକା ସାଙ୍ଗରେ ଆକସ୍ମିକ ବାଜି ଉଠିଲେ ଏବଂ ମସ୍ତିଷ୍କ ଭିତରେ ଏହି ସମସ୍ତ ଶବ୍ଦ ଧୂଆଁ ଭିତରେ ମିଳାଇ ହୋଇଗଲା ।

 

କି ଏକ ଅଜାଣତ ଆଶଙ୍କାରେ ଉଷ୍ମତା–

 

‘‘ସେ କଥା ଆପଣ ଜାଣିଲେ କିପରି ?’’ ହଠାତ୍‌ ବାହାରି ଆସିଲା ।

 

‘‘ସେ କଥା ପଚାରିବାକୁ ହୁଏ ନାହିଁ । ଆପଣ ଯଦି ସତରେ ମୋତେ ଭଲ ପାଇ ନ ଥାନ୍ତି, ତାହା ହେଲେ ‘ନାହିଁ’ କରି ଦଅନ୍ତୁ ।’’ –କଥାଗୁଡ଼ିକ ସଂଯତ । ଆଖି ଦୁଇଟିର ସ୍ଥିର ନିବେଶ । ଦୁଷ୍ଟାମି କିମ୍ବା ପରିହାସର ଆଉ ଆଭାସ ନ ଥିଲା ।

 

ମୋତେ ନିରୁତ୍ତର ଦେଖି ସେ ସଫେଇ ଦେଲେ–‘‘ମାଫ୍‌ କରିବେ, କୌଣସି ନାରୀ ସାଧାରଣତଃ ଏପରି କହିବାକୁ ସାହାସ କରେନା, କିନ୍ତୁ ଏ ସବୁ ବିଷୟରେ ମୁଁ ଖୋଲା ହେବାକୁ ଚାହେଁ । ସାରାବର୍ଷ ଧରି ମୁଁ ଆପଣଙ୍କୁ ଲକ୍ଷ୍ୟ କରି ଆସିଛି, ମଧ୍ୟ ଜାଣେ ଯେ ଆପଣ ମୋତେ ଲକ୍ଷ୍ୟ କରି ଆସିଛନ୍ତି । ଏସମସ୍ତର ଶେଷ ପରିଣାମ କ’ଣ ମୁଁ ଜାଣିବାକୁ ଚାହେଁ....’’

 

ଉତ୍ତର ଦେବାକୁ ମୁଁ କିଛି ଖୋଜି ପାଇଲି ନାହିଁ ।

 

‘‘ଏତେ ଦିନ ଧରି ଲକ୍ଷ୍ୟ କରିବା ପରେ ମୁଁ ବୁଝି ପାରିଥିଲି ଯେ ଆପଣଙ୍କର ସାହାସ ଆଉ ଉଦ୍‌ଯୋଗର ମସ୍ତବଡ଼ ଅଭାବ । –ମୋତେ ହିଁ ଆଗେଇବାକୁ ହେବ– ।

 

....ମୋର କର୍ତ୍ତବ୍ୟ ମୁଁ କରି ସାରିଛି । ଆପଣ ଯଦି ସତରେ ମୋତେ ଭଲ ପାଉ ନ ଥାନ୍ତି, ତେବେ ପ୍ରକାଶ କରି ମୋତେ କ୍ଷମା ଦେଇ ପାରନ୍ତି । –କିନ୍ତୁ ଆଶା କରେ, ଆପଣ ନିଜକୁ କିମ୍ବା ମୋତେ ଠକାଇବାକୁ ସାହାସ କରିବେ ନାହିଁ ।’’

 

ହୃଦୟର ସମସ୍ତ ଭାବନା ପୁଞ୍ଜୀଭୂତ ସେଇ କେତୋଟି ଧୀର ପ୍ରକାଶିତ କଥା ଭିତରେ । ନାରୀତ୍ୱ ତା’ର ସମସ୍ତ ଦାବି ନେଇ ପଚାରିଛି–ଭଲ ପାଆ ଯଦି, ପ୍ରକାଶ କର । ପ୍ରତିଦାନ ନିଅ । ନଚେତ୍ ଭଲ ପାଇବାର ଛଳନା କାହିଁକି ?

 

ଆକସ୍ମିକ ଅବଶ୍ୟ–କିନ୍ତୁ ସାରା ବର୍ଷର ନୀରବ ପ୍ରେମ ନିବେଦନ ପରେ–ଅସ୍ୱାଭାବିକ ନୁହେଁ ।

 

ଚାମେଲୀ ମୋ ମୁହଁରେ କ’ଣ ଯେପରି ଖୋଜିଲା ଭଲି ଚାହିଁ ରହିଥିଲେ । ମୋର ଦୁକୁଦୁକି ଚଞ୍ଚଳ ହୋଇ ଉଠିଥିଲା । ଗୋଟିଏ ସିଧା ସଳଖ ଜବାବ– । ଭାବ–ଗଭୀର ସମସ୍ତ ବାକ୍ୟ କଣ୍ଠ ପାଖରେ ରୋକି ଯାଉଥାଏ ।

 

ମୋର ଦୁଇ ହାତ ସେ ତାଙ୍କ ପାପୁଲି ଭିତରେ ଜାକି ନେଲେ । କପାଳରେ ଆଶ୍ଚର୍ଯ୍ୟ କିମ୍ବା ସନ୍ଦେହର ସ୍ପଷ୍ଟ ରେଖା ଫୁଟି ଉଠୁଥାଏ ।

 

ଧୀରେ ଧୀରେ କହିଲି–‘‘ମୁଁ ତୁମକୁ ଭଲ ପାଏ ଚାମେଲୀ ।’’...

 

ପିଲାଟି ପରି ସେ ମୋ ମୁହଁ କୁ ଚାହିଁ ରହିଥିଲେ–ଓଠରେ ତୃପ୍ତି ।

 

ରାମସ୍ୱରୂପ ପଢ଼ିବା ପାଇଁ କୌଣସି ସହପାଠୀ ବନ୍ଧୁଙ୍କ ପାଖକୁ ଚାଲି ଯାଇଥାନ୍ତି । ହଷ୍ଟେଲର ଏ ପାଖଟାରେ କେହି ନ ଥାନ୍ତି । ନିତାନ୍ତ ଫାଙ୍କା ।

 

ଘର ଭିତରର ଅବରୁଦ୍ଧ ବାୟୁ କଳ୍ପନାର ଅନୁକୂଳ ନ ଥିଲା । ଖଟଟାକୁ ଟାଣି ବାହାରେ ପକାଇଲି ।

 

ନେଳି ଧଳା ଆକାଶ କୋଳରେ ଟିକ ଟିକି ଜୁକୁ ଜକ୍‌ ତାରା ଗୁଡ଼ିକ । ଭସାଣିଆ ମନଫୁଲାଣିଆ ଜହ୍ନ ।

 

ଶୀତଳ ହାଲୁକା ପବନର ପରିଶରେ ରହି ରହି ଉଠି ଆସୁଥଏ ମନ ଭିତର ଭାବନାର ବାସ ଧୂମ ।

 

ସେଇ ତୃପ୍ତିକର ପ୍ରେମର ଆବେଗ । ପ୍ରାଣଭରା ଆଲିଙ୍ଗନ, ଉଷୁମ ମିଠା କଥାଗୁଡ଼ିକ–‘‘କହ, ମୋତେ ସବୁଦିନ ଭଲ ପାଉଥିବ.... ?’’

 

‘‘ସବୁଦିନ–ଆଉ ତୁମେ ?’’

 

‘‘ସବୁଦିନ–ତୁମେ ଆଉ ମୁଁ ।’’

 

ପାରଦ–ଢଳା ଆକାଶ ସାରା ଖେଳି ବୁଲିଛି ସେଇ ଏକ ଅମୀୟ–ଭରା ସଙ୍ଗୀତର ସୁର୍‌, ଜ୍ୟୋତ୍ସ୍ନାମିଶା ଦିଗ୍‌ବଳୟ ପରେ ସରଳ ଆତ୍ମତୃପ୍ତା, ଆତ୍ମବିସ୍ମୃତ ଚାହାଣୀ । –ଶିରା ପ୍ରଶିରାରେ ଥରକୁ ଥର ଖେଳି ବୁଲୁଥାଏ ଆଲିଙ୍ଗନର ଉଷୁମ ପୁଲକ ।

 

ଆଖି ପତା ତଳେ ଅଜାଣତରେ ଝରି ଆସିଥିଲା ପୋଷ ପୋଷ ନିଦ ।

 

‘‘ଦାଦା ।’’

‘‘ସରୋଜ ବାବୁ ।’’

ଜଣେ ପ୍ରେମ ଦେଇ ପ୍ରତିଦିନ ମାଗିଛି–ପାଇନାହିଁ ।

ଆଉ ଜଣେ ଦେଇଛି–ପାଇଛି ମଧ୍ୟ ।

ଶିକ୍ଷା, ଧନ, ଅବହାଓଆ–ତଫାତ୍‌ ।

କିନ୍ତୁ ଦିଓଟିଯାକ ନାରୀ– ।

ଚାମେଲୀଙ୍କର ପ୍ରତିଦିନ ଦେବାରେ ମୁଁ କୁଣ୍ଠିତ ହୋଇନାହିଁ । କିନ୍ତୁ ଶେଫାଳିକା ସକାଶେ ସ୍ନେହ ଆଉ ସହାନୁଭୂତିରେ ମନ ଏତେଦୂର ଆର୍ଦ୍ର ହୁଏ କାହିଁକି ? –କ’ଣ ପାଏ ସେଥିରେ ? –ସରଳତା ?

–ଦାରିଦ୍ର୍ୟକୁ ସରଳତା ଆଖ୍ୟା ଦିଆଯାଇ ନ ପାରେ । କିନ୍ତୁ ଦୁଇ ନାରୀଙ୍କୁ ଏପରି ଭାବେ ଭଲ ପାଇବା କ’ଣ ଭୁଲ ନା–ଅସମ୍ଭବ–ଆତ୍ମ–ବିରୋଧୀ ?

ଅବାସ୍ତବ–ପଥହରା ବିଚ୍ଛିନ୍ନ ଚିନ୍ତା ସବୁ ।

ମନ ଭିତରର କେଉଁ କୋଣରୁ ପୁଣି ଭାସି ଆସେ ଛନ୍ଦମୟ ସୁର ।

–ଖୋଲା ଆକାଶର ପକ୍ଷୀଟି ପରି–ଛନ୍ଦମୟୀ ଝରଣା ପରି–ମୁକ୍ତା ଆବେଗମୟୀ–ପ୍ରାଣମୟୀ ଚାମେଲୀ..... ।

ଆଉ ଏଇଟି ଅଶିକ୍ଷିତା । ବୁଝେ ନାହିଁ ଆଦର୍ଶ । ଦୁଇ ଜଣଙ୍କୁ ସେ ଭଲ ପାଏ–ଦୁଇଜଣଙ୍କ ପାଖରୁ ସେ ପ୍ରତିଦାନ ଚାହେଁ । ଅଥଚ ଏଇ ଭଲ ପାଇବା–ପ୍ରତିଦାନ ଆଶା କରିବା ଭିତରେ କେଉଁଠି ବା ଅଶ୍ଳୀଳତା ଅଛି ସେ ଜାଣେ ନା–ଶେଫାଳିକା ।

ଧୂସର ଆକାଶର ବାୟୁ–ବିତାଡ଼ିତ ବିଶୃଙ୍ଖଳ ମେଘମାଳ ଭଳି ସମସ୍ତ ଭାବନା ଏଣେ ତେଣେ ଗୋଳମାଳ ହୋଇଯାଏ । ...ବାଦଲ ଫାକିଯାଏ, ପବନ ଶାନ୍ତ ହୋଇ ଆସେ ।

Quo warranto, nisci foris ଘୋଷି ଘୋଷି କାନମୁଣ୍ଡ ଆଉଁସି ଗୋଟାଏ ଆଇନ ନୋଟ୍‌ ଖୋଲିଧରି ରାମସ୍ୱରୁପ ଘର ଭିତରକୁ ପଶି ଆସିଲେ । କପାଳ ଉପରର ଶିରା ଦୁଇଟି ଘୋଷିବା ଫଳରେ ଟାଣି ହୋଇ ଉଠୁଥାଏ । ପରୀକ୍ଷାର ଗୁରୁତ୍ୱ ସହିତ ତାଳ ରଖିବାପାଇଁ ଯେପରି ସେ ପ୍ରତ୍ୟେକ ଶବ୍ଦ ଉପରେ ଜୋର୍‌ ଦେଇ ଦାନ୍ତ ରଗଡ଼ି ରେଣ୍ଠେଇ କରି ଘୋଷି ଲାଗିଥାନ୍ତି ।

‘‘ଆପଣ ଆଉ ଟିକିଏ ବସି ରହନ୍ତୁ । ଆଜି ବାପାଙ୍କ ସହିତ ଭେଟ କରାଇ ଦେବି ।’’

‘‘ପୁଣି ସେଇ ଆପଣ....’’

ଯାଃ–ଭୁଲ୍‌ ହୋଇଗଲା–ଆଚ୍ଛା କହିଲି...ତୁମେ ।’’

‘‘ବାପା ତୁମର କି ଧରଣର ଲୋକ ?’’

‘‘ବେଶ୍‌ ଖୁସି ମିଜାଜ୍‌ର । ସାହେବୀ କାଏଦା–କିନ୍ତୁ ଭାରତୀୟ ଢଙ୍ଗ ଯେ ନାପସନ୍ଦ କରନ୍ତି–ଏପରି ନୁହେଁ ।’’

କାର୍‌ର ଶବ୍ଦ ଶୁଣି ଚାମେଲୀ ଉଠି ପଡ଼ିଲେ—‘‘ଏଇ କହୁ କହୁ ବାପା ଆସି ହାଜର୍‌ ।’’

ଗୋରା ଏବଂ ମଧ୍ୟଭଳି ଉଚ୍ଚ । ମୁଣ୍ଡର ଅଧିକ ଅଂଶ ଚନ୍ଦା । ଚାରି ପାଖରେ ଧଳା କଳା ବାଳ ଘେରି ରହିଥାଏ । ଛୋଟ ପ୍ରଜାତିର ନିଶ–ସୁଟ୍‌ ପିନ୍ଧା ।

ପୂର୍ଣ୍ଣ ସ୍ୱାସ୍ଥ୍ୟ ଓ ପ୍ରାଣ ଖୋଲା ବନ୍ଧୁ ତା’ର ହସ ନେଇ ସେ ମୋ ଆଡ଼କୁ ହାତ ବଢ଼େଇଲେ । ‘‘ତୁମକୁ ଦେଖି ମୁଁ ବହୁତ ଖୁସି ହେଲି ।’’ –ସ୍ପଷ୍ଟ ଉଚ୍ଚାରଣ ।

‘‘ତୁମ ବିଷୟରେ ମୁଁ ଚାମେଲୀଠାରୁ ବହୁତ ଶୁଣିଛି ।’’ ସେ ସ୍ନିଗ୍ଧ ଦୃଷ୍ଟିରେ ଚାମେଲୀ ଆଡ଼କୁ ମୁହଁ ଫେରାଇଲେ । ଚାମେଲୀ ଲାଜେଇ ଗଲେ ।

‘‘ଆଚ୍ଛା, ଦୁହେଁ ବସି ଗଳ୍ପ କରୁଥାଅ, ମୁଁ ଏଇ ମିନିଟ୍‌କ ଭିତରେ ଆସୁଛି ।’’ କାନ୍ଧ ଡିଆଇଁ ସେ ପଶିଗଲେ ପାଖ କୋଠରୀକୁ । ସ୍ଫୁର୍ତ୍ତି ।

ଚାମେଲୀ ଚାହା ପାଇଁ ଚାଲିଗଲେ ।

‘‘ହଁ, ତୁମେ ଚାମେଲୀ ସାଙ୍ଗରେ ଏକାଠି ପଢ଼–ନା ?’’ ପରିଧାନରେ ଏଇଥର ଧଳା ପାଇଜାମା ଆଉ କୁର୍ତ୍ତା । ଚୌକିଟିଏ ଟାଣି ଆଣି ଡାକ୍ତର ମୁଖାର୍ଜୀ ଟେବୁଲ ପାଖରେ ବସି ପଡ଼ିଲେ-

‘‘ଆଜ୍ଞା–ହଁ ।’’ ମୁଁ ଉତ୍ତର ଦେଲି ।

‘‘ତୁମର ବାପା.....ବର୍ମାରେ ଥାଆନ୍ତି ?’’

‘‘ଆଜ୍ଞା... । କାଠ ବ୍ୟବସାୟ କରନ୍ତି ।’’

‘‘ବାପାଙ୍କର ନା’ଟା କ’ଣ..... ?’’

‘‘କମଳ କୁମାର ରଥ ।’’

‘‘କମଳ କୁମାର ?’’ –ମୁଖାର୍ଜୀଙ୍କର କପାଳ କିଛି ସମୟ କୁଞ୍ଚିତ ହୋଇ ଉଠିଲା । ପରେ ପରେ ସେ ଉଚ୍ଚସ୍ୱରରେ କହଲେ–‘‘ଆରେ କମଳକୁମାର । ଏଇ...କଲିକତାରେ ଆଗ ପଢ଼ୁଥିଲେ, ଘର ଓଡ଼ିଶାରେ... ।’’

‘‘ଆଜ୍ଞା, ହଁ, ଆପଣ.... ?’’

‘‘ହଁ, ହଁ–ମୁଁ ଜାଣେ ।’’ ପ୍ରଥମ ଉଚ୍ଛ୍ୱାସ ପରେ ତାଙ୍କର ସ୍ୱର ନିମ୍ନ ହୋଇ ଆସିଥିଲା–ଆଖିରେ କିନ୍ତୁ ତୃପ୍ତି । ‘‘ମୁଁ ତାଙ୍କୁ କମଳ ଦା’ ବୋଲି ଡାକେ । ଗୋର–ଉଚ୍ଚା–ଖୁବ୍‌ ଭଲ ଲୋକ–ସଚ୍ଚୋଟଲୋକ । କଲିକତାରେ ଡାକ୍ତରୀ ପଢ଼ି ଦୁହେଁ ପାସ୍‌ କଲୁ...’’ ସେ କିଛି ସମୟ ନୀରବ ହେଲେ । ‘‘ତା’ପରେ ସେ ଚାଲିଗଲେ ବର୍ମା ଆଉ ମୁଁ ଚାଲିଗଲି ଲଣ୍ଡନ ।’’ କଥାରେ ପରିହାସର ରଞ୍ଜନ ଦେଇ ସେ ସ୍ମିତ ହସିଲେ । ‘‘ବାପାଙ୍କ ସ୍ୱାସ୍ଥ୍ୟ କିପରି ଅଛି–ଭଲ ?’’

‘‘ହଁ ।’’

‘‘ବେଶ୍‌ ଜୋର୍‌ଦାର ମଣିଷ ଥିଲେ । ....ହୁଁ, କେତେ ବନ୍ଧୁ କୁଆଡ଼େ ରହିଗଲେ । କେତେ ମଧ୍ୟ ମରିଗଲେଣି । ସମୟ ସମୟରେ ମନେ ପଡ଼ନ୍ତି । –କେଉଁଠି କେବେ କାହା ସହିତ ଦେକା ହେଲେ–କିମ୍ବା କାହାର କିଛି ସ୍ମୃତି ପାଇଲେ କିଛି ସମୟ ଖୁସି ଲାଗେ–କେତେବେଳେ ମଧ୍ୟ ଲାଗେନାହିଁ ।’’ –ନିରପେକ୍ଷ ଦାର୍ଶନିକ ।

କଥା କହିବା କିମ୍ବା ଭାବିବାବେଳେ ଡାକ୍ତରବାବୁ ନିଜର ପାପୁଲି ଯୋଡ଼ିକ ଯୋଡ଼ି ଦେଇ ଅଙ୍ଗୁଠି ଟିପଗୁଡ଼ିକ ଟିପି ଲାଗିଥାନ୍ତି । ହାସ୍ୟରସର ବିଶିଷ୍ଟ ଅଭିନେତାଦ୍ୱୟ ଲରେଲ୍‌ ଏବଂ ହାର୍ଡ଼ିଙ୍କର କୌଣସି ଏକ ଛବିର ଅଭିନୟ କଥା ମନେ ପଡ଼ିଲା ।

ଚାମେଲୀ ଚାହେ ଓ ଜଳଖିଆ ନେଇ ପହଞ୍ଚିଲେ । ‘‘ମା’ ଚାମେଲୀ’’, ମୁଖାର୍ଜି ଆନନ୍ଦ ସହିତ କହିଲେ–‘‘ଶୁଣି ଖୁସି ହେବୁ ସରୋଜଙ୍କର ବାପା ମୋର ଜଣେ ପୁରୁଣା ବନ୍ଧୁ–ହାଃ–ହାଃ ।’’

ଚାମେଲୀ ଟେବୁଲ ସଜାଉ ସଜାଉ ମୋ ଆଡ଼େ ଚାହିଁ ପଚାରିଲେ–‘‘ସତେ ?’’

ଡାକ୍ତରଙ୍କ ଚାଲିଚଳନରେ ଯେପରି ସ୍ଫୁର୍ତ୍ତି–କଥା ବାର୍ତ୍ତାରେ ଯେପରି ଗାଢ଼ ବନ୍ଧୁତା–ବୟସ ଦେଖି ତାଙ୍କର କ୍ଷୁଧା–ଶକ୍ତି ମଧ୍ୟ ବେଶ୍‌ ଚମତ୍କାର ମନେ ହେଲା । କଥାବାର୍ତ୍ତା ଛଳରେ ବୟସର ବ୍ୟବଧାନ ମଧ୍ୟ ସେ ଦୂରେଇ ପାରିଥିଲେ । ତାଙ୍କର ଛାତ୍ରଅବସ୍ଥାରେ ଅନେକ ମଜା ମଜା ଗପ–ଆଉ ତା’ ଭିତରେ ନିଜର ଅପାରଗତାକୁ ହିଁ ବର୍ଣ୍ଣନା କରି ସେ ହସ ସୃଷ୍ଟି କରିଥିଲେ । ସନ୍ଧ୍ୟାଟି ବେଶ୍‌ ଆମୋଦଦାୟକ ମନେ ହେଲା । ଚାହା ପରେ ଖଣ୍ଡିଏ ସିଗାରେଟ୍‌ ଜଳାଇ ସେ ମୋ କାନ୍ଧରେ ହାତ ଦେଇ କହିଲେ–‘‘ଆଚ୍ଛା–ବାବା, ମୁଁ ଏଥର ଆସେ । ଆହ୍ଲାବାଦରେ ଥିବା ଯାଏ ଏଠାକୁ ଆସୁଥିବ । ....ହଁ ଏଠି ତୁମେ କେତେଦିନ ରହିବ ?’’ ସେ ହଠାତ୍‌ ପଚାରିଲେ ।

‘‘କହି ପାରୁନାହିଁ । ତେବେ ବେଶୀଦିନ ନୁହେଁ ।’’

‘‘ଆଚ୍ଛା, ଆଚ୍ଛା ।’’ ଡାକ୍ତରବାବୁ କକ୍ଷାନ୍ତର ଗଲେ ।

ଚାମେଲୀ ଦୁଷ୍ଟାମି ଭରା ହସ ଖେଳାଇ କହିଲେ, ‘‘ଦେଖିଲ ବାପା କ’ଣ କହିଲେ ? ଆହ୍ଲାବାଦ୍‌ରେ ଥିବାଯାଏଁ ଏଠାକୁ ଆସୁଥିବ... ।’’

....ସତରେ ତୁମେ ଶୀଘ୍ର ଚାଲିଯିବ ?’’

‘ନନା ଯଦି ଲେଖନ୍ତି ।’’

ଲାବଣ୍ୟମୟୀ ଲେଖିଛନ୍ତି–କଲ୍ୟାଣୀୟ ଦୀର୍ଘଜୀବେଷୁ, ପରମ ଶୁଭ ଆଶୀର୍ବାଦ ପରେ ଜାଣିବ–ବାବା, ତୁମର ପରୀକ୍ଷା ଶେଷ ହେବା ଜାଣି ଖୁସି ହେଲି । ଛୁଟି ସମୟରେ ଏଠାକୁ ଆସି କେତେଟା ଦିନ କଟାଇ ଯିବ । ଶେଫାଳିକା ତୁମକୁ ସବୁବେଳେ ମନେ ପକାଉଛି ।

 

ଇତି

ତୁମର ‘ମା’ ।

 

ଶେଫାଳି ପାଖରୁ ଚିଠି–

 

ଦାଦା, ଶତକୋଟି ପ୍ରଣାମ ପରେ ଲେଖୁଛି । ଜାଣିବେ–ଏଠାରେ ଏକ ରକମ ଭଲ ଅଛି-। ...ଏକୁଟିଆ ରହି ଭଲ ଲାଗୁନାହିଁ । ଆପଣ ଆସିଲେ ବହୁତ ଖୁସି ହେବି ।

 

ଆପଣଙ୍କର

ଶେଫାଳିକା

 

ପରୀକ୍ଷା ପରେ ମୁଁ ଲେଖିଥିଲି–ମା–ନମସ୍କାର । ପରୀକ୍ଷା ଶେଷ ହୋଇଛି । କିନ୍ତୁ ଆଉ କିଛିଦିନ ଏଠାରେ ରହିପାରେ । ଶେଫାଳିକାକୁ ମୋର ସ୍ନେହ ଦେବେ ।

 

ମାଣ୍ଡାଲେରୁ ଚିଠି ଆସିଛି । ନନା ଲେଖିଛନ୍ତି–

 

କଲ୍ୟାଣୀୟ ସରୋଜ,

 

ଦୁଇ ଚାରି ଦିନ ପରେ ମୁଁ ପୁରୀ ଉଦ୍ଦେଶ୍ୟରେ ବାହାରିବି । ଓଡ଼ିଶାରେ ୨ / ୩ ମାସ କଟାଇବା ସକାଶେ ମୋର ଇଚ୍ଛା । ବହୁତ ଦିନ ହେଲା ତୋତେ ଦେଖିନାହିଁ । ତୋର ତ ପରୀକ୍ଷା ଶେଷ ହୋଇ ଯାଇଛି । ଆଶାକରେ, ତୁ ଏହି ଚିଠି ପାଇ ପୁରୀ ଉଦ୍ଦେଶ୍ୟରେ ବାହାରିବୁ । ପୁରୀରେ କିଛିଦିନ ରହିବା ପରେ କୋରାପୁଟ ଯିବାକୁ ଇଚ୍ଛା ଅଛି । ସହରରେ ସବୁଦିନ ଘୂରିବା ପରେ ଆଶାକରେ ଓଡ଼ିଶାର ପାର୍ବତ୍ୟ ଅଞ୍ଚଳ ତୋତେ ଭଲ ଲାଗିବ । ମୋର ଆଶୀର୍ବାଦ ନେବୁ ।

 

ତୋର ଶୁଭାକାଂକ୍ଷୀ

ନନା

 

ଗଙ୍ଗାର ଧୀର ସ୍ରୋତର ରଙ୍ଗବେରଙ୍ଗୀ ସାନ୍ଧ୍ୟ ଆକାଶର ପ୍ରତିଛବି । ଶୀକରବାହୀ ଶୀତଳ ପବନର ପରଶ । –ଧଳା କଅଁଳିଆ ମନଭୁଲା ବାଲି ଶେଯ ।

ଛୋଟ ନାଆଟି ଧୀରେ ଧୀରେ ଦୋଳି ଦୋଳି ଭାସି ଚାଲୁଥାଏ ଦୂରକୁ । ମନ ଫୁଲାଣିଆ ନାଉରିଆର ନିତି ଦିନିଆ ସଂଗୀତ–ଅବୋଧ୍ୟ ଅଥଚ ପରିଚିତ ।

ଆକାଶରେ ଫୁଟି ଉଠିଛନ୍ତି ତାରାଗୁଡ଼ିକ–ସୁନେଲି ରଙ୍ଗ ପୋଛି ହୋଇ ଯାଇଛି । ନେଳି ଆକାଶରେ ତୋଫା ଆଲୁଅ । ଶାନ୍ତ ଚନ୍ଦ୍ରର ମଧୁର ମନ୍ଦ ହାସ । ବାଲିଗୁଡ଼ିକ ଚିକ୍‌ ଚିକ୍‌ କରି ଉଠିଲେ, ଗଙ୍ଗାର ପାଣିରେ ଢଳା ତରଳ ରୂପାର ମଧୁ–ଭ୍ରମ ।

‘‘ଚାମେଲୀ ।’’ ମୁଁ ଧୀର ସ୍ୱରରେ ଡାକିଲି ।

‘‘ଉଁ ?’’ ସେ ଆହୁରି ଜାକିଜୁକି ଶୋଇ ରହିଲେ ।

‘‘ଯିବା ?’’

ନିରୁତ୍ତର ।

‘‘ବହୁତ ଡ଼େରି ହେଲାଣି ଯେ ।’’

‘‘ହ’’ ଆତ୍ମତୃପ୍ତିରେ ଆଖି ବୁଜି ନେଲେ । ଆଳସ୍ୟମୟ ଆସକ୍ତି ।

ସେ ପ୍ରଥମେ ନୀରବତା ଭଙ୍ଗ କଲେ ।

‘‘ତୁମେ ତାହାହେଲେ କାଲି ସତରେ ଚାଲିଯିବ–ନା ?’’ ମୁହଁ ଉପରେ ହାତ ବୁଲାଇ ଆଣିଲି ।

‘‘କହ, ମୋତେ ଭୁଲିବ ନାହିଁ ?’’

‘‘କି ଅନାବଶ୍ୟକ ପ୍ରଶ୍ନ !’’

‘‘ନା–ସତରେ, ମୋ ପାଖକୁ ନିୟମିତ ଚିଠି ଦେବ ?’’

‘‘ନିଶ୍ଚୟ ।’’

ସେ ନୀରବ ରହିଲେ ।

ଆକାଶର ଧୀରଗାମୀ ଶାନ୍ତ ଚନ୍ଦ୍ରଟି !

ମୋର କାନ୍ଧ ଉପରେ ସେ ହାତ ବୁଲାଇ ଆଣିଲେ । ‘‘ମୁଁ ବାପାଙ୍କୁ ସବୁ କହିଛି । ବାପା ସମ୍ମତ ।’’

‘‘କୋଉ କଥା ?’’ ମୁଁ ପଚାରିଲି ।

‘‘କୋଉ କ’ଥା ?’’ ସେ ଆହୁରି ପାଖକୁ ଲାଗି ଆସି ମିଠା ଗଳାରେ କହିଲେ, ‘‘ଆମର ବି–ବା–ହ ।’’ କଅଁଳିଆ ଆଙ୍ଗୁଠି ଗୁଡ଼ିକରେ ମୋର ଗାଲ ଟିପିଦେଲେ । –‘‘କହ, ତୁମେ ମୋତେ ବିବାହ କରିବ– ?’’

 

‘‘ନନାଙ୍କର ସମ୍ମତି ତ ପୁଣି ଦରକାର’’–କଥାଟାକୁ ସାଙ୍ଗେ ସାଙ୍ଗେ ପୂର୍ଣ୍ଣ କରିବାକୁ ମୁଁ ଚାହୁଁ ନ ଥିଲି ।

 

‘‘କିନ୍ତୁ ତୁମର ମତ ?’’

 

‘‘ତୁମକୁ ତ ଅଛପା ନୁହେଁ ।’’

 

ସେ ମୋତେ କିଛି ସମୟ ଜଡ଼ାଇ ଧରିଲେ ।

 

‘‘ତୁମେ ତାହାହେଲେ ମୋତେ କଥା ଦେଉଛ ? ନନା ତୁ ତୁମର ଖୁସି ବିରୁଦ୍ଧରେ ଯାଇପାରିବେ ନାହିଁ ?’’ ସେ ଖୁସିରେ ମୋର ଆଙ୍ଗୁଠିଗୁଡ଼ିକ ସାଉଁଳି ଲାଗିଥାନ୍ତି ।

 

‘‘କିନ୍ତୁ ନନା, ଯଦି ବିରୋଧ କରନ୍ତି ?’’ –କଣ୍ଠରେ ମୋର ଗମ୍ଭୀରତା ।

 

‘‘କାହିଁକି ?’’ –କୌଣସି ଆଶଙ୍କାରେ ସେ ଚମକି ଉଠିଲେ ଯେପରି ।

 

‘‘କାହିଁକି–ମୁଁ ଜାଣେ ନା ।’’ –ଗମ୍ଭୀରତା କଠୋରତା ଆଡ଼କୁ ଗତି କରୁଥାଏ । ‘‘କିନ୍ତୁ ନନା ଯଦି କୌଣସି କାରଣରୁ ନାହିଁ କରି ବସନ୍ତି–ଆଉ ତାଙ୍କ ମନରେ କଷ୍ଟ ଦେବା.... । ସେ କ’ଣ ଭାବିବେ–’’ ମୁଁ ମୁହଁ ଫେରାଇବାକୁ ଚେଷ୍ଟା କରୁଥିଲି ।

 

‘‘ଏ ସବୁ କ’ଣ କହୁଛ ?’’ ସେ ଆହତ ଦୃଷ୍ଟିରେ ପଚାରିଲେ । କପାଳରେ ଉତ୍କଣ୍ଠାର ରେଖା ।

 

ନିଃସହାୟର ଛଳନା କରି ତାଙ୍କର ପାପୁଲିଟି ଚାପି ଧରିଲି । ‘‘ଭଗବାନ କରନ୍ତୁ–ନନା ନାରାଜ ନ ହୋଇ ପାରନ୍ତି । କିନ୍ତୁ ସେ ଯେପରି ଜିଦ୍‌ଖୋର–ଯଦି ଥରେ ନାହିଁ କରନ୍ତି, ଆଉ ମୁଁ ତାଙ୍କର ଏକମାତ୍ର ସନ୍ତାନ ହୋଇ....’’

 

ମୋ ହାତମୁଠା ଭିତରୁ ସେ ପାପୁଲିଟିକୁ ଖସାଇ ନେଲେ । ଢୋକ ଗିଳିବା ତାଙ୍କ ପକ୍ଷରେ କଷ୍ଟ ହେଲା । ସେଇ ଆକୁଳ ଆଖି ତାରା ଦିଓଟି ଯେପରି ଫାଟି ପଡ଼ି ଏହିକ୍ଷଣି ବୋହି ଆସିବ ଅଶ୍ରୁ–‘‘ତା’ ମାନେ ନନା ଯଦି ରାଜି ନ ହୁଅନ୍ତି, ତୁମେ ମୋତେ ଛାଡ଼ି ଦେଇ ଚାଲି ଯାଇପାର-?’’ –ଶେଷରେ ତାଙ୍କର କଣ୍ଠ ଥରି ଉଠି ଭାଙ୍ଗି ଯାଇଥିଲା । କେତେ ଆଶଙ୍କା–ବ୍ୟଥା–ନିଃସହାୟତା ତାରି ଭିତରେ ପୁଞ୍ଜିଭୂତ !

 

ଆଃ–କି ମୂର୍ଖ ମୁଁ ? ହାୟରେ ବିଚାରୀ । ‘‘ସତେ କ’ଣ ମୁଁ ତୁମ ସହିତ ଶଠତା–ବିଶ୍ୱାସଘାତକତା କରିପାରେ ଚାମେଲୀ ? ନନାଙ୍କର ରାଜି ଖୁସିରେ ଯାଏ ଆସେନା–ତୁମେ ମୋର-।’’

 

–ବାହୁ ମୂଳରେ ଲୁହର ଉଷୁମ ଓଦା ଅନୁଭବ କଲି ।

 

ଏ କ’ଣ ?

 

ସେ ଧୀରେ ଧୀରେ ମୁଣ୍ଡ ଟେକିଲେ । ମୋର ମୁହଁଟିକୁ ଦୁଇ ହାତରେ ଧରି କାନ୍ଧରେ ଲୁହ ପୋଛି କହିଲେ–‘‘କିଛି ନୁହେଁ ।’’

 

ଆନନ୍ଦଭରା ପୂରା ହସଟିଏ ସୁନ୍ଦର ଲୁହଧୂଆ ଅଧାଛାଇ ଅଧା ଆଲୁଅ ଓଠ ଉପରେ ଢେଉ ଖାଳୁଥାଏ ।

 

ହାତ ଉପରେ ହାତ ରଖି ସେ ଦିନର ସେଇ

 

ଅନୁଭୂତି ଶପଥ–

 

ପ୍ରଣୟର ବନ୍ଧନ–

 

ରାମସ୍ୱରୂପଙ୍କୁ କହିପାରି ନାହିଁ । କହିବାକୁ ମୋର ସାହସ ନ ଥିଲା । ପରୀକ୍ଷା ସମୟରେ ଏସବୁ କହି ତାଙ୍କୁ ବିବ୍ରତ ନ କରିବା ଅନ୍ୟ ଏକ ସୁବିଧାବାଦୀ କୈଫିୟତ୍‌ ।

 

‘‘ତୁମେ ତାହାହେଲେ ଚାଲିଲ ସରୋଜ ?’’ ରାମସ୍ୱରୂପ ବହି ଉପରୁ ମୁଣ୍ଡ ଟେକି ପଚାରିଲେ ।

 

‘‘ହଁ ଭାଇ ।’’

 

‘‘ପହଞ୍ଚିବା ସାଙ୍ଗେ ସାଙ୍ଗେ ଚିଠି ଦେବ । ଦୁଃଖର ବିଷୟ ମୁଁ ତୁମକୁ ଷ୍ଟେସନ ପର୍ଯ୍ୟନ୍ତ ପହୁଞ୍ଚାଇ ପାରିଲି ନାହିଁ । ଆଚ୍ଛା ଭାଇ–ନମସ୍ତେ ।

 

‘‘ନମସ୍ତେ ।’’

 

ଶ୍ରାବଣ ଆସିଛି । ଢେଉ ଢେଉକା ପାହାଡ଼ ଉପରେ ହାମୁଡ଼ି ହାମୁଡ଼ି ଆଗେଇ ଆସିଛି ଖେଳା ବଉଦ । ବରଷାର ବର୍ଷା–କୁଳୁକୁଳୁ ଝରି ଆସିଛି ଝରଣା–ସାପ ପରି ଅଙ୍କାବଙ୍କା । ବାଦାମୀ ବାଲି–ଶେଯ ଉପରେ ପାଣି ଧାରର ଢଳ ଢଳ ଛକି ଛକି ଚକଚକିଆ ରେଖା ଟଣା । ଶୁଖିଲା ପତର ଓଦା ହୋଇ ସାଥି ପତରରୁ ଫିଟି ଯାଇ ଭାସି ଆସିଛି । ଗଛ ଡାଳରେ କଅଁଳିଆ ନୂଆ ପତର । ଧଳା ଧଳା ଟିକି ଟିକି କୁତୁଆଁ ଫୁଲ । ଫୁଲର ମହକ । ଖୋଲ ଭିତରୁ ପ୍ରତିଧ୍ୱନି ଉଠିଛି–ଛାତି ଦୁଲୁସା ଆବୁଡ଼ା ମେଘର ଘଡ଼ଘଡ଼ି ।

 

ଟୁଂ–ଟାଂ, ଟୁଂ–ଟାଂ– । ଗଦବା ଯୁବକର ବାଜା ଗାଇଛି ବର୍ଷାର ଆଗମନୀ ସଙ୍ଗୀତ । ଗଦବା ଯୁବତୀ–କଳା ମଚମଚ ଜୁଡ଼ାରେ ଜଡ଼ିଛି କୁରୁଆଁ ଫୁଲର ବାସନା । ଭାରି ଯୌବନ–ତରକା ଚାହାଣୀ–ଅଳସ ଅଙ୍ଗ–ଖିଲିଖିଲି ମନ ଚମକା ହସ–ଆଉ ସଲପ ଗଛର ଆଖି ଅଧବୁଜା ମଦ ନିଶା । ଓଦା ମାଟିର ଗନ୍ଧ ଆଣିଛି ନୂତନ ବର୍ଷାର ପ୍ରାଣ ମତାଣିଆ ଆନନ୍ଦ । ଟୁଂ–ଟାଂ ଟୁଂ–ଟାଂ–ସେ ଭାଷା ମୁଁ ବୁଝେନା–କିନ୍ତୁ ସେ ସୁର୍‌ ମୁଁ ବୁଝେ । ମନ ମୋର ହଜି ହଜି ଯାଏ.....

 

ରାମସ୍ୱରୂପ ଚିଠି ଲେଖିଥିଲେ–ପ୍ରିୟ ସରୋଜ, ତୁମର ଚିଠି ପାଇଛି । ଏଠାରେ ତୁମ ସହିତ ଥିବାବେଳେ ହୋଲିର ଦିନଗୁଡ଼ିକ କେଡ଼େ ସୁନ୍ଦର କଟି ଯାଉଥିଲା । ଏବେ କିନ୍ତୁ ଖାପଛଡ଼ା ଲାଗୁଛି । ଛୁଟିର ଆନନ୍ଦ ରହୁନାହିଁ । ତୁମେ କେବ ଆହ୍ଲାବାଦ ଆସିବ ?

 

ଲାବଣ୍ୟମୟୀ ଲେଖିଛନ୍ତି...ଆଶା କରିଥିଲି, ତୁମେ ଲକ୍ଷ୍ନୌକୁ ଛୁଟି ଭିତରେ ଆସିବ ବୋଲି । ବିଚାରି ଶେଫାଳିକା ଅନେକ ଆଶା କରିଥିଲା ।

 

ଶେଫାଳିକା ପଚାରିଥିଲା–ଦାଦା–ତୁମେ ପୁଣି କେବେ ଆସିବ ।

 

ଆଉ ଚାମେଲୀ ଲେଖିଥିଲେ–ପ୍ରିୟ, ଜାଣି ଖୁସି ହେବ, ବାପା ଏଇ ଛୁଟି ଭିତରେ ପୁରୀରେ କିଛି କାଳ କଟାଇବାପାଇଁ ସ୍ଥିର କରିଛନ୍ତି । ପୁରୀରେ ତୁମ ସହିତ ଦେଖା ହୁଅନ୍ତା କି !

 

ଲେଖିଥିଲେ–ସେଇ ଗଙ୍ଗାକୂଳ, ଆକାଶର ସେଇ ଭସାଣିଆ ତୋଫା ଜହ୍ନ ଆଉ....

 

ପୁରୀରେ କିନ୍ତୁ ଦେଖା ହୋଇ ପାରିନି । ମୁଁ ଚାଲି ଆସିଛି କୋରାପୁଟ ।

 

ଚିଠିଗୁଡ଼ିକ ଲେଉଟାଇ ଚାଲେ । ଝରକା ଦେଇ ଦେଖାଯାଉଥାଏ ମାଲକାନାଗିରି । ତା’ର ନେଳିଆ ଉଞ୍ଚ ଛାତି ଉପରେ ଧଳାମେଘର ଖଣ୍ଡିଏ ଉଶ୍ୱାସିଆ ଛିନ୍ନ ଅଂଶ–ହାମୁଁଡ଼ି କିଛି ଯେପରି ଖୋଜି ବୁଲୁଥାଏ ।

 

‘‘ସରୋଜ !’’ ନନା ଡାକକ୍ତି ।

 

‘‘ଯାଉଛି ନନା ।’’ ମୁଁ ପାଖ କୋଠରୀକୁ ଚାଲିଆସେ ।

 

ଖବରକାଗଜ ଖଣ୍ଡିକ ମୋଡ଼ି ଦେଇ ସେ କହନ୍ତି–‘‘ନେ, ପଢ଼ ।’’ ତାଙ୍କର ସସ୍ନେହ ଦୃଷ୍ଟି ମୋ ମୁହଁ ଚାରିଆଡ଼େ ଖେଳି ବୁଲେ ।

 

‘‘ଜଳଖିଆ ଶେଷ ହୋଇଛି ?’’ ସେ ଧୀର କଣ୍ଠରେ ପଚାରନ୍ତି । ନନାଙ୍କର ମୁହଁ ଉପର ରେଖାଗୁଡ଼ିକ ଆଗ ଅପେକ୍ଷା ଆହୁରୀ ଗଭୀର ହୋଇ ଉଠିଛି । ମୋ ପ୍ରତି ସେ ସ୍ନେହଶୀଳ–କ୍ଷମାଶୀଳ ହୋଇ ପଡ଼ିଛନ୍ତି । କଣ୍ଠସ୍ୱରରେ ଏପର୍ଯ୍ୟନ୍ତ ସେ ଗମ୍ଭୀରତା ସ୍ପଷ୍ଟ–ତଥାପି ଯେପରି ମୃଦୁ ହୋଇପଡ଼ିଛି ।

 

ଘଣ୍ଟାର ଟିକ୍‌ ଟିକ୍‌ ଶବ୍ଦ । ଖବରକାଗଜର ପୃଷ୍ଠାଗୁଡ଼ିକ ଓଲଟି ଚାଲେ । ଅଜାଣତରେ ମନ ଘୂରି ଚାଲେ–ରାମସ୍ୱରୂପ–ଚାମେଲୀ–ଶେଫାଳିକା–ଲକ୍ଷ୍ନୌ–ଆହ୍ଲାବାଦ... । ପାହାଡ଼ରେ ମେଘ ଛାଇ ହୋଇଯାଏ । –ବର୍ଷାର ଟପ୍‌ ଟପ୍‌ ଶବ୍ଦ । ପବନ ଆସି ବାଡ଼େଇ ହୁଏ ଝରକା ପାଖେ–ପରଦାଟି ଥରି ଉଠେ ।

 

ଦ୍ୱିତୀୟ ଭାଗ

 

ଡାକ୍ତରଖାନାରେ ରୋଗୀ ଜୀବନର ଏକ ପ୍ରଥମ ଅନୁଭୂତି । ଥର୍ମୋମିଟର, ଷ୍ଟୋଥିସ୍କୋପ ସହିତ ଦିନକୁ ତିନି ଚାରିଥର ସମ୍ବନ୍ଧ ରଖି ନର୍ସର ଖିଆଲୀ : ବ୍ୟବହାର ସହିତ ନିଜକୁ ଖାପ ଖୁଆଇବାକୁ ଚେଷ୍ଟା କରିବା–ମୁଣ୍ଡବ୍ୟଥାର ନିର୍ମନ ଆକ୍ରମଣ ସତ୍ତ୍ୱେ ପାର୍ଶ୍ୱ ରୋଗୀର ଇତିହାସ ଶୁଣିବାର ଛଳନା କରିବା ଏବଂ କାନ୍ଥର ଅଶ୍ରାନ୍ତ ଘଣ୍ଟା କଣ୍ଟାଗୁଡ଼ିକର ଗତି ଉପରେ ଆଖି ରଖି ଚଳିବା–ଯେପରି ବିରକ୍ତିକର ସେପରି ଅପରିହାର୍ଯ୍ୟ ।

 

ତଥାପି ଜୀବନରେ ଏହିଭଳି ବାଧ୍ୟତାମୂଳକ ବିରାମର ପ୍ରୟୋଜନ ଅଛି । ଅନୁଭୂତିର ପରିବର୍ତ୍ତନ ଏବଂ ବିଗତ ଅନୁଭୂତିର ଶ୍ଳେଷହୀନ ସୁବିଚାର ପାଇଁ ଏଇ ସମୟଟି ଉପଯୁକ୍ତ ।

 

ପ୍ରାୟ ଦୁଇଟା ବେଳେ ଯେତେବେଳେ ଅଧିକାଂଶ ରୋଗୀ ଘୁମେଇ ପଡ଼ିଥାନ୍ତି, ମୁଣ୍ଡବଥାର ହାତୁଡ଼ିମାଡ଼ ଏବଂ ଜରର ଉତ୍ତାପ କିଛି ଊଣା ହୋଇ ଆସିଥାଏ, ସେତେବେଳେ ଝରକା ଦେଇ ମୁଁ ଚାହିଁରହେ ସେଇ ହାଲୁକା ନୀଳ ଆକାଶକୁ । ମନେ ପଡ଼େ ଗତ ଦିନର କଥା । ମନେପଡ଼େ କୋରାପୁଟରେ ଥିବାବେଳେ ନନାଙ୍କର କଥାଗୁଡ଼ିକ । ‘‘ତୋର ସଂଯତ ବ୍ୟବହାରରେ ମୁଁ ବହୁତ ଖୁସି ହୋଇଛି–ସରୋଜ ।’’ –ନନା ସେଦିନ ମୋର ପିଠି ଉପରେ ହାତ ରଖି କହିଥିଲେ-। ତାଙ୍କର ସେହି ସସ୍ନେହ ଦୃଷ୍ଟି । ହଁ, ମୁଁ ତାଙ୍କର ସ୍ନେହ ଫେରି ପାଇଥିଲି ଏବଂ ସେଥିପାଇଁ ସେ ଦିନ ମୋର ଯେଉଁ ଆନ୍ତରିକ ଆନନ୍ଦ.... ।

 

ଜରରେ ପଡ଼ି ରାମସ୍ୱରୂପ କିମ୍ବା ଚାମେଲୀ ପାଖକୁ ଚିଠିଦେଇ ନଥିଲି । ହଁ–ଚିଠି ନ ଦେବାରେ ଆନନ୍ଦ ଥିଲା । ପରିଚିତମାନଙ୍କ ପାଖରୁ ଦୂରରେ–ସେମାନଙ୍କର ଆଜାଣତରେ–ଏଇଭଳି ପଡ଼ି ରହିବାକୁ । ଏଇ ସାଦା ଆକାଶ ଆଉ ଦୁର୍ବଳତା’ର ଶାନ୍ତି ଏଥିରେ ଅଛି ଆନନ୍ଦ–କୌତୁହଳମୟ ଏକ ଆନନ୍ଦ...

 

ଦେହ ଭଲ ହୋଇଯାଇଛି । ଆଜି ମୁଁ ମୁକ୍ତ !

 

ପତଳା ଦେହ, ହୁଗୁଳା ପୋଷାକ ଆଉ ଝିମି ଝିମି ମୁଣ୍ଡଟାକୁ ନେଇ ମୁଁ ବାହାରି ଆସିଲି-। ହଷ୍ଟେଲ୍‌ର ନିଜ କୋଠରୀରେ ପଶିବା ବେଳକୁ ଆଉ ଆୟତ୍ତ ନ ଥାଏ ।

 

ଅନେକ ପିଲା ଫେରି ଆସିଲେଣି । କେତେଜଣ ମୋତେ ଅଭିବାଦନ କରି ମୋର ଶରୀର ଆଉ ଚେହେରା ଉପରେ ମନ୍ତବ୍ୟ ପ୍ରକାଶ କରି ଫେରିଗଲେ । ଜଣେ ଅଧେ କିଛି ସମୟ ଗଳ୍ପ କରି ଲାଗିଲେ । ରାମସ୍ୱରୂପଙ୍କର ଏ ପର୍ଯ୍ୟନ୍ତ ଦେଖା ନାହିଁ ।

 

ଘରଟାରେ ଏକୁଟିଆ ସାତ ପାଞ୍ଚ ଭାବି ଲାଗିଥାଏ । କ୍ଳାସରେ ଯୋଗ ଦେବାକୁ ଏ ପର୍ଯ୍ୟନ୍ତ ଶକ୍ତି ନାହି–ପ୍ରବୃତ୍ତି ମଧ୍ୟ ନାହିଁ । ହୁଏତ ଦୁଇଦିନ ପରେ...... ।

 

ଦୁଇଦିନ ପରେ ଯାଇପାରେ । ଚାମେଲୀ ଆସିଥିବେ–ଚାମେଲୀ ! ଏତେଦିନ ପରେ ପ୍ରତିକ୍ରିୟା ପୁଣି କିପରି ହେବା, ସମ୍ଭବ ?

 

କିନ୍ତୁ ସାଙ୍ଗ ସାଥିମାନେ ମୋର ସ୍ୱାସ୍ଥ୍ୟ ନେଇ ପ୍ରଶ୍ନର ଯେ ଖଣ୍ଡିଆ ଭୂତ ଉଡ଼ାଇବେ–ତାକୁ ପ୍ରଥମେ ସମ୍ଭାଳି ନେବି କିପରି ?

 

ଅବଶ ଶରୀରରେ ହୁଗୁଳା ପୋଷାକ ଗଳାଇ ଦେଇ ପାଦ ଯୋଡ଼ିକ ଟାଣି ଟାଣି ଗୋଟାଏ ମଝି ପିରିଅଡ଼ରେ କଲେଜରେ ପହଞ୍ଚିଲି ।

 

ରାମସ୍ୱରୂପ କାହା ସହିତ ଗଳ୍ପ କରୁଥିଲେ । କଥା ଶେଷରେ ତାଙ୍କର ସେଇ ଲୋକପ୍ରିୟ ସୁପରିଚିତ ହସ ଖଣ୍ଡକ । ଆପେ ଆପେ ମୋର ଓଠ ଉପରେ ସ୍ପନ୍ଦନ ଖେଳିଗଲା । ବନ୍ଧୁ ହସ ଲହରରେ ଓଲଟି ଚାହିଁ ମୋତ ଦେଖି ପାରିଲେ–

 

‘‘ଆରେ ଏ କ୍ୟା–ସରୋଜ ଏୈସେ..... ?’’

 

ଉତ୍ତରେ ମୁଁ ସ୍ମିତ ହସିବାକୁ ଚେଷ୍ଟା କରିଥିଲି । କିନ୍ତୁ ମୋର ଭଗ୍ନ ସ୍ୱାସ୍ଥ୍ୟର ସୁବିଧା ନେଇ ସେଇଟା ଯେ ବିକୃତ ହୋଇଥିବ–ସେଥିରେ ମୋର ସନ୍ଦେହ ନ ଥିଲା ।

 

ନିଜର ବିରାଟ ପେଶୀଯୁକ୍ତ ଶାରୀରଟାକୁ ଦୁଇ ପାହୁଣ୍ଡ ଆଗେଇ ଆଣି ସେ ମୋ ସାମନାରେ ଛିଡ଼ା କରାଇଲେ । ପୂର୍ବ–ଅଭ୍ୟସ୍ତ ପରିହାସ ନେଇ କହିଲେ–‘‘ଧୀରେ ଭାଇ, ଅଧିକା ବଳ ଦେଖାଇଲେ ବିଚାରର ପ୍ରାଣ ଚାଲିଯିବ ସିନା ।’’

 

ରାମସ୍ୱରୂପ ହସି ଉଠିଲେ । ସହପାଠୀ ଟଣ୍ଡନ ନାକ ପୋଛି ଚଷମା ସଜାଡ଼ି ରୁମାଲ ଝାଡ଼ୁ ଝାଡ଼ୁ କହିଲେ, ‘‘ସଚ୍‌ ହେ ଭାଇ, ତୁମ୍‌ ବହୁତ ଶୁକ୍‌ଗୟେ ।’’

 

ମୁଁ ଯାହା ଆଶଙ୍କା କରିଥିଲି ସେଇଆ । ସମସ୍ତଙ୍କ ମୁହଁରେ ସେଇ ଗୋଟାଇ ପ୍ରଶ୍ନ,...ରାମସ୍ୱରୂପ ମୋର କ୍ଷୀଣ ପରାଙ୍‍ମୁଖ କଣ୍ଠର ସାହାଯ୍ୟ କଲେ । ତାଙ୍କର ଗମ୍ଭୀର ଗଳାର ସେଇ ଗୋଟିଏ ଉତ୍ତର ‘‘ମେଲେରିଆ’’–ଜିଜ୍ଞାସୁ ଆଖିଗୁଡ଼ିକରେ ସହାନୁଭୂତି ଦେଖା ଦେଇଥିଲା ।

 

କାନ୍ଧ ଆଉ ପିଠି ପାଖରେ ହାତ ରଖି ଏକ ପ୍ରକାର ଟେକିଲା ଭଳି ସାଥୀମାନେ ମୋତେ କ୍ଳାସ ଭିତରକୁ ନେଇଥିଲେ । ଦୂରଛଡ଼ା ସହପାଠୀମାନେ କ’ଣ ଯେ ଭାବୁଥିବେ...... । ଦୁର୍ବଳ ହେବାରେ ଯେ ଗୋଟାଏ ଲଜ୍ଜ୍ୟା ଅଛି–ଏହା ପ୍ରଥମେ ଯେପରି ମୁଁ ବୁଝି ପାରିଲି । ଅଥଚ ଦୁର୍ବଳତାର ମଧ୍ୟ ଯେ ଗୋଟାଏ ଫେଶ୍‌ନ ଥିଲା–ଯାହାର ମୁଁ ଚିର–ଦୁର୍ବଳ ସାଥୀମାନଙ୍କ ପାଖରେ ଲକ୍ଷ୍ୟ କରିଥିଲି–ବର୍ତ୍ତମାନର ଏଇ ସୁଯୋଗ ପାଇ ସୁଦ୍ଧା ମୁଁ ତାହା ଅନୁକରଣ କରି ପାରି ନ ଥିଲି ।

 

ଭୀରୁ ଦୃଷ୍ଟିରେ ସହପାଠିନୀମାନଙ୍କ ଅବସ୍ଥିତି ଲକ୍ଷ୍ୟ କଲି । ଚାମେଲୀ ଜଣେ ସଙ୍ଗିନୀ ସହିତ ଗଳ୍ପ ଚଳାଇଥିଲେ । ମୋର ଆସିବା କୋଳାହଳରେ ଆଖି ଫେରାଇଲେ । କିନ୍ତୁ ଅଧ୍ୟାପକ ମହାଶୟ ପହଞ୍ଚି ଗଲେଣି ।

 

ଗୁଡ଼ାଏ ନୂତନ ପୁରାତନ ଦାର୍ଶନିକ ଶବ୍ଦର କୌଣସି ଅର୍ଥ ଗୁନ୍ଥିବାକୁ ମୁଁ ପ୍ରସ୍ତୁତ ନ ଥିଲି-। ଅଜାଣତରେ ଆଖି ଚାଲି ଯାଉଥାଏ ଚାମେଲୀଙ୍କ ଆଡ଼େ– ।

 

କ୍ଳାସ୍‌ ଶେଷରେ ଯେତେବେଳେ ବାହାରକୁ ଚାଲି ଆସିଲି, ଅପେକ୍ଷା କରିବାଥିବା ରାମସ୍ୱରୂପ ମୋ କାନ୍ଧରେ ହାତ ରଖି କହିଲେ, ‘‘ଆସ ।’’ ମନ ହେଉଥାଏ କିଛି ସମୟ ରହିବା ପାଇଁ । ଚାମେଲୀ ସହିତ ଯଦି ଦୁଇପଦ କଥା ହୋଇପାରେ ! କିନ୍ତୁ ବନ୍ଧୁଙ୍କର ଆଦର ଏଡ଼ିବା ଅସମ୍ଭବ । କୌଣସି ପ୍ରଶ୍ନ ପୂର୍ବରୁ ସେ ସଫେଇ ଦେଇ ଲାଗିଲେ । ସେ କାଲି ରାତିରେ ଏଠାରେ ପହଞ୍ଚି ଜଣେ ସହପାଠୀଙ୍କ ଘରେ ଆଶ୍ରୟ ନେଇଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ହଷ୍ଟେଲକୁ ଫେରି ଆସିଥିବେ ।

 

‘‘ଆରେ ଭାଇ, ଏଇ ଛୁଟି ଭିତରେ ମୋର ବିବାହ ବିଷୟରେ କେତେ ପ୍ରସ୍ତାବ ଆସିଥିଲା–ଜାଣ ?’’ –ଚାମେଲୀ ଆମ ଉଦ୍ଦେଶ୍ୟରେ ଆସୁଥାଆନ୍ତି । ‘‘ସେ ଯେଉଁ ମଜା କଥା ଭାଇ......’’ ଚାମେଲୀ ପାଖେଇ ଆସିଥିବା ଦେଖି ମୁଁ ଠିଆ ହୋଇ ପଡ଼ିଲି । ରାମସ୍ୱରୂପ ଦୁଇ ପାହୁଣ୍ଡ ଆଗେଇ ଯାଇ ଫେରି ଚାହିଁଲେ–‘‘କିହୋ.... ।’’

 

ଚାମେଲୀଙ୍କୁ ପାଖରେ ପାଇ ମୋ ମୁହଁରେ ହସ ଖେଳି ଉଠିଲା ଶାନ୍ତ ଦୁର୍ବଳତାର ହସ-

 

‘‘ତୁମ ଦେହ ତ ଭାରି କାଇଲା ହୋଇଯାଇଛି !’’ ଚାମେଲୀ ଉତ୍କଣ୍ଠାର ସହିତ ପ୍ରଶ୍ନ କଲେ ।

 

‘‘ହଁ, ଦଶବାର ଦିନ ମ୍ୟାଲେରିଆ ହେତୁ ଡାକ୍ତରଖାନାରେ ପଡ଼ିଥିଲି ।’’

 

‘‘କାହିଁ–ମୋ ପାଖକୁ ତ ଲେଖିନାହିଁ ।’’ ସେ ଦାବି କଲେ । ‘‘ମୋ ପାଖକୁ ଲେଖିଲ ନାହିଁ କାହିଁକି ?’’

 

ରାମସ୍ୱରୂପ କ’ଣ ଭାବୁଥିବେ ?

 

ଗୋଟିଏ ସୁବିଧାଜନକ କୈଫିୟତ୍‌ ଖୋଜିବାକୁ ସମୟ ଲାଗିଲା । ‘‘ତୁମର ପୁରୀରେ ଦେଇଥିବା ଶେଷ ଚିଠିରେ ତ ତୁମ ଫେରିବା କଥା ଲେଖା ନ ଥିଲା ?’’

 

‘‘ହୁଁ ।’’ –କୈଫିୟତ୍‌ ବିଶ୍ୱାସଯୋଗ୍ୟ ନ ଥିଲା । ମୁଁ ଅଧିକ କାଳ ସିଧା ଠିଆ ହୋଇ ନ ପାରି ପାଖରେ ଖମ୍ବଟାକୁ ଆଉଜି ପଡ଼ିଲି । ଚାମେଲୀ ଏଇଥର ରାମସ୍ୱରୂପକୁ ଦେଖିସାରି ନମସ୍କାର କଲେ; କିନ୍ତୁ ବନ୍ଧୁଙ୍କ ଆଖିରେ ସ୍ନେହ–ଜଣା ନ ଥିଲା–ଗମ୍ଭୀର ନିରପେକ୍ଷତା । ବନ୍ଧୁ ପ୍ରତିନମସ୍କାର କଲେ ।

 

‘‘ଗୀତା କିପରି ଅଛି ?’’

 

‘‘ବେଶ ଭଲ ଅଛି ।’’ –ଭଦ୍ରତା ଖାତିର୍‌ର ହସଟିକକ ଯେପରି ଇଚ୍ଛାବିରୁଦ୍ଧ ଏବଂ ଏକପ୍ରକାର ଅସଂଯତ ମନେ ହେଲା ।

 

ଚାମେଲୀ ହଠାତ୍‌ କୌତୁକିଆ ହସ ଖେଳାଇ କହିଲେ–‘‘ଦେଖ ତ–ତୁମ ସାଙ୍ଗରେ ଆସି ଗଳ୍ପ କରି ସାରିଲେଣି । ଅଥଚ ଏ ଯାଏଁ ଗୋଟାଏ ନମସ୍କାର ମଧ୍ୟ କରିନାହିଁ । ଆଚ୍ଛା, ଏବେ ନମସ୍କାର ।’’ ମୁଁ ହସିଲି–ରାମସ୍ୱରୂପଙ୍କର ପିଲାଳିଆ ହସ ଶୁଭି ନାହିଁ ।

 

‘‘କାଲି ପୁଣି ଆସିବ ତ ?’’ ଚାମେଲୀ ଯିବାପାଇଁ ଉପକ୍ରମ କଲେ ।

 

‘‘ଖୁବ୍‌ ସମ୍ଭବ ।’’ ମୁଁ ବନ୍ଧୁଙ୍କର ଅନୁସରଣ କଲି ।

 

‘‘ହଁ–ତା’ପରେ ?’’ କିଛି ଦୂର ଆଗେଇବା ପରେ ମଧ୍ୟ ବନ୍ଧୁଙ୍କର ନୀରବତା ଦେଖି ମୁଁ ପ୍ରଶ୍ନ କଲି, ‘‘ବିବାହ କଥା କ’ଣ ହେଲା ?’’

 

ବନ୍ଧୁ ସାଙ୍ଗେ ସାଙ୍ଗେ ଉତ୍ତର ଦେଇ ପାରି ନ ଥିଲେ । ଆଉ ଯେତେବେଳେ ଆରମ୍ଭକଲେ–ସେତେବେଳେ ତାଙ୍କ କଣ୍ଠ ସ୍ୱରରେ ଆଗ ଭଳି ଆଗ୍ରହ ନ ଥିଲା ।

 

ଶୀତଦିନର କଅଁଳିଆ ଆକାଶ ଛାତିରେ ମୃଦୁ ଆନ୍ଦୋଳିତ ଗୁଡ଼ିକ ଭଳି । ସମୟର ଶାନ୍ତ ନୀରବତା ଭିତରେ ମୁଁ ମୋର ମଧୁର ଭାବନାଗୁଡ଼ିକ ମେଲି ଲାଗିଥିଲି । ଚାମେଲୀ ସହିତ ଆଜିର ଏଇ ଦୁଇ ଚାରି ପଦ କଥା । ବହୁଦିନର ବ୍ୟବଧାନ ପରେ ଦେଖିବାର ଉତ୍କଣ୍ଠା ମୋର ସ୍ୱସ୍ଥ୍ୟ ନେଇ ତାଙ୍କର ଉଦ୍‌ବେଗ–ଆଉ ଚିଠି ନ ଦେବା ହେତୁ କୈଫିୟତ୍‌ ଦାବି । –ସେ କେଉଁ ଜୋର୍‌ରେ ? ଉତ୍ତର ଜାଣି ମଧ୍ୟ ପ୍ରକାଶ ନ କରି ମୁଁ ତୃପ୍ତି ପାଉଥିଲି ।

 

କିନ୍ତୁ ଆବୁଡ଼ା ସାବୁଡ଼ା କଳା ଧଳା ମେଘ ସହିତ ଦମକାଏ ପବନ ଆସି ଯେପରି ଗୁଡ଼ିର ମୃଦୁ ଆନ୍ଦୋଳନର ସମତା ନଷ୍ଟ କରି ଲାଗେ, ରାମସ୍ୱରୂପଙ୍କ ଆଜିର, ବ୍ୟବହାରରେ ବିଶ୍ଳେଷଣ କରି ମୁଁ ସେପରି ଅସ୍ୱସ୍ତି ଅନୁଭବନ କଲି ।

 

ଚାମେଲୀଙ୍କ ସହିତ ମୋର ନୂତନ ସଂପର୍କ ମୁଁ ତାଙ୍କ ଆଗରେ ଖୋଲିପାରି ନାହିଁ–ଆଜି ସୁଦ୍ଧା ଖୋଲି ପାରିବି ମୋର ସନ୍ଦେହ ହୁଏ । କିନ୍ତୁ.....ବନ୍ଧୁ କ’ଣ ସତରେ ଜାଣି ନାହାନ୍ତି ? ଗତବର୍ଷର ବ୍ୟବହାର ସାଙ୍ଗ ସାଥୀଙ୍କର ଫୁସ୍‌ଫାସ୍‌–ଶୁଦ୍ଧସୁରର ଘଟଣା–ଏ ସବୁ ଜାଣିବା ପରେ ଆଜି ତାଙ୍କର ଖୁସି ହେବା ଛଡ଼ା ଗମ୍ଭୀର ହେବା ତ ଆଦୌ ଉଚିତ ନ ଥିଲା ।

 

ସନ୍ଧ୍ୟାବେଳେ ଏହି ସବୁ କଳାମେଘିଆ ଭାବନାଗୁଡ଼ିକ ଉଭେଇଗଲା–ଯେତେବେଳେ ରାମସ୍ୱରୂପ କୋଠରୀ ଭିତରକୁ ପଶି ଆସିଲେ ଘଡ଼ଘଡ଼ିଆ ଗଳାରେ ପୁରୁଣା ଖାମିଦ ବହୁଦିନ ପରେ ନିଜ ଘରକୁ ଫେରିବା ଭଳି ସେ ଚାକରକୁ ଡକା ପକାଉଥାନ୍ତି ।

 

ଖାଇବାବେଳେ ମଧ୍ୟ ତାଙ୍କର କ୍ଷୁଧା କିଛି କମ୍‌ ନ ଥିଲା । ବିବାହ ପ୍ରସ୍ତାବ–କନ୍ୟା କଥା–ଗାଉଁଲି ହାସ ପରିହାସ ସମସ୍ତ ସେ ଅସରନ୍ତି କହି ଲାଗିଥାନ୍ତି । ଭୁଲିଗଲି ତାଙ୍କ ବିରୁଦ୍ଧରେ ମୋର ଅଭିଯୋଗ । ନା, ସେ ବଦଳି ନାହାନ୍ତି–ଚିର ଦିନ ଭଳି ସରସ ଆଉ ଅନ୍ତରଙ୍ଗ ।

 

ପରଦିନ–କ୍ଳାସ ଆରମ୍ଭ ହେବାକୁ ଆଉ କିଛି ଡେରି ଥାଏ । ସାଙ୍ଗମେଳରେ ମୁଁ ଗପି ଲାଗିଛି । ଚାମେଲୀ ଆସି କହିଲେ–‘‘ନମସ୍ତେ ।’’

 

ଇଙ୍ଗିତ ବୁଝି ମୁଁ ଅନୁସରଣ କଲି ।

 

‘‘କିପରି ଲାଗୁଛି ?’’ ସେ ପଚାରିଲେ ।

 

ଅଧିକା ସବଳ ହେବାର ଛଳନା କରି ହାତ ଝୁଙ୍କାଇ ଉତ୍ତର ଦେଲି, ‘‘ବେଶ୍‌ ବଳଶାଳୀ-।’’

 

‘‘ହୁଁ–ଆଉ ଗୁଡ଼ାଏ ଦେଖାଇ ହୁଅନି । ବାପା ଶୁଣି ଭାରି ଦୁଃଖିତ ଆଉ ବିରକ୍ତ ହେଲି ।’’

 

‘‘ବିରକ୍ତ–କାହିଁକି ?’’

 

‘‘ଚିଠିରେ ଜଣାଇଲ ନାହିଁ କାହିଁକି ?’’–ଆଖିରେ ତାଙ୍କର ଦୁଷ୍ଟାମି । ‘‘ଆଜି ଆମ ଘରକୁ ଆସିବ ?’’

‘‘ଚେଷ୍ଟା କରିବି ।’’

‘‘ହଁ, ମନଦେଇ ଚେଷ୍ଟାକଲେ ନିଶ୍ଚୟ ଆସି ପାରିବ’’–କୌତୁକ ମିଶା ସ୍ୱର ।

ରାମସ୍ୱରୂପ ସକାଳେ ଖିଅର ହେବାବେଳେ ଖୁସି ମିଜାଜ୍‌ରେ କହିଥିରେ–‘‘ସରୋଜ, ଆଜି ସିନେମା ଦେଖିଗଲେ କିପରି ହୁଅନ୍ତା ?’’

‘‘ମନ୍ଦ ନୁହେଁ ।’’

‘‘ତୁମର ମତ ପ୍ରକାଶ ଢଙ୍ଗଟା ମଧ୍ୟ ନୁହେଁ ।’’–ରାମସ୍ୱରୂପ ହସି ଉଠିଥିଲେ ।

କ୍ଳାସ ପରେ ଚାମେଲୀ ଜିଦ୍‌ କଲେ–‘‘ନା–ବାପା କହିଛନ୍ତି ଆଜି ଯିବାକୁ ହେବ । ତିନିଦିନ କାଳ ଭଣ୍ଡି ଆସିଲାଣି । ଆଜି ଆଉ ଛାଡ଼ିବି ନାହିଁ ।’’

କାରଟା ଟିକିଏ ମୁହଁ ଟେକି ବନ୍ଦ ହୋଇଗଲା ।

ପୁଣି ସେଇ ପରିଚିତ କୋଠାଟି । ଫୁଲଗଛଗୁଡ଼ିକ ଋତୁ ବଦଳରେ କିଛି ଝାଉଁଳି ପଡ଼ିଛନ୍ତି । ନେପାଳୀ ବୁଢ଼ାଟି ସଲାମ ଦେଲା । ‘‘କ୍ୟା–ତବୀୟତ୍‌ ଖରାପ ଥା–ବାବୁଜୀ ?’’

ସେଇ ପ୍ରଶ୍ନ ! ମନେ ମନେ ଭାବିଲି ।

ମୁଖାର୍ଜୀ ମହାଶୟ ଅପେକ୍ଷାରେ ଥିଲେ । ‘‘ଆସ ବାପା ଆସ, ଆରେ–ସତକୁ ସତ ଭାରି ଶୁଖି ଯାଇଛ ତୁ । ମୁଁ ସବୁ ଶୁଣିଛି ।’’

ଦୁର୍ବଳତାର ପ୍ରତିରକ୍ଷକ ହସଟିଏ ଟାଣି ମୁଁ ଘର ଭିତରେ ପ୍ରବେଶ କଲି । ଚାମେଲୀ ଅନ୍ୟ ଘରକୁ ଚାଲିଗଲେ ।

‘‘ଦୁଃଖର ବିଷୟ, ପୁରୀରେ ତୁମ ସହିତ ଦେଖା ହୋଇ ପରିଲା ନାହିଁ । ତୁମେ କୁଆଡ଼େ ଆମେ ଯିବାର କିଛି ଦିନ ଆଗରୁ କୋରାପୁଟ ଚାଲି ଯାଇଥିଲ ?’’

‘‘ଆଜ୍ଞା–ହଁ ।’’

ଅଭ୍ୟାସବଶତଃ ପ୍ରଜାପତି ନିଶ ଡ଼ିଆଁଇ ଆଙ୍ଗୁଠି ଟିପ ବାଡ଼େଇ ସେ ପୁଣି କହି ଲାଗିଲେ–‘‘ତୁମ ନନାଙ୍କ ସହିତ ଦେଖା କରିବାକୁ ଇଚ୍ଛା ଥିଲା । ହେମେନ୍‌ ଦା ମୋର ପୁରୁଣା ବନ୍ଧୁ–ଜଣେ ଅନ୍ତରଙ୍ଗ ବନ୍ଧୁ ।’’

‘‘ନନାଙ୍କୁ ମୋ ବିଷୟରେ କିଛି କହିଥିଲ ?’’ –ପ୍ରଶ୍ନଟା ସେ ମୋ ଉପରକୁ ଫୋପାଡ଼ି ଦେଲେ ଯେପରି ।

ଲଜ୍ଜ୍ୟାର ବିଷୟ–ମୁଁ ଦିନେ ହେଲେ ନନାଙ୍କ ଏ ବିଷୟରେ କହିବାକୁ ସାହସ କରିନାହିଁ । ବଞ୍ଚାଇବା ପାଇଁ କହିଲି ‘‘ନା–ଆଜ୍ଞା–ସୁବିଧା ପାଇନାହିଁ ।’’

ନିଶ୍ଚଳ ଦୃଷ୍ଟିରେ ସେ ମୋ ଆଡ଼କୁ କିଛିକ୍ଷଣ ଲକ୍ଷ୍ୟକରି ଖାପଛଡ଼ା ‘‘ହୁଁ’’ କଲେ । ମୋ କଥାଟାକୁ ସେ ସରଳ ବିଶ୍ୱାସରେ ନେଇ ନାହାନ୍ତି ।

‘‘ସେଥିପାଇଁ ମୁଁ ବ୍ୟକ୍ତିଗତ ଚିଠି ଲେଖିବା ଶ୍ରେୟସ୍କର ମନେ କରିଥିଲି ।’’ ସେ ଦୀର୍ଘ ନିଃଶ୍ୱାସ ମାରି କହିଲେ, ‘‘କିନ୍ତୁ–’’

ମୁଁ ସନ୍ଦିହାନ ହେଲି । ମୁଖାର୍ଜୀ କେବଳ ଦୁଃଖିତ ହୋଇଛନ୍ତି ନା ବିରକ୍ତ ହୋଇଛନ୍ତି, ଠଉରାଇବା ସମ୍ଭବ ନ ଥିଲା । କାରଣ ମଧ୍ୟ ସ୍ପଷ୍ଟ ନ ଥିଲା ।

ଚାମେଲୀ ଚାହା ନେଇ ଆସିଲେ । ଚାହା ସମୟରେ ମୁଖର୍ଜୀଙ୍କ ଦୁର୍ବୋଧ୍ୟ ଗମ୍ଭୀରତା ନ ଥିଲା । ପୂର୍ବପରି ସେ ହାସ୍ୟମୟ, କ୍ଷୁଧାମୟ ଆଉ ଗଳ୍ପମୟ ହୋଇ ଉଠିଲେ । ପୁରୀରେ ପଣ୍ଡାଙ୍କର ବ୍ୟବହାର–ସମୁଦ୍ରର ଦୃଶ୍ୟ–ଓଡ଼ିଶାର ପ୍ରାଚୀନକୀର୍ତ୍ତି–ବୀରତ୍ୱ ଆଉ ବର୍ତ୍ତମାନର ଦାରିଦ୍ର୍ୟ–ବଙ୍ଗଳା ପ୍ରଭାବ–ନୂତନ ଜାଗରଣ–ଏସବୁ ବିଷୟରେ ସେ ମୁଖର ହୋଇ ଉଠିଲେ । ମନ୍ତବ୍ୟଗୁଡ଼ାକ ମୋ ପକ୍ଷରେ ବେଶ୍ ସୁଚିନ୍ତିତ ମନେ ହେଲା । କିଛି ପୂର୍ବର ଅସ୍ୱସ୍ତି ମୋର ଉଭେଇ ଯାଇଥିଲା ।

ରୁମାଲରେ ହାତ ପୋଛୁ ପୋଛୁ ଖଣ୍ଡିକାଶ ମାରି ଆଖିରେ କୌତୁକ ଝଲସାଇ ଡାକ୍ତର ମୁଖାର୍ଜୀ କହିଲେ, ‘‘ଶୁଣି ବିସ୍ମିତ ହେବ ସରୋଜ । ପୁରୀରେ ଚାମେଲୀ ଓଡ଼ିଆ ଭାଷା ଶିଖିବାପାଇଁ ବହୁତ ଚେଷ୍ଟା କରିଥିଲା–ଆଶାକରେ, ଭଙ୍ଗା ଭଙ୍ଗା ଓଡ଼ିଆ ନେଇ ତୁମ ସହିତ ଯୋଟ ଦେଇ ପାରିବ ।’’

 

ଚାମେଲୀ ବାପାଙ୍କ କଥାରେ ନଜିର୍‌ ଦେଲେ–‘‘ହାଁ, ମୈ ଭୁଲ୍‌ ଯାଇଥିଲି ।’’

 

ହସ ରୋକିବା ସମ୍ଭବ ନ ଥିଲା । ଡାକ୍ତର ମୁଖାର୍ଜୀ ତୃପ୍ତିର ହସ ହସି ପାଖ ଘରେ ପଶିଗଲେ ।

 

‘‘ଭାଷା ପରମାର୍ଜିତ ହେବାକୁ ଆହୁରି ଶିକ୍ଷା ଦାରକାର ।’’ ଚାମେଲୀଙ୍କୁ ଶୁଣାଇ ଦେଲି ।

 

‘‘ସତେ ?’’ ଏଇଥର ଚାମେଲୀଙ୍କର ଶୁଦ୍ଧ ଓଡ଼ିଆ ଉଚ୍ଚାରଣ । ଖୁସି ଲାଗିଲା ।

 

ଓଡ଼ିଆ ବ୍ୟାକରଣ ନେଇ କିଛି ସମୟ ଆଲୋଚନା ହେଲା ।

 

କ୍ରିୟାର କାଳ ନେଇ ଓଡ଼ିଆ ଭାଷାର କୌଣସି ଏକ ସମ୍ଭବତଃ ଜଟିଳ ତତ୍ତ୍ୱ ପ୍ରବୀଣ ଶିକ୍ଷକ ଭଳି ବୁଝାଇ ଲାଗିଛି–ଆଉ ଚାମେଲୀ ‘ଆପଣଙ୍କ ଆଜ୍ଞାଧୀନା ଛାତ୍ରୀ’ ହିସାବରେ ଶାନ୍ତ ନିବିଷ୍ଟ ଚିତ୍ତରେ ଶୁଣୁଥାନ୍ତି–ଏଇ ସମୟରେ ଡାକ୍ତର ମୁଖାର୍ଜୀ ପୋଷାକ, ବଦଳାଇ ପଶି ଆସିଲେ ।

 

କ୍ଳାସ ଦେଖି ସେ କୌଣସି ମତେ ହାସ୍ୟ ସମ୍ବରଣ କରି ନେଇଥିବେ । ଗଳା ମାଜି ନେଇ କହିଲେ–ମା’ ଚାମେଲୀ–ଦୁହେଁ ଗଳ୍ପ କରୁଥାଅ । ମୁଁ ତାହେଲେ ଆସେ ସରୋଜ ।’’

 

ମୁଖାର୍ଜୀଙ୍କ ଯିବାପରେ ଆମେ ଦୁହେଁ ପରସ୍ପରକୁ ଦେଖି ହସି ଉଠିଲୁ ।

 

‘‘ତୁମ ବାପା ଆମକୁ ଏପରି ଅବସ୍ଥାରେ କ’ଣ ଭାବିଥିବେ ?

 

ଚାମେଲୀ ମୋ ପାଖକୁ ଲାଗି ଆସିଲେ । ଯାହା ଭାବିଥାନ୍ତୁ–ସେଇ ମୁଗ୍‌ଧା ।

 

ହଠାତ୍ ତାଙ୍କର ମନେ ପଡ଼ିଲା ବୋଧହୁଏ । ହଁ, ବାପା ତୁମକୁ ଆମ ବିବାହ ବିଷୟରେ କିଛି ପଚାରିଥିଲେ ?

 

‘‘କାହିଁ–ନା, ତ ।’’

 

‘‘କାଲି ବାପା ପଚାରୁଥିଲେ ସରୋଜ ବିବାହ ପାଇଁ ବାପାଙ୍କଠାରୁ ସମ୍ମତି ଆଣିଛନ୍ତି କି ନାହିଁ । ମୁଁ କହିଲି–ଘରକୁ ଡାକି ଆଣି ପଚାରିବି । –ବାପା ତାହେଲେ ପଚାରି ନାହାନ୍ତି ?’’

 

କଥାଟା ଏବେ ବୁଝି ପରିଲି । କହିଲି–‘‘ହଁ, ତୁମ ବାପା ଅବଶ୍ୟ ଇଙ୍ଗିତ କରିଥିଲେ–ମୁଁ କିନ୍ତୁ ଧରି ପାରି ନ ଥିଲି ।’’

 

‘‘ତାହାହେଲେ ନନାଙ୍କର ସମ୍ମତି ପାଇଛ ?’’ ସେ ଆଗ୍ରହରେ ପଚାରିଲେ । କିନ୍ତୁ ପରକ୍ଷଣରେ ମୋର ଶୁଖିଲା ମୁହଁ ଦେଖି ସେ ଆଗ୍ରହ ଉଭେଇଗଲା ।

 

‘‘କ’ଣ ନାରାଜ ?’’ ସେ ବିପଦ ଗଣିଲେ ।

 

‘‘ନା–ମୁଁ ନିଜେ ତାଙ୍କୁ ସାହସ କରି ପଚାରି ନାହିଁ ?’’

 

ନିଜକୁ ଦୋଷୀ ମନେ କଲି । ଚାମେଲୀ ମଧ୍ୟ ଗୁମ୍‌ ମାରି ବସି ରହିଲେ–ନୀରବତା । ଯନ୍ତ୍ରଣାଦାୟକ ମନେ ହେଲା । କିନ୍ତୁ କ’ଣ କହିବି, ଭାବି ପାରୁ ନ ଥାଏ ।

 

ପର ମୁହୂର୍ତ୍ତରରେ ଚାମେଲୀ ହସ ଖେଳାଇ ମୋର ହାତ ଧରି କହିଲେ–‘‘ହଉ, ସେଥିପାଇଁ ଦୋଷୀ ଭାବି ତୁମକୁ ଗୁମ୍‌ ମାରି ବସିବାକୁ ହେବ ନାହିଁ । ବିବାହ ତ ଏ ବର୍ଷ ପଢ଼ା ଭିତରେ ଆଉ ସମ୍ଭବ ନ ଥିଲା–କେବଳ ବାପାଙ୍କର ବ୍ୟାକୁଳତା । କିନ୍ତୁ ମୁଁ ତୁମର କଥା ପାଇଛି–ଅପେକ୍ଷା କରି ପାରିବି–ବୁଝିଲ ?’’

 

ଏଇ ସହୃଦୟତା–ବୋଧଶୀଳ ଆଶ୍ୱାସନା !

 

ଟେବୁଲ ଉପରେ କୌଣସି ଗୋଟାଏ ପତ୍ରିକାର ପୃଷ୍ଠା ଓଲଟାଇ ରାମସ୍ୱରୂପ ମନ ଦେଇ ଦେଖି ଲାଗିଥାନ୍ତି । ମୋର ପାଦ ଶବ୍ଦ ଶୁଣିପାରି କହିଲେ–‘‘କିଏ ସରୋଜ ? ବାଃ, ବେଶ୍‌ ତ ସିନେମା ଦେଖା ହେଲା ?’’

 

ସକାଳର କଥାଟାକୁ ନେଇ ସେ ଯେ ମୋ ଅପେକ୍ଷାରେ ବସିଥିବେ–ସେ ଧାରଣା ମୋର ନ ଥିଲା । ‘‘ସତରେ ତୁମେ କ’ଣ ମୋର ଅପେକ୍ଷାରେ ଥିଲ ?’’ ମୁଁ ହସି ହସି ପଚାରିଲି ।

 

‘‘ଅପେକ୍ଷା ?’’ ସେ କିଛି ବିରକ୍ତି ସହିତ କହିଲେ । ‘‘କେତେଟା ବାଜିଲାଣି ଦେଖ ତ ? ସାଢ଼େ ଆଠ ! ଏତେବେଳେ ପର୍ଯ୍ୟନ୍ତ କୁଆଡ଼େ ଯାଇଥିଲ ଶୁଣେ ।’’

 

କୁଆଡ଼େ ଯିବାକୁ ଥିଲେ ସେ କଥା ଆଗ ଜାଣି ରଖିବା ବନ୍ଧୁଙ୍କର ଯେପରି ଗୋଟାଏ ଅଭ୍ୟାସଗତ ପୁରୁଣା ଦାବି । ସତ କଥା କହିଲେ ସେ କ’ଣ ଭାବିବେ ?

 

ହାଲୁକା ଗଳାରେ କହିଲି–‘‘ଆଜି ଚାମେଲୀ ଘରୁ ନିମନ୍ତ୍ରଣ ଥିଲା..... ।’’

 

‘‘ଓଃ ।’’ ରାମସ୍ୱରୂପ ଏଇ ଗୋଟିଏ ମାତ୍ର ଶବ୍ଦ ଧୀର ଭାବରେ ଉଚ୍ଚାରଣ କରି ବସି ରହିଲେ । କାହିଁକି–କେଉଁ ବିଷୟରେ କିଛି ସୁଦ୍ଧା ପଚାରିଲେ ନାହିଁ–ପୁଣି ଯେପରି ଗୋଟାଏ ଧୂଆଁଳିଆ ମେଘର ସୃଷ୍ଟି ହେଲା ।

 

‘‘ତାହାହେଲେ ‘ସେକେଣ୍ଡ ଶୋ’ ଯିବା ?’’ ଅସ୍ପଷ୍ଟ ବିରୋଧ ଭାବର ଗୁରୁତ୍ୱ ମେଣ୍ଟାଇବା ପାଇଁ ମୁଁ ପଚାରିଲି । ବନ୍ଧୁ ସହଜ ଗଳାରେ ଉତ୍ତର ଦେଲେ–‘‘ନା–ସବୁଠୁ ସୁବିଧା ହେବ ରବିବାର ଦିନ । ଗୋଟାଏ ଭଲ ଖେଳ ବାଛି ନେବା ।’’

 

ଏହାପରେ କଥାବାର୍ତ୍ତା ସ୍ୱାଭାବିକ ହୋଇଥିଲେ ସୁଦ୍ଧା ମୋର ଦୃଢ଼ ଧାରଣା ହେଲା ଯେ ଚାମେଲୀ ସହିତ ମୋର ସଂପର୍କ ନେଇ ରାମସ୍ୱରୂପ ଚିନ୍ତିତ । ହୁଏତ ଅନୁକୂଳ ଦୃଷ୍ଟିରେ ଦେଖି ପାରୁ ନାହାନ୍ତି... ।

 

ଚାମେଲୀ ସହିତ ଏଣିକି ପ୍ରତିଦିନ ସାକ୍ଷାତ୍‌ ଆଳାପ ହୁଏ । ସାଙ୍ଗସାଥୀ ଏକ ପ୍ରକାର ଅଭ୍ୟସ୍ତ ହୋଇ ପଡ଼ିଲେଣି । ରାମସ୍ୱରୂପ ମଧ୍ୟ ମୋର ଯିବା ନ ଯିବା କିମ୍ବା ଆସିବାରେ ଡେରି ହେବା ନେଇ ପ୍ରଶ୍ନ ଉଠାନ୍ତି ନାହିଁ । ଚାମେଲୀ ନେଇ ପରୋକ୍ଷ ଆଲୋଚନାରେ ମଧ୍ୟ ତାଙ୍କର ସ୍ପୃହା ନ ଥାଏ–ଯଦିଓ ଅନ୍ୟାନ୍ୟ ବିଷୟରେ ସେ ଆଗଭଳି ସହଜ ଆଉ ସରସ ।

 

ଉଦ୍‌ବେଗଭରା ଚିଠି ଖଣ୍ଡିକ ।

 

ଲାବଣ୍ୟମୟୀ ଲେଖିଛନ୍ତି–‘‘....ବାବା, ଜାଣିବ । ଶେଫାଳିକାର ଆଖି ଦିଓଟି ହଠାତ୍‌ କାହିଁକି ଖରାପ ହେଇଯାଇଛି । ଦିନବେଳେ ସୁଦ୍ଧା ଝାପ୍‌ସା ଦେଖାଯାଉଛି । ନଥିଲା ଘରେ ଏଇ ହାତୀ ବେମାରି । କିପରି ତାକୁ ଭଲ କରିବି ଭାବି ପାରୁନାହିଁ । ଡାକ୍ତର ପାଖକୁ ଯାଇ ବୁଝିଲି–ସପ୍ତାହକ ଦୁଇ ତିନିଟା ଇଞ୍ଜେକସନ୍‌ ଦେଲେ ତେକେଟା ମାସରେ ଭଲ ହୋଇପାରେ । କିନ୍ତୁ ଏତେ ଟଙ୍କା କେଉଁଠୁ ପାଇବି ? ଶେଫାଳିକାକୁ ଆଶ୍ୱସନା ଦେଇ ଖଣ୍ଡିଏ ଚିଠି ଦେବ ବୋଲି ଆଶା କରେ-

 

। ଇତି ।

ତୁମର

ମା’ ।’’

 

ଶେଫାଳିକା ଲେଖିଛନ୍ତି–....‘‘ଦାଦା, ମନେ ଅଛି, ତୁମେ ଆଗ ଚିଠିରେ ଲେଖିଥିଲ, ‘‘ତୁମର ଶାନ୍ତ ସରଳ ଆଖି ଦୁଇଟି ?’’ ଦୁଃଖର ବିଷୟ ମୁଁ ସେଇ ଦୁଇଟିକୁ ହରାଇ ବସୁଛି । ଆଖି ଦିଓଟି ଚାଲିଗଲେ ମୁଁ ଆଉ କିପରି ଚଳିବି ଦାଦା ? –ଅସହାୟ ବାଳିକାଟିର ଦୀର୍ଘଶ୍ୱାସ ମୋ କାନ ମୂଳରେ ବାଜି ଉଠିଲା ।

 

‘‘ମୋତେ ସାନ୍ତ୍ୱନା ଦେଇ ଖଣ୍ଡିଏ ଚିଠି ଦେବ ।

 

ତୁମର

ସ୍ନେହର

ଶେଫାଳିକା ।’’

 

କ’ଣ ବା ସାନ୍ତ୍ୱନା ଦେଇ ଲେଖିବି ? ସେଥିରେ କ’ଣ ଆଖି ଦିଓଟି ଫେରି ଆସିବ ?

 

ଫୋଟୋଟିକୁ ବାହାର କରି ଦେଖି ଲାଗିଲି । ‘‘ଶାନ୍ତ ସରଳ ଆଖି ଦୁଇଟି’’ ମନେ ମନେ ଆବୃତ୍ତ କଲି । ହଁ–ଥରେ କେବେ ଲେଖିଥିଲି । ଏଇ ଫୋଟୋଟିରେ ମଧ୍ୟ ସେଇ ଗୁଡ଼ିକ ବଡ଼ ଶାନ୍ତସରଳ । ଅନେକବାର ସେଇ ଦୁଇଟିରେ ଫୁଟି ଉଠିଥିଲା–ପ୍ରେମ–ଅଭିମାନ–ଈର୍ଷା–ପରିହାସ–କ୍ରୋଧକଣା.... । ବିଚାରୀ ମୋତେ ସ୍ନେହ ଦେଇଥିଲା । ତା’ର ଏହି ଦୁର୍ଦ୍ଦିନରେ ମୁଁ କ’ଣ ହେଲେ ଦେଇ ପାରିବି ନାହିଁ ?

 

ନାନାଙ୍କ ପାଖରୁ ଏ ପର୍ଯ୍ୟନ୍ତ କିଛି ପାଇ ନାହିଁ । ତଥାପି ସାହାଯ୍ୟ କରିବାକୁ ହେବ... । ଶେଫାଳିକା–ବିଚାରୀ ଶେଫାଳିକା... ।

 

ଅସରନ୍ତି ଭାବନା..... ।

 

ଆରେ, ସାତଟା ଟପି ଗଲାଣି ! ମନେ ପଡ଼ିଲା–ଆଜିକା କଲେଜର ବିଚିତ୍ରା ଅନୁଷ୍ଠାନରେ ମୋତେ ଦାୟିତ୍ୱ । ରାମସ୍ୱରୂପ ଅପେକ୍ଷା କରି ବିରକ୍ତ ହୋଇଥିଲେ । ଚାମେଲୀ ସାଢ଼େ ଛ’ଟକୁ ପହଞ୍ଚିବାକୁ ଜବାବ ନେଇଥିଲେ । ଆଃ–କି ଲଜ୍ଜ୍ୟାକର ! ଏତେଦ୍ୱର ଭାବପ୍ରବଣତା... ।

 

‘‘ଏତେବେଳଯାଏଁ କ’ଣ କରୁଥିଲ ?’’ ରାମସ୍ୱରୂପ ଯଥାସମ୍ଭବ ବିରକ୍ତି ଚାପି ନେଇ ପଚାରିଲେ, ‘‘ସମସ୍ତେ ପ୍ରସ୍ତୁତ, ଅଥଚ ସେକ୍ରେଟେରୀ ଦାୟିତ୍ୱ ନେଇ ସୁଦ୍ଧା ତୁମର ଦେଖା ନାହିଁ । ଭାଗ୍ୟକୁ ପ୍ରଧାନ ଅତିଥି ଏଯାଏଁ ଆସି ନାହାନ୍ତି.... ।’’

 

ନିଜର ଦୋଷ ସ୍ୱୀକାର କରି ଅନ୍ୟମାନଙ୍କର କଟୁ ସମାଲୋଚନା ଆଉ ତ୍ରୀବ ଦୃଷ୍ଟି ଏଡ଼ି ଗ୍ରୀନ୍‌ରୁମ୍‌ରେ ପହଞ୍ଚିଲି । ଚାମେଲୀ ଉତ୍କଣ୍ଠିତ ଆଉ ବିବ୍ରତ ହୋଇ ପଡ଼ିଥିଲେ । କିନ୍ତୁ ତାଙ୍କର କୌଣସି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ନିଜେ ଡ଼ିନ୍‌ ଖୋଜି ଖୋଜି ଆସି ହାଜର । ‘‘ସରୋଜ–ତୁମର ଦାୟିତ୍ୱଜ୍ଞାନ ଥିବା ଦରକକାର ।’’ ସେ ଦୃଢ଼ ଭାବରେ କହିଲେ ।

 

‘‘ମୋର ଭୁଲ୍‌ ହୋଇଛି, ସାର୍‌ ।’’

 

‘‘ଆଚ୍ଛା–ଶୀଘ୍ର ଆସ ।’’ ମୋର ବିନୟରେ ତାଙ୍କର କଣ୍ଠସ୍ୱର ବଦଳି ଥିଲା । –ଚାମେଲୀ ମୋର ଏହି ଦାୟିତ୍ୱହୀନ କାର୍ଯ୍ୟ ପସନ୍ଦ କରୁ ନଥିଲେ–ସେ କଥା ମୁଁ ସୁସ୍ପଷ୍ଟ ବୁଝିଥିଲି ।

 

ସୌଭାଗ୍ୟବଶତଃ ମୋର ଅନୁପସ୍ଥିତରେ ସୁଦ୍ଧା ନିର୍ଦ୍ଧେଶ ଅନୁଯାୟୀ ସମସ୍ତ ବ୍ୟବସ୍ଥା ହୋଇ ପାରିଥିଲା । ଶିକ୍ଷାମନ୍ତ୍ରୀ ସମ୍ପୂର୍ଣ୍ଣାନନ୍ଦ ଯେତେବେଳେ ଆମ ରାୟଲେସୀମା ଦୁର୍ଭିକ୍ଷ ସାହାଯ୍ୟ ସମିତିରେ ସୁବ୍ୟବସ୍ଥା ଉପରେ ଅନୁକୂଳ ମନ୍ତବ୍ୟ ପ୍ରକାଶ କଲେ–ନିଜେ ଡ଼ିନ୍‌ ମଧ୍ୟ ମୋ ପ୍ରତି ପ୍ରଶଂସା ଦୃଷ୍ଟି ଢାଳି ଲାଗିଲେ । ପୁଣି ଯେତେବେଳେ ପ୍ରଧାନ ଅତିଥିଙ୍କ ପକ୍ଷରୁ ମୋତେ ବ୍ୟକ୍ତିଗତ ଧନ୍ୟବାଦ ଜଣାଇ ଦିଆଗଲା ଉପସ୍ଥିତ ଜନତାର ଉତ୍ସାହ ଦେଖି ମନେ ହେଲା–ମୋର ଅଳ୍ପକ୍ଷଣ ପୂର୍ବରୁ ଅପ୍ରିୟତା ଅନେକ ଅଂଶରେ କମିଯାଇଛି । ଆଶ୍ୱସ୍ତିର ନିଶ୍ୱାସ ନେଲି ।

 

ଚାମେଲୀ ତାଙ୍କର ଆରତି ନୃତ୍ୟଟିର ବିଶେଷ ପ୍ରଶଂସିତ ହୋଇ ଥିଲେ । ଟିକଟ ବିକ୍ରିରୁ ମଧ୍ୟ ଆଶାତୀତ ଆଦାୟ ହୋଇଥିଲା ।

 

‘‘ଯାହାହେଉ, ନିର୍ବିଘ୍ନରେ କାର୍ଯ୍ୟଟି ଶେଷ ହୋଇଗଲା ।’’ ଫେରିବାକୁ ଉଦ୍ୟତ ହେବାବେଳେ ଚାମେଲୀ କହିଲେ, ‘ମୋର ଭୟ ହେଉଥିଲା–ତୁମେ ହୁଏତ ନିନ୍ଦା ପାଇବ । କିନ୍ତୁ–ସତରେ, ତୁମେ ଏତେ ଡ଼େରି କଲ କାହିଁକି ?’’

 

‘‘ପରେ କହିବି ।’’ ଉତ୍ତର ଦେଲି । କିନ୍ତୁ ଚାମେଲୀଙ୍କୁ ପ୍ରକୃତ କାରଣଟି କହିବା ଉଚିତ କି ନୁହେଁ ଭାବି ପାରୁ ନଥିଲି । ଶେଫାଳିକା ବିଷୟ ଯଦି କହି ବସେ– ? –ବିଦାୟ ନେଇ ଫେରିଲି-

 

‘‘କାହିଁକି ?’’ ରାମସ୍ୱରୂପ ପ୍ରଶ୍ନ କଲେ ।

 

ମୁଁ ତାଙ୍କ ଆଡ଼କୁ ନୀରବରେ ଚିଠିଖଣ୍ଡିକ ବଢ଼ାଇଦେଲି । ସେ ଅବଶ୍ୟ ପଢ଼ିପାରି ନ ଥାନ୍ତେ । କିନ୍ତୁ ମୋର ଇଙ୍ଗିତ ସେ ବୁଝିପାରିଥିଲେ । ଘୃଣା ଆଉବିରକ୍ତି ତାଙ୍କ କପାଳରେ ଆଙ୍କିହୋଇ ପୁଣି ଲିଭିଗଲା । ସଂଯତ ହୋଇ ସେ ପ୍ରଶ୍ନ କଲେ, କ’ଣ ଲେଖା ହେଇଛି ?’’

 

ଆଖିର ରୋଗ ଆଉ ତା’ର ଚିକିତ୍ସା ଖର୍ଚ୍ଚ–ମୁଁ ଯଥାସମ୍ଭବ ସହଜ ଗଳାରେ ବୁଝାଇଦେଲି-। ସେ ପ୍ରଥମେ ବିସ୍ମିତ ପରେ ନରମ ହେବାପରି ଜଣାପଡ଼ିଲେ ।

 

‘‘ଚିଠି ଖଣ୍ଡିକ କେତେବେଳେ ପାଇଲ ?’’

 

‘‘କାଲି ସନ୍ଧ୍ୟାବେଳେ ।’’

 

‘‘ଓଃ, ସେଥିପାଇଁ ତୁମର ଡ଼େରି ହୋଇଥିଲା ?’’ –କଥାଟା ରୁକ୍ଷ ନା ସହଜ ବୁଝିବା କଷ୍ଟକର ଥିଲା ।

Unknown

 

କିଛିକ୍ଷଣ ନୀରବତା ପରେ ସେ କହିଲେ, ‘‘ଆଚ୍ଛା ଦେଖାଯିବ, ଟଙ୍କାଟା କେତେବେଳେ ଦରକାର ?’’

 

‘‘ଯେତେ ଶୀଘ୍ର ମିଳିପାରେ ।’’

 

‘‘ଆଚ୍ଛା ।’’

 

କିଛି ସମୟ ପରେ ସେ ବାହାରିଗଲେ ।

 

ସ୍ନେହଶୀଳ ରାମସ୍ୱରୂପ ! ମନରେ କଷ୍ଟ ହେବ ବୋଲି ପ୍ରତିକୂଳ ମତ ଦେଇ ନାହାନ୍ତି । ଅଥଚ ବନ୍ଧୁ ହିସାବରେ ସାହାଯ୍ୟ କରିବାକୁ ସେ ପ୍ରସ୍ତୁତ । ଏଇ ବନ୍ଧୁଙ୍କର କଳ୍ପିତ ବିରୋଧୀ ମତ ନେଇ ମୁଁ ପୁଣି ଦିନେ ଚିନ୍ତିତ ଥିଲି !

 

ଦୁଇଦିନ ପରେ ଲାବଣ୍ୟମୟୀଙ୍କ ନାମରେ ଶେଫାଳିକାର ଅନ୍ତତଃ ଦୁଇମାସ ଚିକିତ୍ସା ଖର୍ଚ୍ଚ ପଠାଇଦେଲି ।

 

କେତେଦିନ ପରେ ଲାବଣ୍ୟମୟୀ ଚିଠି ଦେଲେ...‘‘ବାବା, ତୁମ ପାଖରୁ ଟଙ୍କା ପାଇ ଆମେ ଆଶ୍ଚଯ୍ୟ ମଣିଲୁ । ମୁଁ ଶେଫାଳିକାର ଆଖି କଥା ଲେଖିଥିଲି । କିନ୍ତୁ ସେଥିପାଇଁ ତୁମେ ଏତେ ଟଙ୍କା ପଠାଇବ ବୋଲି ଭାବି ନଥିଲି । ....ତୁମେ ରାଜା ହୁଅ ବାବା, ଭଗବାନ ତୁମର ମଙ୍ଗଳ କରନ୍ତୁ ।’’

 

ଶେଫାଳିକା ଦେଇଥିବା ଚିଠି ଖଣ୍ଡିକ ଏଇ ଚିଠିର ପ୍ରତିଧ୍ୱନି ମାତ୍ର ।

 

ଚାମେଲୀ ହଠାତ୍‌ ଦିନେ ପଚାରିଲେ–‘‘ବହୁତ ଦିନ ହେଲା ଦେଖୁଛି, ତୁମେ ଯେପରି କିଛି ଗୋଟାଏ ଭାବି ଲାଗିଛ । କଥା କ’ଣ ? ମୋତେ କହୁନାହିଁ କାହିଁକି ?’’

 

ତରକି ଯାଇ ବେଖାତିର୍‌ର ଛଳନା କଲି–‘‘କାହିଁ–ନାଇଁତ ! କେଉଁଦିନଠାରୁ ତୁମେ ଏତେ ମନସ୍ତତ୍ତ୍ୱବିତ୍‍ ପାଲଟି ଗଲଣି ?’’

 

‘‘ନ ଭାବୁଥିଲେ ଭଲ । କିନ୍ତୁ ଯଦି କିଛି ଭାବି ଲାଗିଥାଅ, ତେବେ ମୋ ପାଖରୁ ଅନେକ ଦିନ ଲୁଚାଇ ରଖିବା ଚେଷ୍ଟା କରିବା ବୃଥା ସାବଧାନ ।’’ ଶେଷଆଡ଼କୁ ସେ ହସି ହସି କହିଲେ ।

 

ଚାମେଲୀଙ୍କ କଥାଟୀକୁ ବାଆଁରେଇ ଦେଇଥିଲି ସତ, କିନ୍ତୁ ପରବର୍ତ୍ତୀ ଘଟଣାଗୁଡ଼ିକରୁ ବୁଝିପାରିଥିଲି–ସେ ଦିନ ସମସ୍ତ ବିଷୟ ପ୍ରକାଶ କରିଦେବା ଉଚିତ ଥିଲା ।

 

ଲକ୍ଷ୍ନୌରୁ ପୁଣି ଚିଠି ପାଇଲି–‘‘ବାବା, ମାସକ ଚିକିତ୍ସା ପରେ ଶେଫାଳିକା ଏବେ ଅଳ୍ପ ଅଳ୍ପ ଦେଖିପାରୁଛି । କିନ୍ତୁ ବାବା–ରାଗ କରିବ ନାହିଁ । ଗରୀବ ଘର କଥା–ଏଇ ମାସକ ଭିତରେହିଁ ତୁମର ପଠାଇଥିବା ସମସ୍ତ ଟଙ୍କା ଖାଇବା ପିଇବା ଆଉ ଔଷଧପତ୍ରରେ ଖର୍ଚ୍ଚ ହୋଇଗଲା । ଏବେ ଆଉ ଥରେ ଚିକିତ୍ସା ସକାଶେ ଭାବନା ପଡ଼ିଛି । ଏହା ବୋଲି ତୁମେ ଆଉ ଟଙ୍କା ପଠାଇବ ନାହିଁ ।’’

 

ପ୍ରସ୍ତାବ ଶୁଣି ରାମସ୍ୱରୂପ ଗୋଟାଏ ବିରକ୍ତିକର ‘ହୁ’ କରି ମୁହଁ ଫେରାଇ ନେଲେ । ‘‘ଦେଖ, ତୁମର ଏସବୁ ବିଷୟ ନେଇ କୌଣସି ପ୍ରକାର ମତ ପ୍ରକାଶ କରିବା ମୋର ଉଦ୍ଦେଶ୍ୟ ନୁହେଁ । ତଥାପି ତୁମର ଏତକ ମନେରଖିବା ଦରକାର ଯେ ପ୍ରତ୍ୟେକ ଜିନିଷର ଗୋଟାଏ ସୀମା ରହିଛି–ଭାବପ୍ରବଣତା’ର ମଧ୍ୟ । ଆଉ......’’

 

ଆହତ ସ୍ୱରରେ କହିଲି–‘‘ତୁମେ ଯାହା କହୁଛ, ତାହା ସତ ହେଇପାରେ । କିନ୍ତୁ ନିଜର ଭାବ–ସମଷ୍ଟି ନେଇ ମଣିଷ କାମ କରିଚାଲେ । ସମୟରେ ବିବେକର ଅପେକ୍ଷା କରିବାକୁ ମଧ୍ୟ ତା’ର ଶକ୍ତି ନ ଥାଏ । –ଏତକ ଭାବି ତୁମେ ମୋତେ କ୍ଷମା ଦେଇପାର ।’’

 

–ମୋର ଯୁକ୍ତିର ଦୁର୍ବଳତା ମୁଁ ବୁଝିପାରିଥିଲି ।

 

‘‘ମୋର କ୍ଷମା ଦେବା ନ ଦେବାରେ କ’ଣ ଅଛି ?’’ ରାମସ୍ୱରୂପ ନରମହେଇ କହିଲେ, ‘‘ମୁଁ କେବଳ ସାବଧାନ କରିଦେବାକୁ ଚାହେଁ ଯେ, ତୁମର ଏଭଳି ଭାବପ୍ରବଣତା ଫଳରେ ଅନ୍ୟ କାହାର କ୍ଷତି ହୋଇପାରେ ।’’

 

‘‘ମୁଁ ଜାଣିବାରେ ତ ମୁଁ କାହାର କ୍ଷତି କରୁନାହିଁ ।’’ ଯୁକ୍ତିର ଜୋର୍‌ରେ ମୋର କଥା ସାଙ୍ଗେ ସାଙ୍ଗେ ମୁଣ୍ଡଟା ଗରମ ହୋଇ ଉଠୁଥିଲା ।

 

‘‘ଯଦି କ୍ଷତି କରୁଥାଅ ବୋଲି କହେ ?’’ ସେ ଧୀରଭାବେ ପଚାରିଲେ । ତାଙ୍କର କଥା ପଛରେ ଯେପରି ପ୍ରମାଣର ଜୋର୍‌ ଥିଲା ।

 

ମୁଁ ସେହିପରି ଆହତ ଆଉ ଶୁଷ୍କ ଗଳାରେ ଉତ୍ତର ଦେଲି–‘‘ଦରକାର ଥିଲେ ସାବଧାନ କରିଦେଇପାର ।’’

କିଛିକ୍ଷଣ ଧରି ଆଶଙ୍କାମୟ ନୀରବତା– ।

‘‘ତୁମେ ବୁଝିପାରୁ ନାହଁ ସରୋଜ–ତୁମେ କେଉଁ ଅବାଟରେ ଆଗେଇ ଚାଲିଛ ।’’ ଦୁଃଖିତ ସ୍ୱରରେ ଏତିକି କହି ବନ୍ଧୁ ଗୋଟାଏ ବାହାନାରେ ବାହାରକୁ ଚାଲିଗଲେ ।

ରୁଦ୍ଧ ବିରକ୍ତି ନେଇ ମୁଁ ବସି ରହିଲି ।

–ସବୁଥର ଭଳି ଏଇଥର ମଧ୍ୟ ଆମ ଦୁହିଁଙ୍କର ବିରୋଧଭାବ ବେଶୀ ତିଷ୍ଠି ପାରି ନ ଥିଲା । ରାମସ୍ୱରୂପ ଫେରିଆସି ପ୍ରାରମ୍ଭିକ ହାସ ପରିହାସର ଚେଷ୍ଟା କଲେ । କିନ୍ତୁ ସମସ୍ତ ବିଫଳ ହେବା ଦେଖି ମୋର କାନ୍ଧ ଉପରେ ହାତ ରଖି କହିଲେ–‘‘ମୁଁ ତୁମକୁ ଅଯଥା କଷ୍ଟ ଦେଇଛି–ମୋତେ କ୍ଷମା କର ।’’

ଏହା ପରେ ନୀରବତା ମୋର ସମୀଚୀନ ନ ଥିଲେ, ଦୁହିଁଙ୍କ ଓଠର ସମାଧାନ ହସ ଫୁଟିଉଠିଲା ।

ସେଦିନ ମୁଁ ପୁଣି ଲକ୍ଷ୍ନୌକୁ ଟଙ୍କା ପଠାଥିଲି । –ବନ୍ଧୁଙ୍କୁ ଜଣାଇବାପାଇଁ ଦରକାର ମନେ କରିନାହିଁ । ସେ ମଧ୍ୟ ପଚାରିବା ଦରକାର ମନେ କରି ନ ଥିଲେ–ବୋଧହୁଏ ଆଗରୁହିଁ ଅନୁମାନ କରି ସାରିଥିଲେ ।

 

ନିଜର ଭୁଲ୍‌ ଦେଖି ମଧ୍ୟ ନ ମାନିବାଟା ଯେପରି ମଣିଷର ଗୋଟାଏ ପ୍ରବୃତ୍ତି–ସାମାନ୍ୟ ଭୁଲ୍‌ ଥିବାସ୍ଥଳେ ନିଜକୁ ଗୁରୁତର ଦୋଷୀ ମନେ କରି ନିଜକୁ ପୀଡ଼ା ଦେବା ମଧ୍ୟ ସେହିଭଳି ଆଉ ଗୋଟିଏ–ଦ୍ୱିତୀୟଟି ଅନେକ ସ୍ଥଳରେ ପ୍ରଥମଟିର ପରିଣାମ ମାତ୍ର ।

 

ମନିଅର୍ଡ଼ର କରି ଫେରିବାବେଳେ ମୋର ମନେହେଲା–ରାମସ୍ୱରୂପଙ୍କର ଭୁଲ୍‌ ନ ଥିଲା-। ମୁଁ ଯଦି ବାସ୍ତବିକ୍‌ ମୋର ଭାବପ୍ରବଣତାରେ ଅଜାଣତରେ କାହାର କିଛି କ୍ଷତି କରୁଥାଏ–ତେବେ ତାଙ୍କର ସାବଧାନ କରିଦେବା ଯୁକ୍ତିଯୁକ୍ତ ।

 

–ଧୂଆଁଳିଆ ଭାବନାଗୁଡ଼ାଏ ମୁଣ୍ଡଭିତରେ ଖେଳି ଲାଗିଲା ।

 

ସନ୍ଧ୍ୟାବେଳେ ବନ୍ଧୁ ବୁଲିଯିବାପାଇଁ ଉଦ୍ୟତ ଦେଖି କହିପକାଇଲି–‘‘ତୁମର କିଛି ଦୋଷ ନାହିଁ ରାମସ୍ୱରୂପ, ମୁଁ ଯଦି ସତରେ ଅଜାଣତରରେ କାହାର କ୍ଷତି କରି ଲାଗିଥାଏ, ତେବେ ମୋତେ ସାବଧାନ କରିଦେବା ତୁମର ଯଥାର୍ଥ କର୍ତ୍ତବ୍ୟ ।’’

 

ରାମସ୍ୱରୂପ ମୋର ଏଇ ପରିବର୍ତ୍ତିତ ମନୋବୃତ୍ତି ପିଲାଳିଆମୀ ଭାବିଥିବେ । ‘‘ଆଚ୍ଛା, ସେ କଥା ଦେଖାଯିବ ।’’ ସେ ଚାଲିଗଲେ ।

 

ମୁଁ ଅତ୍ୟନ୍ତ ଲଜ୍ଜିତ ହେଲି । –ମାନସିକ ଉତ୍ତାପ ବଢ଼ିଚାଲିଲା ।

 

ଦ୍ରୁତଗାମୀ ଏକମୁଖୀ ଶକ୍ତି ଲୁକ୍‌କାୟିତ କୌଣସି ବସ୍ତୁ ସହିତ ଧକ୍‌କା ଖାଇ ଦିଗ ଫେରାଇ ନିଜର ଶକ୍ତି–ସମତା ନଷ୍ଟ କରିଥାଏ ।

 

ଚାମେଲୀ ପାଖକୁ ନ ଯାଇ ସେଇ ନିଃଶବ୍ଦ କୋଠରୀରେ ଏକାଟିଆ ବସିରହି ଅତୀତର ଗୋଟାଏ ରଫା କରିନେବାକୁ ଇଚ୍ଛା ହେଲା । ଅଶାନ୍ତ ମସ୍ତିଷ୍କ ନେଇ ଅତୀତକୁ ବିଶ୍ଳେଷଣ କରିଲାଗିଲି । –ଚରିତ୍ରହୀନ ଯୁବକ–ଆଗ୍ରାର ବେଶ୍ୟା–ଶେଫାଳିକାଙ୍କର ପ୍ରେମର ପ୍ରତିକ୍ରିୟା–ଚାମେଲୀଙ୍କର ଆକର୍ଷଣ.... ।

 

ମୁଁ କାହାର କ୍ଷତି କରିପାରେ ବୋଲି ରାମସ୍ୱରୂପ ଅନୁମାନ କରନ୍ତି ? –ଚାମେଲୀ ?

 

ସମ୍ଭବ । ଆଉ ତାଙ୍କର ଅନୁମାନ ହୁଏତ ଠିକ୍‌ । –ନ ହେଲେ ମୋର ଏ ସବୁ ପାଗଳାମି କାହିଁକି ? –କେଉଁ ଏକ ଦରିଦ୍ରା କୃଷ୍ଟିହୀନା ସଂସ୍କୃତିହୀନା ତରୁଣୀ–ନୈତିକତା ଯେ ବୁଝେନା–ଅଶ୍ଳୀଳତା ଯାହାର ଆଦର୍ଶ..... ।

 

କିଛି ଗୋଟାଏ ବାଧା ଦେଲା ।

 

କିନ୍ତୁ ସେଇଟା ଭୁଲ୍‌ । ସ୍ନେହ କିମ୍ବା ପ୍ରେମର କଳ୍ପିତ ପାର୍ଥକ୍ୟ ନେଇ ସନ୍ତୁଷ୍ଟ ରହିବା ମୋର ବୋକାମି । ନିଛକ ପ୍ରେମ ଛଡ଼ା ସେ ଆଉ କିଛି ନୁହେଁ । ନଚତ୍‌ ତା’ର ବେରାମର ଖବର ପାଇ ଆସନ୍ନ କର୍ତ୍ତବ୍ୟ ଭୁଲି ଏତେଦୂର ଭାବପ୍ରବଣ ହେବା କାରଣ ? ପୁଣି ଏଇ ଶେଷ ଚିଠିରୁ–ସେମାନେ ନିଲ୍ଲଜ୍ଜ ଭାବରେ ପୁଣି ସାହାଯ୍ୟ ଚାହିଁଥିବା ଜାଣି ସୁଦ୍ଧା ଅକୃତ୍ରିମ ବନ୍ଧୁର ବିରୁଦ୍ଧ ମତ ନେଇ କାର୍ଯ୍ୟ କରିବାର ଅର୍ଥ ?

 

ହଁ–ମୁଁ ଏତେଦିନ ଧରି ଶେଫାଳିକାଙ୍କୁ ପ୍ରେମ କରି ଆସିଛି–ଅଲକ୍ଷିତଭାବରେ । ରାମସ୍ୱରୂପ କେବଳ ଏଇ ସତ୍ୟଟିକୁ ମୋ ଆଗରେ ଖୋଲି ଦେବାକୁ ଚେଷ୍ଟା କରୁଥିଲେ ।

 

ଓଃ ! ଚାମେଲୀଙ୍କ ପ୍ରତି ମୁଁ ତେବେ ଅନ୍ୟାୟ କରିଆସିଛି ।

 

–ତାଙ୍କର ପ୍ରେମ ନେଇ ଖେଳିବା ମୋର ବର୍ବରତା ।

 

ମୁଣ୍ଡ ଘୂରି ଲାଗିଲା.....

 

ଏହାପରେ ଆଉ ଦୁଇ ତିନି ଦିନ ଧରି କଲେଜ ଯାଇନାହିଁ । ଚାମେଲୀଙ୍କୁ ତାଙ୍କ ଘରେ ଭେଟିବାକୁ ମଧ୍ୟ ସାହସ ନ ଥିଲା । ତାଙ୍କ ଆଗରେ ମୋର ଏଇ ନୂତନ ‘ସତ୍ୟ’ ପ୍ରକାଶ କରିବି କିପରି ? ଏତେବଡ଼ ଧକ୍‌କା–ସେ ସମ୍ଭାଳି ପାରିବେ ?

 

ତୁମ କଥାରେ ମୋର ‘‘ବିଶ୍ୱାସ ଅଛି ।’’ –କେତେ ନିର୍ଭରଦେଇ ସେ କହିଥିଲେ । ଫୁଲପରି କୋମଳ ଯାର ମନ...

 

ପାଗଳ–ପାଗଳ–ବଦ୍ଧପାଗଳ ପାଲଟି ଯିବି ମୁଁ ?

 

‘‘ଏ କ’ଣ ଭାଇ ! ଆଜି ମଧ୍ୟ କଲେଜ ଯିବ ନାହିଁ ?’’ ରାମସ୍ୱରୁପ ଉତ୍କଣ୍ଠାର ସହିତ ପଚାରିଲେ ।

 

‘ନା ଭାଇ, ଦେହଟା କିପରି ଖରାପ ଲାଗୁଛି ।’’

 

‘‘ଆଚ୍ଛା–ଆଚ୍ଛା । କିନ୍ତୁ ଚାମେଲୀ କାଲି ତୁମ କଥା ପଚାରୁଥିଲେ ତାଙ୍କୁ କ’ଣ କହିବି ?’’

 

ଚାମେଲୀ ନା’ ଶୁଣି ଚମକ ଖେଳିଲା । କହିଲି–‘‘ଯଦି ଭଲଲାଗେ, ତାହାହେଲେ ମୁଁ ଶେଷ ପିରିଅଡ଼ଟା କ୍ଳାସରେ ଯୋଗ ଦେଇପାରେ ।’’

 

‘‘ଆଚ୍ଛ’’ କହି ରାମସ୍ୱରୂପ ଚାଲିଗଲେ ।

 

ଭାବିଲି–ଆଜି କ୍ଳାସକୁ ନ ଗଲେ ସୁଦ୍ଧା ଚାମେଲୀ ସହିତ ନିଶ୍ଚୟ ଦେଖା କରିବି । –ଅନାସକ୍ତ ନିରପେକ୍ଷଭାବରେ ସମସ୍ତ ବିଷୟ ପ୍ରକାଶ କରିଦେବି । କହିବି–‘‘ଚାମେଲୀ–ତୁମେ ମୋଠାରୁ ଦୂରେଇଯାଅ । ମୁଁ ତୁମର ଅଯୋଗ୍ୟ; ମୁଁ ପାଷଣ୍ଡ ।’’

 

‘‘ଆଜି ମୋର ବଡ଼ ଭାଗ୍ୟ । ଏତେଦିନଯାଏଁ ନିଜକୁ କେଉଠି ଲୁଚାଇ ରଖିଥିଲ ଶୁଣେ-? ଦେହ ତେବେ ଭାରି ଖରାପ ଥିଲା–ନା ?’’

 

ଶୁଖିଲା ହସ ଟିକକ ରୋକିନେଲି ।

 

‘‘ଏ ପର୍ଯ୍ୟନ୍ତ ଦେହ ଭଲ ହୋଇ ନାହିଁ ତାହାହେଲେ ?’’ ଚାମେଲୀ ଉଦ୍‌ବେଗ ପ୍ରକାଶ କଲେ ।

 

‘‘ନା–ଦେହ ତ ବେଶ ଭଲ ଅଛି–କିନ୍ତୁ ଏଇ ମନଟା !’’ କହିବାର ଉପକ୍ରମ କଲି ।

 

ପାଖରେ ଆସି ବସିପଡ଼ି ସେ କହିଲେ–‘‘ଓହୋ–ତାହାହେଲେ ଅଭିନୟ ଆରମ୍ଭ ହେଲା-?’’

 

ଏତେବଡ଼ ଗୁରୁତ୍ୱ ନେଇ ଯେତେବେଳେ ଆସିଥିଲି, ଏଇଭଳି ହାଲୁକା ପରିହାସ ମୋତେ ଭଲ ଲାଗୁ ନ ଥାଏ ।

 

‘‘ନା–ଅଭିନୟ ନୁହେଁ । ମୁଁ ଗୋଟାଏ ବିଷୟରେ ନିଷ୍ପତ୍ତି କରିଦେବାକୁ ଆସିଛି ।’’

 

କଣ୍ଠର ଆକସ୍ମିକ ଗଭୀରତାରେ ସେ ବିସ୍ମିତ ହୋଇଥିବେ । ତାଙ୍କର ମୁହଁକୁ ଚାହିଁ କହିବାର ମୋର ସାହସ ନ ଥଲା । ମୁହଁ ପୋତିଦେଲି । ଶୁଖିଲା ଗଳାରେ ସେ ପଚାରିଲେ, ‘‘କ’ଣ-?’’

 

‘‘ତୁମ ପାଖରେ ଆଜି ପ୍ରକାଶ କରିଦେବାକୁ ଚାହେଁ ଯେ ମୁଁ ଅନ୍ୟ କୌଣସି ଝିଅକୁ ଭଲ ପାଏ । ଆଉ ତୁମର ସ୍ୱାର୍ଥ ଦୃଷ୍ଟିରୁ ତୁମେ ମୋ ସହିତ ସମସ୍ତ ସମ୍ପର୍କ ଛେଦ କରିଦେବା ନିତାନ୍ତ ଦରକାର ।’’

 

କଥାର କି ଧରଣର ପ୍ରତିକ୍ରିୟା ତାଙ୍କ ମୁହଁରେ ଦେଖାଦେଇଥିଲା–ତାକୁ ଲକ୍ଷ୍ୟ କରିବା ମୋର ସାହସ ନ ଥିଲା । ମନ ଭିତର ଝଡ଼ଟାକୁ ସମ୍ଭାଳିନେବାକୁ ମୁଁ ଚେଷ୍ଟାକରୁଥିଲି ।

 

ଚାମେଲୀ କିଛି ସମୟ ପରେ ଆହତ ଅଥଚ ଧୀରଭାବରେ ପ୍ରଶ୍ନ କଲେ–‘‘କିନ୍ତୁ ତୁମେ ଯେ ମୋତେ କଥା ଦେଇଥିଲ ?’’

 

‘‘ହଁ, ଦେଇଥିଲି ସତ ।’’ ଟିକିଏ ଥମିଯାଇ କହିଲି, ‘‘ମୋର ନିଜ ଉପରେ ବିଶ୍ୱାସ ନାହିଁ ଚାମେଲୀ । ଅନେକ ଦିନ ପର୍ଯ୍ୟନ୍ତ ମୁଁ ଜାଣିପାରି ନ ଥିଲି ଯେ ମୁଁ ପ୍ରକୃତରେ ଆଉ ଜଣକୁ ଭଲ ପାଏ...’’

 

‘‘ତୁମର ନିଜ ଉପରେ ବିଶ୍ୱାସ ନାହିଁ’’

 

‘‘ନା–ମୋତେ କ୍ଷମା କର ଚାମେଲୀ, ମୁଁ ଚରିତ୍ରହୀନ, ଦୁର୍ବଳ.... ।’’ –ମୁଁ ସତକୁ ସତ ସେହିଭଳି ମନେ କରୁଥିଲି ।

 

ଚାମେଲୀ ଆହୁରି ପାଖକୁ ଲାଗି ଆସି କହିଲେ, ‘‘କାହିଁ, ଦେଖ ତ ମୋ ଆଡ଼େ ।’’

 

ଦେଖିବାକୁ ମୋର ସାହସ ନ ଥିଲା ।

 

‘‘ତୁମେ ଯଦି ଏତେ ଦୁର୍ବଳ, ତୁମେ କିପର ବୁଝି ପାରିଛ, ତୁମେ ଅନ୍ୟ ଜଣକୁ ନିବିଡ଼ ଭାବରେ ଭଲପାଅ ? ହୁଏ ତ ତୁମର ଏକ ସାମୟିକ ମାନସିକ ଦୁର୍ବଳତା ।’’ –ଚାମେଲୀ ନରମ ଗଳାରେ ପ୍ରଶ୍ନ କଲେ ।

 

ମୁଁ ନୀରବ ରହିଲି– । ରକ୍ତର ଉତ୍ତପ୍ତ ଚଞ୍ଚଳ ପ୍ରବାହ ହଠାତ୍‌ ଶୀତଳ ଆଉ ଧିମେଇ ଆସିବା ପରି ମନେ ହେଲା । –ଏଇ ଦିଗଟା ତ ମୁଁ ଦେଖିପାରି ନ ଥିଲି । ତଥାପି– ।

 

‘‘ଦେଇପାରେ–’’ ମୁଁ କହିଲି । ‘‘ଗତ କେତେଦିନ ଧରି ମାନସିକ ଉତ୍ତେଜନାରେ ମୁଁ ବୁଦ୍ଧି ବିବେକ ହରାଇ ବସିଛି– । ତଥାପି ଏ କଥା ଜାଣି ରଖ ଯେ ଅନ୍ୟ କୌଣସି ତରୁଣୀର ପ୍ରଭାବ ମୋ ଉପରେ ପଡ଼ିଛି । ଆଉ ମୋର ସନ୍ଦେହ ହୁଏ ମୁଁ ତାକୁ ଭଲ ପାଏ......’’

 

ଚାମେଲୀଙ୍କର ମନ–ବିଷର୍ଣ୍ଣ ଦୃଷ୍ଟି ଆଗରୁ ମୁଁ ଦୂରେଇ ଯିବାକୁ ଚାହୁଁ ଥିଲି ।

 

‘‘ମୋତେ କେତେ ଦିନ ଭାବିବାକୁ ସମୟ ଦିଅ–ନ ହେଲେ ମୁଁ ପାଗଳ ହୋଇଯିବି ।’’

 

‘‘ସେ ଝିଅଟି କିଏ ମୁଁ ଜାଣି ପାରେ କି ?’’ –ଯିବାକୁ ଉଦ୍ୟତ ହେବା ଦେଖି ସେ ପଚାରିଲେ ।

 

‘‘ନା–ଏଇଥରକ ମୋତେ କ୍ଷମା କର । ମୁଁ ଆସେ– ।’’

 

ମୁଁ ଶୀଘ୍ର ପାଦ ଫେରାଇଲି । ଚାମେଲୀ ଆଉ ବାଧା ଦେଇ ନାହାନ୍ତି, ମନ ଭିତରେ ତାଙ୍କର କି ଆନ୍ଦୋଳନ ଲାଗି ରହିଥଲା–ସେ ସବୁ ବୁଝିବା ଶକ୍ତି ମୋର ନ ଥିଲା ।

 

ଏସବୁ କ’ଣ ହେଲା ? ଚାମେଲୀ ସହିତ ଏ ଭଳି ବ୍ୟବହାର କରି ଆସିବା ଯୁକ୍ତିଯୁକ୍ତ ?

 

....ତଥାପି ମୁଣ୍ଡଟା ହାଲୁକା ମନେ ହେଲା । –ଚାମେଲୀଙ୍କୁ କହି ଦେଇ ମୁଁ ଭଲ କରିଛି-। ଯଦିବା ମୁଁ ଅବାଟରେ ମାଡ଼ି ଚାଲିଥାଏ, ତେବେ ସେ ଦିଗରୁ ଫେରାଇ ଆଣିବା ଦାୟିତ୍ୱ କ’ଣ ତାଙ୍କର ନୁହେଁ ?

 

–ମୋର ବ୍ୟବହାରରେ ତ ସେ ବିରକ୍ତ ହୋଇ ନାହାନ୍ତି, ବରଂ ଆଘାତ ପାଇ ସହାନୁଭୂତି ଦେଖାଇଛନ୍ତି । ଏତେ ସ୍ନେହ ।

 

ଏ ପୁଣି କ’ଣ ? ଚାମେଲୀଙ୍କ ପ୍ରତି ଆକର୍ଷଣ ତ କିଛି କମ୍‌ ନୁହେଁ ? ତେବେ କାହିଁକି ମୁଁ.... ?

 

ଚାମେଲୀ ତେବେ ଯାହା କହିଲେ ସତ–ଶେଫାଳିକା ପ୍ରତି ଏହା ଗୋଟାଏ ସାମୟିକ ମାନସିକ ଦୁର୍ବଳତା । କିନ୍ତୁ.... ଅଡୁଆ ସୂତାଗୁଡ଼ାକ । ବାଟ ମିଳେ ନାହିଁ । ଖିଅ ମଧ୍ୟ ଧରି ହୁଏ ନାହିଁ-

 

ମନର ସୂକ୍ଷ୍ମ ପ୍ରତିକ୍ରିୟାଗୁଡ଼ିକ ବିଶ୍ଳେଷଣ କରିବା ଅନେକ ସମୟରେ ଦୁଃସାଧ୍ୟ । କିନ୍ତୁ ଅସମ୍ଭବ ହୁଏ–ଯେତେବେଳେ ମନ ନିଜ ଶାସନରେ ନ ଥାଏ । ମଣିଷ ତା’ର ବ୍ୟବହାରର ଯଥାଯଥ କାରଣ ବୁଝିପାରେନା–ବୁଝିବାର ଚେଷ୍ଟାହିଁ ନ ଥାଏ ।

 

ସେ ଦିନର ଘଟଣା ପରେ ଏଣିକି ସବୁଦିନ ଚାମେଲୀଙ୍କର ଦୃଷ୍ଟି ଏଡ଼ାଇବାକୁ ଚେଷ୍ଟା କଲି । ବନ୍ଧୁତା କିମ୍ବା ଭଦ୍ରତା ଦୃଷ୍ଟିରୁ ମଧ୍ୟ ଯେତକ ମୋ ପାଖରୁ ପ୍ରତ୍ୟାଶିତ ସେତକ ମୋ ପକ୍ଷରୁ ସମ୍ଭବ ନଥିଲା ।

 

ମୁଁ ବୁଝୁଥିଲି ସେଦିନ ମୁଁ ତାଙ୍କ ପାଖରୁ ସମସ୍ତ ସମ୍ପର୍କ ତୁଟାଇ ପାରି ନ ଥିଲି । କେତେଟା ଦିନର ନିଷ୍କୃତି ମାଗିଥିଲି ମାତ୍ର । କିନ୍ତୁ ଏଇ ଦିଓଟିର ପାର୍ଥକ୍ୟ ମୋ ବ୍ୟବହାରରେ ଦେଖାଯାଉ ନ ଥିଲା, ଯଦିଓ ଶେଫାଳିକା ପ୍ରତି କୌଣସି ବିଶେଷ ଆକର୍ଷଣ ଏହା ଭିତରେ ବଢ଼ିପାରି ନାହିଁ ।

 

ଏଇଭଳି ବ୍ୟବହାରର କାରଣ ମୁଁ ଖୋଜି ପାଇ ନ ଥିଲି । ଚେଷ୍ଟା ମଧ୍ୟ ନ ଥିଲା । ....ବରଂ ସମୟେ ସମୟେ ଗୋଟାଏ ଗୁପ୍ତ ବେପରବାୟ ଆନନ୍ଦ... ।

 

ଚାମେଲୀ ବିଶେଷ ଆହତ ହୋଇଥିବେ । ଅନେକଥର ଫେରି ଚାହେଁ–ସମ୍ଭବତଃ ଅନେକ କ୍ଷଣ ଧରି ସେ ମୋ ଆଡ଼କୁ ଚାହିଁ ରହି କ’ଣ ଭାବି ଲାଗିଛନ୍ତି । ବୁଝେ–କିନ୍ତୁ ମୁହଁ ଫେରାଇ ନିଏ । ଦରଦି ଲାଗେ ନା–ବରଂ ଦରଦି ଦେବାର ଆନନ୍ଦ ।

 

ଆମର ଏଇ ପରିବର୍ତ୍ତିତ ବ୍ୟବହାର ଅନ୍ୟମାନଙ୍କର ଦୃଷ୍ଟି ଏଡ଼ି ନ ଥିଲା । କେତେଜଣ ବନ୍ଧୁଙ୍କର ଅପ୍ରୀତିକର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଲା ମୋତେ । –ଚାମେଲୀ ମଧ୍ୟ ବାଦ୍‌ ଯାଇ ନ ଥିବେ ।

 

ସେଦିନ–

 

କ୍ଳାସ ଶେଷରେ ସାଙ୍ଗମେଳରେ ଠିଆ ହୋଇ ମୁଁ କଥାବାର୍ତ୍ତା କରୁଥିଲି ।

 

‘‘ଆପଣଙ୍କ ସହିତ ମୋର କଥାବାର୍ତ୍ତା ଅଛି ।’’ ଚାମେଲୀ ଆସୁଥିବା ଦେଖି ମୁଁ ତାଙ୍କୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସିଧା ମୋତେ ପ୍ରଶ୍ନ କଲେ, ‘‘ଦୟାକରି ଏଣେ ଟିକିଏ ଆସିବେ କି ?’’

 

ବହୁଦିନ ପରେ ଏଇ ‘ଆପଣ’ ଶବ୍ଦଟା ।

 

ମନା କରିଦେବା ମୋ ପକ୍ଷରେ ନିଶ୍ଚିତ ଅଭଦ୍ରତା ହୋଇଥାନ୍ତା । ମୁଁ ବୁଝି ପାରିଥିଲି ଯେ ମୁଁ ଯେଉଁ ଖେଳ ଖେଳି ଆସିଛି–ତାହା କେବଳ ଅଯଥାର୍ଥ ନୁହେ–ଅନେକ ସ୍ଥଳରେ ଅସୁନ୍ଦର ଆଉ ବେଆଦବ ହୋଇ ପଡ଼ିଛି ।

 

‘‘ଆସୁଛି ।’’ –ମୁଁ ଅନୁସରଣ କଲି ।

 

କିଛି ଦୂର ଯିବା ପରେ ମଧ୍ୟ କାରଣ ପଚାରିବାକୁ ମୋର ସାହସ ନ ଥିଲା । ତାଙ୍କର ଗମ୍ଭୀରତାରେ ବିରାଗ ବା ଦୁଃଖ ଥିଲା ମୁଁ ବୁଝିପାରୁ ନଥିଲି । ଲଜ୍ଜିତ ହେଉଥାଏ–ପଛରେ ବନ୍ଧୁମାନେ ଏଭଳି ନୀରବ ଅନୁସରଣ କରୁଥିବା ଦେଖି କ’ଣ ଭାବୁଥିବେ ।

 

ନିଜେ ହ୍ୱିଲ୍‌ ପାଖରେ ବସି ମୋତେ ପାଖରେ ବସିବାକୁ ସେ ଇଙ୍ଗିତ କଲେ । ଏଭଳି ଗମ୍ଭୀର ନୀରବ ଇଙ୍ଗିତ ପରେ ମୁଁ କିଛି ସାହସ ନେଇ ପଚାରିଲି–‘‘କେଉଁଆଡ଼େ ଯିବାକୁ ହେବ ?’’

 

‘‘ସୁନା ପିଲାଟି ପରି ବସି ପଡ଼ ।’’ ସେ ଧୀର ଭାବରେ ଆଦେଶ କଲେ । ଆଉ ମୁଁ ସେହିପରି ବସି ରହିଲି ।

 

ବାଟଯାକ ପଦେ ହେଲେ କଥା ନାହିଁ । ମୁଁ ବିସ୍ମିତ ହେଲି । ଚୋରକୁ ହାତକଡ଼ା ଦେଇ ଆଣିବା ପରି ମୋତେ ଏ ଭଳି ବାଧ୍ୟ କରି ଆଣିବା ଅର୍ଥ ?

 

ଅଥଚ–ପ୍ରତିବାଦ କରିବାର ସାହସ ମୋର ନ ଥିଲା ।

 

‘କାର୍‌’ର ଗତି ବନ୍ଦ କରି ଓହ୍ଲାଇ ପଡ଼ି ବିଜୟିନୀର ଚାପା ହସ ଖେଳାଇ ସେ କହିଲା–‘‘ଏଇଥର ଆସ ।’’

 

ଅଭିନୟର ଶିକାର ହୋଇ ସୁଦ୍ଧା ତାଙ୍କର ଏହି ଅଭିନୟ ଦେଖି ମନେ ମନେ ହସ ମାଡ଼ୁଥାଏ । କିନ୍ତୁ ମୁଁ ପ୍ରକାଶ କରିବାକୁ ଚାହେଁ ନା ।

 

ନୀରବରେ ଘର ଭିତରେ ପ୍ରବେଶ କଲି ।

 

ନିଜର କାର୍ଯ୍ୟରେ ଚାମେଲୀ ଯେ ଖୁସି ହେଇଛନ୍ତି–ସନ୍ଦେହ ନ ଥିଲା । କିନ୍ତୁ ସେ ମଧ୍ୟ ପ୍ରକାଶ କରିବାକୁ ଚାହାନ୍ତି ନାହିଁ ।

 

ଜଳଖିଆ ନେଇ ଆସି ଚାମେଲୀ ଗମ୍ଭୀର ଭାବେ କହିଲେ, ‘‘ମୋତେ ଟିକିଏ ସାହାଯ୍ୟ କରିବେ କି ?’’

 

‘‘ଅବଶ୍ୟ ।’’ –ଗୋଟାଏ କେକ୍‌ ଉଠାଇ ଆଣିଲି ।

 

ନୀରବରେ ଜଳଖିଆ ଶେଷ ହେଲା ।

 

ମଝିରେ ଥରେ ମାତ୍ର ଚାମେଲୀ ମୋର ଆଖି ସହିତ ତାଙ୍କର ଆଖି ମିଳାଇଥିଲେ । –ଏ ଯେ ଗୋଟାଏ ଜୀବନ୍ତ ପ୍ରହସନ–ବୁଝି ପାରିଥିଲି ।

 

‘‘ହୁ–ତା’ପରେ ?’’ ଟେବୁଲ୍‌ ସଫା କରି ଚାମେଲୀ ପାଖରେ ବସି ପଡ଼ି ପଚାରିଲେ । ଆଖିରେ ତାଙ୍କର କୌତୁକ ।

 

‘‘ମାନେ ?’’ ମୁଁ ସେମିତି ଗମ୍ଭୀର ହୋଇ ପଚାରିଲି ।

 

‘‘ପ୍ରହସନ ଶେଷ ହେଲା ?’’

 

‘‘ନା–ଆଉ ଟିକିଏ ଚଳାଇବାକୁ ମୋର ଇଚ୍ଛା ।’’ ମୁଁ ଧୀର ଭାବରେ ଉତ୍ତର ଦେଲି ।

 

‘‘କାହିଁକି ?’’

 

‘‘ଚୋର ପରି ଏପରି ଧରି ଆଣିବା ଅର୍ଥ ?’’

 

‘‘ତୁମେ ଚୋର ପରି ବ୍ୟବହାର କରିଥିବ ! –ଆଉ କେତେଦିନ ମହଲତ ଚାହଁ ?’’ –ସେ ହସି ଉଠିଲେ ।

 

‘‘ହେଲି ଅବା ମୁଁ ଚୋର । କିନ୍ତୁ ମୋର ମୁହଁ ବଞ୍ଚେଇବା ଉପାୟଟି ବତେଇ ଦିଅ ।’’ ରହସ୍ୟ ସତ୍ତ୍ୱେ ମୋର ଗମ୍ଭୀରତା ଭାଜି ନ ଥିଲା ।

 

‘‘ବାଃରେ, ମୁଁ ଚୋର ଧରି ଆଣିଛି । ଆଉ ତାକୁ ମୁହଁ ବଞ୍ଚେଇବା ଉପାୟ କହିଦେବି ! ମୋର ଏତେ କି ଦରକାର ? –ବାପାଙ୍କ ଆଗରେ ପେଶ୍‌ କରିଦେଲେ କାମ ଶେଷ ।’’

 

ବାପାଙ୍କ ପାଖରେ ? ମୋର ବୁଦ୍ଧି ହଜିଗଲା । ଚାମେଲୀ ପାଖରୁ ସହଜରେ ରକ୍ଷା ପାଇଛି । କିନ୍ତୁ ଡ଼ାକ୍ତର ମୁଖାର୍ଜୀ– ? ପଚାରିଲେ କ’ଣ ଉତ୍ତର ଦେବି ?

 

‘‘ନା–ଚାମେଲୀ, ଅନ୍ତତଃ ଆଜିକ ପାଇଁ ମୋତେ ଉଦ୍ଧାର କର ।’’ ଅନୁନୟ କଲି ।

 

‘‘ବେଶ୍‌ ତାହାହେଲେ ମୋ ଆଗରେ କୈଫିୟତ୍‌ ଦିଅ ।’’ ସେ ଦାବି କଲେ ।

 

ଦୋଷ ମାନି ନେଇ, ଦାୟୀ କଲି ମାନସିକ ଦୁର୍ବଳତାକୁ, ଚାମେଲୀ ହସି ଲାଗିଲେ ।

 

‘‘ତାହାହେଲେ ଏଇ ଚୋର ପାଲା ଶେଷ ହେଲା ?’’ ପଛଆଡ଼ୁ ସେ ମୋର ମୁହଁଟିକୁ ଟେକିନେଇ ପଚାରିଲେ ।

 

‘‘ନିଶ୍ଚୟ ।’’

 

‘‘କାନମୋଡ଼ି ହୁଅ ।’’

 

‘‘ଯେ ଆଜ୍ଞା ।’’ ମୁଁ ହାତ ଉଠାଇ ନାକ ମୋଡ଼ିବାକୁ ଯାଉଥଲି ।

 

‘‘ନା–ନା–ଯଥେଷ୍ଟ ହେଇଛି ।’’ ଚାମେଲୀ ଖିଲି ଖିଲି ହସି ଉଠି ବାଧା ଦେଲେ ।

 

ସାମନାରେ ଡାକ୍ତରବାବୁଙ୍କୁ ଦେଖି ମୁଁ ଧଡ଼ ପଡ଼ ଉଠି ନମସ୍କାର କଲି । ସମସ୍ତ ସେ ଦେଖି ପାରିଛନ୍ତି ବୋଲି ସନ୍ଦେହ ହେଲା–କାରଣ ହଠାତ୍‌ ହସ ଚାପି ନେଇ ସେ ସ୍ନେହପୂର୍ଣ୍ଣ ଗମ୍ଭୀର ସ୍ୱରରେ କହଲେ, ‘‘ବସ, ବାପା ବସ । ମା’ ଚାମେଲୀ, କାହିଁ ସେ ଷ୍ଟେଥିସ୍କୋପ୍‌ଟା ଦେ’ ତ ।’’

 

କାର୍‌ ଚାଲିଯିବାପରେ ଚାମେଲୀ ଯେତେବେଳେ ଝରକା ପାଖରୁ ଫେରି ଆସନ୍ତି–ଆସ୍ୱସ୍ତିର ନିଃଶ୍ୱାସ ମାରି କହିଲି–‘‘ବଞ୍ଚିଗଲି ! ବାପା ମୋତେ କ’ଣ ଭାବିଥିବେ କହ ତ ?’’

 

‘‘କ’ଣ ଭାବିଥିବେ ?’’ ଗାଲ ଦିଓଟି ସେ ଥାପୁଡ଼େଇ କହିଲେ, ‘‘ପକ୍ଷୀଟି ପୁଣି ପଞ୍ଜୁରୀ ଭିତରକୁ ଫେରି ଆସିଛି ।’’

 

ବଲ୍‌ବଲ ପାଖରେ ତିନି ଚାରିଟା ନେଳି ପୋକ ଛଟ ପଟ ହେଉଥାନ୍ତି ।

 

ମନଟା ହାଲୁକା ଲାଗୁଥାଏ । ଚାମେଲୀଙ୍କ କୌଶଲ । ଆଉ ମୁଖାର୍ଜୀଙ୍କ ଲକ୍ଷ୍ୟରେ ଆମର ସେହି ପ୍ରହସନ ଅଭିନୟ– । ଆଃ, କି ଲଜ୍ଜ୍ୟାକର । କିନ୍ତୁ ଳଜ୍ଜା ଅପେକ୍ଷା ସୁଖକର ଅନୁଭୂତି ହିଁ ଅଧିକ ଥିଲା ।

 

ରାମସ୍ୱରୂପ ହଠାତ୍‌ କହି ଉଠିଲେ, ‘‘ସରୋଜ । ଯଦି କିଛି ନ ଭାବ, ତୁମକୁ କିଛି ପଚାରିବାକୁ ଚାହେଁ ।’

 

‘‘କ’ଣ ?’’

 

‘‘ଚାମେଲୀ ସହିତ ତୁମର ଅନେକ ଦିନ ଧରି ଝଗଡ଼ା ହେବା କଥା କ’ଣ ସତ ?’’

 

ପ୍ରଶ୍ନଟା ଅପ୍ରତ୍ୟାଶିତ ।

 

‘‘ଠିକ୍‌ ଝଗଡ଼ା ନୁହେଁ, ତେବେ ଯାହା କିଛି ବା ହୋଇଥିଲା–ବର୍ତ୍ତମାନ ନାହିଁ ।’’

 

ଏହାପରେ ଆଉ ପ୍ରଶ୍ନ ଉଠି ନାହିଁ ।

 

‘‘ବାବା–ଭଗବାନଙ୍କର ଦୟା ଆଉ ତୁମର ଆଶୀର୍ବାଦରୁ ଶେଫାଳିକାର ଆଖି ଦିଓଟି ଏବେ ଭଲ ହୋଇଗଲାଣି । ଆଗପରି ସେ ଦେଖି ପାରୁଛି । ଛୁଟି ହେଲେ ଦୟାକରି ଲକ୍ଷ୍ନୌକୁ ଆସିବ । ସେଥର ପରି ଠକିବ ନାହିଁ......’’

 

‘‘ଦାଦା–ଫେରି ପାଇଥିବା ଆଖିରେ ଆପଣଙ୍କୁ ପୁଣି ଥରେ ଦେଖିବାକୁ ଇଚ୍ଛା କରେ । ଆଶା କରେ, ମୋର କଥା ରଖି ଏଠାକୁ ଆସିବେ । ଆସିବେ–ନିଶ୍ଚୟ ଆସିବେ ।’’

 

ଭାବ ଲାଗିଲି । ଗତଥର ଯିବି କହି ଯାଇ ନ ଥିଲି । ଭଉଣୀ ଆଉ ମା’ ବୋଲି ଡାକିବା ପରେ ତାଙ୍କର ନିମନ୍ତ୍ରଣ ରକ୍ଷା ନ କରିବା କ’ଣ ଉଚିତ ? ଅବଶ୍ୟ ଶେଫାଳିକା ମୋତେ ପ୍ରେମିକ ରୂପେ ପାଇବା ପାଇଁ ସୂଚନା ଦେଇଥିଲେ । କିନ୍ତୁ ପ୍ରକାଶ୍ୟ କିମ୍ବା ସ୍ପଷ୍ଟ ଭାବରେ ତ କହି ନାହାନ୍ତି । ପୁଣି ମୁଁ ଯେତେବେଳେ ନିଜ ତରଫରୁ ନାରାଜ ବୋଲି ସୂଚନା ଦେଇ ସାରିଛି, ଆଉ ଚିଠିରେ ସେ ‘ଦାଦା’ ବୋଲି ଡାକି ଆସିଛନ୍ତ, ସେତେବେଳେ ମୁଁ ଯିବାଟା କ’ଣ ଅନୁଚିତ ଅସଙ୍ଗତ ?

 

ଅବଶ୍ୟ ମୁଁ ତାଙ୍କର ସ୍ପର୍ଶ ସୁଖ ଏବଂ କିଶୋର ବିରୁଦ୍ଧରେ ସମୟେ ସମୟେ ଇର୍ଷା ଅନୁଭବ କରିଥିଲି । କିନ୍ତୁ ସେ ସବୁ ସ୍ନେହର ପ୍ରତିକ୍ରିୟା ନ ହେବ କାହିଁକି ? ପ୍ରେମ ଏବଂ ସ୍ନେହ ଭିତରେ ପ୍ରଭେଦ କ’ଣ ? ଏହାର ଯଦି ସମାଧାନ ହେଇ ପାରନ୍ତା... ।

 

ମନ ଗହୀରରେ ଅନେକ ପ୍ରଶ୍ନ ଉବୁରି ଉଠିଲା... ।

 

ପ୍ରେମ କ’ଣ ମନ ଓ ଅଙ୍ଗର ପୂର୍ଣ୍ଣ ଦାନ–ପ୍ରତିଗ୍ରହଣ ଆକାଂକ୍ଷା ? କିନ୍ତୁ ଅଙ୍ଗ ଦାନ–ପ୍ରତିଗହଣ ଆକାଂକ୍ଷା ନ ଥାଇ ମଧ୍ୟ ତ ପ୍ରେମ ସମ୍ଭବ ! ସ୍ନେହ ମଧ୍ୟ ସମ୍ଭବ । ତେବେ ପ୍ରେମ ଓ ସ୍ନେହର ସୀମାରେଖା କେଉଁଠି ?

 

ପ୍ରେମଟା କ’ଣ ସର୍ବଦା ଏକାଭିମୁଖୀ ହୋଇ ରହେ ଏକ ବ୍ୟକ୍ତି ସକାଶେ ? ବହୁମୁଖୀ ହେବା କ’ଣ ଅସମ୍ଭବ ? ହେଲେ, ତାହା କ’ଣ କଳୁଷିତ ହୁଏ ? କଳୁଷିତ ହୁଏ ଅସାମାଜିକ ବୋଲି-? ନା–ପ୍ରେମର ପ୍ରକୃତି ବଦଳେ ବୋଲି ? ପ୍ରେମ ଆଉ ଲାଳସା ଭିତରେ ପାର୍ଥକ୍ୟ ? ଜଣକୁ ପ୍ରେମ କରୁଛି ଭାବିବା ଅର୍ଥ ପ୍ରେମ କରିବା ? ଅସଙ୍ଗତ । ଆଦମ–ମାନବର ମୁହଁରେ ଯେତେବେଳେ ଭାଷା ଫୁଟି ନ ଥିଲା ପ୍ରେମ ଭଳି ଗୋଟିଏ ଶବ୍ଦ ପାଇଁ, ସେତେବେଳେ ସେ କ’ଣ ପ୍ରେମର ଆକର୍ଷଣ ଅନୁଭବ କରି ନ ଥିବ ?

 

ତେବେ ନାରୀ ଜାତି ପ୍ରତି ପୁରୁଷର କିମ୍ବା ପୁରୁଷ ଜାତି ପ୍ରତି ନାରୀର ଯେଉଁ ସ୍ୱାଭାବିକ ଆକର୍ଷଣ ଥାଏ, ଯାହା ଫଳରେ ପିତା କନ୍ୟା, ଭ୍ରାତା ଭଗିନୀ, ସ୍ୱାମୀ ସ୍ତ୍ରୀ ଆଉ ମାତା ପୁତ୍ରର ଭାବ ଜାତ ଓ ବିକଶିତ ହୁଏ–ପ୍ରେମ ସ୍ନେହ ସ୍ୱାଭାବିକ ଆକର୍ଷଣ ଗୋଟିଏ ସ୍ତର ? –ଏଇ ସ୍ତରରେ ସ୍ୱାମୀ ସ୍ତ୍ରୀ ନେଇ ମନ ଓ ଅଙ୍ଗର ପୂର୍ଣ୍ଣ ସହଯୋଗ ଓ ଆକାଂକ୍ଷା ଥାଏ ? ପ୍ରେମିକ ପ୍ରେମିକା ଗଢ଼ି ଉଠନ୍ତି ଏଇ ସହଯୋଗ ଓ ଆକାଂକ୍ଷା ନେଇ ?

 

ପୁଣି ତ ଫେରି ଆସିଲି ସେଇ ଆରମ୍ଭକୁ ! ପ୍ରେମ ଆଉ ସ୍ନେହ.... ।

 

–ପୂଜା ଛୁଟି ଶେଷ ହୋଇ ଆସୁଛି । ଚାମେଲୀ ବାପାଙ୍କ ସାଙ୍ଗରେ ଚାଲି ଯାଇଛନ୍ତି କଲିକତା । ରାମସ୍ୱରୂପ ଗାଁରେ । ଯଦି ଲକ୍ଷ୍ନୌ ଆଡ଼େ ଥରେ ଯାଇ ଘୂରି ଆସେ..... ?

 

ଏକ ବନ୍ୟ ଉତ୍ତେଜନା ଦେହ ଭିତରେ ଶିର ଶିରେଇ ଉଠିଲା ।

 

ମନର ପ୍ରତିକ୍ରିୟା ଦେଖି ସ୍ତମ୍ଭିତ ହେଲି । ଯେତେବେଳେ ଖିଆଲୀ ମନଟାକୁ ଉଡ଼ିଯିବାର ସ୍ୱାଧୀନତା ଦେଇଥିଲି, ସେତେବେଳେ ପ୍ରତିକ୍ରିୟା ଲକ୍ଷ୍ୟକରି ଶାସନ କରିବା ପ୍ରବୃତ୍ତି ମୋର ନ ଥିଲା । କିନ୍ତୁ ଯେଉଁଦିନ ଠାରୁ ଶାସନ କରିବାକୁ ଚେଷ୍ଟା କରି ଆସୁଛି–ବୁଝି ପାରୁଛି ଏ ଶାସନ କେତେ ଦୁଃସାଧ୍ୟ–ଜଟିଳ ।

 

ନା–ତଥାପି ମୋର ବିଶ୍ୱାସ ଅଛି ।

 

‘‘ଜୀ ? ବିରକ୍ତିମିଶା ସ୍ୱରରେ, ସେ ପଚାରିଲା ।

 

ଧୈର୍ଯ୍ୟ ରଖି ମୁଁ ପୁଣି ପଚାରିଲି ।

 

‘‘ନାହିଁ–ଇସ୍‌ ମକାନ୍‌ମେ ନହିଁ ।’’

 

‘‘ତୋ କାହାଁ ହେଁ ବତା ଶକ୍ତେ ?’’

 

‘‘ମୁଁଝେ ନାହିଁ ମାଲୁମ, ଉଧର ଢୁଁଢ୍‌ ଲେନା ।’’ ଗୋଟିଏ ଗଳି ଆଡ଼କୁ ନିର୍ଦ୍ଦେଶ କରି ସେ ତା’ର ଆଙ୍ଗୁଠିର ଘା’ ଆଡ଼କୁ ଦୃଷ୍ଟି ଦେଲା । ଘା’ଟାରେ ମାଛି ବେଢ଼ୁଥିବାରୁ ତା’ ଉପରେ ସେ ତା’ର ଧୋତିର କାନି ଖଣ୍ଡିକ ଘୋଡ଼ାଇ ଥାଏ ।

 

ଅଡ଼ୁଆରେ ପଡ଼ିଲି । ପିଲାଟାର ବିରକ୍ତି ଦେଖି ତାକୁ ପୁଣି ପଚାରିବାକୁ ଇଚ୍ଛା ହେଉ ନ ଥାଏ । ଅଥଚ ଏଇ ସ୍ଥାନର ଗଳି କନ୍ଦି ଖୋଜି ବୁଲିବା କେବଳ ଯେ ଲଜ୍ଜ୍ୟାଜନକ ତାହା ନୁହେଁ, ଅନ୍ୟର ସନ୍ଦେହ ଜନ୍ମାଇ ଅଯଥା ବିପଦକୁ ନିମନ୍ତ୍ରଣ କରିବା ମଧ୍ୟ ସମ୍ଭବ । ସନ୍ଦିଗ୍ଧ ଦୃଷ୍ଟିରେ ସେଇ ଅନ୍ଧାରିଆ ଗଳି ଆଡ଼କୁ ଚାହିଁ ଲାଗିଲା ।

 

‘‘ଆସ ବାପା–ଏଣେ ଆସ ।’’

 

ଫେରି ଦେଖେ ଜଣେ ମଧ୍ୟ–ବୟସ୍କା ନାରୀ । ମନେ ହେଲ ଗତ ଥର ଆସିବା ବେଳେ ମୁଁ ତାଙ୍କୁ ଦେଖିଥିଲି । –ନମସ୍କାର କଲି । ସେ ମୋତେ ବୁଝାଇଦେଲେ ଯେ ଗତ ଦୁଇ ଦିନ ହେଲା ଲାବଣ୍ୟମୟୀ ବସା ବଦଳାଇ ନେଇଛନ୍ତି ।

 

କୋଠରୀ ଚାରିଆଡ଼େ ଆଖି ବୁଲାଇ ଆଣିଲି । ଛୋଟିଆ କୋଠରୀଟି । –ଗୋଟିଏ ବୋଲି ଝରକା । କାନ୍ଥରେ ପଟା ମାରି ଥାକ ଥାକ କରି ଆଲମେରା ପରି କରା ଯାଇଛି । ବାକ୍‌ସ, ପେଡ଼ି, ବୁଜୁଳା ବହିପତ୍ର ସଜା ହୋଇ ଥୁଆ ହୋଇଛି ସେଇ ପଟା ଉପରେ । ତଳେ କ’ଣରେ ବାସନ କୁସନ–ବେଶୀ ନୁହେଁ । ଆଉ ଏକ କ’ଣରେ ଡୁବି ତବଲା–ଗୋଟାଏ ପୁରୁଣା ହାର୍ମୋନିୟମ୍‌-। ଏ ପାଖେ ଝରକାପାଖେ ଗଦି ମୁଚୁଳା–କାନ୍ଥ ପାଖରେ ଦଉଡ଼ି ଟାଣି ସଜା ହୋଇଛି ଲୁଗାପଟା-। କୋଣକୁ ଡେରା ହୋଇଛି–ଆଉ ଗୋଟାଏ ଗଦି–ଖଣ୍ଡେ ମସିଣା । ବେଶ୍‌ ଏତକ ମାତ୍ର ଘରର ଆସବାବ ପତ୍ର ।

 

ପାଣି ଢାଳଟି ଥୋଇଦେଇ ଲାବଣ୍ୟମୟୀ ଗୋଡ଼ ଧୋଇ ନେବାକୁ କହିଲେ । ଗୋଡ଼ ଧୋଇ ନେଲି ।

 

ସେ ଏଥର ଗପ ଯୋଡ଼ି ବସିଲେ । ତାଙ୍କର ଦେହରେ ବିଶେଷ କିଛି ପରିବର୍ତ୍ତନ ଦେଖା ଯାଉ ନ ଥିଲା । ଆଗପରି ତାଙ୍କର କଥାବାର୍ତ୍ତାରେ ଚଞ୍ଚଳତା ସହିତ ଭାବନାର ବିରାମ ଥାଏ–ସ୍ନେହ ଆଉ କୌତୁକ ।

 

ମୋଟାମୋଟି–ଭଡ଼ା ବେଶୀ ହେବା ହେତୁ ସେ ପୁରୁଣା ବସା ଛାଡ଼ି ଦେଇଛନ୍ତି । ଏଠାରେ ଘରଟି ଯେପରି ଛୋଟ–ଭଡ଼ା ମଧ୍ୟ ସେହିପରି ଅଳ୍ପ । ଯାଗା ମଧ୍ୟ ଟିକିଏ ନିରୋଳା । କିଶୋର ବହୁଦିନ ହେଲା ଶେଫାଳିକା ପାଖକୁ ଆସି ନ ଥିଲେ, କିନ୍ତୁ ଏଠାକୁ ଆସିବା ପରେ ଜୁଟି ଯାଇଛନ୍ତି । ଶେଫାଳିକା ବର୍ତ୍ତମାନ ତାଙ୍କ ପାଖରେ ତଳଘରେ ଅଛନ୍ତି । କିଶୋର ଏଇକ୍ଷଣି ଚାଲିଯାଇ ରାତିରେ ଆସିବେ, ଆଉ ସେ ଚାଲିଯିବା ପରେ ଶେଫାଳିକା ଚାଲି ଆସିବେ ଉପରକୁ–ଆମ ପାଖକୁ ।

 

କିଛି ସମୟପରେ ତଳରୁ ଖୁବ୍‌ ସମ୍ଭବ ଶେଫାଳିକାଙ୍କର ଖିଲି ଖିଲି ହସ ଭାସି ଆସିଲା-। –ମନରେ ସାମାନ୍ୟ ଖଟ୍‌କା ଲାଗିଲା–କିନ୍ତୁ ଗୁରୁତ୍ୱ ଦେଇନି– ।

 

ନୁପୂରର ରୁଣୁ ଝୁଣୁ ଆଉ ଲୁଗାପଟାର ଖସ୍‌ଖାସ୍‌ ଶବ୍ଦ ନେଇ ଝରକା ପାଖରେ ଗୋଟାଏ ସୁନ୍ଦର ପାନବୋଳା ହସଭରା ମୁହଁ ଫୁଟି ଉଠିଲା ।

 

‘‘ନମସ୍କାର, ଚିହ୍ନି ପାରୁଛନ୍ତି ?’’ ଶେଫାଳିକା ରୂପ ଆଉ ହସର ସମ୍ଭାର ନେଇ ପ୍ରଶ୍ନ କଲେ । ଫୁଲ ଆଉ ଅତରର ମହକ ଭାସି ଆସିଲା ଝରକା ଦେଇ । ମୁଁ ପ୍ରତିନମସ୍କାର କଲି । ଛୋଟ ପିଲାଟି ପରି ସେ ଟିକିଏ ମୁହଁ ଦେଖାଇ ଟିକିଏ ଲୁଚି ଯାଉଥାନ୍ତି ।

 

ଝିଅର ଏଭଳି ପିଲାମୀ ଦେଖି ଲାବଣ୍ୟମୟୀ ହସି ଉଠିଲେ ।

 

‘‘ମୁଁ କ’ଣ ଆପଣଙ୍କର କେହି ନୁହେଁ ?’’ ଭୁରୁ ନୁଆଁଇ ଶେଫାଳିକା ପ୍ରଶ୍ନ କଲେ ।

 

ଉତ୍ତରରେ ମୁଁ କେବଳ ମନ୍ଦହାସ କଲି । କହିଲି–‘‘ଭିତରକୁ ଆସ । ବାହାରଟାରେ ବସିଛ କାହିଁକି ?’’

 

ଲାବଣ୍ୟମୟୀ ଦୁଆର ପାଖରେ ବାହାର ପାଖକୁ ବସିଥିଲେ, ଶେଫାଳିକା ଭିତରକୁ ଆସି ମୋ ପାଖକୁ ଲାଗି ବସି ପଡ଼ିଲେ । ମୋର ହାତଟି ଟାଣିନେଇ ତାଙ୍କ ହାତମୁଠା ଭିତରେ ରଖି ପଚାରିଲେ, ‘‘ସତରେ, ମୁଁ କ’ଣ ଆପଣଙ୍କର କେହି ନୁହେଁ ? ....ମା, କାହିଁ ସେଇ ଚିଠି ଖଣ୍ଡିକ ଦେବଟି ।’’

 

ଚିଠି ? ମୁଁ ବିସ୍ମିତ ହେଲି । ଲାବଣ୍ୟମୟୀଙ୍କ ନିର୍ଦ୍ଦେଶ କ୍ରମେ ଶେଫାଳିକା ଚିଠିଖଣ୍ଡିକ ବାହାର କଲେ । –‘‘ମୋତେ ଏଇ ଖଣ୍ଡିକ ପଢ଼ି ବୁଝାଇ ଦିଅନ୍ତୁ ।’’

ଚିଠି ଖଣ୍ଡିକ ମୋରି ଲେଖା । ଚାମେଲୀଙ୍କୁ ବ୍ୟଥା ଦେଇ ମୁଁ ଯେତେବେଳେ ବ୍ୟଥିତ ହୋଇ ଲେଖିଥିଲି । ଚିଠି ଭିତରେ ଗୋଟିଏ ଧାଡ଼ି–ମୁଁ ନିତାନ୍ତ ଭାବୁକ ପାଲିଟି ଯାଇଥିଲି । ‘‘ମନକୁ ଶାସନ କରିବା ତ କଠିନ–ତା’ର କାର୍ଯ୍ୟ ପ୍ରଣାଳୀ ଆହୁରି ଦୁର୍ବୋଧ୍ୟ ।’’

‘‘ହଁ–ହଁ, ତା’ର ଅର୍ଥ କ’ଣ ?’’ ଶେଫାଳିକା ମୋ ଉପରକୁ ଝୁଙ୍କି ପଡ଼ି କହିଲେ ।

ଭାଷାକୁ ଯେତେଦୂର ସରଳକରି ବୁଝା ଯାଇପାରେ ମୁଁ ବୁଝାଇ ଲାଗିଲି । କିନ୍ତୁ ସେଥିପାଇଁ ଚାମେଲୀ ସହିତ ମୋର ଏଇ ଚିଠି ପୂର୍ବର ଘଟଣା ବର୍ଣ୍ଣନା କରିବା ଦରକାର ଥିଲା । ସେତକ ମୁଁ ପାରିଲି ନାହିଁ–ସମ୍ଭବ ନ ଥିଲା ।

ଶେଫାଳିକା କିଛି ବୁଝି ପାରି ନ ଥିବେ । ‘ହଁ’ ମାରି ତୁନି ରହିଲେ । ଆଖିରେ ଆନନ୍ଦ ପରିବର୍ତ୍ତେ ଦେଖା ଦେଇଥିଲା–ହତାଶା ।

ଲାବଣ୍ୟମୟୀ କିଛି ସମୟ ନିଜର ଦେହ କଥା କହି ଲାଗିଲେ । ପରେ ଆମ ଦୁହିଁଙ୍କୁ ଗପ କରିବାକୁ କହି ଉଠିଗଲେ ।

ଝରକା ସେ ପାଖରେ ଅନ୍ଧାର ଘନେଇ ଆସୁଥାଏ । ଶେଫାଳିକା ମୋର ହାତ ଦୁଇଟି ନିଜର କୋଳ ଉପରକୁ ଟାଣିନେଇ କହିଲେ, ‘‘ଆରଥର ଯେଉଁ ମୁକ୍ତାର ମାଳ ଦେଇଥିଲେ–କେତୋଟା ମାସ ପରେ ସେ ଛିଣ୍ଡିଗଲା । ତା’ର ଚିହ୍ନ ସୁଦ୍ଧା ନାହିଁ । କିନ୍ତୁ ଏଇଥର ମୁଁ ଏପରି ଗୋଟାଏ ଜିନିଷ ନେବି–ଯାହା ସବୁଦିନଯାଏଁ ରହିଥିବ କେବେହେଲେ ଲିଭିବ ନାହିଁ–ଦେବେ ?’’ ଶେଷ ଶବ୍ଦଟି ସେ ଛୋଟ ପିଲାଟି ପରି ଅଳି କଲେ । ଆଖିରେ ଆଗ୍ରହ ଆଉ କୌତୁକ ।

‘‘କିନ୍ତୁ ଦେବା ସକାଶେ ସକ୍ଷମ ଥିଲେ ତ ?’’

‘‘ନିଶ୍ଚୟ ଅଛନ୍ତି । ବେଶୀ କିଛି ଖର୍ଚ୍ଚ ହେବ ନାହିଁ । –ଆପଣ ଦେବା ସକାଶେ ମନ କଲେ ହେଲା ।’’

ନୀରବ ମୁହୂର୍ତ୍ତ ଗୁଡ଼ିକ ।

‘‘ଏଠାରେ ଆଲୁଅ ନାହିଁ ?’’ ମୁଁ ବାଆଁରେଇ ପଚାରିଲି ।

ଶେଫାଳିକା ଉଠି ପଡ଼ିଲେ–ମୁଁ ଆଶ୍ୱସ୍ତ ହେଲି ।

ଚାହା ଗିଲାସଟି ଆଣି ମୋ ଆଡ଼କୁ ବଢ଼େଇ ଦେଇ ସେ କହିଲେ, ‘‘ସାବଧାନ ! ସବୁଯାକ ପିଇଦେବେ ନାହିଁ, ମୋ ପାଇଁ ଟିକିଏ ରଖିଥିବେ ।’’–ସେଇ ଖିଲି ଖିଲି ହସ ।

ଆଉ କୌଣସି ଯାଗା ନ ଥିବା ଦେଖି ମୁଁ ଚାହା ନେବାକୁ ଚେଷ୍ଟା କଲି ନାହିଁ ।

‘‘କି–ଖାଉ ନାହାନ୍ତି ଯେ ? ଚାହାରେ ମୁଁ କିଛି ଗୁଣୀ ଗାରୁଡ଼ି କରି ନାହିଁ । ଆପଣ ନିଶ୍ଚିନ୍ତରେ ଖାଇ ପାରନ୍ତି ।’’

‘‘ତୁମ ଖାଇବା ସକାଶେ ଆଉ ଗୋଟିଏ ଯାଗା ଦରକାର ?’’

‘‘ଓ ମା’ ! ସେ ପୁଣି କ’ଣ ?’’ ସେ ହସି ହସି ଉଠିଲେ, ‘‘ମୁଁ କ’ଣ ସେଇ ଗ୍ଳାସରେ ଖାଇ ପାରିବି ନାହିଁ ?’’

ପାଖ ଘର ଝରକାଟା କିଏ ଜଣେ ବୁଜି ଦେଉଥିଲେ ବୋଧହୁଏ ।

ଶେଫାଳିକା ଡ଼ାକ ପକାଇଲେ–‘‘ମାଉସୀ ! ଏ ମାଉସି !’’

‘‘କ’ଣ ?’’

‘‘କହୁଛି, ଗରୀବମାନେ କ’ଣ ମଣିଷ ନୁହନ୍ତ ?’’

ଉତ୍ତର ଶୁଭୁଲା ନାହିଁ । ଝରକା ବନ୍ଦ ହୋଇଗଲା ।

ଲାବଣ୍ୟମୟୀ ବିରକ୍ତ ହୋଇ କହିଲେ–‘‘କଅଣ ହେଉଛି..... ?’’

କଥାଟା ଯେ ମୋ ପ୍ରତି ଉଦ୍ଦିଷ୍ଟ ମୁଁ ବୁଝିପାରିଥିଲି । କିନ୍ତୁ ଜାଣିଶୁଣି ଶେଫାଳିକାଙ୍କର ଏଭଳି ଦାୟିତ୍ୱହୀନ ବ୍ୟବହାର କାହିଁକି ?

‘‘ମା–ଗୀତ ଗାଇବି ?’’

‘‘ଗୋ ।’’ –ଗୋପନ ଆଦରରେ ମା’ ଉତ୍ତର ଦେଲେ ।

‘‘କ’ଣ ? ଗାଇବି–ଶୁଣିବେ ?’’

କିନ୍ତୁ ମୁଁ କୌଣସି ଉତ୍ତର ଦେବା ପୁର୍ବରୁ ସେ ଦୁମ୍‌ ଦୁମ୍‌ କରି ତଳକୁ ଚାଲିଗଲେ ।

‘‘ପାଗଳୀ କେଉଁଠିକାର ?’’ –ଲାବଣ୍ୟମୟୀ ମନ୍ତବ୍ୟ ଦେଲେ ।

କିଛି ସମୟ ପରେ ଶେଫାଳିକାଙ୍କର ମୁହଁଟି ପୁଣି ଝରକା ସେ ପାଖରେ ଦେଖା ଦେଲା-

‘‘ସମୟ ଗୁଜ୍‌ର ତି ଯାଏଁ’’....

ଗଳା ଥରାଇ ସେ ଗାଇ ଲାଗିଲେ ।

‘‘ଓ ଲାଲାଲା–ଓ ଲାଲାଲା–ଓ ଲାଲାଲା....’’

ଗୀତ ପରେ ଗୀତ–

.....ଯବ୍‌ ସେ ବାଲମ୍‌ ଘର ଆୟେ

ଜାଏରା ମଚଲ୍‌ ମଚଲ୍‌ ଗାଏ...

....ତୁ ମେରା ମନ୍‌କା ମୋତି ହୈ...

...ଓ ଓ ପରଦେଶୀୟା...

 

ସଙ୍ଗୀତର ଲହରରେ ପ୍ରାଣ ଭିତରେ ଥରା ଆବେଗ ମୁଁ ବୁଝି ପାରିଥିଲି । ତଥାପି ମୋର ନୀରବତା ।

 

ଲାବଣ୍ୟମୟୀ ଏହା ଭିତରେ କେତେବେଳେ ଚାଲି ଯାଇଥିଲେ ମୁଁ ଜାଣିପାରି ନଥିଲି । ଫେରି ଆସି ସେ କ’ଣ କହିଲେ ବୋଧହୁଏ । ଶେଫାଳିକା ଗୀତ ବନ୍ଦ କରି ଚାଲି ଆସିଲେ ଘର ଭିତରକୁ ।

 

ମୋର ହାତ ଯୋଡ଼ିକ ଧରି କହିଲେ, ‘‘କାଲି ପୁଣି ଆସିବେ ?’’

 

ମୁଁ ବିସ୍ମିତ ହୋଇ ‘ହଁ’ କଲି ।

 

ଯିବାବେଳେ ସେ ସୁର ଧରିଥାନ୍ତି । ‘‘ତୁ ମେରା ମନ୍‌କା ମୋତି ହୈ...’’

 

ଶେଫାଳିକାଙ୍କର ଉପସ୍ଥିତିରେ ଘରର ବାତାବରଣ ଉତ୍ତେଜନାର ଶିର୍‌ ଶିରେଇ ଉଠିଥିଲା । ଯେପରି ଝିମେଇ ଆସିଲା ।

 

ବୁଝିଲି–କିଶୋର ଆସିବା ହେତୁ ଶେଫାଳିକା ଚାଲି ଯାଇଛନ୍ତି । ତଳ ଘରେ ସେମାନେ ରାତିଟା କଟାଇବେ । କାଲି ସକାଳ ପର୍ଯ୍ୟନ୍ତ ଶେଫାଳିକା ଆଉ ଫେରିବେ ନାହିଁ ।

 

‘‘ନ ଲୋହା–ନ ଲକଡ଼ି–ନ ଚୁନ୍ନା–ନ ସୁକ....’’ ଗାଇଡ଼୍‌ ଅନାବରତ କହି ଚାଲିଥାଏ, ଆଉ ମୁଁ ତା’ର ଅନୁସରଣ କରୁଥାଏ ।

 

‘‘ହା–ଇଧର ଆଇୟେ, ଔର ୟାଦ୍‌ ରଖିୟେ....’’ ଗାଇଡ଼ ଗୋଟାଏ ମୋଡ଼ ଘୂରି ବୁଲିଲା-

 

ଏଇଟା ହେଲା ତରଭୂଜାକୃତି କୋଠରୀ । ଏଇ ତଳେ ସଭା ହେଉଥାଏ । ଉପରେ ହୁସୁନ୍‌ ବେଗମ୍‌ ଗଣ ସଭାର ଗତିବିଧି ଲକ୍ଷ୍ୟ କରୁଥାନ୍ତି । ଭାବି ଦେଖନ୍ତୁ, ତାଙ୍କର ସେଇ ଝଲମଲ ମୁଖାବରଣ ଆଉ ତଳେ ପାରିଷଦ ବର୍ଗ–ଲମ୍ବ : ଲମ୍ବ ଅତର ଛିଞ୍ଚା ନିଶ ଦାଢି, ବିଭିନ୍ନ ଆକୃତିର କଲିକାଟ ଆଉ ଝଲମଲିଆ ଜରି ପାଗ ।

 

ସର୍ପିଳ ଗତିରେ ଅନେକ କନ୍ଦ ବିକନ୍ଦି ଘୂରି ବୁଲିଲୁ । ପୁରୁଣା ଐତିହାସିକ କାନ୍ଥ ଉପରେ ଅନେକ କିଛି ଲେଖା ରହିଥାଏ । କେତେ ବେଳେ କୌଣସି ଛାତ୍ର ଦଳ ଆସିଛନ୍ତି । ସେମାନଙ୍କର ନାମ ଧରି ରଖିଛି ଏଇ କାନ୍ଥଗୁଡ଼ିକ । କିଏ କେଉଁଠି ଗୋଟାଏ ଚିତ୍ର ଆଙ୍କି ଦେଇ ଯାଇଛି ଅତୀତର ସ୍ମୃତିଗୁଡ଼ିକ କୌଣସି ମତେ ଜାଗି ରକିବାକୁ–ବିଶିଷ୍ଟ ଅନୁଭୂତିଗୁଡ଼ିକ ଲିପିବଦ୍ଧ କରିବାକୁ ମଣିଷକୁ ଏଇଠି ମଧ୍ୟ ଭୁଲି ନାହିଁ ।

 

‘‘ଆଇୟେ ବାବୁଜୀ, ଇଧର ଆଇୟେ । ଔର ୟାଦ୍‌ ରଖିୟେ ।’’ ଗାଇଡ଼୍‌ କଥାରେ ମୋର ସ୍ୱପ୍ନ ହଜେ ।

 

କ୍ରମେ କ୍ରମେ ଆମେ ଛାତ ଉପରକୁ ଉଠି ଆସିଲୁ ।

 

‘‘ନ ଲୋହା, ନ ଲକଡ଼ି–ନ ଚୁନ୍ନା–ନ ସୁର୍କି....’’ ସମସ୍ତଙ୍କୁ ସେହି ଏକାଭଳି କହି କହି ତା’ର ଅଭ୍ୟାସ ହୋଇଯାଇଛି ।

 

‘‘ଏଇ ସବୁଥିରେ ସେତେବେଳେ ସୁନା ଖଞ୍ଜା ହୋଇଥିଲା ।’’–ଛାତର ଚାରିପାଖ ବେଷ୍ଟନୀର ଚୂଳଗୁଡ଼ିକ ସେ ନିର୍ଦ୍ଦେଶ କଲା ।

 

କହି ଲାଗିଲା–ବାଦଶାହାଙ୍କର ଇତିହାସ–ତାଙ୍କର ୩୬୫ ରାଣୀ–ତାଙ୍କର ଆଖିଝଲସା ବିଳାସ ଭୋଗ । କହିବାବେଳେ ବୃଦ୍ଧର ବାଦାମୀରଙ୍ଗର ମୁହଁ ଉପରେ ଆଖି ଯୋଡ଼ିକ ତେଜୀୟାନ ହୋଇ ଉଠୁଥାନ୍ତି ।

 

କିନ୍ତୁ ବୃଦ୍ଧ ତ ଜାଣେ ନା–ବାଦଶାହାଙ୍କର ଅଥ୍ୟାଚାରର ବିଭତ୍ସ ବିଷର୍ଣ୍ଣ କାହାଣୀ... । ବହୁପତ୍ନୀକତା ଆଧୁନିକ ଯୁଗର ଗର୍ବର କାରଣ ନୁହେଁ–ଅସାମାଜିକ ।

 

‘‘ଦେଖିୟେ ।’’–ତଳେ ପବନରେ ଆଙ୍ଗୁଠରେ ରେଖା କାଟି ସେ ନିର୍ଦ୍ଦେଶ କଲା । ତଳର ସୁଡ଼ଙ୍ଗଟି ପୂର୍ବ କାଳରେ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟବହୃତ ହେଉଥିଲା । କିନ୍ତୁ ଅନେକ ଦିନର ଅବହେଲାରେ ବିଷାକ୍ତ ବାଷ୍ପ ବାହାରିବା ଫଳରେ କେତେ ବର୍ଷ ତଳେ ହେଇ ସେହି ଯାଗାରେ ବନ୍ଦ କରି ଦିଆ ଯାଇଛି ।

 

‘‘ଔର୍‌ ଦେଖିୟେ–ଲକ୍ଷ୍ନୌକି ଝଲକ୍‌ ।’’–ଗାଇଡ଼୍‌ ରୀତିମତ ନାଟକୀୟ ଚ୍ଛଟା । ଆଃ କି ଚମତ୍କାର ! ସେଇ ଯେଉଁ କୋଠାଟି ଦେଖି ପାରୁଛି–ସେ ହେଉଛି ‘‘ଛତ୍ର ମଞ୍ଜିଲ୍‌’’ । ‘‘ମୋତି ମହଲ’’ ସିନେମା ଛବି ଦେଖିଥିବି ନିଶ୍ଚୟ । ଏଇ ‘‘ଛତ୍ର ମଞ୍ଜିଲ୍‌’’ ହଁ ସେଇ ‘‘ମୋତି ମହଲ ।’’

 

ସହରର କିଛି ଦୂରରେ ଏକ ନିର୍ଜନ ଇମାମ୍‌ବାଡାର ଛାତ ଉପରେ ମୁଁକୁଳା ପବନ ମୋତେ ଭାରି ଲଗ ଲାଗୁଥାଏ । ସୂର୍ଯ୍ୟ ଆଉ କିଛି ସମୟ ପରେ ବୁଡ଼ିଯିବେ । ଆକାଶର ସାଦା ରଙ୍ଗ ରଙ୍ଗୀବେରଙ୍ଗୀ ହୋଇ ଉଠିଲାଣି । –ଦୂରରେ ଲକ୍ଷ୍ନୌ ସହର କି ଭଳି ଶାନ୍ତ !

 

‘‘ହାଁ–ବାବୁଜୀ !’’ –ଗାଇଡ଼ ଫେରିବାକୁ ଉଦ୍ୟତ ହୋଇ କହିଲା–ସହାନୁଭୂତିଶୀଳ ଶିକ୍ଷକ ଯେପରି ଛାତ୍ରମାନଙ୍କୁ ପରୀକ୍ଷା କରିବାକୁ ଆଗରୁ ପ୍ରସ୍ତୁତ କହିଥାନ୍ତି ।’’–ଅଭି ସବ୍‌ୟାଦ୍‌ ହୈ ନା ? –ଦେଖିୟେ ଆପ୍‌ ମଜେସେ ଯା ସକ୍ତେ ହେଁ । ଲେକିନ୍‌ ହମ୍‌ ଯୈସେ ଆୟେ ଥେ ଐସେ ହି ଚଲିୟେ ନା । ...କୋଇ ଫକର୍‌ ନହିଁ । ମୈ ଆପ୍‌ କେ ସାଥ୍‌ ହି ରହୁଙ୍ଗା । ଔର ଯାହା ତକ୍‌ଲିଫ୍‌ ହୋଗି ତୋ ଜରୁର୍‌ ବତାଦୁଙ୍ଗା–ହଁ । ଚଲିୟେ ......’’

 

ଏଇ ସମୟ ପାଇଁ ସେ ମୋତେ ଆଗରୁ ସତର୍କ କରି ଦଉଥିଲା । –‘‘ହାଁ–ଇଧର ଘୁମିୟେ । ଔର୍‌ ୟାଦ ରକ୍‌ଖିୟେ–ଭୂଲିୟେଗା ନହିଁ ।’’

 

କିନ୍ତୁ ଯେତେ ଚେଷ୍ଟା କଲି ଆମର ଆସିବା ରାସ୍ତା ପାଇଁ–ସମସ୍ତ ବିଫଳ ହେଲା । ଗୋଟାଏ ରାସ୍ତାକୁ ନିଶ୍ଚିତ ଭାବି କିଛି ଦୂର ଆଗେଇ ଯାଏ । କିନ୍ତୁ ହାବୁଡ଼ି ଯାଏ ଗୋଟାଏ ଖଣ୍ଡି ଆଖାବରା କାନ୍ଥ–ପେନ୍‌ସିଲ ଗାରରେ କଳା ପଡ଼ିଥଇବା ପୁରୁଣା କାନ୍ଥ–ଅନ୍ଧାରିଆ ଆୟତାକାର କାନ୍ଥ । –ନିର୍ଜ୍ଜୀବର ବେଖାତିର୍‌ ଉପହାସ ।

 

ସାରା ଉପରବେଳାଟାଯାକ ବୁଲି ବୁଲି ମୁଁ ଥକି ଯାଇଥାଏ ।

 

ବୃଦ୍ଧ ସେଇ ଅନ୍ଧାରୁଆ ଗଳି ଭିତରେ ନିଶ ମୋଡ଼ି ହା–ହା କରି ହସି ଉଠିଲା ।

 

‘‘ୟେ ହି ହୈ ଉସ୍‌ ଜମାନେକି କରାମତି ! ନ ଲୋହା ନ ଲକ୍‌ଡ଼ି–ନ ଚୂନ୍ନା–ନ ସୁର୍କି । ଦେଖ୍‌ଲିୟେ ? ବାୟେଁ ଘୁମିୟେ–ସିରଫ୍‌ ବାୟେଁ ଘୁମିୟେ ଆଇୟେ ।’’

 

କେବଳ ବାମ ଅଙ୍ଗ ମୋଡ଼ି ଆସିବା ଫଳରେ ରାସ୍ତା ଫିଟିଗଲା.... ।

 

ତଳକୁ ଆସିବା ପରେ ଗାଇଡ଼୍‌ ତା’ର ବକ୍‌ସିସ୍‌ ପାଇ ହସି ଉଠିଲା ।

 

‘‘ହାଃ, ହାଃ, ବାବୁଜୀକା ଦିଲ୍‌ଖୁସ୍‌ କରଓ୍ୟାଦିୟା ।’’

 

କିନ୍ତୁ ସତ କହିବାକୁ ଗଲେ–ବାବୁଜୀ ଅପେକ୍ଷା ଗାଇଡ୍‌ ନିଜେହିଁ ବକ୍‌ସିସ୍‌ ପାଇ ବିଶେଷ ଖୁସି ହୋଇଥିଲା ।

 

ଶେଷଥର ପାଇଁ ପୁଣି ଥରେ ଦେଖି ନେଲି–ଇମାମ୍‌ବାଡ଼ା ! ଏକ କାଳର ସ୍ପର୍ଦ୍ଧିତ, ଜନଗହଳ ମୁଖରିତ ଇମାମ୍‌ବାହା–ଆଜି ଅବହେଳିତ–ଜୀର୍ଣ୍ଣ, ନିର୍ଜନ । ଏଇ ବୃଦ୍ଧ ଗାଇଡ୍‌ ଆଉ କେତେ ଜଣ କୌତୁହଳୀ ପରିଦର୍ଶକ । ଜଣେ ଗତାନୁଗତିକ ଭାବରେ ଗାଇ ଚାଲେ ଏହାର ଅର୍ଥହୀନ–ଲୁପ୍ତ ଖ୍ୟାତି । ଅନ୍ୟ ଦଳକ ଶୁଣିଯାନ୍ତି–କେତେକ ମନେ ରଖନ୍ତି–କେତେକ ବା ପାଶୋରି ଯାଆନ୍ତି–ଖାଲି ଗୋଟାଏ କୌତୁହଳ ମେଣ୍ଟିଯାଏ ।

 

ସୂର୍ଯ୍ୟ ବୁଡ଼ି ଯାଉଥାନ୍ତି । –ଇମାମ୍‌ବାଡାର ଓସାରିଆ ଅଗଣା ଉପରେ ଲମ୍ବା ଲମ୍ବାର ଛାଇଗୁଡ଼ିକ । ଉପରେ କାନ୍ଥରେ କଅଁଳ ତରଳ ସୁନେଲି କିରଣର ଧୋଳେଇ । ସମୟର ଅବସାଦ ମେଣ୍ଟାଇବା ପାଇଁ ମୁଁ ଏଠିକି ଚାଲି ଆସିଥିଲି । ଶେଫାଳିକା ବୋଧହୁଏ ମୋର ଅପେକ୍ଷାରେ ଅଛନ୍ତି-

 

‘‘ଆଜି କିନ୍ତୁ ମୋତେ ଚିହ୍ନଟି ଦେଇଯିବେ ।’’ ଶେଫାଳିକା ମୋର ହାତ ଦିଓଟି ଗତ ଦିନ ପରି କୋଳରେ ରଖି ଜିଦ୍‌ କଲେ ।

 

ରାତି ଆରମ୍ଭ ହୋଇ ଆସୁଥାଏ । ଅଳ୍ପ ଅନ୍ଧାରିଆ ଘର ଭିତର କେବଳ ସେ ଆଉ ମୁଁ ।

 

‘‘କିନ୍ତୁ କ’ଣ ?’’

 

ଉତ୍ତର ନ ଦେଇ ସେ ମୋର ଆଙ୍ଗୁଠି ଗୁଡ଼ିକ ମୁହଁ ପାଖରେ ଧରି ରଖିଲେ । ଲାଗି ଆସିଲେ ଆହୁରି ପାଖକୁ । ଫୁଲ ଆଉ ଅତରର ମହକ–ଉଷୁମ ନିଶ୍ୱାସ ଗାଲ ଉପରେ ଛୁଇଁ ଯାଉଥାଏ । ସେ କେବଳ ମୋର ଆଖିକୁ ଦେଖି ଲାଗିଲେ....

 

ମନ ଭିତରେ ଗୋଟାଏ ପରିଚିତ ବନ୍ୟ ଉତ୍ତେଜନା ଜାଗି ଉଠୁଥିବାର ଆଭାସ ପାଇଲି-। ଭାବିଲି ମୁଁ ହୁଏତ ତାକୁ ଚପେଇ ଦେଇ ପାରିବି ।

 

ନିଜକୁ ମୁକ୍ତ କରି ନେବାକୁ ଚେଷ୍ଟା କଲି । କିନ୍ତୁ.....ବାହୁରେ ଯେପରି ଆଉ ଶକ୍ତି ନ ଥିଲା ।

 

...ଝରକାଟି ପ୍ରାରମ୍ଭିକ–ପରସ୍ପର ନିଶ୍ୱାସ ପ୍ରଶ୍ୱାସର ତୀବ୍ରତା । ଘର ଭିତରର ଜମା ଅନ୍ଧକାର ଭିତରେ କେଉଁ ସଇତାନର ମନ୍ତ୍ରଣା ଭଳି–‘‘ଏଠାରେ କାହାର ଭୟ ନାହିଁ ।’’–ତାଙ୍କର ସେହି ଚାପା ହସ.... ।

 

ଶ୍ଵାସ ଝିମା ହେଉ ଆସୁଥିଲା.... । ମୁଣ୍ଡ ଭିତରେ ଗରମ ରକ୍ତର ପିଚକାରୀ । ...

 

ଗୁରୁନିଶ୍ୱାସୀ ମେଘ । ପାହାଡ଼ର କଠିନ କଳେବର ଉପରେ ଛାଇ ଯାଇ କିଛି ସମୟ ସଜୋରେ ଜଡ଼ାଇ ଧରିଛି । ଦୁଇ ବକ୍ଷର ତୁମୂଳ ସ୍ପନ୍ଦନ । ତା’ପରେ–ସତ୍ତାଲୁପ୍ତପ୍ରାୟ ପାହାଡ଼ର ଶିଖର ଉପରେ ମେଘ ପ୍ରହାର କରିଛି ତା’ର ସେହି ଆବେଗଭରା ଭଷ୍ମ ବିଦ୍ୟୁତମୟ ଚୁମ୍ବନ । ଥରେ, ଦୁଇଥର–ଆହୁରି ...

 

ଝଡ଼ ଥମି ଯାଇଛି । ମେଘର ବିଦ୍ୟୁତ୍‌ଭରା କଳେବର ପାହାଡ଼କୁ ଜଡ଼ି ଧରି ନାହିଁ–ପାହାଡ଼ର ଚେତନା ଫେରି ଆସିଛି....

 

ଶେଫାଳିକା ଉଠି ଯାଉଥିଲେ । ଯଥାସମ୍ଭବ ନିଜକୁ ସଂଯତ କରି ଡାକିଲି–‘‘ଶୁଣ ।’’

 

‘‘ଆହୁରି ?’’ ସେ ଫେରି ଚାହିଁଲେ । ମୁହଁରେ ତାଙ୍କର ତୃପ୍ତି ଆଉ ବିଜୟର ଉଲ୍ଲାସ । –କିନ୍ତୁ ଏଇବାର ତାଙ୍କର ସ୍ପର୍ଶରେ ଯେତେ ଆବେଗ ଥାଉ ନା କାହିଁକି, ମୋର ରକ୍ତ କିନ୍ତୁ ଧିମେଇ ଆସୁଥିଲା । ....ଆଉ ନିଜ ପ୍ରତି ଘୃଣା ।

 

...ଏ କ’ଣ ? ....ଶେଫାଳିକା କ’ଣ ଚାହାନ୍ତି ?

 

ମୁଁ ସଙ୍କୁଚିତ ହୋଇ ଉଠି ପଡ଼ିଲି ।

 

ସେ ଘର ଛାଡ଼ି ଚାଲିଗଲେ ।

 

–ଲଜ୍ଜ୍ୟା ଆଉ ଅନୁତାପର ସୀମା ରହିଲା ନାହିଁ । ଏ ସବୁ କ’ଣ...ଏ ସବୁ କ’ଣ ହେଲା-?

 

ଶେଫାଳିକା ଫରି ଆସି ସୁଇଚ୍‌ ଟିପି ଦେଲେ ।

 

‘‘ମୋତେ ଗୋଟିଏ ଚୁମା’ ଦିଅନ୍ତୁ ।’’–ଆଗ୍ରହରେ ସେ ଓଠ ନୁଆଇ ଆଣିଲେ । କିନ୍ତୁ ଅନୁତାପର ଜ୍ୱାଳାରେ ମୋର ସମସ୍ତ ବନ୍ୟ ଉତ୍ତେଜନା ଉଭେଇ ଯାଇଥିଲା ।

 

ଆଗ୍ରହ ଆଉ ଆଲୋକର ରେଖା ତାଙ୍କର ଆଖି ଆଉ ଓଠରେ ଝିକି ମାରୁଥାଏ ।

 

‘‘ନା–ମୋତେ କ୍ଷମା କର ।’’

 

‘‘କାହିଁକି ?’’ ସେ କୌତୁକ ନେଇ ପ୍ରଶ୍ନ କଲେ ।

 

‘‘ମୁଁ ପାରିବି ନି ।’’

 

‘‘ଆଖି ବୁଜି ଦେଇ ଦିଅନ୍ତୁ । ଆପଣଙ୍କୁ ଜମା ବାଧିବ ନି ।’’ ସେ ଥିରି ଥିରି ହସି ଲାଗିଲେ ।

 

ମୁଁ ମୁହଁ ଫେରାଇ ନେଲି ।

 

‘‘ଗୋଟାଏ ଦିଅନ୍ତୁ ।’’

 

‘‘ମୋତେ କ୍ଷମା କର ।’’

 

କଣ୍ଠ ସ୍ୱରରୁ ଦୃଢ଼ତା ସେ ବୁଝି ପାରିଲେ ବୋଧହୁଏ । କିଛି ସମୟ ଗୁମ୍‌ ମାରି କହିଲ, ‘‘ତେବେ ମୋତେ ବାରଣ କଲେ ନାହିଁ କାହିଁକି ?’’ କଥାରେ ତାଙ୍କର ଶତ୍ରୁତା ଥିଲା ଯେପରି ।

 

ଅପମାନରେ ମୋର ମୁଣ୍ଡ ଲଇଁ ଆସିଲା ।

 

‘‘ନା ।’’ ସେ ଏଥର ଧୀର ହୁଏତ ଆହତ ସ୍ୱରରେ କହିଲେ, ‘‘ଆପଣଙ୍କୁ କ୍ଷମା ମାଗିବାକୁ ହେବ ନାହି । ଦୋଷ ଆପଣଙ୍କର ନୁହେଁ ।’’ ସେ ପୁଣି ଉହୁଙ୍କି ଆସିଲେ ।

 

ଦେହରେ ମୋର କୌଣସି ସ୍ପନ୍ଦନ ନ ଥିଲା ।

 

‘‘ପାରିବେନି ? ହେଉ ।’’ –ଦୀର୍ଘ ନିଶ୍ୱାସ ମାରି ବାହାରି ଯାଇ ସେ ସାମନାର ପିଣ୍ଡା ଉପରେ କାନି ପାରି ଶୋଇ ରହିଲେ ।

 

ବିବେକର ଦଂଶନରେ ମୁଁ ଏଣେ ଅତିଷ୍ଠ ହୋଇ ପଡ଼ୁଥାଏ ।

 

କିଛି ସମୟ ପରେ ସେ ବ୍ୟାକୁଳ ହୋଇ କହିଲେ–‘‘ଦେଖନ୍ତୁ, ଆପଣଙ୍କର କିଛି କ୍ଷତି ହେବ ନାହିଁ ।’’

 

କିନ୍ତୁ ମୁଁ ନୀରବ ରହି ଛାତି ଆଡ଼କୁ ଦେଖି ଲାଗିଲି ।

 

ତାଙ୍କର ସ୍ୱର ଏଥର କ୍ରୋଧ ଆଉ ଉତ୍ତେଜନା ମିଶା–‘‘ଆପଣ ଏଠାରୁ ମଙ୍ଗଳରେ ଫେରି ପାରିବେ ନାହିଁ ।’’

 

ଭୟ ପ୍ରଦର୍ଶନରେ ଦୃଢ଼ତା ଯାହା ଥାଉନା କାହିଁକି–ତାହାର କୌଣସି ଅର୍ଥ ନ ଥିଲା ମୋ ପାଖରେ ।

 

ହଠାତ୍‌ କେହି ଜଣେ ଆଗନ୍ତୁକଙ୍କୁ ଦେଖି ଶେଫାଳିକା ଉଠି ବସିଲେ । ଆଖିରେ ତାଙ୍କର ଅନୁରାଗ ।

 

ତଳୁ ଲାବଣ୍ୟମୟୀଙ୍କ କଣ୍ଠ ଶୁଭିଲା–‘‘ଏ କ’ଣ ମ ?’’

 

‘‘ମୁଁ କେବଳ ମୋର କର୍ତ୍ତବ୍ୟ କରି ଯାଉଛି ।’’ ଆଗନ୍ତୁକ ସମ୍ଭବତଃ କିଶୋର ।

 

‘‘ଚାଲ–ଚାଲ ।’’ ଶେଫାଳିକା ଆଗେଇ ଯାଇ କିଶୋରଙ୍କର ହାତ ଧରିଲେ ।

 

–ସିଡ଼ିରେ ଓହ୍ଲାଇ ଯିବାର ପାଦ ଶବ୍ଦ ।

 

ନୀରବତା–ଲାବଣ୍ୟମୟୀ ସେମାନଙ୍କର ଅନୁସରଣ କଲେ ବୋଧହୁଏ ।

 

‘‘ଟିକଟ୍‌ କିଣିଛନ୍ତି ?’’ ସୁବେଶା ଶେଫାଳିକା ଓଠରେ ମଧୁର ହସ ଖେଳାଇ ପ୍ରଶ୍ନ କଲେ-!

 

ଧୀର ଭାବରେ କହିଲି–‘‘ହଁ ।’’

 

ସେ ଦିନ ପରି ସେ ପାଖରେ ବସିଲେ । ମେଟିନି ଶୋ’–ବଙ୍ଗଳା ଛବି ‘ସ୍ପର୍ଶ ମଣି ।’’

 

କାଲିର ଘଟଣା ପରେ ଆଉ ଦିନେ ସୁଦ୍ଧା ରହିବା ଅନୁଚିତ ଭାବି ନେଇଥିଲି । କିନ୍ତୁ ଲାବଣ୍ୟମୟୀ ଆଉ ଶେଫାଳିକାଙ୍କର ଏଇ ଗୋଟିଏ ମାତ୍ର ଅନୁରୋଧ–ଏହାକୁ ଏଡ଼ିଦେଇ ଚାଲିଯିବା ମୋ ପକ୍ଷରେ ଅଭଦ୍ରତା ହୋଇଥାନ୍ତା ।

 

ନାୟକ ଡ଼ାକ୍ତର । ଆକସ୍ମିକ ଦେଖା ହୁଏ ତରୁଣୀ ସଙ୍ଗେ । ତରୁଣୀର ସୌନ୍ଦର୍ଯ୍ୟରେ ନାୟକ ମୁଗ୍ଧ ହୁଏ । ନାୟିକା ଲାଜରେ ଆଖି ନୁଆଇଁ ଆଣେ । –ଶେଫାଳିକା ମୋର ହାତଟିକୁ ଜୋର୍‌ରେ ଚାପି ଧରିଲେ । ଘୁଞ୍ଚାଇବାର ଚେଷ୍ଟା କରିନାହିଁ । କିନ୍ତୁ ରକ୍ତରେ କୌଣସି ଉଦ୍ଦୀପନା ଖେଳି ନ ଥିଲା ।

 

ନାନା ହସ କୌତୁକ ନେଇ ନାୟିକ ନାୟିକା ଆଗେଇଛନ୍ତି । ଶେଫାଳିକା ହାତଟି ଘେରି ଆସିଛି ମୋର କାନ୍ଧ ପାଖରେ । –ନିଶ୍ଚଳ ରହିଲି ।

 

ପରଦାରେ ହସର ପରିବେଷଣ । ଶେଫାଳିକା ମୋତେ ଅପେକ୍ଷା କଲେ । କିନ୍ତୁ ମୋର ଆଖିରେ କୌଣସି ଉତ୍ତର ନ ଥିଲା ।

 

ବିରତି–ଶେଫାଳିକା ମୋର ହାତଟିକୁ ଟାଣିନେଇ କହିଲେ, ‘‘କ’ଣ କିପରି ? ଭଲ ଲାଗିଲା ?’’

 

ତୁନୀ ରହିବା ଦେଖି ପାପୁଲି ଉପରେ ଚାପା ଦେଇ ସେ ପୁଣି ପ୍ରଶ୍ନ କଲେ ।

 

ଶୁଖିଲା ହସ ଖେଳାଇ କହିଲି, ‘‘ମନ୍ଦ ନୁହେଁ; ବେଶ୍‌ ଭଲ ହୋଇଛି ।’

 

–ସିନେମା ଦେଖିବାର ମୋର ଇଚ୍ଛା ନ ଥିଲା । ବରଂ ଅଶାନ୍ତି, ଅତୃପ୍ତି ଅନୁଭବ କରୁଥିଲି ।

 

ଖେଳ ପୁଣି ଆରମ୍ଭ ହେଲା । ଶେଫାଳିକାଙ୍କର କର ଚାପି–ଅଯଥା ଉତ୍ତର ଅପେକ୍ଷା–ବିନା କାରଣେ ହସି ଉଠିବା କାନ୍ଧ ଉପରକୁ ହାତ ଘେରେଇ–ପ୍ରତ୍ୟେକଟି ମୋ ଦେହରେ କଣ୍ଟା ଫୋଡ଼ି ଦେଉଥାଏ । ବିରକ୍ତି ବଢ଼ୁଥାଏ–କାରଣ ସେ ମୋର ବିରକ୍ତି ଜାଣି ସୁଦ୍ଧା ସେପରି କରି ଲାଗିଥାନ୍ତି ।

 

ଖେଳ ଶେଷ ହେଲା–ସମସ୍ତେ ବସ୍‌ରେ ଫେରିଲୁ ।

 

ବାରଣ୍ଡାରେ ଖଣ୍ଡିଏ ମସିଣା ପାରି ମୁଁ ହାଲିଆ ହୋଇ ଶୋଇ ରହିଥାଏ । ମଥା ଉପରେ ଆକାଶର ଖଣ୍ଡିଏ ସଂକୀର୍ଣ୍ଣ ଉଜ୍ଜ୍ୱଳ ଅଂଶ । ଚାରି ଆଡ଼ର ନାନାରକମ ସଙ୍ଗୀତ କୋଳାହଳ ଏଡ଼ି ମୁଁ ଭାବୁଥାଏ ସେଇ ଆକାଶ ବିଷୟରେ ।

 

–କେତେ ବଡ଼–ବିରାଟ ଆକାଶର ଏଇ ସଂକୀର୍ଣ୍ଣ ଅଂଶଟି ! ଆଉ ମୁଁ ? ଏତେ ବଡ଼ ଦୁନିଆ ଭିତରେ ମୁଁ କେତେ ଛୋଟ ! ମୋର ଭାବନା–ମୋର ଅନୁଭୂତି–କେତେ ସାରହୀନ !

 

–ଆଉ ମୋର ଚାରିଆଡ଼େ ଯେତେକ ନରନାରୀ ତାଙ୍କର କ୍ରିୟା ପ୍ରତିକ୍ରିୟା ନେଇ ଏଇ କିଛି ତଳେ ମୋର ଆଖି ସାମନାରୁ ଉଭେଇ ଯାଇଛନ୍ତି–ସେମାନେ ? ସେମାନେ ମଧ୍ୟ କ’ଣ ? ଆକାର ଅଛି–ସାର ନାହିଁ । କଥାବାର୍ତ୍ତା କରି ଚାଲିଛନ୍ତି–ଅଥଚ ଶବ୍ଦ ନାହିଁ ଯେପରି । କାଳର ବୁଦ୍‌ବୁଦ ! –ବୁଦ୍‌ବୁଦ ଯାହାର ପ୍ରୟୋଜନ ନ ଥିଲା–ନାହିଁ ।

 

‘‘ତଳଟାରେ କାହିଁକି ମୁଣ୍ଡ ରଖିଛନନ୍ତି ? ....ଏଇଠି ମୁଣ୍ଡ ଦିଅନ୍ତୁ ।’’ –ଶେଫାଳିକା ନିଜର କୋଳ ଉପରକୁ ମୁଣ୍ଡଟା ଟାଣି ନେଲେ । ମୋର ଭାବନା ନେଇ ଜୀବନଟାକୁ ମୁଁ ଏପରି ଅର୍ଥହୀନ ଧରି ନେଇଥିଲି ଯେ ହଁ କିମ୍ବା ନାହିଁ କରିବାକୁ ମୋର ଚେଷ୍ଟା ନଥିଲା ।

 

ତାଙ୍କର ଛାତି ଉପରେ ଖଣ୍ଡିଏ ବକ୍ଷାବରଣ ଛଡ଼ା ଶାଢ଼ୀ କିମ୍ବା ବ୍ଲଉଜ୍‌ ନଥିଲା–କୁଞ୍ଚୁ କୁଞ୍ଚୁ ଗହଳିଆ ବାଳ ଗୁଡ଼ିକ ପିଠି ଉପରକୁ ଖେଳି ଆସିଥାଏ ।

 

ଛୋଟ ପିଲାଟି ପରି ସେ ମୋତେ ଗେଲ କରି ଲାଗିଲେ । କିନ୍ତୁ ଆସକ୍ତି କିମ୍ବା ବିରକ୍ତି ସେ ମୁହୂର୍ତ୍ତରେ ମୋ ଭିତରୁ ବିଦାୟ ନେଇଥିଲେ ଯେପରି । ମୋର ହାତ ଯୋଡ଼ିକ ସେ ଅନେକଥର ନିଜ ଆଡ଼କୁ ଟାଣି ନେଉଥିଲେ–କିନ୍ତୁ ଛାଡ଼ି ଦେବା ପରେ ତାହା ପୁଣି ନିଜ ସ୍ଥାନକୁ ଫେରି ଆସୁଥିଲା ।

 

ଲାବଣ୍ୟମୟୀ ବିରକ୍ତ ହୋଇ କହିଲେ, ‘‘ଏପରି ବେଶରେ ଏଠାରେ ବସିଛୁ । ଲୋକେ ଦେଖିଲେ କ’ଣ ଭାବିବେ ?’’

 

‘‘ତୁମେ ତୁନି ରହ ମା’ ।’’ –ଶେଫାଳିକା ଅନୁରୂପ ବିରକ୍ତ ହୋଇ ଉତ୍ତର ଦେଲେ, ‘‘ଲୋକେ ଯାହା ଭାବିବେ–ଭାବୁଥାନ୍ତୁ ।’’

 

ପରିସ୍ଥିତି ଅସନ୍ଦୁର ଦେଖି ମୁଁ ତଳକୁ ମୁଣ୍ଡ ଖସାଇ ନେଲି । ଶେଫାଳିକା ଗେଲ କରିବା ସ୍ଥଳରେ ଅନେକ ଥର ତାଙ୍କର ମୁହଁ ମୋ ମୁହଁ ପାଖକୁ ଲଗାଇ ଆଣୁଥାନ୍ତି ।

 

ମୁଁ ସଂକୁଚିତ ହୋଇ ଉଠି ପଡ଼ିଲି ।

 

ଶେଫାଳିକାଙ୍କର ଆଖି ଦୁଇଟା ଜଳି ଉଠିଲା । ‘‘ନିଷ୍ଠୁର ବେଇମାନ ।’’ –ଗାଢ଼ କ୍ରୋଧରେ ଶେଷ ପଦକ ଅସ୍ପଷ୍ଟ ।

 

ସେ କ୍ଷିପ୍ରଗତିରେ ଓହ୍ଲାଇ ଗଲେ ।

 

....ମୋର କାନମୂଳ ପର୍ଯ୍ୟନ୍ତ ଲାଲ ହୋଇଗଲା । ହୁଏତ ହେଲି ନିଷ୍ଠୁର । କିନ୍ତୁ... ?

 

ଆକାଶର ରକ୍ତିମା ଉଭେଇ ଯାଇଥାଏ । ଆସନ୍ନ ରାତ୍ରି । ଅବଶଭାବେ ପଡ଼ି ରହିଲି । ମନରେ କରୁଣତା ଭରି ଉଠୁଥାଏ । ଅଯଥା ଆଖି ପଛପାଖେ ଲୁହ ଜମୁଁଥାଏ ।

 

‘‘ଚାହା ନିଅନ୍ତୁ ।’’ ଶେଫାଳିକା କୋମଳ କଣ୍ଠରେ ଅନୁରୋଧ କଲେ ।

ମନାକରି ନାହିଁ ।

ନୀରବରେ ଚାହାତକ ଢୋକି ନେଇ ଶୋଇ ରହିଲି । ଶେଫାଳିକା ମୋର ମୁଣ୍ଡ କପାଳ ଆଉଁସି ଲାଗିଲେ । ଅନେକଗୁଡ଼ାଏ ଉତ୍କଣ୍ଠିତ ପ୍ରଶ୍ନ ମୁହଁ ପାଖକୁ ଉଠି ଆସି ଫେରି ଯାଉଥାଏ ।

ଶେଷରେ ସଂଯତ ଗଳାରେ ପ୍ରଶ୍ନ କଲି । ‘ଆଚ୍ଛା ଶେଫାଳିକା ! ମୁଁ କେତୋଟି ପ୍ରଶ୍ନ ପ୍ରଚାରିବି ଭାବୁଛି । ତା’ର ଉତ୍ତର ଦେଇ ପାରିବ ?’’

‘‘କ’ଣ ?’’

‘‘ତୁମେ ମୋତେ ଭଲ ପାଅ ?’’

‘‘ହଁ ।’’

‘‘ସତରେ ?’’

‘‘ହଁ, ସତରେ ।’’

‘‘କିନ୍ତୁ ତୁମେ ତ ମୋତେ କେବେହେଲେ କହିନାହ ? ଚିଠିରେ ମଧ୍ୟ ଲେଖି ନ ଥିଲ ?’’

‘‘ଏ କଥା କ’ଣ ଚିଠିରେ ଲେଖା ଯାଇପାରେ ? ନା–ମୁହଁ ଫିଟାଇ କୁହା ଯାଇପାରେ-?’’

ହୁଏ ତ ପ୍ରକାଶ କରିବା ଏମାନଙ୍କର ସଂସ୍କାର ବାହାରେ ।

‘‘ତେବେ ତୁମେ ମୋତେ ‘ଦାଦା’ ବୋଲି ଡ଼ାକ କିପରି ?’’

‘‘ଆପଣଙ୍କୁ ତ ମୁଁ କେବେହେଲେ ‘ଦାଦା’ ବୋଲି ଡ଼ାକି ନାହିଁ । ଚିଠିରେ ମଧ୍ୟ ଲେଖିନାହିଁ-। ମା’ ଲେଖନ୍ତି । –ମୋତେ ଲେଖାପଢ଼ା ଆସେ ନାହିଁ ।’’ –ସେ ଆଦରରେ ମୋର ହାତଟି ତାଙ୍କ ଗାଲ ପାଖରେ ଧରି ଝୁଲାଇ ଲାଗିଲେ ।

ଉତ୍ତର ପାଇ ମୁଁ ବିସ୍ମିତ ହେଲି ।

ଆଉ ଗୋଟିଏ କଥା–ତୁମେ ମୋତେ କେବେଠାରୁ ଭଲପାଇ ବସିଲ ?’’

ପ୍ରଶ୍ନର ଯଥାର୍ଥତା ବିଷୟରେ ମୁଁ ସନ୍ଦିହାନ ଥିଲି ।

‘‘ଫୋଟ ଦେଖିବାଠାରୁ ।’’ ସେ ସହଜ ଭାବରେ କହିଲେ ।

‘‘ତୁମେ କିଶୋରଙ୍କୁ ମଧ୍ୟ ତ ଭଲ ପାଅ ?’’

‘‘ସେଥିରେ ଆପଣଙ୍କର କ’ଣ ଅଛି ?’’ ସେ ହସି ଓଲଟା ପ୍ରଶ୍ନ କଲେ ।

‘‘ନା–ମୋର କିଛି ନାହିଁ । କିନ୍ତୁ ଦୁଇଜଣଙ୍କୁ ଭଲ ପାଇବା ଅନୁଚିତ ବୋଲି କୁହାଯାଏ ।’’

‘‘ମୁଁ ଜାଣେ ।’’ ସେ ହସି ଉଠିଲେ ।

ମୋର ସଂଯତ ଗଳାର କୌଣସି ପରିବର୍ତ୍ତନ ନଥିଲା । ‘‘ଜାଣି ସୁଦ୍ଧା ଏପରି କର କାହିଁକି ?’’

‘‘ସେ ମୋର ଇଚ୍ଛା’’ ସେ ଗେଲେଇ ହେଇ କହିଲେ, ‘‘ଏସବୁ କ’ଣ କିଏ ଭାବି ବୁଝି କରେ ?’’

କିଛି ସମୟର ନୀରବତା ।

‘‘ମୋତେ ଭଲ ପାଇ ତୁମେ ଭୁଲ କରିଛ ।’’ ମୁଁ ଆରମ୍ଭ କଲି । ସେ ମୋର ହାତ ଦିଓଟି ନିଜ ବାହୁତଳେ ଜାକିନେଲେ ।

‘‘ତୁମେ ମୋତେ ‘ଦାଦା’ ବୋଲି ଡ଼ାକ ।’’

‘‘ତା ହୁଏ ନା’’–ସେ ମୋର ଆଙ୍ଗୁଠିଗୁଡ଼ିକ ଧରିନେଲେ ।

‘‘ହୁଏ ନା କାହଁକି ?’’

‘‘ମୁଁ ତ ଆଗରୁ ଭିନ୍ନ ଭାବରେ ଦେଖି ଆସିଛି । ଆଉ ଚୁମାଦେବା ପରେ ମୁଁ କ’ଣ ଏତେ ବୋକା ହେଇଛି ଯେ ଲେଉଟି ଯିବି ଭାବିଛନ୍ତି ?’’

‘‘କିନ୍ତୁ ତୁମର ଚେଷ୍ଟା ବିଫଳ....’’

‘‘ହେଲା ବା...’’ କଥାରେ ବେଖାତିର ସୁର ଦେଇ ସେ ଗେଲ କରି ଲାଗିଲେ ।

ଶେଫାଳିକାଙ୍କର ଆକ୍ଷେପ ମୋତେ ଆଘାତ ଦେଇଥିଲା । ପଚାରିଲି–‘‘ଆଚ୍ଛା ମୁଁ ଅବା ନିଷ୍ଠୁର ହେଲି । କିନ୍ତୁ ତୁମର ଅନ୍ୟ ଅଭିଯୋଗର ଉଦ୍ଦେଶ୍ୟ ?’’

ସେ ନିରୁତ୍ତର ହେଲେ ।

‘‘ମୋତେ ଆଜି ବିଦାୟ ନେବାକୁ ହେବ ।’’ ମୁଁ ଉଠି ବସିଲି ।

‘‘ପୁଣି କେବେ ଆସିବେ ?’’

‘‘ବୋଧହୁଏ ଆସିବି ନାହିଁ ।’’

‘‘ଚିଠି ଦେବେ ?’’

‘‘ସେପରି କିଛି ଦରକାର ମନେକରୁ ନାହିଁ ।’’

‘‘ମୁଁ ସିନା ଦୋଷୀ । ମା’ ତ କୌଣସି ଦୋଷ କରି ନାହାନ୍ତି ।’’ ସେ ଧୀର ଭାବେ ମୁଣ୍ଡପୋତି କହିଲେ ।

ମୁଁ ନିରୁତ୍ତର ହେଲି ।

ଶେଫାଳିକା କାନ୍ଥକୁ ଆଉଜି ବସିଥାନ୍ତି । କଥାବାର୍ତ୍ତାରେ ବ୍ୟର୍ଥ ଅଭିମାନର ବିରାଗ ।

‘‘ବିଚାରୀର ମନଟା ଖରାପ ହୋଇଗଲା ।’’ ଲାବଣ୍ୟମୟୀ ମୁହଁ ଶୁଖାଇ କହିଲେ ।

‘‘ଗୋଟାଏ ମିଠା ନିଅ ।’’ –ଶେଫାଳିକାଙ୍କୁ ପ୍ରଫୁଲ୍ଲ କରିବା ମୋର ଉଦ୍ଦେଶ୍ୟ ଥିଲା ।

‘‘ଆପଣ ଖାଉଥାନ୍ତୁ । ମୋର ଦରକାର ନାହିଁ ।’’ –ସେ ମୁହଁ ଫେରାଇଲେ ।

ଲାବଣ୍ୟମୟୀ ଶାସନ କଲେ–‘‘ଛିଃ, ଗଲାବେଳେ ଏସବୁ କ’ଣ ?’’

‘‘ଆଚ୍ଛା–ଆପଣ ଅଧେ ଖାଇ ବାକି ଅଧକ ମୋତେ ଦେଇ ପାରିବେ ?’’ ଶେଫାଳିକା ଆଗ୍ରହର ସହିତ ପଚାରିଲେ ।

ବୁଝି ପାରିଲି । କିନ୍ତୁ ଯିବା ପୂର୍ବରୁ ଆଉ ଆଘାତ ଦେବା ମୋର ଇଚ୍ଛା ନଥିଲା ।

ଲାବଣ୍ୟମୟୀ ଆର ପାଖରେ ବସି ରହିଥାନ୍ତି–ଶେଫାଳିକା ଗୁଣୁଗୁଣୁ ଗୀତ ଗାଇ ମୋତେ ସଜାଇ ଲାଗିଥାନ୍ତି ।

ସଜାଇସାରି ଅଳପ ହସି ମୋର ଆଖିକୁ ଫୁଙ୍କି ଦେଲେ । ମୁହଁଟି ହସରେ ଉଜ୍ଜଳ ହେଇ ଉଠିଲା । ପରେ ପରେ ଫେରି ଆସିଲା କରୁଣତା । ମୋର ପାପୁଲିଟି ଧରି ନିବିଷ୍ଟ ଦୃଷ୍ଟିରେ ସେ ଚାହିଁ ରହିଲେ ନୀରବରେ । ମନ ଭିତରେ କୋହଟାକୁ ଯେପରି ଚାପି ରଖିବାକୁ ଚେଷ୍ଟା କରୁଥାନ୍ତି ।

କଠିନ ବରଫ ତରଳିବାକୁ ଆରମ୍ଭ କଲେ ଯେପରି ଅତିଶୟ ତରଳ ହୋଇଆସେ–ଶେଫାଳିକାଙ୍କର ପ୍ରେମର କରୁଣ ଆବେଗ ପ୍ରତି ସହାନୁଭୂତି ନେଇ ଯେତେବଳେ ମୁଁ ସ୍ନେହଶୀଳ ହେବାକୁ ଆରମ୍ଭ କଲି ମୋର ସମସ୍ତ ସଂଯମ ନଷ୍ଟ ହୋଇ ଆସିଲା । ପ୍ରେମର ଉଚ୍ଛ୍ୱଳ ଧାରା ଖେଳି ଲାଗିଲା ମୋର ଶିରା ପ୍ରଶିରାରେ । ତାଙ୍କର ନିଃଶ୍ୱାସ ଆଉ ଶରୀର ସ୍ପର୍ଶରେ ମୋର ଦେହସାରା ଜାଗି ଉଠିଲା ଗୋଟାଏ ସ୍ପନ୍ଦନ ! ମନେ ହେଲା–ଶେଫାଳିକାଙ୍କୁ ମୋର ଅଦେୟ କିଛି ନାହିଁ !!

‘‘ଆଉ କ’ଣ ଚାହଁ ?’’ ମୁଁ ପ୍ରଶ୍ନ କଲି ।

‘‘କିଛି ନାହିଁ’’ ସେ ମୁହଁ ଶୁଖାଇ ଘୁଞ୍ଚିଗଲେ ।

କିନ୍ତୁ ମୁଁ ତାଙ୍କୁ ଟାଣିଆଣିଲି ଆବେଗରେ ।

ତାଙ୍କର କରୁଣ–ସୁନ୍ଦର ମୁହଁ ଖଣ୍ଡିକ ମୋ ମୁହଁ ପାଖରେ ଅପେକ୍ଷା କରି ରହିଲା ।

‘‘ଆଉ କ’ଣ ଚାହଁ ?’’ ମୋର ଚାପା ଗଳା ଅସ୍ଥିର ।

ସେ ସ୍ଥିର ଦୃଷ୍ଠିରେ ଚାହିଁ ରହିଲେ ।

....ମୋର ଓଠ କୋଣ ଥରି ଉଠିଲା... ।

‘‘ନମସ୍କାର–ମୁଁ ତେବେ ଆସେ ।’’–ଶେଫାଳିକା ଠିଆ ହେଲେ । କିନ୍ତୁ ପୁଣି ଲଥ୍‌ କରି ବସିପଡ଼ିଲେ–ଦେହରେ ତାଙ୍କର ବଳ ନଥିଲା ଯେପରି ।

‘‘ରୂମାଲ ଖଣ୍ଡିକ ଏଥର ଦିଅ ।’’ ମୁଁ କହିଲି ।

ଅତର ସିଞ୍ଚା ରୁମାଲ ଖଣ୍ଡିକ ଛାତିରେ ତାତିରେ ଉଷୁମ କରି ସେ ବଢ଼ାଇ ଦେଲେ । ଛାତି ତଳୁ ଥରି ଆସିଲା ଦୀର୍ଘଶ୍ୱାସ । –ବ୍ୟଥା ଅନୁଭବ କଲି ।

 

ଠିଆ ହେଲି । –ଶେଫାଳିକା ଉଠିପଡ଼ି ମୋର ହାତ ଧରିଲେ ।

 

‘‘ମୋତେ ସାଙ୍ଗରେ ନିଅନ୍ତୁ ।’’ କଣ୍ଠ ଥରି ଉଠିଥିଲା ।

 

‘‘କେଉଁଆଡ଼େ ?’’

 

‘‘ଯେଉଁଆଡ଼େ ଯିବେ ।’’

 

‘‘ସତ୍‌ପାତ୍ରରେ ଦେଇ ପାରିଲେ ତ ମୁଁ ନିଶ୍ଚିନ୍ତ ହୁଅନ୍ତି ।’’ ଲାବଣ୍ୟମୟୀ ଆର ପାଖକୁ ମତ ଦେଲେ ।

 

‘‘ପାଗଳୀ ।’’ ମୁଁ ଶେଫାଳିକାଙ୍କର ଗାଲ ଟିପି ଦେଲି ।

 

ଅଭିମାନରେ ସେ ହାତ ଖସାଇ ନେଲେ ।

 

ଶେଫାଳିକା ଘର ଛାଡ଼ି ଚାଲି ଯାଉଥିଲେ । ମୁଁ ମଧ୍ୟ ବାହାରି ଆସିଥିଲି । ହଠାତ ଉତ୍ତେଜିତ ଫଣୀ ପରି ସେ ପାଟି କରି ଉଠିଲେ, ‘‘ରୁହନ୍ତୁ’’ ।

 

ମୁଁ ବିସ୍ମିତ ହୋଇ ଗତି ବନ୍ଦ କଲି–‘‘କ’ଣ ?’’

 

ସେ ଧୀର ଭାବରେ ମୋର ପଦ ବନ୍ଦନା କଲେ ।

 

ମୁଣ୍ଡ ଉପରେ ହାତ ବୁଲାଇ ଆଣି କହିଲେ–‘‘ଖୁସି ରହ ।’’

 

ମନ ଭିତରର କୋହକୁ ଚାପିବାକୁ ଚେଷ୍ଟା କରି ସେ କ୍ଷିପ୍ରଗତିରେ ତଳକୁ ଚାଲିଗଲେ ।

 

ମୋର ଛାତି ଭିତରେ ସହାନୁଭୂତି ଆଉ କରୁଣାତାର ଘନଛାଇ । ମୁଁ ତାଙ୍କର ଯିବା ଆଡ଼କୁ କିଛି ସମୟ ଚାହିଁ ରହିଲି ।

 

‘‘କାହିଁକି ବାପା । ତୁମେ ପୁଣି ଆସିବ ନାହିଁ କାହିଁକି ?’’

 

ଲାବଣ୍ୟମୟୀ ମୋର ହାତ ଧରି ପଚାରିଲେ ।

 

‘‘ଏେଁ, ନା–ମା’–କ୍ଷମାକର ?’’

 

‘‘କିନ୍ତୁ–କାହିଁକି ?’’

 

‘‘ତୁମକୁ ତ କିଛି ଅଛପା ନୁହେଁ ମା’ । –ମୁଁ ଆସିଥିଲି ଶେଫାଳିକାଙ୍କ ଭାଇ ଭାବରେ । କିନ୍ତୁ ତାହା ସେ ଚାହାନ୍ତି ନାହିଁ । ଆଉ ସେ ଯାହା ଚାହାନ୍ତି–ମୁଁ ଦେଇପାରିବି ନାହିଁ ।’’

 

ସେ କିଛି ସମୟ ତୁନି ରହିଲେ ।

 

‘‘ମୁଁ ସବୁଜାଣେ ବାପା, ତୁମେ ଆସିବା ଶୁଣି ସେ ଦିନ ଜିଦ୍‌ କରିଥିଲା–‘‘ଏଇବାର ଦେଖେ ନିବ ।’’ କିନ୍ତୁ–ବିଚାରୀର ସବୁ ଚେଷ୍ଟା ବିଫଳ ହେଇଛି । ମୋତେ ସବୁ କହିଛି । ମୁଁ ଜାଣେ-। କିନ୍ତୁ ବାପା....’’

 

‘‘ହଁ ମା’, ମୋର ମଧ୍ୟ ଭୁଲ ହୋଇଛି ।’’

 

‘‘ନା–ନା–ମୁଁ ସେ କଥା କହୁନାହିଁ । ତୁମେ ତ ଯଥେଷ୍ଟ ସଂଯମ ଦେଖାଇଛ । ଯାହାକୁ ଭୁଲ ବୋଲି ଭାବୁଛ–ସେତକ କେବଳ ସ୍ୱାଭାବିକ ।’’

 

ଦୁହେଁ ନୀରବ ରହିଲୁ । ତାଙ୍କ କଥାର ଅର୍ଥ ଆଉ ସତ୍ୟତା ଭାବି ଲାଗିଥାଏ ।

 

‘‘ପୁଣି ଏଠାକୁ ଆସିବ–ଚିଠି ଦେବ ?’’ ସେ ମୋର ହାତ ନେଇ କହିଲେ । ଏଇ ବୃଦ୍ଧାଙ୍କର ଜୀବନ–ଦୁର୍ଗତି ଅଥଚ ସ୍ନେହ !

 

‘‘ଯଦି ଶେଫାଳିକା ମୋତେ ଦାଦା ବୋଲି ଗ୍ରହଣ କରନ୍ତି ।’’–ମୁଁ ସର୍ତ୍ତ ଦେଲି ।

 

‘‘ନା ବାପା–ଏପରି କହ ନାହିଁ । ମୁଁ ତ ଅଛି ।’’–ସେ ଲୁହ ପୋଛିଲେ ।

 

ବିଦାୟ ବେଳେ ଏହି ବୃଦ୍ଧାଙ୍କୁ ଆଘାତ ଦେବାକୁ ମୋର ହୃଦୟ ନଥିଲା ।

 

‘‘ତୁ ମେରା ମନ୍‌କା ମୋତି ହେ’’...

 

‘‘ଯବ୍‌ସେ ବାଲମ ଘର ଆୟେ...

 

ଦିଗ୍‌ବଳୟର ସେପାରିରୁ ଏକ ଅସ୍ପଷ୍ଟ ସ୍ମର୍‌ । ପବନର ତରଙ୍ଗରେ ନ ଜାଣିଲାପରି ଥରି ଭାସି ଆସେ–ମନର ପରଦାରେ ବାଧା ପାଏ ଯେପରି । ଗୋଟାଏ ଝଙ୍କାରରେ ମୋର ଚେତନ ମନ ଥରି ଉଠେ ପୁଣି ଧୀରେ ଧୀରେ ମସ୍ତିଷ୍କର କେଉଁ ଅନ୍ଧାରିଆ ଅଂଶରେ ସେ ହଜିଯାଏ । ପୁଣି ଥରି ଆସେ ଆହୁରି ଏକ ସୁରର୍‌ ତରଙ୍ଗ–‘‘ଓ ଲା ଲା ଲା–ଓ ଲା ଲା ଲା ଓ ଲା ଲା

ସମୟ ଗୁଜର୍‌ତି ଯାଏ.......

ଆଲୋଡ଼ିତ ହୃଦୟ ଭିତରେ ଜୁଆର ଆଉ ଭଟ୍ଟାର ଘନ ଘନ ଉତ୍‌ଥାନ ପତନ ।

ଘାଉଁରିଖିଆ ଦିଗ୍‌ବଳୟ ଉପରୁ ଆଖି ଫେରାଇ ଆଣିଲି ।

ରେଲ୍‌ର ଧଡ଼କ୍‌ ଧଡ଼କ୍‌ ଶବ୍ଦ । ନଇର ପାଣି ଚିକ୍ ଚିକ୍‌ କରି ଉଠୁଥାଏ । ଚାରିଆଡ଼ର ଶ୍ୟାମଳ ଶସ୍ୟକ୍ଷୟତ୍ର । ମଝିରେ ଆକାଶର ମନ୍ଦା ମନ୍ଦା ସାନ ସାନ ଡ଼େଣା ମେଲା ପକ୍ଷୀଗୁଡ଼ିକ ।

ଡବା ଭିତରକୁ ମୁହଁ ଫେରାଇଲି । ଚଷମାଦିଆ ବୁଢ଼ାଜଣକ ଏପର୍ଯ୍ୟନ୍ତ ଖବର କାଗଜରୁ ମୁହଁ ଉଠାଇ ନାହାନ୍ତି । ଛୋଟ ଛୋଆଟି ମା’ କୋଳରେ ନିଶ୍ଚିନ୍ତରେ ଶୋଇ ପଡ଼ିଲାଣି–ଅଭ୍ୟାସ ହେତୁ ତା’ର ଓଠ ଦିଓଟି ସଂଚାଳିତ ହୋଇଲାଗୁଛି । ପାଖ ଦେଇ ଆଉ ଗୋଟାଏ ରେଳ ଛୁଟିଗଲା । ଭଦ୍ରବ୍ୟକ୍ତି ଜଣକ ଟିକିଏ ମୁହଁ ଉଠାଇ ପୁଣି ସେହି ଖବରକାଗଜ ଉପରେ ଦୃଷ୍ଟି ନିବେଶ କଲେ ।

ମୁଚୁଳାଟାକୁ ଆହରି ଟିକିଏ ପାଖକୁ ଟାଣି ଆଉଜି ବସିଲି । ରେଳ ଛୁଟି ଚାଲିଥାଏ । ଜୋର୍‌ରେ । –ଆଖି ବୁଜି ଆଣିଲି ।

‘‘ଏଠାରେ କାହାର ଭୟ ନାହିଁ ।’’ ଚାପା ହସ ହିଁ–ହିଁ’’....’’ ସମସ୍ତ ରକ୍ତ ଟାଣି ହୋଇଗଲା ଯେପରି । ଓଠ ଉପରେ ଆର୍ଦ୍ର ଉଷ୍ମତା ତା’ର ପୁନଃ ପୁନଃ ଅଭିନୟ । ନିଶା ଫାଙ୍କିଆସିବାବେଳେ ଦେହ ଯେପରି ଝିମେଇଥାଏ–ପାଖ ଘୂରାଇଲି ।

 

‘‘ମୋତେ ଚିହ୍ନି ପାରୁଛନ୍ତି–ମୁଁ କ’ଣ ଆପଣଙ୍କର କେହି ନୁହେଁ ?’’

 

–ଝରକା ଉହାଡ଼ରୁ ଉଙ୍କିମରା ପାନବୋଳା ସୁନ୍ଦର ମୁହଁଟି ।

 

‘‘ଗୋଟାଏ ଦିଅନ୍ତୁ–ଆପଣଙ୍କର କିଛି କ୍ଷତି ହେବ ନାହିଁ ।’’

 

‘‘ଆଉ କ’ଣ ଚାହଁ ?’’

 

‘‘କିଛି ନାହିଁ ।’’ –ନୀରବ ଅପେକ୍ଷାର ଆକର୍ଷଣ । ଅଧର କୋଣରେ ସ୍ଫୁରଣ ।

 

‘‘ମୋତେ ସାଙ୍ଗରେ ନେଇ ଚାଲନ୍ତୁ ।’’

 

‘‘କେଉଁଆଡ଼େ ?’’

 

‘‘ଯେଉଁଆଡ଼େ ଯିବେ ।’’

 

‘‘ପାଗେଳୀ !’’ –ଅଭିମାନିନୀ !

 

–ରହି ରହି ଆସୁଥିବା ଝୁଣାର ଗନ୍ଧ ଭଳି–ମନ ତଳୁ ସ୍ମୃତିର ମହକ । ମୁଁ ପୁଣି ଉଠି ବସେ ।

 

ହଷ୍ଟେଲ୍‌ରେ ସେଇ ପୁରୁଣା କୋଠରୀ ଭିତରେ–

 

ଫୋଟୋଟି ଜୀବନ୍ତ ହୋଇ ଉଠେ । ଆଖିରେ ଫୁଟେ ଅନୁରାଗ ଅଭିମାନ–ମିନତି । ଓଠ ଥରେ–ବହୁଦୂରରୁ ଭାସିଆସେ ସୁର । ପରିଚିତ ଧାଡ଼ିଗୁଡ଼ିକରେ ଆବେଗର ଜୁଆର–ଚେତନାହଜା ଭାବନାରେ ଘୂର୍ଣ୍ଣି.....

 

ହଜିଯାଏ–କିନ୍ତୁ ସେ ସୁର୍‌ ହଜେନା । ଭାଷା କହି ଚାଲିଥାଏ–ବହିର ପୃଷ୍ଠା ଭିତରେ–ଝରକାର ପରଦା ଆଡ଼େଇ–ଆକାଶର ସାଦା ମେଘ ତଳୁ ।

 

ମୁଁ ଅଣନିଃଶ୍ୱାସୀ ହୋଇପଡ଼େ ।

 

ସରୋଜ ! ସରୋଜ ! ଆରେ, ମୁଁ ତୁମକୁ ଏତେଥର ଡ଼ାକିଲିଣି–ତଥାପି ତୁମେ ବସିରହିଛ–ସରୋଜ !’’

 

ଚମକି ପଡ଼ିଲି ।

 

‘‘କଥା କ’ଣ ? କ’ଣ ଗୁଡ଼ାଇ ଭାବିଲାଗିଛି ?’’ ରାମସ୍ୱରୂପ ଚାହା କପ୍‌ଟା ବଢ଼େଇଦେଲେ ।

 

‘‘କିଛି ନୁହେଁ–ସେପରି ଗୁରୁତର କିଛି ନୁହେଁ ।’’ –ସ୍ୱାଭାବିକ ସ୍ମିତ ହାସର ଚେଷ୍ଟା ।

 

‘‘ଉଁ ହୁଁ’’ ବନ୍ଧୁଙ୍କ ଓଠରେ ସହଜ ମନ୍ଦ ହାସ । ‘‘ସମୟ ପାଖେଇ ଆସିଲାଣି ଯେ...... ।’’ ତାଙ୍କର ଦୃଷ୍ଟିରେ ଇଙ୍ଗିତ । –ଚାମେଲୀ ଆସିବାକୁ ଆଉ ଅଳ୍ପ ଦିନ ରହିଛି ।

 

ବନ୍ଧୁଙ୍କ ପାଖରେ ପ୍ରକାଶ କରିବାକୁ ମୋର ସାହସ ନାହିଁ । କିନ୍ତୁ ଚାମେଲୀ ? ହ, ସେ ମୋତେ ବୁଝିବେ–ବୁଝିବା ତାଙ୍କର ଜରୁରୀ....

 

–ଚାମେଲୀ ନୀରବ ରହିଲେ : ତାଙ୍କର କୋଳରେ ମୁଣ୍ଡଦେଇ ଶୋଇଥାଏ । ଗଙ୍ଗାକୂଳରେ ସେଇ ପରିଚିତ ସ୍ଥାନଟି । ସେଇ ସନ୍ଧ୍ୟାବେଳ । ଆକାଶରୁ ନାଲି ଆଲୋକ ଲିଭି ନାହିଁ–ସୋତରେଖାରେ ତା’ର : ଝଲସ ।

 

‘‘ତୁମେ ମୋତେ କ୍ଷମା କର ଚାମେଲୀ ।’’

 

‘‘କି ପାଗଳାମି !’’ ସେ ମୋର ନାକ ଟିପିଦେଲେ । ‘‘ଏଇପରି ନାକ ଟିପିଦେଉଥିଲା–ନା’’

 

‘‘ହଁ ।’’

–ଚାମେଲୀ ହସି ଲାଗିଲେ । ଆଉ ସେଇ ହସରେ ମୁଁ ଯେପରି ସବୁ କିଛି ପାଇଥିଲି–କ୍ଷମା, ବିଶ୍ୱାସ ଆଉ ପ୍ରେମ ।

 

‘‘ଚାଲ ଏଥର ଯିବା ।’’ ସେ ଝଙ୍କାଇଦେଲେ ।

 

‘‘ତୁମେ ତାହାହେଲେ ମୋତେ ବିଶ୍ୱାସ କରିପାରିଲ ଚାମେଲୀ ?’’

 

‘‘କହିଥିଲି ପରା, ତୁମ କଥାରେ ମୋର ବିଶ୍ୱାସ ଅଛି ।’’

 

‘‘କିନ୍ତୁ ମୁଁ ଯେ ସମୟେ ସମୟେ ନିଜକୁ ବିଶ୍ୱାସ କରିପାରେନି ।’’

 

‘‘ସେଥିପାଇଁ ତ ମୋର ଦରକାର ।’’

 

ଚାମେଲୀଙ୍କ ସ୍ନିଗ୍ଧ ଆକର୍ଷଣ, ରାମସ୍ୱରୂପଙ୍କର ସୌହାର୍ଦ୍ଦ୍ୟ, ସାଙ୍ଗ ସାଥୀଙ୍କର ଆଳାପ–ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ଫଳରେ ଶେଫାଳିକା ଧୀରେ ଧୀରେ ଦୂରେଇଗଲେ । ରାସ୍ତାକଡ଼ର ହୋଟେଲ, ସିନେମା ପାର୍କ–କେଉଁଠି ଯଦି ଆକସ୍ମିକ ସୁର୍‌ ଉଠେ–ସେଇ ପରିଚିତ ସଙ୍ଗୀତ ଗୁଡ଼ିକ–ପ୍ରାଣବନ୍ତ ହୋଇଉଠେ । ସାଇକେଲ୍‌ ଥମିଯାଏ । କିଛି ସମୟ ପାଇଁ ମନ ଫେରିଯାଏ ସେଇ ଅତୀତକୁ । କିନ୍ତୁ ଫେରି ଆସିବାକୁ ଡେରି ହୁଏ ନାହିଁ ।

 

–କେତେବେଳେ ଗୋଟାଏ ଦିଟା କଥା–ଗୋଟାଏ ଦିଟା ଭାବନା–କିନ୍ତୁ ଆଉ ଧରିରଖି ହୁଏନା । ହାତ ମୁଠାରେ ପାଣିର ସୁଅଭଳି ।

 

ସୁଖର ଦିନଗୁଡ଼ିକ ବିତିଲାଗିଲା ।

 

–ପୁଣି ସେଇ ପରୀକ୍ଷା !

 

ପଢ଼ାପଢ଼ିର ଧୁମ୍‌ । ଜାଗରଣ–କଷା ଆଖିଯୋଡ଼ିକ ବହି ଏବଂ ନୋଟ୍‌ର ପୃଷ୍ଠାଗୁଡ଼ିକ ଉପରେ ଚଞ୍ଚଳ ହୋଇଉଠେ । ଟେବୁଲ୍‌ ପାଖରେ ଚାହା କପ୍‌ । –ଘଣ୍ଟାର ଟିକ୍‌ ଟିକ୍‌ । କଲମର ଚଞ୍ଚଳ ଗତି ....

 

ପରୀକ୍ଷା ଆସି ଚାଲିଯାଇଛି । ରାସ୍ତାକଡ଼ରେ ପିଲମାନଙ୍କର କଳ୍ପନା ଜଳ୍ପନା । ଈର୍ଷା ଗୋପନ ସକାଶେ ପରସ୍ପର ପ୍ରତି ଅନର୍ଥକ ପ୍ରଶଂସା । –ପବନରେ ନିଶ୍ଚଳତା !

 

‘‘Congratulation’’ ଚାମେଲୀ ପାଟିକରି ମୋଆଡ଼େ ଧାଇଁ ଆସିଲେ । ଜୀବନରେ ପ୍ରଥମ ଶ୍ରେଣୀରେ ପ୍ରଥମ ହେବା ଏଇ ପ୍ରଥମ ଓ ଏଇ ଶେଷ ।

 

‘‘ମୋର ସଫଳତା ପାଇଁ ତ ତୁମେ ଦାୟୀ ଚାମେଲୀ ।’’

 

–ରାମସ୍ୱରୂପ ଦ୍ୱିତୀୟ ଶ୍ରେଣୀରେ ପ୍ରଥମ ହୋଇଥିଲେ ।

 

ଅନେକ ଆଶା ଆଶଙ୍କା ନେଇ ଚିଠିଖଣ୍ଡିକ ଖୋଲି ବସିଲି ।

 

ନନା ଲେଖିଛନ୍ତି...

 

କଲ୍ୟାଣୀୟ ସରୋଜ,

 

ମୋର ସ୍ନେହ ନେବୁ । ତୋର ପରୀକ୍ଷାଫଳ ଶୁଣି ମୁଁ ଅତିଶୟ ଆନନ୍ଦିତ ହେଲି । ସେଠାରେ ଯଦି ପି. ଏଚ୍‌. ଡ଼ି. କରୁ ତାହାହେଲେ ମୋର ଆପତ୍ତି ନାହିଁ । ଆବଶ୍ୟକୀୟ ଟଙ୍କା ଦେବାକୁ ମୁଁ ପ୍ରସ୍ତୁତ ଅଛି ।

 

ତୋର ବିବାହ ବିଷୟ ନେଇ ତୋର ମତ ବିରୁଦ୍ଧରେ କୌଣସି କାର୍ଯ୍ୟ କରିବାକୁ ମୋର ଇଚ୍ଛା ନୁହେଁ । କିନ୍ତୁ ସେ ବିଷୟ ପି. ଏଚ୍‌. ଡ଼ି. ପରେ ବିଚାର କରିବା ।

 

ଇଚ୍ଛା କଲେ ବର୍ମା ଆସିପାରୁ । ନହେଲେ ସେଇ ଆହ୍ଲାବାଦରେ ରହିଲେ ମୁଁ କିଛି ମନେ କରିବି ନାହିଁ ।

 

ତୋର

ଶୁଭକାଂକ୍ଷୀ ନନା

 

ଚିଠିଟି ପଢ଼ି ପ୍ରଥମେ ଆନନ୍ଦିତ ହେଲି । ଚାମେଲୀଙ୍କ ପରିଚୟ ଦେଇଥିଲି, ‘‘ଏଠାକାର ଜଣେ ଡାକ୍ତରଙ୍କ ଝିଅ–ଆମେ ଦୁହେଁ ଏକା ସାଙ୍ଗରେ ପଢ଼ୁ ।’’–କିନ୍ତୁ ଚିଠିଟି ଆଉଥରେ ପଢ଼ି ମନର ଆନନ୍ଦ କମି ଆସିଲା । ଚାମେଲୀ ଆଉ ଦୁଇ ତିନିଟା ବର୍ଷ ଅପେକ୍ଷା କରି ପାରନ୍ତି । କିନ୍ତୁ ଡାକ୍ତର ମୁଖାର୍ଜୀ ? ନନା ଯଦି ରାଜି ହୋଇ ସ୍ଥଗିତ ରଖିଥାନ୍ତେ, ତାହାହେଲେ କଥା ନଥିଲା । କିନ୍ତୁ ସେ ଯିମିତି ଏକଜିଦିଆ–ଯଦି କୌଣସି ମତେ ତାଙ୍କର ପ୍ରତିକୂଳ ମତ ହୁଏ ! ତେବେ ଚିଠି ଯେତେବେଳେ ପାଇଛି, ଚାମେଲୀଙ୍କୁ ଏ ସମ୍ବାଦ ନ ଦେବା ଅନ୍ୟାୟ ହେବ ।

 

‘‘କାଲି ଏ ବିଷୟ ନେଇ ବାପାଙ୍କ ସହିତ ମୋର କଥାବାର୍ତ୍ତା ହେଇଥିଲା । ବାପା ଦିନ ଗଡ଼େଇବାରେ ପକ୍ଷପାତୀ ନୁହନ୍ତି । କିନ୍ତୁ ମୋର ଆଶା–ମୁଁ ଯଦି ଦାୟିତ୍ୱ ନିଏ ବାପା ପାଟି ଫିଟାଇବେ ନାହିଁ ।’’ –ଚାମେଲୀ ବଡ଼ ବିମର୍ଷ ଦେଖାଯାଇଥାନ୍ତି । ଚିଠି ଖଣ୍ଡିକ ଉପରେ ସେ ପୁଣି ଆଖି ବୁଲାଇଲେ । ‘‘ତୋର ବିବାହ ବିଷୟ ନେଇ ତୋର ମତ ବିରୁଦ୍ଧରେ କୌଣସି କାର୍ଯ୍ୟ କରିବା ମୋର ଇଚ୍ଛା ନୁହେଁ । –ଏଥିରୁ ବେଶ୍‌ ଜଣାପଡ଼ୁଛି, ସେ ଆମର ବିବାହ ବିରୁଦ୍ଧରେ ଯିବେ ନାହିଁ । ଅନ୍ତତଃ ସେଇଟା ତାଙ୍କର ନୀତି । ଆଶାକରେ, ବାପାଙ୍କୁ ବୁଝାଇ ପାରିବି-।’’

 

ଚିଠି ଖଣ୍ଡିକ ମୋଡ଼ି ଦେଇ ରଖୁ ରଖୁ ସେ ହସ ଚାପି ଗଳା ଖଙ୍କାର ମାରି କହିଲେ, ‘‘କିନ୍ତୁ ଗୋଟାଏ କଥା ।’’

 

ନିର୍ବୁଦ୍ଧିଆ ସ୍କୁଲ ପିଲାଙ୍କ ଭଳି ମୁଁ ଚାହିଁ ରହିଥାଏ ।

 

‘‘କ’ଣ ?’’

 

‘‘ମୋତେ କଥା ଦିଅ....ତୁମେ କେବେହେଲେ ମୋର ଅବାଧ୍ୟ ହେବ ନାହିଁ ?’’

 

ହସ ମାଡ଼ିଲା–‘‘ହଁ, ସେତିକି ବିଶ୍ୱାସ ମୋର ଏବେ ହେଇଗଲାଣି ।’’

 

–ରାମସ୍ୱରୂପ ଚିଠି ଦେଇଛନ୍ତି, ସେ ଅତି ଶୀଘ୍ର ମୋଗଲ ସରାଇରେ କାର୍ଯ୍ୟଭାର ଗ୍ରହଣ କରୁଛନ୍ତି । –ବନ୍ଧୁ ଆଇ, ପି. ଏସ୍‌. ସକାଶେ ମନୋନୀତ ହୋଇଥିଲେ ।

 

‘‘ଆରେ ବାଃ, ଲୋକେ ପୁଣି ଏଇପରି ଗବେଷଣା କରୁଥାନ୍ତି ?’’ ଲାଇବ୍ରେରୀର ଗବେଷଣା ପ୍ରକୋଷ୍ଠର ଦ୍ୱାରଦେଶରୁ ଚାମେଲୀ ଡାକି ଉଠିଲେ ।

 

ଅତିରିକ୍ତ ପରିଶ୍ରମ ହେତୁ କ୍ଳାନ୍ତ ହୋଇ ମୁଁ ଟିକିଏ ଆଖି ବୁଜି ନେଇଥିଲି । କଳା କଳା ଅକ୍ଷର ଗୁଡ଼ାକ ଆଖିପତା ତଳେ ନାଚ କୁଦ କରି ଲାଗିଥିଲେ ।

 

‘‘ଭାରି କ୍ଳାନ୍ତ ହୋଇ ପଡ଼ିଥିଲ–ନା ?’’

 

‘‘କାଇଁ–ନା ତ ?’’

 

ଯୁକ୍ତି ନ କରି ସେ ବହି ଖଣ୍ଡିକ ବଢ଼ାଇ ଦେଇ ପଚାରିଲେ, ‘‘ଏଇ ବହି ଖଣ୍ଡିକ ତୁମେ କାଲି ଖୋଜି ବୁଲୁଥିଲ ?’’

 

–ବହିଟି ନେଇ ମୁଁ ଆନନ୍ଦରେ ଓଲଟାଇ ଲାଗିଲି । ‘‘କେତେବେଳେ ଏ ସମସ୍ତ ଶେଷ କରିବି ?’’ –ମୁଁ ବ୍ୟସ୍ତ ହେଲି ।

 

‘‘ତୁମେ ବେଶୀ କିଛି ବ୍ୟସ୍ତ ହେବା ଦରକାର ନାହିଁ । ଏଇ ଦେଖ ତୁମର ଦରକାରୀ ଅଂଶଟି ମୁଁ ଟିପି ନେଇଛି । ଆଉ କିଛି ଦରକାର ମନେ କଲେ ଯୋଗ କରିପାର ।’’ –ନୋଟ୍‌ ଖଣ୍ଡିକ ବଢ଼ାଇ ଦେଇ ସେ ତାଙ୍କ ପଢ଼ାରେ ମନ ଦେଲେ ।

 

ଚାମେଲୀଙ୍କ ଏହିଭଳି କାମ କିଛି ନୂଆ ନୁହେଁ । ଯେଉଁ ବହିଟି ମୁଁ ଖୋଜି ଖୋଜି ପାଇ ନ ଥାଏ, ତାକୁ ସେ କେଉଁଠାରୁ ସଂଗ୍ରହ କରି ଦରକାରୀ ଜିନିଷଗୁଡ଼ିକ ଟିପିନେଇ ବହି ସହିତ ମୋତେ ଟିପା ଖଣ୍ଡିକ ବଢ଼ାଇ ଦିଅନ୍ତି । ମୁଁ ବହିଟି ଆଉ ଟିପା ଖଣ୍ଡିକ ପଢ଼େ–ଦରକାର ମନେକଲେ ଆଉ କିଛି ଟିପି ନିଏ–କିନ୍ତୁ ସାଧାରଣତଃ ଦରକାର ପଡ଼େ ନାହିଁ । ସମୟେ ସମୟେ ଚାମେଲୀ ଅତିର୍କିତ ପ୍ରଶ୍ନ କରନ୍ତି–ମୋର ବିଷୟ ଉପରେ । ପ୍ରଶ୍ନଗୁଡ଼ିର ମୀମାଂସା କରିବାକୁ ମୋର ଆଉଥରେ ବହିଗୁଡ଼ିକର ପୃଷ୍ଠା ଓଲଟାଇବାକୁ ପଡ଼େ । ପରିଶ୍ରମ ହୁଏ ଅବଶ୍ୟ କିନ୍ତୁ ଯୁକ୍ତିତର୍କ ଫଳରେ ବିଷୟଟି ସ୍ପଷ୍ଟତର ଆଉ ପୂର୍ଣ୍ଣାଙ୍ଗ ହୁଏ ।

 

ଅନ୍ୟାନ୍ୟ ଅନେକ ବିଷୟପରି ଏଥିପାଇଁ ମଧ୍ୟ ମୁଁ ଚାମେଲୀ ପାଖରେ କୃତଜ୍ଞ । କିନ୍ତୁ ଦେଖିଲି ଯେ ଚାମେଲୀ ନିଜ ବିଷୟଟିରେ ବେଶୀଦୂର ଆଗେଇବାର ପରି ମନେ ହେଉନାହିଁ ।

 

‘‘ଆଚ୍ଛା ଚାମେଲୀ, ତୁମ ବିଷୟରେ ତୁମେ କେତେଦୂର ଆଗେଇଛ ଶୁଣେ ?’’

 

‘‘ପ୍ରାୟ କିଛି ନୁହେଁ ।’’

 

‘‘ତେବେ ମୋ ବିଷୟରେ ଏତେ ମୁଣ୍ଡ ଖଟାଇ ସମୟ ନଷ୍ଟ କର କାହିଁକି ?

 

‘‘ସେଥିରେ କ’ଣ ମୋ ସ୍ୱାର୍ଥ ନାହିଁ ?’’

 

ପରସ୍ପରର ସାହାଯ୍ୟ ଆଉ ଅକ୍ଳାନ୍ତ ପରିଶ୍ରମ ଫଳରେ ଦେଢ଼ଟି ବର୍ଷରେ ମୋର ଥେସିସ୍‌ ଖଣ୍ଡିକ ପୂର୍ଣ୍ଣ ହୋଇ ପାରିଥିଲା । ଚାମେଲୀଙ୍କୁ ଆଉ ୬ମାସ ଅଧିକ ଲାଗିଥିଲା ।

 

ଆଖିରେ ସଫଳତାର ଝଲସ ଖେଳାଇ ଚାମେଲୀ ପରାଚିଲେ, ‘‘ଏଥର ?’’

 

ବୁଝିଲି ।

 

‘‘ହଁ ବାପାଙ୍କ ପାଖକୁ ଲେଖିବି ।’’

 

କିନ୍ତୁ–

 

–‘‘ଆଚ୍ଛା ଚାମେଲୀ, ତୁମର ବାପା ତ ଏ ପ୍ରସ୍ତାବ ଦେଇ ପାରନ୍ତି ?’’

 

ଚାମେଲୀ ମୁହଁର ଭାବ ବଦଳଳାଇଲେ–‘‘ତା ସତ, କିନ୍ତୁ କାଳେ କିଛି ବିଘ୍ନ ଘଟିପାରେ–ସେଥିପାଇଁ ବାପା ଏଇ ବାଟ ନିରାପଦ ମନେ କରନ୍ତି ନାହିଁ । ସେ ତ ପୁରୀରୁ ଲେଖି ପାରିଥାନ୍ତେ ।’’

 

‘‘ନିରାପଦ ମନେ କରନ୍ତି ନାହିଁ–କାହିଁକି ?’’

 

‘‘ବାପା କହନ୍ତି, ପୁରୁଣାବନ୍ଧୁ ହିସାବରେ ସେ ତୁମ ନନାଙ୍କ ପ୍ରକୃତି ତୁମ ଅପେକ୍ଷା ଭଲ ଭାବରେ ଜାଣନ୍ତି । ତାଙ୍କର ବିଶ୍ୱାସ ତୁମ ପକ୍ଷରେ ଏ ପ୍ରସ୍ତାବ ଉଠାଇବା ସୁବିଧାଜନକ ।’’

 

କିଛି ଅସ୍ୱସ୍ତି ଅନୁଭବ କଲି । ନନା ଅବଶ୍ୟ ସମୟେ ସମୟେ ନିତାନ୍ତ କଠୋର ହୋଇ ପଡ଼ନ୍ତି । କିନ୍ତୁ ମୋର ମତ ବିରୁଦ୍ଧରେ ହସ୍ତକ୍ଷେପ ନ କରିବା ଯେତେବେଳେ ତାଙ୍କର ନୀତି, ସେତେବେଳେ ତ ମୁଖାର୍ଜୀଙ୍କର ପ୍ରସ୍ତାବ ନ ଉଠାଇବାର କାରଣ ନାହିଁ ?

 

–ଚାମେଲୀଙ୍କର ଶୁଖିଲା ମୁହଁ ଦେଖି ଏ ଭଳି ଯୁକ୍ତି କରିବାକୁ ଇଚ୍ଛା ହେଲା ନାହିଁ । ପ୍ରଶ୍ନଟା ମଧ୍ୟ ମୋର ଦୁର୍ବଳତା ବୋଲି ଧରାଯାଇପାରେ ଯେ ନାନାଙ୍କ ପାଖରେ ପ୍ରସ୍ତାବ ଉଠାଇବାକୁ ମୋର ସାହାସ ନାହିଁ ।

 

ଦେବସ୍ୱରୂପଙ୍କ ପାଖରୁ ନିମନ୍ତ୍ରଣ ଆସିଛି । ଆଗାମୀ ନଭେମ୍ବର ତା୨୭ ରିଖରେ ରାମସ୍ୱରପଙ୍କର ବିବାହ । ରାମସ୍ୱରପ ମଧ୍ୟ ଖଣ୍ଡିଏ ବ୍ୟକ୍ତିଗତ ଚିଠି ପଠାଇଛନ୍ତି । –ଚାମେଲୀଙ୍କର ଆଖିରେ ଆନନ୍ଦ । ଗୀତାଙ୍କୁ ଅନେକ ଦିନ ପରେ ଦେଖି ପାରିବେ । –ଗୀତା ପରିହାସ ସହିତ ଅନୁରୋଧ କରି ଲେଖିଛନ୍ତି–‘ଦିଓଟିଯାକ ପକ୍ଷୀ’ ଯିବାକୁ ।

 

ଡାକ୍ତର ମୁଖାର୍ଜୀଙ୍କର ଆପତ୍ତି ନାହିଁ ।

 

ଶଙ୍ଖ ମହୁରୀ ଆଉ ବାଦ୍ୟ ଶବ୍ଦ ମଝିରେ ଅନେକ ଦିନପରେ ଦେବସ୍ୱରୂପଙ୍କର ଘଡ଼ଘଡ଼ିଆ ରେଡ଼ିଓ ଅବାଜ ଶୁଣି ଖୁସି ଲାଗିଲା । ରାମସ୍ୱରପ ନିଜର ପରିଧିକୁ ଆହୁରୀ ଟିକିଏ ବଢ଼ାଇ ପାରିଛନ୍ତି । ଗୀତା ‘‘ସରୋଜ ଭୈୟା–ଚାମେଲୀ ଭାବାଜୀ’’–ଅପ୍ରତିଭ ଅଥଚ ସୁଖକର ଅଭିନନ୍ଦନ କଲେ ।

 

କାର୍ଯ୍ୟବ୍ୟସ୍ତ ଭାବୀଜୀଙ୍କୁ ଯାଇ ହଠାତ୍‌ ନମସ୍କାର କରି ପକାଇଲି । କିଏ ଭାବି ସେ ଓଢ଼ଣା ଟାଣି ଆଣିଲେ ।

 

–ଅସ୍ୱାଭାବିକ ପରିସ୍ଥିତି ।

 

କିନ୍ତୁ ଚିହ୍ନିପାରି ଭାବୀଙ୍କ ଓଠରେ ହସ ଫୁଟିଲା–

 

ଦେବସେନ ଆଉ ଇନ୍ଦ୍ରସେନୀ ବଡ଼ ହୋଇ ଯାଇଛନ୍ତି । ଦେବସେନର କପାଳ ଉପରେ ତିନି ଆଙ୍ଗୁଳିଆ ଚନ୍ଦନର ପ୍ରଲେପ ।

 

ଚାଚା ସାହେବ କୁଣ୍ଢାଇ ପକାଇଲେ ।

 

ଚିପା ପାଇଜାମା ଆଉ ଲମ୍ବା ଅଚକାନ୍‌ରେ ରାମସ୍ୱରପଙ୍କ ସ୍ଥୂଳ ଶରୀରଟି ଘୋଡ଼ାଇ ହୋଇଥିବା ଦେଖି କୌତୁକ ଲାଗିଲା । ମୁଣ୍ଡରେ ଜରିଲଗା ପାଗ–ଗୁଡ଼ାଏ ହାବୁରୁ ଜାବୁବୁ ଫୁଲମାଳ ତାଙ୍କୁ ହୁଏତ କୁତୁକୁତୁ କରୁଥାଏ । ସେ ଅନେକ ପ୍ରତିବାଦ–ଅସମ୍ଭବ ଅସୁବିଧା ଭୋଗ କରୁଥାନ୍ତି । ପରିହାସରେ କହିଲି–‘‘ଆନନ୍ଦରେ ଅସୁବିଧା ନ ଥିଲେ ସେତେଦୂର ପ୍ରୀତିପଦ ହୁଏ ନାହିଁ ।’’

 

‘‘ରହ ରହ, ମୋତେ ମଧ୍ୟ କହିବାକୁ ବେଳ ଆସିବ ଯେ ।’’ ରାମସ୍ୱରୁପ ହସି ହସି ଚେତାବାଣୀ ଶୁଣାଇଲେ ।

 

ଶୁଭ ଶଙ୍ଖ–ମନ୍ତ୍ର ପାଠ–ହୁଳୁହୁଳୀ–ହୋମ ଅଗ୍ନି... । କପାଳରେ ଚନ୍ଦନର ଛାପ–ପାଦର ଅଳତା–କୌତୁକ ପରିହାସ । ବେଳଗଡ଼ା ଉପାସ–ପେଟଠେଲା ଭୋଜି–ଆତସବାଜି–ହୋ ହୋ–କାଉ କାଉ–ବିବାହ ! ଅଗ୍ନି ଏବଂ ଅନ୍ୟାନ୍ୟ ଦେବତାଙ୍କୁ ସାକ୍ଷୀ ରଖି ଦିଓଟି ହାତ ଛନ୍ଦା ହୋଇଗଲା–ଦିଓଟି ପ୍ରାଣ–ଅନ୍ତତଃ ଏଇ ଜନ୍ମକ ପାଇଁ । –ଦେବତା ପାଇଲା ଘିଅ, ଫୁଲ, ଚନ୍ଦନ–ସମାଜ ପାଇଲା, ଭୋଜି କୌତୁକ, ସମ୍ମାନ ।

 

କପାଳରୁ ଝାଳ ପୋଛି ରାମସ୍ୱରୂପ ରେଶମୀ ଆବୃତ ଶରୀରଟିକୁ ଦୁଲ କରି ତଳେ ଥୋଇ ଦେଇ କହିଲେ–‘‘ଓହୋ !’’

 

‘‘ଆଇ. ପି. ଏସ. ପରୀକ୍ଷାରୁ ବେଶୀ କଷ୍ଟଦାୟକ ନୁହେ ବୋଧହୁଏ ?’’

 

‘‘ରଖ ହୋ ତୁମର ଆଈ. ପି. ଏସ. ।’’

 

ବରକନ୍ୟା ଫେରି ଆସିଛନ୍ତି ଶୁଦ୍ଧପୁର । ଗାଁ ଖଣ୍ଡିକ ଆନନ୍ଦରେ ମାତି ଉଠିଛି । ଦେବସ୍ୱରୁପ ତାଙ୍କର ଘଡ଼ଘାଡ଼ିଆ ଗଳା ନେଇ ସବୁଠାରେ ହାଜର– । ପୁରୁଣା ଖାନାଦାନୀ ଯେପରି ବଜାୟ ରହେ–ମାନ ମହତ୍ତ୍ୱରେ ବାଧା ନ ପଡ଼େ– ।

 

ବୋହୂ ଦେଖା– ।

 

ମୁହଁ ତଳକୁ ହାତେ ଓଢ଼ଣା ଲମ୍ବି ଆସିଥାଏ । ଗୀତା ଦେବୀ ସହଚରୀ । ଦେବୀ ଦର୍ଶନକୁ ଗଲା ପରି ସମସ୍ତଙ୍କ ହାତରେ କିଛି ନା କିଛି–ଶ୍ରଦ୍ଧା, ସ୍ନେହର ସନ୍ତକ । ପ୍ରତିବଦଳରେ କିଏ ପାଏ ବନ୍ଦନା–କିଏ ପାଏ ମିଠା ଆଉ ପାନ ।

 

‘‘ଏଇ ଜଣକ ତୁମ ପ୍ରାଣବନ୍ଧୁଙ୍କର ପ୍ରିୟବନ୍ଧୁ ।’’ ହାସ୍ୟମୟୀ ଗୀତା ମୋର ପରିଚୟ ଦେଲେ । ଓଢ଼ଣି ଭିତରେ ଗୋଟିଏ ମୁରୁକି ହସ ଚାପି ହୋଇ ଯାଇଥିବ... ।

 

ଦୁଃଖ ସମୟରେ ସହାନୁଭୂତି ପାଇଁ ମଣିଷ ଯେପରି ଅଭିଳାଷୀ ହୁଏ, ସୁଖ ସମରେ ମଧ୍ୟ ଠିକ୍‌ ସେହିପରି । ନିଜର ଆନନ୍ଦ ସକାଶେ ଯଦି ଆଉ କେତେଜଣ ସୁଖୀ ହୋଇଥାନ୍ତି–ତେବେ ନିଜର ଆନନ୍ଦ ବଢ଼ି ଉଠେ–ଚାରିଆଡ଼େ ଆନନ୍ଦ ଭିତରେ ବିବାହିତ ନୂଆ ଜୀବନ ଦିଓଟି–ଭବିଷ୍ୟତର ଗୁରୁଦାୟିତ୍ୱ ଦୂରରେ ପକାଇ–ଅନ୍ତତଃ ବର୍ତ୍ତମାନ ସକାଶେ ନିରାପଦ ଆଉ ସୁଖୀ ମନେ କରିଥାନ୍ତି ।

 

–ସଂକୀର୍ତ୍ତନଠାରୁ ଆରମ୍ଭ କରି ବାଇନାଚ ପର୍ଯ୍ୟନ୍ତ

 

–ତାକ୍‌ ଧିନା ଧିନ୍‌–ଧିନା ଧିନ୍‌–ତାକ୍‌ ଧିନ୍‌ ଧିନ୍‌–ଝାଇଁ ଝାଇଁ–ଝାଇଁ ଝାଇଁ–ଝାଏ–ଲକ୍ଷ୍ନୌର ଗଜଲ୍‌ ଆଉ କାଓ୍ୟାଲି । ରାଧାକୃଷ୍ଣ ଆଉ ସୀତାରାମ ଆସି ନିଜର ଅଙ୍ଗ ଭଙ୍ଗୀ ଲବଣ୍ୟ ମୂର୍ତ୍ତି ଦେଖାଇ ବଂଶୀବାଦନ ଧନୁଷ୍ଟଙ୍କାର କରି କରି ପରସ୍ତେ ନାଚି ଗଲେ । ଝାଇଁ ଝାଇଁର ସମତାଳରେ ବେଜାଏ ଚୁଟି ଦୋହଲାଡିଗି ତବଳା ବାଦକଙ୍କ ଅଙ୍ଗ ପ୍ରତ୍ୟେଙ୍ଗରେ ତୁମୂଳ ଆନ୍ଦୋଳନ ସୁକଣ୍ଠ ବାଣୀକଣ୍ଠ ଗାୟକଙ୍କର ପରସ୍ତେ ଏଁ–ଏ–ଅତି ଇଚ୍ଚସ୍ୱର ନେଇ ମଝିରେ ମଝିରେ ଥରେ ଥରେ ଚେଞ୍ଚେଇ ଉଠିବା–ପାଦ କଷା ଦାନ୍ତ ! –ତେବେ ଏତେଦୂର ଖରାପ ନୁହେଁ । –ଭକ୍ତିରସରେ ସମାଧିସ୍ଥ ହୋଇ ତା’ ଭିତରେ ଅନେକ ଶିଖାବିଶିଷ୍ଟ ମସ୍ତକ ମୁଖ ବ୍ୟାଦାନ କରି ଘୁଙ୍ଗୁଡ଼ି ମାରିବାକୁ ଆରମ୍ଭ କଲେଣି ! –ଯଥେଷ୍ଟ ।

 

ନୁପୂରର ରୁଣୁଝୁଣୁ । ପବନରେ କଟାକ୍ଷହଣା । ଅଧରରେ ଲଳିତ ହାସ୍ୟ–ଅନ୍ତତଃ ପାନବୋଳା ଦାନ୍ତ ଅପେକ୍ଷା ସୁନ୍ଦର ନିଶ୍ଚୟ !

 

ବାଇନାଚ !

 

ଝ ମୂ ଝ ମୃ ଝୁ ମୁଁ ବାଜେ ପାୟଲ୍‌

 

ବାଜେ ପାୟଲ୍‌ ମୋର...

 

ଖଣ୍ଡିଏ ଚୌକି ଟାଣି ବସି ପଡ଼ିଲି । ଦେବସ୍ୱରୂପ କିମ୍ବା ରାମସ୍ୱରୂପଙ୍କର ନ ଥିବା କଥା–ନାହାନ୍ତି । କିନ୍ତୁ ପାଖରେ–ବନ୍ଧୁଙ୍କର ଶାଳକ ପ୍ରବର । ଲମ୍ବାଟା ବେଶ୍‌ । ସ୍ଥୂଳତାର ପରିମାପ–ତାଙ୍କର ବଳିତା ହାତ । ଆଉ ଆଗରୁ ଯାହା ଜାଣେ ସହରୀ ଦେହାତି ଆଉ ଆଧୁନିକ ଏବଂ ମରହଟ୍ଟୀ ଧରଣର ଅଦ୍ଭୁତ ସଂକଳନ । ବେଶ୍‌ ମଜ୍ଜି ଯାଇଥିଲେ । ରସଭଙ୍ଗ କରିବା ଅନୁଚିତ ମନେ କଲି ।

 

ପୁଣି ଶୁଭିଲା ‘‘ଆପା ଚୋରୀ ଚୋରୀ...’’ ।

 

ପାଦର ଘୁଙ୍ଗୁର ବାଜି ଉଠିଲା ଅତି ଦ୍ରୁତ ବେଗରେ । ନର୍ତ୍ତକୀର ବକ୍ଷ କମ୍ପି ଉଠୁଥାଏ । ଶାଳକପ୍ରବର ଅସ୍ଥିର ହୋଇ ପଡ଼ିଲେ । ବାମ ଗୋଡ଼ ତଳକୁ ରଖି ତା ଉପରେ ଡାହାଣ ଗୋଡ଼ଟି ଥୋଇ ପୁଣି ଡାହାଣ ଗୋଡ଼ଟି ତଳକୁ ରଖି ବାମ ଗୋଡ଼ଟି ତା’ ଉପରେ ପୁଣି ଥୋଇଲେ । ହସ ଚାପି ନେଲି ।

 

ମୁଁ ବସିଥାଏ ଟିକିଏ ଅନ୍ଧକାରେ ଶାଳକ ପ୍ରବର କିନ୍ତୁ ଆଲୁଅ ଯାଗାରେ ବସିଥାନ୍ତି । ବିଚାରାକୁ ଟିକିଏ ସଂଯତ କରିଦେବା ପାଇଁ ସାମନା ଚଉକିରେ ବସି ପଡ଼ିଲି । ତଥାପି ସେ ମସଗୁଲ୍‌ । ପକେଟ୍‌ରୁ ବାହାର କରି ଦେଖେ ଦୁଇ ତିନିଟା ସିଗାରେଟ୍‌ ତଥାପି ଅପେକ୍ଷା କରି ରହିଛନ୍ତି । ଗଳା ଖଙ୍କାର ମାରି କହିଲି, ‘‘ଭାଇସାହେବ, ସିଗାରେଟ୍‌ ଲିଜିୟେ ?’’

 

ଭାଇ ସାହେବ ନୃତ୍ୟ ଅନୁମୋଦନ କରି ପ୍ରୀତହୋଇ ହୁଏତ ଫୁଟୁକି ମାରିବାକୁ ଆରମ୍ଭ କରିଥାନ୍ତେ । ବିବ୍ରତ ହୋଇ ମୁହଁ ଫେରାଇଲେ । କପାଳରେ କୁଞ୍ଚନ–କିଏ ତୁମେ ଅନାହୁତ ? ....କିନ୍ତୁ ଅନାହୂତକୁ ଚିହ୍ନି ପାରିଲେ । ପାନ ବୋଳା ଲମ୍ବ ଲମ୍ବ ଦାନ୍ତ ଗୁଡ଼ିକ ଓସାର ପାଟି ଭିତରେ ଝଲସାଇ ଦେଇ ସିଗାରେଟ୍‌ ଖଣ୍ଡକ ଉଠଇ ନେଲେ । ପରେ ପରେ ଚୌକି ଉପରକୁ ଉଠାଇ ଆଣିଲେ ଗୋଡ଼ ଦି’ଟା । ହୁକ୍‌କା ଭଳି–ସିଗାରେଟ୍‌ ତଳେ ତାଙ୍କର ସୁକାରର ଜୋର୍‌ ପରେ ହାଲୁକା ପବନରେ ବଙ୍କେଇ ବଙ୍କେଇ ଧୂଆଁ ଉଠିଲା କିନ୍ତୁ ତାଙ୍କର ଦୃଷ୍ଟି ଫେରିଗଲା ଆଉଥରେ ସେଇ ବାଇ ଆଡ଼କୁ ।

 

ସ୍ତ୍ରୀମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରୁ ଦୁଇଜଣ ତରୁଣୀ ବାହାରି ଆସିଲେ–ଏଇ ପାଖକୁ । ଜଣେ ସର୍ବତ୍ର ସ୍ଥିତିମତୀ ଗୀତା । –ସେ ତାଙ୍କର ଚପା ହସରୁ ହିଁ ଜଣା ପଡ଼ୁଥିଲା । ଅନ୍ୟ ଜଣକ ସୁବେଶା ନିଶ୍ଚୟ ଚାମେଲୀ । ଜଣେ ଘରର ଝିଅ ଅନ୍ୟ ଜଣକ ସମ୍ମାନିତା ଅତିଥି ବାରଣ ନାହିଁ ।

 

ଚାମେଲୀ ମୋତେ ଦେଖି ପାରି ନ ଥିବେ । ତେବେ ବର୍ତ୍ତମାନ କ୍ଷେତ୍ରରେ ଉଚିତ ନୁହେଁ ଭାବିଲି । ଭାଇ ସାହେବଙ୍କର ଏଇ ଇଚ୍ଛ୍ୱଳ ଆନନ୍ଦ ଲକ୍ଷ୍ୟ କରିବା ସୁଯୋଗ ଆଉ ମିଳି ନ ପାରେ ।

 

ଆଉ ଖଣ୍ଡିଏ ନିଶ୍ଚେଷ୍ଟ ସିଗାରେଟ୍‌ ବାହାର କରି ଓଠ କୋଣରେ ଚାପି ରଖି ଅଗ୍ନି ସଂଯୋଗ କରି ଲାଗିଛି....

 

‘‘ଭୁଲଗୟେ ବାଲମ୍‌....ଭୁଲଗୟେ’’ କାନମୂଳରେ ବାଡ଼େଇ ହୋଇ ମସ୍ତିଷ୍କରେ ଏକ ପ୍ରକାର ପରିଚିତ ପ୍ରତିକ୍ରିୟା ସୃଷ୍ଟି କଲା । ମୋର ପରିହାସ ଆମୋଦ ଉଭେଇ ଗଲା । ବିସ୍ମିତ ଭାବେ ଗାୟିକା ଆଡ଼କୁ ମୁହଁ ବୁଲାଇଲି–କିନ୍ତୁ ଚଞ୍ଚଳ ପଦକ୍ଷେପ, ହସ୍ତ ବକ୍ଷ କଟୀ ଦେଶର ସଞ୍ଚାଳନ–ମୁହଁଟିକୁ ଭଲ ଭାବରେ ଦେଖି ହେଲା ନାହିଁ ।

 

‘‘ଭୁଲଗୟେ ବାଲମ୍‌...’’ ନର୍ତ୍ତକୀର ଅପାଙ୍ଗ ବର୍ଷଣ । ସେହି ସୁର୍‌, ସେଇ କଟାକ୍ଷ । ଯେପରି କେବେ କେଉଁଠି...ଆଃ । ତଥାପି ଠାବ କରି ହେଉନାହିଁ ।

 

ନର୍ତ୍ତକୀ ନୃତ୍ୟ କରି ଆମ ଆଡ଼କୁ ସାମାନ୍ୟ ଆଗେଇ ଆସିଛି । ଭାଇ ସାହେବ ଅସ୍ତବ୍ୟସ୍ତ । ଆନନ୍ଦରେ ହାତ ପାପୁଲି ଚୌକି ବାହୁରେ ବାଡ଼େଇବାକୁ ଯାଇ ମୋ ହାତ ଉପରେ ଛେଚି ଲାଗିଲେ ।

 

–ନର୍ତ୍ତକୀର ଅଧରରେ ହାସ୍ୟରେଖା । ମୋର କପାଳରେ ବିସ୍ମୟ ଆଉ ଅବିଶ୍ୱାସ ।

 

‘‘ଯାଓଗେ କାହାଁ ଦିଲ୍‌ ତୋଡ଼୍‌କେ ।’’ ସଂଗୀତ ସଙ୍ଗେ ସଙ୍ଗେ ମୁହଁରେ ଭାବର ପରିବର୍ତ୍ତନ–ଅଭିମାନ ! କିଏ ? କିଏ ଏ ନର୍ତ୍ତକୀ !

 

ନର୍ତ୍ତକୀର ଅଭିନୟ କ୍ରମଶଃ ଅସହ୍ୟ ହୋଇ ଉଠିଲା । ଉଦ୍ଦେଶ୍ୟ କିଛି ଭଲ ନୁହେଁ । ଅପାଙ୍ଗ, ବକ୍ଷ ଆଉ କଟୀର ସଂକେତ–କଣ୍ଠର ରାଗିଣୀ କାମନାର ଶାଣ ନେଇ ମଝିରେ ମଝିରେ ସୂକ୍ଷ୍ମତା’ର ଶେଷ ସୀମାରେ ଥରି ଉଠୁଥାଏ । –ନର୍ତ୍ତକୀର ଲକ୍ଷ୍ୟ ହୁଏତ ଭାଇସାହେବ–ନ ହେଲେ ମୁଁ ନିଜେ । –ହଁ, ମୁଁ ନିଜେ ! ! ନିଃସନ୍ଦେହ !

 

ଗୀତ ଶେଷରେ ଘୂରିଯାଇ ସେ ଟିକିଏ ଆଗେଇ ଆସିଲା ମୋର ସାମନାକୁ–ଆଖିରେ ତା’ର ପ୍ରେମର ଅରବି । ଗୀତ ଆଉ ନାଚ କିଛି ସମୟ ପାଇଁ ବନ୍ଦ ହୋଇଗଲା । –ଭାଇସାହେବ ମୋର ବାହୁ ମୂଳରେ ଟିପା ମାରି କହିଲେ, ‘‘ଆପା୍‌କେ ଲିୟେ ଭାଇ ସାହେବ୍ !’’

 

କ’ଣ ଚାହେଁ ସେ ? –ସମବେତ ଜନତାର ସନ୍ଦେହୀ ଦୃଷ୍ଟି ମୋ ଆଡ଼କୁ ଲକ୍ଷ୍ୟକରି ଲାଗିଛି ଯେପରି–

 

ଘୃଣା ଓ ବିରକ୍ତିରେ ଶରୀରର ସମସ୍ତ ରକ୍ତ ଚଞ୍ଚଳ ହୋଇ ଉଠିଲା । ବନ୍ଧୁ ଏବଂ ସମ୍ମାନିତ ଅତିଥି ରୂପେ ଆସି ଏଠାରେ ଏପରି ଗୋଟାଏ ଦୃଶ୍ୟରେ ନାୟକ ପାଲଟିବା .... ଆଃ– । ସ୍ଥାନ ଛାଡ଼ି ଚାଲିଯିବାକୁ ପ୍ରସ୍ତୁତ ହେଲି ।

 

ଗୋଡ଼ରେ ଯୋତା ଲଗାଇ ମୁହଁ ଉଠାଇ ଦେଖେତ ନର୍ତ୍ତକୀର ମୁହଁରେ ଆତଙ୍କ ଆଉ ବିଷାଦର ଛାୟା–ମୋର ବିରକ୍ତିର ସମ୍ଭବ ପ୍ରତିକ୍ରିୟା । ନର୍ତ୍ତକୀକୁ ମୁଁ ପୂର୍ବରୁ ଦେଖିଛି ନିଶ୍ଚୟ । କିନ୍ତୁ....ନା– ! ମୁଁ ଚୌକି ଛାଡ଼ିଲି ।

 

‘‘ଯବ୍‌ସେ ବାଲ୍‌ମ ଘର ଆୟେ–

ଜୀଏରା ମଚଲ୍‌ ମଚଲ୍‌ ଗାଏ

ଜୀଏରା ମଚଲ୍‌ ମଚଲ୍‌....’’

 

‘‘ଶେ–ଫାଳି–କା । ନିଜର କଣ୍ଠ ସ୍ୱରରେ ମୁଁ ଚମକି ପଡ଼ିଲି । କିନ୍ତୁ–ନା କେହି ମୋର କଣ୍ଠସ୍ୱର ଶୁଣି ପାରି ନାହାନ୍ତି ।

 

ଶେଫାଳିକା ଆଜି ତେବେ ଏଇଠି–ଏଇ ଅବସ୍ଥାରେ–ଅନ୍ଧାରରୁ ଫେରି ଚାଲିଲି ।

 

ସେଇ କଣ୍ଠସ୍ୱରର ଚମକ ଭାଙ୍ଗି ଆସିଛି । ପାଦ ଦିଓଟି ଯେପରି ତାଳ ମାନିବାକୁ ପ୍ରସ୍ତୁତ ନୁହେଁ । ଆଖି ଦିଓଟି ଦୂରକୁ ଚାହିଁ ରହିଥାଏ–ଅନ୍ଧାର ଭିତରେ ମୋତେ ହୁଏତ ଠଉରାଇବାକୁ ଚାହେ । –ଆଖିରେ ଆଉ ଛନ୍ଦଭରା ନୃତ୍ୟର ଅନୁରାଗ ନାହିଁ–ଅଛି ଅନ୍ତରର ବ୍ୟାକୁଳତା–କରୁଣ । ନା–ଆଉ ବେଶୀ ସମୟ ଦେଖିବାକୁ ମୋର ଧୈର୍ଯ୍ୟ ନାହିଁ । ଦ୍ରୂତ ପଦରେ ଫେରି ଚାଲିଲି ।

ଚାଲି ଆସିବା ପରେ ପରେ ଗୋଟାଏ ଗୋଳମାଳ ଉଠିଲା । –ଦରଜା ବନ୍ଦ କରି କାନ ଡେରି ଠିଆ ହେଲି ।

ବାଇଜିର ଚେତା ହଜି ଯାଇଛି । ଶେଫାଳିକା ମୂର୍ଚ୍ଛିତା ।

ଶେଫାଳିକା– । ନା–ତାଙ୍କୁ ଦେଖି ଆସିବା ମୋର କର୍ତ୍ତବ୍ୟ ନୁହେଁ ।

ଖାନଦାନୀ ଜମିଦାରର ବନ୍ଧୁ ମୁଁ–ମୋର ମାନ ସମ୍ମାନ ଅଛି–ଆଉ ଶେଫାଳିକା । ଆଃ, ଶେଫାଳିକା... । ଉଚ୍ଛୃଙ୍ଖଳ ଅଶ୍ରୁବାଧା ମାନିବାକୁ ରାଜି ନ ଥିଲା–ବୁକୁ ଭିତରଟା ହାଇ କରି ଜଳି ଉଠୁଥାଏ । ଶେଫାଳିକା ଆଜି ତୁଚ୍ଛ ନର୍ତ୍ତକୀ ସମାଜର...

ଆଲୁଅଟା ଦବେଇ ନେଇ ତକିଆ ଭିତରେ ମୁଣ୍ଡ ଗୁଞ୍ଜି ପଡ଼ି ରହିଲି ।

ତନ୍ଦ୍ରାର ବେଳା ଭୂଇଁରେ ଅମାନିଆ ଚଞ୍ଚଳ ଭାବାନାର ଆବୁଡ଼ା ସାବୁଡ଼ା ଗରମ ଢେଉ ।

–କପାଳ ଉପରେ କାହାର ମୃଦୁ ସ୍ପର୍ଶ । ମୁହଁ ପାଖରେ ଏକ ଶଙ୍କିତ ଦୀର୍ଘଶ୍ୱାସ !

‘‘କିଏ ?’’

ଆଙ୍ଗୁଠି ଦିଓଟିରେ ଆଲୁଅଟି ତେଜି ଉଠିଲା–ଚାମେଲୀ ।

‘‘ଏତେ ରାତିରେ ଯେ ଚାମେଲୀ !’’ –ମୁହଁକୁ ଲକ୍ଷ୍ୟ କରି ପଚାରି ପାରି ନ ଥିଲି ।

‘‘ବଡ଼ ପରିଶ୍ରାନ୍ତ ହେଇ ପଡ଼ିଛ–ନା ?’’ କଣ୍ଠରେ ସହାନୁଭୂତି ।

କୌଣସି ଉତ୍ତର ଦେବାକୁ ମୋର ଶକ୍ତି ନ ଥିଲା ।

‘‘ମୁଁ ସବୁ ବୁଝି ପାରିଛି’’ ସେ ଆଉଁସି ଲାଗିଲେ, ‘‘କିନ୍ତୁ ଆଉ କେହି ଏ କଥାର ଟେର୍‌ ପାଇ ନାହାନ୍ତି ।’’

ଚାମେଲୀଙ୍କର ଏଇ ସହାନୁଭୂତି ଭରା, ଛପା ଛୁପି କଥା–ଦୁଃଖ ସମୟରେ ଏଇ ଆଦରଭରା କୋମଳ ସ୍ପଶ––ନିଛାଟିଆ ରାତିରେ ଏକାଘରେ ଆମେ ଦୁହେଁ....ମୁଁ ଶୋଇ ରହି ଅନୁଭବ କରୁଥିଲି ।

‘‘ଚାମେଲୀ । ତୁମେ ମୋ ପାଖରେ ଏତେବେଳେ ଏକାକୀ–ଅନ୍ୟମାନେ କିଛି ମନେ କରିବେ ନାହିଁ ?’’

‘‘ନା–ସମସ୍ତେ ଶୋଇ ପଡ଼ିଲେଣି । –ଗୀତା ମଧ୍ୟ ।

‘‘ତୁମେ ନ ଆସିଥିଲେ ମଧ୍ୟ ତ ହୋଇଥାନ୍ତା ।’’

‘‘ହୁଏ ତ ! କିନ୍ତୁ ତୁମକୁ ପରିଶ୍ରାନ୍ତ ହେଇ ଫେରିଥିବା ଦେଖିଥିଲି....ମୋତେ ନିଦ ହେଲା ନାହିଁ ।’’

‘‘ତୁମ ପାଖରେ ମୁଁ ବଧ ଋ........’’

‘‘ଛି ସେପରି କହିବ ନାହିଁ ।’’ ସେ ବାଧା ଦେଲେ । ‘‘ମୁଁ ତାହାହେଲେ ଆସେ ।’’

 

‘‘ଆସ ।’’

 

ଆଲୁଅଟି ଦବାଇ ଦେଇ ସେ ପୁଣି ମୋର କପାଳ ଆଉଁସି ସାନ ପିଲାଙ୍କୁ ବୁଝାଇବା ପରି କହିଲେ, ‘‘ଏଥର ଶୋଇପଡ଼...’’

 

ଶୋଇପଡ଼ିବି...... ? କିପରି– ?

 

ଚାମେଲୀ ଚାଲିଯିବାର କିଛି ସମୟ ପରେ–ପୁଣି ସେଇ ଭାବନାର ଜୁଆର–ଫୁଲି ଫୁଲି ଭାଜି ଯାଉଥାଏ–ପୁଣି ଫୁଲି ଉଠୁଥାଏ ।

 

ଶେଫାଳିକାଙ୍କର ଏତେ ବଡ଼ ଦୁର୍ଗତି ! –ହେଲା....କିପରି ?

 

ଅଢ଼େଇ ବର୍ଷ ହେଲା ମୁଁ ଚିଠି ଦେଇ ନ ଥିଲି । ସମସ୍ତ ସଂପର୍କ ତୁଟାଇବକୁ ବସିଥିଲି । କିନ୍ତୁ ପାରିଛି କି ? ଲାବଣ୍ୟମୟୀଙ୍କର ସ୍ନେହ ତ ମୁଁ ଭୁଲି ପାରିନି ।

 

ପ୍ରୀତି ସହଜରେ ଭୁଲି ହୁଏ ନା । –ନ ହେଲେ ଆଜିର ଏଇ ଅସ୍ଥିରତା–ଭାବ ପ୍ରବଣତା-

 

ଆଖିପତା ତଳେ ନାଚି ଉଠିଲା କିଛି ସମୟ ତଳର ଦୃଶ୍ୟ । –ନୃତ୍ୟରତା ଶେଫାଳିକାଙ୍କର ଅପାଙ୍ଗ–ଗ୍ରୀବା, ବକ୍ଷ ଆଉ କଟର ଇଙ୍ଗିତ । ଇସ୍‌ କି ଘୃଣା । –ସଙ୍ଗୀତର ଛନ୍ଦେ ଛନ୍ଦେ ଚଞ୍ଚଳ ପଦର ନୂପୂର ଧ୍ୱନି––ସଙ୍ଗୀତରେ ପ୍ରାଣ ଆବେଗ । ମୁହଁ ଉପରେ ପରିଚିତା’ର କ୍ଷୀଣ ହାସ–ଆଉ, କି ଲଜ୍ଜ୍ୟାକର । .....ପରେ ବିରକ୍ତିର ପ୍ରତିକ୍ରିୟା–ଆଶଙ୍କା–ବିଷାଦ–ବ୍ୟାକୁଳତା । –ଶେଫାଳିକା ମୂର୍ଚ୍ଛିତା !

 

ଆଉ–ମୁଁ ? –ନିଷ୍ଠୁର । ଜମିଦାର ପରିବାର ଅତିଥି । ଧନୀ ଆଉ ଅଶିକ୍ଷିତା ତରୁଣୀର ପ୍ରେମିକ । ଶେଫାଳିକାର କାକୁତି ମିନତି–ପ୍ରାଣର ଆବେଗ ମୋ ପାଖରେ ପହଞ୍ଚି ପାରିବା ଅଶୋଭନୀୟ–ଅସମ୍ଭବ–ଅପ୍ରାକୃତିକ । ଶେଫାଳିକା ନୀଚ୍ଚ–ଘୃଣ୍ୟା । ଆଃ–

 

ଉତ୍‌କ୍ଷିପ୍ତ ହୋଇ ଉଠିଲି ।

 

ଅସହ୍ୟ ଘର ଭିତରେ ଆଉ ଜୋର କରି ପଡ଼ି ରହିବାକୁ ଧୈର୍ଯ୍ୟ ନ ଥିଲା ।

 

ବାହାରେ ଭୀଷଣ ଥଣ୍ଡା ସିରିସିରି ପବନରେ ଛୁରୀର ପଞ୍ଜରା ଭୂଷା ଶାଣ ଦିଆ ଦାଢ଼ । ଆକାଶରେ ମେଘଫୁଟା କାଳି ଜହ୍ନ–– । ଅଗଣା ଆଉ ପିଣ୍ଡାରେ ଛାଇ ଆଲୁଅର ନିଃଶବ୍ଦ ଗତି–କୌଣସି ଷଡ଼ଯନ୍ତ୍ରର ସୂଚନା ଦେଉଥିଲା ।

 

ନିଃଶବ୍ଦରେ ପାଦ ପକାଇବାକୁ ଆରମ୍ଭ କଲି । ଚାକର ବାକର ଏଠି ସେଠି ଦଳେ ଦଳେ ଶୋଇ ରହିଥାନ୍ତି । କେହି ଜଣେ ଖପୁରି ହେଉଛି । ଏଇ––ସେଇ ଜଣକ କଡ଼ ଲେଉଟାଇଲା । ନା ବୋଧହୁଏ ଆଖି ଖୋଲିନାହିଁ ।

 

ଦୁକୁଦୁକିର ଚଞ୍ଚଳ ଗତି ବନ୍ଦ ହୋଇ ପୁଣି ଚଞ୍ଚଳ ହୋଇ ଉଠେ । ନା–ଏଇଥର ଆଉ ହାରିବାର ନୁହେଁ । ଧନୀ, ଶିକ୍ଷିତ ଖାନ୍‌ଦାନୀ ମହତ୍ତ୍ୱ–ସମସ୍ତ ପଛେ ଦୂରେଇ ଯାଉ । ଶେଫାଳିକା ସହିତ ସାକ୍ଷାତ ମୋର ଅବଶ୍ୟ ଦରକାର । ଜୋର୍‌ କରି ସାହସ ଆଣେ । ତଥାପି ଗୋଟାଏ ଭୀରୁତା–ଗୋଟାଏ ଦୁର୍ବଳତା... ।

 

ନିଃଶ୍ୱାସ ପର୍ଯ୍ୟନ୍ତ ମୋର ବନ୍ଦ ହୋଇ ଆସୁଥିଲା । ଧୀରେ ଧୀରେ କବାଟଟା ଖୋଲିଲି-। ଶିକୁଳିଟା ହଠାତ୍‌ ଖସିଯାଇ ଠନ୍‌ କଲା । କ୍ରସ୍ତ ହେଇ ଫେରି ଚାହିଁଲି । ନା–କାଳିଜହ୍ନର ଛାଇତଳେ ମୋତେ ଠଉରାଇ ପାରିବା ଅସମ୍ଭବ । ନା–କାହାର ସୋର ଶବ୍ଦନାହିଁ ।’’

 

‘‘ଶେଫାଳିକା–ଶେଫାଳିକା ।’’ ସଂଦିଗ୍ଧ ଗଳାରେ ଧୀରେ ଧୀରେ ଡାକିଲି । କବାଟ କ’ଣରେ ମିଞ୍ଜି ମିଞ୍ଜି ଆଲୋକ ଜଳୁଥାଏ ।

 

‘‘ଶେଫାଳିକା–ଶେଫାଳିକା ।’’

 

‘‘କୋନ୍‌ ?’’ –ନିଦ ବାଉଳିଆ ଗହିରିଆ ଗଳା । ନା–ଏ ତାହେଲେ ନୁହେଁ ।

 

କିଛି ସମୟ ଚୁପ୍‌ ରହିଲି । ଘର ଭିତରୁ ଆଉ କୌଣସି ଶବ୍ଦ ନାହିଁ ।

 

ସମ୍ଭବତଃ ପାଖ କୋଠରୀଟା ।

 

ଏଇ ମୋର ଶେଷ ଚେଷ୍ଟା– । ଶୀତ ରାତିରେ ମଧ୍ୟ କପାଳରେ ଝାଳବୁନ୍ଦା ଅନୁଭବ କଲି । ‘‘ଶେଫାଳିକା–ଶେଫାଳିକା ।’’

 

ଆଗ କୋଠରୀର କବାଟଟା ଖୋଲିଗଲା । ଲଣ୍ଠନଟାଏ–ଉପରକୁ ଉଠି ଲୋକଟାର ମୁହଁ ପାଖରେ ତେଜି ଉଠିଲା । –ମନ ଭିତରେ ମୋର ଯେତେ ପ୍ରକାର ଆଶଙ୍କା । –

 

ଲମ୍ବା ଚଉଡ଼ା କଳା ହୋଇ ମଣିଷ ଜଣକ । ମୁହଁରେ ତୋରାଣି ଛଣା ନିଶ ବିଡ଼ା–ଢିଲା ଢିଲା କଷା କଷା ଆଖି । ସେଇ ଆଖିରେ ସେ ମୋତେ ଗୋଡ଼ଠାରୁ ମୁଣ୍ଡଯାଏ ଥରକୁ ଥର ଦେଖିବାକୁ ଲାଗିଲା– । ଭୟରେ ମୋର ରୋମଗୁଡ଼ାକ ଟାଙ୍କୁରି ଉଠୁଥାଏ–ଯଦିଓ ବାହାରେ ମୁଁ ନିର୍ଭୀକ ହେବାର ଛଳନା କରୁଥିଲି । –ମୁଁ ହୁଏତ ତାକୁ ଅନୁରୂପ ଦେଖି ଲାଗିଥାଏ ।

 

‘‘ଶେଫାଳିକା ୟହାଁ ହୈଁ ?’’ ମୋର ସ୍ୱର ଥରି ଉଠିଲା–ଶୀତରେ ?

 

ଲୋକଟାର ମୁହଁ ଉପରେ ଆତଙ୍କରେଖା । ବଲବଲ କରି ଚାହିଁ ଲାଗିଥାଏ । ଏତେବଡ଼ ବିରାଟ ଶରୀର–ଅଥଚ ବୋକା !

 

ମନରେ କିଛି ସାହାସ ହେଲା । ପୁଣି ପଚାରିଲି–‘‘ଶେଫାଳିକା ହୈ ୟହା ?’’

 

ଡରି ଡରି ସେ ଉତ୍ତର ଦେଲା । ‘‘ହମାରା କୋଇ କଶୁର ନାହିଁ ବାବୁଜୀ । ୱହ ଅଭି ଆକେ ହମାରୀ ଏକ ନାଚବାଲୀକେ ଲେକେ ଚଲିଗୟିଁ ।’’

 

ବିସ୍ମିତ ହେଲି । ଶେଫାଳିକା ତେବେ ଗଲେ କୁଆଡ଼େ ? ଲୋକଟା ତଥାପି ମୋ ମୁହଁକୁ ବଲବଲ ଚାହୁଁ ଥିବା ଦେଖି ବିରକ୍ତି ବଢ଼ିଲା ।

 

ସେ ପୁଣି କ’ଣ ଭାବି କହିଲା–‘‘ଇଧର ଗୟିଁ ବାବୁଜୀ–ଡାୟେ ତରଫ୍‌ ।’’

 

କୌଣସି ଅର୍ଥ ଖୋଜି ପାଉ ନଥାଏ ।

 

‘‘ରୋଶ୍‌ନୀ ଦେଖା ଦେଙ୍ଗେ ବାବୁଜୀ ?’’ ସେ ନମ୍ର ଭାବରେ ପଚାରିଲା ।

 

‘‘ନହଁ–କୋଇ ଜରୁରତ ନହିଁ । ତୁମ ଅନ୍ଦର ଯା ଶକ୍ତେ ।’’ ବିସ୍ମୟ ଆଉ ବିରକ୍ତିରେ ମୋର ଭୟ ଆଉ ଦୁର୍ବଳତା ଘୁଞ୍ଚିଗଲା । ଲୋକଟାର ନିର୍ଦ୍ଦେଶ ଅନୁଯାୟୀ ଆଗେଇଲି । ଶୀତର ଦାଢ଼ୁଆ ଛୁରୀ କାନ ପାଖରେ ଛୁଇଁ ଯାଉଥାଏ । ମଫ୍‌ଲର୍‌ଟାକୁ କସି କରି ବାନ୍ଧି ନେଲି ।

 

ଲୋକଟା ‘‘ହମାରା କୋଇ କଶୁର୍‌ ନହିଁ’’ କହିବାର ମତଲବ କ’ଣ ? ଶେଫାଳିକା ତେବେ କ’ଣ ତାଙ୍କର ଜଣେ ସଙ୍ଗିନୀ ସହିତ ଏଇ ସ୍ଥାନେ ଛାଡ଼ି ଚାଲିଯିବାର କଳ୍ପନା କରିଛନ୍ତି ? –ତାଙ୍କର ଦେଖା ପାଇବା ଅସମ୍ଭବ ?

 

ଏଇ ପାଖଟା ନିର୍ଜ୍ଜନ । ତରକି ତରକି ଶୀଘ୍ର ଶୀଘ୍ର ପାଦ ପକାଇଲି । –ଆକାଶର କାଳି ଜହ୍ନଟା ଫାଟି ଯାଇଛି । ସେ ପାଖରେ ସମ୍ଭବତଃ ଖଣ୍ଡିଏ ଛୋଟ ବଗିଚା....

 

କିଏ ? –ହୃଦ୍‌ଯନ୍ତ୍ର ବନ୍ଦ ହୋଇଆସିଲା ଯେପରି ! –ନିଜକୁ ରୋକି ନେଲି ।

 

ବାରାଣ୍ଡାତଳେ ଏଇ ଛାଇ ଦୁଇଟି କାହାର ? ପବନର ଦୀର୍ଘଶ୍ୱାସ–ଅସ୍ପଷ୍ଟ ଭାଷା । ଗୋଟିଏ ଖମ୍ବ ଉହାଡ଼ରେ ଅନ୍ଧାରର ଆଶ୍ରୟ ନେଲି ।

 

‘‘କ’ଣ ବୁଝି ପାରିଲ ?’’

 

‘‘ହଁ ।’’

 

‘‘ମୋ କଥା ତାହାହେଲେ ମାନିବ ?

 

ନୀରବତା–ଦୀର୍ଘ ଶ୍ୱାସ–ହୁଏତ ଉତ୍କଣ୍ଠତା ।

 

‘‘କିଛି କହୁନାହଁ ଯେ ?’’

 

‘‘ନା–ମା, ମୁଁ ପାରିବି ନାହିଁ ।’’ ବିଳମ୍ବରେ ଉତ୍ତର ଆସିଲା ।

 

ସେଇ ନୀରବତା–କିଛି ଗୋଟାଏ ଖସ୍‌କରି ଶବ୍ଦ ।

 

‘‘ଦେଖ । ଏହା ମୋର ଆଦେଶ ନୁହେଁ । ଏଇଟି ତୁମ ପାଖରେ ମୋର ମାଗୁଣି ମାତ୍ର । ତୁମ ଦୁହିଁଙ୍କ ବିଷୟରେ ମୁଁ ଜାଣେ । ବର୍ତ୍ତମାନ ଯେ ବିବାହ କଲେ ସେ ମଧ୍ୟ ଜାଣନ୍ତି । ଆଉ କେହି ଜାଣନ୍ତି ନାହିଁ । କିନ୍ତୁ ତୁମେ ଯଦି ଏଇଠାରେ ରହ, ଆଉ ସରୋଜବାବୁ ଦୁଃଖ ଆଉ ଗରମ ମୁଣ୍ଡରେ କିଛି ଗୋଟାଏ କରି ବସନ୍ତି, ତାହାହେଲେ ସମସ୍ତେ ଜାଣିବେ । କଥାଟା କେତେ ଅସୁନ୍ଦର ହେବ ଭାବି ଦେଖତ । ଜମିଦାରଙ୍କ ସମ୍ମାନରେ ବାଧା ପଡ଼ିବ । ମୋ କଥାଟା ରଖ ।’’ –କଥାଗୁଡ଼ିକ ବିନୟ ଆଉ ଉତ୍କଣ୍ଠତା ଭରା ।

 

‘‘ନା–ମା’ ।’’

 

‘‘କାହିଁକି ?’’

 

ନିରୁତ୍ତର ।

 

‘‘କାହିଁକି–କହୁନ ?’’

 

‘‘ସଂସାରରେ ସମସ୍ତେ ସ୍ୱାର୍ଥ ନେଇ ଲଢ଼େଇ କରନ୍ତି । ଜମିଦାରଙ୍କ ସ୍ୱାର୍ଥ ନେଇ ଆପଣ କହି ଆସିଲେ । ମୋର କ’ଣ ନିଜର ସ୍ୱାର୍ଥ ନାହିଁ ?’’ –କଥା ଗୁଡ଼ିକ ବେଶ୍‌ ସ୍ପଷ୍ଟ–ଆଉ ଶେଷ ଆଡ଼କୁ ପ୍ରତିବାଦ ସୂଚକ ।

 

‘‘ମୋତେ ଭୁଲ ବୁଝିଛ ଭଉଣୀ । ଏଇଟା ତୁମକୁ ମୋର ଅନୁରୋଧ ସିନା....’’

 

‘‘ହୁଁ ।’’ ଆର ଜଣକ ସାମାନ୍ୟ ହସି ଉଠିଥିଲେ । ଛାଇ ତା’ର ପାଖ ଫେରାଇଲା, ‘‘ବଡ଼ ଲୋକ ଆଉ ଧନୀର ଆଦେଶ ସବୁ ଭଦ୍ରତା ଆଉ କୁଟନୀତିର ଖାତିର୍‌ରେ ଏଇଭଳି ଅନୁରୋଧ ହେଇଥାଏ ।’’

 

ନୀରବତା–ଏହି ଅକାଟ୍ୟଯୁକ୍ତି ପରେ କଥାବାର୍ତ୍ତା କେଉଁ ଆଡ଼କୁ ଗତି କରିବ ଭାବି ଉତ୍କଣ୍ଠିତ ହେଲି ।

 

‘‘ମୋର ତାହାହେଲେ ଭୁଲ ହେଇଛି ଭଉଣୀ । ଆଚ୍ଛା, ତୁମର ସ୍ୱାର୍ଥ ବିନମୟରେ ତୁମେ କ’ଣ କିଛି ଅର୍ଥ ପାଇବାକୁ ଚାହଁ ?’’

 

‘‘କେତେ ଦେବେ ।’’ –ବେଖାତିର୍‌ ।

 

‘‘ଶକ୍ତି ଅନୁସାରେ ।’’ ସନ୍ଦିହାନ ।

 

‘‘ଆପଣଙ୍କ ଶକ୍ତିର ବାହାରେ ଯଦି ମୁଁ ଦାବି କରି ବସେ ?’’

 

ନିରୁତ୍ତର ।

 

‘‘ଧନ ଦେଇ ସମସ୍ତେ କିଣା ଯାଇପାରେ ନା–ହାତରେ ହୁଏତ ଯଥେଷ୍ଟ ଧନ ନ ଥାଏ । –ମଧ୍ୟ ଅନେକ ଜିନିଷ ଧନ ଦେଇ ମିଳେ ନାହିଁ ।’’–କଠୋର ସତ୍ୟର ଇଙ୍ଗିତ ।

 

‘‘ତୁମେ ସତ କହିଛ ଭଉଣୀ । ମୁଁ ହାର ମାନୁଛି । ଧନ ଦେଇ ତୁମକୁ ଛୋଟ କରିବା ମୋର ଅନୁଚିତ । .....ମୁଁ କ’ଣ ତାହାହେଲେ ଫେରିଯିବି ?’’

 

Unknown

କିଛି ସମୟ ନୀରବତାର ବ୍ୟବଧାନ ।

 

‘‘ଆପଣ ଫେରି ଯାଇ ପାରନ୍ତି ।’’

 

ଛାଇଟି କିଛି ସମୟ ଦ୍ୱିଧା କଲା । ଦୀର୍ଘଶ୍ୱାସ । ଧୀରେ ଧୀରେ ଘୁଞ୍ଚି ଯାଉଥିଲା ।

 

‘‘ଶୁଣନ୍ତୁ ।’’

 

‘‘କ’ଣ ?’’

 

ଘୂରିଯିବା ଫଳରେ ଛାଇଟା ଛୋଟ ହୋଇଗଲା ।

 

‘‘ଆପଣ–ଆପଣ କିଏ ମୋତେ କହିଲେ ନାହିଁ ?’’

 

‘‘ଦରକାର ?’’

 

‘‘ଆପଣଙ୍କର ଅନୁରୋଧର ଦରକାର ବୁଝିବା ପାଇଁ ।

 

‘‘ହୁଁ–ତୁମର ସ୍ୱାର୍ଥ ଆଉ ମୋର ସ୍ୱାର୍ଥ ସମାନ ।’’

 

ଗୋଟିଏ ଦୁପ୍ତ ଅଭିମାନ ଚାପି ହୋଇ ଯାଇଥିବ ।

 

‘‘ଆପଣଙ୍କର ଶୁଭ ନାମ ?’’

 

‘‘ଚାମେଲୀ ।’’

 

ନିଶ୍ଚଳ ଛାୟା ଦିଓଟି ।

 

‘‘ଆଉ କିଛି ପଚାରିବାକୁ ଅଛି ?’’

 

‘‘ନା ।’’ ଆହତ ସ୍ୱର ।

 

ଚାମେଲୀ ଧୀରେ ଧୀରେ ଚାଲିଗଲେ । ବାରଣ୍ଡା ଶେଷରେ ତାଙ୍କର ପାଦ ଶବ୍ଦ ଆଉ ଶୁଭୁ ନଥିଲା ।

 

କିନ୍ତୁ ଶେଫାଳିକା–ତଥାପି ସେଇଠି ! –ବିଶ୍ୱାସ ! କ’ଣ ସେ ଭାବି ଲାଗିଛନ୍ତି !

 

ଶୀତ ରାତିର ଏହି କୁହୁଡ଼ି ଭିଜା ଜହ୍ନ ଆଲୁଅ । ବଗିଚାରେ ଫୁଲର ବାସନା । ଏଇ ଖିଲିଖିଲି ପବନ । ଝିଙ୍କାରିର ଝି ଝି ଶବ୍ଦ । ମୋତେ ଏତେବେଳେ ପାଖରେ ପାଇ ସେ କ’ଣ ମନେ କରିବେ ?

 

ଶବ୍ଦହୀନ ଆଗେଇ ଆସିଲି ।

 

ଚିନ୍ତା ମଗା–ଆତ୍ମ ବିସୃତା ।

 

–ପ୍ରଥମେ ଦ୍ୱିଧା ବୋଧ କଲି ।

 

‘‘ଶେଫାଳିକା ।’’ ମୋର ଅସ୍ପଷ୍ଟ ସ୍ୱର । ବୋଧହୁଏ ଶୁଣି ପାରି ନାହାନ୍ତି ।

 

‘‘ଶେଫାଳିକା ।’’

 

ସେ ଚମକି ଉଠି ଫେରି ଚାହିଁଲେ ।

 

କିଛି ସମୟ ଦୁହେ ଦୁହିଁଙ୍କୁ ଚାହିଁ ରହିଲୁ । ଲୁହଧାର ତାଙ୍କର ଗାଲ ଦିଓଟି ଭିଜାଇ ଦେଇଥାଏ ।

 

‘‘ତୁମେ କାନ୍ଦୁଥିଲ ଶେଫାଳିକା ।’’–ସ୍ନେହରେ ତାଙ୍କର ଲୁହ ପୋଛିବାକୁ ଆଗେଇ ଯାଉଥିଲି । କିନ୍ତୁ ସେ ଲଇଁପଡ଼ି ପାଦ ବନ୍ଦନା କଲେ ।

 

‘‘ଖୁସି ରହ ।’’

 

ଉଠିବାମାତ୍ରେ ସେ ମୋର ଛାତି ଉପରେ ମୁଣ୍ଡ ରଖି ଜାକି ନେଲେ । ଉଦ୍‌ବେଳିତ ଅଶ୍ରୁ କୌଣସି ବାଧା ମାନିବାକୁ ପ୍ରସ୍ତୁତ ନଥିଲା ।

 

‘‘ଆପଣ ତାହାହେଲେ ଆମ ସମସ୍ତଙ୍କୁ ଭୁଲିଗଲେ ?’’ କୋହର ବେଗ ବନ୍ଦ କରି ସେ ପଚାରିଲେ ।

 

‘‘ତେବେ ଆଉ ତୁମ ପାଖକୁ ଆସିଲି କିପରି ?’’

 

ନିରୁତ୍ତର ।

 

ଅନେକ ସମୟ ଠିଆ ହେବାର କ୍ଳେଶ ବୁଝିପାରି ବସିବାକୁ କହିଲି । ସେ ମୋର ପାଖକୁ ଲାଗି ବସି ପଡ଼ିଲେ । ଓଠଟି ମୋ ମୁହଁ ପାଖରେ ଅପେକ୍ଷା କରି ରହିଲା ।

 

‘‘ଭୁଲ କରୁଛ ଶେଫାଳିକା ।’’ ମୁଁ ମୁହଁ ଆଡ଼େଇଲି ।

 

‘‘କି ଭୁଲ ?’’

 

ନିରୁତ୍ତର ହେଲି ।

 

ସେ ମୁହଁ ଫେରାଇ ନେଲେ । ‘‘ମୋତେ କ୍ଷମା କରିବେ ।’’ ସ୍ୱରରେ ତାଙ୍କର ଆହତ ଅଭିମାନ ।

 

ସ୍ୱାଭାବିକ ଅବସ୍ଥା ଫେରାଇବା ପାଇଁ କିଛି ସମୟ ପରେ ପ୍ରଶ୍ନକଲି ।

 

‘‘ହଁ–ତା’ପରେ ? ଫେରାଇବା ପାଇଁ କିଛି ସମୟ ପରେ ପ୍ରଶ୍ନକଲି । ଶେଫାଳିକା ? ମୁଁ ତ ତୁମକୁ ଏଠି ଦେଖିବି ବୋଲି ଭାବି ନଥିଲି ।’’

 

‘‘ଆପଣଙ୍କର ଜାଣିବାରେ ଦରକାର ?’’ ସ୍ୱରରେ ସ୍ୱଚ୍ଛନ୍ଦତା ନଥିଲା ।

 

‘‘ମୁଁ କେବଳ ଶୁଣିବାକୁ ଚାହେଁ ।’’

 

ସେ ନିରୁତ୍ତର ହେଲେ ।

 

‘‘ଚାମେଲୀ ସହିତ ଆପଣଙ୍କର ବିବାହ ହେଇଗଲାଣି ?’’

 

‘‘ନା ।’’

 

‘‘ତୁମ କଥା କିଛି କହିବ ନାହିଁ ?’’ ନୀରବ ରହିବା ଦେଖି ମୁଁ ଆଉଥରେ ପଚାରିଲି ।

 

‘‘ଏତେ ରାତିରେ ଆପଣ ଏଠାକୁ ଆସିବାର କାରଣ ?’’ ସେ ଓଲଟି ପଚାରିଲେ ।

 

‘‘ତୁମ ସହିତ କଥାବାର୍ତ୍ତା ପାଇଁ ।’’

 

‘‘ଜଣେ ନାଚବାଲୀ ସହିତ ଜଣେ ଶିକ୍ଷିତ ଧନୀ ଭଦ୍ରଘରର ପିଲାର କି ଧରଣର କଥାବାର୍ତ୍ତା ଥାଇପାରେ ?’’

 

‘‘ମୁଁ ତ ତୁମ ପାଖକୁ ନାଚବାଲି ଭାବି ଆସିନାହିଁ । କେବଳ ଶେଫାଳିକା ଭାବି...’’

 

‘‘ବଡ଼ ଲୋକମାନେ ବହୁତ କଥା କହି ଜାଣନ୍ତି ।’’ ତୃପ୍ତ ଅଭିମାନରେ ସ୍ୱର ନରମି ଆସୁଥିଲା ।

 

‘‘ମା’ ଭଲ ଅଛନ୍ତି ?’’

 

‘‘ଆପଣଙ୍କର ଯାଏ ଆସ ?’’ କଣ୍ଠରେ ଉଦ୍ଦୀପନା ।’’

 

‘‘ଏ ସବୁ କ’ଣ କହୁଛ ଶେଫାଳିକା ?’’ ସବୁବେଳେ ଏହିଭଳି ଅଭିମାନୀ ବିଦ୍ୱେଷମୂଳକ ଢଙ୍ଗ ମୁଁ ପସନ୍ଦ କରି ନଥିଲି ।

 

‘‘କାହିଁକି ? ଆପଣଙ୍କର ଯଦି ଜାଣିବାର ଇଚ୍ଛା ଥିଲା–ଏତେ ମମତା ଥିଲା, ତେବେ ଚିଠି ଦେଲେ ନାହିଁ ?’’ କଥା ଚଞ୍ଚଳ ହୋଇ ଉଠିଥିଲା ।

 

ପ୍ରଶ୍ନର ପ୍ରକୃତ ଉତ୍ତର ଦେବାକୁ ଯାଇ ହୁଏତ ଆହୁରି ବିଦ୍ଧକରି ଥାନ୍ତି । ଦୋଷ ମାନି ନେଲି ।

 

‘‘ସେଇଟା ମୋର ଭୁଲ । କିନ୍ତୁ ତଥାପି ତ ତୁମେ କହିପାର ?’’ ମୁଁ ଅନୁନୟ କଲି ।

 

‘‘ମା’ ବେଶ୍ ଭଲ ଅଛନ୍ତି ।’’ ବେଖାତିର ।

 

‘‘ତୁମର ତାହାହେଲେ ଏ ପର୍ଯ୍ୟନ୍ତ ବିବାହ ହୋଇନାହିଁ ?’’

 

‘‘ନ ହେବା କଥା ।’’

 

‘‘କିଶୋର ବିଷୟରେ ଖବର କ’ଣ ?’’

 

ନିରୁତ୍ତର–ଭାବିଲି ଏ ବିଷୟରେ ପଚାରିବା ଅନୁଚିତ ।

 

‘‘ତୁମେ କେବେଠାରୁ ଏ ନାଚ ପାଟିରେ ଯୋଗ ଦେଇଛ ।’’

 

‘‘ଦେଢ଼ ବରଷ ହେଲା ।’’

 

ଏହିଭଳି ଦୁଇ ତିନିଟ ଶବ୍ଦରେ ଯେ ଆନ୍ତରିକତାହନ ଉତ୍ତର ଦିଏ, ତା ସହିତ କିପରି ବା ଦୁଃଖସୁଖ କଥାବାର୍ତ୍ତା ସମ୍ଭବ ?

 

‘‘କଥାବାର୍ତ୍ତା କରି ମୁଁ ତେବେ ତୁମକୁ ଅଧିକା ବିରକ୍ତ କରାଉଛି–ନା ?’’ ନୀରବ ।

 

‘‘ତାହାହେଲେ ମୁଁ ଆସେ ।’’–ଉଠିଲି । କ୍ଷୋଭ ଅଥଚ ସହାନୁଭୂତିରେ ମନ ଭିତରଟା ପୁରି ଉଠୁଥାଏ । କିନ୍ତୁ ଶେଫାଳିକା ସେଇ ଖମ୍ବକୁ ଆଉଜି ନୀରବରେ ଆକାଶର ଜହ୍ନ ଆଡ଼କୁ ଅନେଇ ଲାଗିଥାନ୍ତି । ମନେ ହେଲା–ତାଙ୍କର ଏଇ ଅବସ୍ଥା କିଶୋରର ବିରହରେ । ସ୍ୱଭାବରେ କୌଣସି ପରିବର୍ତ୍ତନ ହୋଇନି । ସେଇ ଅଭିମାନିନୀ–ସେଇ କ୍ଷିପ୍ର–ସ୍ୱଭାବ :–ଦୀର୍ଘଶ୍ୱାସ ମାରି ବୁଲି ପଡ଼ିଲି ।

 

‘‘ଶୁଣନ୍ତୁ ।’’

 

ଫେରି ଚାହିଁଲି ।

 

‘‘ମା’ ପାଖକୁ ଖବର ଦେବାକୁ ଆପଣଙ୍କର କିଛି ନାହିଁ ?’’–ସହିତ ଗଳା ।

 

‘‘ଅଛି–ତୁମେ କହିଦେବ ?’’

 

ସେ ହଁ ମାରିଲେ ।

 

‘‘ତେବେ ଶୁଣ, ଦରକାର ପଡ଼ିଲେ ମୋର ଆଗ ଠିକଣାରେ ଚିଠି ଦେବେ । ବେଶ୍ ସେତିକି ।’’

 

‘‘ମୋ ସକାଶେ କିଛି କହିବେ ନାହିଁ ?’’ ଯିବାକୁ ଉଦ୍ୟତ ହେବା ଦେଖି ସେ ଠିଆହୋଇ ଆଗେଇ ଆସିଲେ–ଅଭିମାନର କରୁଣା ପରାଜୟ । ଓଠ ଦିଓଟି ଥରି ଉଠୁଥାଏ । ଏଇ ମୁହୂର୍ତ୍ତରେ ଲୁହ ଯେପରି ଛୁଟି ଆସିବ ।

 

‘‘ହାୟରେ, ଅଭିମାନିନୀ !’’ ଛାତି ପାଖକୁ ଟାଣି ଆଣିଲି । ବାରଣ୍ଡାର ଶେଷ ଭାଗରେ କାହାର ଛାଇ ସାମାନ୍ୟ ଦେଖାଦେଇ ଉଭେଇ ଗଲା । ନା–ଆଉ ଦେଖା ଦେଇନାହିଁ ।

 

ଶେଫାଳିକା ମୋ ମୁହଁକୁ ତୃଷିତ ନେତ୍ରରେ ଅନାଇ ରହିଲେ । ‘‘ନା–ଶେଫାଳିକା ଯାହା ଅସମ୍ଭବ, ତାହା ଆଶା କରିବା ବୃଥା ।’’

 

ଦୀର୍ଘ ନିଃଶ୍ୱାସ ମାରି ସେ ମୋର ଛାତି ପାଖରୁ ନିଜକୁ ଘୁଞ୍ଚାଇ ନେଲେ । କହିଲେ–‘‘ହଉ ତେବେ ବସନ୍ତୁ । ମୋ କଥା ଶୁଣିବେ ପରା ।’’ ଛାଡ଼ିବାକୁ ସେ ଚାହାନ୍ତି ନାହିଁ ।

 

ବେଦନାହତ ହୃଦୟର ମାତ୍ର କେତୋଟି ସରଳ ବାକ୍ୟ ଜୀବନର ଗୋଟାଏ ବିକ୍ଷୁବ୍ଧ ଅଂଶର ଯଥା ସମ୍ଭବ ଲଘୁଚିତ୍ର ।

 

‘ଆପଣ ଆଉ ଫେରିଲେ ନାହିଁ କି ଚିଠି ଦେଲେ ନାହିଁ । ମୁଁ ମଧ୍ୟ ମା’ଙ୍କୁ ଚିଠି ଲେଖିବାକୁ ମନା କଲି ।

 

‘‘କିଶୋର ସାହାଯ୍ୟରେ ମୁଁ କେତେଦିନ ବେଶ୍‌ ସୁଖରେ କଟାଇ ନେଲି । ସେ ମଝିରେ ମଝିରେ ଯା ଆସ କରୁଥାଏ । କିନ୍ତୁ ବିଚାରା କିଶୋର–ଗରୀବ । ଆମର ଆୟ ବା କେତେ, ଯେ ତିନିପ୍ରାଣୀ ଗିଳି ପାରିବୁ । ଆୟ ଶେଷହେବା ଦେଖି ସେ ମଧ୍ୟ ଅନ୍ୟ ଯାଗାକୁ ଚାଲିଗଲେ ।

 

‘‘ଦିନ ଗୁଡ଼ିକ ଦୁଃଖରେ କଟିଲା–ଆପଣଙ୍କ ଉପରେ ମୋର ଅଭିମାନ ବଢ଼ିଲା । ମା’ଙ୍କର ମଧ୍ୟ ପେଟ ବେମାରି ବଢ଼ିବା ଫଳରେ ସେ ଆଉ କାମ କରି ପାରିଲେ ନାହିଁ । ଅନେକଦିନ ଉପବାସରେ କଟେଇବାକୁ ବାଧ୍ୟ ହେଲୁ ।’’

 

ରହି ରହି କହୁଥାନ୍ତି । ‘‘ ଭଗବାନ ଦୟାକରି ମୋତେ ଏଇ କଣ୍ଠଟି ଦେଇଥିଲେ । ମା’ଙ୍କର ଇଚ୍ଛା ବିରୁଦ୍ଧରେ ନିଷ୍ପତ୍ତି କଲି ...’’

 

ଦୀର୍ଘଶ୍ୱାସ ।

 

‘‘କେତେଟା ଦିନ ପରେ ଅଭ୍ୟସ୍ତ ହୋଇଗଲି–ଏଣିକି ଆଉ ଲଜ୍ଜ୍ୟା ନାହିଁ....ଦୁଃଖ ମଧ୍ୟ ହୁଏ ନାହିଁ । ଏ ଭଳି କହିବା ସତ୍ତ୍ୱେ ତାଙ୍କର ଗଳା ଥରି ଉଠିଥିଲା । –ଆଖିରୁ ଲୁହ ବୋହି ଆସିଲା-

 

‘‘ମୋତେ କ୍ଷମା କର ।’’ ସେ ମୋ ଉପରକୁ ଆଉଜି ଆସିଲେ ।

 

କ୍ଷମା ? –କିନ୍ତୁ କେଉଁ ଦୋଷରେ ବୁଝି ପାରିଲି ନାହିଁ । ନୀରବରେ ଥାପୁଡ଼େଇ ଲାଗିଲି-

 

ହଠାତ୍ ମନେ ହେଲା–ଏ ସମସ୍ତ କେବଳ ମୋରି ଦୋଷ । ହଁ, ନିଃସନ୍ଦେହରେ । ଶେଫାଳିକାଙ୍କର ଦୋଷଗୁଡ଼ିକ କେବଳ ଖୁଣି ଲାଗିଥିଲି । କିନ୍ତୁ ତାଙ୍କର ଭବିଷ୍ୟତ–କେବେହେଲେ ତ ସେ ବିଷୟରେ ଚିନ୍ତା କରି ନାହିଁ । ଏଇ ପରିବାରକୁ ମୁଁ ପ୍ରଥମେ ଭାଇ ହିସାବରେ ଯାଇଥିଲି । ମୋର ଉଚିତ ଥିଲା ଶେଫାଳିକା ଆଉ କିଶୋରଙ୍କର ବିବାହ କରାଇ ତାଙ୍କର ଅନ୍ନ ସଂସ୍ଥାନ କରିବା-। –ଆଜି ଯଦି ମୋର ଭଉଣୀ ଗୋଟିଏ ଗରିବ ଘରେ ବାହା ହୋଇଥାନ୍ତା..... ?

 

ଅନ୍ୟ ପକ୍ଷରେ ମୁଁ ଭୁଲିଯିବାକୁ ଚେଷ୍ଟା କରୁଥିଲି ।

 

ନା–ଶେଫାଳିକାଙ୍କୁ ଏଡ଼ି ଦେଇ ମୁଁ ଶାନ୍ତିରେ ରହି ପାରିବି ନାହିଁ । ଯେପରି ବ୍ୟବହାର ପାଏ ନା କାହିଁକି ମୁଁ ତାଙ୍କୁ ସୁଖୀ ଦେଖିବାକୁ ଚାହେଁ... ।

 

–କିନ୍ତୁ ସେ ମୋ ପାଖରୁ ସାହାଯ୍ୟ ଗ୍ରହଣ କରିବାକୁ ରାଜି ହେବେ ତ ?

 

‘‘ଶେଫାଳିକା, ମୋର ଗୋଟାଏ ଅନୁରୋଧ ରଖିବ ?’’

 

‘‘କ’ଣ ?’’

 

‘‘ତୁମକୁ ଏଇ ରାସ୍ତା ଛାଡ଼ି ଦେବାକୁ ହେବ ।’’

 

‘‘ମୁଁ ଚଳିବି କିପରି ?’’ କିଛି ବିଳମ୍ବରେ ।

 

‘‘ସେ ବ୍ୟବସ୍ଥା ମୁଁ ଦେଖିବି ।’’

 

‘‘ମୋତେ ପାଖରେ ରଖିବ–ତାହାହେଲେ ?’’–କଣ୍ଠରେ ଆଶା

 

‘‘ଭୁଲ ବୁଝ ନାହିଁ । ତୁମର ଅନ୍ନ ସଂସ୍ଥାନ ଭାର ମୋ ଉପରେ ।

 

‘‘ମୋର ଦରକାର ନାହିଁ,’’ ସେ ମୁହଁ ବୁଲାଇଲେ ।

 

ସେଇ କ୍ଷିପ୍ର ସ୍ୱଭାବ । ଏଇ ଅଭିମାନୀ ତରୁଣୀଟିକୁ ମୁଁ ବୁଝାଇବି କିପରି ? ‘‘ଦେଖ ଶେଫାଳିକା, ଅଭିମାନ କରି ନିଜକୁ ତଳକୁ ଖସାଇ ଦେବା କ’ଣ ଉଚିତ ? କିଶୋରକୁ ବାହା କଲେ ସୁଦ୍ଧା ତୁମ ପରିବାର ଚଳାଇବା ପାଇଁ ପ୍ରସ୍ତୁତ ମୁଁ ଅଛି । ଯଦି ଅପମାନଜନକ ମନେ କର, କିଶୋର କୌଣସି ଆୟ–ପନ୍ଥା ଦେଖି ଧୀରେ ଧୀରେ ଶୁଝି ଦେଇ ପାରନ୍ତି । ଏ ପ୍ରସ୍ତାବ ଅସମ୍ମନଜନକ ନୁହେଁ । ଦୁନିଆର ଯେ କୌଣସି ଲୋକ ତ ଏପରି ଦେଇପାରେ । ମୋତେ ଆପଣାର ମନେ ନ କରି ମଧ୍ୟ ତ ତୁମେ ନେଇ ପାର ?’’

 

ଶେଫାଳିକା କିଛି ସମୟ ନୀରବ ରହି ମୋର ମୁହଁ ଉପରେ ଦୃଷ୍ଟି ରଖି ଉଠି ପଡ଼ିଲେ ।

 

‘‘କ’ଣ ଶେଫାଳିକା ?’’

 

‘‘ଏସବୁ କେବଳ କଥାର କଥା–ନା ଆଉ କିଛି ? ବଡ଼ ଲୋକେ ଏପରି ଅନେକ କଥା କହିଥାନ୍ତି । କ୍ଷମା କରିବେ–ନମସ୍କାର ।’’–କୌଣସି ଉତ୍ତରର ଅପେକ୍ଷା ନ କରି ସେ ଧୀରେ ଧୀରେ ସେଇ ବଗିଚା ପାଖରେ ଅଦୃଶ ହୋଇଗଲେ ।

 

ଆହତ ହୋଇ ଅନାଇ ରହିଲି । ଡାକିବାକୁ ସାହସ ନ ଥିଲା ।

 

–ଶେଫାଳିକା ଏଭଳି ପ୍ରତ୍ୟାଖ୍ୟାନ କରି ଚାଲିଗଲେ ? ଅଭାଗିନୀ ।

 

ପାହାନ୍ତିଆ ହେବାକୁ ଆଉ ଦୁଇଘଣ୍ଟା ମାତ୍ର ବାକି ଅଛି । ପବନର ଚଞ୍ଚଳତା । ଶିଶିର–ଭିଜା ଆକାଶ ଦୂରରୁ ସେଇଠି ଥାଇ କ’ଣ ଲକ୍ଷ୍ୟ କରୁଥିଲା ?

 

ଯଦି ମଣିଷ ଯାହାକୁ ସାହାଯ୍ୟ କରିବାକୁ ଆସେ–ସେ ଯଦି ତା’ର କଥା ନ ବୁଝି ଠେଲି ଦେଇ ଚାଲିଯାଏ– ?

 

ସେଥିପାଇଁ ମୁଁ ଦୁଃଖୀତ–କିନ୍ତୁ ମୋର କର୍ତ୍ତବ୍ୟ ମୁଁ କରିଛି ।

 

ତଥାପି... । ଭାରାକ୍ରାନ୍ତ ମସ୍ତିଷ୍କ ନେଇ ମୁଁ ବାହୁଡ଼ିଲେ ସେଇ ବାରଣ୍ଡା ଉପରେ ।

 

ମନରେ ହଠାତ୍ ଶଙ୍କା ପଶିଲା । କାହାର ନିଃଶବ୍ଦ ଛାଇ ?

 

‘‘କିଏ ? –ଚାମେଲୀ ?’’

 

‘‘ଏ ?’’

 

‘‘କେତେବେଳଯାଏ ଏଇଠି ଠିଆ ହେଇଛ ?’’

 

‘‘ଅଳ୍ପ ସମୟ ହେଲା ।’’ –କହିବାକୁ ଇଚ୍ଛା ନ ଥିଲା ଯେପରି ।

 

‘‘ଆସ ଯିବା । ରାତି ଆଉ ଅଳପ ବାକି ଅଛି । ଦେହ ଖରାପ ହେବ ।’’–ନିଃଶବ୍ଦରେ ହୁଏ ତ ଅନିଚ୍ଛାରେ ସେ ପାଦ କାଢ଼ିଲେ ।

 

କିଛି ସମୟ ପରେ ଯେତେବେଳେ ସେ ମୋ ପାଖରୁ ବିଦାୟ ନିଅନ୍ତି–ତାଙ୍କର ଲୁହ ଭିଜା ଗାଲ ଦିଓଟି ମୁଁ ଅନୁଭବ କଲି ।

 

‘‘ଏ କ’ଣ ଚାମେଲୀ ?’’

 

ଚାମେଲୀ କିଛି କହି ନାହାନ୍ତି । ଆହୁରି ଦୁଇଟା ବଡ଼ ବଡ଼ ଲୁହ ଟୋପା ମୋର ଆଙ୍ଗୁଠି ଗୁଡ଼ିକ ଭିଜାଇ ଦେଇଥିଲା ।

 

ସେ ଦିନ–ଲକ୍ଷ୍ନୌରୁ ଫେରିବାବେଳେ ମନ ତଳେ ବେଦନା ଧୁପର କରୁଣା ମହକରେ ଅଣନିଶ୍ୱାସୀ ହୋଇ ପଡ଼ୁଥିଲି,–ଚାମେଲୀଙ୍କ ଆଶ୍ୱାସନାମୟ ପ୍ରେମ ଭିତରେ ପାଇ ପାରିଥିଲି ସାନ୍ତ୍ୱନା । ଆଉ ବର୍ତ୍ତମାନ–ଧୂପ ଯେପରି ନିଃଶେଷ ହୋଇ ଯାଇଛି । ଶେଷ ବାସ ଧୂମ ଏଇ ମାତ୍ର ମିଶି ଯାଇଛି ପବନରେ, କରୁଣତା ଲିଭି ନାହିଁ–ସେ ଯେ ଅନିଭା ମୁଁ ବୁଝି ସାରିଛି ।

 

ଚାମେଲୀଙ୍କ ପାଖରେ ଆଜି ଆତ୍ମ ବିଶ୍ୱାସ ନାହିଁ–ତଥାପି ପରସ୍ପରର ସାନ୍ନିଧ୍ୟରେ ପରସ୍ପର ହୃଦୟର ଲଘୁତା ।

 

‘‘ଏ କ’ଣ ସରୋଜ ? ତୁମ ଆଖି ଦୁଇଟା ଖୁବ୍ ଲାଲ ଦେଖା ଯାଉଛି କାଲି କ’ଣ ବେଶୀ ସମୟ ଯାଏଁ ନାଚ ଗୀତ ଦେଖୁଥିଲ ?

 

‘‘ଏ–ହଁ ।’’

 

‘‘ଟିକିଏ ବିଶ୍ରାମ ନେଇ ଯାଅ ।’’ ଦେବସ୍ୱରୂପ ଉପଦେଶ ଦେଲେ ।

 

ଚାମେଲୀଙ୍କୁ ଦିନ ସାରା ଦେଖି ନାହିଁ । ଆଶା ଥିଲା ରାତିରେ ହୁଏତ ଦେଖା ହେବ–ଶେଫାଳିକା ସହିତ ମଧ୍ୟ ଦେଖା ହୋଇପାରେ । କିନ୍ତୁ କ’ଣ କାଲିର ସେଇ ପରିସ୍ଥିତିରେ ?

 

–ସେଇ ସଂକୀର୍ତ୍ତନ । କୌଣସି ପ୍ରବୃତ୍ତି ନ ଥିଲା ଦେଖିବା ପାଇଁ । ଅବେଳରେ ଶୋଇ ଉଠଇଥିବା ହେତୁ ଦେହଟା ଗାଉଦା ଲାଗୁଥାଏ–ମୁଣ୍ଡଟା ଝିମିଝିମି ହେଉଥାଏ । –ଭିତରର ଆହ୍ୱାନକୁ ବେଶୀ ସମୟ ଚାପି ନ ପାରି ଚାଲିଲି ବାଇ ନାଚ ଆଡ଼େ ।

 

ଗାନ ବା ନାଚ ପ୍ରତି ମୋର ଆକର୍ଷଣ ନ ଥିଲା । କିନ୍ତୁ ଯେଉଁ ବନ୍ଧନ ନିଜ ପାଖରୁ ଖସି ଯିବାର ମାନସିକ ଯନ୍ତ୍ରଣା ଅନୁଭବ କରୁଥିଲି–ତାକୁ ଯଦି କୌଣସି ପ୍ରକାରେ ଭୁଲି ଯାଇପାରେ–କୌଣସିମତେ ଯେ କୌଣସି ସ୍ଥଳରୁ ହେଉ ନା କାହିଁକି, ସାଉଁଟି ଆଣି ଯଦି ପୁଣି କିଛି ସମୟ ତାକୁ ଧରି ରଖିପାରେ– ।

 

କିନ୍ତୁ ସମୟ ଯେପରି ଫାଙ୍କା ମନେ ହେଲା । ନୁପୂରର ଝୁମୁଁଝୁମୁଁ ପ୍ରତିଧ୍ୱନିତ ହେଉଛି ସତ–କିନ୍ତୁ ତା’ର ମନେ ରମତା ଯେପରି ନାହିଁ । ସଂଗୀତ ଅଛି କିନ୍ତୁ–ତା ଭିତରେ ଅତିବାଞ୍ଛିତ ପ୍ରୀତିଥରା ଗାନ କାହିଁ ? –ଶେଫାଳିକା କାହାନ୍ତି ?

 

କଳା ମଚମଚିଆ କାଲିକାର ସେଇ ଲୋକଟା ନିଶ ବିଡ଼ାଟା ଉପରକୁ ନଚାଇ ଦେଇ ଦୁଃଖରେ କହିଲା–‘‘ଓ ବାଇ ଚଲିଗୟି ବାବୁଜୀ । ଲଛମୀବାଇ କାମ୍ ଛୋଡ଼କେ ଚଲିଗୟି–’’

 

ବିଦାୟ ନେଇ ଚାମେଲୀ ଆଉ ମୁଁ ଫେରି ଆସିଥିଲୁ । ଶେଫାଳିକା ସହିତ ସାକ୍ଷାତ୍ ପରେ ବିବାହ ଉତ୍ସବର ଆଉ ଆକର୍ଷଣ ନ ଥିଲା ।

 

ସମୟର ପ୍ରଭାବ–ଶେଫାଳିକାଙ୍କର କଥା ଉଠାଇବା ପାଇଁ ଆଗ କେତେଦିନ କଷ୍ଟ ହେଲା । ପରେ ସ୍ୱଚ୍ଛନ୍ଦର କଥା ହେଇ ପାରିଲୁ । ଆଉ କେତେଦିନ ପରେ ସେ ବିଷୟରେ କଥା ହେବାର ଦରକାର ରହିଲା ନାହିଁ–ସେ ମନ ଭିତରେ ହି ରହିଲା । ଶେଷରେ କେବଳ ମଝିରେ ମଝିରେ ଉଙ୍କି ମାରିବା ଅଧିକାର–ବିରତି କ୍ରମଶଃ ଦୀର୍ଘତର ହେବାକୁ ଲାଗିଲା ।

 

କୁଆଁତରା ଲିଭି ଆସେ । କୋଠାତଳେ ଲମ୍ବା ଛାଇ–ଛୋଟ ହୋଇ ଆସେ । ବଢ଼ ଚାଲେ ବିପରୀତ ଦିଗରେ–ନିଶ୍ଚିହ୍ନ ହୁଏ । ଆକାଶର ରୂପ ରେଖ ବଦଳେ । ପାତଳା ଅଭ୍ରଖଣ୍ଡ ପରି ମେଘ–ଖେଳି ବୁଲେ । ଝିରି ଝିରି ତୋଫା ଆଲୁଅ ।

 

–ଋତୁ ବଦଳେ–ତଳେ, ମଝିରେ, ଉପରେ । ତା’ର ସୂଚନା ଦେଇପାଏ–ଖରା, ତରା, ପାଣି ପବନ–କୁହୁଡ଼ି । ପତ୍ର କଅଁଳେ–ଫୁଲ ଫୁଟେ–ଫଳ ହୁଏ, ପାଚେ, ଝଡ଼େ । ବ୍ୟକ୍ତିଗତ ଆଉ ଗଣ ଜୀବନର ଜୁଆର ଆସେ–ଚାରିଆଡ଼ର ସଂପୃକ୍ତ ସ୍ଥଳ ପ୍ଲାବିତ ହୁଏ । –ଆବର୍ତ୍ତ ଦେଖାଦିଏ–ଲିଭି ଯାଏ । ସମୟର ଅବିରତ ଗତି ନିରପେକ୍ଷ–ନିଃଶବ୍ଦ ।

 

ତାରି ଭିତରେ ମଣିଷ ଗଢ଼ି ଚାଲେ ଭବିଷ୍ୟତ–କଳ୍ପନାରେ–କାର୍ଯ୍ୟରେ–ସଚେତ ବା ଅବାନିତ, ନିଜର ବା ପରର, ବ୍ୟକ୍ତିଗତ ବା ସମଷ୍ଟିଗତ ।

 

ବର୍ତ୍ତମାନ ? –ଖବର କାଗଜର କେତେଗୋଟି ବିଜ୍ଞାପନ ସ୍ତମ୍ଭ–ଲାଇବ୍ରେରୀର କେତେଗୋଟି ପଢ଼ା ଅପଢ଼ା ବହି–ସାଙ୍ଗସାଥି ଆଉ ଚାମେଲୀ । ଚାହା କପ୍‌ର ଉଷ୍‌ତା–ସିଗାରେଟ୍‌ର ବେପରବାୟୀ ଧୂମ୍ର କୁଣ୍ଡଳୀ–କେତେଗୋଟି ଛୋଟ ବଡ଼ ଲେଖା–ଚିଠି ପତ୍ର । ହାତ ବନ୍ଧା ଘଡ଼ିଟିର କଣ୍ଟା ଗୁଡ଼ିକ ଅନବରତ ଘୂରି ଲାଗିଥାଏ ।

 

ବାପା ନିଜ କାମରୁ ତ୍ରାହି ପାଇନାହାନ୍ତି–ଅଥଚ ବୋହୁ ନଦେଖି ବିବାହ ଦେବେ ନାହିଁ । ଚାକିରୀ ମିଳିନାହିଁ–ଅଥଚ ଶିକ୍ଷା ଦିଗ ବାଦ ଦେଇ ବ୍ୟବସାୟ ଦିଗରେ ଇଚ୍ଛା ନାହିଁ । ଶେଫାଳିକା ସମ୍ବନ୍ଧରେ ଜାଣିବାକୁ ଇଚ୍ଛା ହୁଏ–ଅଥଚ ଚିଠି ଦେଇନାହିଁ ।

 

ଲମ୍ବା ଚିଠି ।

 

‘‘ପରମ ଶୁଭ ଆଶୀର୍ବାଦ ପରେ ଲେଖିବାର କାରଣ ଏହି ଯେ ....

 

ବାବା, ଶୁଦ୍ଧପୁରରେ ତୁମ ସହିତ ଶେଫାଳିକାର ସାକ୍ଷାତ୍‌ ଓ କଥାବାର୍ତ୍ତା ସମ୍ବନ୍ଧରେ ମୁଁ ସମସ୍ତ ଶୁଣିଛି । ତୁମ ପାଖରୁ କୌଣସି ଚିଠି ନ ପାଇ ମୁଁ ମଧ୍ୟ କୌଣସି ଚିଠି ଦେଇ ନ ଥିଲି । ଭାବିଲି, ତୁମେ ହୁଏତ ଆହ୍ଲାବାଦ୍‌ରେ ନ ଥିବ । ଅନ୍ୟ କୌଣସି ଜାଗାର ଠିକଣା ନ ଜାଣି କିପରି ବା ଚିଠି ଦେଇଥାଆନ୍ତି ?

 

ବାବା–ଶେଫାଳିକାକୁ କହିଥିଲ, ଦରକାର ପଡ଼ିଲେ ମୁଁ ଚିଠି ଲେଖିବି ବୋଲି । ଦୈବ ଯୋଗରୁ ସେହିପରି ଦରକାର ପଡ଼ିଛି–ସେଥିପାଇଁ ଲେଖୁଛି ।

 

ତୁମେ ଏଠାରୁ ଚାଲିଯିବା ପରେ ଯାହା ଯାହା ଘଟିଥିଲା–ସେ କଥା ଉଣା ଅଧିକେ ଝିଅଠାରୁ ଶୁଣି ସାରିଛି–ସେଥିପାଇଁ ସେ ବିଷୟରେ ଲେଖୁନାହିଁ । ଶେଫାଳିକା ଶୁଦ୍ଧପୁରରୁ ଫେରି ନାଚ ଗୀତ ଏକାବେଳକେ ଛାଡ଼ିଦେଲା । ଆଗରୁ ଯାହାକିଛି ଆୟ ଥିଲା–ସେତକରରେ ଚଳିବାକୁ ଲାଗିଲୁ । ଝିଅର ଆସିବା ପୁଣି କିଶୋର ମଧ୍ୟ ହାଜର ହେଲେ । ଚିଠି ଦେବାକୁ ଇଚ୍ଛା ଥିଲେ ସୁଦ୍ଧା ଶେଫାଳିକାର ବାରଣ ହେତୁ ଚିଠି ଦେଲି ନାହିଁ ।’’–ହୁଁ ପ୍ରଥମେ କୈଫିୟତ୍‌ଠାରୁ କୈଫିୟତ୍‌ କେତେ ଫରକ୍‌ ।

 

‘‘ବାବା–ଦୁଃଖିର ସଂସାରରେ ସୁଖ ବେଶିଦିନ ରହିପାରେ ନା । ଜମା ପାଣ୍ଠି ଶେଷ ହେବା ଦେଖି କିଶୋର ପୁଣି ଚାଲିଯିବାର ଫନ୍ଦି କଲେ । ଝିଅ ସହି ପାରିଲା ନାହିଁ । କିଶୋର ଆଉ ଫେରିବେ ନାହିଁ ବୋଲି ପ୍ରମାଣ କରି ଚାଲି ଯାଇଛନ୍ତି । ମୋ ଝିଅ ବାୟାଣୀ ପରି ତାଙ୍କର ସମସ୍ତ ରହିବା ସ୍ଥାନ ଖୋଜି ବୁଲିଲା । କେଉଁଠାରେ ହେଲେ ଟେର୍‌ ପାଇନାହିଁ ।

 

ପୋଲିସ ଥାନାରେ ରିପୋର୍ଟର କରା ହୋଇଛି । ଚାରି ପାଞ୍ଚଦିନ ବିତି ଗଲାଣି–ତଥାପି କୌଣସି ସନ୍ଧାନ ମିଳିନି । ଝିଅ ବର୍ତ୍ତମାନ ପାଗଳୀ ପରି । ମୁଁ ଏକୁଟିଆ ବୁଢ଼ୀ ଲୋକ–କ’ଣ ବା କରିବି । କିଏ ଅବା ମୋର ଅଛି ?

 

ଶେଫାଳିକା କହିବା ହେତୁ ଲେଖି ବସିଲି । ତୁମର ସାହାଯ୍ୟ ଆଉ ସାନ୍ତ୍ୱନା ତା’ର ନିତାନ୍ତ ଦରକାର । ବାବା–ତୁମେ ରାଜା ହୁଅ–ତୁମର ପରମାୟୁ ବୃଦ୍ଧି ହେଉ । ବାବା ତୁମେ ଆସ–ନିଶ୍ଚୟ ଆସ ।

 

ତୁମର

ମା’

 

‘‘ବର୍ତ୍ତମାନ ?’’

 

‘‘ତୁମକୁ ଶୀଘ୍ର ଲକ୍ଷ୍ନୌ ଯିବାକୁ ହେବ ।’’

 

‘‘ହୁଁ–ଶେଫାଳିକାଙ୍କୁ ମୁଁ କିଛି ସମୟ ପାଇଁ ବୁଝାଇ ରଖିପାରେ । କିନ୍ତୁ ପୋଲିସର ସାହାଯ୍ୟ ବିନା କିଶୋରଙ୍କ ସନ୍ଧାନ ମିଳିବ କିପରି ? ଆମ ସହିତ ସାକ୍ଷାତ୍‌ ପରେ ବିଚାରୀର ମନ କିଶୋର ପ୍ରତି ପୂରାପୂରି ଢଳି ପଡ଼ିଥିବା ସ୍ୱାଭାବିକ । ଆଉ ତାଙ୍କୁ ପାଇ ନ ପାରି....’’

 

‘‘ବୁଝୁଛି ।’’ ଚାମେଲୀ ସ୍ଥିର ଭାବରେ କହିଲେ ।

 

‘‘ଯଦି କେହି ପରିଚିତ ଲୋକ ପୋଲିସରେ ଥାଆନ୍ତେ ।’’

 

ଚାମେଲୀଙ୍କର ହଠାତ୍‌ ମନେ ପଡ଼ିଲା ।

 

‘‘ହଁ, ବାପାଙ୍କର କେହି ଜଣେ ବନ୍ଧୁ ଲକ୍ଷ୍ନୌରେ ଡ଼ି. ଆଇ. ଜି. ଥିବା ଶୁଣିଥିଲି । ବାପା ଯଦି ନିଜେ କିଛି ଚେଷ୍ଟା କରନ୍ତେ....’’

 

‘‘କିନ୍ତୁ...’’

 

କିନ୍ତୁ ଡାକ୍ତରବାବୁ ଯଦି ପଚାରନ୍ତେ–ତୁମ୍ଭମାନଙ୍କର ଏତେ ମୁଣ୍ଡକଥା କାହିଁକି ?’’ ଡ଼ି. ଆଇ. ଜି ପର୍ଯ୍ୟନ୍ତ କଥାଟା ଉଠାଇବା କିଛି କମ୍ କଥା ନୁହେଁ ।

 

‘‘ନା–ମୋତେ ସତ କହିବାକୁ ହେବ । ଲାବଣ୍ୟମୟୀ ମୋର ଜଣେ ପରିଚିତା–ଷ୍ଟେସନରେ ଆକସ୍ମିକ ଦେଖା ପରେ ଆନ୍ତରିକତା–ଇତ୍ୟାଦି ।’’

 

ସେ ନିରୁତ୍ତର ହେଲେ । ମୁଁ ମଧ୍ୟ ନିଜର ପ୍ରସ୍ତାବକୁ ଅନୁକୂଳ ମନେ କରୁ ନ ଥିଲି । ତଥାପି–

 

ସମସ୍ତ ବିବରଣୀ ଦେଇ ମୋଗଲ–ସରାଇକୁ ରାମସ୍ୱରୂପଙ୍କ ପାଖକୁ ଖଣ୍ଡିଏ ତା’ର କରିଦେଲି–ଯଦି ଟ୍ରେନରେ ଯିବାବେଳେ ମୋଗଲ ସରାଇ ଜଙ୍କ୍‌ସନ୍‌ରେ କିଶୋର ଧରା ପଡ଼ି ପାରନ୍ତି ।

 

ବାହାରେ ଶୀତ ଦନିଆ ବରଷା ।

 

ହୁଲୁ ହୁଲିଆ ଶୀତଳ ପବନ ଝରକାର ପରଦା ଆଡ଼େଇ ଘର ଭିତରକୁ ପଶି ଆସୁଥାଏ-। ମୁଖାର୍ଜୀଙ୍କର ନିର୍ଦ୍ଦେଶକ୍ରମେ ଝରକାଗୁଡ଼ିକ ବନ୍ଦ ହୋଇଗଲା । ଘରର କଣମାନଙ୍କରୁ ଅନ୍ଧାର-

 

ପବନର ଧକ୍‌କାରେ ଛାତରୁ ଝୁଲୁଥିବା ବଲ୍‌ବ ଦୋଳି ଖେଳୁଥିଲା । ସୁଇଚ୍‌ ଟିପିବାରେ ଘର ଭିତରେ କେତେକ୍ଷଣ ଆଲୋକ–ଅନ୍ଧାରର ଜିଣା ହରା ଖେଳ ।

 

ଅନ୍ୟ ଝରକା ଗୁଡ଼ିକ ବନ୍ଦ କରିନେଲି । ବଲ୍‌ବ ସ୍ଥିର ହୋଇ ଆସିଲା । କିଛି ସମୟ ପରେ ଘର ଭିତରଟା ଉଷୁମ ମନେ ହେଲା ।

 

ଚାହା କପ୍‌ରେ ଓଠ ଲଗାଇ ଚାମେଲୀ ପଚାରିଲେ–‘‘ବାପା, ଆପଣଙ୍କର କେହି ଜଣେ ବନ୍ଧୁ ଲକ୍ଷ୍ନୌରେ ପୋଲିସ ଡ଼. ଆଇ. ଜି. ଥିଲେ ପରା ।’’

 

‘‘ହଁ–କାହିଁକି ?’’ ଡାକ୍ତର ଧୀର ସ୍ୱରରେ ପଚାରିଲେ । ଦୁଇଦିନ ହେଲା ଜର ହେତୁ ସେ ଅସୁସ୍ଥ । ଆଜି ପୁଣି ଶୀତ ଆଉ ବରଷା । ମୁଖାର୍ଜୀଙ୍କ ଦେହରେ ସ୍ଫୁର୍ତ୍ତି ନ ଥାଏ । ମୁହଁରେ ଅସୁସ୍ଥତାର ମସୀ ଦାଗ ।

 

କହିଲି–‘‘ଆଜ୍ଞା, ମୁଁ ବଡ଼ ଅସୁବିଧାରେ ପଡ଼ିଛି ।’’

 

ମୁଖାର୍ଜିଙ୍କ ମୁହଁରେ ଉତ୍କଣ୍ଠା–‘‘କୋଉ କଥା ?’’

 

ଏହି ଉପଯୁକ୍ତ ସମୟ ଭାବି ଆରମ୍ଭ କଲି । ‘‘ପ୍ରାୟ ଚାରି ପାଞ୍ଚବର୍ଷ ତଳେ ଲକ୍ଷ୍ନୌରେ ଜଣେ ଗରିବ ବୁଢ଼ୀ ସହିତ ମୋର ପରିଚୟ ହାଇଥିଲା । ସେଇଦିନଠାରୁ ତାଙ୍କର ପରିବାର ସହିତ ମୋର ସମ୍ପର୍କ । ବୁଢ଼ୀ ମୋତେ ପୁଅ ବୋଲି ସ୍ନେହ କରେ । ମୁଁ ମଧ୍ୟ ତାକୁ ମା’ର ସମ୍ମାନ ଦେଇଥାଏ ।’’ ...ମୁଖର୍ଜୀଙ୍କର ଆଗ୍ରହ ଥିବା ଭଳି ମନେ ହେଲା ।

 

‘‘ବୁଢ଼ୀର ଗୋଟିଏ ବୋଲି ଝିଅ । ଗରିବ ହେତୁ ଝିଅର ବାହା ଦେବା ବୁଢ଼ୀ ପକ୍ଷରେ ସମ୍ଭବ ନ ଥିଲା । ସେମାନେ ବଙ୍ଗାଳୀ–ମଧ୍ୟବିତ୍ତ ପରିବାର । କିନ୍ତୁ ଭାଗ୍ୟକ୍ରମେ ଲକ୍ଷ୍ନୌରେ ନିତାନ୍ତ ଅବାଞ୍ଛନୀୟ ଅଞ୍ଚଳରେ ଜୀବନ କଟାନ୍ତି । ସିଲାଇ କରି ଯାହା ମିଳେ–ଆଉ ଲୋକେ ଯାହା ଦିଅନ୍ତି–ସେତକ ହିଁ ଥିଲା ତାଙ୍କର ଆୟ ।

 

ଝିଅଟି ଜଣେ ଯୁବକକୁ ବହୁତ ଭଲପାଏ । କିନ୍ତୁ ଯୁବକ ଭଲ ପାଇବା ଦେଖାଇ ଅର୍ଥ–ଆୟର ଫନ୍ଦା କରିଥାଏ ।

 

ଅଳ୍ପ ଆୟ ହେତୁ ଏଇ ଦରିଦ୍ର ପରିବାର ବେଶୀଦିନ ସେଇ ଯୁବକକୁ ଧରି ରଖି ପାରିଲେ ନାହିଁ । ଶେଷରେ ଝିଅଟି ନାଚ ଗୀତ କରି ପେଟ ପୋଷିଲା । ପରେ ସେଇ ରାସ୍ତାରୁ ଫେରି ଆସି ସେଥିରୁ ଯାହା ଅର୍ଜନ କରିଥିଲା–ସେଥିରେ ଏଇ ଯୁବକ ସହିତ କିଛିଦିନ ବତାଇ ଦେଲା ।

 

ପଇସା ଶେଷ ହେବାର ସୂଚନା ପାଇ ଯୁବକ ପୁଣି ଚାଲିଯିବାକୁ ବସିଲା । ଫଳରେ କଳି ହେଲା ଏବଂ ନିକଟରେ ଯୁବକ ଆଉ ଫେରିବ ନାହିଁ ପ୍ରମାଣ କରି ଚାଲିଯାଇଛି । ଝିଅଟି ଯୁବକର ସମସ୍ତ ସ୍ଥାନ ଖୋଜି ଖୋଜି ପୋଲିସକୁ ରିପୋର୍ଟ ଦେଇଛି–କିନ୍ତୁ ନିରୁଦ୍ଧିଷ୍ଟ ହେବାର ଆଠ ଦିନପରେ ସୁଦ୍ଧା ଏ ପର୍ଯ୍ୟନ୍ତ ସନ୍ଧାନ ମିଳି ନାହିଁ :–ଝିଅଟିର ପ୍ରାୟ ପାଗଳିନୀ ଅବସ୍ଥା–ମା’ ବିଚାରୀ ମୋ ପାଖକୁ ଚିଠିରେ ସାହାଯ୍ୟ କରିବାକୁ ଲେଖିଛନ୍ତି । କିନ୍ତୁ ....’

 

ଡାକ୍ତରବାକୁ ଚିନ୍ତିତ ଦେଖାଗଲେ ।

 

‘‘ଝିଅଟିର ବାପ କ’ଣ ମୃତ ?’’ ସେ ପଚାରିଲେ ।

 

‘‘ଆଜ୍ଞା–ନା । ସେ ପୁଣି ଆଉ ଏକ କଥା । ମା’ ଜଣକ ନିଜେ ବିବାହିତ ନୁହନ୍ତି, ଜଣେ ରକ୍ଷିତା । ଯୁବତୀ ଅବସ୍ଥାରେ କଲିକତା’ର ଚିତ୍ତରଞ୍ଜନ ଦାସ ନର୍ସିଙ୍ଗ ହୋମରେ ଜଣେ ନର୍ସ ଥିଲେ । ସେତେବେଳେ କୌଣସି ଯୁବକ ଡ଼ାକ୍ତରଙ୍କ ସହିତ ତାଙ୍କର ପ୍ରେମ ବଢ଼େ.....’’

 

ମୁଖାର୍ଜୀଙ୍କ କପାଳ କୁଞ୍ଚିତ ହୋଇ ଉଠିଲା । ରୋଗ ଯନ୍ତ୍ରଣା କିମ୍ବା ଘୃଣାର ବୋଧହୁଏ । ତେବେ ବେଶୀ ସମୟ ପାଇଁ ନୁହେଁ ।

 

‘‘....ଦୁହେଁ ଯାକ କଲିକତା ଛାଡ଼ି ଚାଲିଆସନ୍ତି ଲକ୍ଷ୍ନୌ । ଡାକ୍ତର କିଛିକାଳ ପରେ ତାଙ୍କୁ ଛାଡ଼ିଦେଇ ବିଲାତ ଚାଲିଗଲେ । ଅବଶ୍ୟ ଟଙ୍କା ପଠାଇ ଥିଲେ–ପୁଣି ଆସି କିଛି ଟଙ୍କା ଦେଇ ଚାଲିଗଲେ–କିନ୍ତୁ ତା’ପରେ ଆଉ ଟଙ୍କା ମିଳି ନାହିଁ–କି ସେ ଫେରି ନାହାନ୍ତି ।’’

 

‘‘ଶିକ୍ଷିତ ଆଉ ସଭ୍ୟ କିନା ।’’ –ଚାମେଲୀ ମନ୍ତବ୍ୟ କଲେ ।

ମୁଖାର୍ଜୀ ଘୂରିଯାଇ ତାଙ୍କ ଆଡ଼କୁ ନ ବୁଝିବା ପରି ଲକ୍ଷ୍ୟ କଲେ ।

‘‘ସେମାନଙ୍କର ନା’ କ’ଣ ?’’

‘‘ବୁଢ଼ୀଟିର ନା’ ଲାବଣ୍ୟମୟୀ । ଝିଅଟିର ନା’ ଶେଫାଳିକା–ଆଉ ଯୁବକର ନାମ କିଶୋର ।’’

ଡାକ୍ତର ଗୋଟାଏ ଗଉରିଆ ହୁଁ ମାରିଲେ ।

ହଠାତ୍ ଗୋଟାଏ ଝରକା ଠେଲି ଦମକାଏ ପବନ ଘର ଭିତରକୁ ପଶି ଆସିଲା । ଆଲୋକ ଦୋଳି ଲାଗିଲା । ମୁଖାର୍ଜୀଙ୍କ ଚିନ୍ତିତ ମୁଖମଣ୍ଡଳରେ ଚାୟା–ଆଲୋକର ସମ୍ପାତ ।

ଚାମେଲୀ ଉଠିଯାଇ ଝରକାଟା ବନ୍ଦ କରି ଆସିଲେ । ଆଲୋକଟା କ୍ରମଶଃ ସ୍ଥିର ହୋଇ ଆସିଲା ।

‘‘କିନ୍ତୁ ଦୁଃଖର ବିଷୟ ମୋର ବନ୍ଧୁ ଜଣକ ବର୍ତ୍ତମାନ ଅବସରରେ । ତେବେ....ଲକ୍ଷ୍ନୌରେ ଏସ୍. ପି. ମଲହୋତ୍ରାଜୀ ମୋର ଜଣେ ଆତ୍ମୀୟ । ମୁଁ ତାଙ୍କ ପାଖକୁ ଖଣ୍ଡିଏ ଚିଠି ଦେଉଚି । ତୁମେ ନେଇ ଚେଷ୍ଟା କରି ଦେଖ ।’’

ଇଙ୍ଗିତ କରିବା ପରେ ଚାମେଲୀ ପେଡ଼୍ ଆଉ କଲମଟି ବଢ଼େଇ ଦେଲେ ।

ଚିଠି ଲେଖା ପରେ ଡ଼ାକ୍ତର ମୁଖାର୍ଜୀ ନିତାନ୍ତ କ୍ଲାନ୍ତ ଦେଖାଯାଉଥାନ୍ତି । ଆଖି ତଳେ ଜରର ମସୀ ଦାଗ ଆହୁରି କାଳିଆ ଦେଖାଗଲା । ଚିଠି ଖଣ୍ଡିକ ମୋ ହାତକୁ ବଢ଼ାଇ ଦେଇ ସେ ଉଠି ପଡ଼ିଲେ ।

‘‘ଲକ୍ଷ୍ନୌର ଏସ୍. ପି. ତୁମର କ’ଣ ହୁଅନ୍ତି–ବାପା ?’’

‘‘ତୋର ମାମୁଁ ।’’

‘‘କାହିଁ–ମୁଁ ତ ଜାଣିନାହିଁ ?’’

ଅର୍ଥହୀନ ମୁଣ୍ଡ ହଲାଇ ଅବଶ ଦେହଟାକୁ ଜୋର୍‌ କରି ଟାଣି ଟାଣି ପରଦା ଆଡ଼େଇ ସେ ପାଖ ଘରକୁ ପଶିଗଲେ ।

ଆମେ ଦୁହେଁ ନିସ୍ତବ୍ଧ ହୋଇ ବସି ରହିଲୁ । –ଚାମେଲୀଙ୍କର ବିସ୍ମୟ ।

ଅମାନିଆ ପବନଟା ଆଉଥରେ ଝରକାଠେଲି ପଶି ଆସିଲା । କେତେ ଛିଟିକା ପାଣିବୁନ୍ଦା ।

‘‘ନମସ୍ତେ ।’’

‘‘ନମସ୍ତେ ।’’ ଶ୍ରୀଯୁକ୍ତ ମଲହୋତ୍ରା କେତେଗୁଡ଼ାଏ ଫାଇଲ୍‌ ଭିତରେ ମୁହଁ ରଖି ଉତ୍ତର ଦେଲେ ।

 

ବେଶ୍‌ ଉଚ୍ଚା ପୁରା ଲୋକ–ବାଆଁ କଡ଼ର ଓଠ ତଳକୁ କି ଗୋଟାଏ କ୍ଷତ ଚିହ୍ନ । ମୁହଁର ତାମ୍ର ଉଜ୍ଜ୍ୱଳତା ପରିସ୍ଫୁଟ, ସୁସ୍ଥ–ସବଳ । ମୁଣ୍ଡର ମଝି ଅଂଶ ଖଣ୍ଡିକ ଚନ୍ଦା । କଣ୍ଠରେ ଗମ୍ଭୀରତା–କିନ୍ତୁ ଉତ୍ସାହଜନକ ।

 

‘‘କହନ୍ତୁ, ମୁଁ ଆପଣଙ୍କପାଇଁ କ’ଣ କରିପାରେ ?’’ ଚିଠି ଖଣ୍ଡିକ ବଢ଼ାଇ ଦେଲି ।

 

ଚିଠିର ଯେଉଁସ୍ଥାନରେ ଲେଖକର ଠିକଣା ଲେଖା–ସେଇ ସ୍ଥାନଟି ଦେଖିବାମାତ୍ରେ ତାଙ୍କର କପାଳ କୁଞ୍ଚିତ ହୋଇଗଲା–ସମ୍ଭବତଃ ବିରକ୍ତିରେ । ମୁଁ ଅପ୍ରତିଭ ହେଲି– । କିନ୍ତୁ ଅନ୍ୟ ପ୍ରତିକ୍ରିୟାର ଅପେକ୍ଷାରେ ବସି ରହିଲି ।

 

ଚିଠି ଖଣ୍ଡିକ ଥୋଇ ଦେଇ ସେ ମୋତେ ପୂର୍ଣ୍ଣଭାବରେ ଲକ୍ଷ୍ୟ କଲେ । ଯେତେବେଳେ ସେ ଆରମ୍ଭ କରନ୍ତି । ତାଙ୍କ କଥାରେ ଆଉ ଉତ୍ସାହ ନ ଥିଲା–କେବଳ ଗମ୍ଭୀରତା ।

 

‘‘ଦେଖନ୍ତୁ–ଏଇ ଚିଠି ଖଣ୍ଡିକ ଆଣି ଆପଣ କିଛି ଭଲ କରିଛନ୍ତି ବୋଲି ମନେ ହୁଏ ନାହିଁ-। ତେବେ–ଆପଣଙ୍କର ଯାହା ଦରକାର, ତାହା କହିଲେ ମୁଁ ଯଥାସମ୍ଭବ ଚେଷ୍ଟା କରିବି ।’’

 

ସଂକ୍ଷେପରେ ମୋଠାରୁ ସମସ୍ତ ଶୁଣିବା ପରେ ଦରକାରୀ ନାମ ଏବଂ ଠିକଣା ଟିପି ନେଇ ସେ କହିଲେ–‘‘ବେଶ୍‌ ଏ ସମ୍ବନ୍ଧରେ ଅନୁସନ୍ଧାନ କେତେଦୂର ଆଗେଇଛି ବୁଝିନେଇ ମୁଁ ତାହାର ଯଥୋଚିତ ବ୍ୟବସ୍ଥା କରିବି । –ଆପଣ ଅନର୍ଥକ ବ୍ୟସ୍ତ ହେବେନାହିଁ ।’’

 

–ହାତ ମିଳାଇ ମୁଁ ତାଙ୍କଠାରୁ ବିଦାୟ ନେଲି ।

 

କେଉଁଠି ଯେପରି କିଛି ଖରାପ ରହିଗଲା....

 

–ମୁଖାର୍ଜୀଙ୍କର ଚିଠି ପଢ଼ି ମଲହୋତ୍ରା ବିରକ୍ତ ହେବାର କାରଣ ? କର୍ତ୍ତବ୍ୟ ଅନୁରୋଧରେ ସେ କାହାର ସୁପାରିଶ୍‌ ପତ୍ର ଚାହାନ୍ତି ନାହିଁ ବୋଲି ? ନା ... ?

 

‘‘ଆସିଛ ବାବା–ଖୁବ୍‌ ଭଲ କରିଛ ?’’ ରୁଗ୍‌ଣା ଲାବଣ୍ୟମୟୀ ମୋତେ ଦେଖି କଡ଼ ଲେଉଟାଇଲେ । ଆଖି ଯୋଡ଼ିକ ଆହୁରି ଭିତରକୁ ପଶିଯାଇଛି । ଶରୀର କ୍ଷୀଣତର । ଉଠି ବସିବାକୁ ଚେଷ୍ଟା କରୁଥିବା ଦେଖି ମନାକଲି ।

 

‘‘କ’ଣ ହେଇଛି ମା’ ?’’

 

‘‘ଏଇ ଜର–ଜର କ’ଣ ବାପା ଚିନ୍ତା ଜର ।’’

 

ଗରୀବ ଘରେ ଔଷଧପଥିର କି ଧରଣର ବ୍ୟବସ୍ଥା ହୋଇଥିବ–ସେ କଥା ଅନୁମାନ କରି ଆଉ ପଚାରିବାକୁ ଇଚ୍ଛା ନଥିଲା ।

 

‘‘ଶେଫାଳିକା କାହାନ୍ତି ?’’

 

ନୀରବରେ ସେ ଝରକା ଆଡ଼କୁ ନିର୍ଦ୍ଦେଶ କଲେ ।

 

ଶେଫାଳିକା ଆମ ଆଡ଼କୁ ପଛକରି ବସିଥାଆନ୍ତି । –ମୁକୁଳା ବାଳଗୁଡ଼ିକ କେରି କେରି ମୁହଁର ଗୋଟାଏ ପାଖ ଘୋଡ଼ାଇ ରଖିଥାଏ । –ଏଇ ଯୁବତୀଟିକୁ ମୁଁ ପୁଣି ସାନ୍ତ୍ୱନା ଦେବି–କି ସାନ୍ତ୍ୱନା ?

 

‘‘ଶେଫାଳିକା !’’ ଧୀରେ ଡାକିଲି ।

 

‘‘ମୋର ପ୍ରଣାମ ନିଅନ୍ତୁ । ଏଠିକି ଆସନ୍ତୁ ।’’

 

ଲାବଣ୍ୟମୟୀଙ୍କ ନିର୍ଦ୍ଦେଶରେ ମୁଁ ପାଖକୁ ଗଲି । ଶେଫାଳିକା ଟିକିଏ ଘୁଞ୍ଚି ବସିଲେ ।

 

‘‘ଏ ଗରିବ ଘରକୁ ପୁଣି ଆସିଲେ କିପରି ?’’

 

ଏଇଭଳି ପ୍ରଶ୍ନ ସକାଶେ ମୁଁ ପ୍ରସ୍ତୁତ ଥିଲି । ମୋତେ ନୀରବ ହେବା ଦେଖି ସେ ପୁଣି ପଚାରିଲେ–‘‘ଚାମେଲୀ କିପରି ଅଛନ୍ତି ।’’

 

ନିରୁତ୍ତର । ମୁଁ ତାଙ୍କୁ ଲକ୍ଷ୍ୟ କରି ଲାଗିଥାଏ ।

 

‘‘କ’ଣ ଭାବୁଛନ୍ତି–ମୁଁ ପାଗଳ ? ନା ମୋର କିଛି ହୋଇନାହିଁ–ଆପଣ ବିଶ୍ୱାସ କରନ୍ତୁ ।’’ କଥାଟାରେ ଭୟ ଆଉ ହତାଶା ମିଶି ରହି ଥିଲା ।

 

‘‘ନା–ନା–ପାଗଳ ମନେ କରିବି ନାହିଁ । କିନ୍ତୁ....କିଶୋର ସମ୍ବନ୍ଧରେ କିଛି ଖବର ମିଳିଲା ?’’

କିଛି ଯେ ମିଳି ନଥିବ ମ ଜାଣେ । ତଥାପି କଥା ଆରମ୍ଭର ଅନ୍ୟ ଉପାୟ ନଥିଲା ।

‘‘କାହା ସମ୍ବନ୍ଧରେ ?’’ ସେ ବୁଝି ନ ପାରିବା ଭଳି ପଚାରିଲେ । କଣ୍ଠରେ ବିରକ୍ତିର ଆଭାସ ।

‘‘କିଶୋର ସମ୍ବନ୍ଧରେ ।’’ ମୁଁ ସ୍ପଷ୍ଟଭାବେ କହିଲି ।

‘‘ଆପଣଙ୍କର ଦରକାର ?’’ –ମନେ ହେଲା ମୁଁ ଯେପରି ତାଙ୍କୁ ସୀମାତୀତ ଭାବେ ବିରକ୍ତ କରିଛି । ‘‘ଯଦି ଦୟା କରି ଆସିଛନ୍ତି, ତେବେ ଦୁଇଦିନ ଆନନ୍ଦ କରି ଯାଆନ୍ତୁ କାହାର କ’ଣ ହେଲା ନ ହେଲା–ସେ ବିଷୟରେ ଭଦ୍ର ଲୋକଙ୍କର ମୁଣ୍ଡ ଘୁରେଇବା ଦରକାର ନାହିଁ ।’’ ସେ ମୁହଁ ଫେରାଇ ନେଲେ ।

କିଛିକ୍ଷଣ ପର୍ଯ୍ୟନ୍ତ ନିଶ୍ଚଳ–ନିର୍ବାକ୍‌ । କ’ଣ ଗୋଟାଏ କହିବି ମୁଁ ଭାବି ଲାଗିଲି । ଅବଶେଷରେ ଯେତେବେଳେ ଆରମ୍ଭ କରିବାକୁ ଯାଏ, ସେ ବିରକ୍ତ ହୋଇ କହିଲେ, ‘‘ଆପଣ ଆସି ପାରନ୍ତି ।’’

ଏହିଭଳି ବ୍ୟବହାର ମୋ ପାଖରେ ନୂଆ ନୁହେଁ । ତଥାପି ମୁଁ ଆଘାତ ପାଇଲି । ସାନ୍ତ୍ୱନା ଦେବାତ ଦୂରର କଥା ମନେ ହେଲା । ଯଦି ସାହାଯ୍ୟ କରିପାରେ–ତାହାହେଲେ ଏଇ ଘରେ ଥାଇ ନୁହେଁ–

ଲାବଣ୍ୟମୟୀଙ୍କ ପାଖକୁ ଫେରି ଆସିଲି ।

 

‘‘ଦେଖିଲ ତ ବାପ, ସେ ସବୁବେଳେ ଏଇପରି ହେଉଛି । ମୋର ବଳ ନାହିଁ ତାକୁ ବୁଝାଇବାକୁ । ଯେତେ ଲୋକ ବୁଝାଇ ବୁଝାଇ ବିରକ୍ତ–ତାଙ୍କର ବା କାହିଁକି ଏତେ ମୁଣ୍ଡବଥା । ଓଃ, କିଶୋରକୁ ସେ କାହିଁକି ଏପରି ଭଲ ପାଇ ଲାଗିଲା ... ।’’ ଲାବଣ୍ୟମୟୀ ମୁଣ୍ଡରେ ହାତ ମାରିଲେ । ‘‘ସେ ଟୋକାଟା ମଧ୍ୟ...’’

 

‘‘ମା’ ସାବଧାନ । ଭଲ ହେଉନାହିଁ କହୁଛି ।’’–ଶେଫାଳିକା ଝରକା ପାଖରୁ ଆରକ୍ତ ଚକ୍ଷୁରେ ଡାକି ଉଠିଲେ ।

 

ଲାବଣ୍ୟମୟୀ ନୀରବ ରହିଲେ ।

 

‘‘କିଛି ଚିନ୍ତା କର ନାହିଁ ମା’ । ପୋଲିସ ଯଥା ସମ୍ଭବ ଚେଷ୍ଟା କରି ଲାଗିଛି । ମୁଁ ଏଇକ୍ଷଣି ଏସ. ପି. ଙ୍କୁ କହି ଦେଇ ଆସିଛି ....’’

 

‘‘ଏ–ଏସ. ପି. କୁ । ଭଲ କରିଛ–ଭଲ କରିଛ ବାପା । ତୁମର କୋଟି ପରମାୟୁ ହେଉ-। ଆହା, ବିଚାରା କିଶୋର । ମୋ ଝିଅକୁ ବହୁତ ଭଲ ପାଏ । କିନ୍ତୁ...’’ ସେ ପୁଣି ଶେଫାଳିକାଙ୍କୁ ଦେଖି ତୁନୀ ରହିଲେ ।

 

ବିରହ ପାଗଳିନୀ ଶେଫାଳିକା । ରୁଗ୍‌ଣା ମାତା–ଦରିଦ୍ରା–ନିଃସହାୟା–ଦୁଃଖ ଆଉ ନିରାଶାର ପ୍ରତିଛବି । ...ଇଚ୍ଛା ଥିଲା ସହସା କିଛି ଟଙ୍କା ଦେଇ ଯିବାକୁ । କିନ୍ତୁ ପ୍ରତିବାଦର ଆଶଙ୍କାରେ–ହେଲା ନାହିଁ ।

 

‘‘ଆଚ୍ଛା ମୁଁ ତେବେ ଆସେ ମା’–କାଲି ଏତିକିବେଳେ ଆସିବି । –ଯଦି କିଛି ଖବର ମିଳିଥାଏ ।’’

 

ଲାବଣ୍ୟମୟୀ ପ୍ରଥମେ ଉତ୍ତର ଦେଲେ ନାହିଁ । ବୋଧହୁଏ ଛାଡ଼ିବାକୁ ଅମଙ୍ଗ ଥିଲେ । କିନ୍ତୁ ଝିଅ ଆଡ଼େ ଚାହିଁ କିଛି ସମୟ କ’ଣ ଭାବି କହିଲେ, ‘‘ଆଚ୍ଛା–ତେବେ ଆସ ।’’

 

ଦୁଃଖିତ ଅଥଚ ଆଶ୍ୱସ୍ତ ହେଲି ।

 

‘‘ଶୁଣନ୍ତୁ ।’’ କଡ଼ା ଆଦେଶ ।

 

ଦ୍ୱାର ପାଖରୁ ଫେରି ଚାହିଁଲି ।

 

‘‘ଗରୀବ ବୋଲି ଆମେ କ’ଣ ମଣିଷ ନୋହୁଁ ? ହଉ–ହଉ–ଆସନ୍ତୁ । ଆପଣଙ୍କର ଉପରେ ମୋର କି ଅଧିକାର ଅଛି ଯେ ଆପଣଙ୍କୁ ରଖି ପାରିବି ?’’ –ଶେଷ ଆଡ଼କୁ ଅଭିମାନର ନରମ ସୁର ।

 

....ବାହାରର ପବନ ଭାରି ଉଶ୍ୱାସ ମନେ ହେଉଥିଲା ।

 

‘‘ଅବଶ୍ୟ ଆମ ନିଜର ମଧ୍ୟ ସ୍ୱାର୍ଥ ଅଛି । କିଶୋର କୌଣସି ଆସାମୀ ତରଫରୁ କେତେ ଶହ ଟଙ୍କା ଜାମିନ୍‌ ପାଇଁ ଠିଆ ହୋଇଥିଲା । ବର୍ତ୍ତମାନ ସେ ଆସାମୀ ଫେରାର୍‌ ହେଇଛି । ସୁତରାଂ କିଶୋରକୁ ଧରି ରଖିବେ ଆମର କର୍ତ୍ତବ୍ୟ । ଆପଣ ଖବର କାଗଜମାନଙ୍କରେ ଫୋଟୋ ସହିତ ‘‘ Lost and Found’’ ସ୍ତମ୍ଭରେ ଯାହା ବାହାର କରିଥିଲେ–ସେତକ ଖୁବ୍‌ ସାହାଯ୍ୟ କରିଛି ବୋଲି ମନେ ହୁଏ ।’’ ମଲହୋତ୍ରା ଗୋଟାଏ ସିଗାରେଟ୍‌ ଟିଣ ବାହାର କଲେ । ‘‘ପୋଲିସ ବର୍ତ୍ତମାନ କିଶୋରର ସୁରାଖ ପାଇ ସାରିଛି । ଖୁବ୍‌ ସମ୍ଭବ ଆଉ ଦିନକ ଭିତରେ ଆପଣ ତାକୁ ଦେଖି ପାରିବେ । କିନ୍ତୁ’’–ସିଗାରାଟ୍‌ ଟିଣଟି ଭିତରେ ବଢ଼ାଇ ଦେଇ କହିଲେ, ‘‘ଆସାମୀ ନ ମିଳିବା ପର୍ଯ୍ୟନ୍ତ ଆପାତତଃ କେତେଟା ଦିନ ତାକୁ ହାଜତ୍‌ରେ ରହିବାକୁ ପଡ଼ିବ ।’’

ପରଦିନ ରାମସ୍ୱରୂପଙ୍କଠାରୁ ତା’ର ପାଇଲି–‘‘କିଶୋର ଧରା ପଡ଼ିଛି । –ପୋଲିସ ସାଥିରେ ଲକ୍ଷ୍ନୌକୁ ।’’

.....‘‘ହେଲୋ ।’’

ଫୋନ୍‌ ସେ ପାଖରୁ ଜଣେ ପୋଲିସ ସବ୍‌ଇନିସ୍‌ପେକ୍‌ଟରଙ୍କର କଣ୍ଠ ଶୁଭିଲା–

‘‘କିଏ ? ସରୋଜବାବୁ ?’’

‘‘ବଡ଼ ଦୁଃଖର ବିଷୟ ସରୋଜବାବୁ, ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିବାର ଚେଷ୍ଟା କରି କିଶୋରର ମୁଣ୍ଡରେ ଆଘାତ ଲାଗିଛି । ତାକୁ ସାଙ୍ଗେ ସାଙ୍ଗେ ଏମ୍‌. ଜି. ହସ୍ପିଟାଲାର୍‌କୁ ପଠାଇ ଦିଆଯାଇଛି । ଆପଣ ସେଠାକୁ ଯାଇ ସମସ୍ତ ଖବର ବୁଝି ପାରିବେ ।’’

–‘‘ରୋଗୀର ହୋସ୍‌ ନ ହେବାଯାଏଁ କିଛି ସୁଦ୍ଧା କୁହାଯାଇ ପାରେନା । ତେବେ ଆପଣଙ୍କୁ ଏତିକି ନିଶ୍ଚୟ କରି କହିପାରେ ଯେ ଆମ୍ଭେମାନେ ଯଥାସାଧ୍ୟ ଚେଷ୍ଟା କରୁଛୁ ।’’ ଭାର ପ୍ରାପ୍ତ ମେଡ଼ିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଡ଼ାକ୍ତର ମିଶ୍ରଙ୍କଠାରୁ ଏତକ ଶୁଣି ଫେରି ଆସିଲି ।

 

ଲାବଣ୍ୟମୟୀ କିମ୍ବା ଶେଫାଳିକା ପାଖକୁ ଯାଇ ଏଇ ଖବରଟା ଦେବାକୁ ମୋର ସାହସ ନ ଥିଲା । କିଏ ଜାଣେ, କାଲି ସକାଳେ ମୁଁ ଡ଼ାକ୍ତରଖାନାରୁ କି ଖବର ପାଇପାରେ ? ....ମୋର ସମସ୍ତ ଚେଷ୍ଟା କ’ଣ ବିଫଳ ହୋଇଯିବ ?

 

ଗତ କେତେଦିନର ଉଦ୍‌ବିଗ୍ନତା ଆଉ ଅଶାନ୍ତ ମୋତେ ଦୁର୍ବଳ କରି ପକାଇଥିଲା । ଚାମେଲୀଙ୍କର ଉତ୍କଣ୍ଠା ତାଙ୍କ ଚିଠିରୁ ଜାଣି ସୁଦ୍ଧା ଚିଠି ଦେଇ ନଥିଲି । ଶେଫାଳିକା ପ୍ରତି ସହାନୁଭୂତି ଥିଲେ ମଧ୍ୟ ତାଙ୍କର କ୍ଷିପ୍ରସ୍ୱଭାବ ସହ୍ୟ କରିବାକୁ ମୋର ଧୈର୍ଯ୍ୟ ନଥିଲା ।

 

ପରଦିନ ସକାଳେ ଯେତେବେଳେ ଅନେକ ଆଶା ଆଶଙ୍କା ନେଇ ହସପିଟାଲରେ ପହଞ୍ଚେ, ଡ଼ାକ୍ତର ମିଶ୍ର ମୋର ଶୁଖିଲା ମୁହଁକୁ ଦେଖି ସହଜଭାବେ କହିଲେ–‘‘ରୋଗୀ ଅପେକ୍ଷା ତ ଆପଣ ଖୁବ୍‌ ଶୁଖି ଯାଇଛନ୍ତି ଦେଖୁଛି । –କିନ୍ତୁ ମୁଖର କଥା–ରୋଗୀର ହୋସ ଫେରି ଆସିଛି । ଏଣିକି ଆଉ ଆଶଙ୍କା ନାହିଁ ।’’

 

‘‘ଆପଣଙ୍କୁ ଅଶେଷ ଧନ୍ୟବାଦ ।’’

 

ରୋଗୀ ସହିତ ସାକ୍ଷାତ୍‌ କରିବା ପାଇଁ ତାଙ୍କର ଆପତ୍ତି ନଥିଲା ।

 

–ଏହା ପୂର୍ବରୁ ମୋର ଥରେ ମାତ୍ର ଦେଖା ହୋଇଥିଲା । ସେତେବେଳେ ସେ ମୋତେ କ’ଣ ଭାବିଥିବେ କେଜାଣି । ଆଉ ଥରେ ତାଙ୍କର କଣ୍ଠ ମାତ୍ର ଶୁଣିଛି । ସେତେବେଳେ ଶେଫାଳିକାଙ୍କର ପ୍ରେମ ନେଇ କିଶୋର ମୋତେ ପ୍ରତିଦ୍ୱନ୍ଦୀ ମନେ କରିଥିଲେ । ଆଉ ମୋ ପକ୍ଷରୁ ପ୍ରଥମ ଦେଖାବେଳେ ଈର୍ଷା–ଦ୍ୱିତୀୟ ଥର ସେପରି କିଛି ନଥିଲା–ଆଜି ମଧ୍ୟ ନାହିଁ ।

 

–ଲାବଣ୍ୟମୟୀଙ୍କଠାରୁ କିଶୋର ଚରିତ୍ରହୀନ ଶୁଣି ଉଚ୍ଚ ସ୍ଥାନ ଦେଇ ନଥିଲି । –ଅନ୍ୟର ଦୋଷ ଦେଖାଇ ନିଜ ଦୋଷ ଭୁଲିଯିବା ମଣିଷର ଗୋଟାଏ ସାଧାରଣ ପ୍ରକୃତି ।

 

ମୁହଁରେ ହସ ଖେଳାଇ ସେ ଅଭିବାଦନ କଲେ । ଚିହ୍ନି ପାରିଲେ ବୋଧହୁଏ । ନମସ୍କାର କରି ଗୋଟାଏ ଟୁଲ ଟାଣି ବସି ପଡ଼ିଲି ।

 

‘‘ଦେହ କିପରି ଲାଗୁଛି ?’’

 

‘‘ଭଲ ଲାଗୁଛି–ଯଦିଓ ଦୁର୍ବଳ ମନେ ହେଉଛି ।’’

 

ମୁଣ୍ଡରେ ଦରଜ ?’’

 

‘‘ବେଶୀ ନାହିଁ–ସାମାନ୍ୟ ।’’

 

ନର୍ସ ଆଣି କିଛି ଗୋଟାଏ ଔଷଧ ଦେଇଗଲା । ସେତକ ଖାଇ ନେଇ ସେ କହିଲେ, ଆପଣ ମୋ ଲାଗି ବହୁତ କଷ୍ଟ ପାଇଲେ ।’’

 

ବିଷୟଟା ଅପ୍ରୀତିକର ହେତୁ ମୁଁ ଏଡ଼ାଇ ଦେଇ କହିଲି, ‘‘ଆପଣ ଯେ ଭଲ ହୋଇ ଯାଇଛନ୍ତି–ସେ ଯଥେଷ୍ଟ ।’’

 

...ଆଳାପର ଶେଷବେଳକୁ ପଚାରିଥିଲି, ‘‘ଶେଫାଳିକାଙ୍କୁ ଏଠିକି ନେଇ ଆସିବ ?’’ କୌଣସି ଭାବାନ୍ତର ଦେଖା ଯାଇ ନଥିଲା । ‘‘ଆସିବାକୁ ଇଚ୍ଛା କଲେ ଆଣି ପାରନ୍ତି । କିନ୍ତୁ ଖୁବ୍‌ ସମ୍ଭବ ମୁଁ ଦୁଇଦିନ ଭିତରେ ମୁକ୍ତି ପାଇପାରେ–ଆପଣଙ୍କ ପାଖରେ ମୁଁ କୃତଜ୍ଞ ।’’

 

ଫେରିବାବେଳେ କିଶୋରଙ୍କର ବ୍ୟବହାରରେ ବିସ୍ମିତ ହେଲି ।

 

କଥାବାର୍ତ୍ତା ତ ବେଶ୍‌ ଭଦ୍ର । ଏହି ଭଳି ଲୋକ ପୁଣି ଏତେ ଖରାପ ହୁଏ ? ପୁଣି–ପଳାତକ ଯଦି ଜାଲ ବିଛାଇ ଧରାଯାଏ–ତାହାହେଲେ କ’ଣ ପଳାତକ ଉପକୃତ ହୁଏ–ଆଉ ସେଥିପାଇଁ ସେ ହୁଏ କୃତଜ୍ଞ ? ବିଚିତ୍ର– ?

 

‘‘ହଁ–ମୁଁ ଆପଣଙ୍କୁ ଗୋଟାଏ ସମ୍ବାଦ ଦେବାକୁ ଭୁଲିଯାଇଥିଲି, ସୁଖର ବିଷୟ, ସେଇ ଆସାମୀଟା ମଧ୍ୟ ଏବେ ମୋଗଲ ସରାଇରେ ଧରା ପଡ଼ିଛି । ସୁତରାଂ କିଶୋରର ହାଜତ୍‌ ଭୋଗର ଆଶା ନାହିଁ–’’ ମଲହୋତ୍ରା ମନ୍ଦ ହାସ ଖେଳାଇ କହିଲେ । ‘‘କିଶୋର ଭଲ ହେବା ଖବର ଶୁଣି ଖୁସି ହେଲି । ଆଉ ବ୍ୟକ୍ତିଗତ ଭାବରେ–ଗରିବ ପରିବାର ପାଇଁ ଆପଣଙ୍କର ଏଇ ଚେଷ୍ଟା ସକାଶେ ଧନ୍ୟବାଦ–ଆପଣ ତାହାହେଲେ କେବେ ଆହ୍ଲାବାଦ୍‌ ଫେରି ଯାଉଛନ୍ତି ?’’ – ମଲହୋତ୍ରା ଯିବା ଉଦ୍ଦେଶ୍ୟରେ ଟୋପିଟା ଉଠାଇ ପଚାରିଲେ ।

 

‘‘ଦିନେ ଦୁଇଦିନ ପରେ ।’’

 

‘‘ଆଚ୍ଛା ।’’

 

କିଛି ଦ୍ୱିଧା ସହିତ ପଚାରିଲି, ‘‘ଡାକ୍ତର ମୁଖାର୍ଜୀଙ୍କ ପାଖକୁ କିଛି ଖବର ଦେବାକୁ ଇଚ୍ଛା କରନ୍ତି ?’’

 

ସେ ଟିକିଏ ଦବିଗଲେ–ପରେ ପ୍ରଫୁଲ୍ଲତା ଫେରାଇ ଆଣି କହିଲେ ‘‘ସତ କହିବାକୁ ଗଲେ ଆମର ବର୍ଷ ବର୍ଷ ଧରି କୌଣସି ରକମର ସମ୍ପର୍କ ନାହିଁ । ଆଚ୍ଛା–ବିଦାୟ–ଆପଣଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରେ ।’’ ଇଂରାଜୀରେ ଏତକ କହି ସେ ବିଦାୟ ଦେଲେ ।

 

–ରୁଗ୍‌ଣ ଲାବଣ୍ୟମୟୀ ଆନନ୍ଦରେ ଉଠି ବସିଲେ । ଶେଫାଳିକା ମୋର ହାତ ଦୁଇଟା ଓହଳାଇ ଧରି କହିଲେ, ‘‘ମୋତେ ଟିକିଏ ସେଠାକୁ ନେଇ ଚାଲନ୍ତୁ । –ମୁଁ ଟିକିଏ ଦେଖି ଆସିବି ।’’

 

ସମଗ୍ର କଥାଟାକୁ ପ୍ରଶ୍ନ–ଉତ୍ତର ଛଳରେ ମୋତେ ଦୁଇ ତିନି ଥର କହିବାକୁ ପଡ଼ିଲା । ତାହାଛଡ଼ା ବିଶିଷ୍ଟ ଆନନ୍ଦର କଥା ଗୁଡ଼ିକ ଟିକିନିଖି କହି ଲାଗିଲି । ଶେଫାଳିକା ମନର ଉଛୁଳା ଆନନ୍ଦ । ଘର ଭିତରେ ଗୋଟାଏ ଉତ୍ତେଜନାମୟୀ ଆସ୍ୱସ୍ତିର ବାତାବରଣ ।

 

ଶେଫାଳିକାଙ୍କୁ ମୁଁ ବୁଝାଇ ଦେଲି–ସମ୍ଭବତଃ କିଶୋର ଆଉ ଦୁଇ ତିନି ଦିନ ଭିତରେ ଚାଲି ଆସିବେ । ଭଲ ହେଇଯିବା ଯେତେବେଳେ ନିଶ୍ଚିତ, ହସ୍‌ପିଟାଲ୍‌ ଯିବା କୌଣସି ଦରକାର ନାହିଁ । ସେ ଆଉ ଜିଦ୍‌ କରି ନ ଥିଲେ ।

 

ଚାମେଲୀଙ୍କ ପାଖକୁ ଚିଠି ଲେଖିଲି–ଯେପରି ଗୋଟାଏ ଯୁଦ୍ଧରେ ଜୟୀ ହୋଇ ଫେରିଛି-। ରାମସ୍ୱରୂପଙ୍କୁ ଧନ୍ୟବାଦ ଦେଇ ଚିଠି ଦେଲି । ମୁଣ୍ଡଟା ହାଲୁକା ଲାଗିଲା । ନରମ ଶେଯ ଉପରେ ଦେହଟା ଲୋଟାଇ ଦେଇ ଆଶ୍ୱସ୍ତିର ନିଃଶ୍ୱାସ ମାରିଲି ।

 

ମନେ ମନେ ହସ ମାଡ଼ିଲା, ଲାବଣ୍ୟମୟୀ ସହିତ ଆକସ୍ମିକ ଦେଖା–ଶେଫାଳିକାଙ୍କର ପ୍ରେମ ଅର୍ପଣ–ମୋର ଦୁର୍ବଳତା–ତା’ପରେ ଅନେକ କାଳର ବିରତି । ....ପୁଣି ଶେଫାଳିକାଙ୍କର ଆବିର୍ଭାବ–ଅଭିମାନ–କିଶୋରଙ୍କ ନିରୁଦ୍ଦେଶ । ଶେଫାଳିକା ଆଉ କିଶୋରଙ୍କୁ ଭେଟାଇବା ପାଇଁ ମୋର ପୁଣି ଏତେ ଚେଷ୍ଟା ? ବିଚିତ୍ର–ଆଉ ସେଥିପାଇଁ କିଶୋରଙ୍କର କୃତଜ୍ଞତା ।

 

ଆଉ ମୁଁ ? –ହଁ ଶେଫାଳିକା ଆନନ୍ଦିତ ହେବା ଦେଖି ମୁଁ ଖୁସି ଆଉ ସେମାନଙ୍କର ବିବାହ ହୋଇ ପାରିଲେ ଆହୁରି ଖୁସି ହୁଅନ୍ତି । –ଏହିପରି ଭାବନା ମୂଳରେ କ’ଣ ଥାଇ ପାରେ ?

 

ଅଥଚ ଏଇ ମୁଁ–ଏକ ସମୟରେ ଜଣକ ପ୍ରତି ପ୍ରେମ ହେତୁ ଅନ୍ୟ ଜଣକୁ ଈର୍ଷା କରୁଥିଲି ବୋଲି ସନ୍ଦିହାନ ଥିଲି । ହୁଁ, ମଣିଷର ମନ– ।

 

ମଣିଷକୁ ଅପ୍ରତିଭ କରିପାରେ କିନ୍ତୁ ଏହିଭଳି ସୁଯୋଗ ଦୁର୍ଲ୍ଲଭ ।

 

‘‘ଆପଣଙ୍କର ବାପା କ’ଣ କରନ୍ତି ?’’ ଆଶଙ୍କା ହେଉଥିଲା–ସେ ମୋତେ ପ୍ରେମ ପ୍ରତିଦ୍ୱନ୍ଦି ବୋଲି ମନେ କରିବେ ନାହିଁ ତ–ଆଉ ସେହି ଦୃଷ୍ଟିରୁ ମୋର ପ୍ରଶ୍ନଟା.... ?

 

‘‘ମୋର ଅଳ୍ପ ବୟସରେ ସେ ମରି ଯାଇଛନ୍ତି । ’ ବେଶ୍‌ ନମ୍ର ଭାବରେ ସେ ଉତ୍ତର ଦେଲେ ।

 

ଏହାପରେ ସୌହାର୍ଦ୍ଦ୍ୟ ଆଉ ଡେରି ନ ଥିଲା । କ୍ରମେ କ୍ରମେ ତାଙ୍କର ଅତୀତ–ଶିକ୍ଷା–ଆଉ ଜୀବନର ବ୍ୟକ୍ତିଗତ ଦର୍ଶନ ବିଷୟରେ ଅନେକ କଥା ଜାଣି ପାରିଲି ।

 

ମେଟ୍ରିକ୍ୟୁଲେସନ ପର୍ଯ୍ୟନ୍ତ ସେ ଯାଇପାରି ନାହାନ୍ତି । କକାଙ୍କର ପରିବାର ଭିତରେ ତାଙ୍କର ବାଲ୍ୟାବସ୍ଥା ଆଉ ପ୍ରଥମ ଯୌବନ । କକା ବେଶ୍‌ ଭଲ ଲୋକ କିନ୍ତୁ ସଚ୍ଚୋଟ । ପୁତୁରାର କୁସଙ୍ଗ ଆଉ କୁପ୍ରବୃତ୍ତି ବଦଳାଇ ନ ପାରି ଅବଶେଷରେ ବାହାର କରିଦେବାକୁ ବାଧ୍ୟ ହେଲେ । କିଶୋର ଆଶ୍ରୟ ନେଲେ ଜଣେ ଅଳ୍ପବିତ୍ତ ମାଉସୀ ଘରେ । ବିଚାରୀ ନିଃସନ୍ତାନ ହେତୁ କିଶୋର ଉପରେ ସମସ୍ତ ସ୍ନେହ ଅଜାଡ଼ି ବଞ୍ଚିଲେ ଆଉ କିଶୋର ତା’ର ଅସଦ୍‌ ବ୍ୟବହାର କରି ଲାଗିଲେ । ସହରର କୌଣସି ପ୍ରଲୋଭନ ସେ ଏଡ଼ି ପାରି ନାହାନ୍ତି ।

 

‘‘ଦୟାରେ ମୋର ଚରିତ୍ର ବିଷୟରେ ପଚାରିବେ ନାହିଁ । ମାଉସୀଙ୍କର ମରିବା ପରେ ଏଇ ଚରିତ୍ରକୁ ଖେଳନା କରି ମୁଁ ପଇସା ପାଏ ।’’ –ସେ ଧୀର ଭାବରେ କହିଲେ ।

 

କିଶୋର ନିଜର ଚରିତ୍ରକୁ ହୀନ ଭାବନ୍ତି–ଆଉ ମୁଁ ନିଜେ ?

 

କିଶୋର ଏତେ ନମ୍ର ହୋଇ ଉତ୍ତର ଦେବାର କାରଣ ? ମୁଁ ଶିକ୍ଷିତ ଆଉ ଧନୀ ବୋଲି କିଶୋର ଯଦି ମୋ ପରି ଧନୀ ହୋଇଥାନ୍ତେ ? ଆୁ ମୁଁ ଯଦି ଗରୀବର ସନ୍ତାନ ହୋଇ କିଶୋର ବଢ଼ି ଆସିଥିବା ଅବହାଓଆରେ ବଢ଼ି ଆସିଥାନ୍ତି–ତେବେ ଦୁହିଙ୍କର ସ୍ଥାନ ବ୍ୟବହାର ଆଜି ହୁଏତ ଅଦଳ ବଦଳ ହୋଇଥାନ୍ତା ।

 

‘‘ମୁଁ ଗୋଟାଏ ପ୍ରଶ୍ନ ପଚାରିବାକୁ ଚାହେଁ... ଆପଣ ଯଦି କିଛି ମନେ ନ କରନ୍ତି....’’

 

‘‘କ’ଣ ?’’

 

‘‘ଆପଣଙ୍କର ଯଦି ନିଜର ଚଳିବା ସକାଶେ ଯଥେଷ୍ଟ ଧନ ଥାଆନ୍ତା; ତାହେହେଲେ ତ ଆପଣ ନିଜର ଚରିତ୍ରକୁ ନଷ୍ଟ କରିବାକୁ–ଅସଦ୍‌ ବ୍ୟବହାର କରିବାକୁ ଚାହିଁ ନ ଥାଆନ୍ତେ ?

 

ନମ୍ର ଗମ୍ଭୀରତା ଏଡ଼ିଦେଇ ସେ ସାମାନ୍ୟ ହସ ଖେଳାଇ ଉତ୍ତର ଦେଲେ, ‘‘ଏ ବିଷୟରେ ନିର୍ଦ୍ଦିଷ୍ଟ କିଛି କୁହା ଯାଇ ପାରେନା । ଅନେକଥର ମୁଁ ଉଠିବାକୁ ଚେଷ୍ଟା କରିଛି । କିନ୍ତୁ ପ୍ରତ୍ୟେକଥର ଫେଲ ମାରେ । ବିଶ୍ୱାସ ହୁଏ, ଏଇଥର ନିଶ୍ଚୟ ପାରିବି । ଅବଶ୍ୟ ମୋର ଅନେକ କୁସଙ୍ଗୀ ଉପରକୁ ଉଠି ପାରିଛନ୍ତି, ଅନେକ ମଧ୍ୟ ଅପ୍ରତ୍ୟାଶିତ ଭାବରେ ତଳକୁ ଖସି ଯାଇଛନ୍ତି । ମୋ ବିଷୟରେ ମୁଁ କହି ପାରୁନାହିଁ–ମୋର ନିଜ ଉପରେ ବିଶ୍ୱାସ ନାହିଁ ।’’

 

ଏଇ ଶେଷ ବାକ୍ୟଟି–ଚାମେଲୀଙ୍କୁ ମୁଁ ଦିନେ କେବେ ଶୁଣେଇଥିଲି...

 

‘‘ଆପଣଙ୍କ ପାଖରେ ସମସ୍ତ ଖୋଲି କହିଲି ବୋଲି ମୋତେ ବିଶ୍ୱାସ କରିବେ ନାହିଁ । ଖୋଲା ଖୋଲି କହି ରଖିବା ଠକମାନଙ୍କର ଗୋଟାଏ କୌଶଳ ମଧ୍ୟ ।’’–ଏଇ ପ୍ରଥମଥର ପରିହାସ ଆଉ କ୍ଷମଣୀୟ ଦୁଷ୍ଟାମୀର ମଧୁର ପ୍ରକାଶ ।

 

‘‘ବେଶ୍‌ ତ । ଆପଣ ଯଦି ବା ଠକ ହେଲେ, ଶେଷରେ ଏଇ ପଦକ ଯୋଡ଼ିବା ତ ଉଚିତ ନଥିଲା । ସେତକ ମଧ୍ୟ କ’ଣ ଏଇ କୌଶଳରେ ଯାଏ ?’’

 

ପରିହାସର ମର୍ମ ବୁଝି ସେ ହସରେ ଯୋଗ ଦେଇଥିଲେ ।

 

ଇଚ୍ଛା ହେଉଥିଲା, ଆଉ ଗୋଟାଏ ପ୍ରଶ୍ନ ପଚାରିବାକୁ । ଶେଫାଳିକା ସହିତ ମୋର ସଂପର୍କ ନେଇ ତାଙ୍କର ଧାରଣା କ’ଣ ? କିନ୍ତୁ...ନିବୃତ୍ତ ହେଲି ।

 

କିଶୋରଙ୍କୁ ଦେଖି ଶେଫାଳିକାଙ୍କର ଆଖି ଦିଓଟି ଆନନ୍ଦରେ ଝଲସି ଉଠିଲା । କିଏ କହିବ, ଏଇ କିଛିଦିନ ତଳେ ସେମାନଙ୍କ ମନୋମାଳିନ୍ୟ ଥିଲା ବୋଲି ?

 

‘‘ସମ୍ପୂର୍ଣ୍ଣ ଭଲ ହୋଇଗଲେ ତ ?’’ କିଶୋରଙ୍କ ବାହୁରେ ଓହଳି ଶେଫାଳିକା ପଚାରିଲେ-

 

‘‘ମୁଁ କ’ଣ କେବେ ଅସୁସ୍ଥ ଥିଲି ?’’

 

‘‘ଉଁ, ଟାଣ ଦେଖ । ମା’ ତୁମର ଜାମାଇ ବାବୁର କଥା ଶୁଣୁଛ ତ ?’’ –ଲାବଣ୍ୟମୟୀ ନୀରବ ହୋଇ ବସିଥିବା ଲକ୍ଷ୍ୟ ନ କରି ସେ କିରି କିରି ହସି ଉଠିଲେ । –କିଶୋରଙ୍କ ଓଠରେ ତା’ର ପ୍ରତ୍ୟୁତ୍ତର ।

 

‘‘ଏଇଟା ମୁଁ ଦେଇଥିବା ରୁମାଲ ବୋଧହୁଏ ?’’ କିଶୋରଙ୍କ ପକେଟରୁ ରୁମାଲ ଖଣ୍ଡିକ ସେ ଝାମ୍ପିନେଲେ ।

 

‘‘ଇସ୍‌ । ସତେ ଦେଲାପରି ।’’

 

‘‘ନାଇଁତ । ଆଃ, କି ବାସନା ।’’ ରୁମାଲଟାକୁ ନାକ ପାଖରେ ଦେଲେ । କିଶୋର ତାକୁ ନେବାପାଇଁ ହାତ ବଢ଼ାଇଲେ । ଶେଫାଳିକା କିନ୍ତୁ କିଶୋରଙ୍କ ମୁହଁ ଉପରେ ଝାଡ଼ିଦେଇ ନିଜ ପଛଆଡ଼େ ଲୁଚେଇ ନେଲେ । ‘‘ଆଉ–ଦେବି...ନି ।’’ ଡାହାଣ ହାତରେ ବୁଢ଼ା ଆଙ୍ଗୁଠିଟି ହଲାଇ ସେ ହସି ଲାଗିଲେ । ପ୍ରଗଳ୍‍ଭା ବାଳିକା ।

 

ଲାବଣ୍ୟମୟୀ ମୋତେ ଚାହିଁ ରହିବା ଅନୁଭବ କଲି । ଆଖିରେ ମୋ ସକାଶେ ସହନୁଭୂତିଜଡ଼ା କିଛି ଗୋଟାଏ ଅପ୍ରିୟ ଅର୍ଥ ।

 

–ମୁଁ ଅପ୍ରତିଭ ହେଲି ।

 

ତଳ ଘରକୁ ଯିବାପାଇଁ ଶେଫାଳିକା କିଶୋରଙ୍କୁ ଟାଣି ଲାଗିଲେ । କିଶୋର ହଠାତ୍‌ ମୋର ଉପସ୍ଥିତି ବିଷୟରେ ସଚେତ ହୋଇ ଫେରି ଚାହିଁଲେ । ମୁହଁରେ ଗୋଟାଏ ଖାପଛଡ଼ା ଭାବ–ହସ ମାଡ଼ିଲା–କିନ୍ତୁ ମନର ଭାବ ଗୋପନ ରଖି ତାଙ୍କୁ ଯିବା ସକାଶେ ଆଖିର ସଙ୍କେତରେ ଉତ୍ସାହ ଦେଲି ।

 

ନିଜକୁ ସେ ଛୋଟ ମନେ କରିଥିବେ । କିନ୍ତୁ ମନର ଆନନ୍ଦ ତାଙ୍କ ଆଖିରେ ଅନେକବେଳୁ ଉଛୁଳି ଆସିଥିଲା । ଶେଫାଳିକାଙ୍କର ଆହ୍ୱାନ ଏଡ଼ିବାକୁ ତାଙ୍କର ଶକ୍ତି ନଥିଲା ।

 

...ସିଡ଼ିତଳୁ ଆନନ୍ଦର ଉଛୁଳା ହସ । ସେମାନେ ନିକଟରେ ଫେରିବେ ନାହିଁ–ସେ ବିଷୟରେ ମୁଁ ନିଶ୍ଚିତ ।

 

ଲାବଣ୍ୟମୟୀ କିଛି ଅପ୍ରିୟ କହିବେ, ମୋର ଆଶଙ୍କା ହେଲା । ‘ଏଇଥର ତୁମର ଚିନ୍ତା–ଜର ଛାଡ଼ିଯିବ–ନୁହେଁ ମା’ ?’

 

କପାଳରେ ଚିନ୍ତା–ରେଖା ବରଂ ଗଭୀର ହୋଇ ଉଠିଲା । ସେ କଳିବାକୁ ଚାହୁଁଥିଲେ ମୋର ପ୍ରଶ୍ନ ଭିତରେ ମୋର ମନର ଦରଦ ।

 

କିନ୍ତୁ କିପରି ତାଙ୍କୁ ବୁଝାଇ ପାରିବି... ଆଜି ମୋର କ୍ଷୁବ୍ଧ ବା ଆହତ ହେବା ସମୁଁଚିତ ବା ଦରକାରୀ ନୁହେଁ ।

 

ଲାବଣ୍ୟମୟୀ ଗୋଟାଏ ଦୀର୍ଘନିଃଶ୍ୱାସ ମାରିଲେ । ତୁମେ ଆମ ପାଇଁ ଯାହା କରିଛ ତାହା ନିଜର ପୁଅ କରିଥାନ୍ତା । କି ନା ସନ୍ଦେହ । କିନ୍ତୁ ମୋର ଝିଅ–ସେ କ’ଣ କହିବାକୁ ଯାଇ ମୁହଁ ପୋତି ଦେଲେ ।

 

ସେଇ ଅପ୍ରିୟ କଥା ଗୁଡ଼ିକ ମୁଁ ଆଉ ଉଠାଇବାକୁ ଚାହୁଁ ନଥିଲି । ‘‘ନିକଟରେ ଶେଫାଳିକା ଆଉ କିଶୋରଙ୍କର ବିବାହ କରାଇ ଦେଲେ କିପରି ହୁଅନ୍ତା ?’’–ମୁଁ ପଚାରିଲି ।

 

ବୁଝି ନ ପାରିବା ଭଳି ସେ ମୋ ଆଡ଼କୁ ଅନାଇଲେ । ‘‘ଶେଫାଳିକାର ଆଉ କ’ଣ ବିବାହ ହୋଇପାରେ ବାବା ? –ହାତରେ ଧନ ଥିବାଯାଏଁ କିଶୋର ଆସି ରହୁଥିବ, ତା’ପରେ... । ମୋ ଭଳି ମା’ର ତ ଝିଅ ବାବା, ଆଉ କ’ଣ ହୋଇପାରେ ?’’ –ଲାବଣ୍ୟମୟୀ ଅନ୍ୟ ଆଡ଼କୁ ଆଖି ଫେରାଇଲେ ।

 

ସେଦିନ ଶେଫାଳିକା ପାଖରେ ପ୍ରସ୍ତାବଟା ଉଠାଇବା ପରେ ମୁଁ ଅନେକ ଥର ମନ ଭିତରେ ଓଲଟ ପାଲଟ କରିଛି । ବାପା ଶୁଣିଲେ ଅବଶ୍ୟ ବିରକ୍ତ ହେବେ । କିନ୍ତୁ ମୋ ନିଜ ଖର୍ଚ୍ଚରୁ ତ ମୁଁ ଯେ କୌଣସି ନିମ୍ନ ଶ୍ରେଣୀର ପରିବାରକୁ ସ୍ୱଚ୍ଛନ୍ଦରେ ଚଳାଇ ପାରେ । ସେମାନେ ସବୁଦିନେ ନିମ୍ନଶ୍ରେଣୀରେ ରହିବାକୁ ଇଚ୍ଛା କରି ନପାରନ୍ତି । ତେବେ ସାମୟିକ ସାହାଯ୍ୟ ମୁଁ ଦେଇପାରେ । .... ସେମାନେ ରାଜି ହେଲେ ତ ?

 

‘‘କିନ୍ତୁ ତୁମର ଆର୍ଥିକ ଅବସ୍ଥା ଯଦି ସ୍ୱଚ୍ଛଳ ହୋଇଯାଏ, ତେବେତ କିଶୋର ବିବାହ କରିବାକୁ ରାଜି ହେବେ ।’’

 

ପ୍ରଶ୍ନଟାକୁ ମୋର ପିଲାଳିଆ ଭାବିଥିବେ । ସରୁ ହସ ଟାଣି କହିଲେ, ‘‘ତା–ସେ ନାରାଜ ନ ହୋଇପାରେ । କିନ୍ତୁ ଆମର ଆର୍ଥିକ ଅବସ୍ଥା କ’ଣ କେବେହେଲେ.... ?’’

 

କିଛି ସଙ୍କୋଚର ସହିତ କହିଲି, ‘‘ଯଦି କିଛି ମନେ ନକର, ତେବେ ମୁଁ ସାମୟିକ ଅର୍ଥ ସାହାଯ୍ୟ କରିପାରେ ।’’

 

‘‘କାହିଁକି ବାବା ? ‘‘ଲାବଣ୍ୟମୟୀ ତରବର ହୋଇ ବାଧାଦେଲେ, ‘‘ଏତେ ଜଞ୍ଜାଳକୁ ତୁମେ ପଶିବ କାହିଁକି ? ବାପା ଶୁଣିଲେ କ’ଣ କହିବେ ? ଲୋକେ ବା କ’ଣ କହିବେ ? ଆଉ ଝିଅ...ମୋର ଲଜ୍ଜ୍ୟା ହୁଏ–ଭଗବାନ ତୁମର ମଙ୍ଗଳ କରନ୍ତୁ । ତୁମଦ୍ୱାରା ଜଗତର ଅନେକ ଉପକାର ହେଉ । କିନ୍ତୁ ଆମପାଇଁ ...ଆଉ ନୁହେଁ ।’’ ସେ ମୁଣ୍ଡ ହଲାଇଲେ ।

 

ଆହତ ହେଲି । –କିନ୍ତୁ ଭାବପ୍ରବଣ ଭାଷା ନେଇ ଭାଇର ସ୍ନେହ ବା ପୁତ୍ରର ଅର୍ପଣ ବୋଲି ଯୁକ୍ତି କରିବାକୁ ପ୍ରବୃତ୍ତି ନଥିଲା । ନା, ଲାବଣ୍ୟମୟୀ ସତ କହିଛନ୍ତି । ଏଇ ପରିବାରରେ ମୁଁ ଜଣେ ଆଗନ୍ତୁକ ମାତ୍ର । ସ୍ନେହ ପାଇଥିଲି । ଯଥାସାଧ୍ୟ ତା’ର ପ୍ରତିଦାନ ଦେଇଛି । ଆଉ ଅଧିକା ସୁହାଇବ ନାହିଁ । ନେବା ଲୋକ ଚାହେଁ ନା । ଦୁନିଆ ହୁଏତ ବୁଝିବ ନାହିଁ ।

 

ନୀରବ ରହିଲି ।

 

ତଳଆଡ଼ୁ ଶେଫାଳିକାଙ୍କର ଉଚ୍ଚହାସ ଭାସି ଉଠିଲା । ସିଡ଼ିରେ ଦୁମ୍‌ ଦୁମ୍‌ ଶବ୍ଦ । ‘‘ମା’– ମା’, ତକିଆ ଗୋଟାଏ ଦିଅତ ମା’ ।’’ ଆଖିରେ ଖୁସି ଆଉ ସ୍ଫୁର୍ତ୍ତି । ଲାବଣ୍ୟମୟୀ ତକିଆ ପାଇଁ ଆଖି ବୁଲାଇଲେ ।

 

‘‘ଦିଅ, ଦିଅ, ଜଲଦି ଦିଅ ।’’ –ପିଲାଙ୍କ ପରି ସେ ଗୋଡ଼ କଚାଡ଼ିଲେ ।

 

ମୁଁ ଯେଉଁ ତକିଆଟି ଆଉଜି ବସିଥିଲି, ତା’ର ଭିତରେ ସେଇ ଗୋଟିକ ମାତ୍ର । ଉଠିପଡ଼ି ବଢ଼ାଇ ଦେଲି । ଶେଫାଳିକା ତାକୁ ଝାମ୍ପିନେଇ କ୍ଷିପ୍ର ଗତିରେ ତଳକୁ ଚାଲିଗଲେ... ।

 

‘‘ମୁଁ ତେବେ ଆସେ ମା’ ।’’

 

ଲାବଣ୍ୟମୟୀ ବୁଝି ପାରିଲେ ।

 

ଦୀର୍ଘନିଃଶ୍ୱାସ ମାରି କହିଲେ, ‘‘ସବୁତ ଜାଣିଛ ବାପା..ମୁଁ ଆଉ କ’ଣ କହିବି ? ହଉ ତେବେ ଆସ । ଭଗବାନ ତୁମର ମଙ୍ଗଳ କରନ୍ତୁ ।’’କୋରଡ଼ିଆ ଆଖି ଦୁଇଟା ଲୁହ ଛଳ ଛଳ ହୋଇ ଉଠିଲା ।

 

ନମସ୍କାର କରି ଫେରି ଆସିଲି । ତଳଘରେ ଆନନ୍ଦ ଆଉ ହସର କଲ୍ଲୋଳ... ।

 

ଡାକ୍ତର ମୁଁର୍ଖଜି ଏକାକ୍ଷରୀ ‘ହୁ’ ମାରି ନୀରବ ରହିଲେ । ଚାମେଲୀ ସେହି ଆଡ଼ୁ ଆଖି ଫେରାଇ ଆଣି ପଚାରିଲେ, ‘‘ମାମୁଁ କିଛି କହି ନାହାନ୍ତି ?’’

 

‘‘କାହିଁ–ନା ତ ।’’ ମଲହୋତ୍ରାଙ୍କ ବିଦାୟ କାଳୀନ କଥା ଗୁଡ଼ାକ କହିବା ପାଇଁ ମୁଁ କୁଣ୍ଠିତ ଥିଲି ।

 

ଡ଼ାକ୍ତର ମୁଖାର୍ଜୀ ଉଠିପଡ଼ି କାହାକୁ କିଛି ନକହି ଧୀରେ ଧୀରେ ମୁଣ୍ଡ ନୁଆଇଁ ଚାଲିଗଲେ । ଚିରପ୍ରଫୁଲ୍ଲ ମୁଖାର୍ଜୀଙ୍କର ଏହିପରି ବିଷର୍ଣ୍ଣ ଭାବ ମୁଁ କେବେହେଲେ ଦେଖି ନଥିଲି ।

 

‘‘ବାପାଙ୍କର ଦେହ କ’ଣ ବେଶୀ ଖରାପ ଅଛି ?’’ ମୁଁ ପଚାରିଲି ।

 

‘‘ଦେହଟା ସେପରି କିଛି ଖରାପ ନାହିଁ । –କିନ୍ତୁ ମନଟା ନିତାନ୍ତ ଭାଙ୍ଗି ପଡ଼ିଛି ।’’ ଚାମେଲୀ ଧୀରଭାବେ କହିଲେ ।

 

‘‘କାରଣ ?’’

 

‘‘ସେଇ ମାମୁଁଙ୍କ ବିଷୟରେ ।’’ –ମୁଁ ତଥାପି ବୁଝି ନ ପାରିବା ଦେଖି ସେ କହିଲେ, ‘‘ତୁମେ ସେଦିନ ଚାଲିଯିବା ପରେ ମୁଁ ବାପାଙ୍କୁ ଅନେକଥର ମାମୁଁଙ୍କ ବିଷୟରେ ପଚାରିଲେ-। ବାପା କୌଣସି ଉତ୍ତର ନ ଦେଇ ଦିନସାରା ନୀରବ ରହିଲେ । ତା’ପରେ ମୁଁ ପଚାରି ନାହିଁ, ସେ ଆଉ ଖୋଲା ବ୍ୟବହାର କରି ନାହାନ୍ତି । ଯେପରି ଏକାବେଳକେ ବଦଳି ଯାଇଛନ୍ତି ।’’

 

କଥାଟା ଏତେଦୂର ଆଗେଇ ଯାଇଥିବା ଦେଖି ମୁଁ ବିସ୍ମିତ ଆଉ ଦୁଃଖିତ ହେଲି । ମଲହୋତ୍ରାଙ୍କ ବିଦାୟକାଳୀନ କଥାଗୁଡ଼ାକ ଆଉ ଲୁଚାଇବାର କୌଣସି ପ୍ରୟୋଜନ ନଥିଲା ।

 

‘‘ଯେକୌଣସି ପ୍ରକାରେ ଯଦି ପ୍ରକୃତ କାରଣଟା ଜାଣି ପାରନ୍ତି..... । ଘର ଭିତରେ ଏହିଭଳି ଗୋଟାଏ ଟାଣଟୁଣ୍‌ ଭାବ–ଅଶାନ୍ତି ଅବରୁଦ୍ଧ ଅବହାଓଆ–ମୋର ଅସହ୍ୟ ହୋଇ ଉଠୁଛି-।’’ ଚାମେଲୀ ସାମାନ୍ୟ ଅସ୍ଥିରତା ସହିତ କହିଲେ ।

 

କିଛିଦିନ ପରେ–

 

‘‘ଗୋଟାଏ ସୁଖର ଖବର ଦେବି, ଶୁଣିବ ଚାମେଲି ?’’

 

‘‘କ’ଣ କହ ।’’

 

ନନାଙ୍କର ଚିଠି ଖଣ୍ଡି ବଢ଼ାଇ ଦେଲି ।

 

‘‘ସ୍ନେହର ସରୋଜ,

 

ମୋର ଆଶୀଷ ନେବୁ । ଆଉ ସପ୍ତାହକ ଭିତରେ ମୁଁ ଆହ୍ଲାବାଦ ଯାଉଛି । ତୋର ବିବାହ କଥାଟା ପକ୍‌କା କରି ଦେଇ ଅତିଶୀଘ୍ର କାର୍ଯ୍ୟ ସମ୍ପନ୍ନ କରାଇ ନେବା ମୋର ଇଚ୍ଛା । ....’’

 

ମନର ଆନନ୍ଦ ଚାପିବାକୁ ଚାମେଲୀ ଚେଷ୍ଟା କରୁଥିଲେ ମଧ୍ୟ ତାଙ୍କର ଲଜ୍ଜ୍ୟାପାଟଳ ମୁଣ୍ଡମଣ୍ଡଳ–ଆଖିର ଅନୁରାଗ ଆଉ ଓଠ ଫାଙ୍କରେ ହସର ଆଭାସ ସମସ୍ତ ପ୍ରକାଶ କରି ଦେଉଥିଲା ।

 

‘‘କେବେ ଆସୁଛନ୍ତି ?’’ ମୁଖାର୍ଜୀଙ୍କ ମୁହଁରେ କୌଣସି ଆନନ୍ଦର ଚିହ୍ନ ଦେଖାଯାଇ ନଥିଲା ।

 

‘‘ଏଇ ସପ୍ତାହକ ଭିତରେ ।’’

 

ଖବର କାଗଜ ଭିତରେ ସେ ଆଖି ଲୁଚାଇ ନେଲେ । ଚାହା ଟେବୁଲ ପାଖରେ ଏଇ କେତେଦିନ ହେଲା ଗୋଟାଏ ସ୍ୱସ୍ତିହୀନ ନୀରବତା–

 

‘‘ଯେଉଁଦିନ ଆସିବେ, ମୋତେ ଟିକିଏ ଖବର ଦେବ ।’’ କାହାପ୍ରତି ଲକ୍ଷ୍ୟ ନ କରି ସେ ଉଠିଗଲେ । ତାଙ୍କର ଶଙ୍କାମୟ ଗାମ୍ଭୀର୍ଯ୍ୟର କୌଣସି ପରିବର୍ତ୍ତନ ନଥିଲା ।

 

‘‘ବାପା କେଉଁଠି ଅଛନ୍ତି ।’’ ଏଇ ପ୍ରଥମ ଥର ପାଇଁ ମୁଖାର୍ଜୀ ତାଙ୍କର ଗମ୍ଭୀରତା ବାଦ୍‌ ଦେଇଛନ୍ତି । ତାଙ୍କର ଉପସ୍ଥିତି ମଧ୍ୟ ଅପ୍ରତ୍ୟାଶିତ ଥିଲା ।

 

ନନାଙ୍କର ବସିଥିବା କୋଠରୀଟି ଦେଖାଇ ଦେଲି ।

 

‘‘ନମସ୍କାର ହେମନ୍ତ ବାବୁ ।’’

 

‘‘ନମସ୍କାର, ଆରେ ସନ୍ତୋଷ । ଆସ ଭାଇ, ଆସ–ଆସ ।’’ ନନାଙ୍କର ଉତ୍ସାହଜନକ କଣ୍ଠ ଶୁଭିଲା ।

 

ଡାକ୍ତର ବାବୁ ଚୌକିଟିର ସାମାନ୍ୟ ସ୍ଥାନ ପରିବର୍ତ୍ତନ କରି ବସି ପଡ଼ିଲେ ।

 

‘‘ବହୁବର୍ଷ ପରେ ଦେଖା–ନା ? ଡ଼ାକ୍ତରୀ ବ୍ୟବସାୟ କିପରି ଚଳୁଛି ?’’

 

‘‘ମନ୍ଦ ନୁହେଁ । ଆଉ–ଆପଣଙ୍କର ବର୍ମାରେ ବ୍ୟବସାୟ ?’’

 

‘‘ବେଶ୍‌ ଭଲ ଚଳୁଥିଲା–କିନ୍ତୁ ବର୍ତ୍ତମାନ ସ୍ୱାଧୀନତାପରେ ଭାରତୀୟମାନଙ୍କ ଉପରେ ଯାହା କଟକଣ ......’’

 

ଆଳାପ ତାହାହେଲେ ମନ୍ଦ ନୁହେଁ । ଦିଓଟି ପୁରୁଣା ବନ୍ଧୁ ବହୁବର୍ଷପରେ ଏକାଠି ହେବା ନିଶ୍ଚୟ ଆନନ୍ଦର ବିଷୟ । ତାହାଛଡ଼ା ମୁଖାର୍ଜୀ ତାଙ୍କର ସ୍ୱାଭାବିକ ପ୍ରଫୁଲ୍ଲତା ଫେରି ନପାଇ ମଧ୍ୟ ବିଷର୍ଣ୍ଣତା ଦୂରେଇ ପାରିଥିବା ଦେଖି ଖୁସି ହେଲି ।

 

ଚାହା ପ୍ରଭୃତିର ବନ୍ଦୋବସ୍ତ ପାଇଁ ମୁଁ ଫେରି ଆସିବାର ଆଉ ଗୋଟାଏ କାରଣ ଥିଲା । ମୁଖାର୍ଜୀଙ୍କ ଉଦ୍ଦେଶ୍ୟ ମୁଁ ଯାହା ଅନୁମାନ କରିଥିଲି.... ।

 

ଚାହା କପ୍‌ରେ ଚାମଚ ଆଘାତର ଟୁଣ୍‌ ଟାଣ୍‌ ଶବ୍ଦପରେ ଡ଼ାକ୍ତରବାବୁ ଆରମ୍ଭ କଲେ–‘‘ଆପଣଙ୍କ ସହିତ ମୋର ବିଶେଷ କିଛି କଥାବାର୍ତ୍ତା ଥିଲା ।’’

 

ପାଖ ଘରୁ ମୁଁ କାନ ଡେରି ଶୁଣୁଥାଏ ।

 

‘‘ହଁ, ସେ ବିଷୟ ମୁଁ ଜାଣେ ।’’ ବାପା କହିଲେ ।

 

‘‘ସରୋଜ ତାହାହେଲେ ସମସ୍ତ କହିଛନ୍ତି ?’’

 

ବାପା ହୁଁ ପାରିଲେ ।

 

କିଛିକ୍ଷଣ ଉଭୟେ ନୀରବ ।

 

‘‘ଆପଣଙ୍କର ମତ କ’ଣ ?’’

 

ନନାଙ୍କର ଉତ୍ତର ଶୁଣିବାକୁ ମୁଁ ଉଦ୍‍ଗ୍ରୀବ ହୋଇ ପଡ଼ିଲି...ନନା ଯେପରି ଅଯଥା ବିଳମ୍ବ କରୁଛନ୍ତି ।

 

‘‘ଦେଖ ସନ୍ତୋଷ । ମୋର ମତ ନେବା ତୁମର ଦରକାର ନ ଥିଲା । ଯୁଗର ଗତିକୁ ଦେଖି ସରୋଜର ମତ ବିରୁଦ୍ଧରେ ବିବାହ ଦେବା ମୋର ଅଭିପ୍ରାୟ ନୁହେଁ । କିନ୍ତୁ ବ୍ୟକ୍ତିଗତ ଭାବରେ–ତୁମେ ଯଦି ମୋତେ ପ୍ରଶ୍ନ କର–’’

 

ନନାଙ୍କର କଥା କହିବା ଭଙ୍ଗୀରେ ମୁଁ ବିସ୍ମିତ ହେଲି–କିଛି ଗୋଟାଏ ଅମଙ୍ଗଳ ଆଶଙ୍କା-

 

‘‘ତୁମେ ଜାଣ, ତୁମର ଅତୀତ ମୋ ପାଖରେ ଅଜଣା ନୁହେ । ମୋର ମତିଗତି ତୁମ ନିକଟରେ ପରିଚିତ । ଏଥିରୁ କ’ଣ ମନେ କରି ପାରୁଛ । ତୁମପ୍ରତି ବନ୍ଧୁର ସମ୍ମାନ ଦେବାକୁ ମୁଁ ରାଜି ହୋଇପାରେ ?

 

ଏ ପୁଣି କ’ଣ ? ନନା ଏ କ’ଣ କଲେ ?

 

ଏହା କ’ଣ ସଚ୍ଚୋଟ ନିର୍ମଳ ହୃଦୟର ପରିଚୟ ? –ନା ଅମାନୁବିକତା–

 

–ବିରକ୍ତିର ସୀମା ନଥିଲା ଯେପରି ।

 

ଡ଼ାକ୍ତରବାବୁ ଚାଲି ଯାଇଥିଲେ । ନାନା ନିଶ୍ଚଳଭାବେ ଝରକା ସେପାରିକୁ ଅନାଇଥାନ୍ତି-। ରୁଦ୍ଧ ଅଭିମାନରେ କିଛି ସୁଦ୍ଧା ପଚାରିବାକୁ ମୋର ପ୍ରବୃତ୍ତି ନଥିଲା । –ନନା ମୁହଁ ବୁଲାଇ ଦେଖିଲେ, କିଛି କହି ନାହାନ୍ତି ।

 

ପରଦିନ ସକାଳେ ସୁଦ୍ଧା ମୋର ଅଭିମାନ ବଢ଼ି ଚାଲିଥିଲା । ନନାଙ୍କ ସହିତ ଆଳାପ ସଂଳାପ ଯଥା ସମ୍ଭବ କେବଳ ଏକ ଶବ୍ଦୀର ଉତ୍ତର ଜଳଖିଆ ଆବଦ୍ଧ ରଖିଲି । ବିଦ୍ରୋହର ସଂକେତ ରୂପେ ଏକା ଟେବୁଲରେ ଜଳଖିଆ ଖାଇବା ମଧ୍ୟ ବନ୍ଦ ହୋଇଥିଲା ।

 

ଏଣେ ମନେ ମନେ ଆଶଙ୍କା । ଚାମେଲୀ ଯଦି ସବୁ କଥା ଶୁଣି ପାରିଥିବେ.... ?

 

‘‘ସରୋଜ ।’’ ପିଠି ଉପରେ ନନାଙ୍କର ଧୀର ସ୍ପର୍ଶ ଅନୁଭବ କଲି । କେତେବେଳେ ସେ ନିଃଶବ୍ଦରେ ପଶି ଆସିଛନ୍ତି–ମୁଁ ଜାଣି ନ ଥିଲି । ମୁହଁ ଟେକି ଚାହିଁବା ପାଇଁ ମୁଁ ପ୍ରସ୍ତୁତ ନ ଥିଲି ।

 

‘‘ତୋର ଅଭିମାନର ଉଦ୍ଦେଶ୍ୟ ମୁଁ ବୁଝିପାରିଛି । କିନ୍ତୁ–ମୋତେ ଯେପରି ଭୁଲ୍‌ ନ ବୁଝ-।’’ କୋଠରୀ ଭିତରେ ସେ ପଦଚାରଣ କରି ଲାଗିଲେ । ‘‘ତୋର ବିବାହ ପ୍ରସ୍ତାବରେ ମୁଁ ଏକମତ-। କିନ୍ତୁ ଡାକ୍ତର ମୁଖାର୍ଜୀଙ୍କୁ ମୁଁ ତୋ ଅପେକ୍ଷା ଭଲ ଭାବେ ଜାଣେ । ଆଉ ସେ ଭଳି ଲୋକଙ୍କୁ ବନ୍ଧୁ ବୋଲି ସମ୍ମାନ ବା ଆଦର କରିବା ଅନ୍ୟ କାହା ପକ୍ଷରେ ସମ୍ଭବ ହୋଇପାରେ–ମୋ ପକ୍ଷରେ ଅସମ୍ଭବ–ସ୍ୱଭାବ ବିରୁଦ୍ଧ ।’’

 

ନନା ମୋ ପାଖରୁ କୌଣସି ଉତ୍ତର ଆଶା କରୁଥିଲେ ବୋଧହୁଏ । ମୁଁ ନୀରବ ରହିଲି–ନିଃଶବ୍ଦରେ ସେ ଫେରିଗଲେ ।

 

....ନନାଙ୍କର କଥାଗୁଡ଼ିକ ବୃଥା ଯାଇ ନ ଥିଲା । ଅତୀତର ଅନୁଭୂତିଗୁଡ଼ିକ ତାହା ସହିତ ଗୁନ୍ଥି ଲାଗିଲି ।

 

–ଡାକ୍ତର ମୁଖାର୍ଜୀଙ୍କୁ ତାଙ୍କ ପୁରୁଣା ବନ୍ଧୁ ଭଲ ପାଆନ୍ତି ନାହିଁ । ତାଙ୍କର ନିକଟ ଆତ୍ମୀୟ କର୍ତ୍ତବ୍ୟନିଷ୍ଠ ମଲହୋତ୍ରା ବର୍ଷ ବର୍ଷ ଧରି ସମ୍ପର୍କ ରଖି ନାହାନ୍ତି–ଏବେ ସୁଦ୍ଧା ଚାହାନ୍ତି ନାହିଁ । କନ୍ୟା ଚାମେଲୀ ତା’ର କାରଣ ବିଷୟରେ ଅନଭିଜ୍ଞ । ଆଉ ସେ ବିଷୟ ନେଇ ପ୍ରଶ୍ନ କଲେ ମୁଖାର୍ଜୀଙ୍କର ବ୍ୟବହାର ରହସ୍ୟମୟ ହୁଏ....

 

ମୁଖାର୍ଜୀଙ୍କର ନିଣ୍ଚୟ କେଉଁଠି କିଛି ଦୁର୍ବଳତା ଅଛି–ଆଉ ନନାଙ୍କର ସେଇ କଠୋର ନୀତି ।

 

ନନା କ୍ଷମାଶୀଳ ମଧ୍ୟ ହୋଇପାରନ୍ତି । ତା’ର ପ୍ରମାଣ ମୁଁ ନିଜେ ଅନୁଭବ କରିଛି । ଏଇ କ୍ଷେତ୍ରରେ ମଧ୍ୟ ସେ ତ ମୋର ବିବାହର ବିରୋଧ କରି ନାହାନ୍ତି ।

 

‘‘ଆଶାକରେ, ଆଉ କେତେଟା ଦିନ ଆମେ ଅପେକ୍ଷା କରି ପାରିବା । –ଏହାର ପ୍ରକୃତ କାରଣ ବୁଝି ଯଦି ଆମଦ୍ୱାରା କିଛି ସମ୍ଭବ ହୁଏ ।’’ –ମୁଁ ନିଷ୍ପତ୍ତି କଲି ।

 

‘‘ପାରିବ ।’’ ଚାମେଲୀ କିଛି ସମୟ ଭାବି ଶୁଖିଲା କଣ୍ଠରେ ଉତ୍ତର ଦେଲେ ।

 

ଶୋଇ ରହି ଝରକା ଦେଇ ଦୂର ଆକାଶ ପ୍ରତି ଦୃଷ୍ଟି ରଖି ସେ କ’ଣ ଭାବି ଲାଗିଥିଲେ । ଆମେ ଦୁହେଁ ସନ୍ତର୍ପଣରେ ପ୍ରବେଶ କଲୁ ।

 

‘‘ନମସ୍କାର ।’’

 

ଡଃ ମୁଖାର୍ଜୀ ଫେରି ଚାହିଁଲେ । ମୋର ମୁହଁ ଉପରେ କିଛି ସମୟ ଦୃଷ୍ଟି ରଖି ଫେରାଇ ନେଲେ ।

 

‘‘ଦେହ କିପରି ଅଛି ବାପା ?’’

 

ଏଥର ଆଉ ଦୃଷ୍ଟି ଫେରିନାହିଁ । ଆମ ଦୁହିଁଙ୍କୁ ପାଖକୁ ଯିବାକୁ ଇଙ୍ଗିତ କଲେ । –ସେଇ ନୀରବ ଚାହାଣୀରେ କି ଏକ ଜୀବନ୍ତ ତୃଷ୍ଣା ।

 

–ମୁଁ ଅପ୍ରତିଭ ହେଲି । ‘‘ଆଖି ତାଙ୍କର ଛଳଛଳେଇ ଉଠିଲା–ଭାବ ଝଡ଼ର ନୀରବ ବହିଃ ପ୍ରକାଶ । ସେ ମୁହଁ ଲୁଚାଇଲେ ।

 

ଆକାଶ ଆଡ଼କୁ ଦୃଷ୍ଟିରଖି ସେ ଆମକୁ ଫେରିଯିବାକୁ ଇଙ୍ଗିତ କଲେ । ମନ ଭିତରର କୋହଟାକୁ ଚାପିବାକୁ ଚେଷ୍ଟା କରୁଥିଲେ ଯେପରି । ଆମର ଉପସ୍ଥିତି ତା’ର ଅନୁକୂଳ ନ ଥିଲା ।

 

ନନାଙ୍କୁ କିଛି ନ କହି ନିଜ କୋଠରୀକୁ ଚାଲିଯିବା ଆଜି ଦିନକର ବ୍ୟବହାର ସହିତ ଖାପ ଖାଇବ ଜାଣି ସୁଦ୍ଧା ଝରକା ପାଖରୁ ସେ କ’ଣ କରୁଛନ୍ତି–ଦେଖିବାକୁ ମନହେଲା ।

 

ଖଣ୍ଡିଏ ବହି ଧରି ସେ ପୃଷ୍ଠା ଓଲଟାଉଥାନ୍ତି । କିନ୍ତୁ ମୋର ଉପସ୍ଥିତି ବିଷୟରେ ସେ ସଚେତ ଥିଲେ ବୋଧହୁଏ ।

 

‘‘ସରୋଜ ।’’ –ନନା ଧୀର ଗଳାରେ ଡାକିଲେ ।

 

ଶଙ୍କିତ ଚିତ୍ତରେ ମୁଁ ଦ୍ୱାର ପାଖରେ ଠିଆ ହେଲି ।

 

‘‘ମୁଖାର୍ଜୀଙ୍କ ପାଖକୁ ଯାଇଥିଲୁ–କ’ଣ କିଛି କହିଲେ ?’’

 

‘‘ନା ।’’

 

‘‘କ’ଣ କରୁଥିଲେ ?’’ ସେଇ ଗମ୍ଭୀର କଣ୍ଠରୁ ଉଦ୍ଦେଶ୍ୟ ବୁଝିବା କଷ୍ଟକର ଥିଲା ।

 

‘‘ଶୋଇଥିଲେ ।’’

 

‘‘ସନ୍ଧ୍ୟାବେଳେ ? କ’ଣ ଦେହ ଖରାପ ?’’ କଣ୍ଠରେ ସ୍ୱଳ୍ପସ୍ପଷ୍ଟ ଉତ୍କଣ୍ଠା । ‘‘ତାଙ୍କର ଉଠିବାକୁ ଶକ୍ତି ନାହିଁ । କାହାକୁ କିଛି କହୁ ନାହାନ୍ତି ।’’–ତାଙ୍କର ରୂଢ଼ କଥାର ପରିଣାମ ନନା ଅନୁତପ୍ତ ହୁଅନ୍ତୁ–ଏହା ମୋର ଉଦ୍ଦେଶ୍ୟ ଥିଲା ।

 

‘‘ହୁଁ ।’’ ନନା ପୁଣି ପୃଷ୍ଠା ଓଲଟାଇ ଲାଗିଲେ ।

 

କଥାବାର୍ତ୍ତା ଅନାବଶ୍ୟକୀୟ ଜାଣି ମୁଁ ଫେରି ଆସିଲି ।

 

କେତେବେଳପରେ ପୁଣି ସେଇ ଝରକାଆଡ଼େ ଲକ୍ଷ୍ୟକଲି । ବହିଟି ଟେବୁଲ୍‌ ଉପରେ ରଖି ଦେଇ ନନା କ’ଣ ଭାବି ଲାଗିଛନ୍ତି । କିଛି ସମୟ ଠିଆ ହେଲି । ମୋର ଉପସ୍ଥିତି ବିଷୟରେ ସେ ସଚେତ ନଥିଲେ । ସହାନୁଭୂତି ଫେରି ଆସିଲା । ତଥାପି ନୀରବରେ ଫେରି ଚାଲିଲି ।

 

‘‘ବାବା,

 

ଶୁଣି ଖୁସି ହେବ, କିଶୋର ଝିଅକୁ ବିବାହ କରିବାକୁ ସମ୍ମତ ହୋଇଛନ୍ତି । ଆସନ୍ତା ଫେବୃୟାରୀ ମାସକୁ ଯୋଗଅଛି । କିନ୍ତୁ ତୁମର ସାହାଯ୍ୟ ବିନା କାର୍ଯ୍ୟ ହୋଇ ପାରିବ ନାହିଁ । ବାବା–ତୁମେ ଆମପାଇଁ କେତେ ନ କରିଛ । ଏଥର ମଧ୍ୟ ତୁମ ଉପରେ ନିର୍ଭର କରୁଛି । ଶୀଘ୍ର ଉତ୍ତର ଦେଲେ ନିଶ୍ଚିନ୍ତ ହେବି ।

 

ତୁମର ‘ମା’ ।

 

ହୁ–ଦୁନିଆଯାକର ଯେତକ ଅସଙ୍ଗତ, ଅରୁଚିକର ଅପମାନଜନକ–ସମସ୍ତ ଯେପରି ଏଇ ଲାବଣ୍ୟମୟୀ ପରିବାରରେ ପୁଞ୍ଜୀଭୂତ ।

ହାତରେ ଯେ ଯଥେଷ୍ଟ ଅର୍ଥ ଅଛି ତାହା ନୁହେଁ–ଯାହା ମଧ୍ୟ ଅଛି ନନାଙ୍କ ଉପସ୍ଥିତିରେ ଦେଇପାରିବା ଅସମ୍ଭବ । ତାଙ୍କର ବର୍ତ୍ତମାନ ମାନସିକ ଅବସ୍ଥାରେ କୌଣସି ଦରିଦ୍ର ପରିବାରକୁ ଯଥା ଯୋଗ୍ୟ କାରଣ ନ ଦେଖାଇ ସାହାଯ୍ୟ କରିବାକୁ ପ୍ରସ୍ତାବ କରିବା ଖାଲି ଅସଙ୍ଗତ ନୁହେଁ–ବିପଜ୍ଜନକ ମଧ୍ୟ । ନନା ଯଦି ମୋତେ ଜେରା କରି ବସନ୍ତି ଆଉ ମୋର ବ୍ୟବହାରକୁ ଚରିତ୍ରଗତ ଦୁର୍ବଳତା ମନେ କରନ୍ତି..... ? କିନ୍ତୁ ପ୍ରଶୟ ଯେତେବେଳେ ଦେଇ ଆସିଛି, ନିଜ ଇଚ୍ଛାରେ ନୈତିକ ଦାୟିତ୍ୱ ଗ୍ରହଣ କରିଛି–ସେତେବେଳେ ଏଇ ଶେଷ ମୁହୂର୍ତ୍ତରେ ପଛେଇ ଯିବା କ’ଣ.... ?

–ସେଇ ନେପାଳୀ ବୁଢ଼ାଟିକତ ଫାଟକ ପାଖରେ ଦେଖିନାହିଁ । ଚାମେଲୀ ମଧ୍ୟ ତାଙ୍କ କୋଠରୀରେ ନାହାନ୍ତି ।

ବର୍ଷା–ଭିଜା ଖିଲିଖିଲିଆ ପବନରେ ମୋର ରୋମମୂଳ ଟାଙ୍କୁରି ଉଠୁଥାଏ । ରାସ୍ତାରେ ପାଣି ମାଡ଼ ଖାଇ ମୋର ଗୋଟାଏ ପାଖ ଓଦା ହୋଇ ଯାଇଥାଏ । –ଏତେ ବର୍ଷାରେ ଏଇ ସନ୍ଧ୍ୟାବେଳେ ଚାମେଲୀ ଗଲେ କୁଆଡ଼େ ? ତା ପୂର୍ବରୁ ତ ମୋତେ ଜଣାଇ ପାରିଥାନ୍ତେ । ‘‘ଚାମେଲୀ । ଚାମେଲୀ ।’’

ନିକଟର କୌଣସି କୋଠରୀରୁ ମଧ୍ୟ ଚାମେଲୀଙ୍କର ଶବ୍ଦ ନାହିଁ । –ଝରକା ଦେଇ ବର୍ଷାର ବର୍ଚ୍ଛା ମାଡ଼ କୋଠରୀର ଝରକାତଳ ଅଂଶଟିକୁ ଓଦା କରିଦେଲା । ଝରକାଟା ବନ୍ଦକରି ଆଣିଲି ।

ପାଖ କୋଠରୀଗୁଡ଼ିକ ସବୁ ବନ୍ଦ ।

ମୁଖାର୍ଜୀଙ୍କ କୋଠରୀଟି ଖୋଲା ଅଛି ବୋଧହୁଏ । ଚାମେଲୀ ତେବେ ବାପାଙ୍କ ପାଖରେ ଥାଇ ପାରନ୍ତି । ବର୍ଷାର ଗର୍ଜନ ଭିତରେ ମୋର ଡାକ ଶୁଣି ନ ପାରିବା ଅସମ୍ଭବ ନୁହେଁ ।

ଧୀରେ ଧୀରେ କବାଟଟି ଖୋଲି ଲାଗିଲି ।

–ବାହାରର ମେଘ ହେତୁ କୋଠରୀସାରା ଅନ୍ଧାର ଘେରି ରହିଥାଏ । ହୁଏତ ମୁଖାର୍ଜୀ ନିଦ୍ରିତ–ଆଉ ଚାମେଲୀ ଆଲୁଅ ଜଳାଇବାକୁ ଚାହାନ୍ତି ନାହିଁ ।

‘‘ଚାମେଲୀ ।’’ ମୁଁ ଧୀର ଭାବରେ ଡାକିଲି ।

‘‘ଚାମେଲୀ ।’’ ଘର କାନ୍ଥରେ ମୋର ଶବ୍ଦ ତରଙ୍ଗ ପ୍ରତିହତ ଆଉ ପ୍ରତିଧ୍ୱନିତ ହେଲା ।

ବାପାଙ୍କର ସେବା ପରେ ଚାମେଲୀ ମଧ୍ୟ କ’ଣ ଶ୍ରାନ୍ତ ହୋଇ ଶୋଇ ପଡ଼ିଛନ୍ତି–ଅଣ୍ଡାଳି ଅଣ୍ଡଳି ସୁଇଚ୍‌ ଟିପି ଦେଲି ।

ଚାମେଲୀ ନାହାନ୍ତି ।

ବିଛଣା ଚାଦର କୁଞ୍ଚତ । କେହି ଜଣେ ଶୋଇକରି ଉଠି ଯାଇଛି ଯେପରି । ତେବେ ମୁଖାର୍ଜୀ... ?

ଡାକ୍ତରଙ୍କର ଅବସ୍ଥା ବୋଧହୁଏ ନିତାନ୍ତ ଖରାପ ହୋଇ ପଡ଼ିଥିଲା ଚାମେଲୀ ତାଙ୍କୁ ହସ୍ପିଟାଲ୍‌ ନେଇ ଯାଇଛନ୍ତି । ଏପରି ଅବସ୍ଥାରେ ମୋତେ ଫୋନ୍‌ କରିବା କିମ୍ବା ଖବର ଦେବାକୁ ଭୁଲିଯିବା ଅସ୍ୱଭାବିକ ନୁହେଁ ।

ତେବେ ବର୍ତ୍ତମାନ ? –କିଛି ସମୟ ଅପେକ୍ଷା କରିବି ?

ବାହାରେ ମେଘର ଘନ ଅନ୍ଧାର । ରାସ୍ତା କଡ଼ର ଆଲୁଅ ବର୍ଷାଧାରାରେ ନିଷ୍ପ୍ରଭ । ଆକାଶର ଏ ପାଖରୁ ସେ ପାଖ ବିଜୁଳିର ସର୍ପିଳ ଚମକିତ ଗତି । ପୃଥିବୀର ଛାତି ଦହକି ଉଠି ପୁଣି ଅନ୍ଧାରରେ ମିଶିଗଲା ।

–ବର୍ଷାର ପୂର୍ବପରି ସମତାଳ ସଙ୍ଗୀତ ।

ଉପର ମହଲାରେ କିଛି ଗୋଟାଏ ଦୁଲ୍‌କରି ଶବ୍ଦ ହେଲା । ମୁଁ ଚମକି ଉଠିଲି ।

ଚାମେଲୀ ତାହାହେଲେ ଉପର ମହଲାରେ ? ମନେ ହେଲା ଚାମେଲୀ ଥରେ ଏଇ ଉପର ମହଲା କଥା କହିଥିଲେ । ଉପର ମହଲାରେ ସେଇ ଗୋଟାଏ ମାତ୍ର କୋଠରୀ–ମୁଖାର୍ଜୀଙ୍କର ଗବେଷଣାଗାର ।

 

ମୁଖାର୍ଜୀଙ୍କ ନିର୍ଦ୍ଦେଶ ନେଇ ଚାମେଲୀ ସେଠି ଔଷଧ ପ୍ରସ୍ତୁତ କରୁଥିବା ସମ୍ଭବ । ବହୁତ ସମୟ ହେଇଗଲାଣି ହୁଏତ ନିକଟରେ ଚାଲି ଆସିବେ ।

 

ଭିଜା ସାର୍ଟଟା ଅପ୍ରୀତିକର ମନେ ହେଲା । କିନ୍ତୁ ଉପାୟ ନାହିଁ । ଏକୁଟିଆ ଅନେକ ସମୟ ବସି ରହି ଯେପରି ଦୋଷୀ ମନେ କଲି । ଉପର ମହଲାରୁ କିଛି ଗୋଟାଏ ଓଜନିଆ ଜିନିଷ ଆଉ ଥରେ ପଡ଼ିବା ଭଳି ଆଉଥରେ ଦୁଲ୍‌କରି ଶବ୍ଦ ହେଲା । କାନ ଡ଼େରି ରହିଲି । କିଛି ଗୋଟାଏ ବାଡ଼େଇ ହେବା ପରି–ଗୋଟିକରୁ ଆରଟି କ୍ରମଶଃ ସ୍ପଷ୍ଟତର ହୋଇ ଉଠିଲା ?

 

କଥା କ’ଣ ? ପରିସ୍ଥିତି ନିତାନ୍ତ ରହସ୍ୟମୟ....ଅଭିସନ୍ଧିମୂଳକ ।

 

ପରିଣାମ ଯାହା ହେଉ ପଛେ, ଡେରି ନ କରି ସିଡ଼ିରେ ଉଠିଲି ।

 

–ଆଖିକୁ ବିଶ୍ୱାସ କରି ପାରିଲି ନାହିଁ । ଘର ଭିତରେ ଡ଼ାକ୍ତର ମୁଖାର୍ଜୀ ଏକାକୀ–ହାତରେ ଗୋଟାଏ ବଡ଼ କୁରାଢ଼ୀ ଝୁଲି ରହିଥାଏ ।

 

ମୁଖାର୍ଜୀ ତେବେ କ’ଣ ପାଗଳ ହୋଇ ଯାଇଛନ୍ତି ? ଆଜି ସକାଳେ ସେ ଶେଯରୁ ଉଠିପାରୁ ନଥିଲେ । ଆଉ ଏବେ ଗୋଟାଏ ଓଜନିଆ କୁରାଢ଼ୀ ନେଇ ସେଇ ଆଲ୍‌ମେରାଟାକୁ ଫାଳ କରି ଲାଗିଛନ୍ତି । ....

 

ଝରକା ପାଖରେ ଗୋଟାଏ ଅନ୍ଧାରିଆ ଯାଗାରୁ ଲକ୍ଷ୍ୟ କରି ଲାଗିଲି । ଦେହର ଦୁର୍ବଳତା ହେତୁ କୁରାଢ଼ୀଟାକୁ ସେ ଉଠାଇ ପାରୁ ନଥିଲେ । ହାତର ଶିରାଗୁଡ଼ାକ କୁରାଢ଼ୀର ଓଜନରେ ଟାଣି ହୋଇଥାଏ ।

 

–ସେ ପୁଣି ଥରେ ଚେଷ୍ଟା କଲେ । କପାଳର ଶିରା ଦୁଇଟା ଫୁଲି ଉଠିଲା । –ଦାନ୍ତ ଚୋବାଇ କୁରାଢ଼ୀଟାକୁ ଟେକି ନେଲେ । କାନ୍ଧ ଉପରେ ଉଠେଇବାପରେ ତାଙ୍କର ହାତ ଦୁଇଟା ଥରି ଉଠିଲା । –ଶରୀରଟା ଟଳମଳ ହେଉଥାଏ । ଆଉ ସେଇ ବିଷର୍ଣ୍ଣ ଚକ୍ଷୁ–ବଢ଼ି ଆସିଥିବା ଦାଢ଼ୀ.....ମୁଖାର୍ଜୀ ପାଗଳ ।

 

ଦୁଲ୍‌ କରି ଟୋପାଏ ପାହାର ପଡ଼ିଲା । ଆଲମେରାର କବାଟଟା ଭାଙ୍ଗିଗଲା । –ଆଉ ଗୋଟାଏ ପାହାର । କବ୍‌ଜା ଖସି କବାଟଟା ତଳେ ପଡ଼ିଗଲା । କେତେଟା ଔଷଧ ଶିଶି ଛିନ୍‌ ଛାନ୍‌ ହୋଇ ଉଡ଼ି ଆସିଲେ । ତଳେ ପଡ଼ି ଟୁକୁରା ଗୁଡ଼ାକ ବିଂଛି ହୋଇଗଲା । କେତେଟା କାଡ଼ ବୋର୍ଡ଼ର ଡ଼ବା ଫିଙ୍ଗି ହୋଇ ପଡ଼ିଲା ।

 

ଡାକ୍ତର କ’ଣ କରିବାକୁ ଚାହାନ୍ତି ? ଯଦି କିଛି....କରି ବସନ୍ତି ? ନା–ସମ୍ମୁଖର ଦରଜାଟା ତଥାପି ଖୋଲା ଅଛି । ନିଜକୁ ପ୍ରସ୍ତୁତ କରି ରଖିଲି ।

 

କୁରାଢ଼ୀଟା ଖଣ୍ଡେ ଦୂରରେ ଛିଞ୍ଚାଡ଼ି ହୋଇ ପଡ଼ିଲା । ମୁଖାର୍ଜୀ ଶ୍ରାନ୍ତ ହୋଇ ଟେବୁଲ୍‌ ପାଖରେ ଆଉଜି ବସିଲେ । ବିନ୍ଦୁ ବିନ୍ଦୁ ଝାଳ କପାଳର ରେଖା ଉପରେ ଫୁଟି ଉଠିଥାଏ । କି ସେ ବିମର୍ଷ ଦୃଷ୍ଟି । –ନିଶ୍ୱାସ ନେବାକୁ କଷ୍ଟ ହେଉଥାଏ ।

 

ଟେବୁଲ୍‌ ପାଖରେ ପଡ଼ିଥିବା ଜିନିସ ଗୁଡ଼ିକ ଆଡ଼େଇ ଆଡ଼େଇ ସେ କିଛି ଗୋଟାଏ ଖୋଜି ଲାଗିଲେ । –ଆଖିରେ ହଠାତ୍‌ ଆଶା ଜଳି ଉଠିଲା–ଗୋଟାଏ ବଡ଼ ସାଇଜ୍‌ର କାଡ଼ବୋର୍ଡ଼ ଡ଼ବା ଟେବୁଲ୍‌ ଉପରକୁ ଉଠାଇ ଆଣିଲେ ।

 

ମୋର ଛାତି ଭିତରଟା ଦାଉଁ ଦାଉଁ କରି ଲାଗିଲା ।

 

ଝରକାପାଖରୁ ଆସ୍ତେ ଆସ୍ତେ ଖସିଗଲା । ନା–ଦ୍ୱାର ତଥାପି ଖୋଲା ଅଛି । କିନ୍ତୁ ଦୃଷ୍ଟି ଆକର୍ଷଣ ନ କରି ସେ ପାଖରେ ଠିଆ ହେବା ସମ୍ଭବ ନୁହେଁ ।

 

ଫୋଟୋଗୁଡ଼ିକ ଟେବୁଲ୍‌ ଉପରେ ସେ ସଜାଇ ରଖିଲେ । ମୁହଁରେ ଏକ ବାଳସୁଲଭ ସରଳ ଆନନ୍ଦ–କିନ୍ତୁ ବୀଭତ୍ସ–ଭ୍ରାନ୍ତିଜନକ । ।

 

ଅତି ଆଦରର ଜିନିସ ପରି–ଗୋଟାଏ କାଚବନ୍ଧା ଫୋଟୋ ସେ ଦୁଇ ହାତରେ କୁଣ୍ଢାଇ ଧରିଲେ । ରୋଗ–ନିଷ୍ପ୍ରଭ ଆଖି ଦୁଇଟିରେ ସ୍ନେହ–କଣା ଫୁଟି ଉଠିଲା । ଫୋଟୋଟିକୁ ଆବେଗରେ ଜାକି ନେଲେ ଛାତି ଉପରକୁ । –ମଣିଷର ମନ ।

 

ଫୋଟକାଟି କାହାର ? –ଜାଣିବାର କୌଣସି ଉପାୟ ନଥିଲା । ଏ କ’ଣ ? ମୁଖାର୍ଜୀଙ୍କର ଆଖିରେ ଆଉ ପ୍ରେମ କଣା ନାହିଁ । କ୍ରୁଦ୍ଧ ବ୍ୟାଘ୍ର ଭଳି–ଆଖି ଦୁଇଟା ଲାଲ ଭୟଙ୍କର ହୋଇ ପଡ଼ିଛି ।

 

ଏଇ ମୁହୂର୍ତ୍ତରେ ଯେପରି ଆଖି ଫାଟି ରକ୍ତ ଛୁଟି ଆସିବ ।

 

–ଗୋଟାଏ କାଗଜ ଚାପା ଉଠାଇ ନେଇ ଫୋଟୋର ଆବରଣ ସେଇ କାଚଟାକୁ ସେ ଖଣ୍ଡ ଖଣ୍ଡ କରି ଲାଗିଲେ । ଫୋଟୋଟିକୁ ଚିରି ଦେଇ ସେଇ ଫ୍ରେମ ସହିତ ଫିଙ୍ଗିଦେଲେ ଗୋଟାଏ କୋଣକୁ । ଖଣ୍ଡ ଖଣ୍ଡ କାଚ ଟେବୁଲ୍‌ରୁ ଫିଙ୍ଗି ହୋଇ ଚଟାଣରେ ଟଣ୍ ଟାଣ୍‌ ଶବ୍ଦ କଲା ।

 

କାଚ ଟୁକୁରା ତାଙ୍କ ଆଙ୍ଗୁଠିରେ ଲାଗି ରକ୍ତ ଝରି ଆସିଛି–

 

ସେଥିପ୍ରତି ତାଙ୍କର ଦୃଷ୍ଟି ନାହିଁ । କି ଗୋଟାଏ ଗଭୀର ବେଦନା ଆଖି ବୁଜି ନେଇ ସେ ଆଉଜି ବସିଲେ । ଓଠ ଥରି ଉଠୁଥାଏ–ମନକୁ ମନ କ’ଣ ଗୁଡ଼ାଏ କହି ଲାଗିଥାନ୍ତି ।

 

ନା–ଆଉ ବସିବା ଦରକାର ନାହିଁ । ଟେବୁଲ୍‌ ଉପରେ ଭରା ଦେଇ ସେ ଉଠିବାକୁ ଚେଷ୍ଟାକଲେ–କାମିଜ୍‌ର ହାତ ବୋତାମ ଖୋଲି ଯାଇ ହାତ ଦି’ଟା ଓହଳି ପଡ଼ିଥାଏ । କାନ୍ଥ ଉପରେ ଭାଗ ଦେଇ ଯୋତା ଦି’ଟା ଘୋଷାରି ଘୋଷାରି ସେ ବାହାରି ଆସିଲେ–ମୁଁ ଲୁଚି ଗଲି ।

 

ଦ୍ୱାରପାଖରୁ ସେ ପୁଣି ଦୃଷ୍ଟି ଫେରାଇଲେ । ନା–ସେଗୁଡ଼ିକ ସଜାଡ଼ିବାକୁ ତାଙ୍କର ଶକ୍ତି ବା ପ୍ରବୃତ୍ତି ନାହିଁ ।

 

ଟଳି ଟଳି ସେ ସିଡ଼ି ପାଖରେ ପହଞ୍ଚିଲେ । କିନ୍ତୁ ତାଙ୍କର ପାଦଶବ୍ଦ ଶେଷ ନ ହେବାଯାଏଁ ମୁଁ ସିଡ଼ି ପାଖକୁ ସାହସ କଲି ନାହିଁ ।

 

ବର୍ଷାର ବେଗ କମି ଆସିଛି । କିନ୍ତୁ କଳା ମେଘ ଏଯାଏଁ ଆକାଶସାରା ଆବୋରିଥାଏ–ସ୍ୱର୍ଣ୍ଣଦୀପ୍ତ ବିଜୁଳିର ଘନ ଘନ ଆତ୍ମପ୍ରକାଶ ।

 

ବର୍ତ୍ତମାନ କର୍ତ୍ତବ୍ୟ ? –ମୁଖାର୍ଜୀଙ୍କ ଅବସ୍ଥା ଅବଶ୍ୟ ଉଦ୍‌ବେଗଜନକ । ଏଠାରେ ଏକାକୀ ରହିବା ମଧ୍ୟ ନିରାପଦ ନୁହେଁ । –ତେବେ କ’ଣ ଚାଲିଯିବି ? କିନ୍ତୁ ....

 

କାର୍‌ର ଯୋଡ଼ାକଯାକ ସାମନା ଆଲୁଅ ମୋତେ ଅନ୍ଧ କରି ଦେଲା ।

 

‘‘କିଏ ? ଚାମେଲୀ ?’’

 

ଚାମେଲୀ ତରବର ହୋଇ ବାହାରି ଆସିଲେ ।

 

‘‘କେତେବେଳ ହେଲା ଏଠିକି ଆସିଲଣି ?’’

 

‘‘ଅନେକବେଳ ହେଲା । ତୁମେ କୁଆଡ଼େ ଯାଇଥିଲ ?’’

 

‘‘ତୁମକୁ ଖୋଜି ।’’

 

‘‘ଆଶ୍ଚର୍ଯ୍ୟ ।’’

 

କିନ୍ତୁ ଅନ୍ୟ ଉପାୟ ନଥିଲା । ଚାମେଲୀ ବୁଝାଇ ଲାଗିଲେ । ସନ୍ଧ୍ୟାବେଳେ ମୁଖାର୍ଜୀଙ୍କର ଆଶଙ୍କାମୟ ନୀରବତା–ଶଙ୍କିତ ଚାହାଣୀ ଆଉ ଓଠର ଅସ୍ପଷ୍ଟ ସ୍ପନ୍ଦନ ଦେଖି ସେ ପ୍ରମାଦ ଗଣିଥିଲେ । –ମୋତେ ଫୋନ୍‌ରେ ନ ପାଇ ଏବଂ ଚାକର ଅନୁପସ୍ଥିତ ଦେଖି ସେ ବାଧ୍ୟ ହୋଇ କାର୍‌ ନେଇ ବାହାରି ଆସିଥିଲେ । କିନ୍ତୁ ବାଟରେ ଭୀଷଣ ତୋଫାନ୍‌–ଗଛ ଉପୁଡ଼ି ରାସ୍ତା ବନ୍ଦ–କାର୍‌ଟା ଅଟକି ଯାଇଥିଲା । ଶେଷରେ ଫୋନ୍‌କରି ହୋଟେଲ୍‌ରୁ ବୁଝିଲେ ମୁଁ ତାଙ୍କଘରକୁ ଚାଲି ଆସିଛି ।

 

–ନନାଙ୍କ ପାଖକୁ ଫୋନ୍‌ ଉଠାଇଲି–‘‘ନନା ଡାକ୍ତରଙ୍କ ଅବସ୍ଥା ନିତାନ୍ତ ଉଦ୍‌ବେଗଜନକ-। ସେଥିପାଇଁ ଆଜି ରାତିଟା ଫେରି ପାରୁନାହିଁ–ମୋ ସକାଶେ ଅପେକ୍ଷା କରିବେ ନାହିଁ ।’’

 

ନନା ଉତ୍କଣ୍ଠା ପ୍ରକାଶ କରି ଦରକାର ପଡ଼ିଲେ ଖବର ଦେବାକୁ କହିଲେ–

 

ଆକାଶରେ ବର୍ତ୍ତମାନ ଅନେକ ଛୋଟ ଛୋଟ ତରା–ତଥାପି ଖଣ୍ଡେ ଖଣ୍ଡେ କଳା ମେଘ ଭାସି ଲାଗିଛନ୍ତି–ବିରାଟ ବ୍ୟୁହର ଗୋଠଛଡ଼ା ସୈନ୍ୟଦଳ ଭଳି ।

 

ମୁଖାର୍ଜୀଙ୍କ ସକାଳର ବ୍ୟବହାର ନେଇ ଚାମେଲୀ କେତେକ କଥା କହି ଲାଗିଥିଲେ । ଆଉ ମୋର ସନ୍ଧ୍ୟା ଘଟଣାର ବିବରଣ ଦେବାରେ ଆଶଙ୍କାର ବାତାବରଣ ଘରଟିକୁ ଘେରି ରହିଥାଏ । ଆଜି ରାତିଟା ଜଗିବା ପରେ ଯଦି କାଲି ମୁଖାର୍ଜୀଙ୍କର ଅବସ୍ଥା ଆହୁରି ଖରାପ ହୁଏ, ତେବେ ବାହାରର ସାହାଯ୍ୟ ଲୋଡ଼ିବା ଦରକାର ହେବ–ନିଷ୍ପତ୍ତି କଲୁ । ଅପେକ୍ଷାକୃତ ଅଳ୍ପ ଭାରାକ୍ରାନ୍ତ ମସ୍ତିଷ୍କ ନେଇ ମୁଁ ପାଖ କୋଠରୀକୁ ଶୋଇବାକୁ ଚାଲି ଆସିଲି । ଚାମେଲୀ ବାପାଙ୍କର ପାଖ କୋଠରୀରେ ଜଗି ରହିଲେ–କବାଟଗୁଡ଼ାକ ଆଉଜା ଥାଏ ।

 

.....ତନ୍ଦ୍ରାର ଛିଟିକିଆ କଥା ହାଲୁକା କଳାରଙ୍ଗୀ ପରଦା । –ଚାମେଲୀଙ୍କର କରସ୍ପର୍ଶ ଆଉ ଚାପା ଡାକରେ ମୁଁ ଉଠି ବସିଲି । ସେ ମୋତେ ନୀରବରେ ଅନୁସରଣ କରିବାକୁ ଇଙ୍ଗିତ କଲେ । –ଧମନୀର ରକ୍ତରେ ଶଙ୍କିତ ଚମକ । ଯେ କୌଣସି ଘଟଣାପାଇଁ ପ୍ରସ୍ତୁତ ହେଲି । –ଶୋଇବାକୁ ଯିବାବେଳେ ଚାମେଲୀଙ୍କ କୋଠରୀ ସହିତ ସଂଲଘ୍ନ ଡାକ୍ତରଙ୍କ କୋଠରୀର କବାଟ ଦି’ଟା ଆଉଜା ଥିଲା । ବର୍ତ୍ତମାନ ସେଗୁଡ଼ିକ ଡାକ୍ତରଙ୍କ କୋଠରୀ ପାଖରୁ ବନ୍ଦ ।

 

ଚାମେଲୀଙ୍କୁ ପଚାରିଲା ଆଖିରେ ଚାହିଁ ରହିଲି । କିନ୍ତୁ ସେ ଅନ୍ୟ ପାଖକୁ ଘୁରି ମୋତେ ଅନୁସରଣ କରିବାକୁ ଇସାରା ଦେଲେ ।

 

ବାହାରର ଝରକା ପାଖରେ ଠିଆ ହେଲୁ । ଝରକା ମଧ୍ୟ ବନ୍ଦ । କିନ୍ତୁ କାଚ ଉପରେ ଭୀତିପ୍ରଦ ଏ କାହାର ଛାୟା ?

 

ଡାକ୍ତରବାକୁ ଟେବୁଲ୍‌ ଉପରକୁ ଝୁଙ୍କି ପଡ଼ିଥାନ୍ତି । କପାଳ ଉପରକୁ ଝୁଲି ରହିଥିବା ମୁଣ୍ଡର ବାଳଗୁଡ଼ିକ ଛାଇଟାକୁ ଭୀତିପ୍ରଦ କରି ତୋଳିଥାଏ ।

 

ଖୁବ୍‌ ସମ୍ଭବ ଟେବୁଲ୍‌ର ଡ୍ରୟାର୍‌ଟା ଟାଣି ଆଣିଲେ । ଛାଇର ହାତରେ ଗୋଟାଏ ରିଭଲ୍‌ଭର୍‌–ତା’ର ସେଇ ମାରାତ୍ମକ ମୁଖଦ୍ୱାର । –ରିଭଲ୍‌ଭର୍‌ଟା ସେଇ ହାତରେ ଏପାଖ ସେପାଖ ଘୁରି ଲାଗିଲା ।

 

ଅଜ୍ଞାତସାରରେ କିଛି ଗୋଟାଏ ପାଟି କରିବାକୁ ଚେଷ୍ଟା କରୁଥିଲି । ଚାମେଲୀ ବାଧା ଦେଇ ନୀରବ ରହିବାକୁ ଇଙ୍ଗିତ ଦେଲେ । ତାଙ୍କର ଉଦ୍‌ବେଗ ନ ଦେଖି ମୁଁ ବିସ୍ମିତ ଏବଂ ଆହୁରି ଉଦ୍‌ବିଗ୍ନ ହେଲି ।

 

ଛାଇଟା ଝରକା ଉପରୁ ଘୁଞ୍ଚିଗଲା । ମୁଖାର୍ଜୀ ଶେଯ ପାଖକୁ ଫେରିଗଲେ । ଶେଯ ପାଖର ଛୋଟ ଟିପାୟ ଉପରେ କିଛି ଗୋଟାଏ ଔଷଧ ନିଶ୍ଚୟ ? –ଚାମେଲୀଙ୍କର ତଥାପି କୌଣସି ଚଞ୍ଚଳତା ନାହିଁ ।

 

ମୁଖାର୍ଜୀ ଫେରି ଆସିଲେ ଟେବୁଲ୍‌ ପାଖକୁ । ଝରକା ଉପରେ ପୁଣି ସେଇ କଳା ଛାଇଟା ।

 

ଦୁକ୍‌ଦୁକିର ତାଳ ଯେପରି ଧିମା ହୋଇ ଆସୁଥାଏ ।

 

ଟେବୁଲ୍‌ର ଗୋଟାଏ ପାଖରେ ସେ ଠିଆ ହୋଇଥିଲେ । ଦିଓଟିଯାକ ବାହୁ ଉପରକୁ ଉଠିଗଲା–ଗୋଟାଏ ହାତରେ ସେଇ ମାରାତ୍ମକ ରିଭଲ୍‌ଭର୍‌ । –ମୁଣ୍ଡଟା ପଛପଟକୁ କିଛି ସମୟପାଇଁ ଢ଼ଳିଗଲା....

 

ମୋର ଆଖିବୁଜି ହୋଇଗଲା.....

 

ଚାମେଲୀ ମୋତେ ଟାଣି ନେଇ ଆସିଲେ ।

 

ଚାମେଲୀଙ୍କର ବେଖାତିର୍‌ ହସ ଦେଖି ମୁଁ ବିରକ୍ତ ହେଲି ।

 

‘‘ଏ କ’ଣ ଚାମେଲୀ ?’’ କଥାରେ ମୋର ଶାସନର ବ୍ୟଞ୍ଜନା । ଚାମେଲୀ ସହଜ ଭାବେ ଉତ୍ତର ଦେଲେ–‘‘ବାପା ଚିରଦିନପାଇଁ ନିଦ୍ରା ଯିବାର ଚେଷ୍ଟା କରୁଥିଲେ–କିନ୍ତୁ କେବଳ ଆଜି ରାତିଟାପାଇଁ ସୁନିଦ୍ରା ହେବା ମନ୍ଦ କ’ଣ ?’’

 

ବୁଝି ପାରିଲି ନାହିଁ ।

 

‘‘ପୋଟାସିୟମ୍‌ ସାଇନାଇଡ଼୍‌ ବଦଳରେ ବ୍ରେମାଇଡ଼୍–ଆଉ ରିଭଲ୍‌ଭର୍‌ରେ ଗୁଳି ନଥିଲା ଜମା ।’’ ଚାମେଲୀ ହସି ଉଠିଲେ । ‘‘ମୋର ସନ୍ଦେହ ହେଲା ବାପା ପୋଟାସିୟମ୍‌ ସାଇନାଇଡ଼୍ ପାଇଁ ଉପରକୁ ଯାଇଥିଲେ । ସେଥିପାଇଁ ତୁମେ ଶୋଇବାପରେ ଧୀରେ ଧୀରେ ତାଙ୍କ କୋଠରୀକୁ ଚାଲିଗଲେ । ରିଭଲ୍‌ଭର୍‌ଟା ଡ୍ରୟାର୍‌ରେ ରହେ ବୋଲି ମୁଁ ଜାଣେ–ଆଉ ଥୋଡ଼ାଏ ବ୍ରୋମାଇଡ଼୍ ବାପାଙ୍କର ସୁନିଦ୍ରାପାଇଁ ଆଗରୁ ବ୍ୟବସ୍ଥା କରିଥିଲି ।’’–ବିଜୟିନୀର ମନ୍ଦହାସ ।

 

‘‘ବାପାଙ୍କର ଚାବି ଗୋଛା ଭିତରୁ ଏଇ ଘର ଏବଂ ଏଇ ଆଲ୍‌ମେରାର ଚାବି ଦିଓଟି ନେଇ ଯାଇଥିଲି । ବାପା ଅନ୍ୟ କୌଣସି ଚାବି ସାହାଯ୍ୟରେ ବାହାର ତାଲା ଫିଟାଇ ପାରିଥିବେ । କିନ୍ତୁ ଆଲମେରା ଫିଟାଇ ନପାରି କୁରାଢ଼ୀ ନେବାକୁ ବାଧ୍ୟ ହୋଇଛନ୍ତି, ଏ ସମସ୍ତ ବ୍ୟବସ୍ଥା ନ କରି ମୁଁ କିପରି ବାପାଙ୍କୁ ଏକୁଟିଆ ଛାଡ଼ି ବାହାରି ପାରିଥାନ୍ତି ?

 

‘‘ତଥାପି ମୋର ଯେ ଭୁଲ୍‌ ନଥିଲା–ତାହା ନୁହେଁ । ବାପା ଯଦି ଏଇ ଘର ଭିତରେ କିଛି କରି ବସିଥାନ୍ତେ.... । ସେ ବୋଧହୁଏ ନିଷ୍ପତ୍ତି କରି ପାରି ନ ଥିଲେ ।

 

ପବନର ଶୀତଳତା ତୀବ୍ର ବୋଧ ହେଲା । –ଅନ୍ଧାର ରାତିର ସାଇଁ ସାଇଁ ଶବ୍ଦ ।

 

ଚିଠି ପତ୍ର ଖୋଜି ସୁଦ୍ଧା ପାଇଲୁ ନାହିଁ । ଚିରା ଫୋଟାଇ ଛିଣ୍ଡା ଅଂଶ, ଭଙ୍ଗା ଫ୍ରେମ୍‌ କେତେଗୁଡ଼ିଏ ଫୋଟୋ ଧରି ଓହ୍ଲାଇ ଆସିଲୁ । –ଚାମେଲୀ ଅନେକ ଦିନ ହେଲା ଉପର କୋଠରୀକୁ ଯାଇ ନଥିଲେ ।

 

ଯୁବକ ଡାକ୍ତର ସନ୍ତୋଷକୁମାର ମୁଖାର୍ଜୀ । –ସାଥିମେଳରେ ମେଡ଼ିକାଲ୍‌ କଲେଜ ପଡ଼ିଆରେ–ଗ୍ରୁପ୍‌ ଫୋଟୋ । ବିଲାତରୁ ଟେମ୍‌ସ ନଦୀକୂଳ । କେଉଁ ଅଜଣା ସ୍ଥାନରେ ସୁନ୍ଦର ପ୍ରକୃତି–ମୁଖାର୍ଜୀ କାର୍‌ ପାଖରେ ଠିଆହୋଇ ବୁଡ଼ି ଯାଇଥିବା ସୂର୍ଯ୍ୟ ଆଡ଼କୁ ଚାହିଁ ରହିଛନ୍ତି ।

 

‘‘ଏଇଟି ମୋର ।’’ ଚାମେଲୀ ଗୋଟିଏ ଛୋଟ ବାଳିକାର ଫୋଟୋ ପ୍ରତି ନିର୍ଦ୍ଦେଶ କଲେ ।

 

ସେଇଟି ଅନ୍ୟ କୌଣସି ବଡ଼ ଆକାରର ଫୋଟୋର କଟା ଅଂଶ ଛୋଟ ଛୋଟ ସରଳ ଆଖି ଦୁଇଟା । କେମେରା ଆଡ଼କୁ ବିସ୍ମିତ ହୋଇ ବାଳିକାଟି ଅନାଇ ରହିଛି ।

 

‘‘ଏଇଟି ତାହାହେଲେ ଚାମେଲୀ–ନା ?’’ –ବାଳିକାର ଗାଲ ଟିପି ଦେଲି । ଚାମେଲୀ ମନ୍ଦାହସ କଲେ ।

 

–କିନ୍ତୁ ଫୋଟୋଟି ଏପରି କଟା ହୋଇଛି କାହିଁକି ? କୌଣସି ଦ୍ୱିତୀୟ ବ୍ୟକ୍ତିର–ଖୁବ୍‌ ସମ୍ଭବ ତା’ର ମା’ର ଗୋଡ଼କୁ ଆଉଜି ଥିବା ଅବସ୍ଥାରେ ଫୋଟୋଟି ଉଠା ହୋଇଥିଲା । କିନ୍ତୁ ସେଇ ଅନ୍ୟ ବ୍ୟକ୍ତିଙ୍କୁ ଉଠାଇ ନେବାର କାରଣ କ’ଣ ?

 

‘‘ତୁମ ମା’ଙ୍କର ଫୋଟୋ କେବେ ଦେଖିଛ ?’’ ଫୋଟୋଟି ଅଲଗା ରଖି ପଚାରିଲି ।

 

‘‘ନା–ପିଲାବେଳେ ବାପାଙ୍କୁ ପଚାରିଥିଲି । କିନ୍ତୁ ମାଙ୍କର ଫୋଟୋ ଗୁଡ଼ିକ ହଜି ଯାଇଛି ବୋଲି ସେ କହିଥିଲେ ।’’

 

ବିଶୁଦ୍ଧ ପ୍ରତାରଣା ।

 

ଦରକାରରେ ଆସିବା ଭଳି କିଛି ଫୋଟୋ ନ ଥିଲା । ଚିରି ଯାଇଥିବା ଫୋଟୋର ଅଂଶ ଗୁଡ଼ିକ ସଜାଇ ଲାଗିଲୁ । କିଛି ସମୟର ଚେଷ୍ଟାପରେ ଫୋଟୋ ଖଣ୍ଡିକ ଯୋଡ଼ା ହେଲା ।

 

ଜଣେ ଯୁବକ ମୁଖାର୍ଜୀ–ସେଥିରେ ସନ୍ଦେହ ନ ଥିଲା । ଷ୍ଟେଥିସ୍‌କୋପ୍‌ ଖଣ୍ଡିକ ଗଳାରେ ଧରି କୌଣସି ବଗିଚାରେ ଆର୍ମଚେୟାର୍‌ରେ ବସିଥାନ୍ତି । କିନ୍ତୁ ତାଙ୍କ ପାଖରେ ଏଇ ଜଣକ କିଏ ? ପିନ୍ଧା ବିଲାତୀ ଢାଞ୍ଚା–ଗୋଟାଏ ଫ୍ରକ୍‌ । ଗୋଡ଼ରେ ମୋଜା–ଯୋତା । ଚୌକିର ବାହୁ ଉପରେ ସେ ଆସନ ନେଇଥାନ୍ତି । ଗୋଟିଏ ହାତ ଡାକ୍ତରଙ୍କ ବେକ ପାଖକୁ ଘୁରି ଆସିଛି–ଆରଟି ତାଙ୍କ ବାହୁ ଉପରକୁ ।

 

–କିନ୍ତୁ ମୁହଁ ଖଣ୍ଡିକ ଯୋଡ଼ି ହେଲା ନାହିଁ । –କାନ୍ଧ ପର୍ଯ୍ୟନ୍ତ ଯାହା ଅନୁମାନ–କଦାପି ବାଳିକା ନୁହେଁ । ସମ୍ଭବତଃ ଯୁବତୀ–ପ୍ରେମିକା–ଖ୍ରୀଷ୍ଟିଆନ୍‌ ।

 

–ସମସ୍ତ ଚେଷ୍ଟା ସତ୍ୱେ ପରିଚୟ ଅସମ୍ଭବ ହେଲା । –ମୁହଁର ସେଇ ଟୁକୁରା ଅଂଶ ଗୁଡ଼ିକ ଉପର କିମ୍ବା ତଳ ଘରେ ମିଳିଲା ନାହିଁ ।

 

ଅସମ୍ଭବ ବୋଲି ଚେଷ୍ଟାରୁ ବିରତ ହେବାକୁ ଇଚ୍ଛା ନ ଥିଲା । ଫୋଟୋର ଫ୍ରେମ୍‌ଟା ଝାଡ଼ି ଦେବା ଫଳରେ ଦୁଇ ତିନି ଟୁକୁରା ବାହାରି ଆସିଲା ।

 

–ମୁହଁଟା ତଥାପି ଧରି ହେଲା ନାହିଁ । ସମ୍ଭବତଃ ବିବାହିତେ–ଖ୍ରୀଷ୍ଟିଆନ୍‌ ।

 

ରମଣୀମାନେ ମୁଣ୍ଡରେ ଯେପରି ବସ୍ତ୍ରଭରଣ ଦିଅନ୍ତି–ଅନେକ ଅଂଶରେ ସେପରି ।

 

‘‘ତୁମର ମା’ କ’ଣ ଖ୍ରୀଷ୍ଟିଆନ୍‌ ଥିଲେ ?’’

 

‘‘କେଜାଣି ?’’

 

ହିନ୍ଦୁ ବ୍ରାହ୍ମଣ ମୁଖାର୍ଜୀ ଖ୍ରୀଷ୍ଟିଆନ୍‌ ରମଣୀକୁ ବିବାହ କରିବା, କିମ୍ବା ପ୍ରେମ ଅଭିନନ୍ଦନ ଜଣାଇ ବିବାହ ନ କରିବା ନନାଙ୍କର ବିରକ୍ତି ଜନ୍ମାଇବାଥିବା ସମ୍ଭବ ? କିନ୍ତୁ ଜାତି ଧର୍ମର ସ୍ତାବକ ରୂପେ ମୁଁ ତ କେବେହେଲେ ନନାଙ୍କୁ ଜାଣି ନାହିଁ ।

 

‘‘ତେବେ...’’ ଫୋଟୋଟିକୁ ଆଉ ଥରେ ଦେଖି ନେଲି । ଚାମେଲୀଙ୍କୁ ମୋର ଆବିଷ୍କାର ପ୍ରକାଶ କରି ନାହିଁ । ଚାମେଲୀ ମଧ୍ୟ ନୀରବ ରହିଲେ ।

 

‘‘ତୁମର ମଲ୍‌ହୋତ୍ରା ମାମୁଁଙ୍କୁ ଯଦି ଏ ବିଷୟରେ ପଚରାଯାଏ ?’’

 

‘‘ଖୁବ୍‌ ନିକଟରେ ତାଙ୍କ ପାଖରୁ ଖଣ୍ଡିଏ ଚିଠି ଆଶା କରୁଛି–ସେ ଉତ୍ତର ଦେଲେ ।

 

‘‘ଡାକ୍ତର ବାବୁଙ୍କର ଖବର କ’ଣ ସରୋଜ ?’’ ନନା ମୋତେ ଫେରିବା ଦେଖି ପଚାରିଲେ ।

 

‘‘ତାଙ୍କର ଆତ୍ମହତ୍ୟା ଚେଷ୍ଟା ବିଫଳ ହୋଇଛି ।’’ ନନାଙ୍କର ସହାନୁଭୂତି ସତ୍ତ୍ୱେ ଘଟଣାର ଗୋଟାଏ ଦୀର୍ଘ ବିବୃତି ଦେବା ପାଇଁ ମୋର ଧୈର୍ଯ୍ୟ ନଥିଲା ।

 

ନନା ବୋଧହୁଏ ଏହିଭଳି ଉତ୍ତର ପ୍ରତ୍ୟାଶା କରୁଥିଲେ । –‘‘ବର୍ତ୍ତମାନ ଅବସ୍ଥା କିପରି-?’’

 

‘‘ସେ ଶୋଇଥିବା ବେଳେ ମୁଁ ଚାଲି ଆସିଛି–ମୋତେ ପୁଣି ଯିବାକୁ ହେବ ।’’ କଥାବାର୍ତ୍ତାର ଉପେକ୍ଷା କଲି–ନନା ମୋର ବ୍ୟବହାରରେ କ୍ଷୂର୍ଣ୍ଣ ହୋଇଥିବା ସମ୍ଭବ ।

 

‘‘ସରୋଜ’’–ବାହାରିବା ଦେଖି ନନା ଡ଼ାକିଲେ, ‘‘ମୁଖାର୍ଜୀଙ୍କ ଘରକୁ ଯାଉଛୁ ବୋଧହୁଏ-?’’

 

ମୁଁ ଠିଆ ହୋଇ ପଡ଼ିଲି ।

 

‘‘ରହ, ମୁଁ ମଧ୍ୟ ଆସୁଛି ।’’ ସେ ଧୀର କଣ୍ଠରେ କହିଲେ ।

 

ବିସ୍ମିତ ହୋଇ ଅପେକ୍ଷା କଲି ।

 

ନେପାଳୀ ବୁଢ଼ାଟି ସମ୍ମାନ ସହିତ ସେଲୁଟ୍‌ ପକାଇଲା, କାଲି ସନ୍ଧ୍ୟାବେଳେ ଯଦି ସେ କିଛି ସମୟ ପାଇଁ ଘରକୁ ଯାଇ ବର୍ଷା ସକାଶେ ଅଟକି ଯାଇ ନ ଥାନ୍ତା–ତେବେ ଘଟଣା ହୁଏତ ଅନ୍ୟ ପ୍ରକାର ହୋଇ ପାରିଥାନ୍ତା । –ରାସ୍ତାଯାକ ନନା ନୀରବ ଥିଲେ ।

 

ଚାମେଲୀ ତାଙ୍କ କୋଠରୀରେ ମୁଖାର୍ଜୀଙ୍କ ପ୍ରତି ଆଖି ରଖି ଅପେକ୍ଷା କରୁଥିଲେ । ମୋ ସହିତ ନନାଙ୍କୁ ଦେଖି କୌଣସି ପ୍ରଶ୍ନ କରିବା ଦରକାର ନ ଥିଲା । ସଲ୍ଲଜ ନମସ୍କାର ଜଣାଇ ନନାଙ୍କର ବସିବା ପାଇଁ ଆଖି ବୁଲାଇଲେ ।

 

‘‘ଥାଉ ମା, ଥାଉ । ବାପା କାହାନ୍ତି ?’’

 

‘‘ସେଇ ଘରେ ।’’ ମୁଁ ଉତ୍ତର ଦେଲି ।

 

‘‘କ’ଣ କରୁଛନ୍ତି ?’’

 

‘‘ଚାହା ଖାଉଛନ୍ତି ।’’ ସେ ଉତ୍ତର ଦେଲେ ।

 

କାହା କଥା ଶୁଣିବାକୁ ନନାଙ୍କର ସମୟ ନ ଥିଲା ଯେପରି । କବାଟ ଠେଲି ପଶି ଯାଉ ଯାଉ ପଚାରିଲେ–‘‘ଏ ସବୁ କ’ଣ ସନ୍ତୋଷ ?’’

 

ମୁଖାର୍ଜୀ ନନାଙ୍କର କଣ୍ଠସ୍ୱରରେ ଟେର୍‌ ପାଇଥିଲେ ବୋଧହୁଏ । ହାତରେ ଚାହା କପ୍‌ଟି ଥରି ଉଠିଲା । ଚାହା ମନ୍ଦାକ ଉଛୁଳି ପଡ଼ି କପ୍‌ଟି ପ୍ଲେଟ୍‌ ସହିତ ହାତରୁ ଖସି ତଳେ ପଡ଼ି ଭାଙ୍ଗିଗଲା-। –ଉଛଳିତ ଅଶ୍ରୁକୁ ବାଧା ଦେବାକୁ ତାଙ୍କର ଆଉ ଶକ୍ତି ନ ଥିଲା ।

 

‘‘ହେମେନ୍‌ ଦା ।’’ ବାଷ୍ପରୁଦ୍ଧ ଥର ଥର କଣ୍ଠରେ ସେ ଉଚ୍ଚାରଣ କଲେ ।

 

ନନା ଆମକୁ ବାହାରି ଯିବାକୁ ଇଙ୍ଗିତ କଲେ ।

 

ପ୍ରାୟ ଘଣ୍ଟାଏ କାଳ ଆମେ ଅପେକ୍ଷା କରିଥିଲୁ । ମଝିରେ ମଝିରେ ଆଶ୍ୱାସନାଭରା ଗଭୀର କଣ୍ଠ ଆଉ ମୁଖାର୍ଜୀଙ୍କର ଦୁର୍ବଳ କ୍ଷୀଣ ସ୍ୱର ବାହାରି ଆସୁଥାଏ । ଆଶାଭରା ମୁହୂର୍ତ୍ତ ଗୁଡ଼ିକ-

 

‘‘ଆଚ୍ଛା–ସନ୍ତୋଷ, ମୁଁ ତାହାହେଲେ ଆସେ ।’’ –ନନାଙ୍କର ଆସନ୍ନ ଉପସ୍ଥିତି ଅନୁମାନ କରି ଚାମେଲୀଙ୍କ ମୁହଁରେ ଲଜ୍ଜ୍ୟାର ରକ୍ତିମା ।

 

‘ମେରେ ପ୍ୟାରୀ ଚାମେଲୀ,

 

ତୋର ପତ୍ର ପାଇ ଖୁସି ହେଲି । କାର୍ଯ୍ୟର ଭାର ହେତୁ ସାଙ୍ଗେ ସାଙ୍ଗେ ଉତ୍ତର ଦେବା ସମ୍ଭବ ନ ଥିଲା । ଆଶାକରେ....ମୋତେ କ୍ଷମା ମିଳିବ ।

 

ତୋର ପତ୍ର ଖଣ୍ଡିକ ଅଭିମାନ ଭରା । ଅଭିମାନ କରିବାର କାରଣ ଆଉ ଅଧିକାର ତୋର ଅଛି । ସନ୍ତାନ ପାଖରେ ପିତାର ଦୋଷ ବାଢ଼ିବା ଅନୁଚିତ । କିନ୍ତୁ ତୋର ଚିଠିର ଅନୁରୋଧ ରକ୍ଷା କରିବାକୁ ହେଲେ ମୋତେ ସଂକ୍ଷେପରେ କିଛି ଲେଖିବାକୁ ହେବ ।

 

ଭତିଜା (ଭିଣେଇ) ବିଲାତରେ ଥିବା ଅବସ୍ଥାରେ ସହପାଠିନୀ ମୋର ଭଉଣୀ ସହିତ ଭାବ ବଢ଼େ । ଭାରତକୁ ଆସିବାପରେ ତାଙ୍କର ସାଦି ହୁଏ । ଆଉ ସାଦିରେ କେତେ ବର୍ଷ ପରେ ତୋର ଜନ୍ମ । କିନ୍ତୁ ତୋର ତିନିବର୍ଷ ପରେ ତୋର ମାତାଜୀଙ୍କର ମୃତ୍ୟୁ ହୁଏ ।

 

ଭଉଣୀର ମୃତ୍ୟୁ ପୂର୍ବରୁ ମୁଁ ଜାଣିପାରିଥିଲି ଯେ ଡ଼ାକ୍ତର ବାବୁଙ୍କର ଲକ୍ଷ୍ନୌରେ ଜଣେ ରକ୍ଷିତା ଅଛି । ସେଇ ସମୟରୁ ତାଙ୍କର ବନ୍ଧୁତା ପ୍ରତି ମୋର ସ୍ପୃହା ରହିଲା ନାହିଁ । ଅନେକବାର କଳହ ମଧ୍ୟ ହେଲା । ତୋର ମାତାଜୀଙ୍କର ମୃତ୍ୟୁପରେ ସମସ୍ତ ସଂପର୍କ ତୁଟି ଆସିଲା । ଥରେ ତୋତେ ମୋ ପାଖକୁ ନେଇ ଆସିବା ପାଇଁ ମୁଁ ଚେଷ୍ଟା କରିଥିଲି । କିନ୍ତୁ ଡ଼ାକ୍ତରବାବୁ ମୋତେ ଅପମାନ ଦେଇ ବିଦାୟ ନେବାକୁ କହିଲେ । ସେହିଦିନଠାରୁ ସମସ୍ତ ସମ୍ପର୍କ ବନ୍ଦ ହୋଇଯାଇଛି । ଆଉ ଉଭୟ ପକ୍ଷରୁ ବନ୍ଧୁତା ଦୃଢ଼ କରିବାର କୌଣସି ଚେଷ୍ଟା ନାହିଁ ।

 

କିନ୍ତୁ ତୋ ସକାଶେ ମୋର ସ୍ନେହ ଅତୁଟ ରହିଛି । ତୋର ଚିଠି ପାଇ ବାସ୍ତବିକ୍‌ ଭାରି ଖୁସି ହୋଇଛି । ତୋତେ ଦେଖିପାରିଲେ ଆହୁରି ଖୁସି ହେବି । ଟିକି ଭାଣିଜୀଟି ବଡ଼ ହେଇ ଯାଇଛି ଦେଖିଲେ କିଏ ଅବା ଖୁସି ନ ହେବ । କେବେହେଲେ ଏଠାକୁ ଆସିବାକୁ ମୋର ନିମନ୍ତ୍ରଣ ରହିଲା-

 

ମୋର ଆଶିଷ ସ୍ନେହ ନେବୁ ।

 

ତୋର

ମାମୁଁ ।’’

 

ଚାମେଲୀଙ୍କ ଲଜ୍ଜ୍ୟାନମତା ଏଇ କେତେଦିନ ଭିତରେ ବଢ଼ି ଯାଇଛି । ଡାକ୍ତର ମୁଖାର୍ଜୀଙ୍କୁ ଦେଖିବା ଛଳରେ ଅନେକ ଥର ଯା’ଆସ କରି ନନା ଚାମେଲୀଙ୍କ ସୌନ୍ଦର୍ଯ୍ୟ ଆଉ ବ୍ୟବହାରରେ ବିଶେଷ ଖୁସି । ଡାକ୍ତରଙ୍କ ମାନସିକ ଅବସ୍ଥାର ଯଥେଷ୍ଟ ଉନ୍ନତି ହେଇଛି– । ବିବାହ ନିଶ୍ଚିତ ।

 

ସେଦିନ ଉପରବେଳେ ନନା ଗମ୍ଭୀର ଭାବେ ପ୍ରଶ୍ନ କଲେ, ‘‘ଲାବଣ୍ୟମୟୀ ସହିତ ତୋର ସମ୍ପର୍କ ଅଛି–ଶୁଣିପାରୁଛି ?’’

 

ମନର ସମସ୍ତ ଆନନ୍ଦ ଉଭେଇଗଲା । ନନା ପୁଣି ଗୋଟାଏ ଭୁଲ୍‌ ବୁଝିଲେଣି ? –ଏ ବିଷୟରେ ତାଙ୍କୁ ସମ୍ବାଦ ଦେଲା କିଏ ?

 

ହ ।’’ ମିଛ କହି ଲାଭ ନ ଥିଲା ।

 

ତାଙ୍କର ଅନ୍ତରଭେଦୀ ସ୍ଥିର ଦୃଷ୍ଟି ଅନୁଭବ କଲି । ମୁହଁ ଟେକି ଚାହିଁବାକୁ ମୋର ସାହସ ହେଲାନାହିଁ । ଏଣେ ବୁଝି ପାରୁଥିଲି ମୋର ଅଯଥାର୍ଥ ଦୁର୍ବଳତା ଆଉ ନମ୍ରତା ମୋତେ ଦୋଷୀ ପ୍ରମାଣିତ କରିବାରେ ସାହାଯ୍ୟ କରୁଛି ।

 

ବାପା ହସି ଉଠିଲେ ।

 

ତାଚ୍ଛଲ୍ୟ । ଅଥଚ ପ୍ରତିବାଦ କରିବାକୁ ମୋର ସାହସ ନଥିଲା । ଚିଠି ଦୁଇଖଣ୍ଡ ମୋର ଆଡ଼କୁ ବଢ଼ାଇ ଦେଲେ ।

 

ଲାବଣ୍ୟମୟୀଙ୍କର ଚିଠି । ଅସାବଧାନତାବଶତଃ ଖୋଲାରଖି ଛାଡ଼ି ଯାଇଥିଲି ବୋଧହୁଏ କିନ୍ତୁ ଏଇ ଦିଓଟିରୁ ମୋର ଚରିତ୍ର ଉପରେ ଆକ୍ଷେପ କରିବା ଯେ ସମୀଚୀନ ନୁହେଁ–ସେ କଥା ମୁଁ ବୁଝି ପାରିଥିଲି । –ଚିଠି ଧରି ବାହାରିବାବେଳେ ମୋର କାନମୂଳ ପର୍ଯ୍ୟନ୍ତ ତାତି ଉଠିଲା ।

 

‘‘ଶୁଣିଯା ।’’ –ସ୍ୱରରେ ଶାସନ ନ ଥିଲା ।

 

ଚୌକିଟି ଦେଖାଇ ବସିବାକୁ କହିଲେ ।

 

‘‘ମୁଖାର୍ଜୀଙ୍କର ଇଚ୍ଛା–ଲାବଣ୍ୟମୟୀ ଏବଂ ତାଙ୍କର ପୁଅଟିକୁ ଏଠାକୁ ନେଇ ଆସିବେ । ଶେଫାଳିକାର ବିବାହ ମଧ୍ୟ ଏଇଠି ହେବ । ଆର–ଏ ସମସ୍ତ କାର୍ଯ୍ୟପାଇଁ ତୋତେ ଶୀଘ୍ର ଲକ୍ଷ୍ନୌ ଯିବାକୁ ପଡ଼ିବ ।’’ ସହଜ ଗଳା–

 

ଏସବୁ ମୁଁ କ’ଣ ଶୁଣୁଛି ? –ବିସ୍ମିତ, ନିଶ୍ଚଳ, ମୂକ ହୋଇ ବସି ରହିଲି ।

 

ମୋର ଅବଗତି ପାଇଁ ଯେପରି ପ୍ରକାଶ କଲେ–‘‘ଜଣକୁ ଭଲ ପାଇ ପ୍ରତାରିତ କରି ଅନ୍ୟ ଜଣକୁ ବିବାହ କରିବା ମୁଖାର୍ଜୀଙ୍କ ସହିତ ମୋର ମତାନ୍ତର ଏକମାତ୍ର କାରଣ ଥିଲା–ଲାବଣ୍ୟମୟୀଙ୍କର ଅବସ୍ଥା ମୁଁ ବୁଝି ପାରିଥିଲି ।’’ ....ଆସିଛି–ଏଇ ପରିବାରଟିର ଭାଗ୍ୟଚିତ୍ର ସମ୍ପୂର୍ଣ୍ଣ ଘୁରାଇଦେବା ସକାଶେ । –ଲାବଣ୍ୟମୟୀଙ୍କୁ କ’ଣ କହିବି ? ଶେଫାଳିକାଙ୍କ ପ୍ରତିକ୍ରିୟା କ’ଣ ହେବା ସମ୍ଭବ ? ଆଉ–କିଶୋର ?

 

ଘର ଭିତରେ ଲମ୍ବା ଛାଇ ଦେଖି ଶେଫାଳିକା ମୁହଁ ଟେକିଲେ ।

 

କାନ୍ଦି କାନ୍ଦି ଆଖି ଦୁଇଟା ଲାଲ୍‌ ହୋଇପଡ଼ିଛି । ଲୁଗାପଟା ଅସ୍ତବ୍ୟସ୍ତ–ମଇଳା । ନୁଖୁରା ବାଳ ଗୁଡ଼ିକ ବିପର୍ଯ୍ୟସ୍ତ ହୋଇ କାନ୍ଧ ଉପରକୁ ଲୋଟି ପଡ଼ିଛି–ଆନନ୍ଦ କମିଗଲା ।

 

‘‘ଆସନ୍ତୁ ।’’ ସେ ତରବର ହୋଇ ଉଠି ପଡ଼ିଲେ । ଲୁଗାପଟା ସମ୍ଭାଳି ନେଇ ଗୋଡ଼ତଳେ ମୁଁଣ୍ଡିଆ ମାରି କହିଲେ, ‘‘ଏତେଦିନକେ ମନେ ପଡ଼ିଲା ।’’ କଥାରେ ତ ତାତ୍ସଲ୍ୟ ନାହିଁ–ଏ ଯେ ମନ ଭିତରେ କାନ୍ଦଣା ସୁର୍‌ ।

 

ବିଚାରୀ । ମୁଣ୍ଡରେ ହାତ ବୁଲାଇ ନେଲି ।

 

‘‘ମା’ କାହାନ୍ତି ଶେଫାଳିକା ?’’

 

ସେ ହାତ ବଢ଼ାଇଲେ–

 

–ଛାତି ଭିତରଟା ଦାଉଁ କଲା ।

 

ଘର କୋଣରେ ଗୋଟାଏ ତକିଆକୁ ଆଉଜି ଲାବଣ୍ୟମୟୀ ଚାହିଁ ରହିଥିଲେ । ସମସ୍ତ ଶରୀର ଚିନ୍ତା ଓ ରୋଗରେ ସିଝି କଳା ପଡ଼ି ଯାଇଛି । କେଉଁ ଅନ୍ଧାର ଗୁହାରୁ ଯେପରି ସେଇ ଆଖି ଦୁଇଟା ମୋତେ ଲକ୍ଷ୍ୟ କରୁଥାଏ ।

 

‘‘ନମସ୍କାର ମା’ ।’’ ଶଙ୍କିତ ଚିତ୍ତରେ ପ୍ରଣାମ କଲି ।

 

ଓଠ ଥରିଲା–କିନ୍ତୁ ଶବ୍ଦ ବାରିବା ସମ୍ଭବ ନ ଥିଲା ।

 

‘‘ଆସ ବାପା ଆସ’’ ଅତି କଷ୍ଟରେ ସେ କହୁଥିଲେ । ପାଖକୁ ଗଲି–ଶେଯ ପାଖରେ ପଡ଼ିଥିବା ଛେପ ଆଉ ଖଙ୍କାରର ଦୁର୍ଗନ୍ଧ–

 

ଶୁଖିଲା ଓଠରେ ସେ ଜିଭ ଲେଉଟାଇ ଆଣିଲେ । ‘‘ମୋର ସମୟ ତ ଆସି ଯାଇଛି ବା–ବା ।’’ କଥା ଥରି ଉଠିବା ସଙ୍ଗେ ସଙ୍ଗେ ରୋଗିଣୀର ଶୁଖିଲା ଚମ ଟାଣି ହେଉଥାଏ । ଶେଫାଳିକା ଆଡ଼କୁ ନିର୍ଦ୍ଦେଶ କରି କହିଲେ, ‘‘ଏଥର ତା’ର ଚି–ନ୍ତା ତୁମ–କୁ.......’’

 

‘‘ଏସବୁ କ’ଣ କହୁଛ ମା’ ? –ମୁଁ–ମୁଁ ତ ତୁମପାଇଁ ଶୁଭ ଖବର ଆଣିଛି ।’’

 

ରୋଗିଣୀର କପାଳର ରେଖା ଗୁଡ଼ିକ ଟାଣି ହୋଇଗଲା । ମୁଣ୍ଡ ଉପରେ ଠିଆ ଠିଆ ଧଳା–କଳା ଖାଙ୍କର ବାଳଗୁଡ଼ାକ କି ବିରୂପ । ଶେଫାଳିକା ଘରକୋଣରେ ନିର୍ବେଦ ହୋଇ ଠିଆ ହୋଇଥିଲେ–ପଲ୍ଲୀ ଗାର ସରଳା ବାଳିକା ପରି । କି ଭାଷାରେ ମୁଁ ଏମାନଙ୍କୁ ଜଣାଇବି ?

 

ମୋର ବିଳମ୍ବ ଦେଖି ଝିଅ ଆଡ଼କୁ ନିର୍ଦ୍ଦେଶ କରି ଲାବଣ୍ୟମୟୀ ପଚାରିଲେ–‘‘ତା’ର ବିବାହ ବିଷୟରେ ?’’

 

‘‘ତାଠାରୁ ଅଧିକ କିଛି ମା’ ।’’

 

ଶେଫାଳିକା ମୋତେ ବିସ୍ମିତ ହୋଇ ଲକ୍ଷ୍ୟ କଲେ । ରୋଗିଣୀର କପାଳରେ କୁଞ୍ଚିତ ରେଖା–ବିସ୍ମୟର ସୂଚନା କି ନା ବୁଝିବା କଷ୍ଟକର ଥିଲା ।

 

‘‘ଡାକ୍ତର ମୁଖାର୍ଜୀ ତୁମର ପୁଅ ସମସ୍ତଙ୍କୁ ଆହ୍ଲାବାଦକୁ ଫେରାଇ ନେବାକୁ ମୋତେ ପଠାଇଛନ୍ତି । ନିକଟରେ ଶେଫାଳିକାଙ୍କୁ ବିବାହ ଦେବେ ।’’

 

ଯାହା ଘଟିଲା–ମୁଁ କଳ୍ପନା କରି ନଥିଲି । ରୋଗିଣୀର ହାତ ଦୁଇଟା ମୋ ମୁଁହ ପାଖରେ ଥର ଥର ହୋଇ ଉଠିଲା । ସେଇ କୋଟରା ଗମନ ଆଖି ଦୁଇଟାରେ ଆନନ୍ଦ, ଭୟ କିମ୍ବା ପ୍ରତିହିଂସା ମୁଁ ଠିକ୍‌ କରି ପାରିଲି ନାହିଁ । ଦୁର୍ବଳ ଶରୀର ହଠାତ୍‌ କାଶି କାଶି ଅଥୟ ହୋଇ ପଡ଼ିଲା-। କ’ଣ ସେ କହିବାକୁ ଚେଷ୍ଟା କରୁଥିଲେ–ବୁଝି ହେଲାନାହିଁ । –ଶେଫାଳିକା ମା’ଙ୍କ ପାଖକୁ ଧାଇଁ ଆସି ନିଜ ଉପରକୁ ଆଉଜେଇ ନେଲେ ।

 

କାଶ ଥମି ଗଲା । କିନ୍ତୁ ନିଶ୍ୱାସ ସାଇଁ ସାଇଁ ହେଉଥାଏ । ଲାବଣ୍ୟମୟୀ ଆଖି ଦିଓଟି ବୁଜି ନେଲେ ।

 

‘‘କି ଲା–ଭ ?’’ ବକ୍ଷଥର ବହି ଆସିଲା ଦୀର୍ଘଶ୍ୱାସ । ରୋଗିଣୀର ବିକୃତ ମୁଖ ଅଭିମାନରେ ଆହୁରି ବିକୃତ ହୋଇ ପଡ଼ିଲା । କୋରଡ଼ିଆ ଗାଲ ଉପରକୁ ବୋହି ଆସିଲା ଲୁହ ଦି ଧାର ।

 

ମୁଁ ଚମକି ଉଠିଲି–

 

ତଳ ଓଠ ବାଁ ପାଖକୁ ବଙ୍କେଇ ଆସିଛି ନିତାନ୍ତ ବିକୃତ ଭାବେ–ଶକ୍ତି ହୀନ ହାତ ଦି’ଟା ଝୁଲି ରହିଛି ଶେଯତଳକୁ । ପଲକ ହୀନ ଆଖିଯୋଡ଼ିକ ଅଧବୁଜା.....

 

ଶେଫାଳିକାଙ୍କର ଆଖି ଛଳଛଳେଇ ଉଠିଲା–କୋହ ସାଙ୍ଗରେ । ମୁଁ ମୁହଁ ଫେରାଇନେଲି ।

 

ଲାବଣ୍ୟମୟୀଙ୍କର ପ୍ରାଣହୀନ ନିଶ୍ଚଳ ପିଣ୍ଡ–

 

ପ୍ରତାରଣା ହତଭାଗିନୀ ।

 

ଡାକ୍ତର ମୁଖାର୍ଜୀ ତା’ର ପାଇ ଛୁଟି ଆସିଲେ ।

 

ଲାବଣ୍ୟମୟୀଙ୍କର ଆନନ୍ଦହୀନ ଏଇ ଶେଷ ଅଧିକାର । ଶ୍ମଶାନ ଭୂମିରେ ସ୍ୱୀମୀ–ପ୍ରତ୍ୟକ୍ଷ ମୁଖାର୍ଜୀଙ୍କ ହାତରୁ ମୁଖାଗ୍ନି । ପ୍ରଜ୍ଜ୍ୱଳିତ ଚିତା ଭୂମିକାରେ ଅଶ୍ରୁର ତର୍ପଣ–

 

ନନା ଆଶ୍ୱସନା ଦେଇ ଫେରାଇ ଆଣିଲେ ।

 

ପିତା’ର ଛାତି ଉପରେ କାନ୍ଦି ଉଠିଥିଲେ ଶେଫାଳିକା–ମାତୃହରା । ସହାନୁଭୂତିଶୀଳା ଚାମେଲୀ– ।

Image